Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Drama Inspirational Tragedy

4  

Kamala Satpathy

Drama Inspirational Tragedy

ଏ ସଂଗ୍ରାମର ଅନ୍ତ କାହିଁ !!

ଏ ସଂଗ୍ରାମର ଅନ୍ତ କାହିଁ !!

18 mins
13.7K


ଏ ସଂଗ୍ରାମର ଅନ୍ତ କାହିଁ !!

- କମଳା ଶତପଥୀ

ଜାତୀୟ ପତକା ତଳେ ଠିଆ ହୋଇ ନିର୍ନିମେଶ ନୟନରେ ତାକୁ ଫର ଫର କରି ଉଡୁଥବାର ଦେଖୁଥିଲେ କୈଳାଶ ସାମନ୍ତ । ପେଜୁଆ ଆଖିରେ ଅସ୍ପଷ୍ଟ ଦେଖା ଯାଉଥିବା ରୂପ ତା’ର ଆଜି ବି ସେତିକି ଆଲୋଡିତ କରିଦଉଛି ତାଙ୍କୁ, ଯେତିକି କରୁଥିଲା ସେତେବେଳେ – ଯେତେବେଳେ ଲୁଚି ଛପି ଏହାକୁ ଉଡେଇବାକୁ ପଡୁଥିଲା ତାଙ୍କୁ ଓ ତାଙ୍କ ବନ୍ଧୁମାନଙ୍କୁ । କେତେ ଦଣ୍ଡ .. କେତେ କୋରଡା .. କେତେ ବନବାସ ! ସବୁ ସହିଥିଲେ ୟା’କୁ ନିଜ ମାଟିରେ, ଖୋଲା ଆକାଶ ତଳେ ନିର୍ଭୟରେ, ସଗର୍ବରେ ଏମିତି ଫର ଫର ହେଇ ଉଡେଇବାକୁ ! ମହାତ୍ମାଙ୍କର ଗୋଟିଏ ଡାକ, ଆଉ ପୂରା ଦେଶ ସେଇ ଡାକରେ ସର୍ବସ୍ୱ ତ୍ୟାଗ କରିଦେଇ ଆଗେଇ ଯାଇଥିଲେ ସ୍ୱାଧିନତାର ପଥରେ ! କି ଉତ୍ସାହ .. କି ଉଦ୍ଦିପନା ..! ସବୁ କେବଳ ୟା’ରି ପାଇଁ !

ସେଇ ଡାକରେ ସାଧାରଣ ମଣିଷଟିଏ ବି ରାତାରାତି ପାଲଟି ଯାଉଥିଲା ସଂଗ୍ରାମୀ, ଠିକ୍ କୈଳାଶ ସାମନ୍ତଙ୍କ ପରି ! ଏ ସଂଗ୍ରାମରୁ ତାକୁ କ’ଣ ବା ମିଳୁଥିଲା ? ମିଳିବା ନମିଳିବା କଥା ତ ପଛକୁ ରହିବ, ସେ ଭଲା ଜାଣୁଥିଲା କ’ଣ ପାଇଁ ଏ ଡାକରା .. କ’ଣ ପାଇଁ ଏ ସଂଗ୍ରାମ ! ଦେଶ ପରାଧିନ ଅଛି କି ସ୍ୱାଧିନ ଅଛି, ଦେଶକୁ ଆମ ଲୋକେ ଶାସନ କରୁଛନ୍ତି କି ବିଦେଶୀ, ଆମ ଲୋକେ କଲେ କଣଟା ଅଧିକ ହେବ, ଆଉ ବିଦେଶୀ କରୁଛନ୍ତି ବୋଲି କ’ଣ ନୋକସାନ ହେଉଛି, ଏସବୁ କିଏ ବୁଝିଥିଲା ସେତେବେଳେ ! ନା ଆଜିକାଲି ପରି ଟିଭି ସିନେମା ଏତେ ଥିଲା ଦେଖେଇ ବୁଝେଇ କହିବାକୁ, ନା ଏତେ ପାଠଶାଠ କେହି ପଢିଥିଲା ଖବରକାଗଜରୁ ପଢି ଜାଣିଯିବାକୁ । ତଥାପି ବି ଗାଁ ଗାଁ ଖାଲି ହେଇଯାଉଥିଲା ମହାତ୍ମାଙ୍କ ପାଇଁ । ସମସ୍ତେ ଆଖିବୁଜି ସଂଗ୍ରାମର ଏହି ଅଗ୍ନିକୁ ଡେଇଁ ପଡୁଥିଲେ । ଘରଲୋକଙ୍କ ବାରଣକୁ କିଏ ଅବା ଶୁଣୁଥିଲା ! କିଏ ଅବା ଦେଖୁଥିଲା ସେମାନଙ୍କ ଆଖିଲୁହ ! ସମସ୍ତେ ତ ସାଜି ଯାଉଥିଲେ ଅଗ୍ନିରେ ଝାସ ଦେବାକୁ ତତ୍ପର ହେଇଉଠୁଥିବା ପତଙ୍ଗଟିଏ ! ସେଇ ପତଙ୍ଗ ମାନଙ୍କ ଭିତରେ କୈଳାଶ ସାମନ୍ତ ବି ଥିଲେ !

ହଁ, ସେ ବି ସମସ୍ତଙ୍କ ପରି ପାଲଟି ଯାଇଥିଲେ ସ୍ୱାଧିନତା ସଂଗ୍ରାମୀ । ଘରେ ଦୁଇ ମାସର ନବ ବିବାହିତା ପତ୍ନୀ .. ତା’ ଆଖିର ନିରୀହ ଅନୁରୋଧ .. କରୁଣ ବ୍ୟାକୁଳତା ..ବୃଦ୍ଧ ପିତାମାତାଙ୍କ ଶତ ବାରଣ, ଭାଇ ଭଉଣୀଙ୍କ ଆକୂଳ କ୍ରନ୍ଦନ .. କିଛି ବି ତ ତାଙ୍କ କାନକୁ ଶୁଭି ନଥଲା .. ଆଖିକୁ ଦେଖା ଯାଇନଥିଲା । ମହାତ୍ମାଙ୍କ ଆଦେଶ - ଦେଶମାତୃକାର ଋଣ ପରିଶୋଧ କରିବାକୁ ଯୁବାଗୋଷ୍ଠୀ ଏକଜୁଟ ହୁଅନ୍ତୁ । ସେ ଡକରା ଆଗରେ ଏସବୁ ମୋହମାୟା ତାଙ୍କୁ କେମିତି ଭଲା ଅଟକେଇ ରଖି ପାରିଥାନ୍ତା ! ସାରା ଦେଶର ପାଣି ପବନରେ ସତ୍ୟାଗ୍ରହର ରଣଭେରୀ ବାଜୁଥିବା ବେଳେ ଝରକା କବାଟ ବନ୍ଦ କରିଦେଇ କେବଳ ନିଜ ଜୀବନକୁ ଉପଭୋଗ କରିବା କଥା କିଏ ବା କେମିତି ଚିନ୍ତା କରିବ !

ସେ ବି କରିପାରିବେ ନାହିଁ ! ସେ ଯିବେ .. ନିଶ୍ଚୟ ଯିବେ ! ଝରକା ସେପଟର ରଣଭୂମିକୁ ସେ କେବଳ ଯିବେ ନାହିଁ, ଯେପର୍ଯ୍ୟନ୍ତ ନିଜ ମାଟି ଆକାଶ ପାଣି ପବନକୁ ବିଦେଶୀ ହାତରୁ ମୁକ୍ତ କରିନାହାନ୍ତି, ସେପର୍ଯ୍ୟନ୍ତ ନିଜ ସୁଖ ସୌଭାଗ୍ୟ କଥା ଚିନ୍ତା କିରବେ ନାହିଁ, କି ଘରକୁ ଫେରିକି ଆସିବେ ନାହିଁ । ପତ୍ନୀ ଯଦି ତାଙ୍କ ପାଇଁ ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହିଁବେ, ତେବେ କରିପାରିବେ। ନଚେତ୍ ନିଜ ବାପଘରକୁ ଫେରିଯାଇ ଜୀବନକୁ ଆଉ ଥରେ ନୂଆ କରି ବଞ୍ଚିପାରିବେ । ଦୁଇ ମାସର ଏଇ ଜୀବନକୁ ସଂପୂର୍ଣ୍ଣ ଭୁଲିଯିବେ ଯଦି, ସେଥିକୁ ସେ ଆଦୌ ଖରାପ ଭାବିବେ ନାହିଁ । କିନ୍ତୁ ବିନା ସ୍ୱାଧିନତା ଆଣି ସେ ଘରକୁ ନିଶ୍ଚୟ ଫେରିବେ ନାହିଁ ।

କି ବଜ୍ର ଶପଥ ! କି ନିଷ୍ଠୁର ଆଦେଶ ! ଏପର୍ଯ୍ୟନ୍ତ ଭଲ କରି ଦେଖିନଥିବା ପତ୍ନୀ ପାଖରୁ ଏପରି ବଳିଦାନର ଆଶା ! ଘର ଛାଡି ଚାଲିଯିବା ବେଳେ ଓଢଣା ତଳୁ କିଛି କହିବାର ପ୍ରୟାସ କରି ଥରି ଉଠୁଥିବା ଗୋଲାପି ଓଠ ଦୁଇଟିକୁ ନଜର ଉଠେଇ ଦେଖି ନେଇଥିଲେ ମାତ୍ର ଥରେ । ସଙ୍ଗେ ସଙ୍ଗେ କିନ୍ତୁ ମୁହଁକୁ ବୁଲେଇ ନେଇଥିଲେ । ମନ ପାଖରେ ଦୁର୍ବଳ ହେଇ ନିର୍ଣ୍ଣୟ ବଦଳେଇବାକୁ ବାଧ୍ୟ ହେଇଯିବା ପୂର୍ବରୁ ଘର ଛାଡି ଦେଇଥିଲେ ।

ଚାପା କାନ୍ଦର ସ୍ୱରରେ ମୁହୂର୍ତ୍ତେ ଅଟକି ଯାଇଥିଲେ ବି ଘର ଭିତରକୁ ପ୍ରବେଶ କରିନଥିଲେ ଆଉ । କେବଳ କହିଥିଲେ – “ତମେ ମାଇପୀ ମଣିଷ .. ଦେଶ କ’ଣ, ସ୍ୱାଧିନତା କ’ଣ, ସଂଗ୍ରାମ କ’ଣ, କେମିତି ବା ଜାଣିବ ! ଜୀବନରେ ମଣିଷ କଣ ଖାଲି ନିଜ ପାଇଁ ଜନ୍ମ ହେଇଥାଏ? ଅନ୍ୟ ପାଇଁ ସଂଗ୍ରାମ କରିବା ଏକ ନିଶା .. ଏ ନିଶାରେ ଥରେ ପଡିଗଲେ ଘରସଂସାର ସବୁ ଫିକା ଫିକା ଲାଗେ । ହେଲେ ତୁମେ ସେକଥା କେବେ ବୁଝି ପାରିବନି !”

ପଛରୁ ଦୀର୍ଘଶ୍ୱାସର ବତାସ ବୁହାଇ ଚାହିଁ ରହିଥିଲା ସେହି ସୁକୁମାରୀ ତରୁଣୀଟି, କଣ୍ଟାର ଶେଯରେ ଶୁଆଇ ଦେଇ ସ୍ୱାଧିନତାର ଅଗ୍ନିରେ ଝାସ ଦେବାକୁ ଚାଲି ଯାଉଥିବା ନିଜ ନିର୍ଦ୍ଦୟୀ ସ୍ୱାମୀକୁ । ବହି ଯାଉଥିବା ପାଣିକୁ କେମିତି ବନ୍ଧ ଦେଇ ଅଟକେଇବାକୁ ହୁଏ, ଏପର୍ଯ୍ୟନ୍ତ ସେ ଶିଖି ବି ତ ନାହିଁ । ତା’ମାନେ କ’ଣ ନିର୍ବାସିତର ଏ ଜୀବନକୁ ସେ ସ୍ୱୀକାର କରିନେବ ?

ଏହା ବିନା ଅନ୍ୟ ଉପାୟ ତା’ ପାଖରେ ଆଉ ଅଛି କି ?

ସେଇ ଯେ ଗଲେ ଯେ ଗଲେ, ଆଉ ଲେଉଟିକି ଆସିବା ହେଲା ନାହିଁ । ଚାହିଁ ଚାହିଁ ଆଖିରୁ ପାଣି ମରିଗଲା .. ବୟସର ସକାଳଟା ଦ୍ୱିପ୍ରହର ବାଟ ଦେଇ ସନ୍ଧ୍ୟାକୁ ଗଡିଗଲା, ହେଲେ କୈଳାଶ ସାମନ୍ତଙ୍କ ଖବର ଅନ୍ତର କିଛି ବି ମିଳିଲା ନାହିଁ । କୁଆଡେ ଗଲେ.. କୋଉଠି ରହିଲେ .. କ’ଣ କଲେ .. ପୁଲିସ୍ ର ଗୁଳିରେ ପ୍ରାଣ ହରେଇଲେ କି ଖସି ଚାଲିଗଲେ .. ଘରଲୋକେ କିଛି ଜାଣିବାକୁ ପାଇଲେ ନାହିଁ । କୈଳାଶ ସାମନ୍ତ ନାମକ ଯୁବକଟି ସମସ୍ତଙ୍କ ଜୀବନରୁ ପୂରା ଦୂରେଇ ଯାଇଥିଲା କୁଆଡେ ।

କୁଆଡେ ଆଉ କ’ଣ ! ସେ ତ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ମହାତ୍ମାଙ୍କ ଆଦର୍ଶ ପାଳନ କରିବାରେ । ସେଇ ପାଳନ କରିବାରେ ଯେତେ ପ୍ରକାରର କଷ୍ଟ ଯନ୍ତ୍ରଣା ଭୋଗ କରିବାକୁ ହେଲା, କଲେ ! ଯେତେ ମାଡଗାଳି ସହ୍ୟ କରିବାକୁ ପଡିଲା, ସହିଲେ । କେବେ ଏକା ଏକୁଟିଆ ତ ଆଉ କେବେ ବନ୍ଧୁମାନଙ୍କ ସହ ! କେବେ ସର୍ବ ସମ୍ମୁଖରେ ତ କେବେ ଲୁଚି ଲୁଚି ! କେବେ ଇଂରେଜ ସରକାର ତାଙ୍କୁ ଧମକେଇଲେ ତ ଆଉ କେତେବେଳେ ସେମାନେ ସମସ୍ତେ ମିଶି ସରକାରଙ୍କୁ ଭୟଭୀତ କରି ପକେଇଲେ । କେବେ କେବେ ନିଜ ସାଙ୍ଗସାଥୀଙ୍କ ମୃତ ଶରୀରକୁ କାନ୍ଧରେ ବୋହିବାକୁ ପଡିଲା ତ ଆଉ କେବେ ନିଜେ କାହା କାନ୍ଧରେ ବୁହାହେଇ କୌଣସି ନିରାପଦ ସ୍ଥାନକୁ ନିଆହେଲେ । ପ୍ରତି ପଦକ୍ଷେପରେ ମୃତ୍ୟୁ ସହିତ ସିଧା ସଳଖ ଦ୍ୱନ୍ଦ୍ୱ ଯୁଦ୍ଧ । ପ୍ରତି ରାତିରେ ସକାଳର ସୂର୍ଯ୍ୟକିରଣ ଦେଖିପାରିବାକୁ ନେଇ ସନ୍ଦେହ !

ତଥାପି ଲଢେଇ ଜାରି ରହିଥିଲା । ଗାଁ ଗାଁ ବୁଲି ଲୋକମାନଙ୍କୁ ଚରଖା ଚଲେଇବାକୁ ପ୍ରୋତ୍ସାହିତ କରୁଥିଲେ ସମସ୍ତଙ୍କ ସହ ସେ .. ବିଦେଶୀ ବର୍ଜନ ପାଇଁ ଆହ୍ୱାନ ଦେଉଥିଲେ .. ପ୍ରଭାତ ଫେରି କରି ଦେଶ ବନ୍ଦନା ଗାଉଥିଲେ ..ସଭା ସମିତି କରି ଲୋକଙ୍କୁ ଆହୁରି ସଂଗଠିତ କରୁଥିଲେ । ଦେଶ ପାଇଁ ସଂଗ୍ରାମ ଛଡା ଆଉ କିଛି କେହି ଚିନ୍ତା କରୁନଥିଲେ କି ଆଉ କାହା କଥା ଭାବୁ ବି ନଥିଲେ । ଏଇ ଭିତରେ କୈଳାଶ ତ ଭୁଲି ବି ଯାଇଥିଲେ ଯେ ତାଙ୍କର ବାହାଘର ଏଇ କିଛି ମାସ ପୂର୍ବରୁ ହି ହେଇଛି .. ଘରେ ତାଙ୍କର ସୁନ୍ଦରୀ ପତ୍ନୀ ପ୍ରତୀକ୍ଷା କରି ରହିଥିବ । ଆଖିରେ ଥିବ ତା’ର ଆଖିଏ ସ୍ୱପ୍ନ – ସ୍ୱାମୀ ପିଲା ଘରଦ୍ୱାର ସବୁକିଛିକୁ ନେଇ ! ତାଙ୍କୁ ଏବେ କେବଳ ଦେଖା ଯାଉଥିଲା ଗୋରା ସରକାରଙ୍କ ନିର୍ଦ୍ଦୟତା .. ୟୁନିଅନ୍ ଜ୍ୟାକ୍ ର ଅହଂକାର ଆଉ କାନକୁ ଶୁଭୁଥିଲା ମାହାତ୍ମାଙ୍କ ଓଜସ୍ୱୀ ଆହ୍ୱାନ ..! ଏଇ ଭିତରେ ସେ ଏକ ଭିନ୍ନ କୈଳାଶରେ ପରିବର୍ତ୍ତିତ ହୋଇ ସାରିଥିଲେ ।

ସମୟ ଦଉଡିଗଲା । ବଣଜଙ୍ଗଲ, କାରାଗାର, ରାସ୍ତାକଡ, ସବୁ ପ୍ରକାରର ସଂଗ୍ରାମୀ ଜୀବନ ଜିଇଁଲା ପରେ ହଠାତ୍ ଦିନେ ଦେଶ ସ୍ୱାଧିନ ହେବାର ଖବର ଆସି ପହଞ୍ଚିଗଲା । ଖୁସିର ଲହର ଖେଳିଗଲା ଗାଁ ଗାଁ ସହର ସହରରେ । ନିଜ ନିଜର ଗୁପ୍ତସ୍ଥାନରୁ ବାହାରି ଆସିଲେ ସମସ୍ତେ । ଏଇ ଭିତରେ କିଏ ବୟସର ତାଡନାରେ ଭାଙ୍ଗି ପଡିଥିଲେ ତ ଆଉ କିଏ ପୁଲିସ୍ ଅତ୍ୟାଚାରର ଶିକାର ହୋଇ ବେମାର ପଡି ଯାଇଥିଲେ । କାହାର ସ୍ମୃତିଶକ୍ତି ଲୋପ ପାଇଯାଇଥିଲା ତ ଆଉ କିଏ ସବୁଦିନ ପାଇଁ ହଜି ଯାଇଥିଲା ନିଜ ଲୋକଙ୍କ ଜୀବନରୁ । କାହାର ଘରଲୋକେ ତାକୁ ଶୁଦ୍ଧି ହେଇ ସାରିଥିଲେ, ତ ଆଉ କେହି କେହି ଏବେ ବି ଆଶା ରଖି ବସିଥିଲେ ତାଙ୍କ ଫେରିବାର ।

ସ୍ୱାଧିନତାର ପ୍ରଥମ ସୂର୍ଯ୍ୟକିରଣକୁ ସ୍ୱଚକ୍ଷୁରେ ଦେଖିବାକୁ, ତା’ର କୋମଳ ଉତ୍ତାପକୁ ଅନୁଭବ କରିବାକୁ, କୈଳାଶ ସାମନ୍ତ ନିଜ ଲୁଚିବା ସ୍ଥାନରୁ ବାହାରିକି ଆସିଲେ । ଆକାଶକୁ ଚାହିଁ ମୁଣ୍ଡିଆ ମାରିଲେ । ମାଟି ମାଆକୁ ପ୍ରଣାମ କଲେ । ଗୋଟିଏ ଗୋଟିଏ ପାଦ ଚାଲି ଚାଲି ବାହାର ଦୁନିଆର ଭିଡ ଭିତରେ ନିଜକୁ ମିଶେଇବାର ଚେଷ୍ଟା କଲେ । ଆଜି ଗଗନ ପବନରେ ସ୍ୱାଧିନତାର ମହକ ! ଦେଶବାସୀଙ୍କ କଣ୍ଠରେ ସ୍ୱାଧିନତାର ସଙ୍ଗୀତ ! ବୀର ଦର୍ପରେ ସମସ୍ତେ ଆଗେଇ ଚାଲିଥିଲେ ତ୍ରିରଙ୍ଗା ତଳେ ନିଜ ଶ୍ରଦ୍ଧା କୁସୁମ ଅର୍ପଣ କରିବାକୁ । କୈଳାଶ ବି ସେଇ ଆଡକୁ ଆଗେଇ ଚାଲିଲେ ।

ଦେହରେ ଟିକିଏ ବି ବଳ ନାହିଁ । ଦୁଇ ଖୋଜ ଚାଲିଲା ବେଳକୁ ଧଇଁ ପେଲି ଯାଉଛି ! କଥା କହିବା ବେଳକୁ ଦୀର୍ଘଶ୍ୱାସ ବାହାରି ଆସୁଛି ! .. ତଥାପି ସେ ଯିବେ .. ଯେମିତି ହେଲେ ଯିବେ । ଏଇ ଦିନଟି ଦେଖିବା ପାଇଁ କେତେ କ’ଣ ତ୍ୟାଗ କରି ଆସିଛନ୍ତି ଜୀବନରେ । ଆଉ ଆଜି ଏଇ ଦିନ ଆସିଗଲା ପରେ ସେ ନିଜ ଦେହ କଥା ଭାବି ପଛରେ ରହିବେ !

ନା, ମୋଟେ ନୁହେଁ । ଦେହର କ’ଣ ଅଛି ! ସେ ତ ଦୀର୍ଘ ଦିନରୁ ହି ଠିକ୍ ନାହିଁ । ଯୁନିଅନ୍ ଜ୍ୟାକ୍ ରେ ନିଆଁ ଲଗେଇବାର ଚେଷ୍ଟା କରି ପୁଲିସ୍ ହାତରେ ଧରା ପଡି ଯାଇଥିଲେ କିଛି ଦିନ ତଳେ। ସେମାନଙ୍କ ଗମ୍ ବୁଟ୍ ର ମାଡରେ ଦେହହାତ ଖଣ୍ଡିଆ ଖାବରା, ଦରଜ ହେଇ ଯାଇଥିଲା । ଅଣ୍ଟାହାଡ ଜଖମ ହେଇଯାଇଥଲା । କୌଣସି ମତେ ଖସି ଆସିଥିଲେ ସେମାନଙ୍କ ହାବୁଡରୁ ସେଦିନ ସେ, ଆଉ ତାରି ପରଠୁ ଲୁଚି ରହିଥିଲେ ଜଣେ ବନ୍ଧୁ ରଜାକ୍ ମିଆଁଙ୍କ ଆଟୁ ଉପରେ । ପୁଲିସ୍ ର ସନ୍ଦେହ ଯେ ହେଇନି, ସେକଥା ନୁହେଁ । ତଥାପି ତାଙ୍କୁ ଖୋଜି ପାଇନାହିଁ । ସୁରକ୍ଷୀତ ରହି ପାରିଛନ୍ତି ଏଇ କିଛି ଦିନରୁ । କିନ୍ତୁ ସାରା ଦୁନିଆ ସହିତ ସଂପର୍କ କଟିଯାଇଛି । ବାହାର ଜଗତରେ କ’ଣ ସବୁ ଚାଲିଛି, ତାଙ୍କ ପାଖରେ ଖବର ନାହିଁ ।

ରଜାକ୍ ମିଆଁ ନିଜେ ଜଣେ ସତ୍ୟାଗ୍ରହୀ । ତାଙ୍କ ସହିତ କୈଳାଶଙ୍କର ପରିଚୟ ହେଇଥିଲା ଇଂରେଜ ଅଫିସର୍ ଙ୍କ ଗାଡିରେ ନିଆଁ ଲଗେଇବା ସମୟରେ । ପରିଚୟ ଅଭିନ୍ନ ମିତ୍ରତାରେ ପରିଣତ ହେଇଗଲା, ତା’ପରେ ଯେତେ ସବୁ କାମ ହୋଇଛି, ଉଭୟଙ୍କ ମିଳିତ ପ୍ରୟାସରେ ହି ହେଇଛି । ଇଂରେଜ ପତକାରେ ନିଆଁ ଲଗେଇବାର କାମ ବଡ ସତର୍କତାରେ କରିଥିଲେ ସତ, ହେଲେ ଉଭୟ ଧରା ପଡିଯାଇଥିଲେ । ପୁଲିସ୍ ର ବର୍ବର ଅତ୍ୟାଚାରରେ ଖୁବ୍ ଶୀଘ୍ର ଧରାଶାୟୀ ହୋଇ ଯାଇଥିଲେ କୈଳାଶ । ରଜାକ୍ ମିଆଁ ବଡ ସାହାସ ଆଉ ବୁଦ୍ଧିମତା ଦେଖେଇ କୌଣସି ମତେ ତାଙ୍କୁ ସେଠାରୁ ଖସେଇ ଆଣି ନିଜ ଘରେ ଲୁଚେଇ ଦେଇ ପଳେଇ ଯାଇଥିଲେ ଏକଥା କହି ଯେ ପୁଲିସ୍ ର ଆଖି ଆଢୁଆଳରୁ ଏଇ ଗୋଟିକ ସ୍ଥାନରେ ହି ଆପଣ ସୁରକ୍ଷୀତ ରହିପାରିବେ ।

ଯେହେତୁ ତାଙ୍କୁ ବି ପୁଲିସ୍ ଖୋଜୁଥିଲା, ତେଣୁ ସେ ବି ସେଦିନଠୁ ଲୁଚି ରହିଛନ୍ତି। ମାତ୍ର ଆଉ କୋଉଠି । କାହାରି ପାଖରେ କିଛି ଖବର ନାହିଁ ତାଙ୍କର - ସତରେ ସେ ଲୁଚି ରହିଛନ୍ତି ନା ପୁଲିସ୍ ଗୁଳିରେ କେବେଠୁ ନିହତ ହେଇ ସାରିଲେଣି, ଏ ବିଷୟରେ ବି କେହି କିଛି ପାଟି ଖୋଲୁନାହାନ୍ତି !

ଘରେ କେବଳ ତାଙ୍କ ବୁଢୀ ମାଆ ଆଉ ସାନ ଭାଇ ଭଉଣୀ । ରଜାକ୍ ମିଆଁ କହିଥିଲେ ଅବୁଙ୍କର ଅସମୟ ମୃତ୍ୟୁରେ ଅମ୍ମୀଙ୍କର ସ୍ମରଣଶକ୍ତି ଲୋପ ପାଇଯାଇଛି । ପୂରାପୂରି ଭାଙ୍ଗି ପଡିଛନ୍ତି ସେ । କେତେବେଳେ କାହାକୁ କ’ଣ ପଚାରି ଦଉଛନ୍ତି, ସେକଥା ସେ ନିଜେ ବି ଜାଣନ୍ତିନି । ତେଣୁ ଭଲ ହେବ ଯଦି ସେମାନଙ୍କର ନିତିଦିନିଆ ଜୀବନଚର୍ଯ୍ୟାରେ ସେ କୌଣସି ପ୍ରତିବନ୍ଧକ ସୃଷ୍ଟି ନକରିବେ !

ସେକଥାକୁ କୈଳାଶ ସାମନ୍ତ ଅକ୍ଷରେ ଅକ୍ଷରେ ମାନିଛନ୍ତି । ଦୀର୍ଘ ଦିନରୁ ଏଇ ଅନ୍ଧାରିଆ ଆଟୁକୁ ନିଜର ସବୁଠାରୁ ସୁରକ୍ଷୀତ ସ୍ଥାନ ମାନି ନେଇଛନ୍ତି । ଏକାନ୍ତର ଏ ଜୀବନ ଅତ୍ୟନ୍ତ କଷ୍ଟପ୍ରଦ ଲାଗିଥଲେ ବି ସେମାନଙ୍କୁ ଅଯଥା ହଇରାଣ ନକରିବାକୁ ସେ କେବେ କୌଣସି ବିଷୟରେ କିଛି ପ୍ରଶ୍ନ କରିନାହାନ୍ତି କି ତଳକୁ ଓହ୍ଲେଇକି ଆସିନାହାନ୍ତି । ସେଇଠି ରନ୍ଧାବଢା, ଖିଆପିଆ, ବାକି ସବୁ କାମ କୌଣସି ମତେ ତୁଲେଇ ଦେଇଛନ୍ତି । ଆହୁରି କିଛି ଦିନ ତାଙ୍କୁ ଏ କଷ୍ଟକୁ ସହ୍ୟ କରିବାକୁ ନିଶ୍ଚୟ ପଡିବ ! ଯୋଉ କାମ ପାଇଁ ସେ ସଂସାର ତ୍ୟାଗିଛନ୍ତି, ସେ କାମ ଏତେ ଶୀଘ୍ର ଶେଷ ହେବାର ସମ୍ଭାବନା ନାହିଁ ବୋଲି ରଜାକ୍ ମିଆଁ ତାଙ୍କୁ କହି ଯାଇଛନ୍ତି । ତେଣୁ ଏଇଠି ରହି ତାଙ୍କୁ ସେହି ସୁଦିନର ଅପେକ୍ଷା କରିବାକୁ ପଡିବ ।

ଏଇ ଭିତରେ କେତେ ଦିନ ବିତିଗଲାଣି, ତା’ର ହିସାବ ତାଙ୍କ ପାଖରେ ନାହିଁ । ଦେଶର ଅବସ୍ଥା କୋଉ ଯାଏ ଆଗେଇଲାଣି, ତାଙ୍କୁ ଜଣାନାହିଁ । ତାଙ୍କର ଅନ୍ୟ ସାଥିମାନଙ୍କ ଭିତରୁ ସେଇ ରାତିରେ କିଏ ଧରା ପଡିଲେ ଆଉ କିଏ ସହିଦ ହେଇଗଲେ, ସେକଥା ବି ସେ ଜାଣିନାହାନ୍ତି ! ସେ କେବଳ ଏତିକି ଜାଣିଛନ୍ତି ଯେ କିଛି ଦିନ କାଳ ଏଇ କାଳ କୋଠରିର ଅନ୍ଧାର ଭିତରେ ଲୁଚିରହି ନିଜକୁ ପରବର୍ତ୍ତୀ ସଂଗ୍ରାମ ପାଇଁ ପ୍ରସ୍ତୁତ କରିବାକୁ ଅଛି । ଦେହର ଏ କ୍ଷତ ସବୁ ଭରିବା ପର୍ଯ୍ୟନ୍ତ ତାଙ୍କୁ ଦେଶ ଚିନ୍ତା ଛାଡି ନିଜ ଚିନ୍ତା କରିବାକୁ ଅଛି।

ଅସହ୍ୟ ପୀଡା .. ଅକଳ୍ପନୀୟ ଯନ୍ତ୍ରଣା ତାଙ୍କର ସବୁ ସହିବା ଶକ୍ତିକୁ ଚିପୁଡି ଦେଇଥିଲା । ଅନ୍ଧାରରେ ଏକା ଏକୁଟିଆ ବିଛଣାରେ ପଡି ପଡି କୌଣସି ମତେ ବଞ୍ଚି ରହିବାର ସଂଗ୍ରାମକୁ ଜାରି ରଖିଥିଲେ । କିଏ ଜାଣେ ଏ ଯନ୍ତ୍ରଣା ତାଙ୍କୁ କେତେ ଦିନ ପର୍ଯ୍ୟନ୍ତ ବଞ୍ଚେଇ ରଖିବ ନା ଏହି ଅନ୍ଧାର ଭିତରେ ହି ସବୁଦିନ ପାଇଁ ହଜେଇ ଦେବ !

ଦେଶ ପାଇଁ ଛାଡି ଆସିଥିବା ସମସ୍ତଙ୍କ ମୁହଁ ଏବେ ତାଙ୍କର ଭାରି ମନେ ପଡୁଥିଲା ! ଆଖି ଆଗରେ ନାଚି ଯାଉଥିଲା ଘର ପରିବାର .. ବାପା ମା’ ଭଇଭଉଣୀ .. ସାଙ୍ଗସାଥୀ .. ପ୍ରିୟ ପରିଜନ .. ଗୋଟି ଗୋଟି କରି ସମସ୍ତଙ୍କର ମୁହଁ । କେବଳ ଦିଶୁନଥିଲା ତ ସେଇ ଗୋଟିଏ ମୁହଁ, ଯାହାକୁ ଭଲକି ଦେଖିବା ପୂର୍ବରୁ ହି ସେ ତାକୁ ପରିତ୍ୟାଗ କରିଆସିଛନ୍ତି । ଖାଲି ଦିଶୁଥିଲା ଦୁଇଟି ଥର ଥର କମ୍ପୁଥିବା ଗୋଲାପି ଅଧର .. ତା’ ଉପରକୁ ଗଡି ଆସୁଥିବା ଲୁହର ମୋଟା ଧାର .. ସେ ଓଠରୁ ଫୁଟି ଆସିବାକୁ ବ୍ୟାକୁଳ ହେଉଥିବା କିଛି ଅସ୍ପଷ୍ଟ ଶବ୍ଦ .. ଆଉ ସ୍ୱପ୍ନ ସବୁ ଭୂଇଁରେ ଲୋଟି ଯାଉଥିବାର ନିରବ ଭୂକମ୍ପ !

ଓଃ, ସେ କ’ଣ କରିଦେଲେ ସତରେ ! ସେତେବେଳେ ଦେଶର ଚିନ୍ତାରେ କାହାର ସ୍ୱପ୍ନର ଭୂ-ପତନ ତାଙ୍କୁ ଦେଖା ହି ଯାଇନଥିଲା । ଏବେ ଏଇ ଏକାନ୍ତରେ ବାରମ୍ବାର ସେଇ ଅଦେଖା ମୁହଁଟି ତାଙ୍କର ଭାରି ମନେ ପଡୁଛି । କ’ଣ କରିଥିବ ସେଇ ଅବଳା ଦୁର୍ବଳା ନିରୀହା ତରୁଣୀଟି .. କେମିତି ସହିଥିବ ବୟସର ବହଳତା ସହିତ ସଂସାରର ବୋଝ .. କେମିତି ମୁଣ୍ଡ ଟେକି ପାର୍ କରିଥିବ କଣ୍ଟାଝଣ୍ଟାରେ ପରିପୂର୍ଣ୍ଣ  ଜୀବନର ରାସ୍ତାକୁ ଏକା ଏକୁଟିଆ ! ଏତେ ବର୍ଷରୁ କେମିତି ଥରେ ବି ଚିନ୍ତା କରିପାରିଲେ ନାହିଁ ଯେ ଏବେ ବି କେହି ନୁଖୁରା ହାତରେ ତାଙ୍କୁ ଅନେଇ ରହିଥିବ !

ଯିବେ କି.. ଫେରିଯିବେ ସେଇ ଛାଡି ଆସିଥିବା ସଂସାର ଭିତରକୁ ! ଦେଶପ୍ରେମର ଏ ଭୂତ ଶରୀରର କଷ୍ଟ ଆଗରେ ଫିକା ଫିକା ଲାଗୁଛି । ଏ ଏକାନ୍ତ ଦେହମନକୁ ଅସ୍ଥିର କରି ପକୋଉଛି । ବ୍ୟାକୁଳ ହେଇ ପଡୁଛନ୍ତି ସେ । ମହାତ୍ମାଙ୍କର ନୀତି ଆଦର୍ଶ ଆଉ କିଛି ମନେ ପଡୁନାହିଁ । ବନ୍ଧୁ ତାଙ୍କର କହିଥିଲେ ଦେଶପ୍ରେମର ଅଗ୍ନିରେ ଜଳିଥିବା ମଣିଷକୁ ଦେହମନର ଭୋକ ହେବା କଥା ନୁହେଁ । କିନ୍ତୁ କାହିଁ ? ଏତେ ଦିନରୁ ଯୋଉ ଭ୍ରମଧାରଣାର ବଶବର୍ତ୍ତୀ ହୋଇ ସେ ଧାଇଁ ଚାଲିଥିଲେ, ଆଜି ଆଉ ସେସବୁ କାହିଁକି ମନକୁ ବାନ୍ଧି ରଖିବାକୁ ସକ୍ଷମ ହେଇ ପାରୁନାହିଁ ? କାହିଁକି ନିଃସଙ୍ଗତା ତାଙ୍କୁ ଏତେ ବେଶି ଜଳେଇ ପକୋଉଛି ? କାହିଁକି ଦିନରାତି ଆଖି ଆଗକୁ କେବଳ ଗୋଲାପି ଅଧରର କମ୍ପିତ ଛବିଟା ଚାଲିଆସୁଛି !

ଅସ୍ୱସ୍ଥ ହୋଇ ପଡିଛନ୍ତି ସେ । ଶରୀରରେ ଆଉ ଶକ୍ତି ନାହିଁ ସଂଗ୍ରାମ କରିବାକୁ । ଇଚ୍ଛା କି ସାହାସ ବି ନାହିଁ । ହଠାତ୍ ସବୁକିଛି ତାଙ୍କୁ ଭାରି ବ୍ୟର୍ଥ୍ୟ ବ୍ୟର୍ଥ୍ୟ ଲାଗୁଛି । ପିଠି ଉପରେ ବସିଥିବା ମାଡଟା ଖୁବ୍ ଯନ୍ତ୍ରଣା ଦେଉଛି । ଦୀର୍ଘଦିନ ବିତି ଯାଇଥିଲେ ବି ସେଥିରୁ ମୁକ୍ତି ମିଳିନାହିଁ । ରଜାକ୍ ମିଆଁର ଅମ୍ମୀଙ୍କର କାନ୍ଦ ବେଳ ଅବେଳରେ ଭାରି ଶୁଭୁଛି । ଇଚ୍ଛା ହେଉଛି ଯାଇ ପଚାରିବାକୁ । ହେଲେ ଦେହରେ ଏତିକି ବି ବଳ ନାହିଁ ତଳକୁ ଓହ୍ଲେଇକି ଯିବାକୁ । ପୁଲିସ୍ ର ଭୟ ବି ତ ରହୁଛି । କିଛି ନା କିଛି କାରଣ ନେଇ ପୁଲିସ୍ ବାରମ୍ୱାର ଏଠିକୁ ଆସୁଛି । ଯେହେତୁ ଘରେ କେହି ପୁରୁଷ ଲୋକ ନାହାନ୍ତି, ତେଣୁ ଭିତରକୁ ଆସି ଖୋଜାଖୋଜି ନକରି ସେଇ ବାହାରୁ ବାହାରୁ ଧମକ ଦେଇ ଚାଲିଯାଉଛି ।

ସେମିତି କିଛି କାରଣକୁ ନେଇ ଅମ୍ମୀଜାନ୍ କାନ୍ଦୁଛନ୍ତି, କି ରଜାକ୍ ମିଆଁ ବିଷୟରେ କିଛି ଅଶୁଭ ଖବର ଆସିଗଲା, ସେକଥା ସେ ଭାବି ପାରୁନଥିଲେ । ସେଇ କାନ୍ଦର ଲହରରେ ତାଙ୍କୁ କେବଳ ନିଜ ମା’ଙ୍କର ସ୍ୱର ଶୁଭି ଯାଉଥିଲା । ଜଣାନାହିଁ ତାଙ୍କ ଅନୁପସ୍ଥିତିରେ ଏମିତି କେତେ ଲୁହ ଗଡେଇ ସାରିବେଣି ତାଙ୍କ ଘରଲୋକେ । କେତେ ମୁଣ୍ଡ ବାଡେଇ କାନ୍ଦିବେଣି ତାଙ୍କ ମା’ ଆଉ ତାଙ୍କ ସାଥେ ସାଥେ ତାଙ୍କ ନବ ବିବାହିତା ପତ୍ନୀ ! ସତରେ ସେ ଅନ୍ୟାୟ କରିଛନ୍ତି । ଏମିତି ଦେଶପ୍ରୀତିରେ ଭାସି ଯିବାକୁ ଥିଲା ତ ବିବାହ କରିବାର ନଥିଲା !

ରାତିର ଅନ୍ଧାରରେ ସେ ଶପଥ ନେଲେ – ଆଉ ନୁହେଁ । ଏଥର ଯେତିକି ହେଲା, ସେତିକି । ସେ ଏବେ ଘରକୁ ଫେରିଯିବେ । ଏକାନ୍ତର ଏ ବନବାସ ଆଉ ସେ ସହ୍ୟ କରିପାରୁ ନାହାନ୍ତି । ପାପର ବୋଝ ରାତିଦିନ ତାଙ୍କ ଉପରେ କୁଢେଇ ପଡୁଛି । ସେଇ ବୋଝ ତଳେ ତାଙ୍କୁ ଭାରି ଅଝନ୍ତୁରି ଲାଗୁଛି । ସେ ଏଥର ଗୃହସ୍ଥ ହୋଇ ବଞ୍ଚିବେ ।

ରାତିର କଥା ରାତିରେ ରହିଗଲା, ସକାଳକୁ ଆସିଗଲା ଦେଶ ସ୍ୱାଧିନ ହେବାର ବାର୍ତ୍ତା । ଓଃ, କି ମଧୁର ଅନୁଭବ ! ଶରୀରର ସବୁ କଷ୍ଟ ଯନ୍ତ୍ରଣା ଆପେ ଆପେ ପାସୋରି ହେଇ ଯାଉଛି । ବନ୍ଧୁମାନଙ୍କ ତ୍ୟାଗ ବଳିଦାନ ମନେ ପଡିଯାଉଛି । ହେଲେ ତା’ଠୁ ଅଧିକା ମନେ ପଡୁଛି ଛାଡି ଆସିଥିବା ଜୀବନସାଥିର କଥା । ସବୁକିଛି ଭୁଲି ସେ ଏଥର ଘରମୁହାଁ ହେଲେ । ବାଟ ସାରା ସ୍ୱାଧିନତାର ବାନା ଫର ଫର ହେଇ ଉଡୁଛି । ଗଗନ ପବନରେ ଜାତୀୟ ସଙ୍ଗୀତର ମଧୁମୟ ତାନ ! ମୁଗ୍ଧ ହେଇଯାଉଥିଲେ ସେ । ଦେହରେ ଶତ ସିଂହର ବଳ ଆସି ଯାଉଥିଲା । ସବୁ କଷ୍ଟ ସ୍ୱାଧିନତାର ଭେରୀ ଭିତରେ ମିଳେଇ ଯାଉଥିଲା ।

ଦୁଇ ଦିନ, ଦୁଇ ରାତିର କ୍ଲାନ୍ତିକର ଯାତ୍ରା ପରେ ସେ ଆସି ନିଜ ସହର, ନିଜ ଗଳି, ନିଜ ଘର ଆଗରେ ପହଞ୍ଚିଗଲେ । ଏଇ ସେ ଘର, ଯୋଉଠି ଦିନେ ହସିଖେଳି ସେ ବଡ ହେଇଥିଲେ, ଯୋଉଠୁ ବରବେଶ ସାଜି, ପାଲିଙ୍କିରେ ବସି ସେ ବାହାହେବାକୁ ଯାଇଥିଲେ । ମଧୁଛନ୍ଦାଙ୍କ ହାତ ଧରି ଏଇଠି ଓହ୍ଲେଇଥିଲେ । ଭାଇ ବନ୍ଧୁ କୁଟୁମ୍ୱଙ୍କ ହସଖୁସି ଥଟ୍ଟା ମଜ୍ଜା ଭିତରେ ସଂସାର ଆରମ୍ଭ କରିଥିଲେ .. ଆଉ ଏଇଠି ହି ଦେଶ ପାଇଁ ଆହ୍ୱାନ ଶୁଣି ବିଚଳିତ ହୋଇ ସବୁ ଛାଡିଛୁଡି ଅନ୍ଧାରରେ ଦିନେ ହଜି ବି ଯାଇଥିଲେ ! ଏଇ ଘର ସହିତ ତାଙ୍କର କେତେ କେତେ ସ୍ମୃତି ଯୋଡି ହେଇ ରହିଛି । ମଧୁରତା ସହିତ କଟୁତାରେ ଭରା ଅନୁଭବ ଛାତି ଭିତରେ ଆଜି ଝଞ୍ଜା ସୃଷ୍ଟି କରୁଛି । ସେଦିନ ଛାଡିଯାଇଥିବା ସଂସାରର ରୂପରେଖ ଆଜି କ’ଣ ଥିବ ସତରେ !

ଚାହିଁଲେ ସେ ଇଆଡେ ସିଆଡେ । ଏକ ଖା ଖାଁ ପଣ ବ୍ୟାପିରହିଛି ଚତୁର୍ଦ୍ଦିଗରେ । ଅନାତ୍ମୀୟ ପରିବେଶର ଶୂନ୍ୟତା ଲେପି ହେଇଛି ପୂରା କୋଠିଟି ଉପରେ । ଘର ବାଡି ବଗିଚା କୂଅ ପୋଖରୀ ଗଛ ଆକାଶ, ଯାହା ଯେଉଁଠି ଥଲା ସେଇଠି ଅଛି, ତଥାପି ସବୁକିଛି ଅଚିହ୍ନା ଅଚିହ୍ନା ଲାଗୁଛି ! କ୍ଷଣୀକ ପାଇଁ ପାଦ ଦୁଇଟି ଅଚଳ ହେଇଗଲା ପରି ବୋଧ ହେଲା ତାଙ୍କୁ । ପାଟି କରି କାହାକୁ ଡାକିବାକୁ, ନିଜ ପରିଚୟ ଦେବାକୁ ତାଙ୍କୁ ଶବ୍ଦ ମିଳିଲାନି । ଭୟ ଲାଗିଲା - ଆଜି ଏତେ ବର୍ଷ ପରେ କୋଉ ମୁହଁ ନେଇ ସେ ଫେରି ଆସିଛନ୍ତି ଏଠିକୁ ବୋଲି କେହି ପଚାରିଦେବ ଯଦି !

ଫେରିଯିବେ କି ? କେହି ଦେଖିଲା ପୂର୍ବରୁ ଆଉ ଥରେ ହଜିଯିବେ ଅନ୍ଧାରରେ ! ନା, ନା, ସେମିତି କରିପାରିବେନି ଜମା । ଏବେ ଘରଲୋକଙ୍କୁ ତାଙ୍କର ଆବଶ୍ୟକତା ଥାଉ କି ନଥାଉ, ତାଙ୍କୁ ଘରଲୋକଙ୍କ ଆବଶ୍ୟକତା ଅଛି । ଯୋଉ କାମ ପାଇଁ ସେ ଯାଇଥିଲେ, ସେ କାମ ନିଷ୍ଠାର ସହିତ ତୁଲେଇ ସାରିଛନ୍ତି । ଦେଶ ସ୍ୱାଧିନ ହେଇଗଲା, ତାଙ୍କ ଦାୟୀତ୍ୱ ସରିଲା। ଏବେ ସେ ନିଜ ଘରଗୃହସ୍ଥୀର ଦାୟୀତ୍ୱ ତୁଲେଇବେ ।

ଦରଜା ବାହାରେ ନିଶ୍ଚୁପ ଅନ୍ଧାର । ଗଛଲତା ବଢି ଜଙ୍ଗଲର ଭ୍ରମ ସୃଷ୍ଟି ହେଉଛି । କେହି କୁଆଡେ ଦେଖା ଯାଉନାହାନ୍ତି । କିନ୍ତୁ ଅଗଣାର ତୁଳସୀ ଚଉରା, ବାହାରର ଗୁହାଳଘର ଦେଖିଲେ ଲାଗୁଛି କେହି ନା କେହି ତ ନିଶ୍ଚୟ ଅଛି । ତେବେ ଏତେ ନିସ୍ତବ୍ଧତା କାହିଁକି ?

ଡାକିଲେ ଥରେ ଦି’ ଥର, “କିଏ ଅଛି କି ଭିତରେ ? ମୁଁ କୈଳାଶ ଆସିଛି .. କୈଳାଶ ସାମନ୍ତ !” ଆଖି ଆଗରେ ଅତୀତକୁ ପୁଣି ଥରେ ସେହି ପୁରୁଣା ରୂପରେ ଭେଟିବାର ଆଚ୍ଛନ୍ନତା ବଢିବାରେ ଲାଗିଥିଲା । ହୃଦୟ ଭିତରେ ଧିରେ ଧିରେ ସୃଷ୍ଟି ହେଉଥିଲା ଆବେଗର ଜୁଆର । ଆଉ ଅଧିକ ସମୟ ସେ ଜୁଆରକୁ ସେ ରୋକି ରଖିପାରିବେ ନାହିଁ ।

କିନ୍ତୁ କୋଉ ଆଡୁ କିଛି ବି ଶବ୍ଦ ନାହିଁ । ତାଙ୍କରି ଡାକ ପୂରା ଘର ବୁଲିସାରି ତାଙ୍କରି ପାଖକୁ ଫେରି ଆସିଲା । ଗୁହାଳରୁ ଗାଈମାନଙ୍କର ହମାରଡିରେ କ୍ଷଣୀକ ପାଇଁ ପରିବେଶଟା ଶବ୍ଦମୟ ହେଇଗଲା ସତ, ହେଲେ ପୁଣି ପର ମୁହୂର୍ତ୍ତରେ ଯୋଉଆକୁ ସେଇଆ !

ଆଉ ଥରେ ସେ ଡାକ ମାରିଲେ । ଏଥର କେହି ଜଣେ କ୍ଷୀଣ ଅଥଚ ଦୃଢ ସ୍ୱରରେ ତାଙ୍କ ଡାକର ଜବାବ ଦେଲା, “କାହାକୁ ଖୋଜୁଛନ୍ତି ? ଏଠି ଆପଣଙ୍କ ଚିହ୍ନା ପରିଚିତ କେହି ରହୁନାହାନ୍ତି ..”

ଲଣ୍ଠଣର ମିଞ୍ଜି ମିଞ୍ଜି  ଆଲୋକରେ ସେ ଦେଖି ପାରୁଥିଲେ ଜଣେ ଏପରି ନାରୀକୁ ଯିଏ ସଧବା କି ବିଧବା, କହିବା ମୁସକିଲ୍ ଥିଲା । ଓଢଣା ତଳର ଶୁଖିଲା ନିର୍ଜୀବା ଓଠ ଦୁଇଟି ଭାରି କରୁଣ ଲାଗୁଥିଲା । ଲଣ୍ଠଣକୁ ତାଙ୍କ ମୁହଁ ପାଖକୁ ଟେକି ଧରି ତାଙ୍କ ପରିଚୟ ଆଉ ଥରେ ଜାଣିବାକୁ ଚାହୁଁଥିଲେ ସେ । କିଂକର୍ତ୍ତବ୍ୟବିମୂଢ ହୋଇ ସେଇ ଆଡକୁ ଚାହିଁ ରହିଥିଲେ କୈଳାଶ ସାମନ୍ତ !

“କିଏ ଆପଣ ? କାହାକୁ ଖୋଜୁଛନ୍ତି ?”

ତାଙ୍କ ପ୍ରଶ୍ନରେ ତନ୍ଦ୍ରା ତୁଟିଲା । ଛଳଛଳେଇ ଆସିଲା ଆଖି । “ମୁଁ କୈଳାଶ .. କୈଳାଶ ସାମନ୍ତ .. ଏ ବଂଶର ଉତ୍ତରାଧିକାରୀ…”

ବହୁତ କଷ୍ଟରେ ଏତିକି ମାତ୍ର କହିପାରିଲେ ସେ । ଏ ବିବର୍ଣ୍ଣ ଚେହେରାଧାରୀ ମହିଳା ଜଣଙ୍କ କିଏ ହେଇପାରେ, ତାଙ୍କର ଆଉ ସନ୍ଦେହ ନଥିଲା । କିନ୍ତୁ ଏମିତି ଭାବରେ ଦେଖିବେ .. ସ୍ୱପ୍ନରେ ବି ଭାବି ନଥିଲେ ।

ନିଗିଡି ଆସୁଥିଲା ଲୁହଧାର ନିଃଶବ୍ଦରେ । ଟେକି ଧରିଥିବା ଲଣ୍ଠଣଟି ଖସି ପଡିଥିଲା ଭୂଇଁ ଉପରେ । ପବନର ସାଇଁ ସାଇଁ ସ୍ୱର ଭିତରେ ମିଳେଇ ଯାଉଥିଲା କ୍ରନ୍ଦନର ଚାପା ଧ୍ୱନି । ନିରବରେ ଚାହିଁ ରହିଥିଲେ ସେ ଅପରାଧିର ମନ ନେଇ । ଏତେ ଦିନର ଅବହେଳାର ଯାହା ଦଣ୍ଡ ମିଳିବ, ତାକୁ ମଥାପାତି ସହ୍ୟ କରିନେବାର ମାନସିକ ପ୍ରସ୍ତୁତି କରିସାରିଥିଲେ କେବେଠୁ । ହେଲେ ସେପଟରୁ କିଛି ଆଗ ଶୁଭୁ ତ ତାଙ୍କ କାନକୁ !

ସତରେ କ’ଣ ସେ କିଛି କହିବେ, ନା ସେ ବି ଅପେକ୍ଷା କରିଛନ୍ତି ତାଙ୍କରି ମୁହଁରୁ ଆଗ ଶୁଣିବାକୁ ! ସେ ନିଜେ ଯଦି କହିବେ, ତେବେ କ’ଣ କହିବେ ! କୋଉଠୁ ଆରମ୍ଭ କରିବେ ! କ୍ଷମା ମାଗିବେ ! ମାତ୍ର କାହିଁକି ? ସେ ତ କିଛି ଅପରାଧ କରିନାହାନ୍ତି ! ଦେଶ ପାଇଁ ସଂଗ୍ରାମ କରିବାଟା ତ ପ୍ରତି ଦେଶବାସୀଙ୍କର କର୍ତ୍ତବ୍ୟ । ମଧୁଛନ୍ଦା ଏତିକି କ’ଣ ବୁଝି ନଥିବେ ନା କ’ଣ !

କେତେ ସମୟ ସେଇଠି ସେଇ ଅବସ୍ଥାରେ ସେ ଠିଆ ହେଇରହିଥିଲେ, ଜଣାନାହିଁ । ମୁହଁ ତଳକୁ କରି ସୁଁ ସୁଁ ହେଇ କାନ୍ଦୁଥିବା ମଧୁଛନ୍ଦାଙ୍କର ସ୍ୱର ଧିରେ ଧିରେ କମିଗଲା ପରେ ସେ କହିଲେ, “ଆମ ଦେଶ ସ୍ୱାଧିନ ହେଇଯିବାର ଖବର ତମେ ପାଇ ସାରିଥିବ ନିଶ୍ଚୟ ! କେତେ ସଂଘର୍ଷର ଫଳ ଏବେ ମିଳିଲା ଆମକୁ । ଆମ ଦେଶ ଉପରେ ଏବେ ଆମର ଶାସନ ହେବ । ଗୋରା ସରକାରଙ୍କର ସବୁ ଅତ୍ୟାଚାରରୁ ଆମେ ସବୁଦିନ ପାଇଁ ମୁକ୍ତ ହୋଇଗଲେ । .. ବହୁତ କଷ୍ଟକର ଜୀବନ ଥିଲା ସତରେ ! ଦେଶ ପାଇଁ ମୋ ପରି କେତେ କେତେ ଦେଶବାସୀ ଘରଦ୍ୱାର ପିଲା ପରିବାର ଛାଡି ସ୍ୱାଧିନତା ସଂଗ୍ରାମୀର ପରିଚୟକୁ ହସି ହସି ଗ୍ରହଣ କରିନେଇଥିଲେ । କିନ୍ତୁ ଦୁଃଖର କଥା ଯେ ସେମାନଙ୍କ ଭିତରୁ ଅନେକ ସେଇ ପରିଚୟକୁ ମୁଣ୍ଡେଇ ଏ ସଂସାରରୁ ବିଦା ହେଇଗଲେ .. ନିଜ ସଂସାରକୁ ଆଉ ଫେରି ପାରିଲେନି। ମୁଁ ଭାଗ୍ୟବାନ୍ .. ତୁମ ସହିତ ମୋର ଦେଖା ହେବାର ଯୋଗ ଥିଲା ବୋଲି ଫେରିଆସି ପାରିଲି । …. ଏ ସ୍ୱାଧିନତା ସଂଗ୍ରାମୀ ସ୍ୱାମୀକୁ ଫେରି ପାଇ ତମେ ଖୁସି ତ ? ମୋର ସବୁ ସଂଗ୍ରାମ ସରିଯାଇଛି .. ଏବେ ଆମେ ..”

କେଜାଣି କାହିଁକି ଭାଷା ପଇଟିଲାନି ଆଉ କିଛି କହିବାକୁ । ଜିଭ ଶୁଖି ଅଠା ଅଠା ହେଇଗଲା । ମୁଣ୍ଡ ଉଠେଇ ଚାହିଁ ରହିଥିଲେ ମଧୁଛନ୍ଦା ନିଜ ସ୍ୱାମୀଙ୍କ ମୁହଁଙ୍କୁ । ଦୀର୍ଘ ବର୍ଷର ବିଚ୍ଛେଦ ପରେ ଆଜି ସେ ଫେରିଆସିଛନ୍ତି । ଏକ କଙ୍କାଳସାର ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିସାରି । ବାହାଘର ବେଳେ ଗାଁ ସାରା ଝିଅବୋହୂ ତାଙ୍କ ରୂପରେ ବିମୋହିତ ହୋଇ ତାଙ୍କୁ ଶୁଣେଇ ଶୁଣେଇ କହିଥିଲେ – ଆମ ଛନ୍ଦା ପରି ଭାଗ୍ୟମତୀ ଆଉ କିଏ ଅଛି ମ ! ରୂପରେ କନ୍ଦର୍ପକୁ ହରେଇ ଦେବ, ଏପରି ବରର ହାତ ଧରି ସଂସାର କରିବାକୁ ଯାଉଛି ! ଆଉ କ’ଣ କାହାକୁ ମନେ ରଖିବ ସେ ! ଲକ୍ଷେ ଚମ୍ପା ଚଢେଇଥିଲା ମହାଦେବଙ୍କୁ ଯେତେବେଳେ, ଏମିତି ବର ତ ପାଇବାକୁ ହି ଥିଲା …. ହଉଲୋ ଝିଅ, ଖୁସିରେ ରହ, ସୁଖରେ ରହ .. ଆମକୁ ଭୁଲିଗଲେ ବି ଆମେ ଖୁଣ୍ଟା ଦେବୁନାହିଁ କେବେ ..”

ସେମାନଙ୍କ କଥାରେ ଲାଜେଇ ଯାଇଥିଲେ ସେ । ବେଦୀ ଉପରେ ଓଢଣା ତଳୁ ବାରମ୍ୱାର ସ୍ୱାମୀଙ୍କ ଆଡକୁ ଚାହିଁ  ଖୁସି ହେଇ ଯାଉଥିଲେ .. ଗର୍ବ ଅନୁଭବ କରିଥିଲେ । କିନ୍ତୁ କେତେ ଦିନ ପାଇଁ ଥିଲା ସେ ଗର୍ବ .. ସେ ଖୁସି ..!

ଫିକା ହସର ରେଖାଟିଏ ଓଢଣା ତଳର ଓଠ ଉପରେ ଉକୁଟି ଆସୁ ଆସୁ ଅଟକିଗଲା ସେଇଠି । ଅସ୍ପଷ୍ଟ ଶବ୍ଦରେ କେବଳ ଏତିକି କହିଲେ – “ଖୁସି ..! ଏ ଶବ୍ଦର ମାନେଟା କ’ଣ ଆଗ କହିପାରିବ କି ! ଆଜି ଯାଏଁ ସେକଥା ବୁଝିବାକୁ ସକ୍ଷମ ହେଇନି ମୁଁ । ସ୍ୱାମୀଟିଏ ଘର ଛାଡି ଚାଲିଯାଏ ଯେତେବେଳେ, ସେତେବେଳେ ସାରା ଦୁନିଆ କୁହେ ପତ୍ନୀ ଖୁସି ଦେଇପାରିଲା ନାହିଁ ବୋଲି ସେ ଦେଶାନ୍ତରୀ ହେଇଗଲେ ! ବାପା ମା’ କୁହନ୍ତି ଦେଶ ପାଇଁ  କର୍ତ୍ତବ୍ୟ ପୂରା କରିବାର ବାହାନା କରି ସେ ପଳେଇଗଲା । ତାକୁ ତୁ ସେତିକି ଖୁସି ଦେଇଥିଲେ, ସେ କ’ଣ ଏପରି ପଦକ୍ଷେପଟିଏ ନେଇଥାଆନ୍ତା ! ଏ ଖୁସିଟା କଣ ସତରେ !

ସାହିପଡିଶା, ବାପ ମା’, ବନ୍ଧୁବାନ୍ଧବ, ଭାଇଭଉଣୀ ସମସ୍ତଙ୍କ ମୁହଁରେ ଛାଇ ରହିଥିବା ସନ୍ଦେହର ବାଦଲ ସହିତ ସଂଗ୍ରାମ କରି କରି ଜିଇଁ ରହିବା କ’ଣ ତମର ଏଇ ସ୍ୱାଧିନତା ସଂଗ୍ରାମ ଠାରୁ କିଛି କମ୍ ଅଟେ ! ସାରା ଜୀବନ ଦେହର ଦାହ ସହି ସହି ନିଜକୁ ବଞ୍ଚେଇ ରଖିବା କ’ଣ କୋଉ ସ୍ୱାଧିନତା ସଂଗ୍ରାମଠୁ କମ୍ ଅଟେ !

ଛାଡ ସେକଥା .. ହଁ ମୁଁ ଖୁସି । ଏତେ ବର୍ଷ ପରେ ଘରମୁହାଁ ହେଇଥିବା ସ୍ୱାମୀକୁ ପାଇ ସବୁ ମହିଳାଙ୍କ ପରି ମୁଁ ବି ଖୁସି ହେଉଛି । ତେବେ ଏ ଖୁସିକୁ ମୋ ସହିତ ଭାଗ ହେବାକୁ ମୋ ଜୀବନରେ ଆଉ କେହି ବି ବଞ୍ଚିନାହାନ୍ତି । ସମୟର କ୍ରୁର ସ୍ପର୍ଶ ସେମାନଙ୍କୁ ମୃତ୍ୟୁର ଶେଯରେ ଶୁଆଇ ଦେଇଛି । ତଥାପି ବି ମୁଁ ଖୁସି ଯେ ତୁମେ ତୁମ ସଂଗ୍ରାମ ସାରି ଫେରି ଆସିଛ .. କିନ୍ତୁ ମୋ ସଂଗ୍ରାମ ..!”

ମଧୁଛନ୍ଦାଙ୍କର ଶେଷ କଥା ତାଙ୍କ କାନରେ ପଡିନଥିଲା । ପରିବାରର ଶେଷ ସମୟରେ ଠିଆ ହେଇ ନପାରିଥିବାର ଦୁଃଖରେ ଗୁମ୍ ସୁମ୍ ହେଇଗଲେ ସେ। ଆଖି ଆଗରେ ସମସ୍ତଙ୍କର ଆପଣାର ଚେହେରା ନାଚି ଉଠିଲା । ଘର ଭିତରକୁ ପ୍ରବେଶ କରି ତା’ର ସେ ଶ୍ରୀହୀନ ରୂପରେ ବତୁରି ଉଠିଲେ । ତଥାପି ତାଙ୍କୁ ଭାରି ଆଶ୍ୱସ୍ତ ଲାଗୁଥିଲା । ଆଜି କେତେ ଯୁଗ ପରେ ସେ ନିଜ ଖୋଲା ମେଲା ଘର ଅଗଣାରେ ନିଶ୍ଚିନ୍ତ ହୋଇ ବୁଲିବାର ସୁଯୋଗ ପାଇଥିଲେ । ବହୁତ ଦିନ ପରେ ପେଟ ଭରି ସ୍ୱାଦିଷ୍ଟ ଭୋଜନ କରିଥିଲେ .. ପତ୍ନୀର ସେବା ପାଇଥିଲେ .. ନିଜ ବିଛଣାରେ ଭରପୁର ନିଦରେ ଶୋଇଥିଲେ । ଏକ ମୁକ୍ତ ଭାରତର .. ସ୍ୱାଧିନ ଭାରତର .. ଏକ ସୁନ୍ଦର ଭାରତର ସ୍ୱପ୍ନ ଦେଖିଥିଲେ । ତଥାପି ତାଙ୍କୁ ଲାଗୁଥିଲା ସେ ଏବେ ବି ଅପରିଚିତ ଅଛନ୍ତି ଏ ଘର ପାଇଁ .. ପରିବେଶ ପାଇଁ .. ବିଶେଷ କରି ମଧୁଛନ୍ଦାଙ୍କ ପାଇଁ !

ସକାଳୁ ସକାଳୁ କାହାର ଓଜସ୍ୱୀ ସ୍ୱରର ଗୁରୁ ଗମ୍ଭୀର ବାଣୀରେ ନିଦ ଭାଙ୍ଗିଗଲା ତାଙ୍କର । କିଏ ଏମିତି ଏତେ ବଡ ବଡ଼ କଥା କହୁଛି .. ଆଉ କାହାକୁ କହୁଛି ..! କାହିଁକି ବା କହୁଛି । ସେଇ ଶେଯରେ ଶୋଇ ଶୋଇ ସେ ପ୍ରଥମେ ଜାଣିବାକୁ ଚାହିଁଲେ ନିଜ ପ୍ରଶ୍ନ ସବୁର ଉତ୍ତର ।

“ .. ଆମେ ମହିଳାମାନେ ହିଁ ନିଜ ଅବନତି ପାଇଁ ଦାୟୀ । ଆମେ ହିଁ ପୁରୁଷକୁ ଉତ୍ ପ୍ରେରିତ କରିଥାଉ ଆମକୁ ତିଳ ତିଳ କରି ହନ୍ତସନ୍ତର ଜୀବନ ଜିଇଁବାକୁ ଛାଡିଦେବା ପାଇଁ ! ସେମାନଙ୍କର ସବୁ ଭୁଲ୍ କୁ ମଥାର ତିଳକ କରି ଗର୍ବ କରିବା ପାଇଁ । ନିଜ ପରିସ୍ଥିତି ପାଇଁ ଯେ ଆମକୁ ପ୍ରଶ୍ନ କରିବା କଥା, ଏହା ଆମେ ସ୍ୱପ୍ନରେ ବି ଭାବି ପାରୁନା । ସାରା ଦୁନିଆର ସବୁ ଭୁଲ୍ ପଛରେ ଯେମିତି କେବଳ ଆମେ ମହିଳାମାନେ ହି ଥାଉ ..! କିନ୍ତୁ ସମୟ ବଦଳିଲାଣି .. ଏଥର ଆମକୁ ବି ବଦଳିବାକୁ ପଡିବ । ଦୋଷ ମୁଣ୍ଡେଇ ମୁଣ୍ଡେଇ ଜୀବନ ଜିଇଁବାର ଏ ପ୍ରଥାକୁ ଏଥର କବର ଦେବାକୁ ହେବ ! ଆମ ଭିତରର ସବୁ ଜ୍ୱାଳା .. ସବୁ ଅପମାନ .. ସବୁ ହୀନତାକୁ ଏଥର ତଡିବାକୁ ହେବ .. ଆମକୁ ସଂଗ୍ରାମ କରିବାକୁ ହେବ, ଠିକ୍ ଆମ ସ୍ୱାଧିନତା ସଂଗ୍ରାମୀଙ୍କ ପରି । ଦେଶ ସ୍ୱାଧିନ ହେଇଗଲା ବୋଲି ଯେ ଦାୟୀତ୍ୱ ସରିଗଲା, ସେକଥା ନୁହେଁ ! ଏଥର ଏ ସଂଗ୍ରାମ ଆମ ନିଜ ପାଇଁ ଜାରି ରହିବ ..”

ଝରକା ଦେଇ ବାହାରକୁ ଉଣ୍ଡିଲେ କୈଳାଶ ସାମନ୍ତ । କିଏ ଜଣେ ତାଙ୍କ ଆଡକୁ ପଛ କରି ଠିଆ ହେଇ ଭାଷଣ ଦେଉଛି । ଗାଁ ସାରା ସବୁ ମହିଳା ତା’ ଆଡକୁ ମୁଗ୍ଧ ଦୃଷ୍ଟିରେ ଚାହିଁ ରହିଛନ୍ତି । ସେମାନଙ୍କର ଠିକ୍ ସାମନାରେ ଫର ଫର ହେଇ ତ୍ରିରଙ୍ଗା ଉଡୁଛି । ପାଖରେ ଥୁଆ ହେଇଛି ଫୁଲମାଳାରେ ସଜା ହେଇଥିବା କସ୍ତୁରବା ଗାନ୍ଧିଙ୍କ ଫଟୋ ଚିତ୍ର । ତା’ ସେପାଖକୁ ସରୋଜିନୀ ନାୟଡୁ, ବିଜୟଲକ୍ଷ୍ମୀ ପଣ୍ଡିତ ଏବଂ ଆହୁରି କିଛି ମହିଳା ସଂଗ୍ରାମୀଙ୍କ ଫଟୋ । କାଲି ରାତିର ଅନ୍ଧାରରେ ସେ ଦେଖି ପାରିନଥିଲେ କିଛି ଭଲ କରି, ମାତ୍ର ଆଜି ଦିନର ଆଲୋକରେ ସେ ଦେଖି ପାରୁଥିଲେ ଚତୁର୍ଦ୍ଦିଗରେ ବ୍ୟାପି ରହିଥିବା ସଂଗ୍ରାମର ସ୍ୱରକୁ । ଦରି ବିଛେଇ ବସିଥିବା ସମସ୍ତ ମହିଳାମାନଙ୍କ ସାମନାରେ ଥୁଆ ହେଇଥିବା ଅରଟରେ ସେମାନେ ସୂତା କାଟୁଥିଲେ, ଆଭୂଷଣହୀନ ଦେହରେ ଥିଲା ଖଦିର ପୋଷାକ ଆଉ ମୁହଁରେ ଥିଲା ଦେଶ ବନ୍ଦନା । ହତପ୍ରଭ ହୋଇ ଚାହିଁ ରହିଥିଲେ କୈଳାଶ ସାମନ୍ତ ସେଇ ମହିଳା ଆଡକୁ, ଯିଏ ନିଜର ବକ୍ତବ୍ୟ ଶେଷ କରି ବସିଲା ବେଳେ ତାଙ୍କ ଆଡକୁ ଥରେ ଚାହିଁ ଦେଇଥିଲେ । ଆଜି ପ୍ରଥମ ଥର ପାଇଁ ଦିନର ଆଲୋକରେ ବିନା ଓଢଣାରେ ଦେଖୁଥିଲେ ସେଇ ମୁହଁକୁ ସେ ।

ଅବଳା ଦୁର୍ବଳାର ଯେଉଁ ରୂପର କଳ୍ପନା ଏତେ ବର୍ଷରୁ ସେ କରି ଆସିଥିଲେ, ତାହାର ଲେଶ ମାତ୍ର ଚିହ୍ନବର୍ଣ୍ଣ ବି ନଥିଲା ସେଇଠି ! ବରଂ ତାଙ୍କ ସମ୍ମୁଖରେ ଠିଆ ହୋଇଥିଲା ଜଣେ ଦୃଢମନା ମହିଳା, ଯିଏ ପୁରୁଷର ବଶ୍ୟତାକୁ କେବେ ବି ସ୍ୱୀକାର କରିପାରିବ ନାହିଁ ବୋଲି କାଲି ରାତିରେ ତାଙ୍କୁ ସଫା ସଫା ଶୁଣେଇ ଦେଇ ଏକଥା କହିଥିଲା ଯେ ଏ ଘରର ଉତ୍ତରାଧିକାରୀକୁ ସେ ହୃଦୟର ସହ ସ୍ୱାଗତ ଜଣେଇ ତା’ ହାତରେ ସବୁ ଦାୟୀତ୍ୱ ସମର୍ପି ଦେଇ ଏବେ ନିଜେ ଚାଲିଯିବ ସଂଗ୍ରାମ କରିବାକୁ, ଯାହାର ଦେଶ ସ୍ୱାଧିନତା ସହିତ କିଛି ବି ସଂପର୍କ ନାହିଁ କି ଆଗକୁ ବି ରହିବ ନାହିଁ । ସେ କେବଳ ସେତିକିବେଳେ ଏ ଘରକୁ ଫେରିବେ, ଯେତେବେଳେ ସେ ଚାହୁଁଥିବା ପ୍ରକୃତ ସ୍ୱାଧିନତା ଏ ଦେଶର ପ୍ରତ୍ୟେକ ମହିଳାକୁ ସେ ଦେଇପାରିବେ !

ହେଇପାରେ ମୁଁ ମାଇପୀ ମଣିଷ .. ଦେଶ କ’ଣ, ସ୍ୱାଧିନତା କ’ଣ, ସଂଗ୍ରାମ କ’ଣ, କିଛି ନଜାଣି ଥାଇପାରେ ! କିନ୍ତୁ ସ୍ୱାଭିମାନର ଜୀବନ କ’ଣ, ସେତିକି ଜ୍ଞାନ ମୋର ସେତେବେଳେ ବି ଥିଲା ଆଉ ଆଜି ବି ଅଛି ! ଆଉ ଏଇଟା ମୋର ନିଶା ନୁହେଁ .. ଅଧିକାର !!”

ପ୍ରତି ବର୍ଷ ଅଗଷ୍ଟ ପନ୍ଦରରେ ତ୍ରିରଙ୍ଗା ଉଡେଇ ସ୍ୱାଧିନତା ଉପରେ ଭାଷଣ ଦେଲା ବେଳେ ମଧୁଛନ୍ଦାଙ୍କର ପ୍ରତିଟି ଶବ୍ଦ ତାଙ୍କ କାନ ପାଖରେ ଗୁଞ୍ଜରିତ ହୁଏ .. ତାଙ୍କ ପାଇଁ ପ୍ରାଣ ବ୍ୟାକୁଳ ହୁଏ, ହେଲେ ସେ ନିଜେ ବି ଜାଣିଛନ୍ତି ଗୋରା ସରକାରଙ୍କ ହାତରୁ ସ୍ୱାଧିନତା ପାଇବାଟା ଯେତେ ସହଜ ଥିଲା, ସମାଜର ନିୟମ କାନୁନ ଅନ୍ଧବିଶ୍ୱାସ ପାଖରୁ ପାଇବା ସେତିକି କଠିନ ଅଟେ । ଆଉ ଏ କଠିନ ସଂଗ୍ରାମ ତାଙ୍କ ଜୀବିତାବସ୍ଥାରେ କେବେ ଶେଷ କରିପାରିବେ ନାହିଁ ମଧୁଛନ୍ଦା, କି ଫେରିକି ବି ଆସିବେ ନାହିଁ ଆଉ । ତଥାପି ମନର କୋଉ କୋଣରେ ଆଶାର ଦୀପଟା ଏବେ ବି ଦିକ୍ ଦିକ୍ ହୋଇ ଜଳି ଜଳି ତାଙ୍କ ମନର ବିଶ୍ୱାସକୁ ଜଳେଇ ରଖିଛି ଯେ ଖୁବ୍ ଶୀଘ୍ର ଏ ସଂଗ୍ରାମ ଶେଷ ହେବ ଆଉ ତାଙ୍କ ଘରସଂସାର ନିଶ୍ଚୟ ହସିଉଠିବ !!

-0-


Rate this content
Log in

Similar oriya story from Drama