Swetapadma Padhi

Tragedy Inspirational

3  

Swetapadma Padhi

Tragedy Inspirational

ବାସହୀନ କାଶତଣ୍ଡୀ

ବାସହୀନ କାଶତଣ୍ଡୀ

5 mins
208



ଦଶହରା ପୂଜା ସମୟ । ଚାରିଆଡେ ମାଆଙ୍କ ପୂଜାର୍ଚ୍ଚନା, ପ୍ରକୃତି ବି ମାଆଙ୍କ ସ୍ୱାଗତରେ ବିଲ ବଣରୁ ନଈପଠା ଯାଏଁ କାଶତଣ୍ଡୀ ଫୁଲର ଚଦର ବିଛେଇ ଦେଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଦିଗନ୍ତ ବିସ୍ତାରି ଧବଳ ସମ୍ଭାର ମନ୍ତ୍ରମୁଗ୍ଧ କରୁଛି । ଶରତର ସୁଲୁ ସୁଲୁ ଶୀତଳ ପବନ ତାଳେ ତାଳେ କାଶତଣ୍ଡୀ ଦୋଳି ହସି ଖେଳୁଛି ।

ଆସ୍ଥା ପଢ଼ୁଛୁ ନା ଖେଳୁଚୁ ଲୋ .....

ବାଡ଼ିପଟେ ଫୁଲ ଗଛର ଚାରା ଲଗଉ ଲଗଉ ବଡ଼ ପାଟିରେ ଡାକ ପକାଇଲା ଆସ୍ଥାର ମମି ଆଦ୍ୟା । ଆଉ ଥରେ ଡାକ ଛାଡିଲା, ଆଲୋ ପଢ଼ୁଛୁ ଟି । ହଁ ହଁ ମମି ....

ଆସ୍ଥାର ବାପା ଆର୍ମିରେ କାମ କରନ୍ତି। ଜାମ୍ମୁ କାଶ୍ମୀରରେ ପୋଷ୍ଟିଙ୍ଗ ଏବେ । ବେଳେ ବେଳେ ଵରଷକୁ ଥରେ ବି ଛୁଟି ନେଇ ଆସି ପାରନ୍ତି ନାହିଁ । ଆଦ୍ୟା ଘର କଥା, ବୁଢ଼ୀ ଶାଶୁ କଥା ଓ ଝିଅ ଆସ୍ଥାର ପାଠପଢ଼ା କଥା ସବୁ ବୁଝେ । ଯେତେ ମନ ଖରାପ ହେଲେ ବି ଆଖିରୁ ଲୁହ ପୋଛି ଦେଇ ସବୁ କିଛି ବୁଝାବୁଝି କରେ ଆଦ୍ୟା । ଝିଅ ଛୁଆକୁ ବୁଢ଼ୀ ଶାଶୁ ଛଡ଼ା କାହା ପାଖରେ ଛାଡି କି ଯାଏନି ! ପାଖ ନର୍ସରୀ ସ୍କୁଲରେ ଛୋଟ ଛୋଟ ପିଲାଙ୍କୁ ପାଠ ପଢାଏ । ସ୍ୱାମୀ ଅନୁପସ୍ଥିତିରେ ଦେହ ଓ ମନ ଭାଙ୍ଗି ପଡି ଯାଉଥିଲେ ବି ଆସ୍ଥାର ପଢାପଢି ଆଉ ଘର ଦାୟିତ୍ୱ ଭାବି ଆଖିରେ ଆଖିଏ ସ୍ୱପ୍ନ ନେଇ ଘରୁ ବାହାରକୁ ପାଦ କାଢି ଥିଲା । ସ୍ୱାମୀ ଅନୁପସ୍ଥିତିରେ ଚଳିବା କେତେ କଷ୍ଟକର ସେ ଭଲ ଭାବରେ ଜାଣିଛି । ଚାରିଆଡ଼େ ଖାଲି ଶାଗୁଣା ଚିଲ ଆଖି । ଟିକିଏ ନିରୋଳା ପାଇଲେ ଥଟ୍ଟା କରିବାକୁ ଆଗେଇ ଆସନ୍ତି ଛକରେ ଖଟି କରୁଥିବା ବଦମାସ୍ ଟୋକା ଦଳ । ହେଲେ ଆଦ୍ୟାର ସେ ଗମ୍ଭୀର ମୁହଁକୁ ଦେଖି କିଛି କହି ପାରନ୍ତିନି । ଶାଶୁ ତା'ର ଭାରି ଭଲ ମଣିଷଟିଏ । ସାଇ ପଡ଼ିଶାର ଏ ବଦମାସ ଟୋକାମାନଙ୍କ ଗୁଣ ଜାଣିକି ସବୁବେଳେ ଗୋଡେ ଗୋଡେ ଜଗିଥାନ୍ତି ଆଦ୍ୟା ଆଉ ଆସ୍ଥାକୁ । ଭଲ ଦିନମାନଙ୍କରେ, ପୂଜା ପର୍ବରେ ତା' ପାଇଁ ଓ ଆସ୍ଥା ପାଇଁ ସୁଆଦିଆ ଖାଇବା ବନାନ୍ତି ।

ପାଖ ଘରେ ଶରତ ବୋଲି ଟୋକା ଟେ ରହେ । ଭାଉଜ ଭାଉଜ ହେଇ ସବୁ ବେଳେ ଯିବା ଆସିବା । ଆଦ୍ୟାର ଶାଶୁଙ୍କୁ ଶରତ ଜମା ପସନ୍ଦ ନୁହଁ । ଆଦ୍ୟାକୁ କିଛି ସେମିତି ଅନୁଭୂତ ହୁଏ ନାହିଁ କିନ୍ତୁ ଶାଶୁଙ୍କ କଥା ହେଜରେ ରଖି ଥାଏ । ଆସ୍ଥା ବଡ଼ ହେଲା ଦିନରୁ ତାର ବହୁତ ଚିନ୍ତା ବଢି ଯାଇଛି । କଞ୍ଚା ବୟସରେ ସ୍ୱାମୀ ଅନୁପସ୍ଥିତିରେ ଏ ମଣିଷ ରାକ୍ଷସଙ୍କ କବଳରୁ ନିଜକୁ କେମିତି ସିଏ ବଞ୍ଚେଇଛି ସିଏ ଜାଣିଚି । କିନ୍ତୁ ଆସ୍ଥା ତ ଛ' ବର୍ଷର ଛୁଆଟିଏ । ସ୍କୁଲରୁ ଆଣିବାକୁ ଆଉ ଛାଡ଼ିବାକୁ ଗଲାବେଳେ ଶାଶୁ ଦେଖିଛନ୍ତି କେମିତି ଭୋକିଲା କୁକୁର ପରି ସେ ଵାଜେ ଟୋକାଗୁଡ଼ା ଛକରେ ଠିଆ ହୋଇ କମେଣ୍ଟ ମାରୁଥାନ୍ତି । ଆସ୍ଥା ସେ ସବୁ କିଛି ବୁଝି ପାରେନି । ଡେଇଁ ଡେଇଁ ଖୁସିରେ ତା ଜେଜେ ସାଙ୍ଗରେ ଗପିଗପି ଚାଲିଥାଏ । ହେଲେ ଆଦ୍ୟା ଶାଶୁର ଆଖି ଚାରିଆଡ଼େ ବୁଲୁଥାଏ , ସତେ ଯେମିତି ଗୋଟେ ବଳୟ କରି ସିଏ ତାଙ୍କ ନାତୁଣୀକୁ ସ୍କୁଲକୁ ନେବା ଆଣିବା କରନ୍ତି । ଶାଶୁଙ୍କ ଠାରୁ ସବୁ ଜାଣିଲା ପରେ ଝିଅ ସହିତ ଗପ ଆଳରେ ବିଭିନ୍ନ କଥା ଆଦ୍ୟା ଜଣାଏ । କାହାକୁ ଦେହରେ ହାତ ଲଗେଇ ଦେବୁନି, ଅଜଣା ଲୋକ ସହିତ କଥା ହେବୁନି ଓ ଏକୁଟିଆ କୁଆଡେ ବି ଯିବୁନି ଏମିତି କେତେ କଣ ! କୋମଳମତୀ ନିଷ୍ପାପ ଛୁଆଟିଏ ଦୁନିଆ ବିଷୟରେ କିଛି ବି ଜାଣିନି । ତା ମୁଣ୍ଡରେ ଏତେ ସବୁ କଥା ପୁରେଇବାକୁ ଭଲ ଲାଗେନି ତାକୁ, ତଥାପି କେମିତି ଏତେ ବଡ଼ ଦୁନିଆରେ ତାକୁ ସୁରକ୍ଷିତ କରି ରଖିବ ସେଇ ଚିନ୍ତାରେ ସେ ବ୍ୟସ୍ତ ହୋଇ ପଡେ ।

ଅନାବନା କେତେ କଥା ଭାବୁ ଭାବୁ ପୁଣି ଥରେ ପାଟି କଲା ଆଦ୍ୟା, ରହ ମୁଁ ଯାଇ ଦେଖୁଛି ତୁ କ'ଣ ପଢୁଛୁ ? 

ଘର ଭିତରୁ କିଛି ଉତ୍ତର ଆସିଲାନି । ମୁରୁକି ହସି ଆଦ୍ୟା ଘର ଭିତରକୁ ଆସି ରୋଷେଇ କଲା । ଆଜି ମହାଷ୍ଟମୀ ଦୁର୍ଗାପୂଜା ସକାଳୁ ଭୋରରୁ ଉଠି ଗାଧୋଇ ପାଧୋଇ ବ୍ରତ ରଖିଛି ଆଦ୍ୟା । ପାଖ ଶରତଙ୍କ ଘରେ ନବରାତ୍ରି କରୁଛନ୍ତି ଆଜି ବଡ଼ ପୂଜା କରିବେ । ପୂଜାରେ ଆସିବ ବୋଲି କହି ଯାଇଛନ୍ତି ଶରତ ବୋଉ । ଆଉ ଏଇଠି ପ୍ରସାଦ ଖାଇକି ଯିବ ।

ସକାଳୁ ଆସ୍ଥା ପଚାରୁ ଥାଏ ଜେଜେ ଦୁର୍ଗା ମାଆ କିଏ ? ଜେଜେ କହୁଥିଲା, ପୁରାଣ ଯୁଗରେ ଗୋଟେ ଦୁଷ୍ଟ ଭୟଙ୍କର ଦାନବ ଥିଲା, ତା ନା ମହିଷାସୁର । ତାକୁ କେହି ମାରି ପାରୁ ନ ଥିଲେ । ସେଥିପାଇଁ ଦେବତାମାନେ ମିଶି ମାଆ ଦୁର୍ଗାଙ୍କୁ ପୂଜା କରି ଆବାହନ କଲେ । ମାଆ ଦୁର୍ଗା ଆବିର୍ଭାବ ହେଲେ । ତାପରେ ବିଷ୍ଣୁ ଠାକୁର, ଶିବ ଠାକୁର ଆଉ ଯେତେ ଦେବା ଦେବୀ ଥିଲେ ସମସ୍ତେ ମିଶି ମାଆ ଦୁର୍ଗାଙ୍କୁ ଅସ୍ତ୍ରଶସ୍ତ୍ର ଦେଇ ତାଙ୍କୁ ଶକ୍ତିଶାଳୀ କଲେ । ମାଆ ଦୁର୍ଗା ମହିଷାସୁର ସହିତ ଯୁଦ୍ଧ କରି ତାକୁ ମାରିଦେଲେ । ସେଥିପାଇଁ ଆଜି ଦିନରେ ତାଙ୍କ ପୂଜା କରାଯାଏ । ସକାଳୁ ଏତେ ବଲର ବଲର ହେଉଥିଲା ହେଲେ ଏଇନା ଆସ୍ଥାର ପାଟି ଜମା ଶୁଭୁନି । ରୋଷେଇ ଘରୁ ବାହାରି ବେଡ଼ ରୁମରେ ଦେଖିଲା, ଚାରି ଆଡେ଼ ଆଖି ବୁଲେଇ ଦେଲା ଆସ୍ଥା ହେଲେ ଆଦ୍ୟା କୋଉଠି ନାହିଁ ! ଯାଇକି ଶାଶୁଙ୍କୁ ନିଦରୁ ଉଠେଇ ପଚାରିଲା । ଶାଶୁଙ୍କ ମନରେ ଛନକା ପଶିଲା । ଶାଶୁ କହିଲେ, ଇଲୋ ଇଲୋ ଆଉ ଟିକେ ଆଗରୁ ସେ ଶରତ ଆସି ତାକୁ ଡାକୁ ଥିଲା ତାଙ୍କ ଘରକୁ ପଛରେ ତୋ ସାଙ୍ଗରେ ଯିବ କହି ମୁଁ ମନା କରି ଦେଇଥିଲି । ତାଙ୍କ ଘରକୁ ପଳେଇଲାନି ତ ଆଉ !

ଶରତ ଘରେ ବହୁତ ଜାକଜମକରେ ପୂଜାବିଧି ଚାଲିଥାଏ, ଘରେ ଲୋକ ଗତାଗତ । ମାଆଙ୍କ ସ୍ୱାଗତରେ ଶଙ୍ଖ ଘଣ୍ଟ ହୁଳହୁଳି ହେଉଛି । ରଙ୍ଗବେରଙ୍ଗ ଫୁଲ ଓ ଆଲୋକରେ ଘର ଝଲସି ଯାଉଛି । ଆଦ୍ୟା ଯାଇ ପୁରା ଘରଟାଯାକ ଦେଖିଲା ହେଲେ ଆସ୍ଥାକୁ ପାଇଲାନି । ବୋଧହୁଏ ବାଡ଼ିପଟେ ଛୁଆଙ୍କ ସହିତ ଖେଳୁଥିବ ଭାବି ଆସ୍ଥା....ଆସ୍ଥା.... ଡାକିଡାକି ବାଡ଼ିପଟକୁ ଗଲା । ନା ଏଠି ବି ନାହିଁ । କୁଆଡେ ଗଲା ? ମନଟା ଟିକେ ଦବିଗଲା ଆଦ୍ୟାର । ଶାଶୁ ବ୍ୟସ୍ତ ବିବ୍ରତ ହେଇ କହି ପକେଇଲେ ଶରତ କାହିଁ, ସେ ବାଡିପଡା ଜାଣିଥିବ ମୋ ଛୁଆଟା କାହିଁ ! ଶରତ ବୋଉ ରାଗି ଯାଇ କହିଲେ, ଆସ୍ଥା ଏଇଠି ଥିଲା ତ, ଯିବ କୁଆଡେ ? ଆଉ ମୋ ପୁଅକୁ କାହିଁକି ଏମିତି କହୁଛ ?

ଶାଶୁ ଆଉ ଶରତ ବୋଉର ଝଗଡା ଆରମ୍ଭ ହେଇଗଲା । ମନକୁ ପାପ ଛୁଇଁଲା ଆଦ୍ୟାର । ତରତର ହୋଇ ପାଟିକରି ଆସ୍ଥା...ଆସ୍ଥା... ଡାକି ଡାକି ବାଡି ପଛପଟେ କ୍ଷେତ ଆଡ଼କୁ ଦୈାଡିଲା । ତା' ପାଟିଶୁଣି ଶାଶୁ, ଶରତ ବୋଉ ଓ କିଛି ଲୋକେ ମଧ୍ୟ ତା' ପଛେ ପଛେ ଧାଇଁଲେ । ଆଦ୍ୟା ସେମିତି ଧଇଁ ସଇଁ ହୋଇ ଦୌଡ଼ି ଦୌଡ଼ି ଯାଇ ପହଁଚିଲା ମାଳମାଳ ଫୁଟିଥିଵା ବାସହୀନ କାଶତଣ୍ଡୀ ପାଖରେ । ଧାଇଁ ଯାଇ ପଶିଗଲା ଆଦ୍ୟା । ଗୋଟେ କଣକୁ ତଳେ ପଡି ଛାଟିପିଟି ହୋଉଛି ଆସ୍ଥା । ଜାମା ପଟା ଛିଣ୍ଡି ଯାଇଛି, କେଶ ଅସ୍ତବ୍ୟସ୍ତ । ଶରତ ହାତରେ ତା' ପାଟିଟାକୁ ଚାପି ଦେଇ ତା ସାଙ୍ଗରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥାଏ । ପାଖରେ ପଡିଥିବା ଧାନକଟା କଟୁରୀ ଉପରେ ନଜର ଗଲା ଆଦ୍ୟାର । ଅତ୍ୟଧିକ ରାଗ ଜରଜରରେ ଶରତ ଉପରେ ଆକ୍ରମଣ କରି ରକ୍ତ ଜୁଡୁବୁଡୁ କରିଦେଲା ତାକୁ । ତଳୁ ଉଠେଇ ଆସ୍ଥାକୁ କୁଣ୍ଢେଇ ପକେଇଲା ଆଦ୍ୟା । ଆସ୍ଥା ବିକଳ ହେଇ କାନ୍ଦି ପକେଇଲା, ତାକୁ ତୁନି କରିବାକୁ ଯାଇ ଆଦ୍ୟା କହିଲା, ହେଇ ଦେଖ ସେଠି କେମିତି ଅଧାଦରମରା ହେଇ ପଡିଛି ମହିଷାସୁର ! ଚମକି ପଡିଲେ ସମସ୍ତେ ! ଶରତର ରକ୍ତ ଜୁଡୁବୁଡୁ ଶରୀର ପଡିଛି । ସବୁକିଛି ବୁଝି ପାରିଥିଲେ ଆଦ୍ୟାର ଶାଶୁ ..... ଆଉ ବୁଝିପାରିଥିଲେ ଯେ ଆଜି ଆଦ୍ୟା ଭିତରେ ସ୍ୱୟଂ ମହିଷାମର୍ଦ୍ଦିନୀ ଆବିର୍ଭାବ ହେଇଛନ୍ତି। ପଛପଟୁ ତା ଶାଶୁ ମୁଣ୍ଡିଆ ମାରି ଗୁଣୁଗୁଣୁ ହେଉଥିଲେ.......


ଯା ଦେବୀ ସର୍ବଭୂତେଷୁ 'ପ୍ରକୃତି' 'ଶକ୍ତି' ରୂପେଣ ସଂସ୍ଥିତା ।

ନମଃସ୍ତସ୍ୟେ ନମଃସ୍ତସ୍ୟେ ନମଃସ୍ତସ୍ୟେ ନମୋ ନମଃ ।। 

ଆତଙ୍କିତ ଆଜି ଜନନୀର ହୃଦୟ,

ଫାଟି ଯାଉଛି ବସୁଧାର ଛାତି,

ନିର୍ଯାତିତ ନଗ୍ନ ସଭ୍ୟତାର ଅନ୍ଧକାରରେ,

ଭୟାର୍ତ୍ତ ଥିଲା ଅଲିଅଳି କୋମଳମତୀ,

ଆଜି ମମତା ମୟୀ ଜନନୀ ଚକ୍ଷୁରେ

ରକ୍ତିମ ଉର୍ଜାମୟ ଶିଖାର ହୁଙ୍କାରରେ

ମନରେ ସୃଷ୍ଟି କରୁଛି ହୃତ କମ୍ପନ,

ବସୁଧା ଆଜି ସୃଷ୍ଟି କାରିଣୀ ନୁହେଁ, ମହିଷାମର୍ଦ୍ଦିନୀ ଆଜି ହେବ ମହିଷାସୁର

ପାଇଁ ଅନ୍ତକାରିଣୀ ......

ସମାପ୍ତ



Rate this content
Log in

Similar oriya story from Tragedy