STORYMIRROR

Swetapadma Padhi

Comedy Others

3  

Swetapadma Padhi

Comedy Others

ତୀବ୍ର ଗନ୍ଧ

ତୀବ୍ର ଗନ୍ଧ

2 mins
324


ମୁଁ ଓ ମୋର ସ୍ବାମୀ କର୍ମକ୍ଷେତ୍ର ବାହାରେ ବୋଲି ପ୍ରାୟତଃ ଦୁର୍ଗାପୂଜା ଛୁଟି ବେଳେ ଘରକୁ ଯାଉ । ସେ ବର୍ଷ ମଧ୍ୟ ଆମେ ଯାଇଥିଲୁ । ସେତେବେଳକୁ ମୋ ବାହାଘର ୨ ବର୍ଷ ହେଇଗଲାଣି । ସେଇ ବର୍ଷ ମାଉସୀ ଶାଶୁଙ୍କ ସାନ ପୁଅ ଦିଅର ହିସାବ ହେବ ବାହା ହେଇଥାଏ । ସେ ଓ ତା' ସ୍ତ୍ରୀ ଦୁର୍ଗାପୂଜାରେ ଭୁବନେଶ୍ୱର ଆସିଥିଲେ ଆମ ଘରକୁ । ଏମିତି ତ ପର୍ବପର୍ବାଣୀ ହେଲେ ଆମ ଓଡ଼ିଆ ଘର ନାନା ପ୍ରକାରର ପିଠା ମିଠା ରେ ଭାସେ ସେଥିରେ ପୁଣି ନୂଆ ବାହା ହେଇଥିବା ଅତିଥି ଆସିଗଲେ ସକାଳୁ ସନ୍ଧ୍ୟା ଭୂରି ଭୋଜନ ଚାଲେ । ତେଣୁ ପୂଜାର ଜୋରସୋରରେ ଖିଆପିଆ ବି ଧୂମ୍ ଚାଲିଥାଏ ।


ଖରା ବେଳେ ଶୋଇ ପଡ଼ିଥାଉ ସବୁ । ସେତେବେଳେ ଏ.ସି. ଗୋଟେ ରୁମ୍ ରେ ଲାଗିଥାଏ । ଗରମକୁ ସବୁ ଗୋଟିଏ ରୁମ୍ ରେ ଖୁନ୍ଦାଖୁନ୍ଦି ହେଇ ଶୋଇଥାନ୍ତି । ହଠାତ୍ ଅପରାହ୍ନ ୪ଟା ବେଳକୁ ଏକ ତୀବ୍ର ଗନ୍ଧ ରେ ଚମକି ହେଇ ମୋ ନିଦ ଭାଙ୍ଗିଗଲା । ମୋର ଗୋଟେ ପଟେ ନଣନ୍ଦ ଶୋଇଥାଏ ଆରପଟକୁ ମୋ ସ୍ବାମୀ । ନଣନ୍ଦ କୁ ପଚାରିଲେ ଖରାପ ଭାବିବ କାଳେ ମୁଁ ଅଧା ନିଦରେ ଚିଡି ଯାଇ କହିଲି, କି ଲୋକ କିଓ ତୁମେ, ଏମିତି ସମସ୍ତଙ୍କ ସାମ୍ନାରେ , ବାଥରୁମ୍ ଯାଇକି ଛାଡି ଥିଲେ ହେଇ ନ ଥାନ୍ତା । ସ୍ବାମୀ ଚିଡି ଯାଇ କହିଲେ, କ'ଣ ଯାହା ହେଲେ ସବୁ ମୋର ଦୋଷ ? 


ଠିକ୍ ସେତିକି ବେଳେ ଆରପଟ କାନ୍ଥ ପାଖରୁ ବୋମା ଫାଟିଲା ଭଳିଆ ଶଦ୍ଦ ହେଲା ଯେ ମୋ ଭଣଜା ଠୋ ଠୋ ହେଇ ହସି ଦେଇ କହିଲା, ମାଈଁ ଚୋର ଆଉ କିଏ ମ.... ମାମୁଁ ନୁହଁ ! ମୋ ନଣନ୍ଦ ସେଠୁ ଦିଅର ନାଁ ନେଇ କହିଲେ, ତୁ ହେଇ ଥିବୁ ନିଶ୍ଚିତ....ମଟନ୍ ଝୋଳ ଆଉ ଚର୍ବି ଦେଖିଲେ ତୋ ପାଟି ବୋଲ ମାନେନି ! .....ଦିଅର ଚିଡି ଯାଇ କହିଲେ, ହେ କାଇଁ ଗୋଟେ ସବୁ ନିଜ ନିଜ ଭିତରେ କହି ହେଉଛ.....ଅସଲ ଦୋଷୀ ମୋରି ପାଖରେ ଶୋଇଛି ! ମୋତେ ସେତେବେଳକୁ ଜୋରରେ ହସ ମାଡିଲାଣି । ମାଉସୀ ଶାଶୁଙ୍କ ବୋହୂ କହୁଛି, ନାନୀ ଏଇଟା ୟାଙ୍କରି କାମ ... ସେତିକି ବେଳେ ମାଉସୀ ପୁଅ ଦିଅର ପାନଖିଆ ଦାନ୍ତ ଦେଖେଇ କହୁଛନ୍ତି, ଉଁ .....ବେଶୀ କଥା କହିଲଣି .....ମୋ ପାଟି ମୋ ଇଚ୍ଛା ମୁଁ ଉଦରସ୍ଥ ଯାଏଁ ଖାଇଲି ... ତମର କ'ଣ ଗଲା ...ପୁଣି ଏଇ ସାମାନ୍ୟ ଜୈବିକ ବାୟୁ ରେ ଅତିଷ୍ଠ ହେଇ ଯାଉଛ ? 

....ଏଇଟା ଆତ୍ମତୃପ୍ତିର ବାସ୍ନା... ଏ.ସି. ର ଶୀତଳତା ରେ ଟିକେ ବେଶୀ ହେଉଛି ....

ମାଉସୀ ଶାଶୁଙ୍କ ବୋହୂ ଚିଡି ଯାଇ କହିଲ, ହଁ ମ... ତିନି ଦିନ ହେଲାଣି ଘରେ ଏତେ ଜିନିଷ ରନ୍ଧା ହେଉଛି ; ତଥାପି ମେଢ଼ ବୁଲିବାକୁ ଯାଇ ଦିନବେଳା ପକୁଡ଼ି ପୁଣି ଚାଟ୍ ଖାଇଲେ ପେଟ ଅବସ୍ଥା ଆଉ କ'ଣ ହେବ ସେଥିରେ ପୁଣି ଏ.ସି. ରୁମ୍ ତୀବ୍ର ଦୁର୍ଗନ୍ଧ ବାଷ୍ପ ରୁଦ୍ଧ ହେବନି ? ହୋ ହୋ ହେଇ ସବୁ ହସି ହସି ଗଡି ଗଲୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy