Swetapadma Padhi

Tragedy Action Inspirational

4.5  

Swetapadma Padhi

Tragedy Action Inspirational

ଆଜି ବି ମନେ ପଡେ

ଆଜି ବି ମନେ ପଡେ

5 mins
274


୧୯୯୯ ମସିହା ଜୁଲାଇ ୨୬, ହେଉଛି କାରଗିଲ ବିଜୟ ଦିବସ । ଏହି ଦିନଟି ସବୁ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଯେଉଁ ସହୀଦମାନେ ଦେଶପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କ କଥା ଆଜି ବି ମନେ ପଡେ । ବିଜୟ ଦିବସ ପାଇଁ ଯେତିକି ଖୁସି ଲାଗେ ସହୀଦଙ୍କ କଥା ମନେ ପଡିଗଲେ ଛାତିରେ କୋହ ଭରି ଯାଏ । ଆଉ କୋଡିଏ ବର୍ଷ ତଳର ସେହି ଦୁଃଖରେ ଆଖିରେ ଲୁହ ଜକେଇ ଆସେ ।


୧୯୯୯ ମସିହା ଜୁଲାଇ ୨୬ରେ ପାକ୍ ସେନାଙ୍କ କବଳରୁ କାରଗିଲ କୁ ମୁକ୍ତ କରିଥିଲା ଭାରତୀୟ ସେନା । ଭାରତୀୟ ସେନାର ବିଜୟ ଅଭିଯାନ ସଫଳ ହୋଇଥିଲା । ଷାଠିଏ ଦିନ ଧରି ଚାଲିଥିବା ଯୁଦ୍ଧରେ ସହିଦ ହୋଇଥିବା ବୀର ସୈନିକଙ୍କୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ସହିଦ ଯବାନମାନଙ୍କୁ ମନେପକାଇବା ପାଇଁ ଜୁଲାଇ ୨୬ କୁ ୨୦ ବର୍ଷ ହେଲା ବିଜୟ ଦିବସ ଭାବରେ ପାଳନ କରାଯାଉଛି । ଭାରତର କୋଟି କୋଟି ଜନତାଙ୍କ ସୁରକ୍ଷା ପାଇଁ ଯବାନମାନେ ନିଜ ଜୀବନକୁ ବାଜି ଲଗାଇଥିବାରୁ ସେମାନେ ସର୍ବଦା ଚିରନମସ୍ୟ । ଭାରତୀୟ ସୈନ୍ୟଙ୍କ ଅଦମ୍ୟ ସାହସ ଏବଂ ବୀରତ୍ଵ ଆଗରେ ହାର୍ ମାନିଥିଲା ପାକ୍ିସ୍ତାନ । କିନ୍ତୁ ଏହି କାର୍ଗିଲ ଯୁଦ୍ଧରେ ୫୨୭ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ସେଥିମଧ୍ୟରେ ଓଡ଼ିଶାର ୧୩ ଜଣ ବୀର ଯବାନ ସାମିଲ ଥିଲେ ।


ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସେତେବେଳେ ସରକାର ଚାଲିଥିଲା । କାର୍ଗିଲ ଯୁଦ୍ଧ ଜିତିବା ପାଇଁ କିନ୍ତୁ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା । ଏଥିରେ ୫୨୭ ସୈନିକ ନିହତ ହୋଇଥିଲେ । ଏମାନଙ୍କ ମଧ୍ୟରେ କୋଡ଼ିଏ ଜଣ ଅଫିସର, ୨୩ ଜଣ ଜୁନିଅର କମାଣ୍ଡ ଅଫିସର, ୪୭୫ ଯବାନ ଥିଲେ । ୧୭୦୦ ପାଖାପାଖି ଯବାନ ଆହତ ହୋଇଥିଲେ ।


ସେହି ୧୩ ଜଣ ଓଡ଼ିଆ ଯବାନ ମଧ୍ୟରେ ଥିଲେ ଜଣେ ଅନନ୍ୟ, ମେଜର ପଦ୍ମପାଣି ଆଚାର୍ଯ୍ୟ । କେବଳ ଭାରତ ପାଇଁ ନୁହେଁ, ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ପଦ୍ମପାଣି ଆଚାର୍ଯ୍ୟ ଆଣି ଦେଇଥିଲେ ଅଶେଷ ଗୌରବ ଓ ସମ୍ମାନ। ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କ ତ୍ୟାଗ ଓ ଉତ୍ସର୍ଗରେ ଆଜି ଓଡ଼ିଶା ଗର୍ବିତ । ତାଙ୍କୁ ଯେତେବେଳେ ମହାବୀର ଚକ୍ର ଉପାଧି ମିଳିଲା, ଓଡ଼ିଶା ମାଟି ଧନ୍ୟ ହୋଇଯାଇଥିଲା ।


କାରଗିଲ ଯୁଦ୍ଧର କୋଡ଼ିଏ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ମେଜର ଆଚାର୍ଯ୍ୟଙ୍କୁ କେବଳ ଓଡ଼ିଶା ନୁହଁ ସମଗ୍ର ଦେଶ ମନେ ପକାଉଛି । କୋଡିଏ ବର୍ଷ ତଳେ ଡ୍ରାସ ସେକ୍ଟରର ଟୋଲଲିଙ୍ଗଠାରେ ଗ୍ରେନେଡ଼ ମାଡ଼ରେ ମେଜର ଆଚାର୍ଯ୍ୟ ପ୍ରାଣ ହରାଇଥିଲେ । ତାଙ୍କର ସେହି ସାହସ ଓ ସ୍ୱାଭିମାନ ଅଦ୍ଵିତୀୟ ଓ ଏହାର ପଟାନ୍ତର ନାହିଁ।


କାରଗିଲ ଯୁଦ୍ଧର ଜଣେ ମହାନାୟକ ଓ ସହିଦ ମେଜର ପଦ୍ମପାଣି ଆଚାର୍ଯ୍ୟ ଙ୍କ ଜନ୍ମ ଜୁନ ୨୧,୧୯୬୮ ଓଡ଼ିଶା ମାଟିରେ । କିନ୍ତୁ ତାଙ୍କ ପରିବାର ହାଇଦ୍ରାବାଦରେ ରହି ଆସୁଛନ୍ତି । ମେଜର ଆଚାର୍ଯ୍ୟଙ୍କୁ ମୃତ୍ୟୁ ବେଳକୁ ମାତ୍ର ୩୦ ବର୍ଷ ବୟସ ହେଇଥିଲା । ମୃତ୍ୟୁ ବେଳକୁ ଘରେ ତାଙ୍କର ବୃଦ୍ଧ ପିତା, ମାତା ଓ ଛ' ମାସର ଅନ୍ତସତ୍ତ୍ଵା ବିଧବା ପତ୍ନୀ ଚାରୁଲତା ଥିଲେ । 


୧୯୯୯ ଜୁନ ୨୮ ତାରିଖ ଦ୍ଵିତୀୟ ରାଜପୁତନା ରାଇଫଲସ କୁ ଟୋଲଲିଙ୍ଗ ଠାରେ ଆକ୍ରମଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ମେଜର ଆଚାର୍ଯ୍ୟଙ୍କୁ ରାଜପୁତନା ରାଇଫଲସ କମ୍ପାନୀ ର କମ୍ପାଣ୍ଡର ଥିଲେ । ଶତ୍ରୁ ପକ୍ଷର ଅଧିକୃତ ସ୍ଥାନକୁ ନିଜ ନିୟନ୍ତ୍ରଣ ନେବା ପାଇଁ ତାଙ୍କୁ କୁହା ଯାଇଥିଲା । ଅପରପକ୍ଷରେ ପାକ୍ିସ୍ତାନୀ ସୈନ୍ୟ ମାନେ ଟୋଲଲିଙ୍ଗ କୁ ପୂରା ପୂରି ଚାରିଆଡୁ ଘେରାଉ କରି ଥିଲେ । ଚାରିଆଡ଼େ ନାନାଦି ଯୁଦ୍ଧାସ୍ତ୍ର ମାଇନ୍, ଟାଙ୍କର, ମେସିନ୍ ଗନ ।‌


ଟୋଲଲିଙ୍ଗ ଉପରେ ସମ୍ପୂର୍ଣ୍ଣ ଅଧିକାର କରି ପାରିବା ରାଜପୁତନା ରାଇଫଲସର ସଫଳତା ନିର୍ଭର କରୁଥିଲା । ପଦ୍ମପାଣି ଓ ତାଙ୍କ ପାଲଟୁନ ଦଳର ଏକମାତ୍ର ପ୍ରଚେଷ୍ଟା ଚାଲିଥିଲା ଟୋଲଲିଙ୍ଗ ଅକ୍ତିଆର କରିବାରେ । କିନ୍ତୁ ବାରମ୍ବାର ବିପକ୍ଷର ଲଗାତାର ଗୁଳିଚାଳନା ପାଇଁ ସେମାନେ ଆଗକୁ ବଢି ପାରୁ ନଥାଆନ୍ତି । ଆଚାର୍ଯ୍ୟଙ୍କ ପାଲଟୁନ୍ ହିଁ ଏହାର ଶିକାର ହେଇଥିଲା । ସେସବୁ ଭୃକ୍ଷେପ ନକରି ଆଚାର୍ଯ୍ୟ ନିଜକୁ ପାଲଟୁନ ଆଗରେ ରଖି ଆଗକୁ ମାଡି ଚାଲିଲେ । ପାକ୍ିସ୍ତାନ ସୈନ୍ୟ ଦଳ ଆଖିବୁଜା ଅସ୍ତ୍ରଚାଳନା ଆରମ୍ଭ କରି ଦେଲେ । ଟୋଲଲିଙ୍ଗ ଅକ୍ତିଆର କରିବା ସହ ନିଜ ପାଲଟୁନ୍ ର କେତେ ଜଣଙ୍କୁ ରକ୍ଷା ମଧ୍ୟ କରିଥିଲେ, କିନ୍ତୁ ନିଜେ ପ୍ରାଣ ହରାଇଥିଲେ । ଦେଶମାତୃକାର ସୁରକ୍ଷା ପାଇଁ ନିଜର ସର୍ବସ୍ବ ବଳିଦାନ ଦେଇ ଦେଲେ । ଗ୍ରେନେଡ଼ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା ।


ସହୀଦ ହେବା ପୂର୍ବରୁ ୧୯୯୯ ଜୁନ ୨୧ ତାରିଖରେ ମେଜର ଆଚାର୍ଯ୍ୟ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ଦିନ ଥିଲା ତାଙ୍କର ଜନ୍ମ ଦିନ । ତା' ପୂର୍ବରୁ ସେ ତାଙ୍କ ବାପାଙ୍କୁ ଚିଠି ଟିଏ ପଠେଇ ଥିଲେ । ୧୯୯୯ ଜୁନ ୧୯ ତାରିଖରେ ସେ ବାପାଙ୍କ ପାଖକୁ ପଠେଇ ଥିବା ଚିଠିରେ ଲେଖିଥିଲେ...


ନିଜର ଯୁଦ୍ଧର ଅନୁଭୂତି ଓ ସେ ସମୟର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଗିଲ ପରିଦର୍ଶନ । ସେଠି କ’ଣ ଖାଇବାକୁ ଦିଆଯାଉଛି । ତାପମାତ୍ରା -୨୩ ଡିଗ୍ରୀ ସେଲସିୟସକୁ ଖସି ଯାଏ ହାତ ମୁଁହ ଫାଟି ରକ୍ତ ବାହାରେ । ତେଣୁ ଭେସଲିନ କ୍ରିମ ବୋଳି ହେବାକୁ ପଡ଼େ । ଆହତ ସୈନିକ ଙ୍କୁ ଦେଖାଶୁଣା କରିବା ନିମନ୍ତେ ଥିବା ବଙ୍ଗାଳି ଡାକ୍ତର, ତାଙ୍କର ସାଥି ଲଢ଼ୁଆ ସୈନିକ ଓ ମହାଭାରତ ଯୁଦ୍ଧ ଏଭଳି ବହୁ କଥା ଲେଖିଥିଲେ । ତାଙ୍କ ବାପାଙ୍କୁ କହିଥିଲେ ଛ' ମାସର ଗର୍ଭବତୀ ଥିବା ତାଙ୍କ ସ୍ତ୍ରୀ ଚାରୁଲତାଙ୍କ ବୁଝେଇ ଉପଦେଶ ଦେବାକୁ ।


ବାପାଙ୍କ ପାଖକୁ ଅତି ସୁନ୍ଦର ହସ୍ତାକ୍ଷରରେ ଲେଖା ଯାଇଥିବା ଇନ୍ଲାଣ୍ଡ ଚିଠିରେ ସେ ସ୍ତ୍ରୀ ଚାରୁଲତା ଙ୍କୁ ଲେଖିଥିଲେ, ମୃତ୍ୟୁ ବରଣ କରିବା ଆମ ସେନା ବୃତ୍ତିର ଅଂଶ ବିଶେଷ । ଭଲ କାମଟିଏ କରିବାକୁ ହେଲେ ଜୀବନ ଦେବାରେ ଆମର କୌଣସି କୁଣ୍ଠାବୋଧ ନଥାଏ । ପତ୍ନୀ ଚାରୁଲତା ଯିଏ ସେତେବେଳକୁ ଛଅ ମାସ ଗର୍ଭବତୀ ଥିଲେ ତାଙ୍କୁ ପଦ୍ମପାଣି ଉପଦେଶ ଦେଇଥିଲେ ପ୍ରତିଦିନ ମହାଭାରତ କାହାଣୀ ପଢ଼ ଯାହା ଫଳରେ ପେଟରେ ଥିବା ଛୁଆଟି ଉତ୍ତମ ମୂଲ୍ୟବୋଧ ନେଇ ଜନ୍ମ ହେବ।


ଚିଠି ପାଇବାର ସପ୍ତାହେ ପରେ ଗୋଟେ ଫୋନ୍ ଆସିଲା ତାଙ୍କ ପିତା ଜଗନ୍ନାଥ ଆଚାର୍ଯ୍ୟଙ୍କ ପାଖକୁ "ଆପଣଙ୍କ ପୁଅ ଭାରତୀୟ ସେନାର ଏକ ସର୍ବୋକୃଷ୍ଟ ସେନା ନାୟକ । ସେ ଏକ ମହାନ ବୀର ଉତ୍ତମ ଯୋଦ୍ଧା । କିନ୍ତୁ ବହୁତ ଦୁଃଖରେ ବିଷୟ ସେ ଆଉ ନାହାଁନ୍ତି" । 


୧୯୯୯ ଜୁନ ୨୮ରେ ମେଜର ଆଚାର୍ଯ୍ୟ ପ୍ରାଣତ୍ୟାଗ କରିଥିଲେ । ୧୯୯୯ ସ୍ୱାଧୀନତା ଦିବସ ଅବସରରେ ଭାରତର ଦ୍ୱିତୀୟ ବଡ଼ ମିଲିଟାରୀ ସମ୍ମାନ ମହାବୀର ଚକ୍ରରେ ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କୁ ଆଭୂଷିତ କରାଯାଇଥିଲା । ଏଇ ସମ୍ମାନୀୟ ପୁରସ୍କାର ତାଙ୍କ ପିତା ଜଗନ୍ନାଥ ଆଚାର୍ଯ୍ୟ ରାଷ୍ଟ୍ରପତିଙ୍କ ହାତରୁ ଗ୍ରହଣ କରିଥିଲେ । 


ଆଜି ବି ମନେ ପଡେ

ମହାନ ବଳିଦାନର ଗାଥା

ନିଜ ଜୀବନର ବାଜି ଲଗାଇ

ସ୍ଵାର୍ଥର ମୂଲ୍ୟକୁ ପଛରେ ପକାଇ

ସାଜିଲ ମାଟି ମାଆର ବୀର ସନ୍ତାନ 

ରହିଗଲା ଯଶ ତୁମର ଯୁଗ ଯୁଗକୁ

ମନେ ପଡ ତୁମେ ଉତ୍କଳବାସୀଙ୍କୁ

ତୁମ ପାଦପଦ୍ମେ ପ୍ରଣତି କରନ୍ତି

ଆଜି ସମଗ୍ର ଦେଶବାସୀ !!!


୧୯୯୩ ମସିହାରେ ଆଚାର୍ଯ୍ୟ ଭାରତୀୟ ସେନାରେ ଯୋଗ ଦେଇ ଥିଲେ । ସେ ତାଙ୍କର ମିଲିଟାରୀ ଟ୍ରେନିଂ ମାଡ୍ରାସ ରେ ପୂରଣ କରି ସେକେଣ୍ଡ ଲେଫ୍ଟନେଣ୍ଟ କମ୍ପାଣ୍ଡର ଭାବେ ରାଜପୁତନା ରାଇଫଲସ ରେ ଯୋଗ ଦେଇଥିଲେ । ଭାରତୀୟ ସେନାରେ ଯୋଗ ଦେବା ବେଳେ ଇଣ୍ଟ୍ରଭ୍ୟୁ ରେ ପଚାରା ଯାଇଥିଲା ଆପଣ ଦେଶ ପାଇଁ କ'ଣ କରି ପାରିବେ ? ଉତ୍ତରରେ ଆଚାର୍ଯ୍ୟ କହିଥିଲେ, 

"ଦେଶ ପାଇଁ ବଳିଦାନ ଦେଇ ପରମ ବୀର ଚକ୍ର ଉପାଧି ହାସଲ କରିବା ମୋର ଏକମାତ୍ର ସ୍ଵପ୍ନ " ।


ଆଜି ୨୦ ବର୍ଷ ପରେ ତାଙ୍କ ଝିଅ ଅପରାଜିତା ଆଚାର୍ଯ୍ୟ ନିଜ ପିତାଙ୍କ ମୂଲ୍ୟ ବୋଧ ନେଇ ଏନ୍ସିସ୍ କ୍ୟାଡ଼ର ଅଛନ୍ତି । ଜେଜେ ଜଗନ୍ନାଥ ଆଚାର୍ଯ୍ୟ କହନ୍ତି ଧନ୍ୟବାଦ ଭାରତ ସରକାରଙ୍କୁ ବର୍ତ୍ତମାନ ମହିଳାମାନଙ୍କୁ ମଧ୍ୟ ଭାରତୀୟ ସ୍ଥଳ ସେନା ଓ ବାୟୁସେନାରେ ଅର୍ନ୍ତଭୁକ୍ତ କଲେଣି । ମୁଁ ମୋ ନାତୁଣୀକୁ ଭାରତୀୟ ସେନାରେ ପଠେଇ ଗର୍ବିତ ହେବି । ପଦ୍ମପାଣିଙ୍କ ବାପା ଜଗନ୍ନାଥ ଆଚାର୍ଯ୍ୟ ଜଣେ ଅବସରପ୍ରାପ୍ତ ବାୟୁସେନା ବିଭାଗ ର ଉଇଙ୍ଗ କମାଣ୍ଡର । ୧୯୬୫ ଓ ୧୯୭୧ ରେ ହେଇଥିବା ଭାରତ - ପାକ୍ିସ୍ତାନ ଯୁଦ୍ଧରେ ଜଗନ୍ନାଥ ଆଚାର୍ଯ୍ୟ ଲଢି ଥିଲେ । 


ବି.ଦ୍ର.:-


୧୯୯୯ ମେ ମାସରୁ ଜୁଲାଇ ମାସ ମଧ୍ୟରେ ହୋଇଥିବା କାର୍ଗିଲ ଯୁଦ୍ଧରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ଓଡ଼ିଆ ଯବାନମାନେ ହେଲେ :

ମେଜର ପଦ୍ମପାଣି ଆଚାର୍ଯ୍ୟ, ଡ୍ରାଇଭର ଗୋପିନାଥ ମହାରଣା, ଫ୍ଲାଇଟ ଇଞ୍ଜିନିଅର ରାଜ କିଶୋର ସାହୁ, ଲାନ୍ସ ନାଏକ ରାମ କୁମାର ପ୍ରଧାନ, ନାଏକ ସଚିଦାନନ୍ଦ ମଲ୍ଲିକ, ଲାନ୍ସ ନାଏକ ମାନସ ରଞ୍ଜନ ସାହୁ, ରାଇଫଲ ମ୍ୟାନ ଲିଙ୍କନ ପ୍ରଧାନ, ସର୍ଜଣ୍ଟ ରାଜ କିଶୋର ସାହୁ, ଶ୍ରୀନିବାସ ପାତ୍ର, ସିଗ୍ନାଲ ମ୍ୟାନ ରାଜନ ସାହୁ, ଗଙ୍ଗାରାମ ଦାସ, ବୁଧୁ ରାମ, ନିରଞ୍ଜନ।ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୨୬, ୧୯୯୯ ରେ ୬୦ ଦିନରୁ ଉର୍ଦ୍ଧ୍ବ ଦିନ ଚାଲିଥିବା ଯୁଦ୍ଧ ଶେଷ ହୋଇଥିଲା । ଭାରତୀୟ ସେନା ପାକ୍ିସ୍ତାନୀ ଅନୁପ୍ରବେଶକାରୀଙ୍କୁ କାର୍ଗିଲ, ଡ୍ରାସ, ଟୋଲଲିଙ୍ଗ, ବତାଲିକ ଓ ତୁର୍ତ୍ତକ ସେକ୍ଟରରୁ ଲାଇନ ଅଫ କଂଟ୍ରୋଲର ଅପର ପଟକୁ ହଟାଇ ଦେଇଥିଲେ।



Rate this content
Log in

Similar oriya story from Tragedy