Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଝିଅ ଆସୁଛି ..
ଝିଅ ଆସୁଛି ..
★★★★★

© Kamala Satpathy

Drama Tragedy

12 Minutes   14.9K    22


Content Ranking

“ହେଇ ନିଅ, ତୁମ ଝିଅର ଚିଠି ! ଏଥରକ ମନ ଖୁସି କର । ଘର ଦୁଆର ସଜାଡି ଦିଅ ।”

ହାତରେ ଚିଠି ଖଣ୍ଡେ ଧରି ଘର ଭିତରକୁ ହସି ହସି ପଶିଆସିଲେ ବିମ୍ବାଧରବାବୁ । ତାଙ୍କ ମୁହଁରେ ବ୍ୟାପି ରହିଥିବା ଲମ୍ବା ଚଉଡା ହସଟା ହିଁ କହି ଦେଉଥିଲା, ନିଶ୍ଚୟ କିଛି ସୁଖବର ଅଛି । ତଥାପି ଫଟେଇ ହେଇ ଆଉ ଥରେ ପଚାରି ଦେଲେ ସୁମା, “କ’ଣ ଲେଖିଛି ?”

“କ’ଣ ଆଉ ଲେଖିବ ? ଦିନରାତି ତୁମେ ଯୋଉ କଥା ଭାଳି ହେଉଛ, ସେଇ କଥା ହିଁ ତ ଲେଖିବ .. ଯାହା ହେଲେ ବି ତମରି ଝିଅ ତ ! .. ଆସନ୍ତା ମାସରେ ଜୋଇଁଙ୍କ ସହିତ କଟକ ଆସୁଛି ସେ । ମାସେ ଛୁଟି ଅଛି । ଗାଁକୁ ବି ଆସିବ । ହଁ, ଆଉ ବି ଲେଖିଛି .. ସହରିଆ ଜୋଇଁ କରିଛ, ଗାଁ କେବେ ଦେଖିନାହାନ୍ତି ସେ ! ତେଣୁ ଘରଦୁଆର ସଫା ସୁତୁରା କରି ରଖିଥିବ । ନିଜକୁ ବି ସଜେଇ ସାଜେଇ ରଖିବ । ବୋଉକୁ କହିବ ସାହ୍ୟା ବ୍ଲାଉଜ୍ ପିନ୍ଧିବ ଘରେ, ଆଉ ବାପା ଖାଲି ଧୋତି ଆଉ ଗାମୁଛା ଗୁଡେଇବନି ଦେହରେ, କୁର୍ତ୍ତା ପାଇଜାମା ପିନ୍ଧିବ । .. ତୁମ ଜୋଇଁଙ୍କର ଯେମିତି ଗାଁରେ କିଛି ଅସୁବିଧା ହେବନି, ସେକଥା ଭଲରେ ବ୍ୟବସ୍ଥା କରିବ, ନହେଲେ ଜୀବନ ସାରା ମତେ ଖୁଣ୍ଟା ମିଳିବ !”

“ଆଚ୍ଛା .. ଏମିତି ଲେଖିଛି ! ହଉ, ସବୁକିଛି ତାରି ମନ ମୁତାବକ କରି ରଖିବି । ଏମିତି ବ୍ୟବସ୍ଥା କରିଦେବି ଯେ ଗାଁ ଛାଡି ଫେରିଯିବାକୁ ଜୋଇଁ ତୁମର କେବେ ମନ କରିବେନି ।” କହୁ କହୁ ପରମ ତୃପ୍ତିରେ ମେଞ୍ଚାଏ ହସ ଉଚ୍ଛୁଳି ଆସିଲା ହୃଦୟ ଭିତରୁ । ଦୀର୍ଘ ଛଅ ମାସ ପରେ ନିଜ ଅଲିଅଳୀ ଝିଅକୁ ସେ ଦେଖିବେ ! ମୁହୂର୍ତ୍ତେ ବି ପାଖ ଛାଡୁନଥିବା ଝିଅ ତାଙ୍କର, ତାଙ୍କ ଠାରୁ ଦୂରେଇ ଏଇ ଛଅ ମାସ କେମିତି ରହିଥିବ, ସେକଥା ଭାବିଲେ ଛାତି ରଟ୍ ରଟ୍ କରିପକାଏ । ଛଳଛଳେଇ ଯାଏ ଆଖି । କିଏ ଜାଣେ, କେମିତି ରହୁଥିବ ସହର ଥାନକୁ ଯାଇ ! ଗାଁର ପାଣି ପବନରେ ଗଢା ଶରୀର ତା’ର, ସହରର କୋଳାହଳରେ ଝାଉଁଳି ପଡିବଣି ! ଶୁଖିକି କଣ୍ଟା ହେଇସାରିବଣି ! ହାତରେ ଦିନେ ପାଣିର ଗ୍ଲାସ୍ ବି ଉଠେଇ ନଥିଲା । ସବୁକଥାରେ – ବୋଉ ଏଇଟା ଦେ.. , ବୋଉ ସେଇଟା ଦେ ..ର ଆଳାପ ଲମ୍ବୋଉଥିଲା ! ଏଇଲେ କେମିତି ଘରସଂସାର କରୁଥିବ କେଜାଣି ! ଦିନରାତି ତାଙ୍କୁ ହିଁ ଝୁରୁଥିବ ତ !

ଝିଅ ପାଖରୁ ବରାବର ଚିଠି ଆସୁଛି ତାଙ୍କର । କେତେ ଥର କହିଲାଣି ଘରେ ଫୋନ୍ ଟାଏ ହେଇଗଲେ ତା’ ସହିତ ସିଧାସଳଖ କଥା ହେଇପାରନ୍ତେ ସମସ୍ତେ । ସେ ବି ସବୁଦିନ ଫୋନ୍ କରି ଗପନ୍ତା । ଆଜିକାଲିକା ଯୁଗରେ ଚିଠି ଲେଖୁଛି ପଢୁଛି ବା କିଏ ! .. ଫିକ୍ କରି ହସିଦିଅନ୍ତି ସୁମା । ଝିଅ ତାଙ୍କର ବହୁତ ବଡ ହେଇଗଲାଣି .. ଦାୟୀତ୍ବବାନ୍ ହେଇଗଲାଣି । ଦିନରାତି ତା’ର ଖାଲି ବୋଉ ଚିନ୍ତା । ବୋଉ ପାଇଁ ଏଇଟା କରିଦିଅ, ସେଇଟା କରିଦିଅ ବୋଲି କହି, ବାପାଙ୍କୁ ସବୁ ଚିଠିରେ ଲେଖୁଛି । କିଛି ଦିନରୁ ଲଗେଇଛି ବୋଉର ସ୍ଵର ଶୁଣିବାକୁ ଅଛି, ଗୋଟେ ମୋବାଇଲ୍ ରଖ ଘରେ । ତା’ କଥା ଶୁଣି ଶୁଣି ସୁମାଙ୍କର ମନ ବି ବେଳ ଅବେଳରେ ସେଇ ଆଡକୁ ମାଡିଯାଏ । ହେଲେ ଅଭାବୀ ସଂସାରରେ ଏସବୁ କଥା ଭାବିବାକୁ ବି ସାହାସ କରିପାରନ୍ତିନି ବିମ୍ବାଧରବାବୁ । କେବଳ ବୁଝେଇ ଦିଅନ୍ତି, “ସବୁ ହେବ ହେବ ଗୋ ମିନିବୋଉ .. ପିଲା ଦୁଇଟା ଆମର ପାରେଇଗଲେ, ଗୋଟାଏ କ’ଣ ପୁଞ୍ଜାଏ ଫୋନରେ କଥା ହେବ ତୁମେ ।

ତାଙ୍କର ସେ ନିଲଠା କଥାର କିଛି ଉତ୍ତର ଦିଅନ୍ତିନି ସୁମା । ଭବିଷ୍ୟତର ସୁଖ ସ୍ବପ୍ନକୁ ହାତମୁଠାରେ ବନ୍ଦ କରିନିଅନ୍ତି । ଝିଅର ଚିନ୍ତାଟା ବିନା ଝିଞ୍ଜଟରେ ଦୂରେଇ ଯାଇଛି, ଏବେ ଖାଲି ପୁଅ ଦୁଇଟାଙ୍କ ଚିନ୍ତା । ଠାକୁର ବଡଲୋକ, ତାଙ୍କ ଇଚ୍ଛାରେ ଏ ଚିନ୍ତା ବି ବଳେଇ ଯିବନି ତାଙ୍କୁ । ସବୁକିଛି ସୁରୁଖୁରୁରେ ସମ୍ପନ୍ନ ହେଇଯିବ ନିଶ୍ଚୟ ।

ତଥାପି କେବେ କେବେ ଦୁନିଆ ପ୍ରକାରର ଚିନ୍ତା ମୁଣ୍ଡ ଭିତରକୁ ପଶିଆସେ .. ଆନନ୍ଦର ବି ଆଉ ଦୁଃଖର ବି ! କେତେ ସଂଘର୍ଷ କରି କରି ସଂସାରର ପିଚ୍ଛିଳ ରାସ୍ତାରେ ବାଟ ଚାଲିଛନ୍ତି ସେ ! ସବୁବେଳେ ଦୁଃଖ ଆଉ କଷ୍ଟକୁ ସାଥିରେ ପାଇଛନ୍ତି । ତଥାପି ଠାକୁରଙ୍କ ଉପରେ ଭରସା ରଖି ଆଗେଇ ଚାଲିଛନ୍ତି ସେଇ ପହିଲି ଦିନରୁ ଯେ, ଆଜିଯାଏ ଥକିନାହାନ୍ତି .. ହାରିନାହାନ୍ତି ! ନିଜର ମାନସମ୍ମାନ ଅପେକ୍ଷା ଘର ପରିବାରର, ସ୍ବାମୀଙ୍କର ସମ୍ମାନକୁ ଜଗି ରଖି ବାଟ ଚାଲିଛନ୍ତି । ଏମିତି କିଛି ବି କାମ କରିନାହାନ୍ତି, ଯୋଉଠି କିଏ ନୀଚ ଦେଖେଇ ତାଙ୍କୁ ପଦେ ଶୁଣେଇ ଦେଇଯିବ ! ଆଲୋ ସଖି, ଆପଣା ମହତ ଆପେ ରଖି - ବିମ୍ବାଧରବାବୁଙ୍କର ଏଇ ପଦିକ କଥାକୁ କାନିରେ ଗଣ୍ଠିକରି ରଖିଛନ୍ତି ସଂସାର ଆରମ୍ଭ କରିବା ଦିନରୁ ! ତାରି ଭିତରେ ନିଜ ସୁଖ ଖୋଜିଛନ୍ତି, ନିଜ ଭାଗ୍ୟ ଭୋଗିଛନ୍ତି ।

କେତେ କଥା ଆଜି ସବୁ ମନେ ପଡିଯାଉଛି ତାଙ୍କର । ସେସବୁକୁ ସେଇଠି ରଖି ଏବେ ତାଙ୍କୁ କାମରେ ଲାଗିଯିବାକୁ ହେବ । ଝିଅ ତାଙ୍କର ଆସିବ, ସେଥିପାଇଁ ବିମ୍ବାଧରବାବୁ କେତେବେଳୁ ସେଠାରୁ ଉଠିଯାଇ ବାଡିପଟଟାକୁ ଦେଖାଚାହାଁ କରିବାରେ ଲାଗିଲେଣି । ଝିଅର ଜେଜୀ, ସାନଭାଇ, ସାଙ୍ଗସାଥୀ, ସମସ୍ତଙ୍କୁ ବି ତ ଖବରଟା ଦେବାକୁ ହେବ ! କେତେ ଉତ୍କଣ୍ଠାରେ ଚାହିଁ ରହିଛନ୍ତି ସମସ୍ତେ ତା’ ଆସିବା ବାଟକୁ ! କାହିଁ ନଚାହିଁବେ ଯେ ? ଘରଟି ଯାକର ସମସ୍ତଙ୍କ ନୟନର ମଣି ସେ । ନିଜ ପଛରେ ଦୁଇ ଦୁଇଟି ପୁଅ ଏଘରକୁ ଆଣିଛି ବୋଲି, ଜେଜୀମା’ର ଆଖିର ତାରା ସେ । ସାନଭାଇ ଦୁଇଜଣଙ୍କର ବନ୍ଧୁ, ଗୁରୁ, ପଥପ୍ରଦର୍ଶକ, ସବୁକିଛି ସେ ! ବାପା ହୃଦୟର ମାଳି, ଆଉ ତାଙ୍କର ?

କ’ଣ ବା କହିବେ, ତାଙ୍କ ପାଇଁ ସେ କ’ଣ ସତରେ ! ତା’ ବିନା ଏ ଛଅ ମାସ ତାଙ୍କର କେମିତି କଟିଛି, କେବଳ ସେ ହିଁ ଜାଣନ୍ତି ! ଆସୁ ଥରେ, ବାଧ୍ୟ କରି ନିଜ ପାଖରେ କିଛି ଦିନ କାଳ ନିଶ୍ଚୟ ରଖେଇ ନେବେ । ଏମିତି ତରବରିଆ କରି ବାହାଘରଟା ହେଲା , ତା’ ପୁଣି ଏତେ ଦୂର ବାଟରେ ଯେ ମନ ଭରି କାନ୍ଦିବା ପାଇଁକି ବି ବେଳ ପାଇନଥିଲେ ସେ ! କାମଦାମରେ ବ୍ୟସ୍ତ ରହି ମନର ସବୁ ଓରିମାନା ଅତୃପ୍ତ ରହିଯାଇଛି ।

ଏଥର ମନବୋଧ କରି ଦଶ ପନ୍ଦର ଦିନ ନିଶ୍ଚୟ ତାକୁ ପାଖରେ ରଖିବେ । ଜୋଇଁ ଯଦି ଗାଁରେ ରହିବାକୁ ଇଚ୍ଛା ନକରିବେ, ତେବେ ସେ ପଛେ ଫେରିଯିବେ, କିନ୍ତୁ ଝିଅକୁ ଏତେ ଶୀଘ୍ର ସେ ଜମା ବି ଛାଡିବେ ନାହିଁ । ବାହା ହେଲା ଝିଅ, ବାପଘରେ ରହିବା କଥା ନୁହେଁ ଜାଣି ମଧ୍ୟ ସେ ଜିଦି କରିବେ ।

ବାରମ୍ବାର ଅମାନିଆ ଆଖିଗୁଡା ଓଦା ହେଇ ଉଠୁଥିଲା । କେତେ ଛୋଟ ବଡ କଥା ଆଜି ମନେ ପଡି ଯାଉଥିଲା । ବାହାଘରର ଚାରି ବର୍ଷ ପରେ ଜନ୍ମ ହେଇ, ଝିଅ ତାଙ୍କର ସବୁ ନିନ୍ଦା ଅପବାଦରୁ ତାଙ୍କୁ ରକ୍ଷା କରିଥିଲା ବୋଲି କେତେ ଗେହ୍ଲାରେ ବଢେଇ ଥିଲେ ତାକୁ, ତା’ର ହିସାବ ନାହିଁ । ସବୁ ଦୁଃଖ, ସବୁ ଯନ୍ତ୍ରଣାକୁ ପିଠି କରି ସେ ଖାଲି ତାରି ମୁହଁକୁ ଚାହିଁ ବଞ୍ଚି ରହିଥିଲେ । ସବୁ ଅଭାବ, ସବୁ ଅସୁବିଧା ସତ୍ତ୍ବେ ବି ନିଜ ସାମର୍ଥ୍ୟରୁ ବଳି ତା’ ପାଇଁ ସୁଖ ସୁବିଧା ଯୋଗାଡ କରିବାରେ ବିମ୍ବାଧରବାବୁ କେବେ କାର୍ପଣ୍ୟ କରିନଥିଲେ । ତା’ ପାଟିରୁ ଯାହା ବାହାରୁଥିଲା, ତାହା ଥିଲା ଘରଲୋକଙ୍କ ପାଇଁ ବେଦ ବାକ୍ୟ । ସେ ବି ସେମିତି ପୁଷି ବିଲେଇ ଭଳି ସବୁବେଳେ ମା’ ପାଖରେ ଗୁଡୁରୁ ଗାଡର ହଉଥାଏ । କେବେ ମା’ ପାଖ ଛାଡି କୁଆଡେ ବି ଯାଏନାହିଁ । ମାଟ୍ରିକ୍ ରେ ଭଲ ନମ୍ବର ରଖିଥିଲା ବୋଲି ସମସ୍ତେ କହିଥିଲେ ନେଇ କଟକରେ ପଢେଇବାକୁ। କିନ୍ତୁ କଟକ ନାଁ ଶୁଣୁ ଶୁଣୁ କାନ୍ଦି କାନ୍ଦି ଲୋଟିଗଲା । ବୁଝୁ ବୁଝୁ କ’ଣ ନା, ବୋଉ ବିନା ସେ ରହିପାରିବ ନାହିଁ । ତେଣୁ ହଷ୍ଟେଲରେ ରଖିବା କଥା ସେଇଠି ରହିଲା । ଗାଁରୁ ଯିବା ଆସିବା କରି କରି କଟକରେ ଯାଇ ପଢିଲା ପଛେ, ହେଲେ ଶେଷ ପର୍ଯ୍ୟନ୍ତ ଯିବା ଆସିବା କରିବାକୁ କଷ୍ଟ ଲାଗୁଛି ବୋଲି କହିଲା ହି ନାହିଁ ।

ସେଇ କଲେଜ୍ ଯିବା ଆସିବା ବେଳେ ହି ପୁଅଘର ତାକୁ କୋଉଠି ଦେଖି, ଖବର ଅନ୍ତର ନେଇ, ବିବାହ ପ୍ରସ୍ତାବ ପଠେଇଥିଲେ । ନହେଲେ ସେ କିଏ, ନା ଏ ଜୋଇଁଘର କିଏ ? ବଡ ଘରର ପୁଅ .. ବାହାର ଜାଗାରେ ପୁଣି ଯାଇକି ଚାକିରି କରୁଛି ! ବାହାଘର ପାଇଁ ତାକୁ ଦରକାର ଥିଲା ଗୋଟିଏ ଅତି ବେଶି ସୁନ୍ଦରୀ ଝିଅ । ଏତେ ଝିଅ ଭିତରୁ ତାଙ୍କରି ଝିଅ ହିଁ ତା’ର ପସନ୍ଦ ହେଇଗଲା । ଆଉ ସଙ୍ଗେ ସଙ୍ଗେ ବାହାଘର କଥା ପକ୍କା । ଭାବିବା ଚିନ୍ତିବାକୁ ବି ସମୟ ପାଇଲେ ନାହିଁ ।

କ’ଣ ବା ଆଉ ଭାବିଥାଆନ୍ତେ ! ଏପରି ଘର ଆଉ ବର ପାଇ, ବିମ୍ବାଧରବାବୁ ତ ଆକାଶରେ ଉଡି ବୁଲୁଥିଲେ ! ନିଜ ଭାଗ୍ୟକୁ ବିଶ୍ବାସ କରି ପାରୁନଥିଲେ ଜମା । ଉଠୁଣୁ ବସୁଣୁ, ଯାଉଣୁ ଆସୁଣୁ, ଖାଲି ନିଜକୁ ଚିମୁଟିକି ପରଖୁଥିଲେ – ସେ ସ୍ବପ୍ନ ଦେଖୁଛନ୍ତି ନା ବାସ୍ତବରେ ଏସବୁ ଘଟୁଛି ! ତାଙ୍କ ଝିଅ ପୁଣି ରାଜରାଣୀ ହେବାକୁ ଯାଉଛି ..! .. ଏକ ମଧୁର ଉତ୍ତେଜନା ରାତିଦିନ ଏବେ ତାଙ୍କୁ ଘେରିକି ରହୁଥିଲା ସତେ ଯେମିତି !

ସୁମା କିନ୍ତୁ କାନ୍ଦି ଉଠିଥିଲେ ଏତେ ଶୀଘ୍ର ଝିଅର ବିଚ୍ଛେଦ କଥା ଚିନ୍ତା କରି । ବାହା ତ କରିବେ ସେ ଝିଅକୁ, ହେଲେ ଏତେ ଦୂରରେ କରିବାକୁ ଆଦୌ ଇଚ୍ଛା ନଥିଲା । ଆଖାପାଖରେ କୋଉଠି ବାହା କରେଇଲେ, କମ୍ ସେ କମ୍ ମାସେ କି ପନ୍ଦର ଦିନରେ ଝିଅକୁ ଯାଇ ଦେଖି ଆସିପାରିବେ । ଏତେ ବାଟରେ ଝିଅ ରହିଲେ, ତାକୁ ଛାଡି ସେ ବଞ୍ଚିବେ କେମିତି !

ବହୁତ ପ୍ରତିବାଦ କରିଥିଲେ ସେ । କିନ୍ତୁ ଭାଗ୍ୟ ଆଗରେ ଜୋର୍ କାହାର ? ଭାଗ୍ୟରେ ତା’ର ସେଇ ଘର ବର ଲେଖା ହେଇଥିଲା, ସେଥିପାଇଁ ସୁମାଙ୍କର କେତେ ନାହିଁ ହଁ ଭିତରେ ବି ବାହାଘରଟା ହେଇଗଲା । ତାଙ୍କ ଝିଅ ସବୁଦିନ ପାଇଁ ତାଙ୍କ ପଣତ ଛାଡି, ପରଘରକୁ ଚାଲିଗଲା । ରହିଗଲେ ସେ, ମାସେ ପନ୍ଦର ଦିନରେ ପାଉଥିବା ତା’ ଚିଠିକୁ ଆଶ୍ରା କରି !

ଆଖି ତାଙ୍କର ପୁଣି ଜକେଇ ଆସିଲା । ଏତେ ତରତରରେ ବାହାଘର, ତା’ଠୁ ଆହୁରି ତରତରରେ ଶାଶୁଘରକୁ ବିଦା, ସେଇଠୁ ପୁଣି ତରବରରେ ଚାକିରି ଜାଗାକୁ ଯାତ୍ରା .. ମନ ପୂରେଇ ଦେଖିବାକୁ ବି ସମୟ ପାଇନାହାନ୍ତି ସୁମା । କେତେ ଆଦର ଯତ୍ନରେ ବଢେଇ ଥିଲେ, ଜଣାନାହିଁ କ’ଣ କେମିତି ସଂସାର କରିଛି ବିଦେଶରେ ! ଚିଠିରେ ତ ସବୁକିଛି ବହୁତ ଭଲ ବୋଲି ଲେଖୁଛି, ହେଲେ ମା’ ମନ .. ନିଜ ଆଖିରେ ନଦେଖିଲେ କ’ଣ ପରତେ ଯିବେ !

ସେଇ ଝିଅ ଏବେ ଛଅ ମାସ ପରେ ଫେରୁଛି । କେତେ ଆଗ୍ରହ .. କେତେ ବ୍ୟଗ୍ରତା .. କେତେ ଉଲ୍ଲାସର ଢେଉ ଭାଙ୍ଗି ଭାଙ୍ଗି ପହଁରି ଯାଉଛନ୍ତି ପୂରା ପରିବାର ! ଖବର ପହଞ୍ଚିଲା ପରଠୁ ଘରର ପ୍ରତ୍ୟେକ ସଦସ୍ୟ ନିଜ ସାଧ୍ୟ ମତେ ଲାଗି ପଡିଛନ୍ତି ଝିଅଜୋଇଁଙ୍କୁ ପ୍ରଭାବିତ କରି ପକେଇବାକୁ । ଝିଅ ତ ନିଜର, ଏଇ ଘରେ ଜନ୍ମିଛି .. ବଢିଛି କୁଢିଛି ..! ତା’ ପାଇଁ କି ଚିନ୍ତା ! କିନ୍ତୁ ଜୋଇଁପୁଅ ସାଙ୍ଗରେ ଆସୁଛନ୍ତି, ତେଣୁ ସବୁ ପ୍ରକାରର ବ୍ୟବସ୍ଥା ଖୁବ୍ ବେଶି ଭଲ ହେବା ଦରକାର ।

ସାନ ସାନ ଭାଇ ଦୁଇଟି ରାତିଦିନ ଏକ୍ କରି ନାନୀର ଶୋଇବା ଘରକୁ ଚକାଚକ୍ କରି ପକେଇଲେ । ଜେଜୀମା’ ନିଜ ଗେହ୍ଲା ନାତୁଣୀ ପାଇଁ, ଏତେ ବର୍ଷ ପରେ ଝାଡୁ ଧରି ବାଡି ବଗିଚା ଖରକି ପକେଇଲେ । ବିମ୍ବାଧରବାବୁ ଦଉଡି ଦଉଡି ଯାଇ ପନିପରିବା, ମାଛମାଂସର ବରାଦ କରି ପକେଇଲେ । କୋଉଠୁ ଯାଇ ଭଲ ବାସେନା ସରୁ ଚାଉଳ ଯୋଗାଡ କରି ନେଇଆସିଲେ । ଦୀର୍ଘ ବର୍ଷର ସବୁ ରନ୍ଧନ ବିଦ୍ୟାର ପରୀକ୍ଷା ଦେବା ପାଇଁ ସୁମା ନିଜକୁ ଶାରୀରିକ ଆଉ ମାନସିକ ସ୍ତରରେ ପ୍ରସ୍ତୁତ କରି ପକେଇଲେ । ପଡିଶା ଘରର ପୁତୁରା ବୋହୂକୁ ପଚାରି କ’ଣ କ’ଣ ରାନ୍ଧିବେ, କ’ଣ କ’ଣ ଖୁଆଇବେ, କୋଉଠି ବସେଇବେ, କୋଉଠି ଶୁଆଇବେ, ଗୋଟାଏ ତାଲିକା କରି ପକେଇଲେ । ଦିନରାତି ଖାଲି ଝିଅର ଖୁସି, ତା’ ସମ୍ମାନ କଥା ହି ମୁଣ୍ଡରେ ଘୂରି ବୁଲୁଥିଲା । ଏଡେ ବଡ ଘରେ ଝିଅକୁ ଦେଇଛନ୍ତି ମାନେ, ତା’ ସମ୍ମାନ ପାଇଁ ତାଙ୍କୁ ଏତିକି କଷ୍ଟ ତ କରିବାକୁ ହିଁ ପଡିବ ।

ତାଙ୍କର ସେହି ଅଲିଅଳୀ ଝିଅ ସତରେ ଆସୁଛି, ଯାହାକୁ କେତେ ତପ, କେତେ ପୂଜା କରି ସେ ପାଇଥିଲେ !

ପୋଡପିଠା, ଅରିସା ପିଠା, ଶୁଖୁଆ ଭଜା, ପୋଇ ବେସର, ବଡିଫୁଲା, ବଡିଚୁରା, ମାଛ ମହୁର, ଚୁନା ମାଛ ବେସର, ଆହୁରି ଆହୁରି କେତେ କ’ଣ ! କୋଉ ଦିନ କ’ଣ ରନ୍ଧାଯିବ, କେତେବେଳେ ରନ୍ଧାଯିବ, ପୁତୁରା ବୋହୂର କଥା ମାନି ବିମ୍ବାଧର ବାବୁଙ୍କ ହିସାବ ଖାତାର ପଛପଟରେ ଲେଖିକି ରଖିଦେଲେ । ବିମ୍ବାଧର ବାବୁଙ୍କୁ ତାଗିଦା କରିଦେଲେ – ଝିଅଜୋଇଁ ରହିଲା ଦିନ ତକ ଘରୁ ଯେମିତି ଗୋଡ ନକାଢନ୍ତି ! ପୁଅମାନଙ୍କୁ କହିଦେଲେ, ଭାଇନାଙ୍କ ଆଗରେ କଳିଗୋଳ ନକରିବା ପାଇଁ, ମରାମରି ନହେବା ପାଇଁ ।

ସବୁକିଛିର ଆୟୋଜନ ହେଇଗଲା । ଏବେ ଖାଲି ଦିନ ଗଣିବା କଥା । ଝିଅ ଜୋଇଁ କଟକରେ ପହଞ୍ଚି ଯିବାର ଖବର ପ୍ରଧାନ ଘରକୁ ଫୋନ୍ କରି ତାଙ୍କୁ ଜଣେଇ ଦେଇଥିଲେ ସମୁଦି । ଏକଥା ମଧ୍ୟ କହି ଦେଇଥିଲେ ଯେ ସମୟ ସୁବିଧା ହେଲେ ଝିଅ ନିଜେ ତାଙ୍କୁ ଫୋନ୍ କରି କଥା ହେଇଯିବ କେବେ ।

ସେହି ଦିନ ଠାରୁ ପ୍ରତିଟି ମୁହୂର୍ତ୍ତକୁ ହାତରେ ଗଣି ଚାଲିଛନ୍ତି ସୁମା । ଆଜି ଆସିବ, କାଲି ଆସିବ ହେଇ ଦଶ ଦିନ ବିତିଗଲାଣି । ବିମ୍ବାଧରବାବୁଙ୍କ ବ୍ୟାକୁଳତା, ପିଲାମାନଙ୍କର ବ୍ୟସ୍ତତା, ଶାଶୁଙ୍କର ଅଧିରତା, ସବୁ ଦେଖୁଛନ୍ତି .. ଅନୁଭବ କରୁଛନ୍ତି ସେ । କିନ୍ତୁ କିଛି କରି ପାରିବାର ଉପାୟ ନାହିଁ । ଥରେ ଦି’ ଥର ଧିର ସ୍ବରରେ ବିମ୍ବାଧରବାବୁଙ୍କୁ ଅନୁରୋଧ କରି ସାରିଲେଣି, କଟକ ଯାଇ ଝିଅଜୋଇଁଙ୍କୁ ଶଙ୍ଖୋଳି ଆସିବାକୁ । କିନ୍ତୁ ସେସବୁ ମରହଟ୍ଟା ଯୁଗର ନୀତି ନିୟମକୁ ସମୁଦୁଣୀ ତାଙ୍କର ପସନ୍ଦ କରନ୍ତିନି ବୋଲି ସମୁଦି ବାହାଘର ପୂର୍ବରୁ ହି ରୋକ୍ ଠୋକ୍ କରି କହିଦେଇଛନ୍ତି । ସେ ଶଙ୍ଖୁଳା ଫଙ୍ଖୁଳାର କି ଆବଶ୍ୟକତା ! ଏଇଟା ତ ନିଜ ଘରକଥା, ଯିବା ଆସିବା ଚାଲିବ ! ଏଥିରେ ନିମନ୍ତ୍ରଣ କରିବା .. ଲୁଗାପଟା ପିନ୍ଧେଇବା .. କ’ଣ ଦରକାର ଏ ଅଯଥା କାମ ? ଆଜିକାଲିକା ଯୁଗରେ କାହା ପାଖରେ ଏତେ ସମୟ ଅଛି ଯେ ଏଇ ବେକାର ପରମ୍ପରାକୁ ମୁଣ୍ଡେଇକି ଧରିବ !

ଏସବୁ ପରେ କୋଉ ମୁହଁରେ ଆଉ ଦଉଡି ଯିବେ ସେ ସହରକୁ ? ଏମିତି ବି ସହରକୁ ଯାଇ, ସମୁଦି ଘରର ସେଇ ସାହେବୀ ଆଦବ କାଇଦା ଭିତରେ ନିଜକୁ ସହଜ କରେଇ, ଝିଅ ସହିତ ପଦେ ଅଧେ କଥା ହେବାକୁ ବି ତାଙ୍କର ସାହାସ ହୁଏନାହିଁ ! ସେଇଥିପାଇଁ ତ ଝଅ ଦଶ ଦିନ ହେବ ଆସିଲାଣି ବୋଲି ଜାଣିବା ପରେ ବି ଦଉଡି ଯାଇନାହାନ୍ତି ସେ .. ବ୍ୟାକୁଳ ହେଇ ତା’ ଆସିବା ବାଟକୁ ଚାହିଁ ରହିଛନ୍ତି ପଛେ, କିନ୍ତୁ ଯିବା କଥା ତୁଣ୍ଡରେ ଧରି ବି ନାହାନ୍ତି । ସୁମାଙ୍କର ବାରମ୍ବାର ଅନୁରୋଧ, ପିଲାଙ୍କର ବ୍ୟସ୍ତ ବିବ୍ରତ ଭାବକୁ ଦେଖି “ହଁ .. ଆସିଯିବ ..” କହି ସାନ୍ତ୍ବନା ଦେଇଛନ୍ତି କେବଳ ।

କିନ୍ତୁ କେବେ ? ଦିନ ଦିନ ହେଇ ପନ୍ଦର ଦିନ ଗଡି ଯାଇସାରିଲାଣି । ଯୋଉଠି ଗୋଟାଏ ମୁହୂର୍ତ୍ତ କାଟିବା କଠିନ ହେଉଥିଲା, ସେଠି ଦିନ ସବୁ କେମିତି କଟୁଥିବ ? କେତେ ଆଉ ଫମ୍ପା ଆଶ୍ବାସନାରେ ମନକୁ ବୁଝୋଉଥିବେ ସୁମା ! ଆଉ ସହି ହେଉନାହିଁ । ସକାଳ ପହରୁ ତେଣୁ ଜିଦ୍ଦି କରୁଛନ୍ତି ବିମ୍ବାଧର ବାବୁଙ୍କ ଆଗରେ, ଥରେ ଯାଇକି ଝିଅକୁ ଦେଖିଦେଇ ତ ଆସ ! ମୁଁ ସିନା ଯାଇ ପାରିବିନି, କିନ୍ତୁ ତୁମେ ତ ବାପ .. ପୁରୁଷ ଲୋକ, ତୁମେ କାହିଁ ଯାଇ ପାରିବନି ! ଜୋଇଁ ପଛେ ନ ଆସିଲେ ନାହିଁ, କିନ୍ତୁ ଝିଅକୁ ଆମର ଦିନେ ଓଳିଏ ପାଇଁ ତ ନେଇକି ଆସ ।

‘ହଉ ଯିବି’ ବୋଲି କହି ବିମ୍ବାଧର ବାବୁ ଯଥାଶୀଘ୍ର ସେ ଜାଗା ଛାଡି ପଳେଇଗଲେ । ସୁମାଙ୍କୁ ବୁଝେଇବା ଆଉ ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ଝିଅ ପ୍ରତି ତାଙ୍କ ସ୍ନେହ ଆଗରେ ସ୍ବାମୀର ଇଚ୍ଛା ଅନିଚ୍ଛାର କିଛି ମୂଲ୍ୟ ନାହିଁ । ତାଙ୍କର କ’ଣ ଇଚ୍ଛା ହେଉନି ଝିଅକୁ ଦେଖିବାକୁ ! ହେଲେ କେମିତି କହିବେ ସୁମାକୁ ଯେ ଝିଅଘରର ଝକମକ ଆଲୁଅରେ ତାଙ୍କୁ ନିଜର ପିତୃତ୍ବଟା ଦେଖାଯାଏନି, ବରଂ ଦେଖାଯାଏ ତାଙ୍କ ଦାରିଦ୍ର୍ୟ .. ତାଙ୍କ ଅସହାୟତା .. ତାଙ୍କ ଅଶିକ୍ଷା .. ତାଙ୍କ ମଫସଲିଆ ଚାଲିଚଳନ ! ଏସବୁକୁ ନେଇ ନିଜ ଗାଁର ଚଉହଦୀ ଭିତରେ ସେ ସିନା ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ବୋଲି ଗର୍ବ କରିପାରନ୍ତି, ହେଲେ ଏ ଚଉହଦୀ ଟପି ସେ ଯେତେବେଳେ ସହର ମୁହାଁ ହୁଅନ୍ତି, ବିଶେଷ କରି ଝିଅଘରକୁ ଯାଇଥିବା ରାସ୍ତାଟାରେ ପାଦ ଥୁଅନ୍ତି, ଏସବୁ ବୋଝଟିଏ ହେଇ ତାଙ୍କ ବେକରେ ଝୁଲି ପଡେ । ଆଉ ଏ ବୋଝର ଓଜନ ଏତେ ଅଧିକ ଯେ, ତାକୁ ଉଠେଇ ଉଠେଇ ସେ ତା’ ଘରର ପାହାଚ ପାଖରେ ବି ପହଞ୍ଚି ପାରନ୍ତି ନାହିଁ ! ଆଉ ତାକୁ ଦେଖିବେ ବା କ’ଣ !

“ତୁମ ଝିଅର ଫୋନ୍ ଆସିଛି ..” ପ୍ରଧାନ ଘରର ଚାକର ଟୋକାଟା ଧଇଁସଇଁ ହେଇ ଆସି ଖବର ଦେଇଗଲା ।

“କ’ଣ ହେଲା .. ଝିଅର ଫୋନ୍ …?” ବସିବା ଥାନରୁ ଉଠିପଡି ଦାଣ୍ଡଆଡେ ଦଉଡିଗଲେ ସୁମା । ବିମ୍ବାଧର ବାବୁଙ୍କୁ ନପଚାରି ଦିନେ କାଳେ କୂଅମୂଳକୁ ବି ନଯାଇଥିବା ସୁମା, ଶାଶୁଙ୍କ ବିନା ଅନୁମତିରେ ଏ ଘରର ଏରୁଣ୍ଡିବନ୍ଧ ନଟପିଥିବା ସୁମା, ଏବେ ଆଉ ସୁମା ହେଇ ନଥଲେ । ସେ ଥିଲେ କେବଳ ତାଙ୍କ ଅଲିଅଳୀ ଝିଅର ବୋଉ । କିଏ ଦେଖୁଛି .. କିଏ ଡାକୁଛି .. ସେସବୁ ଆଜି କିଛି ବି ଶୁଭୁନଥିଲା ଆଜି । ଦଉଡିଥିଲେ ଆଖିବୁଜା ଝିଅର ସ୍ବର ଶୁଣି ପକେଇବାକୁ ।

“ହ୍ୟାଲୋ .. ବୋଉ ..?”

ଅମୃତ ଢାଳି ହେଇଗଲା ସତେ କି କାନରେ ! କିନ୍ତୁ କଣ୍ଠ ବାଷ୍ପରୁଦ୍ଧ ହେଇଆସିଲା । କେତେ ଦିନ .., ନାହିଁ, ନାହିଁ, କେତେ ଯୁଗ ପରେ ଝିଅର ସ୍ବର ତାଙ୍କ କାନ ଆଜି ଶୁଣୁଥିଲା ! ସେଇ ‘ବୋଉ’ ଡାକ .. ସେଇ ବ୍ୟସ୍ତତା .. ସେଇ ବ୍ୟାକୁଳତା .., ତାଙ୍କରି ଝିଅ, ହଁ, ହଁ, ତାଙ୍କରି ଝିଅ .. କେତେ କ’ଣ ସବୁ କହି ଯାଉଛି ସତରେ ! କୋଉ ଯୁଗରୁ ଚାତକ ପରି ଚାହିଁ ବସିଥିଲେ ଏସବୁ ଶୁଣିବାକୁ ସେ ! କିନ୍ତୁ ଏ କ’ଣ ? କ’ଣ କହିଯାଉଛି ସେ .. ସତରେ କ’ଣ ତାଙ୍କରି ଝିଅ ହି କହୁଛି?

ଧପ୍ କରି ଛାତି ଭିତରେ କ’ଣ ଗୋଟାଏ ଖସି ପଡିଲା ସତେ କି ! ତାଙ୍କ କାନ ଯାହା ଶୁଣୁଛି ଏବେ, ସତରେ କ’ଣ ତାଙ୍କରି ସେଇ ଅଲିଅଳୀ ଝିଅ ହି କହୁଛି ! ସେ ସ୍ବପ୍ନ ଦେଖୁନାହାନ୍ତି ତ ! ….

“ବୋଉ, ଆମେ କାଲି ସକାଳୁ ଫେରିଯାଉଛୁ । ଗାଁକୁ ଯିବାକୁ ଜମାରୁ ସମୟ ହେଲା ନାହିଁ ଏଥର । ଏଠି ବାବା ଏତେ ପାର୍ଟି ପିକନିକ୍ ସବୁର ଯୋଜନା କରିକି ରଖିଥିଲେ ଆଗରୁ ଯେ, ଆସିବା ଦିନରୁ ଜମାରୁ ଫୁରସତ ପାଇଲିନି ତମମାନଙ୍କୁ ଫୋନ୍ କରିବାକୁ । ପୂରା ଛୁଟିଟା ସେଇଥିରେ ସରିଗଲା । ଆଉ ଦୁଇ ଚାରି ଦିନ ରହିଥାନ୍ତୁ, ହେଲେ ୟା’ଙ୍କ ଅଫିସ୍ ରେ କ’ଣ ଗୋଟାଏ ଅର୍ଜେଣ୍ଟ୍ କାମ ପଡିଲା ବୋଲି କାଲି ସକାଳ ଫ୍ଲାଇଟ୍ ରେ ଆମେ ଯାଉଛୁ ଭାରି ! ମନଦୁଃଖ କରିବୁନି । ଆଉ ଥରେ ଆସିଲେ ତୋ’ ପାଖକୁ ଯିବାକୁ ମୁଁ ଚେଷ୍ଟା କରିବି ନିଶ୍ଚୟ ।“

ଯାହା ତାଙ୍କ କାନ ଶୁଣୁଥିଲା, ସେଗୁଡା କ’ଣ ସତରେ କେହି କହୁଛି, ନା ସେ ନିଜେ ନିଜେ ହି କଳ୍ପନା କରୁଛନ୍ତି !

“ବୋଉ, ତୁ କିଛି କହୁନୁ ଯେ?”

କ’ଣ ଆଉ ରହିଗଲା କହିବାକୁ ନିରବ ରହିବା ଛଡା ?

”ତୁ ମନଦୁଃଖ କରୁଛୁ କି ?”

ଏ ପ୍ରଶ୍ନର ଉତ୍ତର ସେ କ’ଣ ବା ଦେବେ ? ମନଦୁଃଖ କରୁଛନ୍ତି କି ନାହିଁ, ସେକଥା ତାକୁ କେମିତି ଦେଖଇବେ ! ଯୋଉ ଝିଅ ମା’ ପାଖକୁ ଆସିବାକୁ ଚେଷ୍ଟା କରିବ ବୋଲି କହୁଛି, ତା’ ପାଇଁ ମନଦୁଃଖ କିପରି କରିବେ ସେ ?

“ବୋଉ, ବାପା କେମିତି ଅଛନ୍ତି ?”

“ଭଲ .. ।“ ବଡ କଷ୍ଟରେ ବାହାରି ପାରିଲା ତାଙ୍କ ପାଟିରୁ ଏତିକି । ଶୁଖି ଯାଉଥିବା ତଣ୍ଟିକୁ ଓଦା କରିବାକୁ ଚେଷ୍ଟା କରି ବିଫଳ ହେଲା ପରେ ସମସ୍ତ ଶକ୍ତି ଲଗେଇ ସେ ଖାଲି ଏତିକି କହିଲେ, “ଘଣ୍ଟାକ ପାଇଁ କ’ଣ ଆସି ପାରିନଥାନ୍ତୁ?”

“କେମିତି ଆସି ପାରିଥାନ୍ତି ? କାଲିଠୁ ଗାଡିଟା ଖରାପ ହେଇଯାଇଛି ପରା ! ନହେଲେ କ’ଣ ଆସିନଥାନ୍ତି ?”

ଆଉ କିଛି ଶୁଣି ପାରିଲେ ନାହିଁ ସେ । କହି ବି ପାରିଲେ ନାହିଁ । ଥାଉ, ବଡ ଘରର ବୋହୂ ସେ, ତାଙ୍କ ଝିଅ ନୁହେଁ ! ବହି ଆସୁଥିବା ଲୁହକୁ ରଗଡିକି ପୋଛିଦେଲେ । ଫୋନ୍ କୁ ଯଥା ସ୍ଥାନରେ ରଖି ବୁଲିପଡିଲା ବେଳକୁ ବିମ୍ବାଧରବାବୁ ଉତ୍କଣ୍ଠାରେ ତାଙ୍କୁ ଚାହିଁ ରହିଥିବାର ଦେଖିଲେ । ତାଙ୍କ ଆଖିରେ ଆଖି ମିଶିଗଲା ମାତ୍ରେ ପଚାରି ଦେଲେ, “କ’ଣ ହେଲା .... ଆଜି ଝିଅ ଆସୁଛି କି ?”

“ନାହିଁ, କାଲି ସକାଳୁ ସକାଳୁ ଉଡାଜାହାଜରେ ବସି ବଡ ଘରର ବୋହୂଟି ଫେରିଯାଉଛି !”

ଥ ମାରି ଯାଇଥିବା ବିମ୍ବାଧର ବାବୁଙ୍କୁ ସେଇଠି ଛାଡି ସେ ଆଗେଇ ଗଲେ । ପଛରୁ ଦୀର୍ଘଶ୍ବାସ ଭରା ସ୍ବରଟିଏ ଆସି ତାଙ୍କ କାନରେ ବାଜି ଛାତି ଭିତରକୁ ପଶିଗଲା, “ସହରକୁ ଯାଇ ତାକୁ ଟିକେ ଦେଖିଆସିବା କି ଆଜି !”

“ଥାଉ, ମୋ ପାଖରେ ସମୟ ନାହିଁ, ତୁମର ବି ତ କେତେ କାମ ପଡିଛି ! ଆଜି ପରା ବିଲକୁ ହଳ ଯିବାର ଥିଲା .. ଯାଅ ଦେଖିବ ହଳିଆ ଆସିକି ବଳଦ ଫିଟେଇଲା କି ନାହିଁ ..।” କହୁ କହୁ ମୁହଁ ବୁଲେଇ ଫେରିଆସିଲେ ସୁମା ନିଜ ଘର ଭିତରକୁ, ଯୋଉଠାର ମାନ ସମ୍ମାନକୁ ସେ ଆଜିଯାଏ କାହା ପାଇଁ ବଳି ଚଢେଇ ଦେଇନାହାନ୍ତି .. ସେ ତେଣିକି ତାଙ୍କ ଜନ୍ମକଲା ଝିଅ ନହେଉ ବା କାହିଁକି !

-0-

ଚିଠି ଝିଅ ମାନ ସମ୍ମାନ

Rate the content


Originality
Flow
Language
Cover design

Comments

Post

Some text some message..