STORYMIRROR

Swetapadma Padhi

Others

3  

Swetapadma Padhi

Others

ମୁରୁଡେଶ୍ୱର

ମୁରୁଡେଶ୍ୱର

4 mins
332

ଲେଖନୀ ମୋ ଅନ୍ତରଙ୍ଗ ମୁହୂର୍ତ୍ତର ସାଥି, ହେଲେ କ୍ୟାମେରା ମୋ ଜୀବନର ଅବିଚ୍ଛିନ୍ନ ଅଙ୍ଗ। ବିଭିନ୍ନ ସ୍ଥାନ ଭ୍ରମଣ କରି ସୁନ୍ଦର ସୁନ୍ଦର ମୁହୂର୍ତ୍ତ ଓ ସ୍ଥାନଗୁଡିକର ବିଶେଷତାକୁ ମୋ କ୍ୟାମେରାରେ ବାନ୍ଧି ରଖିବା ମୋର ପିଲାଦିନର ସଉକ। ପ୍ରତିବର୍ଷ ଜୀବନ ଜଞ୍ଜାଳରୁ କିଛି ମୁହୂର୍ତ୍ତ ନିଜ ପାଇଁ କାଢି ମୁଁ ନୂଆ ସ୍ଥାନ ଭ୍ରମଣ କରିଥାଏ । ଏମିତି ଏକ ମନୋରମ ଆଉ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନ ମୁରୁଡେଶ୍ୱର, କର୍ଣ୍ଣାଟକ ।


ମୁରୁଡେଶ୍ୱର ସମଗ୍ର ଧରାଭୂମିର ଦ୍ୱିତୀୟ ସର୍ବୋଚ୍ଚ ଉଚ୍ଚତା ବିଶିଷ୍ଟ ଶିବ ମନ୍ଦିର । ଏହି ଅପୂର୍ବ ସୌନ୍ଦର୍ଯ୍ୟ ମନ୍ଦିର ଆରବ ମହାସାଗର କୂଳରେ ସ୍ଥିତ କର୍ଣ୍ଣାଟକ ରାଜ୍ୟର ଉତ୍ତର କନ୍ନଡ ଜିଲ୍ଲାର ଭଟ୍ଟକଲ୍ ଗ୍ରାମ ପଞ୍ଚାୟତରେ ଅବସ୍ଥିତ ।


ଯେହେତୁ ମୁଁ ପୁନେରେ ରୁହେ । ତେଣୁ ମୁଁ ଓ ମୋ ସ୍ୱାମୀ କାର ଚଲେଇ ଆମ ଯାତ୍ରା ଆରମ୍ଭ କଲୁ । ପୁନେରୁ ଆମେ କୋହ୍ଲାପୁର ଦେଇ କର୍ଣ୍ଣାଟକ ମଧ୍ୟରେ ପ୍ରବେଶ କଲୁ । ଆଠ ସହ କିଲୋମିଟର ଯାତ୍ରା କରି ଆମେ ପହଞ୍ଚିଲୁ କର୍ଣ୍ଣାଟକର ବେଲଗାଁମ ଛୋଟିଆ ଟାଉନରେ । ଛୋଟ ହେଲେ ମଧ୍ୟ ଟାଉନଟି ବହୁତ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । ଆମେ ବେଲଗାଁମ ପାଖ କିଲ୍ଲା ହ୍ରଦକୁ ଲାଗି ଥିବା ରିସୋର୍ଟରେ ରାତିରେ ରହିଲୁ । 


ତା'ପର ଦିନ ସକାଳୁ ପୁଣି ଯାତ୍ରା ଆରମ୍ଭ କଲୁ । ବେଲଗାଁମରୁ କୋର୍ଲା ଘାଟି ଦେଇ ତିନି ଜାଗାକୁ ଯାଇ ହେବ । ଘାଟି ସରିବା ପୂର୍ବରୁ ପାହାଡ଼ ଜଙ୍ଗଲ ଦେଇ ମଝିରେ ଗୋଟେ ରାସ୍ତା ଯାଇଛି ସେଟା ସିଧା ଯାଇ ପହଞ୍ଚିବ କର୍ଣ୍ଣାଟକ ରାଜ୍ୟର ହୋବନାର୍ ଜିଲ୍ଲାର ଜଗ୍ ଜଳପ୍ରପାତ । ଆମ ଦେଶର ଦ୍ୱିତୀୟ ସର୍ବୋଚ୍ଚ ଉଚ୍ଚତା ବିଶିଷ୍ଟ ଜଳପ୍ରପାତ । ବର୍ଷ ଯାକ ସେଥିରେ ପାଣି ଝରେ ହେଲେ ବର୍ଷା ଦିନେ ଏତେ ପାଣି ଥାଏ ଦେଖିଲା ଲୋକ କହନ୍ତି ବିଶ୍ୱର ନାଏଗ୍ରା ଜଳପ୍ରପାତ ଭଳି ସୁନ୍ଦର ଦିଶେ ।


ଘାଟି ପାର ହେଇ ତଳକୁ ଖସିଲେ ଗୋଟେ ଦୋଛକି ଆସେ । ସେଠି ବାମ ପଟେ ଗଲେ ମୁରୁଡେଶ୍ୱର ଆଉ ଡାହାଣ ପଟେ ଗଲେ ଗୋକର୍ଣ୍ଣା ସମୁଦ୍ର କୂଳ ଦେଇ ଗୋଆ ଯାଇ ହୁଏ । ଆମର ଗୋଆ ଯିବାର ନ ଥିଲା ଅଗତ୍ୟା ଆମେ ବାମ ପଟ ରାସ୍ତା ଧରି ଦି ଘଣ୍ଟା ମଧ୍ୟରେ ମୁରୁଡେଶ୍ୱର ସ୍ଥାନରେ ପହଞ୍ଚି ସାରିଥିଲୁ । ହେଲେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହେଇ ସାରିଥିଲା ଆଉ ବହୁତ ଥକି ପଡିଥିଲୁ ତେଣୁ ରାତିଟା ହୋଟେଲରେ ବିଶ୍ରାମ କରି କଟେଇ ଦେଲୁ ।


ବିନା ଚାହା କପରେ ମୋ ସକାଳ ଆରମ୍ଭ ହୁଏନି । ତେଣୁ ଚାହା କପଟି ଧରି ବାଲକୋନୀକୁ ଗଲି ଯାହା ଦେଖିଲି ମୋ ଚାହା ପିଇବା କଥା ମଧ୍ୟ ଭୁଲି ଗଲି । ସୂର୍ଯ୍ୟର ପହିଲି କିରଣରେ ସେ ସୁଉଚ୍ଚ ଅଟ୍ଟାଳିକା ପରି ବିଦ୍ୟମାନ ମୁରୁଡେଶ୍ୱର ମନ୍ଦିରର ଫାଟକ । କି ଅପୂର୍ବ ମନୋହର ଦୃଶ୍ୟ । ୨୦ ମହଲା ବିଶିଷ୍ଟ ଗର୍ଭ ଗୃହ ୨୪୯ ଫୁଟର ମନ୍ଦିର ତୋରଣ ଫାଟକ ରୂପେ ନିର୍ମିତ । ତା' ପଛ ଆଡ଼ୁ ଦୂରରେ ଦିଶୁଥାଏ ପାଉଁଶ ରଙ୍ଗରେ ନିର୍ମିତ ମହାକାଳ ଶିବଙ୍କ ୧୨୩ ଫୁଟ୍ ଉଚ୍ଚତା ମୂର୍ତ୍ତି । ଆଉ ମୋ ମନ ପବନ ଡେଣାକି ବୋଲ ମାନେ ଜଲଦି ଜଲଦି ପ୍ରସ୍ତୁତ ହେଇ ବାହାରି ପଡ଼ିଲୁ ମନ୍ଦିରର ଅପୂର୍ବ ସୌନ୍ଦର୍ଯ୍ୟକୁ ମୋ ଆଖି ଝରକା ଦେଇ ମନ ଭରି ଦେଖିବାକୁ ଆଉ ମୋ କ୍ୟାମେରାରେ ବାନ୍ଧିବାକୁ ।


ମନ୍ଦିର ତୋରଣଟି ଉଚ୍ଚ ଅଟ୍ଟାଳିକା ସଦୃଶ ୨୦ ମହଲା ବିଶିଷ୍ଟ ନିର୍ମିତ । ସାମ୍ନାରେ ଦୁଇ ପଟେ ଦିଟା ପାହାଡ଼ ପରି ବଡ଼ ବଡ଼ ଦୁଇଟି ସୁସଜ୍ଜିତ ହସ୍ତୀର ମୂର୍ତ୍ତି ମନ୍ଦିରର ଶୋଭାକୁ ଦ୍ୱିଗୁଣିତ କରୁଥାନ୍ତି । ପଚାଶଟା ପାହାଚ ଚଢ଼ିଲା ପରେ ଭୋଳାନାଥ ଶିବଙ୍କ ମୂର୍ତ୍ତି ।ପାଦ ତଳୁ ଥାଇ ମୁଣ୍ଡ ଟେକି ଅନେଇଲେ ଲାଗେ ଯେମିତ ପାହାଡ଼ ତଳେ ଛିଡ଼ା ହେଇ ଶିଖରକୁ ଦେଖିବା । ତୋରଣଟିରେ ସବୁ ମହଲା ପରିଦର୍ଶନ ନିଷେଧ କିନ୍ତୁ ଏତେ ଉଚ୍ଚା ହେଇଥିବାରୁ ଲିଫ୍ଟର ବ୍ୟବସ୍ଥା କରାଯାଇଛି । ଲିଫ୍ଟରେ ୨୦/୨୫ ଜଣ ଭଲରେ ଯାଇ ପାରିବେ । ପନ୍ଦର ମିନିଟ୍ ମଧ୍ୟରେ ଲିଫ୍ଟ ନେଇ ଶେଷ ମହଲାରେ ପହଞ୍ଚେଇ ଦେବ । ଯାତ୍ରୀମାନଙ୍କୁ ବିପଦରୁ ଦୂରେଇ ରଖିବା ପାଇଁ ଏତେ ଉପରେ ଖୋଲା ଛାତରେ ପ୍ରବେଶ ନିଷେଧ । ତେଣୁ ଶେଷ ମହଲାରେ ପ୍ରବେଶ ଅନୁମତି ଅଛି । ସେଠି କାଚ ଓ ଲୁହା ଝରକା ଦିଆଯାଇଛି । 


ଏତେ ଉପରୁ ତିନୋଟି ସୌନ୍ଦର୍ଯ୍ୟର ଦୃଶ୍ୟ ଅବର୍ଣ୍ଣନୀୟ । ବିଶାଳ ଆରବ ମହାସାଗର କୂଳ, ଏତେ ଉଚ୍ଚତା ବିଶିଷ୍ଟ ଶିବ ମୂର୍ତ୍ତି ଗଗନଶ୍ଚୁମ୍ଭୀ ତୋରଣ । ମୋ ପାଖରେ ଭାଷା ନାହିଁ ବର୍ଣ୍ଣନା କରିବାକୁ । ମୋ ଜୀବନରେ ପ୍ରଥମ ଥର ପାଇଁ ଏତେ ଉପରୁ ମୁଁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥାଏ ।

ସେହି ମହଲାର ଚାରି ଦିଗରେ ଚାରିଟା ଝରକା । ସେ ଝରକାରୁ ସେ ଦୁନିଆଁ ଏତେ ସୁନ୍ଦର ସେ ସ୍ଥାନ ଛାଡି ଯିବାକୁ ମନ ହେବନି ।


ସେଠି ଜଣେ ବୃଦ୍ଧ ଦମ୍ପତ୍ତି ବୁଲିବାକୁ ଆସିଥିଲେ । ସାଙ୍ଗରେ ଆଉ କେହି ନାହାଁନ୍ତି । ମୋତେ ସେମାନେ କେତେ ବେଳୁ ଦେଖୁଥିଲେ । ମୁଁ କେମିତି ସବୁ ଝରକାରୁ ବିଭିନ୍ନ କୋଣରୁ ମୋ କ୍ୟାମେରାରେ ପ୍ରଚ୍ଛଦପଟ୍ଟ ନେଉଥାଏ । କିଛି ସମୟ ପରେ ପାଖକୁ ଆସି ମୋତେ ତାଙ୍କ କ୍ୟାମେରା ଆଉ ମୋବାଇଲରୁ ସେମାନଙ୍କ ଫୋଟୋ ନେବାକୁ କହିଲେ । ମୁଁ ଖୁସିରେ ଖୁସିରେ ଫୋଟୋ ନେଇ ଗଲି । ମୋବାଇଲରେ ମୁଁ ନେଇ ଥିବା ଫୋଟୋ ଦେଖି କହିଲେ ବହୁତ୍ ସୁନ୍ଦର ଫୋଟୋ ନେଉଛ । ଆମ ଝିଅ ଏଇ ଫୋଟୋ ଦେଖିଲେ ବହୁତ ଖୁସି ହେଇ ଯିବ । ମୋତେ ଧନ୍ୟବାଦ ଜଣେଇ ସେମାନେ ଚାଲିଗଲେ । ହେଲେ କିଛି ସେକେଣ୍ଡ ପରେ ବୃଦ୍ଧ ଦମ୍ପତିରୁ ସ୍ତ୍ରୀ ଜଣଙ୍କ ଆସି କହିଲେ ଫୋଟୋ ନେଲା ପରେ ନିଜ ସ୍ୱାମୀଙ୍କ ସହ ମିଶି ବିନା କ୍ୟାମେରାରେ ଚୁପ୍ ଚାପ ଏ ସୌନ୍ଦର୍ଯ୍ୟକୁ ନିଜ ଆଖି ଓ ମୋ ମନ ଭିତରେ ବାନ୍ଧି ଦିଅ । ପରେ ଜୀବନରେ ଏ ସ୍ଥାନକୁ ସ୍ମୃତି ବୋଲି ମନେ ପକେଇ ଫୋଟୋରେ ଦେଖି ପାରିବ ହେଲେ ଦିହେଁ ଦି ଜଣଙ୍କ ସହିତ ଶିଖରର ଏତେ ଉପରେ ଥାଇ ଏଇ ମନଭରା ଦୃଶ୍ୟକୁ ମନଭରି ଦେଖିଲେ ମାନସପଟ୍ଟରେ ଏମିତି ଛାପି ଯିବ ଯେ ତମେ କେବେ ଭୁଲି ପାରିବନି ।

ସତରେ ସେ ମୁହୂର୍ତ୍ତ ମନେ ପଡିଲେ ଏବେ ବି ଏମିତି ଲାଗେ ଯେମିତି ମୁଁ ମୋ ସ୍ୱାମୀଙ୍କ ସହିତ ଏବେ ବି ସେ ଶିଖରରେ ଛିଡା ହେଇଛି । ସେଦିନ ସେ ବୃଦ୍ଧ ଦମ୍ପତିଙ୍କ କଥା ମୋ ମନକୁ ଏତେ ପାଇଗଲା ଯେ ଏବେ ବି କୋଉଠି ବୁଲି ଗଲେ ଆଗ ମନ ଭରି ସ୍ୱଚକ୍ଷୁରେ ସ୍ଥାନଟିକୁ ଉପଭୋଗ କରିଦିଏ । ତାପରେ ମୋ କ୍ୟାମେରାରେରେ ବାନ୍ଧି ରଖେ ।



Rate this content
Log in