ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
ସେଦିନ ସକାଳୁ ସକାଳୁ ପାଗଟା ଟିକେ କୋହଲା କରି ରଖିଥାଏ । କାହିଁକି କେଜାଣି ଜମା ବି ଇଚ୍ଛା ହେଲା ନାହିଁ କଲେଜ୍ ଯିବା ପାଇଁ । ସାଙ୍ଗମାନଙ୍କୁ ଫୋନ୍ କରି ନ ଯିବା ପାଇଁ କହିଲି, କାହିଁକି ନା ଆମ ଗ୍ରୁପରେ ଯଦି ଜଣେ ନ ଯାଏ ତାହେଲେ ଗ୍ରୁପର କୌଣସି ପିଲା ବି ସେଦିନ କଲେଜ୍ ଯାନ୍ତି ନାହିଁ ।
କଲେଜ୍ ଯିବିନି ବୋଲି ଟିକେ ଡେରିରେ ଉଠିଲି ଆଉ ନିଜ କାମ ସାରି ଦେଇ ହାତରେ ଚା କପ୍ ଧରି ଚାଲିଲି ବାଲକୋନୀକୁ । ସେଠି ଠିଆ ହେଇ ଅନୁଭବ କଲି ପବନର ସେ ହାଲକା ଆଉ ମିଠା ସ୍ପର୍ଶକୁ । ସେଠି ଠିଆ ହେଇ ଚାହିଁଲି ଚାରିଆଡକୁ । ସବୁଦିନ ଭଳି ସହରଟା ଚଳ ଚଞ୍ଚଳ ଅଛି ସତ ହେଲେ ଆଜି ପରିବେଶଟା କିଛି ନୂଆ ନୂଆ ଲାଗୁଛି । ଚାରିଆଡେ, କୋହଲା ପାଗର ଗୋଟିଏ ଧଳା ଆସ୍ତରଣ , ପକ୍ଷୀମାନଙ୍କର ଅଲଗା ଏକ ଭାବ ।
ଚା ପିଉ ପିଉ ହଠାତ୍ ଝିପି ଝିପି ବର୍ଷା ଆରମ୍ଭ ହୋଇଗଲା । ମେଘଛିଟଗୁଡ଼ିକ ବାଲକୋନୀରେ ଫୁଲ ପାଖୁଡ଼ା ପଡ଼ିଲା ଭଳି ପଡୁଥାଏ , ଆଉ ମେଘର ପ୍ରତିଟି ଟୋପା ମୋ ଦେହରେ ନୂଆ ଏକ ଶିହରଣ ସୃଷ୍ଟି କରୁଥାଏ । ତଳକୁ ଚାହିଁ ଦେଖିଲି ରାସ୍ତାରେ କିଛି ପିଲା ସ୍କୁଲ୍ ଯାଉଛନ୍ତି ଆଉ ବର୍ଷା ଆରମ୍ଭ ହେଇ ଯିବାରୁ ଦୌଡ଼ିବାକୁ ଲାଗିଛନ୍ତି । ପିଲାମାନଙ୍କୁ ଦେଖି ମୋର ମୋତେ ମୋ ପିଲା ଦିନ କଥା ମନେ ପଡିଗଲା ଆଉ ତା ସାଙ୍ଗକୁ ମୋର ପ୍ରଥମ ସାଙ୍ଗ, କହିବାକୁ ଗଲେ ଆଜିକା ଦିନରେ ମୋର ପ୍ରଥମ ପ୍ରେମ ଅସିତ୍ । ଯିଏ କି ସ୍କୁଲ୍ ଯିବା ବେଳେ ମୋର ପ୍ରଥମ ସାଙ୍ଗ ହେଇ ଥିଲେ । ତାଙ୍କ ଘର ଆମ ଘର ଠାରୁ ପ୍ରାୟ ଛଅ ସାତଟା ଘର ଛାଡ଼ିକି । ସ୍କୁଲ୍ ବସରେ ଯିବା ବେଳେ ଆମର ଭେଟ ହୁଏ । ଗୋଟିଏ ସ୍କୁଲ୍ ଆଉ ଗୋଟିଏ ବସରେ ଯିବା ପରେ ଆମର ଜଣାଶୁଣା ହେଇ ଯାଏ ଆଉ ଆମେ ପରସ୍ପରଙ୍କର ବହୁତ୍ ଭଲ ସାଙ୍ଗ ବି ହେଇ ଯାଉ । ଦୁହେଁ ପରସ୍ପର ସହିତ ବୁଲିବା, ଟିଫିନ୍ ଖାଇବା, ପାଠ ପଢ଼ିବା ସବୁ କାମ ଏକାଠି କରିବା ଆରମ୍ଭ କରି ଦେଲୁ । ଦୁହିଁଙ୍କ ଘର ଲୋକ ବି ବହୁତ୍ ଖୁସି ହେଲେ ଆଉ କହିଲେ ଯାହା ହେଉ ପିଲା ଦିଟା ଭଲ ସାଙ୍ଗ ହେଇ ଗଲେ ଆଉ କିଛି ଅସୁବିଧା ନାହିଁ ।ଏଥର ଆମ ପରିବାର ଲୋକଙ୍କ ସହିତ ତାଙ୍କ ପରିବାର ଲୋକ ବି ଜଡ଼ିତ ରହିଲେ । ପର୍ବପର୍ବାଣୀମାନଙ୍କରେ ଘରକୁ ଯିବା ଆସିବା ଲାଗି ରହିଲା ।
ଆମେ ଦୁହେଁ ଯେତେବେଳେ ସପ୍ତମ ଶ୍ରେଣୀ ପାସ୍ କଲୁ ତା ପରେ ଅସିତ୍ ବାପାଙ୍କର ବଦଳି ହେଇଗଲା କୋରାପୁଟକୁ । ଆଉ ସେଇଠି ହିଁ ପୂର୍ଣ୍ଣଚ୍ଛେଦ ପଡ଼ିଗଲା ଆମ ବନ୍ଧୁତାରେ । ସେତେବେଳେ ମୋବାଇଲ ନ ଥିଲା ତେଣୁ ଯୋଗାଯୋଗ ରଖିବା ସମ୍ଭବ ହେଇ ପାରିଲା ନାହିଁ। ଅବଶ୍ୟ ଘରେ ଲ୍ୟାଣ୍ଡ ଫୋନ୍ ଥିଲା , ପ୍ରାୟ ଦୁଇ ତିନି ମାସ ଆମେ ମଝିରେ ମଝିରେ କଥା ହେଇଛୁ ଫୋନରେ ତା ପରେ ସବୁ କିଛି ବନ୍ଦ୍ ହେଇଗଲା । ସେ ଏବେ କୋଉଠି ସେ କଥା ବି ମୁଁ ଜାଣିନି ହେଲେ ଏବେ ଯେତେବେଳେ ଯୌବନରେ ପାଦ ଦେଲି କାହିଁକି କେଜାଣି ଅସିତ୍ କଥା ବହୁତ୍ ମନେ ପଡେ । ତା ସହିତ ଥରୁଟିଏ ଦେଖା କରିବା ପାଇଁ ବହୁତ୍ ଇଚ୍ଛା ହୁଏ । ଯଦି କେବେ ଲ୍ୟାଣ୍ଡ ଫୋନରେ କଲ୍ ଆସେ ଧାଇଁ ଆସି ମୁଁ ଉଠେଇ ନିଏ ଭାବେ କାଳେ ଅସିତ୍ କଲ୍ କରିଥିବ କି ! ସମୟ ବହୁତ୍ ଆଗକୁ ଚାଲି ଆସିଛି , ବୟସ ବି ଦୁହିଁଙ୍କର କେତେ ଆଗକୁ ଆସି ଯାଇଛି ହେଲ ଆଜି ବି ମୋ ମନର ଗୋଟିଏ କୋଣରେ ସାଇତି ହେଇ ରହିଛି ସ୍ମୃତି ସବୁ ଅସିତର ।
ତାର ସେ ସୁନ୍ଦର୍ ଚେହେରା, ମିଠା ମିଠା ହସ ମୋତେ ବହୁତ୍ ଭଲ ଲାଗେ । ଏଇ ବର୍ଷାରେ ଆମେ କେତେ ଯେ ଏକାଠି ଭିଜିଛୁ, ସାଙ୍ଗ ହେଇ କାଗଜ ଡଙ୍ଗା ଭସେଇଛୁ ତାର ହିସାବ ନାହିଁ ହେଲେ ସମୟର ସ୍ରୋତରେ ଆମ ଜୀବନ ଡଙ୍ଗା ଏବେ କାହିଁ କେତେ ଦୂରରେ ପରସ୍ପର ଠାରୁ ।
ଏବେ ମୁଁ ଜାଣି ପାରୁଛି ଅସିତ୍ ହିଁ ମୋର ପ୍ରଥମ ପ୍ରେମ ଥିଲା । ଜାଣିନି ଆମେ ଦୁହେଁ କେବେ ଆଉ ଦେଖା ହବୁ କି ନାହିଁ , ସେ ମୋତେ ମନେ ରଖିଛି କି ନାହିଁ ହେଲେ ସେ ମୋର ଏବେ ବି ହୃଦୟରେ ଅଛି । ଆଉ ସାରା ଜୀବନ ରହିବ ମିଠା ସ୍ମୃତିଟିଏ ହେଇ । ।
ଏତିକି ବେଳେ ବାପା ଆସି ଡାକିଲେ କଣ ବର୍ଷାରେ ଓଦା ହେଇ ଜ୍ଵରରେ ପଡ଼ିବାର ଇରାଦା ଅଛି ନା କଣ !!! ବାପାଙ୍କ ସ୍ୱର ଶୁଣି ମୁଁ ମୋ ଭାବନା ରାଇଜରୁ ବାହାରି ଆସି ଘର ଭିତରକୁ ଚାଲି ଆସିଲି । ।