Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Sahoo

Comedy

4.5  

Lipi Sahoo

Comedy

ଛାଡଖାଇ

ଛାଡଖାଇ

5 mins
308


ହତାଶିଆ ବାବୁ ମର୍ଣ୍ଣିଂୱାକରୁ ଫେରି ସୋଫା ଉପରେ ଲଥ୍ କିନା ବସି ପଡିଛନ୍ତି କି ନାହିଁ । ଆଖି ଫାଡ଼ି ଦୁଲଦୁଲି ଅପା ଆସି ଅଣ୍ଟାରେ ହାତ ରଖି ଝିଙ୍ଗାସି ହେଇ କହିଲେ ହୋଇଓ ! କ'ଣ ଖାଲି ହାତରେ । ମୁଁ ତ ଅନେଇ ବସିଛି ମାଛ କି ମାଉଁସ ଆଣି ଆସିବ ବୋଲି । ଏଥର ଛାଡଖାଇ କରେଇ ଦେବନି କି ???? ଘଡି ଦେଖିଲ ଆସି ସାଢ଼େ ଆଠଟା ହେଲାଣି ଆଉ କ'ଣ ବାରଟା ରେ ଯାଇ ଆଣିବ ??? ଆଉ ଥବ ଯେ ଛାଡଖାଇ କରିବ !!!! 

               ମୁହଁ କୁ କୁରସୁଣ୍ଡିଆ କରି ହତାଶିଆ ବାବୁ କହିଲେ ମୁଁ କ'ଣ କରିବି ଯେ ? ଖଟିରେ ପହଞ୍ଚିଲା ବେଳକୁ ସମସ୍ତେ କହିଲେ ସେମାନେ ସବୁ ବ୍ୟବସ୍ଥା କରି ସାରିଛନ୍ତି । ଦାସ ବାବୁଙ୍କ ଶଶୁର ଘରୁ (ମୟୁରଭଞ୍ଜ)ରୁ ଦୁଇ ଦିନ ଆଗରୁ ଦେଶି ପେଣ୍ଠି କୁକୁଡ଼ା ଆସି ପହଞ୍ଚି ସାରିଛି । ମହାପାତ୍ର ବାବୁଙ୍କ ପୁଅ ପାରାଦୀପ ରେ ଚାକିରୀ କରେ ସେ ବାଗଦା ଚିଙ୍ଗୁଡ଼ି ପଠେଇ ଦେଇଛି । ଆଉ ବାକି ଯେତେ ରହିଲେ ସେମାନେ ଶନିବାରରୁ ଟଙ୍କା ଆଦାୟ କରି ସାଲେପୁର ରୁ ଛେଳି ମଗେଇ ଦେଇଛନ୍ତି । ଭାଗ କରି ନେବେ । ମୋର ତ ପୋଡ଼ା କପାଳ ଶନିବାର ଦିନ ମୁଁ ୱକରେ ଯାଇ ନଥିଲି ଦେହ ଭଲ ଲାଗୁ ନଥିଲା ବୋଲି । ତେଣୁ ଶୋଇଲା ପୁଅର ଭାଗ ନାହିଁ । ଏବେ କହିଲା ବେଳକୁ କହୁଛନ୍ତି ସବୁ ଭାଗ ସରିଲାଣି ନା ଆଉ କ'ଣ ଅଛି ??? ଶଳା ! ଶଶୁର ଘର ମୟୂରଭଞ୍ଜ ରେ ହେଇଥିଲେ ଭଲ ହେଇଥାନ୍ତା । 

               କ'ଣ ???? ଗମାତ ଖେଳୁଚ ?? ଏବେ ବି ବୟସ ଅଛି ସେଇ ଆଡୁ ଗୋଟ ବାହା ହେଇ ପଡୁନ ଦେଶି କୁକୁଡ଼ା ବସି ଖାଉଥିବ । ମୁଁ କିଛି ଜାଣିନି ବ୍ୟାଗ ଧର ଯାହା ହେଲେ ନେଇକି ଆସ । ମାସେ ଡାଲମା ଭାତ ଖାଇ ଖାଇ ପାଟି ଅରୁଚି ଧରିଲାଣି । କେତେ ମନ କରି ଅନେଇଚି ଛାଡଖାଇ କୁ , ଦିନ ଗଣି ଗଣି । ଆମିଷ ନ ଆଣିଲେ ଆଜି ରନ୍ଧା ବନ୍ଦ ।

               ଦେଖୁଚ ତ କରୋନା ସମୟ । ମାର୍କେଟ ରେ ଏବେ ଭିଡ଼ ଥିବ ଯେ ରାଶି ପକେଇବାକୁ ଯାଗା ନଥିବ । ଆସିଲା ବେଳକୁ ରଫତାରମିଆଁ ଦୋକାନ ଆଗରେ ଶହେ ଖଣ୍ଡେ ଲୋକ ହାଉଜାଉ ହୋଉଥିଲେ । ଲୋକ ଆଉ କରୋନା ଫରୋନା କିଛି ମାନୁ ନାହାନ୍ତି । ଠେଲାପେଲା ରେ ପାଞ୍ଚେ ଖଣ୍ଡେ ରଫତାରମିଆଁ ର ମାଉଁସ କଟା କାଠ ଉପରେ ହାମୁଡେଇ ପଡିଲେ । କଲର ତକାତେ ଧରାଧରି ହେଇଗଲେ । ସେଠୁ "ଯଃ ପଳାୟତି, ସଃ ଜୀବତି" ନ୍ୟାୟ ରେ ଛତ୍ରଭଙ୍ଗ ଦେଲି । ଏବେ ଆଉ କୋଉଠି କି ଯାବି ?? ମାଛ ହାଟରେ ଯାହା ଅବସ୍ଥା ଥିବ ତମେ ଜାଣି ପାରୁଥିବ । ସବୁ ବିରାଡ଼ି ବୈଷ୍ଣବ ଆଜି ସକାଳୁ ସେଇଠି ଡେରା ପକେଇ ଥିବେ । ଦଉଡ଼ି କଟା ଓଲେଇ ଗାଈ ପରି ସବୁ ସହରଟା ସାରା କ୍ଷେପି ଯିବେଣି । ମୁଁ ଏଇଲେ ଯାଇ କୋଉଠି ପଶିବି ?? ଆଇଁଷ ଆଣେ ନ ଆଣେ କରୋନା ନେଇ ନିଶ୍ଚୟ ଫେରିବି ।

               ମୁହଁ କୁ ମୋଡି ଦେଇ ଦୁଲଦୁଲି ଅପା କହିଲେ । ସବୁ ପୁଣି ସେଇଥିରେ ଆଣି ଛାଡଖାଇ କରିବେ ନା , ଆଉ କ'ଣ ଛାଡ଼ିବେ ?? ମାସେ ହେଲା ଆଇଁଷ ପାଣି ଟିକେ ତୁଣ୍ଡ ରେ ବାଜିନି । ମନ ଡହଳ ବିକଳ ହେଇଗଲାଣି । ସଜ ତଟକା ଗରମ ଲୁହ ଦୁଇଟୋପା ଶାଢ଼ୀ କାନିରେ ପୋଛି ପକେଇଲେ ।

               ଏତିକିରେ ତ ହତାଶିଆ ବାବୁ ଙ୍କ ପୁରୁଷ ପଣିଆ ଜାଗି ଉଠିଲା । ଧିକ୍ ମୋ ଜୀବନ ! ଯଦି ଟିକେ ଆଇଁଷ ନ ଆଣିପାରିଲି ମୋ ପ୍ରିୟତମା ସ୍ତ୍ରୀ ପାଇଁ ପୁଣି ଛାଡଖାଇ ଦିନରେ । ଯାଅ ବ୍ୟାଗ ଆଣ ! ଏଇ ଗଲି ଏଇ ଆଇଲି । ଏତିକି କହି ଧଡଧଡିଆ ସ୍କୁଟିକି ଘଡରଘଡର ଷ୍ଟାର୍ଟ କରି ମେଞ୍ଚେ କଳାଧୂଆଁ ଉଡେଇ ବାହାରି ଗଲେ । 

               ଏକ ନମ୍ବରହାଟ ମାଛ ମାର୍କେଟ ଅବସ୍ଥା ଦେଖି ତାଙ୍କ ହାଲକ ଶୁଖିଗଲା । ପୁରା ବାଲିଯାତ୍ରା ଭିଡ । ସବୁ ଯେମିତି ଗୋଟେ ଗୋଟେ ଯୋଦ୍ଧା ସଦ୍ୟ କରୋନାକୁ ମାତ୍ ଦେଇ ଆସିଛନ୍ତି । ପୋଲିସ ନିର୍ବାକ ନିଶ୍ଚଳ ହେଇ ସବୁ ଦେଖୁଛି । ହେଲେ ତା'ର ଯୁ ନାହିଁ ପାଟି ଫିଟେଇବାର । ସେ ଆଉ କାହାକୁ କ'ଣ ଦୋଷ ଦେବେ ?? ନିଜେ ତ ବ୍ୟାଗ ଧରି ଆସିଛନ୍ତି ବିକଳରେ ଆମିଷ ଟିକେ ନେବା ପାଇଁ । ନା ! ଏଠି ପଶି ହେବନି ଯାଏ ଚାରି ନମ୍ବର ମାଛ ହାଟ । ସେଠି କାଳେ ଟିକେ ଫାଙ୍କା ଥିବ ! ପୁଣି ସ୍କୁଟି ଫଡଫଡ କରି ବୁଲେଇଲେ ଚାରି ନମ୍ବର ଆଡେ । ହେ ପ୍ରଭୁ ! ଏଠି ତ ମହାକୁମ୍ଭ । ସତେ ଯେମିତି ମାସକ ଯାକର ପୂଣ୍ୟ ଏଇଠି ବୁଡ଼ ପକେଇଲେ ସମାପନ ହେବ । ମାସକ ଯାକର ଧରମ ଏଇଠି ନିଲାମ ହୋଉଛି । ଯିଏ ଯେତେ ଧରମ କରିଛି ସେତେ ମାଛ ପାଇବ । ମୋର ଧରମ ଘର ଶୂନ ବୋଧେ ତେଣୁ ଆମିଷ ଯୋଗ ଆଜି ନାହିଁ । ହେଲେ ସ୍ତ୍ରୀ ଙ୍କର ଫଣଫଣିଆ ମୁହଁ ମନେ ପଡିଯିବାରୁ ହତାଶିଆ ବାବୁଙ୍କ ର କଲିଜା ଟା ଚିପୁଡି ହେଇଗଲା । ଖାଲି ହାତରେ ଘରକୁ ଗଲେ ମାଳିକା ବଚନ ଆଜି ହିଁ ସତ ହେଇଯିବ । ପୃଥିବୀ ପ୍ରଳୟ ହେବା ନିଶ୍ଚିତ । ଘଡିକୁ ଦେଖିଲେ ଏଗାରଟା ବାଜିଲାଣି । ମୁହଁ ଖରାରେ ତାମ୍ପେଡା ଶୁଖୁଆ ଭଳି ହେଇଗଲାଣି । ନା ଯାଏ ହଂସପାଳ ବ୍ରିଜ ପାଖକୁ , ଯେତେ ଦାମ୍ ପଡୁ ପଛେ , ମାଉଁସ ଟିକେ ହେଲେ ନେଇକି ଯିବି । ଘଡଘଡ କରି ସ୍କୁଟି ମୋଡିଲେ ହଂସପାଳ ଆଡେ । ସେଠି ଅବସ୍ଥା ଦେଖି ବାବୁଙ୍କ ର ହଂସା ବୁଡିଗଲା । ସେଠି ତ ବଡ଼ ବଡ଼ ଗାଡ଼ି ଧାଡ଼ି କି ଧାଡ଼ି ଲାଇନ୍ ଲାଗିଛି । ସବୁ ଭିଆଇପି ମାର୍କା ଗାଡ଼ି , ଏଇ ଧଡଧଡି ସ୍କୁଟି କୋଉଠି ପଶିବ ?? ଆଉ ଯେତେ ଲମ୍ବା ଲାଇନ୍ ହେଇଛି ମୋ ପାଳି ଆସୁ ଆସୁ ଚାରିଟା ବାଜିବ । ସାରା ରାଜଧାନୀ ଟା ବୁଲି ସାରିଲେଣି ହେଲେ ଟିକେ ଆମିଷ ଯୋଗାଡ଼ କରିପାରିଲେ ନି । ଆଜି ଟନ୍ ଟନ୍ ମାଛ ମାଂସ ବିକ୍ରୀ ହେବ ହେଲେ ତାଙ୍କ କପାଳରେ ଅଧକିଲେ ବି ଲେଖା ନାହିଁ । ତାଙ୍କର ମନେପଡ଼ିଲା ଗୀତ -

               ହେ ! ପ୍ରଭୁ ଦେଖା ଦେ...

               ଅଧକିଲୋ ମାଛ କି ମାଂସ ଦେ....

              

              କ'ଣ ମନ ହେଲା କେଜାଣି ଲକ୍ଷ୍ମୀସାଗର ଭିତରେ ସ୍କୁଟି ପୁରେଇଲେ । ବେଳ ଆସି ବାରଟା ପାଖାପାଖି । ଆଖି ପଡ଼ିଲା ଗୋଟେ ବୁଢ଼ୀ ଟୋକେଇଟେ ମୁଣ୍ଡେଇ ଯାଉଛି । ତା ପାଖରେ ସ୍କୁଟି ରଖି ପଚାରିଲେ କ'ଣ ନେଉଚୁ ମାଉସୀ ??? ସେ କହିଲା ଆଉ କ'ଣ ଅଛି ?? ସବୁ ସରିଲାଣି । ଚୂନା ନଈ ଚିଙ୍ଗୁଡି ଅଢେଇଶ କି ତିନିଶ ପଡ଼ିଛି । ଓଃ ! ସତେକି ହତାଶିଆ ବାବୁ ଇନ୍ଦ୍ର ପଦବୀ ଟା ପାଇଗଲେ । ଲାଗିଲା ସ୍ୱୟଂ ଭଗବାନ ନିଜେ ବୁଢ଼ୀ ବେଶରେ ତାଙ୍କ ପାଇଁ ଚିଙ୍ଗୁଡ଼ି ଆଣି ଆସିଛନ୍ତି । ସତରେ ଭକ୍ତର ଭଗବାନ । ଖାଲି ସେତିକି ନୁହଁ ସାରା ସୃଷ୍ଟି କୁ ଦୁଲଦୁଲି ଦାନବୀ ଠାରୁ ରକ୍ଷା କଲେ । ଦେ ଦେ ମାଉସୀ ଯାହା ଅଛି ଝାଡିଝୁଡି କି ଦେଇଦେ । ମୋ ପ୍ରାଣ ଆଜି ରକ୍ଷା କରିଦେଲୁ । ସେତକ ଧରି ଯାଉ ଯାଉ ତାଙ୍କ ଆଖି ପଡିଲା ରାସ୍ତା କଡ଼ରେ ପରିବାବାଲାର ଝୁଡ଼ିରେ ରଖା ହେଇଥିବା ଝନଝନିଆ ପୋଇ ଡଙ୍କ ଉପରେ । ସେଥିରୁ କେରେ ଧରି ଘରେ ପହଞ୍ଚିଲା ବେଳକୁ ସାଢ଼େ ବାର ।

               ଦୁଲଦୁଲି ଅପା ବ୍ୟାଗ ଖୋଲି ଦେଖି କହିଲେ ଏଁ ! ଚାରି ଘଣ୍ଟା ବୁଲି ଏଇୟା ନେଇ ଆସିଛ ??? ହତାଶିଆ ବାବୁ ଆଖି ତରାଟି କହିଲେ ଏତକ ବି ମିଳି ନଥାନ୍ତା ହୋ ! ମାସକ ଯାକର ପୂଣ୍ୟ ବଦଳରେ ଏତକ ମିଳିଛି । ପୋଇଡଙ୍କ ସୋରିଷ ଦେଇ ଭଲକରି ରାନ୍ଧିଦିଅ ଛାଡଖାଇ ବିଧି ରକ୍ଷା ହେଇଗଲେ ହେଲା। ମୋ ମୁହଁ ଦେଖି ତମର ଦୟା ଆସୁନି ?ବୁଲି ବୁଲି ମୁଁ ନିଜେ ଶୁଖୁଆ ବନିଗଲିଣି । ଆଜି ସନ୍ଧ୍ୟାରେ ଟିଭିରେ ଦେଖିବନି କି ଆଇଁଷ ହାଟର କି ଅବସ୍ଥା ! ଇଣ୍ଡିଆ ପାକିସ୍ତାନ ଲଢେଇ ସହିତ ସମାନ । ଆଉ କିଛି କୁହନା ଜଲଦି ରାନ୍ଧ ପ୍ରବଳ ଭୋକ.......।।



Rate this content
Log in

Similar oriya story from Comedy