Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୁଇଟି ସର୍ତ୍ତ
ଦୁଇଟି ସର୍ତ୍ତ
★★★★★

© Dr Subas Chandra Rout

Drama Others

10 Minutes   14.0K    14


Content Ranking

          ସନ୍ଧ୍ୟା ସମୟ । ସେ ଦିନ ଗ୍ରାଣ୍ଡ ମଲରୁ ବାହାରି ମୋ ରୋଲ୍‌ସ୍ ଗାଡ଼ି ପାଖକୁ ଆସୁଥିଲି । କଳା ମେଘ ଆକାଶକୁ ଢାଙ୍କି ରଖିଥାଏ । ଗୋଟିଏ ଅସରା ବର୍ଷା ହୋଇ ସଦ୍ୟ ଛାଡ଼ିଥାଏ । ଅଳ୍ପ ସମୟ ପରେ ନିଶ୍ଚୟ ଆଉ ଏକ ଅସରା ବର୍ଷା ହେବା ଭଳି ଲାଗୁଥାଏ । ତରତରରେ ଚାଲୁ ଚାଲୁ କେମିତି କେଜାଣି ଝୁଣ୍ଟିକରି ତଳେ ପଡ଼ିଗଲି । “ଆହା ପଡ଼ିଗଲେ”, କହି କେହିଜଣେ ମୋ ପାଖକୁ ଦଉଡ଼ି ଆସି ମୋତେ ଠିଆ କରେଇବାକୁ ଚେଷ୍ଟା କଲେ । ଧୀରେ ଭୁଇଁରେ ଭରା ଦେଇ ଝାଡ଼ି ଝୁଡ଼ି ହୋଇ ଉଠି ଠିଆହେଲି । ଦେଖିଲି, ମୋତେ ଠିଆ କରାଉଥିବା ମଣିଷଟି ଗୋଟିଏ ଝିଅ । ବୟସ ପ୍ରାୟ ୨୨ ବା ୨୩ ବର୍ଷ ହୋଇଥିବ । ମଇଳା ସାଲୱାର କମିଜ ପିନ୍ଧିଥାଏ । ମଇଳା ମୁଣ୍ଡ ବାଳ ଫୁର ଫୁର ହୋଇ ପବନରେ ଉଡୁଥାଏ । କମିଜ ଦୁଇଟି ଜାଗାରେ ଅଳ୍ପ ଚିରି ଯାଇଥାଏ । ଗାଧୋଇ ନ ଥିଲା ଭଳି ଲାଗୁଥିଲା । ମୋର ପ୍ୟାଣ୍ଟ ଓ କୋଟରେ କାଦୁଅ ଲାଗିଥିଲା । ସେ ଝିଅଟି ତାର ଓଢ଼ଣୀ ସାହାଯ୍ୟରେ କାଦୁଅ ପୋଛି ଦେଲା । ଡ୍ରାଇଭର ବି ଦଉଡ଼ି ଆସି ପୋଛିବାକୁ ଲାଗିଲା ।

         ଏମିତିରେ କୌଣସି ଝିଅ ଆଡ଼କୁ ମୁଁ କେବେ ଅନାଏନି, କିନ୍ତୁ ମୋତେ ଅଯାଚିତ ସାହାଯ୍ୟ କରିଥିବା ସେଇ ଝିଅ ଆଡ଼େ ମୋ ନଜର କେମିତି ସେଦିନ ଚାଲିଗଲା, ମୁଁ ଏବେବି ବୁଝିପାରୁନି । ଦେଖିଲି ତା ରଙ୍ଗ ବେଶ ଗୋରା, ଦେହ ଗଠନ ବେଶ ସୁନ୍ଦର । ସେ ଦିନର ପାଗ, ମେଘ, ତାର ବେଶ ପୋଷାକ ଓ ସର୍ବୋପରି ମୋତେ ସାହାଯ୍ୟ କରିଥିବା ସେଇ ଝିଅ ପ୍ରତି ମୋର ଅନୁକମ୍ପା

ଆସିଲା ।

ପ୍ରଶ୍ନ କଲି, “ତୁମ ନାଁ କଅଣ ? ଘର କେଉଁଠି ?”

“ମୋ ନାଁ ଶେଫାଳି ।”

“ଘର କେଉଁଠି ?”

“ମନେ ନାହିଁ ।”

ବାପା, ମାଆ ?

“ମୋ ଘର ଦ୍ଵାର, ବାପା ମାଆଙ୍କ ନାମ କିଛି ମନେ ପଡ଼ୁନି ।”

“ଏଠିକି ଆସିଲ କେମିତି ?” 

“ଆଜ୍ଞା, ମନେ ନାହିଁ । ମୋର ଭୁଲିବା ବେମାରି ଅଛି ।”

         ମୋତେ ଆହୁରି ଦୟା ଲାଗିଲା । କହିଲି, “ମୋ ସାଥିରେ ଆସ, ମୋ ଘରେ ମେଘ ଛାଡ଼ିବା ପର୍ଯ୍ୟନ୍ତ ରହିଯିବ । ପୋଲିସକୁ କହି ବାପା ମାଙ୍କୁ ଖୋଜି ଦେବି ।”

“ନାଇଁ ଆଜ୍ଞା, ମୋତେ ଡର ମାଡ଼ୁଛି । ଏଇ ଦୋକାନ କଡ଼ରେ ଲୁଚିକରି ରାତିରେ ଶୋଇଯିବି । ଆପଣଙ୍କ ସାଥିରେ ଗଲେ କିଏ କଅଣ ଭାବିବ !”

“କେହି କିଛି ଭାବିବେନି, ଆସ । ସହରରେ ଅସାମାଜିକ ଲୋକଙ୍କର ଅଭାବ ନାହିଁ । ଏକୁଟିଆ ଝିଅ ଦେଖିଲେ କଅଣ ନାହିଁ କଅଣ ହେବ ।” 

         ମୋର ସାମାଜିକ ଦାୟିତ୍ଵ ଭାବନା ତୀବ୍ର ହୋଇଆସିଲା । କେମିତି ଏ ଝିଅକୁ ମୁଁ ଜାଣୁ ଜାଣୁ ବିପଦ ମୁହଁରେ ପେଲିଦେଇ ଚାଲିଯିବି ! ଭାବିଲି, ଥାନାରେ ଛାଡ଼ିଦେବି, କିନ୍ତୁ ସଂଶୟ ଲାଗିଲା । ବେଳେ ବେଳେ ଥାନାରେ ହିଁ ସବୁଠାରୁ ଜଘନ୍ୟ କାଣ୍ଡ ହୁଏ ।  

ଆଶ୍ଵାସନା ଦେଇ କହିଲି, “ମୋତେ ବିଶ୍ଵାସ କର, ମୁଁ ତୁମର କୌଣସି ଅନିଷ୍ଟ କରିବିନି ।”

“ହଉ ଚାଲନ୍ତୁ”, କହି ଅନିଚ୍ଛା ସତ୍ତ୍ୱେ ମୋ ସାଥେ ସାଥେ ଆସିଲା ।

“ଗାଡ଼ିରେ ବସ ।”

“ଆଜ୍ଞା, ଏଡ଼େ ବଡ଼ ଗାଡ଼ି ଆପଣଙ୍କର ।”

କିଛି ନ କହି ଗାଡ଼ିର ଆଗ ପାଖ କବାଟ ଖୋଲିଦେଇ ବସିବାକୁ କହିଲି ।

ବଡ଼ ବଡ଼ ଅବିଶ୍ଵାସ ଭରା ଆଖିରେ ମୋତେ ଅନେଇ ଧୀରେ ଭିତରକୁ ଗଲା ।  

         ଦରବାନ ଗେଟ ଖୋଲିଦେଲା ପରେ ମୋ ଘରର ପୋର୍ଟିକୋରେ ଡ୍ରାଇଭର ଗାଡ଼ି ପାର୍କ କଲା । ସେ ଗାଡ଼ିରୁ ଧୀରେ ଧୀରେ ବାହାରି ଆଶ୍ଚର୍ଯ୍ୟ ନୟନରେ ଘରକୁ ଅନେଇଲା ।

“ଆପଣଙ୍କର ଏଇ ଘର, ଇଏ ତ ଗୋଟେ ଉଆସ !” ମୁଁ ଟିକିଏ ହସି ହଁ କଲି । ପରିଚାରକ ଦଉଡ଼ି ଆସି ସେ ଝିଅକୁ ଅନେଇଲା ।

“ଆଜ୍ଞା, ଇଏ କିଏ, ଆପଣଙ୍କ କୋଟ ପେଣ୍ଟ ଏମିତି ମଇଳା କାହିଁକି ଦିଶୁଛି?

“ପରେ କହିବି, ଆଗ ତା ପାଇଁ ଗୋଟେ ରୁମ ଖୋଲିଦେ, ସେ ରାତିରେ ଏଠି ରହିବ । ମୋ ଭଉଣୀର ଡ୍ରେସ ଥିବ, ତାକୁ ଦେ । ସଫା ସୁତରା ହେବା ପରେ ଚା ଜଳଖିଆ କିଛି କରି ତାକୁ ଦେ । ରାତିରେ ଖାଇବା ବେଳ ହେଲେ ତାଙ୍କୁ ଡାଇନିଙ୍ଗ ହଲକୁ ନେଇ ଆସିବୁ ।" ମୋର ଭଉଣୀ ଇହ ଧାମରେ ନାହିଁ, କଅଣ ହେବ ତା' ଡ୍ରେସ ଆଲମୀରାରେ ପଡ଼ିରହି । କାହାର ହେଲେ କାମରେ ଆସୁ ।  

“ଆଜ୍ଞା, ମୁଁ ଏଇ ବାରଣ୍ଡାରେ ଶୋଇପଡ଼ିବି ।” ମୋ ଭଳି ଗୋଟିଏ ହତଭାଗୀ ଝିଅ ପାଇଁ କାହିଁକି ଏତେ କଷ୍ଟ କରୁଛନ୍ତି ।” ଉତ୍ତର ନଦେଇ ମୋ ବାଥ ରୁମକୁ ମୁଁ ଚାଲିଗଲି । 

         ମୋର ମା, ଭାଇ, ଭଉଣୀ ଆଦି କେହି ଜୀବିତ ନଥିଲେ । ଅଳ୍ପ ଦିନ ତଳେ ବାପାବି ମୋତେ ଏ ସଂସାରରେ ଏକୁଟିଆ ରଖି ଚାଲିଗଲେ । ମୋ ବାପା ଜଣେ ନାମୀ ଶିଳ୍ପପତି ଥିଲେ । ବହୁତ ଧନ ସମ୍ପତ୍ତି, ଘର, ବାଗ ବଗିଚା ଆଦିର ମୁଁ ଏକୁଟିଆ ଉତ୍ତରାଧିକାରୀ । ମୋ ସହରରେ ମୋତେ ବହୁତ ଲୋକ ଜାଣିଥିଲେ । ବିଭିନ୍ନ ଅନୁଷ୍ଠାନ ତରଫରୁ ସଭା ସମିତି ହେଲେ ମୋତେ ନିମନ୍ତ୍ରଣ ମିଳିଲେ ମୁଁ ଯାଏ । ଖବର କାଗଜରେ ସହରର ସର୍ବାଧିକ ଯୋଗ୍ୟତମ ଅବିବାହିତ ଯୁବକ (ମୋଷ୍ଟ ଏଲିଜିବଲ ବ୍ୟାଚେଲର) ବୋଲି ମୋ ନାମ ଛପା ହୁଏ । ବହୁତ ଝିଅ ମୋ ପଛରେ ପଡ଼ିଥାନ୍ତି । କିନ୍ତୁ ମୋ ମନ ଗୋଟେ ଶାନ୍ତ ସୁଶୀଳ ଝିଅ ଖୋଜୁଥାଏ । କାହାକୁ ଧରା ଦିଏନି । 

         ରାତି ଦଶଟା ବେଳକୁ ମୁଁ ଡାଇନିଙ୍ଗ ହଲକୁ ଯାଇ ବସିଲି । ଅଳ୍ପ ସମୟ ପରେ ପରିଚାରକ ଶେଫାଳିକୁ ନେଇ ସେଠାକୁ କବାଟ ଖୋଲି ପଶି ଆସିଲା । ଅଦ୍ଭୁତ ପରିବର୍ତ୍ତନ । ସେ ଶେଫାଳି ନଥିଲା, ଗୋଟେ ପୁଷ୍ପ ଗୁଚ୍ଛ ଥିଲା, ଯୋଜନ ଗନ୍ଧା ଥିଲା ଯାହାର ଉପସ୍ଥିତିରେ ପବନରେ ସୁଗନ୍ଧ ହିଁ ସୁଗନ୍ଧ ଖେଳି ଯାଉଥିଲା । ଗୋରା ଦେହ, ସରୁ କଟୀ, ବଳିଲା ବଳିଲା ଶରୀର ଓ ସୁଠାମ ଗଢ଼ଣ । ଧନୁ ଭଳି ଭ୍ରୂଲତା ଓ ବଡ଼ ବଡ଼ ଦୁଇ ଆଖି । ସୁନ୍ଦର ଭାବରେ କୁଣ୍ଡା ହୋଇଥିବା କେଶ ଫ୍ୟାନ ପବନରେ ଧୀରେ ଧୀରେ ଆନ୍ଦୋଳିତ ହେଉଥିଲା । ତାକୁ ମୁଁ ଅନେଇ ରହିଗଲି । ଇଏ କିଏ, କେଉଁ ପରୀ ରାଜ୍ୟରୁ ଆସିଛି ! ମୁଁ ସେତେବେଳେ ମୋ ଭିତରେ ନଥିଲି, କେଉଁ ଅଲଗା ରାଜ୍ୟକୁ ଚାଲିଯାଇଥିଲି ଏବେବି ଭାବି ପାରୁନି । ଅପରୂପ ସୌନ୍ଦର୍ଯ୍ୟର ଦୁନିଆରେ ମୁଁ ହଜିଗଲି । ମୋ ସାମନାରେ ଖାଦ୍ୟ ଥୁଆ ହେବାରୁ ମୋର ଧ୍ୟାନ ଭଗ୍ନ ହେଲା ।

         “ଆରମ୍ଭ କର, ଶେଫାଳି ।” କେତେ ଦିନ ଧରି ନଖାଇଥିବା ଭଳି ସେ ଖାଇବାକୁ ଲାଗିଲା ।

“ଭଲ ଲାଗୁଛି ଖାଦ୍ୟ, ପଚାରିଲି ମୁଁ । “ଆଜ୍ଞା, କଅଣ କହିବି, ମୋ ଭଳି ଗରିବ ଝିଅ ପାଇଁ ଇଏ ଅମୃତ ।” ଟିକିଏ ରହି ପଚାରିଲା, “ଆପଣଙ୍କର ଆଉ କିଏ ଏଠି ଅଛନ୍ତି ? କାହାକୁ ଦେଖିପାରୁନି ।”

“ମୋର କେହି ନାହାନ୍ତି, ସଂସାରରେ ମୁଁ ଏକୁଟିଆ । ଯେ ପର୍ଯ୍ୟନ୍ତ ତୁମର କିଛି ଠିକଣା ମିଳିନି, ତୁମେ ଏଠାରେ ରହିଯାଅ ।”

“ନାହିଁ ଆଜ୍ଞା, ସକାଳୁ ମୁଁ ଚାଲିଯିବି । ମୁଁ ଆପଣଙ୍କ ଉପରେ ବୋଝ ହେବିନି ।”

“ଶୁଣ, ବୋଝ ମୋଟେ ହେବନି । ତୁମେ ଏଠି ମୋର କାମ କରିବ, ବାସ୍ । ମୋର ଅନେକ କର୍ମଚାରୀ ଭଳି ରୋଜଗାର କରିବ ଓ ରହିବ । ତୁମ ସ୍ଵାଭିମାନ ରହିବ । ମୋ ଘର ସଫା ସୁତରା ରହୁଛି କି ନାହିଁ, ଦେଖିବ । ମୋ ପୋଷାକ ସଫା ହେଲାକି ନାହିଁ, ଇସ୍ତ୍ରୀ ହେଲାକି ନାହିଁ ଦେଖିବ । ସମୟ ବଳିଲେ ଫୁଲ ବଗିଚାରେ ବୁଲି ମାଳିର କାମ ତଦାରଖ କରିବ । ପାରିବ ନା, ଏଇ ସୁପରଭାଇଜର କାମ ?” 

         ସମୟ ଗଡ଼ି ଚାଲିଲା । କିଛି ଦିନ ପରେ ମୁଁ ଅନୁଭବ କଲି, ସେ ମୋ ଜୀବନର ଏକ ମୂଖ୍ୟ ଅଂଶ ହୋଇଯାଇଛି । ସେ ଡାକିଲେ ସକାଳେ ମୁଁ ନିଦରୁ ଉଠୁଥିଲି । ଦାନ୍ତ ଘଷା ବ୍ରସ ସେ ମୋ ହାତକୁ ବଢ଼େଇଦିଏ । ବାଥ ରୁମ ଜିନିଷ ଆଗରୁ ସେ ସଜାଡ଼ି ଦେଇଥାଏ । ଗାଧୋଇ ଆସିଲା ବେଳକୁ ମୋ ପୋଷାକ ସଜାଡ଼ି ରଖିଥାଏ । ଅଫିସ ଗଲା ପୂର୍ବରୁ ଜୋତା ବ୍ରସ କରି ରଖିଥାଏ । ଏମିତି ଘରେ ଥିବା ସମୟରେ ସେ ଦିନ ରାତି ମୋ ସେବାରେ ଲାଗିଥାଏ । ତା’ ଉପରେ ମୁଁ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇଯିବା ଅନୁଭବ କଲି । ତା’ କଥା ମୁଁ ମନ୍ତ୍ରମୁଗ୍ଧ ଭଳି ମାନୁଥିଲି । କାହାକୁ ଟଙ୍କା ଦେବାକୁ ଥିଲେ ସେ ଚାବି ମୋଠାରୁ ନେଇ ଲକରରୁ ଟଙ୍କା କାଢ଼ି ମୋତେ ଦେଉଥିଲା । ଅତି ବିଶ୍ଵସ୍ତ ହୋଇଯାଇଥିଲା ।   

           ପ୍ରାୟ ୨୦/୨୫ ଦିନ ପରେ ମୁଁ ତା ପ୍ରତି ଗୋଟାଏ ତୀବ୍ର ଆକର୍ଷଣ ଅନୁଭବ କଲି । ଲାଗିଲା ଯେମିତି ତା ବିନା ମୁଁ ରହିପାରିବିନି । ସେ ମୋ ପାଖକୁ ଆସିଲେ ମୋ ଦେହରେ ଏକ ଅଦଭୁତ ଶିହରଣ ଖେଳିଯାଉଥିଲା । କିନ୍ତୁ ସେ କିଏ ମୁଁ ଜାଣିନି, କେଉଁ ଘରୁ ଆସିଛି ଜାଣିନି । ଭବିଷ୍ୟତ କଅଣ, ଜଣାପଡ଼ୁନି । ଧୀରେ ଧୀରେ ମୋତେ ଅସ୍ଵସ୍ତି ଲାଗିଲା । ଇଏ କଅଣ ହେଇଛି ମୋର ! ମୋର କ୍ଷୁଦ୍ର ଜୀବନରେ କୌଣସି ଝିଅ ପ୍ରତି ଆକର୍ଷଣ ଅନୁଭବ କରିନଥିଲି । ଅବଶ୍ୟ ଏହାର କାରଣ ଥିଲା । କିନ୍ତୁ ମୁଁ ଯେମିତି ଅକସ୍ମାତ ବଦଳି ଗଲି । ଏମିତି ଆଉ କିଛି ଦିନ ଚାଲିଗଲା । ପ୍ରାୟ ମାସେ ପରେ ମୁଁ ଭାବିଲି ତାକୁ ବିବାହ କଲେ କ୍ଷତି କଅଣ । କିନ୍ତୁ ତା ପୂର୍ବରୁ ତା ଇଚ୍ଛା ଜାଣିବା ଆବଶ୍ୟକ । ଭାବିଲି, ଆଜି ଘରକୁ ଗଲେ ତାକୁ ମୋ ମନ କଥା କହିବି । 

ଫେର ଚିନ୍ତା କଲି, କାଳେ ନାହିଁ କରିଦେବ ! ଆଉ କିଛି ଦିନ ଯାଉ । ନା, ଆଉ ଅପେକ୍ଷା କରିହେବନି । ଆଜିହିଁ

ପଚାରିବି । ଦ୍ଵନ୍ଦ୍ଵରେ ରହିଲେ ବେକାର ମୁଣ୍ଡରେ ଚାପ ବଢ଼ୁଛି । 

         ସନ୍ଧ୍ୟା ହେଲା । ଘରକୁ ଫେରି ଶେଫାଳିକୁ ଦେଖିଲିନି । ସେ ସବୁବେଳେ ଘର ସାମନା ବାରଣ୍ଡାରେ ମୋ ପାଇଁ ଅପେକ୍ଷା କରି ବସିଥାଏ । “ଆରେ କିଏ ଅଛ, ଶେଫାଳି କୁଆଡେ ଗଲା । ତାକୁ ଡାକ” କହି ଗୋଡ଼ ହାତ ଧୋଇବାକୁ ଚାଲିଗଲି । ତା’ପରେ ଡ୍ରଇଂ ରୁମରେ ବସିଲି । ତଥାପି ଶେଫାଳିର ଦେଖା ନାହିଁ । ସନ୍ଧ୍ୟା ପୂର୍ବରୁ ସେ ବାହାରକୁ ଯାଇଥିବା କଥା ପରିଚାରକ କହିଲା । କୁଆଡେ ଗଲା ଏତେବେଳ ଯାଏ । ଦୁନିଆ ଯାହା ହେଇଛି ନା ! ବାହାରେ କିଏ ତାକୁ ଅପହରଣ କରିନେଲାକି ! ତା ସୌନ୍ଦର୍ଯ୍ୟ ଦେଖି କିଏ ଟେକି ନେଲା କି ! ଏମିତି ଭାବନାରେ ମୋ ମନ ଗୋଳମାଳ ଧରିଲା । ରାତି ଦଶ ହେଲା, ତଥାପି ଦେଖା ନାହିଁ ।

         ଖାଇବାକୁ ଇଚ୍ଛା ହେଲାନି । ଏପଟ ସେପଟ ଘର ଭିତରେ ବୁଲିବାକୁ ଲାଗିଲି । କୁଆଡ଼େ ଗଲା ଏତେବେଳ ପର୍ଯ୍ୟନ୍ତ ! ବିଛଣାରେ ପଡ଼ି ଗଡ଼ିଲି । ନିଦ ମୋ ଠାରୁ କୋଶେ ଦୂରରେ ଥିଲା । ଏମିତି ଭାବରେ କେତେବେଳେ ମୋତେ ନିଦ ହୋଇଗଲା, ମୁଁ ଜାଣିନି । ସକାଳେ ଡେରିରେ ନିଦ ଭାଙ୍ଗିଲା । ଡାକ ପକାଇଲି, “ଶେଫାଳି, ଶେଫାଳି । ଏତେ ଡେରି ହେଲାଣି, ମୋତେ

ଡାକୁନ !” ପରିଚାରକ କହିଲା, “ଆଜ୍ଞା, ସେ ତ କାଲିଠାରୁ ଆଉ ଫେରିନାହାନ୍ତି ।” ଆରେ, ଅଦ୍ଭୁତ କଥା ! କୁଆଡ଼େ ଗଲା? ଦିନ ଦଶଟା ବାଜିଲା । ଅଫିସ ଯିବାକୁ ବାହାରିଲି । ଆଲମିରା ଖୋଲିଲି । ଡ୍ରେସ କାଢ଼ି ପିନ୍ଧିଲି । ଲକରରୁ ପଇସା କାଢ଼ିବାକୁ ଯାଇ ଦେଖିଲି ଲକର କବାଟ ଆଉଜା ହୋଇଛି । ଆରେ, ଏଇଟା ଖୋଲା ରହିଲା କେମିତି ! ଭଲରୂପେ ଖୋଲି ଦେଖିଲି ଲକର ଖାଲି ଅଛି, କିଛି ନାହିଁ ତା ଭିତରେ । ଦୁଇ ହଜାରିଆ ୨୫୦ଟି ନୋଟ, ମୋଟ ୫ ଲକ୍ଷ ଟଙ୍କା ଲକରରେ ଥିଲା । 

         କିଛି ସମୟ ଚୁପ ରହିଲି । ଭାବିବାକୁ ଲାଗିଲି, କିଏ ନେଇଥିବ । ସିସି ଟିଭି ଖୋଲି ଦେଖିଲି ଶେଫାଳି ଲକର ଖୋଲି ଟଙ୍କା ନେଇଛି । ଛାତି ଭିତରେ କଅଣ ଗୋଟାଏ ଚିପି ହୋଇଗଲା । ଘୃଣା ଓ କ୍ରୋଧରେ ମୋ ମନ ଭରିଗଲା । କିଛି ସମୟ ପୂର୍ବରୁ ମୋ ମନରେ ଥିବା ତା’ପ୍ରତି ଥିବା ଅକୃତିମ ସ୍ଵର୍ଗୀୟ ପ୍ରେମ କୁଆଡ଼େ ମିଳେଇ ଧୂଆଁ ହୋଇଗଲା । ତା ଫୋଟୋ ଓ ସିସି ଟିଭି ଚିତ୍ରର କପି ପେନ ଡ୍ରାଇଭରେ ନେଇ ଥାନାକୁ ଚାଲିଲି । ଥାନା ଆଗରେ ପହଞ୍ଚି ହଠାତ ଭାବିଲି, ଏତେ ଭଲ ପାଉଥିଲି, ତାକୁ ଜେଲକୁ ଠେଲିଦେବି ! ନା ସମ୍ଭବ ନୁହେଁ । କେମିତି ସହିହେବ ! ଅନ୍ତର୍ଦ୍ଵନ୍ଦ୍ଵ ବଢ଼ିଚାଲିଲା । ଶେଷରେ ମନ ସ୍ଥିର କରି ତା ନାମରେ ଏଫଆଇଆର ଦେଇ ଫେରି ଆସିଲି ।  

         ଭାବିଲି କେମିତି ମୋତେ ସେ ଏଭଳି ଧୋକା ଦେଇପାରିଲା । ମୋ ଭଲ ପାଇବାକୁ କଅଣ ବୁଝିପାରିଲାନି ନା ଆଉ କାହାକୁ ଭଲ ପାଉଥିଲା ! ଟଙ୍କା ନେଇ ତା ସାଥିରେ ବାହା ହେଇ ସୁଖରେ ରହିଯିବ । ତା ଆଖିରୁ ତ ମୋ ପ୍ରତି ସ୍ନେହ ଥିବା ଅନୁଭବ କରୁଥିଲି, କଅଣ ଅସୁବିଧା କେଉଁଠି ରହିଗଲା ଯେ ସେ ମୋତେ ଛାଡ଼ି ଚାଲିଗଲା । କହନ୍ତି, ଆଖି ହେଉଛି ମଣିଷ ମନର ଦର୍ପଣ । ତା ଆଖିରେ ଏ ଭୁଲ ଛବି କେମିତି ଦେଖିଲି । ମୋ ଦେଖିବାରେ ଓ ଅନୁଭବ କରିବାରେ କେମିତି ଏ ଭୁଲ ହେଲା ! ନିଜକୁ ଧିକ୍କାରିଲି । ପାଞ୍ଚ ଲକ୍ଷ ଟଙ୍କା ଚୋରୀର ଏତେ ମହତ୍ତ୍ଵ ମୋ ପାଇଁ ନ ଥିଲା, କାରଣ ମୋର ସମ୍ପତ୍ତି ୨୦୦୦ କୋଟି ଥଲା । ମୋ ପାଇଁ ମୋର ଭଲ ପାଇବାଟା ଅଧିକ ମହତ୍ତ୍ଵପୂର୍ଣ୍ଣ ଥିଲା । ଘରକୁ ଆସି ସୋଫାରେ ବସିଲା ପରେ ତା’ର ଆସିବାଠୁ ଯିବାଯାଏ କଥା ସବୁ ମୋ ଆଖି ଆଗରେ ଖେଳିଗଲା । ଆଖି ପତା ବନ୍ଦ ହେବା ମାତ୍ରେ ତାର ଛବି ନାଚିବାକୁ ଲାଗିଲା । ବହୁତ ମାନସିକ ଯନ୍ତ୍ରଣା ପାଇଲି । ଶେଷରେ ଠିକ କଲି ଏହାକୁ ଦୁଃସ୍ଵପ୍ନ ଭାବି ଭୁଲିଯିବି । ସୁନ୍ଦର ଚଢ଼େଇଟିଏ ମୋ ଘରକୁ ଉଡ଼ିଆସିଥିଲା, ଚାଲିଗଲା ।

         ତାକୁ ଭୁଲିବା ନିମନ୍ତେ ମୁଁ କାମରେ ବିଶେଷ ମଗ୍ନ ରହିଲି । ଦିନ ଗଡ଼ି ଚାଲିଲା । ଛଅ ମାସ ପରେ ଦିନେ ମୁଁ ଗାଡ଼ିରେ ଯାଉ ଯାଉ ମୋ ଘରଠାରୁ ୫ କିଲୋମିଟର ଦୂରରେ ରାସ୍ତା କଡ଼ରେ ଶେଫାଳି ଠିଆ ହୋଇଥିବା ହଠାତ ଦେଖିଲି । କାର ଟିକିଏ ଦୂରରେ ବନ୍ଦ କରେଇ ସେ କି ଆଉ କିଏ ହୋଇଥିବ ଭାବି ଭଲରୂପେ ଦେଖିଲି । ଇଏ ସେଇ । ମୋ ମନର ଉତ୍କଣ୍ଠା ସୀମା ଟପିଗଲା । ଥାନାକୁ ଫୋନ କରିଦେଲି ଓ ଅଳ୍ପ ସମୟ ପରେ ପୋଲିସ ଆସି ତାକୁ ଥାନାକୁ ନେଇଗଲେ ।

         ତା ପରଦିନ ପ୍ରାୟ ଦିନ ୩ଟା ବେଳେ ଥାନାରୁ ଫୋନ ଆସିଲା, ଥାନା ବାବୁ ସେଠାକୁ ଯିବାକୁ ଡାକିଲେ । ଥାନାରେ ଯାଇ ଦେଖିଲି ଶେଫାଳି ଓ ଆଉ ଜଣେ ସୌମ୍ୟ ଦର୍ଶନ ବୟସ୍କ ବ୍ୟକ୍ତି ବସିଛନ୍ତି । ମୋତେ ଦେଖି ଥାନା ବାବୁ ବସିବାକୁ କହିଲେ । ଶେଫାଳି ପାଖରେ ଥିବା ଚୌକିରେ ମୁଁ ବସିପଡ଼ିଲି । ସେ ବ୍ୟକ୍ତିଙ୍କୁ ଚିହ୍ନେଇ ଦେଇ କହିଲେ, “ଇଏ ହେଉଛନ୍ତି ବିରାଜ ପାଲ । ତାଙ୍କର ବିଲାତରେ ବିଜିନେସ ଅଛି ଓ ଇଏ ତାଙ୍କ ଝିଅ । ମୋତେ ଲକ୍ଷ କରି କହିଲେ ଇଏ ସୁବ୍ରତ ଗୋଏଙ୍କା, ଗୋଏଙ୍କା ଇଣ୍ଡଷ୍ଟ୍ରିର ମାଲିକ ।” ମୁଁ ସ୍ଵପ୍ନରେ ସୁଦ୍ଧା ଭାବିନଥିଲି, ଏତେବଡ଼ ବିସ୍ମୟ ମୋ ପାଇଁ ଅପେକ୍ଷା କରିରହିଛି । ହାତ ଯୋଡ଼ି ବିରାଜ ବାବୁ ମୋତେ କହିଲେ, “ସୁବ୍ରତ ବାବୁ, ମୋ ଝିଅକୁ କ୍ଷମା କରିଦିଅନ୍ତୁ । ସେ ଯାହା ନେଇଛି ତାର ଦୁଇ ଗୁଣ ମୁଁ ଦେବି ବା ଯାହା ମାଗିବେ ଦେବି । ମୋ ଝିଅ କ୍ଳେପ୍ଟୋମାନିଆ ରୋଗର ଶିକାର । କ୍ଵଚିତ ସେ ଏହିଭଳି ହରକତ କରେ ନିଜ ଅଜ୍ଞାତରେ । ଗୋଟିଏ ରୋଗୀ ଭାବି କ୍ଷମା ଦିଅନ୍ତୁ । ତାକୁ କାନୁନ ଦଣ୍ଡରୁ ରକ୍ଷା କରନ୍ତୁ । ଶେଫାଳି ଉପରେ ଥିବା କ୍ରୋଧ ହଠାତ ପ୍ରଶମିତ ହୋଇଗଲା । ଆଶ୍ଚର୍ଯ୍ୟ ଚକିତ ହୋଇ ମୁଁ ତା’କୁ ଅନେଇ ରହିଲି ।

         “ଆପଣତ ଦୋଷ କରିନାହାନ୍ତି, କାହିଁକି କ୍ଷମା ମାଗୁଛନ୍ତି ।” ସେ ନିଜ ଝିଅକୁ କେଞ୍ଚି ଦେଇ କହିଲେ, “ଶେଫାଳି, ତୁ କ୍ଷମା ମାଗ ।” ତଳକୁ ଆଖି କରି ଶେଫାଳି ମୋତେ କହିଲା, “ମୋତେ କ୍ଷମା କରିଦିଅନ୍ତୁ ।” ବିରାଜ ବାବୁଙ୍କୁ ଅନେଇ କହିଲି, “ଦୁଇଟି ସର୍ତ୍ତରେ ଝିଅକୁ ମୁଁ କ୍ଷମା କରିଦେଇପାରେ ।”

“ସବୁ ସର୍ତ୍ତ ମୁଁ ମାନିବାକୁ ମୁଁ ପ୍ରସ୍ତୁତ । କୁହନ୍ତୁ କଅଣ ଆପଣଙ୍କ ପ୍ରଥମ ସର୍ତ୍ତ । କଅଣ ପାଇଲେ ଆପଣ ଏଫଆଇଆର ଫେରେଇନେବେ ।”   

“ଶେଫାଳିକୁ ମୁଁ ବିବାହ କରିବାକୁ ଚାହେଁ, ସେ ରାଜି କି?” ବାପ ଝିଅଙ୍କ ମୁହଁ ଉଜ୍ଜ୍ଵଳ ହୋଇଗଲା ।

ବିରାଜ ବାବୁ ସଙ୍ଗେ ସଙ୍ଗେ ରାଜି ହୋଇଗଲେ । “ଏହାଠାରୁ ଭଲ ପ୍ରସ୍ତାବ ମୋ ଝିଅ ପାଇଁ କେଉଁଠୁ ମିଳିବ !”

ଧୀର ଲାଜୁଆ ସ୍ଵରରେ ଶେଫାଳି କହିଲା, “ମୁଁ କିନ୍ତୁ ରାଜି ନୁହେଁ ଏ ସର୍ତ୍ତରେ । ମୋର ବାହାଘରରେ ବାପା ରାଜି ହେଲେ କେମିତି ହେବ ? ମୋର ବି ଗୋଟେ ଆତ୍ମା ଅଛି, ଗୋଟେ ସର୍ତ୍ତ ଅଛି ।” ମୁଁ ହତାଶ ହୋଇଗଲି ।

‘’ତୁମର ସର୍ତ୍ତ କଅଣ, ମୋତେ କୁହ?’’

“ଆପଣଙ୍କର ସର୍ତ୍ତଟା ବ୍ଲାକ ମେଲ କଲା ଭଳି ହେଲା । ସେଥିରେ ମୁଁ ରାଜି ନୁହେଁ । ବିନା ସର୍ତ୍ତରେ ମୋ ଆଗରେ ବିବାହ କରିବାକୁ ପ୍ରସ୍ତାବ ଦିଅନ୍ତୁ, ମୁଁ ଚିନ୍ତା କରିବି ।” ମୋ ମୁହଁରେ ହସ ଫୁଟିଉଠିଲା ।

         “ଶେଫାଳି, ମୁଁ ତୁମକୁ ବିବାହ କରିବାକୁ ଇଚ୍ଛୁକ, ତୁମେ ରାଜି କି ?

“ନାଁ, ମୁଁ ରାଜି ନୁହେଁ ।” ତା’ବାପା କ୍ରୋଧରେ ଚିତ୍କାର କରିଉଠିଲେ, “ଶେଫାଳି ଇଏ କଅଣ ହେଉଛି ?”

ମୁଁ ବୁଲିପଡ଼ି ଫେରିବାକୁ ବାହାରିଲି । ଲଜ୍ଜା ଓ କ୍ରୋଧରେ ମୁଁ ବାକ ଶୂନ୍ୟ ହୋଇଗଲି । ବିନା ସର୍ତ୍ତରେ ଯେତେବେଳେ ପ୍ରସ୍ତାବ ଦେଇଛି, ଆଉ କିଛି ବି ତା ବିରୁଦ୍ଧରେ କରିପାରିବିନି । ଦୁଇ ଜଣ ମିଶି ଭଲ ଭାବରେ ଠକିଲେ ମୋତେ !

କିନ୍ତୁ ମୁଁ ଫେରିପାରିଲିନି, କିଏ ଯେମିତି ମୋ ବାମ ହାତକୁ ଭିଡ଼ି ଧରିଛି । ବୁଲି ପଡ଼ି ଦେଖିଲି ଶେଫାଳି ଧରିଛି ।

“ଆରେ ଥଟ୍ଟାରେ କହିଲି ମ, ମୁଁ ସଂପୂର୍ଣ୍ଣ ରାଜି, ରାଜି, ରାଜି, ରାଜି ।”

“ସତରେ କହୁଛ ?” କହି ଆନନ୍ଦରେ ଶେଫାଳି ଆଡ଼କୁ ମୋ ଡାହାଣ ହାତ ବଢ଼େଇଦେଲି । ସେ ମୋ ହାତରେ ହାତ ମିଳେଇବା ମାତ୍ରେ ମୋ ଦେହରେ ଏକ ଛୋଟ ବିଦ୍ୟୁତ ତରଙ୍ଗ ଖେଳିଗଲା । ମୋର ଦୁଇ ଆଖି ଆନନ୍ଦର ଆତିଶ‌ଯ୍ୟରେ ବୁଜିହୋଇଆସିଲା । ବର୍ଷ ବର୍ଷର ଅପେକ୍ଷା ଯେମିତି ସମାପ୍ତ ହୋଇଗଲା । ଦୂରରୁ ଯେମିତି ସହନାଇର ସପ୍ତ ସ୍ଵର ଗୁଞ୍ଜନ ଭାସିଆସି ମୋ କାନରେ ବାଜୁଥିଲା । ଥାନା ବାବୁ ସହ ଥାନାରେ ଉପସ୍ଥିତ ଥିବା ସମସ୍ତେ ହସି ଉଠିଲେ ।

         ମୋର ଦ୍ଵିତୀୟ ସର୍ତ୍ତ ବାକି ଅଛି । ସମସ୍ତେ ଥମିଗଲେ ।

“ମୋର ଦ୍ଵିତୀୟ ସର୍ତ୍ତ – ତୁମେ ଆଉ କେବେ ମୋତେ ଛାଡ଼ି ଚାଲିଯିବନି ।”

ଦୁଷ୍ଟ ହସ ହସି ଶେଫାଳି କହିଲା, “ଆପଣ ଘରୁ ବାହାରିବା ପୂର୍ବରୁ ମୋତେ ଗୋଟେ ରୁମରେ ତାଲା ପକେଇଦେବେ, ହେଲେ ମୁଁ ଆଉ ଯାଇପାଇବିନି ।”

ଆଉ ଥରେ ସମସ୍ତେ ହସିଉଠିଲେ ।

ଡା ସୁବାସ ଚନ୍ଦ୍ର ରାଉତ

ଫୋନ – ୭୯୭୮୦୫୯୮୫୧

            

 

ଶେଫାଳି ସୁବ୍ରତ ସର୍ତ୍ତ

Rate the content


Originality
Flow
Language
Cover design

Comments

Post

Some text some message..