Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅରଙ୍ଗ
ଅରଙ୍ଗ
★★★★★

© Amiya Bej

Fantasy Others

4 Minutes   7.2K    11


Content Ranking

ଆଇନାର ଆକାର ଯେତେ ବଡ ହେବ, ସେ ସେତିକି ଅଧିକା ଯନ୍ତ୍ରଣାକୁ ଧରିରଖିବ। ଏଇ ଡ୍ରେସିଂଟେବୁଲଟା ମାମୁଁଘରୁ ଆସିଥିଲା। ଖୁବ୍ ଆଗ୍ରହରେ ବରାଦ ଦେଇ ବଡମାଇଁ ତିଆରି କରାଇଥିଲେ। ଅଜାଘରେ ବଡମାଇଁଙ୍କ ଶ୍ରଦ୍ଧା ଥିଲା ନିଆରା।

ଜାଗୃତିକୁ ସୁଖ ଭେଟିଦେବାକୁ ,ଅନେକେ ,ଅନେକପ୍ରକାର ପ୍ରୟାସ କରିଥିଲେ।

ସୁଖ ପା ପାଣିଫୋଟକା ! ଠିକ୍ ଡ୍ରେସିଂଟେବୁଲର ଅପରପାଖ କାନ୍ଥରେ ଝୁଲୁଛି ମାନବଙ୍କ ଫଟୋ। ମିରର୍ ସାମ୍ନାରେ ଛିଡାହେଲେ , ଏବେବି ଜାଗୃତିକୁ ଲାଗେ , ମାନବ ତା' ପଛରେ ଆସି ଛିଡାହୋଇଛନ୍ତି। ସେଇ ଏକା ଦୁଷ୍ଟାମି। ପଛପଟୁ ଭିଡିନେଇ , ଜାବୁଡି ଧରିବେ ଅଣନିଶ୍ୱାସ ହେଲାଯାଏଁ।

- ଏ ଦେହ ଭୂଗୋଳକୁ ଆଦରିବାକୁ , ମୋ'ର ସହସ୍ରାଧିକ ହାତ ଥାଆନ୍ତା ନି ଜାଗୁ ?

- ଏଇ ଦୁଇହାତର ବଦମାସୀ କିଛି କମ୍ ଯେ ତୁମେ ଆଉରି ଲୋଡୁଛ ??

ବାସ୍ ! ମାନବଙ୍କ ସେଇ ପ୍ରେମହାତ ଦୁଇଟିକୁ ଦିନେ, କାରଖାନାର କନଭେୟର୍ ବେଲ୍ଟ୍ , ଅନ୍ୟମନସ୍କତାର ସୁଯୋଗ ନେଇ , ଭିଡିନେଲା ଭିତରକୁ। ତା' ସହ ପୁରାପୁରି ମାନବଙ୍କୁ ବି।

ଅନୁକମ୍ପାର ସୁଅ ଛୁଟିଲା ଜାଗୃତି ପାଖକୁ। ଏକୁଟିଆ ଚାଲିଯାଇ , ମାନବ ତା'ର ଏକାକୀତ୍ୱ ବଢାଇଦେଲେ ସତ , କିନ୍ତୁ ବଞ୍ଚିରହିବାକୁ ଛାଡିଦେଇଗଲେ ଯଥେଷ୍ଟ।

ଅମାପ ଐଶ୍ୱର୍ଯ୍ୟ ତୁଚ୍ଛ ହୋଇଯାଏ, ଯେବେ ରଙ୍ଗଠୋପେ ମାଖିବାକୁ , ଦେହ ନିଉଛଣା ହୋଇପଡେ!!!!

ଜ୍ଞାତିକୁଟୁମ୍ବ , ସମବେଦନା ସହାନୁଭୂତି, ସାହାଯ୍ୟ ସହଯୋଗ, ଆଦିଙ୍କ ଢେର୍ ଭିଡ ଏବେ ଜାଗୃତି ପଛରେ । ଖାଲି ଓସାରିଆ ଛାତିଟିଏ ନାହିଁଯାହା ମୁହଁ ଗୁଞ୍ଜିବାକୁ ।

ଜାଗୃତି ଉଚ୍ଚମନା , ଉଚ୍ଚଶିକ୍ଷିତା । ମାନବଙ୍କ କମ୍ପାନୀ ନିଷ୍ଠୁର ନଥିଲା। ମାନବର ଦରମା , ଆଉ ରହିବାର ସବୁ ସୁବିଧା କରି , ଅନୁରୋଧ କଲା କାମରେ ଯୋଗ ଦେବାକୁ। ମାନବଙ୍କ ପରିବାର ବି ସହମତ ଥିଲେ ଏଥିରେ। ବାସ୍ ଆରମ୍ଭ ହେଲା ନୂଆ ସକାଳ।

★★★

ପୁରୁଣାକୁ କେଉଁ ଭୁଲିହୁଏ ଯେ ? କଡ ଲେଉଟାଇଲେ ଭେଟନ୍ତି ମାନବ !! ସକାଳୁ ଉଠି ଅନେକବାର ଦୁଇକପ୍ ଚା' ବନାଇ , ବେଡକୁ ଆସିଲାପରେ ଜାଣେ ପିଇବାକୁ ମାନବ ନାହାନ୍ତି। ଥଣ୍ଡା ହୋଇଯାଏ ଲୁହମିଶା ଚା' ! ଅଳ୍ପ କେଇଟା ଦିନରେ କିଛି କମ୍ ମାୟା ରଚିନଥିଲା ଲୋକଟା । ଫ୍ୟାକ୍ଟରୀ କେଉଁ ଗୁରୁତ୍ୱପୂର୍ଣ୍ଣ କାମ ଭିତରେ ଥାଇ ବି ମେସେଜ୍ କରିବେ

- ଡାର୍ଲିଂ , ଚୁମାଟିଏ ମିଳୁ ।

- କାମରେ ମନଦିଅ। ଏଥିପାଇଁ ସାରାରାତି ଉଜାଗର ପଡିଛି।

ଫୋନ୍ କାଟିଦିଏ ଜାଗୃତି ।

ଆଜିକାଲି ମୋବାଇଲ ସେଇମିତି ନିର୍ଜୀବ ହୋଇ ପଡିଥାଏ। କେବେକେବେ ବାଜିଲେ ବି କଥାହେବାର ଆଗ୍ରହ ମରିଯାଇଥାଏ । କେଉଁ ଆତ୍ମୀୟ ହୋଇଥିବ , ପଚାରିବାକୁ , କେମିତି ଅଛୁ? , ଅସୁବିଧା କଣ ? ଇତ୍ୟାଦି। ବାରମ୍ବାର ସେଇ ସମାନ ପ୍ରଶ୍ନ ମାନଙ୍କର ଉତ୍ତର ନଦେଲେ ଭଲ ।

★★★

ବେଳେବେଳେ ଇଛାହୁଏ , କପବୋର୍ଡରୁ ତା' ଅତିପ୍ରିୟ ସେଇ ନାଲିରଂଗର ଶାଢୀଟିକୁ କାଢି ଦେଖିବାକୁ । ଖୁବ୍ ବାଛିକୁଛି ବ୍ୟାକଲେସ୍ ଡିଜାଇନ୍ ଟିକୁ ସିଲେକ୍ଟ୍ କରିଥିଲା ବ୍ଲାଉଜ ପାଇଁ। ସେଇ ଥରୁଟିଏ ମାନବଙ୍କ ସାମ୍ନାକୁ ପିନ୍ଧି ଆସିବାରେ , ଛଳଛଳ ହୋଇପଡିଲେ ସେ !

- କ'ଣହେଲା ?

- ନାଃ , ଏମିତି । ଜାଣ , ମୁଁ କେତେ ଭାଗ୍ୟବାନ ?

- ଏମିତି କଣ ?

- ମୋ'ପରି ଏକ ଅକିଞ୍ଚନ ପାଖରେ , ଏପରି ଅନିତ୍ୟ ସୁନ୍ଦରୀର କପାଳ ଫଟା ନୁହଁ ତ ଆଉକଣ ?

ମୁହଁରେ ହାତଦେଇ, ମାନବଙ୍କୁ ଚୁପ୍ କରାଇ, ଛାତିରେ ଲୋଟିପଡିଥିଲା ସେଦିନ ଜାଗୃତି। ପୁରୁଷ ଆଖିରେ ଏତେ ପ୍ରେମ ଥାଏ ସତେ ! ନାରୀଟିକୁ ଡୁବିଯିବା ପାଇଁ ହଳେ ଆଖି ଯଥେଷ୍ଟ ନୁହଁକି ?

ଏବେ ବି ବହୁଥର ଅନୁଭବ ହୋଇଛି ଜାଗୃତିକୁ , ଯେମିତି ମାନବ ସେ ବନ୍ଧେଇ ଫଟୋ ଭିତରୁ ବାହାରିଆସି , ପଛପଟୁ ଜାବୁଡି ଧରୁଛନ୍ତି ତାକୁ । ସେ ବୁଲିପଡି ମୁହଁଗୁଞ୍ଜି ଦେଉଛି ଛାତିରେ। ବାସ୍ ପାଣିହୋଇ ବୋହିଯାଏ ଇଛାତକ ଆଖିବାଟ ଦେଇ। ଅଭାବବୋଧର ଯନ୍ତ୍ରଣା ସବୁ ଜମାଟ ବାନ୍ଧିରହେ ଛାତିରେ।

★★★

ବଡନାନୀ ବୁଝାଏ ଫୋନକରି। ବୈଧବ୍ୟର ରଙ୍ଗ ହେଲା ଅରଙ୍ଗ । ସାତରଙ୍ଗକୁ ଏକତ୍ର ଫେଣ୍ଟିଦେଲେ , ଶୁଭ୍ର। ସବୁ କାଢିନେଲେ ଗାଢ ଅନ୍ଧାର। ନାରୀଟେ ପରଭାଗ୍ୟ ନେଇ ଭାଗ୍ୟବତୀ। ସ୍ୱାମୀଟିଏ ପାଇବାରେ ବି ଥାଏ ଅସହାୟତା , ହରାଇବାରେ ବି ତଦ୍ରୁପ। ବିଡମ୍ବନା ଯେ , ଯେ ରାସ୍ତାଅଧାରୁ ହାତଛାଡିଦିଏ , ତାଆରି ନାଁ ନେଇ , ନାରୀଟିଏ ଦେବୀ ପାଲଟେ ଶେଷଯାଏଁ ! ଆଉ ବ୍ୟତିକ୍ରମ କଲେ , ସମାଜ ଦେବୀକୁ ଦାନବୀ ଆଖ୍ୟା ଦେବାରେ ହେଳା କରେନି ।

ବିଦ୍ରୋହୀ ହୋଇପଡେ କ୍ରମଶଃ ଜାଗୃତି। ଯେତେ ଝୁରିଲେବି କାଇଁତ ମାନବ ଫେରିଆସନ୍ତିନି ? ଭିଡି ଜାବୁଡି ମୋଡିଗୁଡେଇ ଦିଅନ୍ତିନି ତ ତା' ଦେହ ଅବୟବକୁ ?

କଳ୍ପ ରମଣ ସନ୍ତୁଷ୍ଟି ଅପେକ୍ଷା , ଯନ୍ତ୍ରଣା ଅଧିକତର କରିଦିଏ ! ଛଟପଟ ହୁଏ ଜାଗୃତି। କେଉଁ ଏକ ବିସ୍ଫୋରଣରେ ନିଶ୍ଚେ ଦିନେ , ସେ ସତ୍ତା ସନ୍ତୁଳନ ହରାଇଦେବାର ଭୟଟିଏ ପାଇରୁହେ।

★★★

ବାହାର ହେଉକି ଘର , ଅଫିସ୍ ହେଉକି ହାଟବଜାର , ପୁରୁଷର କଳ୍ପନାରେ କେବଳ ନାରୀର ନଗ୍ନ ରୂପ ହିଁ ଚେକାପକାଇ ବସିଥାଏ। ଯେତେ ଆଢୁଆଳ ଆବରଣ କଲେସୁଦ୍ଧା ପୁରୁଷ କରିନିଏ ତାକୁ ହରଣ !!

ଜାଗୃତି ବୁଝିପାରେ , କଥାଛଳରେ ଛପିଥିବା ଅକଥା ମାନଙ୍କୁ। ତଥାପି ବି ପୁରୁଷଙ୍କ ନିଶ୍ୱାସର ବଳୟରେ ସେ ଅସ୍ତବ୍ୟସ୍ତ ହୋଇପଡେ। ସମୟ ସହ ପଛରେ ପଡିଯାଏ ବର୍ତ୍ତମାନ। ମହମ ଖଣ୍ଡ ତରଳୁଥାଏ , ବରଫର ପ୍ରସ୍ତର ପିଘଳିଯାଏ। ଭାଙ୍ଗି ରୁଣୁଝୁଣୁ ହୁଏ ଜାଗୃତି ଧିରେଧିରେ। ଅଭାବବୋଧ ସହ ସାଲିସ୍ କରିବାକୁ ମନ ବିଦ୍ରୋହ କରିଉଠେ।

★★★

ଆଜିକାଲି ଅଫିସ୍ ରେ ତା' ଅଧସ୍ତନ କର୍ମଚାରୀ ନିର୍ଲିପ୍ତ, ଟିକେ ଅଧିକା ଧ୍ୟାନ ଦିଏ ଜାଗୃତିକୁ। କେଜାଣି କାହିଁକି ଅନ୍ୟ ମାନଙ୍କ ପରି ପିଲାଟା ଅଯଥା ଲାଗେନି ଜମା। ବୟସରେ ସାନ ଥିବାରୁ , ଅନୁରୋଧ କରି ମ୍ୟାଡାମ୍ ରୁ ଅପା ସମ୍ବୋଧକୁ ଓହ୍ଲାଇଆସେ ନିର୍ଲିପ୍ତ ! 'ଅପା' , ଭଉଣୀ ପରି ଏକ ସୁରକ୍ଷିତ ସୁସମ୍ବୋଧନ ।

ସୁସମ୍ପର୍କର ଦ୍ୱାହିରେ , ନିଃସଂକୋଚରେ ନିର୍ଲିପ୍ତର ଗାଡି ପଛରେ ଆଜିକାଲି ବସିପଡେ ଜାଗୃତି !

କିନ୍ତୁ କେବେ କହିପାରେନି , ନେଇଚାଲେ ନିର୍ଲିପ୍ତ ମୋତେ କେଉଁ ଏକ ଅଲକ୍ଷ୍ୟ ସ୍ୱର୍ଗକୁ। ଜୀବନ ସବୁକଥାକୁ କୁହାଇ ଦିଏନି। ସେଦିନ ନିର୍ଲିପ୍ତ ପଚାରିଲା -

- ଏଥର ହୋଲିରେ କେଉଁଠି ଅପା ?

- ଏଇଠି , ଆଉ କେଉଁଠି ?

- କାଇଁ ବାପଘର କି ଶାଶୁଘର ?

- ହୋଲି ପରା ? ଏଇସବୁ ପର୍ବ ମାନଙ୍କରେ ମୋର ସେଠାରେ ଜାଗା ନଥାଏ।

- ଓଃ ! ସରି ।

- ନାଃ ! ଭଲ ପ୍ରଶ୍ନଟିଏ କରିଛ ତୁମେ । ଆସିବ ଘରକୁ ସେଦିନ। ଖୁବ୍ ଭଲ ରାନ୍ଧିଜାଣେ ମୁଁ । କାହାକୁ ଖୁଆଇ ପାରୁନି ଯାହା।

- ରିୟଲି ଅପା ?

- ୟେସ୍ ନିର୍ଲିପ୍ତ , ମାଇଁ ଡିୟର୍ ।

★★★

ପବନର ରଙ୍ଗ ନଥାଏ । ମନ ବି ପବନ ପରି ବେରଙ୍ଗ। ଜାଗୃତି ନିତି ଫେଡି ହେଉଥିବା ଜୀବନକୁ ହିସାବ କରେ । ଇଛା ସବୁ ବି ସମାଜର ନିୟନ୍ତ୍ରଣରେ । କିନ୍ତୁ ବନ୍ଦଦୁଆରକୁ ସମାଜର ପ୍ରବେଶ ନିଷେଧ।

ବଡମାଇଁ ବାହାଘରରେ ଦେଇଥିବା ସେ ବଡ ଆଇନାଟିର ବୟସ , ଜାଗୃତିର ଯନ୍ତ୍ରଣା ପରି ବଢିଚାଲେ।

ଆଜିକାଇଁ ଭାରି ମନହେଲା ଟିକେ ସଜେଇ ହେବାକୁ ନିଜକୁ। କପବୋର୍ଡରୁ ସେଇ ପ୍ରିୟ ନାଲିଶାଢୀଟିକୁ ଆଣି ଦେହରେ ଗୁରେଇ ହୋଇପଡିଲା ଜାଗୃତି। ବ୍ୟାକ୍ଲେସ୍ ବ୍ଲାଉଜର ବେକପାଖ ଡୋରୀକୁ ଭିଡିଦେଲା ଭଲକି ଥରେ। ଆଖିଧାରରେ କଜଳ ଟିକେ ଲେସି ଦେବାରୁ , ଚମକି ପଡିଲା ନିଜେନିଜେ । ପଛପଟ କାନ୍ଥରେ ଲଟକିଥିବା ମାନବଙ୍କ ଫଟୋଟି କେମିତି ଗୋଟେ ଖୁସିଖୁସି ଲାଗୁଥିଲା ତାକୁଦେଖି। ଲାଜେଇ ଗଲା ଟିକେ ଜାଗୃତି। ସିନ୍ଥିଟି ଖାଲିଖାଲି ଲାଗିବାରୁ , ଫରୁଆଟିକୁ ଖୋଜିଲା ସେ !

ଠିକ୍ ଏଇସମୟରେ ସେ ବୟସ୍କ ଆଇନାଟା କହିଲା -

- ବିଧବାର ପୁଣି କ'ଣ ଫରୁଆ ଖୋଜା ଲୋ ?

ଏତକ କଥାରେ ଖୁବ୍ ଚିଡିଗଲା ଜାଗୃତି । ଉତ୍ତର ଫେରାଇ କହିଲା -

- ସଧବାରୁ ବିଧବା ହେବାକୁ ଯଦି ଏତେ ସହଜ , ତେବେ ବିଧବାରୁ ସଧବା ହେବାକୁ ଏତେ କାରଣଟେ ଖୋଜାପଡେ କାହିଁକି ଯେ ???

ବାହାରେ କିଏଗୋଟେ କଲିଂବେଲ୍ ମାରୁଥିଲା। ଦରଜା ଖୋଲିଲାରୁ , ହାତରେ ପୁଳାଏ ନାଲି ଅବିର ନେଇ , ମାଙ୍କଡ଼ ପରି ଛିଡାହୋଇଛି ନିର୍ଲିପ୍ତ ।

- ହାପି ହୋଲି ଅପୁ ।

- ଚୁପ୍ ! ଆ ଭିତରକୁ ଜଲଦି !!!!!!!

■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■

ଜାଗୃତି ମାନବ ଅରଙ୍ଗ

Rate the content


Originality
Flow
Language
Cover design

Comments

Post

Some text some message..