Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Drama Tragedy

3  

Lopamudra Mishra

Drama Tragedy

ଚୋରଣୀ

ଚୋରଣୀ

11 mins
7.7K


ଲୋପାମୁଦ୍ରା ମିଶ୍ର

ନନ୍ଦିପୁର, ଯାଜପୁର

କଟକ ସିଡିଏ ସେକ୍ଟର ଛଅର ସଭ୍ୟ ସମ୍ଭ୍ରାନ୍ତ ଅଞ୍ଚଳ l ସେହି ଭଦ୍ର ସମାଜରେ ସୁନ୍ଦର ଏକ ବିରାଟ ପ୍ରାସାଦ l ପତିପତ୍ନୀ ଓ ଦୁଇ ପୁଅଝିଅଙ୍କୁ ନେଇ ଛୋଟ ଗୋଟିଏ ସୁଖୀ ପରିଵାର l ଗୃହକର୍ତ୍ତା ଡ଼ଃ.ସତ୍ୟରଞ୍ଜନ ପତି ନିକଟସ୍ଥ ଏକ ସ୍ୱନାମଧନ୍ୟ ସରକାରୀ ମହାବିଦ୍ୟାଳୟରେ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ l ଖୁବ ସଚ୍ଚୋଟ ମଣିଷ l ପତ୍ନୀ ସୁଚରିତା ସୁଗୃହିଣୀ l ସେ ମିଷ୍ଟଭାଷିନୀ, ଦୟାଶୀଳା ଓ ଜଣେ କୋମଳ ହୃଦୟା ନାରୀ l ଜ୍ୟେଷ୍ଠ ସନ୍ତାନ ପ୍ରିୟବ୍ରତ ଓରଫ ପିଙ୍କୁ ଇଂଜିନିୟରିଙ୍ଗ ତୃତୀୟ ସେମିଷ୍ଟରର ଛାତ୍ର l ସଭିଙ୍କ ନୟନର ତାରା, ପରିବାରର ସର୍ବକନିଷ୍ଠା ଗେଲ୍ହୀଝିଅ ଖୁସି ଷ୍ଟାଣ୍ଡାର୍ଡ 8 ରେ ପଢେ l

ସତ୍ୟ ବାବୁଙ୍କ ଘରେ ସବୁକିଛି ଠିକ ଚାଲିଥିଲା ବେଳେ ତାଙ୍କ ପତ୍ନୀଙ୍କର ବଡ ଏକ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଛି l ସେହିଗୋଟି ହେଲା କାମବାଲୀ ସମସ୍ୟା l କେହି ଜଣେ ବି କାମବାଲୀ ଚାରି ପାଞ୍ଚ ମାସରୁ ବେଶୀ ଦିନ ତାଙ୍କ ଘରେ ତିଷ୍ଠୀ ପାରୁନାହାଁନ୍ତି l କିଏ କାମରେ ଠକେଇଲାଣି ତ ପୁଣି କିଏ ଘରର ମୂଲ୍ୟବାନ ଦ୍ରବ୍ୟ, ଟଙ୍କା ପଇସା ଉଠେଇନେଲାଣି l କାହାକୁ ଭରଷା କରିହେଉନି l କଟକରେ ପ୍ରାୟ ସମସ୍ତ ଘରେ ସ୍ତ୍ରୀଲୋକଙ୍କର ସମାନ ଏହି ଅଭିଯୋଗ l ଭଲ ଜଣେ ବିଶ୍ୱସ୍ତ ଲୋକ ପାଇବା ବଡ କଠିନ l ସୁଚରିତାଙ୍କର ଜଣେ ବାନ୍ଧବୀ ଥରେ କହିଲେ-

-ବୁଝିଲୁ ରୀତା ଏ ସହରରେ ସବୁକିଛି ସହଜରେ ମିଳିଯିବ କିନ୍ତୁ ଉତ୍ତମ ଗୁଣ ସମ୍ପନ୍ନ l କାମବାଲୀ ମିଳିବନି l ଆଉ ଯଦି ତୋ ଭାଗ୍ୟରେ ଥିବ ତୁ ସୁଗୁଣା କାମବାଲୀଟେ ପାଇଯାଇପାରୁ l

ପୁରୁଣା କାମବାଲୀ ଛବୀନା ଚୋରିବିଦ୍ୟାରେ ଥିଲା ପାରଙ୍ଗମ l ତା ହାତ ପାହାନ୍ତାରେ ଥିବା କୌଣସି ବି ଆକର୍ଷଣୀୟ ଚିଜ ଉଠେଇନେବାର ସୁବର୍ଣ୍ଣ ସୁଯୋଗକୁ ସେ କଦାପି ହାତଛଡା କରୁନଥିଲା l ସେ ବା କଣ କରନ୍ତା? ଅଭାବେ ସ୍ଵଭାଵ ନଷ୍ଟ l ପଠା ପଢ଼ା ବୟସରୁ ହିଁ ତାକୁ ତା ଗରୀବ ବାପ ମାଆ ପର ଘରେ ବାସନ ମାଜିବା ପାଇଁ ଛାଡିଦେଇଥିଲେ l ନିଜ ବୟସର ଝିଅ ମାନଙ୍କୁ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧି ସଜେଇ ହୋଇ ସ୍କୁଲ କଲେଜ ଯାଉଥିବାର ଦେଖିଲେ ତା ଆଖିରେ କଣ ମେଞ୍ଚାଏ ସ୍ୱପ୍ନ ବୋଳି ହେଇଯାଉନଥିବ ?

ଖୁସିର କିଛି ଆବଶ୍ୟକୀୟ ସାମଗ୍ରୀ ଘରୁ ବାରମ୍ବାର ଉଭାନ ହେଇଯିବା କାରଣରୁ ଛବୀନାକୁ ସତ୍ୟବାବୁଙ୍କ ଘର କାମରୁ ସବୁଦିନ ପାଇଁ ଛୁଟି ନେବାକୁ ପଡିଲା l

ବିନା କାମବାଲୀରେ ସୁଚରିତା ଏକଦମ ବିଚଳିତ ହୋଇପଡିଲେ l ପନ୍ଦର ଦିନ କାଳ ଘରର ଯାବତୀୟ କାମ ଏକା ତୁଲାଇ ତାଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଗଲା l ସେ ଆଗକୁ ଆସୁଥିବା ଦିପାବଳୀରେ ପାଞ୍ଚ ଛଅ ଦିନ ପାଇଁ କାଳୀପୂଜା ଦେଖିବାକୁ ନିଜ ବାପଘର ଗାଁ ଯାଜପୁରର ଶ୍ରୀରାମପୁର ଯିବା ପାଇଁ ସ୍ଥିର କଲେ l

ଦିୱାଲୀର ଗୋଟେ ଦିନ ଆଗରୁ ସୁଚରିତା ପୁଅ ଝିଅଙ୍କୁ ସାଙ୍ଗରେ ଘେନି ବାପଘରେ ହାଜିର ହେଇଗଲେ l ପରିବାର ଜଞ୍ଜାଳରେ ଛନ୍ଦି ହୋଇ ଅନେକ ଦିନ ହେଲା ଗାଁକୁ ଆସିପାରୁନଥିଲେ l ତାଙ୍କୁ ସବୁକିଛି ନୂଆ ନୂଆ ଲାଗୁଥିଲା l କାଳୀପୂଜା ପାଇଁ ଗାଁରେ ପ୍ରାୟ ସଭିଙ୍କ ଘରେ ଝିଅ ଝିଆଣି ଆସି ଭର୍ତ୍ତି ହେଇଥାନ୍ତି l

ସୁଚରିତା ଓ ତାଙ୍କର ଜଣେ ବାଲ୍ୟବାନ୍ଧବୀ ଅପରାହ୍ନ ସାଢେ ପାଞ୍ଚ ପାଖା ପାଖି ସୁଚରିତାଙ୍କ ଘର ପୋର୍ଟିକୋରେ ବସି ପିଲାଦିନ କଥା ଗପୁଛନ୍ତି, ଅଠେଇଶ ଅଣତିରିଶ ବର୍ଷ ବୟସ୍କା ଶାଢ଼ୀ ପିନ୍ଧା ଝିଅଟେ ତାଙ୍କ ଘର ଭିତରକୁ ପଶିଗଲା l କିଛି ସମୟ ପରେ ଝିଅଟି ହାତରେ ଦୁଇ କପ ଚା' ଓ ଗୋଟେ ପ୍ଲେଟରେ କିଛି ପକୁଡି ନେଇ ଆସିଲା l ଏମାନଙ୍କର ପକୁଡି ଖିଆ ସରିନି ଝିଅଟି ଘର ଝାଡୁ ସାରି ବାଲ୍ଟିରେ କିଛି ପାଣି ଆଣି ଘର ପୋଛିବାରେ ଲାଗିପଡ଼ିଲା l ଝିଅଟାକୁ ଆଗରୁ କେବେ ସୁଚରିତା ଦେଖିନଥିଲେ l ସୁଚରିତା ଭାବିଲେ -

-ବୋଉ ଏତେ ଭଲ କାମବାଲୀଟେ ରଖିଛି ଆଗରୁ ତ କେବେ ଫୋନରେ କହିନି l

ସେହି ଝିଅଟି ଆଡକୁ ସୁଚରିତା ପ୍ରଶ୍ନିଳ ଆଖିରେ ବାରମ୍ବାର ଅନେଇବା ଦେଖି ତାଙ୍କ ସାଙ୍ଗ ମିନା କହିଲା -

-ଆଲୋ ଚିହିଁ ପାରୁନୁ କି ଲୋ ? ହଁ କେମିତି ଚିହିଁବୁ? ତୁମେ ତ ହେଇଗଲ ସହର ବାସିନ୍ଦା l ଗାଁ କୁ ଯୁଗଟେ ପରେ ଆସିଲେ କାହା ମୁଁହ ଆଉ କେମିତି ଚିନ୍ହା ଲାଗିବ ? ଆଲୋ ଇଏ ପା ଶ୍ରୀବଚ୍ଛ କକେଇଙ୍କ ଏକମାତ୍ର ଝିଅ ଟୁନି l ବାପ ମାଆ ଦୁହେଁଏହି ଝିଅକୁ ବାହା କରିଦେଇ ପାଞ୍ଚ ବର୍ଷ ତଳେ କେଦାରନାଥ ତୀର୍ଥ କରିବାକୁ ଯାଇ ଆଉ ଫେରିଲେନି l ସେଇଠି ବନ୍ୟାରେ ସଲୀଳ ସମାଧୀ ନେଇଗଲେ l ଆଉ ଏ ଟୁନିକୁ ତା ବର ଏବେ ଘରୁ ବାହାରକରିଦେଇଛି l ବାପ ମାଆ ଛେଉଣ୍ଡ ଝିଅ l କିଏ ତା କଥା ବୁଝିବ? ଦୁଇବର୍ଷ ହେଲା ଆସି ଗାଁରେ ରହୁଛି l ଶ୍ରୀଵଛ କକେଇଙ୍କର ତ ଜମି ବୋଲି ଗୁଣ୍ଠଟେ ବି ନଥିଲା l ଇଆ ଘରେ ତା ଘରେ ପାଇଟି କରି ପେଟ ପୋଷୁଛି l

ସୁଚରିତା ପଚାରିଲେ, "ପିଲା ପିଲି କେତୋଟି ଇଆର? "

"ପିଲାଝିଲା ହେଇଥିଲେ ଇଆ ବର ଆକୁ ଘରୁ ତଡି ଦ୍ୱିତୀୟ ବିଭା କାହିଁକି କରିଥାନ୍ତା? ଯାହା କହ ଅଭିଶପ୍ତ ପରିବାରଟେ ଶ୍ରୀବଚ୍ଛ କକେଇଙ୍କର "l ମିନା କହିଲେ l

ଟୁନି ଘରର ସବୁକାମ ସାରି ରାତି ଆଠରେ ତା ଘରକୁ ଫେରିଗଲା l ସୁଚରିତା ଦେଖିଲେ ଝିଅଟି କାମିକା l ଆଗକୁ ପଛକୁ କେହି ନାହିଁ l ସେ ଭାବିଲେ ଏହି ଟୁନି ତାଙ୍କ ସମସ୍ୟାର ସମାଧାନ ହୋଇପାରିବ l

ସକାଳୁ ପୁଣି ଟୁନି ଆସିଲା ବାସି ପାଇଟି ପାଇଁ l ସୁଚରିତାଙ୍କ ବୋଉ ଟୁନିକୁ ଦୁଇପଟ ରୁଟି କପେ ଚାହା ଦେଇ କଥା ଛଳରେ ପଚାରିଲେ,"ଆଲୋ ଟୁନି କେତେ ଦିନ ଏମିତି ବୁଲି ବୁଲି ୟା ତା ଘରେ ବାସି କାମ କରୁଥିବୁ? ଗୋଟେ ସ୍ଥାୟୀ କାମ ଧରୁନୁ, ଯୋଉଠି ଥାଇକି ହେଇକି ରହିବୁ l"

ଟୁନି କହିଲା, "ବଡମାଆ ମୁଁ କଣ ଚାଁହୁନି କୋଉଠି ଗୋଟେ ଥାଇକି ଚାକିରୀ କରିବା ପାଇଁ? କଣ କରିବି? କାହାକୁ ଚିନ୍ହିଛି ମୁଁ? ପାଠ ଦି ଅକ୍ଷର ପଢିଥିଲେ ହେଲେ କିଛି ହେଇଥାନ୍ତା l ମୋ ପରି ଗଜମୁର୍ଖକୁ କିଏ କୋଉ କାମ ଦେବ? ଏ ବଡ଼ମାଆ ! ତୁମେ ଟିକେ ରିତାନାନୀଙ୍କୁ କହୁନ ମତେ ତାଙ୍କ ଘରେ କାମରେ ରଖିଦେବେ l ସେ ମିନା ନାନୀଙ୍କୁ କହୁଥିବାର ମୁଁ ଶୁଣିଛି, ତାଙ୍କୁ ଭଲ କାମବାଲୀଟେ ଦରକାର l ମୁଁ ସବୁକାମ କରିବି l ମୋର ବେଶୀ କିଛି ଟଙ୍କା ପଇସା ଦରକାର ନାହିଁ l ଖାଲି ଖାଇ ପିଇ ରହିଗଲେ ଚଳିଲା l"

ବିଲେଇ କପାଳକୁ ଶିକା ଛିଡି଼ଲା ପରି ରୀତାଙ୍କୁ ଶସ୍ତାରେ କାର୍ଯ୍ୟନିପୁଣା ବିଶ୍ୱସ୍ତ କାମବାଲୀଟେ ମିଳିଗଲା l କଟକ ଫେରିଲା ବେଳକୁ ସାଙ୍ଗରେ ଟୁନିକୁ ଧରି ସେ ଫେରିଲେ l ତାଙ୍କ ମୁଣ୍ଡରୁ ବଡ ବୋଝ ଗୋଟେ ଓଲ୍ହେଇଗଲା l

ଟୁନି ଖୁବ କମ ଦିନ ଭିତରେ ସମସ୍ତଙ୍କ ସହ ମିଶିଗଲା l ଘରର ସବୁ ଦାଇତ୍ୱ ନିଜ ଉପରକୁ ନେଇଗଲା l ପ୍ରଥମେ ପ୍ରଥମେ ରୋଷେଇଘରର ଆଧୁନିକ ଉପକରଣ ଗୁଡିକର ବ୍ୟବହାର କରିବାକୁ ତାକୁ ଅଡୁଆ ଲାଗୁଥିଲା l କ୍ରମେ ସବୁଥିରେ ସେ ପାରଙ୍ଗମା ହୋଇଗଲା l ସକାଳୁ ରାତିଯାଏଁ ଘରର ଯାବତୀୟ କାମରେ ଲାଗିରହିଲା l ରୀତା ଦେବୀଙ୍କୁ ସବୁ ଜଞ୍ଜାଳରୁ ମୁକ୍ତି ମିଳିଗଲା l ସେ ବସି, ଶୋଇ, ଟିଭି ଦେଖି, ପାଖ ପଡୋଶିର ବାନ୍ଧବୀଙ୍କ ସହ ଖୁସି ଗପ କରି ନିଜ ସମୟ ବିତେଇଲେ l

ସକାଳ ବ୍ରେକଫାଷ୍ଟ ଠୁ ଆରମ୍ଭ କରି ରାତିର ଡିନର ପର୍ଯ୍ୟନ୍ତ ସବୁ ସ୍ୱାଦିଷ୍ଟ ବ୍ୟଞ୍ଜନ ଗୁଡିକ ଟୁନିର ହସ୍ତସ୍ପର୍ଶ ପାଇ ଆହୁରି ସୁସ୍ୱାଦୁ ହୋଇଉଠିଲା l ଧୀରେ ଧୀରେ ଟୁନି ସଭିଙ୍କ ପସନ୍ଦ ନାପସନ୍ଦ ସହ ପରିଚିତ ହୋଇଗଲା l ଏବେ ଯାହାର ଯାହା ଦରକାର ହୁଏ ସେ ସୁଚରୀତାଙ୍କୁ ନଡାକି ଟୁନିକୁ ଡାକ ପକାନ୍ତି l

ସତ୍ୟବାବୁଙ୍କର ସକାଳ ଚାହାରେ ଟିକେ ବିଳମ୍ବ ହେଲେ ସୋଫା ଉପରେ ପେପର ଧରି ବସି ପାଟି କରନ୍ତି, "ଟୁନି ମୋ ଚା କାହିଁ? ଶୀଘ୍ର ଆଣେ "l

ପିଙ୍କୁର ପ୍ୟାଣ୍ଟ ସାର୍ଟ ଇସ୍ତ୍ରୀ ହୋଇନଥିଲେ ସେ ଟୁନିକୁ ଡାକି କହେ, "ଟୁନି ଆଣ୍ଟି ମୋ ସାର୍ଟଟା ଟିକେ ଜଲଦି ଆଇରନ ଲଗେଇଦିଅ l ମୁଁ ଆଜି ଏଇଟା ପିନ୍ଧିବି "

ଖୁସିର ତ ଏବେ ସବୁଠୁ ପ୍ରିୟ ତା ଟୁନି ଆଣ୍ଟି l ସେ ଟୁନି ଠୁ ଗାଁ ର ବହୁ ନିଆରା କାହାଣୀ ଶୁଣେ l କୁଆଁର ପୁନେଇଁ ଗୀତ ଓ ରଜ ଗୀତ ବି ତା ଟୁନିଆଣ୍ଟି ତାକୁ ଗାଇକି ଶୁଣାନ୍ତି l ଖୁସି ବି ତା ସ୍କୁଲ କଥା ଆସି ଟୁନିକୁ କହେ l

ଟୁନି ଏହି କେତେଟା ଦିନ ଭିତରେ ସଭିଙ୍କୁ ଆପଣାର କରିସାରିଥିଲା l ଘରେ ଏବେ 'ମାମା' 'ମାମା' 'ରୀତା' 'ରୀତା ' ଶବ୍ଦ ବଦଳରେ 'ଟୁନି' 'ଟୁନି' 'ଆଣ୍ଟି' 'ଆଣ୍ଟି' ବେଶୀ ଶୁଣା ଯାଉଥିଲା l ସବୁକାମରେ ଟୁନିର ଆବଶ୍ୟକତା ଯେତିକି ବଢ଼ୁଥିଲା, ରୀତାଙ୍କ ଗୁରୁତ୍ୱ ସେତିକି କମୁଥିବା ରୀତା ଅନୁମାନ କଲେ l ଟୁନିକୁ ଥରେ ଜର ହେଇଗଲା, ଯେ ବେଶ କିଛିଦିନ ଔଷଧ ଖାଇଲା ପରେ ବି ଛାଡ଼ିଲାନି lରୀତା ଦେବୀଙ୍କ ବ୍ୟତୀତ ଘରର ଅନ୍ୟ ସମସ୍ତେ ବହୁ ବ୍ୟସ୍ତ ହୋଇପଡିଲେ l ଗୋଟେ ସନ୍ଧ୍ୟାରେ ଜରଟା ବଢିଯିବାରୁ ପିଙ୍କୁ ସ୍କୁଟି ନେଇକରି ରାତି ନଅ ଟାରେ ତା ବାପାଙ୍କ ଡାକ୍ତର ବନ୍ଧୁ ସୁବୋଧ ଅଙ୍କଲଙ୍କୁ ଡାକିକରି ଘରକୁ ଆଣିଲା l ସେ ଟୁନିକୁ ଦେଖି ସଠିକ ଔଷଧ ଇଂଜକସନ ଲେଖିବା ପରେ ଟୁନି ସେହି ମେଡ଼ିସିନ, ଇଂଜକସନରେ ଭଲ ହେଲା l

ଟୁନି ସେହି ଘରେ ଖୁବ ଖୁସିରେ ଥିଲା l ମନେ ମନେ ଠାକୁରଙ୍କୁ, ରୀତା ନାନୀ ଓ ସତ୍ୟବାବୁଙ୍କୁ ଧନ୍ୟବାଦ ଦେଉଥିଲା l

ସବୁକିଛି ଠିକ ଚାଲିଥିଲା ବେଳେ ପୁଣି ଆଗପରି ଘରୁ କିଛି କିଛି ଦରକାରୀ ସାମଗ୍ରୀ ହଜିବାକୁ ଲାଗିଲା l ସମସ୍ତଙ୍କ ସହ ମିଶି ଟୁନି ବି ସେହି ସବୁ ଜିନିଷ ବହୁତ ଖୋଜିଲା l କୋଉଠୁ ମିଳିଲାନି l ନିୟମିତ ବ୍ୟବଧାନରେ ଘରୁ କିଛି ନା କିଛି ଚୋରି ହେଲା l ଟୁନି ପରି ନିସ୍ଵାର୍ଥପର ମହିଳାକୁ ସନ୍ଦେହ କରିବାକୁ କାହାରି ବି ସାହସ ହେଉନଥିଲା l ତାହେଲେ ଜିନିଷ ଗୁଡିକ ଏମିତି ଉଭାନ ହେଇଯାଉଛି କୁଆଡେ?ହଜିଯାଉଥିବା ସାମଗ୍ରୀମାନ ପ୍ରକୃତରେ ଖୁବ ମୂଲ୍ୟବାନ ଥିଲା ଓ ଯାହାର ଜିନିଷ ହଜୁଥିଲା ତାର ଅତିପ୍ରିୟ ଜିନିଷଟି ହିଁ ହଜୁଥିଲା l ସେଦିନ ଯେମିତି ପିଙ୍କୁର ଅତିପ୍ରିୟ ରିଷ୍ଟୱାଚଟି ହଜିଗଲା l ପିଙ୍କୁ ରାଗିକରି ନଖାଇ କଲେଜ ପଳେଇଥିଲା l କିଏ ସେ ଚୋର ଯାହାକୁ ସଭିଙ୍କ ପ୍ରିୟ ଦ୍ରବ୍ୟ ହିଁ ଲୋଡ଼ା?

ଯେତେସତର୍କ ରହିଲେ ମଧ୍ୟ ଚୋରି ବନ୍ଦ ହେଉନଥିଲା କି ଚୋର ବି ଧରାପଡୁନଥିଲା l କିଛି ଦିନ ଉତ୍ତାରୁ ଆଉ ଏକ ଅଭାବନୀୟ ଘଟଣା ଘଟିଲା l ସତ୍ୟବାବୁ ଡିପାର୍ଟମେଣ୍ଟର କିଛି ଉନ୍ନତିମୂଳକ କାର୍ଯ୍ୟପାଇଁ ଉଠେଇ ଥିବା ତିରିଶ ହଜାର ଟଙ୍କା ସେମିନାର ସେକ୍ରେଟାରୀକୁ ହସ୍ତାନ୍ତର କରିବାର ଥିଲା l କିନ୍ତୁ ସେ ଆସିବାକୁ ବିଳମ୍ବ କଲାରୁ ଟଙ୍କାଟା ସାଙ୍ଗରେ ଘେନି ଘରକୁ ଚାଲିଆସିଲେ l ପରଦିନ କଲେଜ ଟାଇମରେ ନେଇଯିବେ ଭାବି ଆଲମିରାରେ ରଖିଥିଲେ l ସକାଳୁ ଆଲମାରୀ ଖୋଲି ଦେଖିଲେ ଟଙ୍କା ଗାୟବ l ସୁଚରୀତାଙ୍କୁ ପଚାରିବାରୁ ସେ ଦେଖିନାହାଁନ୍ତି କହିଲେ l ସମସ୍ତଙ୍କୁ ଗୋଟି ଗୋଟି କରି ପଚାରି ସେହି ସମାନ ଉତ୍ତର ପାଇଲେ l ସତ୍ୟବାବୁଙ୍କର କଲେଜ ଟାଇମ ଗଡିଯାଉଥିଲା l ସେ ବ୍ୟସ୍ତ ବିବ୍ରତ ହୋଇଗଲେ l ତିରିଶ ହଜାର ଟଙ୍କା ଘରୁ ଚୋରୀ ହେଇଯିବାଟା ଆଦୌ ଶୁଭ ସଙ୍କେତ ନୁହେଁ l

ସୁଚରୀତା ଆଜି ବାଧ୍ୟ ହୋଇ ଟୁନିକୁ ତା ବ୍ୟାଗ ଖୋଲି ଦେଖାଇବା ପାଇଁ କହିଲେl ଟୁନିର ବଡ ବଡ ଆଖିରୁ ଟୋପା ଟୋପା ଲୁହ ଖସିପଡିଲା l ସେ ତା ଛୋଟ ରୁମ ଭିତରକୁ ଯାଇ ନିଜ ସାତସିଆଁ ଛିଣ୍ଡା ବ୍ୟାଗଟି ଆଣି ସମସ୍ତଙ୍କ ସାମ୍ନାରେ ରଖିଦେଲା l ଚେନ କାମ କରୁନଥିବା ବ୍ୟାଗଟାକୁ ରୀତା ଦେବୀ ଖୋଲି କରି ତଳେ ଅଜାଡି ଦେଲେ l ବ୍ୟାଗରୁ ଦୁଇ ହଳ ପୁରୁଣା ଶାଢ଼ୀ, ଟୁନି ଆଉ ତା ବାପା ବୋଉ ଥିବା ଗୋଟେ ଫୋଟୋ ଫ୍ରେମ,ହଳେ କଳା ପଡ଼ିଯାଇଥିବା ରୁପା ପାଉଁଜି ସହ ମୋଟା ଏକ ଟଙ୍କାର ବିଡା ଖସିପଡିଲା l

ସମସ୍ତେ ଏତେଗୁଡ଼େ ଟଙ୍କା ଟୁନିର ବ୍ୟାଗରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ l ସତ୍ୟବାବୁ ଗଣିକରି ଦେଖିଲେ ପୁରା ତିରିଶ ହଜାର l ଟୁନି ପାଟିରୁ କିଛି କଥା ବାହାରୁନଥାଏ l ରୀତାଙ୍କ ଆଖି ରାଗରେ ଲାଲ l ପିଲାମାନେ ନିଜ ଆଖିକୁ ବିଶ୍ୱାସ କରିପାରୁନଥାନ୍ତି l

ସତ୍ୟବାବୁ କ୍ରୋଧିତ ହୋଇ କହିଲେ -

- ଟୁନି ତୋର ଏତେ ଟଙ୍କା କାହିଁକି ଦରକାର ପଡିଲା ? ଯଦି ଆବଶ୍ୟକ ଥିଲା ମତେ କହିଲୁନି l ଚୋରୀ କରି ଆମ ସମସ୍ତଙ୍କ ବିଶ୍ୱାସକୁ କାହିଁକି ଭାଙ୍ଗିଦେଲୁ? ଆମେ ଚାହିଁକି ବି ତତେ ଆଉ ଏ ଘରେ ରଖିପାରିବୁନି l

ଟୁନି କିଛି କହିଲାନି l କେବଳ କାନ୍ଦିଚାଲିଥିଲା l ତଳୁ ସେହି ପୁରୁଣା ଶାଢ଼ୀ ଉପରୁ ତା ବାପା ବୋଉଙ୍କ ଫୋଟୋଟାକୁ ଉଠେଇ ନିଜ ଛାତିରେ ଚାପି ଧରିଥିଲା l କାନ୍ଦି କାନ୍ଦି ବୋଧେ ସେ ତା ଭାଗ୍ୟକୁ ନିନ୍ଦା କରୁଥିଲା l

ସତ୍ୟବାବୁ କଲେଜ ଯିବା ପୂର୍ଵରୁ ପୁଣିଥରେ କହିଗଲେ -

-ଟୁନି ମୁଁ ଘରକୁ ଫେରିଲାବେଳକୁ ତୁ ତୋ ଗାଁ କୁ ଯାଇସାରିଥିବୁ ବୋଲି ମୁଁ ଆଶା କରୁଛି l

ସମସ୍ତେ ଦୁଃଖୀ ଦୁଃଖୀ ଜଣାପଡୁଥିଲା ବେଳେ ଟୁନିର ପ୍ରିୟ ରୀତା ନାନୀ ବେଶ ଆଶ୍ଵସ୍ତ ଅନୁଭବ କରୁଥିଲେ, ଏତେ ଦିନକେ ଅସଲ ଚୋରଣୀଟା ଧରାପଡିଥିବାରୁ l

ଖୁସି ଦୌଡ଼ି ଆସି ଟୁନିକୁ କୁଣ୍ଢେଇ କହିଲା, " ଆଣ୍ଟି ଯାଅନି l ବାବା ମାମାଙ୍କୁ ସରି କହିଦିଅ l"

ଟୁନି ଖୁସିର ମୁଣ୍ଡ ଆଉଁସି ଦେଇ ତାକୁ ଟିକେ ପାଖକୁ ଆଣି ଗେଲ କଲା l ଟୁନିର ଲୋତକ ଭର୍ତ୍ତି ଆଖି l ଖୁସିର କାନ୍ଦ କାନ୍ଦ ମୁଁହ l

ଟୁନି ଏବେ ତା ଛିଣ୍ଡା ବ୍ୟାଗଟା ଉଠେଇଲା l ଶାଢ଼ୀ ଆଉ ଅନ୍ୟ ଦୁଇ ତିନିଟା ଜିନିଷକୁ ରଖିଦେଇ ଦୁଇପାଖରୁ ବ୍ୟାଗର ଫିତା ଦୁଇଟିକୁ ବାନ୍ଧି ଗଣ୍ଠିଟେ ପକାଇଲା l ରୀତା ନାନୀଙ୍କ ଠୁ ବସ ଭଡ଼ା ପାଇଁ ପଞ୍ଚାବନ ଟଙ୍କା ମାଗି କରି ଆଣିଲା l

ହଠାତ ପୁଣି ମନେପଡ଼ିଲା ସକାଳର ବାସନ ମେଞ୍ଚାଏ ପଡିଛି l ବିନା କୌଣସି ଶବ୍ଦରେ କିଚେନ ଭିତରକୁ ଗଲା ଓ ଅନ୍ୟ ଦିନମାନଙ୍କ ପରି ଅଇଁଠା ବାସନଗୁଡା ଚିକଚିକ କରି ମାଜିପକାଇଲା l

ରୋଷେଇ ଘରୁ ବାହାରିଆସି ଦେଖିଲା ମାଆ ପିଲା ତିନିଜଣ ଯାକ ହଲରେ ବସିଛନ୍ତି l ସେ ନିଜର ସର୍ବସ୍ୱ ସେହି ଚିରା ବ୍ୟାଗଟିକୁ ଦୁଇହାତରେ ଜାବୁଡି ଧରି ସଭିଙ୍କ ଠୁ ବିଦାୟ ମାଗିଲା l

ପିଙ୍କୁ ଆସି ଏକ ଦୁଃଖୀ ଦୁଃଖୀ ଜଣାପଡୁଥିବା ଧୀର ସ୍ୱରରେ କହିଲା -ଆଣ୍ଟି ବସ ଷ୍ଟାଣ୍ଡ ପାଖରେରେ ଛାଡିଦେବି କି?

ଟୁନି ମୁଣ୍ଡ ହଲେଇ ନାହିଁ କଲା l

ଟୁନି ଘରୁ ବାହାରୁଥିଲା ବେଳେ ସୁଚରୀତା କବାଟ ଟା ବନ୍ଦ କରିବାକୁ ପଛେ ପଛେ ଆସିଲେ l ଟୁନି ଗଲା ବେଳକୁ ବ୍ୟାଗଟା ତଳେ ରଖିଦେଇ ରୀତାଙ୍କ ପାଦ ଛୁଇଁଲା l ପୁଣି ବ୍ୟାଗଟା ହାତରେ ଉଠେଇ ଧରି କହିଲା -

- "ନାନୀ ଯାଉଛି l ତୁମ ମାନଙ୍କ ସହ ବିତିଥିବା ଏହି କେତୋଟି ଦିନ ମୋ ଜୀବନର ସବୁଠୁ ଖୁସିର ଦିନ ହେଇ ମୋ ଛାତିତଳେ ମଲାଯାଏଁ ରହିଥିବ l ପିଲାମାନଙ୍କୁ କହିଦେବ ଏ ଚୋରଣୀଟାକୁ ବେଶୀ ମନେପକେଇବେ ନାହିଁ l" ଏତିକି କହିଲା ବେଳେ ଟୁନିର ଆଖିରୁ ଲୁହ ବୋଲ ମାନୁନଥିବା ବନ୍ୟା ପରି ବୋହି ତା ଗଣ୍ଡ ଦେଶ ଅତିକ୍ରମ କରି ପିନ୍ଧା ଶାଢ଼ୀ ବି ଭିଜେଇଦେଉଥିଲା l

ରୀତା କିଛି ନକହି ସେମିତି ଠିଆ ହୋଇଥାନ୍ତି l ଟୁନି ପୁଣି କହିଲା, "ନାନୀ, ଖାଲି ହାତରେ ଆସିଥିଲି, ଗଲାବେଳକୁ ବିରାଟ ବୋଝଟେ ମୁଣ୍ଡେଇ ଯାଉଛି l ବାପା ବୋଉ ବନ୍ୟାରେ ଭାସିଗଲେ, ସ୍ୱାମୀ ଘରୁ ତଡ଼ିଦେଲା ସେସବୁ ଅସହ୍ୟ ଛାତିଫଟା ବେଦନାକୁ ଏକା ଏକା ସହିଯାଇଥିଲି l ମୁଁ ପର ଘରେ ବସି ପାଇଟି କରି ଅନ୍ୟର ବାସି ଅଇଁଠା ଖାଇ ଆପଣା ପେଟ ପୋଷିଛି କିନ୍ତୁ ନିଜ ମାନ ମହତ କୋଉଠି ହରେଇନଥିଲି l ଏଠିକୁ ଆସିଲି l ଭାବିଲି ଏହି ମୋ ଶେଷ ଠିକଣା l ତୁମମାନଙ୍କ ସେବା କରି ବାକି ଜୀବନ କାଟିଦେବି l ହେଲେ ମୁଁ ହତଭାଗିନୀ କାହୁଁ ବୁଝିବି ମୋ କପାଳଟା ପା ଜନ୍ମରୁ ଫଟା l "

ଟୁନି କାନ୍ଦୁ କାନ୍ଦୁ ପୁଣି ଜୋଡ଼ିଲା "କିନ୍ତୁ ନାନୀ ମୋର ସବୁ ଯନ୍ତ୍ରଣା ଠୁ ବଳିଗଲା ଆଜି ମୁଁ କରିନଥିବା ଅପରାଧର ଅସହ୍ୟ ଅପବାଦ ବୋଝ l ୟାକୁ ବୋହିବା ବହୁତ କଷ୍ଟ l ଏଇଟା ମୋ ଛାତିକୁ ରୁନ୍ଧି ପକଉଛି ନାନୀl" କହୁ କହୁ ତା ଗଳା ଯନ୍ତ୍ରଣାରେ ଦବିଗଲା ବୋଧେ l ଦୁଃଖିନୀ ଝିଅଟା ସେହି ଲୁଣିଆ ଅଶ୍ରୁକୁ ଗଳା ପାଖେ ଢୋକିନେଇ ଛାତିକୁ ଜୋରକରି ବ୍ୟାଗରେ ଚାପିଧରି କହିଲା," ନକଲି ଚୋରିଟା ତ ଧରା ପଡିଗଲା ନାନୀ, କିନ୍ତୁ ଅସଲରେ ତୁମର ଯାହା ଚୋରିଯାଇଛି ସେହିଟା ତୁମ ଆଉ ମୋ ଛଡା କେହିଜାଣିଲେ ନାହିଁ ନାଁ? ସେହି ଚୋରୀ ଦରବଟା ବି ଚାହିଁକରି ତୁମେ ମୋଠୁଁଉ ଛଡେଇ ନେଇପାରିବନି l ହଉ ନାନୀ ମୁଁ ଆସୁଛି l ଏ ଗରିବ ପାପିନୀକୁ ତା ଭୁଲ ପାଇଁ କ୍ଷମା କରିଦେବ l" ଟୁନିର ବାଷ୍ପରୁଦ୍ଧ କଣ୍ଠର କାରୁଣ୍ୟତା ରୀତାଙ୍କ ହୃଦୟରେ ଧକ୍କା ହେଲା ପରି ତାଙ୍କୁ ମନେ ହେଲା l ସେ ସେମିତି ମୂର୍ତୀ ପରି ଠିଆହୋଇ ରହି ସେହି ଚିରଦୁଃଖିନୀ ସ୍ୱମୀପରିତ୍ୟକ୍ତା ଅନାଥ ଝିଅଟିକୁ ଚାଲିଯାଉଥିବାର ପଛରୁ ଦେଖୁଥାନ୍ତି l ଟୁନି କେତେବେଳୁ ଗେଟ ପାର ହୋଇଯାଇସାରିଲାଣି l ରୀତା ନିଶ୍ଚଳ ହୋଇ ଚାହିଁ ରହିଛନ୍ତି l ତାଙ୍କ ନଜର ପଡିଲା ସେ ଟୁନିକୁ ଦେଇଥିବା ନିଜ ପୁରୁଣା ଚପଲ ହଳକ ଗେଟ ଏପଟେ ଥୁଆହୋଇଛି l ସେଇଦୁଇଟିକୁ ବି ଫେରାଇଦେଇ ବିଚାରୀ ସ୍ନେହ କାଙ୍ଗାଳି ଏକାକିନୀ ଏକଦମ ନିସ୍ବ ନାରୀଟି ଖାଲିପାଦରେ ଚାଲିଯାଇଛି l

ସନ୍ଧ୍ୟାରେ ସତ୍ୟବାବୁ ଫେରିଆସି ସୋଫା ଉପରେ ବସିପଡ଼ିଲେ ଆଉ ଅଭ୍ୟାସ ବଶତଃ ପାଟିକଲେ, "ଟୁନି ଚା' କପେ ଆଣିଲୁ "

ସୁଚରୀତା ନିଜେ ପାଣି ଆଉ ଚା' ଧରି ଆସିଲେ l ସତ୍ୟବାବୁ ସେ ଚା' ରୁ ଗୋଟେ ଚୁରୁକ ପିଇ ବାକିତକ ସେମିତି ଟିପୟ ଉପରେ ରଖିଦେଲେ l ପିଲାମାନେ ବି ଆଜି ଠିକ ରେ ଖାଇନାହିଁନ୍ତି l ସମସ୍ତେ ମ୍ରିୟମାଣ ଗଭୀର ଦୁଃଖରେ l ଗମ୍ଭୀର ପରିବେଶ l କେହି କାହା ସହ କଥା ହେଉନାହାଁନ୍ତି l

ସୁଚରୀତା ଏକ ଭୀଷଣ ଅପରାଧ ବୋଧରେ କାହାକୁ ସାମ୍ନା କରିନପାରି ଷ୍ଟୋର ରୁମ ଆଡକୁ ଗଲେ l ସେଠି କବାଟ କୋଣରେ ଥିବା ବଡ ଟିଣ ବାକ୍ସର କୁମୁଡା ଖୋଲିଲେ l ଅନ୍ୟମନସ୍କ ଭାବେ ତା ଭିତରେ ହାତ ପସେଇ ଆଗରୁ ଚୋରୀ ଯାଇଥିବା ପିଙ୍କୁର ପ୍ରିୟ ରିଷ୍ଟ ୱାଚ ସମେତ ଅନ୍ୟାନ୍ୟ ସମସ୍ତ ଚୋରୀ ଜିନିଷ ଗୋଟି ଗୋଟି କରି ବାହାର କଲେ l ସେ ପ୍ରତ୍ୟେକଟି ମୂଲ୍ୟବାନ ଦ୍ରବ୍ୟ କାଢ଼ୁଥାନ୍ତି ଓ ମନେ ମନେ ଭାବୁଥାନ୍ତି, "ଟୁନି ଗଲା ବେଳକୁ କୋଉ ଚୋରୀ କଥା କହିଦେଇ ଗଲା?"

ଲୋପାମୁଦ୍ରା ମିଶ୍ର


Rate this content
Log in

Similar oriya story from Drama