Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Drama Others

2  

Soumya Shubhadarshinee

Drama Others

ବାଘ

ବାଘ

6 mins
7.7K


ଅଭୟାରଣ୍ୟ ବୋଲି ଗୋଟେ ସ୍ଥାନ ଅଛି ଯେଉଁଠି ସବୁ ପ୍ରାଣୀ ମୁକ୍ତ ଜୀବନ ଜିଇଁବାର ପ୍ରତିଶ୍ରୁତି ପାଇଥାନ୍ତି। କିନ୍ତୁ ସେଇ ପ୍ରାଣୀ ଜନବସତି ଭିତରେ ମୁକ୍ତ ହେଇ ବୁଲିବାର ନୁହେଁ, କାରଣ ସେମିତି ହେଲେ କେବଳ ହିଂସ୍ରତା ରାଜୁତି କରେ ସବୁଠି।

★★★★★

ଲିଜା ବିଲକୁଲ ବୁଝୁ ନଥିଲା କାହିଁକି ଏମିତି ଦୁର୍ଘଟଣା ଘଟୁଛି କିଛି ଦିନ ହେଲା। ଜେଜି ମା'ବି କହି ସରିଲାଣି ଯେ ବୋଧେ ତା' ବେଳା ଖରାପ ।ଗୋଟିଏ ଭଲ ଜ୍ୟୋତିଷକୁ ଜାତକ ଦେଖେଇ ପ୍ରତିକାର କରିବା ଉଚିତ। ଏଇ ଯେଉଁ ବୃହସ୍ପତି ଚଳନ ହେଲା ତା'ର ପ୍ରଭାବରେ ଏମିତି ହେଉନଥିବ କିଏ ଜାଣେ?

ଝିଅଟା ଘରୁ ବାହାରି ଯିବା ପରେ ଘଟୁଛି ବିଭିନ୍ନ ଅଘଟଣ। ଯେମିତି ସେଦିନ କୋଲ୍ଡ ଡ୍ରିଙ୍କ ପିଉଥିବା ବେଳେ ଟେବୁଲ ଉପରୁ ତା' 'ଭିବୋ' ଫୋନ୍ ଟା କୁଆଡେ ଗାୟବ ହେଇଗଲା। ଥିଲା ସେଇଠି ଦୁଇ ସେକେଣ୍ଡ ପୂର୍ବରୁ , ଆଉ ହଠାତ୍ ଗାୟବ।

ଖୋଜିଲା କେତେ ସେ , କଲ୍ ଟ୍ରେସ କଲା, ପାପା ପୁଲିସରେ ଦେଲେ। କିନ୍ତୁ ସବୁ ବେକାର । ମିଳିଲା ନାହିଁ ଫୋନ୍ କୌଣସି ଉପାୟରେ। ହେଲେ ବିଚିତ୍ର ଭାବେ ଦୁଇ ଦିନ ପରେ କେହି ଜଣେ କୋରିୟର୍ କରି ଘରକୁ ପଠେଇଲେ ଫୋନ୍ ଟା। ଏଇଟାକୁ ଦୁର୍ଘଟଣା କହିବା ନା ସୁଘଟଣା ଜାଣି ହେଲାନି। ଦୁଇଦିନ କାଳ ସେ ଯେଉଁ ଟେନ୍ସନ୍ ବାପରେ। ହେଲେ ଯାହା ହେଉ ମିଳିଗଲା। କିନ୍ତୁ କିଏ ପଠେଇଲା ??......

*******

ସେମିତି ଅଫିସରୁ ଫେରିବା ବାଟରେ ଦୁଇଟା ଅଜଣା ଲୋକ କଳା ରଙ୍ଗର ବାଇକ୍ ରେ ତାକୁ ଅନୁସରଣ କଲେ। ବହୁତ ଦୂର ଯାଏଁ ତା' ସ୍କୁଟିର କେତେବେଳେ ଆଗରେ ତ' ପୁଣି କେତେବେଳେ ପଛରେ ଚକ୍କର ଖାଇଲେ। ଦେହ ତା'ର ସତେ ଭୟରେ ଝାଳ ସର ସର ହେଇଯାଇଥିଲା। ଗୋଟେ ଆସନ୍ନ ଦୁର୍ଘଟଣା ତାକୁ ବ୍ୟତିବ୍ୟସ୍ତ କରିଦେଇଥିଲା। କିଛି ବି ହେଇପାରେ ଏ ଲୋକ ଦୁଇଟାଙ୍କ ଉଦ୍ଦେଶ୍ୟ!! ଏଇଆ ଭାବି ଭାବି ଫେରିଲା ସେ । କିନ୍ତୁ ଆଶ୍ଚର୍ଯ୍ୟ ସେମାନେ କିଛି କଲେନି ଖାଲି ଡ଼ରେଇଲେ।

*******

ଅଫିସରେ ସେଦିନ ଲିଫ୍ଟ ଭିତରେ , ସେ ଯେଉଁ ଯନ୍ତ୍ରଣା ଓଃ !! କେଜାଣି ଗ୍ରହ ଖରାପ କି ଆଉ କିଛି । ଏକା ଥିଲା ସେ ଲିଫ୍ଟ ରେ , ସାର୍ କିଛି କାରଣରୁ ଡକେଇ ଥିଲେ।ଆଉ ଲିଫ୍ଟ ଅଧା ରାସ୍ତାରେ ଅଟକି ଗଲା। ଆଉ ଧପ୍ କରି ଲିଭିଗଲା ଆଲୁଅ । ଘନ ଅନ୍ଧକାରମୟ ଅଚଳ ଲିଫ୍ଟରେ ସେ କେତେ ଚିତ୍କାର କଲା କହିବାର ନାହିଁ। ଲିଫ୍ଟ ଭିତରର ସେ ଫୋନ୍ ବି କାମ ଦେଲାନି। ସେ ନିଜ ମୋବାଇଲ୍ ରୁ ବାନ୍ଧବୀ ରିୟାକୁ ଫୋନ୍ କଲା। ସେ କୌଣସି ଉପାୟରେ ଘଣ୍ଟାଟେ ପରେ ତାକୁ ଉଦ୍ଧାର କଲା ଟେକ୍ନିସିଆନର ସାହାଯ୍ୟ ନେଇ।

***********

ରବିବାର ଦିନର ଅଘଟଣ ଥିଲା ସାଙ୍ଘାତିକ। ଘରେ କେହି ନଥିଲେ ସେଦିନ। ଝୁନା ଦିଦି ଘରକୁ ଯାଇଥିଲେ ବୁଲି। ତା'ର ପ୍ରୋଜେକ୍ଟ କାମ ପାଇଁ ସେ ଘରେ ଥିଲା। କଥା ଥିଲା ସେ କାମ ସାରି ଲଞ୍ଚରେ ଆସି ଯୋଗ ଦେବ। ସଭିଏଁ ଯିବା ପରେ ଘଟିଲା ବିଚିତ୍ର। କଲିଂ ବେଲ୍ ବଜେଇଲା କେହି । କେତେଥର କହିଛି ମାମା ," ଶୁଣ 'କି ହୋଲ୍' ର ବ୍ୟବସ୍ଥା କର ଘରର ମୁଖ୍ୟ ଦରଜା ରେ।" ପାପା କିନ୍ତୁ ଭାରି କେୟାରଲେସ୍ ଶୁଣୁ ନାହାନ୍ତି। ସେଥିପାଇଁ ଦେଖି ହେଲାନି କିଏ ବେଲ୍ ରିଙ୍ଗ୍ କଲା। ବେଲ୍ ଶୁଣି ସେ ଯେବେ ଦରଜା ଖୋଲେ , କେହି ନାହିଁ। ବାରମ୍ବାର ଏଇଆ ହେଲା ବେଲ୍ ଆଉ କେହି ନାହିଁ। ସେ ପୁରା ଡରି ଗଲା । କିଏ ଆସିଥିଲା ଜଣା ନାହିଁ??

**********

ଆଉ ସେଦିନ ମଲ୍ ର ଘଟଣା ମୁଣ୍ଡ ଗୋଳମାଳ କରିଦେଲା ପୂରା। ସେ ଏକା ଏକା ଯିବାର ସବୁ ସାହସ ସରିଗଲା ସେଦିନ। ପୂଜା ପାଇଁ ଗୋଟେ ଡ୍ରେସ୍ କିଣିବାକୁ ଯାଇଥିଲା । କେହି ବିଶ୍ୱାସ କରିବେ ନାହିଁ ଏମିତି ଘଟଣା। କେହି ଜଣେ ତାକୁ ଓ୍ବ।ସ୍ ରୁମ୍ ରେ ବନ୍ଦ କରିଦେଲା। ଯେତେ ଡୋର୍ ବାଡେଇଲା କେହି ଖୋଲିଲେ ନାହିଁ। ପୂରା ଅଧ ଘଣ୍ଟା ପରେ ଗୋଟେ ମହିଳା ଆସିଥିଲେ ଫ୍ରେସ୍ ହେବାକୁ ଆଉ ତା' ପାଟି ଶୁଣି ଡୋର୍ ଖୋଲିଲେ। କେତେ ଭୟ ପାଇ ଯାଇଥିଲା ବିଚାରୀ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ।

*********

ଏମିତି ବିଚିତ୍ର ଅଘଟଣ ଘଟୁ ଥିଲା ତା' ସହ ବିଗତ କିଛି ଦିନ ହେବ। ଆଉ ଗୋଟେ ପ୍ରଛନ୍ନ ଭୟ ଆବୋରି ନେଇଥିଲା ସତ୍ତା। କୌଣସି କାମ ଏକା କରିବାକୁ ଡରି ଯାଇଥିଲା ସେ। ଆଉ ଅଫିସ ବି ଯିବାକୁ ଭୟ କରୁଥିଲା।

ପାପା ଆଉ ମାମା ବି ଡରିବାକୁ ଆରମ୍ଭ କରିଥିଲେ ଧୀରେ ଧୀରେ। ପାପା ଏବେ ନିଜ ସହ ନେଇ ଅଫିସରେ ଛାଡୁ ଥିଲେ ଆଉ ସାଥିରେ ଧରି ଫେରୁ ଥିଲେ। ମାର୍କେଟ , ପାର୍ଲର, ପାର୍କ କୁଆଡେ ବି ସେ ଏକା ଗଲାନି। ମାମା କି ପାପା କାହାକୁ ସାଥିରେ ନେଇ ଗଲା।

ଏଇ ଭୟ୍ୟାର୍ତ୍ତ ପରିବେଶରେ ହିଁ ଆସିଲା ତା' ଫୋନ୍ କୁ ଗୋଟେ ଅଜଣା ନମ୍ବରରୁ କଲ୍ । ଆଉ ବାରମ୍ବାର ବିରକ୍ତ କଲା ତାକୁ। କିଛି କୁହେନି ସେ ଫୋନ୍ କରୁଥିବା ଲୋକ। ପୁଣି ସବୁବେଳେ ନୂଆ ନମ୍ବରରୁ ରିଙ୍ଗ୍ କରେ । ଯେତେ ହ୍ୟାଲୋ ହ୍ୟାଲୋ କହିଲେ ବି ସେପଟୁ କିଛି ଶୁଭେନି। ଯେମିତି କେହି କେବଳ ତାକୁ ଶୁଣିବା ପାଇଁ ଫୋନ୍ କରୁଛି। ସେ ସବୁଦିନ ବ୍ଲକ୍ କଲା କିଛି ନମ୍ବର ଏମିତି। କିନ୍ତୁ କେତେ ଫୋନ୍ ଆଟେଣ୍ଡ୍ କରିବ , ଆଉ କେତେ ବ୍ଲକ୍। ମୁଣ୍ଡ ଖରାପ ହେଇଗଲା ସାରା ପରିବାରର। ରାତି ସାରା ଫୋନ୍ ବାଜିଲା। ସେ ସାଇଲେଣ୍ଟ୍ କରି ରଖିଲା ଫୋନ୍ । ଅଫିସରୁ ଆସିଥିବା ଫୋନ୍ ବି ବେଳେ ବେଳେ ଆଟେଣ୍ଡ୍ କରିପାରିଲା ନାହିଁ। ଏକଦମ ବ୍ୟତିବ୍ୟସ୍ତ ହେଇଗଲା ।

ଦିନେ ବ୍ୟାକୁଳ ହେଇ କହିଲା, " କଥା ହୁଅ ତୁମେ ମୋ ସହ। ପ୍ଲିଜ କିଏ ତୁମେ ଆଉ କାହିଁକି ଏମିତି କରୁଛ?"

ଜଣା ନାହିଁ ସେଦିନ ବୋଧେ କିଛି ବିଶେଷ ଥିଲା । ସେପଟୁ ସୁଭିଲା ଗୋଟେ ଗମ୍ଭୀର ସ୍ୱର। "ତୁମ ଭୟାତୁର ଚେହେରା ମୋର ପସନ୍ଦ ବହୁତ , ଲିଜା !!!!"

ଓଃ ସାରା ଦେହ ତା'ର ଝିମ ଝିମ ହେଇଗଲା, ତଣ୍ଟି ଶୁଖି ଅଠା ଅଠା , ହୃଦ ସ୍ପନ୍ଦନ ଦ୍ରୁତ ହେଇଗଲା , ମୁଣ୍ଡ ଝାଇଁ ଝାଇଁ ଲାଗିଲା। କିଏ ସେ ଇଏ ଯେ ତା' ମୁହଁରେ ଭୟ ଦେଖି ଖୁସି ହେଉଛି???

କେବଳ ଏତିକି କହି ସେ ନୀରବ ରହିଲା। ସେ ଯେତେ ସେ ସ୍ୱରର ପରିଚୟ ପଚାରିଲା କିଛି ଉତ୍ତର ମିଳିଲା ନାହିଁ।

************

ମାମା ଫୋନ୍ ନମ୍ବର ବଦଳେଇ ଦେବାକୁ କହିଲା। ଆଉ କିଛି ଉପାୟ ନଥିଲା। କିନ୍ତୁ ସେଇ ନମ୍ବର ସଭିଙ୍କ ପାଖେ ଅଫିସ, ବ୍ୟାଙ୍କ, ସବୁ କଲିଗ୍। ଏମିତି ହଠାତ୍ ବଦଳେଇ ଦେଲେ ବହୁତ ଝାମେଲା। ତେଣୁ ସେ ସଙ୍ଗେ ସଙ୍ଗେ ନମ୍ବର ବଦଳେଇ ପାରିଲା ନାହିଁ। ଏହା ବ୍ୟତୀତ ଯେଉଁ ଲୋକ ତା'ସଂକ୍ରାନ୍ତରେ ଏତେ ଖବର ରଖିବାକୁ ସକ୍ଷମ ତା' ନୂଆ ନମ୍ବର ପାଇବାକୁ କେତେ ସମୟ ଲାଗିବ???

ଧୀରେଧୀରେ ସେ ଭୟର ବଳୟ ଭିତରୁ ବାହାରିବାକୁ ମନସ୍ତ କଲା। କେତେଦିନ ଏମିତି ଡରି ଡରି ରହିବ? କ'ଣ କରିବ ସେଇ ଲୋକ ଯେ ଫୋନ୍ କରୁଛି ? ନିଶ୍ଚିନ୍ତ ସେ ଗୋଟେ ଭୀରୁ , କାପୁରୁଷ ଆଉ ଦୁର୍ବଳ ମଣିଷଟେ । ଯାହାର ଗୋଟେ ଝିଅର ସମ୍ନା କରିବାର ସାହସ ନାହିଁ। ସେମିତି ନହେଇଥିଲେ ଲୁଚି ରହି ଫୋନ୍ କରୁଥାନ୍ତା କି? ଫୋନ୍ କରି ପୁଣି ନୀରବ ରହୁଛି। ଗୋଟିଏ ନିର୍ଦ୍ଧିଷ୍ଟ ନମ୍ବରବି ବ୍ୟବହାର କରୁନି। ଆରେ ଯଦି କିଛି କହିବାର ଅଛି ସିଧା ସିଧା ଆଖିରେ ଆଖି ମିଶେଇ, ସାମ୍ନାରେ ବସି କହିବ ,ଏମିତି ଚୋର ପରି ନୁହେଁ। ଯେଉଁ ମଣିଷ ନିଜ ପରିଚୟ ଦେବକୁ କୁଣ୍ଠା କରୁଛି ସେମିତି ଲୋକକୁ କାହିଁକି ଡରିବ ସେ! ଏଇ ଝୁଙ୍କରେ ଲିଜା ସେଇ ସ୍ୱରକୁ ଖୋଜିବାର ପ୍ରଚେଷ୍ଟା କଲା। ନା' ବହୁତ ହେଲା ଏ ଲୁଚକାଳି ଖେଳ। ଏବେ

ସତକୁ ସମ୍ନା କରିବାକୁ ହେବ। ନହେଲେ ଯେ ସେ ଗୋଟେ ସୁସ୍ଥ ଜୀବନ ଜିଇଁ ପାରୁନି।

ବିଗତ ଦିନର ଅଘଟଣ ଆଉ ଏବେ ଏଇ ଫୋନ୍ ମିଳିତ ଭାବେ ଗୋଟେ ସ୍ଥାଣୁ ପରିସ୍ଥିତି ତିଆରିଛନ୍ତି। ଗୁମ ସୁମ ହେଇଯାଇଛି ସବୁ କିଛି। ଖେଳି ଯାଇଛି ଅଜବ ନିରାଶା। କେତେଦିନ ଆଉ ଏମିତି ଭୟ ଆଉ ସଂଶୟ ଭିତରେ ବଞ୍ଚିବ ମଣିଷ??

ଲିଜା ଆଉ ଏମିତି କ୍ଳୀବ ରୂପରେ ଯନ୍ତ୍ରଣାସିକ୍ତ ହେବାକ ଚାହୁଁନଥିଲା। ଯେମିତି ବି ହେଉ ଖୋଜିବାକୁ ହେବ ଏଇ ସମସ୍ୟାର ସମାଧାନ। ଲିଜା ଧୀରେ ଧୀରେ ବୁଝି ଯାଇଥିଲା ତାକୁ ହିଁ ଏ ସମସ୍ୟାର ସମାଧାନ ଖୋଜିବାକୁ ହେବ। ନିଜ ସଂଘର୍ଷ ନିଜକୁ ହିଁ ଲଢ଼ିବାକୁ ହୁଏ!!....

*************

ସେଇ ଫୋନ୍ ର ପ୍ରତୀକ୍ଷା କରିବାର ସିଦ୍ଧାନ୍ତ ନେଲା ଲିଜା। ଆଉ ଯେବେ ଆସିଲା ଫୋନ୍ କଥା ହେଲା ଖୁବ୍ ଅତ୍ମୀୟତା ସହ।

-" ହ୍ୟାଲୋ , କେମିତି ଅଛ ଯେ? କିଛି କହିବ ନାହିଁ ତୁମେ ଜାଣିଛି।କିନ୍ତୁ ମୋର କହିବାର ଅଛି। ଆଜିକାଲି କିଏ ସମୟ ଦେଉଛି ଶୁଣିବାକୁ , ମୁଁ ବହୁତ ଲକି ଯେ ଆଟ୍ ଲିଷ୍ଟ ତୁମେ ଅଛ ମୋତେ ଶୁଣିବାକୁ। "

ନିରବ ରହିଲା ଆଜିବି ସେ ସ୍ୱର ଆଉ ଶୁଣିଲା ତାକୁ ଅନେକ ଡେରି ଯାଏଁ ।

ଭଲ ଥିଲା ଆଜିର ପ୍ରଯତ୍ନ ନିଶ୍ଚିତ ଏଇ ଅନୁଭବ ସାଇତି ନେଲା ଲିଜା ।

***********

ଏମିତି ଅତ୍ମୀୟତାର ସ୍ପର୍ଶ ଦେବାକୁ ଲାଗିଲା ଲିଜା ଧୀରେ ଧୀରେ ସେଇ ଅଜଣା ସ୍ୱରକୁ। କେବେ ଅଫିସ କଥା , କେବେ ଘର କଥା, କେବେ ପୁଣି ତା' ଜୀବନର ଏମ୍ ଆଉ ଡ୍ରିମ୍ କଥା। ଅସରନ୍ତି ଗପ ଆଉ ଗପ। କିନ୍ତୁ ନୀରବ ଥିଲା ଏବେବି ସେ ସ୍ୱର । ହେଲେ ଗୋଟିଏ ଘଟଣା ଘଟିଥିଲା ୟା ଭିତରେ। ଅଘଟଣ ଆଉ ଘଟୁ ନଥିଲା , ଗ୍ରହ ସବୁ ଶାନ୍ତ ହେଇଯାଇଥିଲେ।

********

" ଏତେ ଡେରି କାହିଁକି କଲ ଆଜି , ମୁଁ ଅପେକ୍ଷା କରିଛି ଦଶଟା ବେଳୁ, ଦେଖ ଏବେ ବାରଟା ହେଲାଣି। ମୋର ଅଫିସରେ କେତେ କାମ ମୁଁ ଥକି ଯାଉଛି । ଟିକେ ଶୀଘ୍ର ଫୋନ୍ କରିବ। ରଖ ତୁମେ ବହୁତ ନିଦ ଲାଗିଲାଣି ପରେ କଥା ହେବି।"

ସଙ୍ଗେ ସଙ୍ଗେ କଟିଗଲା ଫୋନ୍ ବିନା ଉପକ୍ରମରେ।

*********

" ଶୁଣ ତୁମେ ଏମିତି ଅନନୋନ୍ ନମ୍ବରରୁ ଆଉ କରନି ଫୋନ୍। କାରଣ ଆଜି ମୁଁ ତୁମେ ଭାବି ଅନ୍ୟ ଜଣଙ୍କ ସହ କଥା ହେଇଗଲି। ଆଉ ସେ ବଦମାସ ମୋତେ ଆଡୁ ସାଡୁ କହିଲା। ପ୍ଲିଜ ବୁଝଟିକେ ମୋ ସମସ୍ୟା । ଗୋଟିଏ ନମ୍ୱରରୁ ଫୋନ୍ କଲେ ହୁଅନ୍ତାନି।"

ହୁଏ ତ ପ୍ରଭାବିତ ହେଲା ସେଇ ମଣିଷ ଆଉ ସବୁବେଳେ ଗୋଟେ ନିର୍ଦ୍ଧିଷ୍ଟ ନମ୍ବରରୁ ହିଁ ଆସିବାକୁ ଲାଗିଲା ଫୋନ୍। ଖୁସି ଥିଲା ଲିଜା ଶୁଣୁନି କେବଳ ମଣିଷଟା ଏବେ ମାନୁଛି ବି!! ଭଲ ଥିଲା ଏବେ ଜୀବନ ପ୍ରବାହ।

**********

--"ଶୁଣ , ଶୁଣ କହି କହି ଚିଡି ଗଲିଣି ମୁଁ , ତୁମେ ତ' କହିବ ନାହିଁ କିନ୍ତୁ ମୋତେ ଲାଗୁଛି ତୁମର ଗୋଟେ ନାଁ ଦେବି। ମୋତେ ତୁମକୁ ମିଷ୍ଟର ଏକ୍ସ ଡାକିବାକୁ ଇଚ୍ଛା। ଚଳିବଟି?? ଯାହା ସଂକ୍ରାନ୍ତରେ କିଛି ଜଣା ନଥାଏ ତାକୁ ଏକ୍ସ ହିଁ କହିବି ନୁହେଁ।"

ଆଜି ଥିଲା ଗୋଟେ ଅନୁରୋଧ ଆଉ କିଛି ତିରସ୍କାର। ହୁଏତ ଭିନ୍ନ ଥିଲା ଏହି କଥାର ପ୍ରଭାବ।

- " ଅରୁଣାଭ ମୋ ନାଁ"

*************

ଓଃ ଅବିଶ୍ୱାସ ଲାଗିଲା ଲିଜାକୁ । ସେ ନିଜ ପ୍ରଚେଷ୍ଟାରେ ତା' ଜୀବନର ଆତଙ୍କକୁ ଅନାବୃତ କରିପାରିଛି ଆଜି । ଏଇ ଅନୁଭବ ଥିଲା ବଡ଼ ଉନ୍ମାଦକ।

ଏଇ ଅରୁଣାଭ ନାମକ ମଣିଷଟି ଗୋଟେ ବିଚିତ୍ର ସୃଷ୍ଟି। କେତେ ଭୟଙ୍କର ଭାବେ ତା' ଜୀବନକୁ ବ୍ୟତିବ୍ୟସ୍ତ କରିଦେଲା। ବିକ୍ଷିପ୍ତ କରି ଦେଲା ସମଗ୍ର ଅସ୍ତିତ୍ବ। ଭରିଦେଲା ଏମିତି ଭୟ ଯେମିତି ଗୋଟେ ହିଂସ୍ର ବାଘ , ଜଗିଛି ତା' ଶିକାର କରିବାକୁ। ବିଚାରୀ ଘରୁ ବାହାରି ପାରିଲା ନାହିଁ । ଏମିତି ଅନେକ ଝିଅ ହନ୍ତ ସନ୍ତ ହେଇଥିବେ ହୁଏତ , ବା ହେଇନଥିବେ ଏଇ ବାଘ ପାଇଁ??

ଲିଜା ଭାବୁଥିଲା କେବଳ ତା'ର ଅଛି ବାଘକୁ ମଣିଷ କରିବାର ସମର୍ଥ୍ୟ। ବାଘକୁ ଗୋଟେ ସୁରକ୍ଷିତ ଅଭୟାରଣ୍ୟ ଦେବାର ପ୍ରଯତ୍ନ କରିବାର ନିଷ୍ପତ୍ତି ନେଲା ସେ, ସମାଜକୁ ହିଂସ୍ରତାରୁ ସୁରକ୍ଷା ଦେବାକୁ।

**************

--" ଅରୁଣାଭ ଦେଖା ହେବ ଆମର କେବେ??"........

ସୌମ୍ୟା


Rate this content
Log in

Similar oriya story from Drama