Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମାନ ଅଭିମାନ
ମାନ ଅଭିମାନ
★★★★★

© Seetaram Dash

Classics

3 Minutes   53    0


Content Ranking




    ରାଣୀ ମାଉସୀର ସକାଳ ହେଲେ ଗୁଡାକୁ ଟିକେ ନହେଲେ ନ ଚଳେ । ଗୁଡାକୁ ଟିକେ ଯେମିତି ତା ଜୀବନ । ସେତିକି ଟିକେ ମିଳିଗଲେ ସକାଳର ନିତ୍ୟକର୍ମ ଠିକଠାକ ହୋଇଯାଏ । ଦୁଇ ଦିନ ହେବ ଗୁଡାକୁ ସାରିଲାଣି, ପୁଅଟାକୁ କହି କହି ମୁହଁ ଖରାପ ହୋଇଗଲାଣି । ହେଲେ ସେ କଣ ଶୁଣୁଛି । ଗୁଡାକୁ ବିନା ଭାରି ବିରକ୍ତ ଲାଗୁଛି ସାରା ଦିନ ।


     ରାଣୀ ମାଉସୀ ବୟସ ଷାଠିଏ ଟପି ଗଲାଣି । ଦିନ ଥିଲା ରାଣୀ ମାଉସୀ ରାଣୀ ଭଳି ଚଲୁଥିଲା । ଗେରସ୍ତ ତାର କଲିକତା ଝୋଟ କଳରେ ସରଦାର । ସାବୁନୁ ତେଲ ଠୁ ଆରମ୍ଭ କରି ଚିନି ଚା ପର୍ଯ୍ୟନ୍ତ ସବୁ ଆସେ କଲିକତାରୁ ବର୍ଷକ ପାଇଁ । ଅଭାବ ଅସୁବିଧାରେ ତିନିଖଣ୍ଡ ଗାଁର ଲୋକେ ଆସନ୍ତି ଟଙ୍କା ପଇସା ପାଇଁ ତା ଘରକୁ । କେହି କେବେ ଖାଲି ହାତରେ ଫେରେନି । ଅକାଳେ ସକାଳେ କାହାର ଚିନି ଟିକେ କିମ୍ୱା ଚା ଟିକେ ଦରକାର ହେଲେ ରାଣୀ ମାଉସୀ ଘରେ ହଜାର ହୋଇଯାଆନ୍ତି ସାହି ଭାଇର ଲୋକମାନେ । କିନ୍ତୁ ଆଜି ରାଣୀ ମାଉସୀର ଚାରି ଦିନରେ ଥରେ ତେଲ ବାଜୁନି ମୁଣ୍ଡରେ ।


    ରାଣୀ ମାଉସୀର ଗେରସ୍ତ ଆର ପାରିକୁ ଚାଲିଗଲା ପରେ ଦୁଃଖର ପାହାଡ଼ ଲଦି ହୋଇ ପଡ଼ିଥିଲା ପରିବାର ଉପରେ । ପୁଅ ଚକରା ଅଳସୁଆ ଆଉ ନିଶାସକ୍ତ । ଦୁଇଟା ପିଲାର ବାପ ହୋଇ ବି କୁଟା ଖଣ୍ଡକୁ ଦୁଇଖଣ୍ଡ କରିବନି । ବାପ ଥିଲା ବେଳେ ଖାଲି ଖାଇ ପିଇ ଜୀବନଟା କଟେଇ ଦେଇଥିଲା । ଘରର ମୁରବି ଅଳସୁଆ ହୋଇ ଗଲେ, ସେ ପରିବାର ଅବସ୍ଥା କଣ ହୁଏ ସମସ୍ତେ ଅନୁଭବ କରୁଥିଲେ । ଚକରାର ପରିବା କଷିଟିଏ କିଣିବାର ରୋଜଗାର ନାହିଁ ।


     ସରକାରଙ୍କ ଦୟାରେ ମିଳୁଥିବା ଚାଉଳ ଗଣ୍ଡାକ ସାହା । ପଚିଶ କିଲୋ ଚାଉଳ ତ ମିଳୁଛି, ଯେମିତି ସେମିତି ଖାଇ ପିଇ ବଞ୍ଚିଯିବା କଥା । ବାପ କଲିକତାରେ ଥିଲା ବେଳେ ଜମି ମାଣେ କିଣିଥିଲେ । ହେଲେ ଆଜି ସେ ସବୁ ପଡ଼ିଆ ପଡ଼ିଛି । ଚକରା ପର ବିଲ ବାଡିରୁ ପନିପରିବା ଚୋରି କରେ । ଚକରାର ବିବେକ ଟିକେ ବି ନାହିଁ । ଯାହା ବିଲରେ ପଶିବ ସବୁ ସଫା କରିଦେବ । ଫୁଲକଷିଟିଏ ବି ଛାଡିବନି । ମାଉସୀ ଦେହରେ ଏ ସବୁ ଯାଏନି, ହେଲେ କଣ କରିବ ? ଖାଲି ନିଜ ଭାଗ୍ୟକୁ ନିନ୍ଦା କରେ । ଗେରସ୍ତକୁ ମନେ ପକାଇ ଲୁଚି ଲୁଚି କାନ୍ଦେ । ଏ ସବୁ କୋଉ ଜନ୍ମର ପାପ ବୋଲି ନିଜକୁ ନିନ୍ଦା କରେ ରାଣୀ ମାଉସୀ ।


    ଦିନ ଏଗାରଟା ହେଲାଣି, ଚକରା ନଈ ମାଛ ଦୁଇଟା ଧରି ଆସିଲା । ରାଣୀ ମାଉସୀ ଚକରାକୁ କହିଲେ"ଗୁଡାକୁ ଆଣିଲୁ"। ଚକରା ଜବାବ ଦେଲା "କାଲି ଆଣିବି"। ରାଣୀ ମାଉସୀର ରାଗ ମୁଣ୍ଡକୁ ଛୁଇଁଲା। ରାଗରେ ବଡ଼ ପାଟି କରି କହିଲେ "ସବୁ କାମକୁ ପଇସା ଅଛି, ଗୁଡାକୁ ଟିକେ ଆଣିବାକୁ ସତ ବଳୁନି। ଟଙ୍କା ପାଞ୍ଚଟିର ମୁଣ୍ଡ ନୁହଁ ତୋର"।


   ବିବେକହୀନ ଚକରା ନିଜ ହିତାହିତ ଜ୍ଞାନ ହରେଇ ରାଣୀ ମାଉସୀକୁ ପିଟିବା ଆରମ୍ଭ କଲା। ଚକରାର ସ୍ତ୍ରୀ ପାଟିତୁଣ୍ଡ ଶୁଣି ଦୌଡି ଆସି ଚକରାକୁ ରୋକିଲେ। ରାଣୀ ମାଉସୀ ଔଷଧ ରାଗରେ ତାଟିଆ କାମୁଡ଼ିଲା ଭଳି ବୋହୂକୁ କହିଲେ " ବାଡେଇବା କୁ ତ ଶିଖେଇଛୁ, ଲୋକ ଦେଖାଣିଆ କଣ ପାଇଁ ରୋକୁଛୁ"। 


    ସାବି(ଚକରା ସ୍ତ୍ରୀ) ମନ ମାରି ବାରିପଟେ ବସିଲା। ଆଖିର ଲୁହ ଆଉ ବୋଲ ମାନୁନି। ମନେ ମନେ ଭାବୁଛି କଣ ପାଇଁ ଭଗବାନ ମତେ ଏ ଘରେ ଆଣି ଦେଲେ। ମୋ ଭାଗ୍ୟରେ ଶେଷରେ ଏଇ କଥା ଶୁଣିବାକୁ ଥିଲା। ସ୍ୱାମୀ ତ ମଣିଷ ନୁହେଁ ଗୋରୁ। ଯେଉଁ ମାନଙ୍କ ମୁହଁ ଚାହିଁ ପଡି ରହିଥିଲି ସେମାନେ ଶେଷରେ .....। ବୋଉ(ରାଣୀ ମାଉସୀ) କଣ ତା ପୁଅକୁ ଜାଣିନି, କେଡେ ହତଲକ୍ଷ୍ମା ମଣିଷ। ସାନ ପୁଅ ଖାଇବାକୁ କାନ୍ଦିଲାଣି। ପୁଅର ଭୋକ କଣ ମା ସହି ପାରିବ। ଆଖିର ଲୁହକୁ ଆଖିରେ ମାରି ସାବି ଚାଲିଲା ରୋଷେଇ ଘରକୁ ପିଲା ଦୁଇଟା ଭୋକରେ ଆଉଟୁ ପାଉଟୁ ହେଲେଣି। ତରତର ହୋଇ ଭାତ ମାଛ ତରକାରୀ କଲା। 


   ରୋଷେଇ ସାରି ଚିନ୍ତା କଲା ଶାଶୁଙ୍କୁ ଡାକିବି ନା ନାଇଁ। ବିନା ଦୋଷରେ ଏତେ କଥା କହିଥିବା ଲୋକକୁ ଡାକିବା କିଛି ଆବଶ୍ୟକ ନାହିଁ। କିନ୍ତୁ ସାବିର ବିବେକ ବାଧା ଦେଲା। ତା ଅନ୍ତର ଆତ୍ମା ତାକୁ କହିଲା "ତୁତ ତାର ଗୋଟିଏ ବୋଲି ବୋହୂ, ଆଉ ତ କେହି ନାହିଁ। ତୁ ନ ଡାକିଲେ ଆଉ କିଏ ଅଛି ଡାକିବ। ତୁ ତୋ କର୍ତ୍ତବ୍ୟ କର। ଦେଖିବା ଲୋକ ତ ସବୁ ଦେଖୁଛି"। ବୁଢୀଟା ମାଛ ତରକାରୀ ଖାଇବାକୁ ଭାରି ଭଲପାଏ। ଯା ତାକୁ ଡାକି ଖାଇବାକୁ ଦେ"।


   ସାବି ରାଣୀ ମାଉସୀ ପାଖକୁ ଯାଇ କହିଲେ" ଖାଇବ ଚାଲ, ତମେ କଣ ତମ ପୁଅ ଗୁଣ ଜାଣିନ"। ଏତିକି ଶୁଣି ରାଣୀ ମାଉସୀ ସାବିକୁ କୁଣ୍ଢାଇ ପକାଇଲେ। ଆଖିରେ ଆଖିଏ ଲୁହ। ଥରିଲା କଣ୍ଠରେ କହିଲେ ମୋ ମା"ଟା ପରା ମୋ କଥାକୁ ଧରିବୁନି।


   କିଛି ସମୟ ପରେ ମଝିଘର ପିଣ୍ଡାରେ ସାବି ଆଉ ରାଣୀ ମାଉସୀ ଖାଇଲା ବେଳେ ହସି ହସି କେତେ କଣ ଗପି ଚାଲିଥିଲେ।


ରାଣୀ ମାଉସୀ ସାବି ଚକରା

Rate the content


Originality
Flow
Language
Cover design

Comments

Post

Some text some message..