ଜାଣି ବି ଅଜଣା ପରି
ଜାଣି ବି ଅଜଣା ପରି
ଏକାନ୍ତ ପଣର ସାଥି ହୋଇ ତୁମେ
ରହିଥିଲ ଚିର ଦିନ,
ସବୁଦିନ ପାଇଁ ଛାଡି ଦେଇ ଗଲ
ରହିଗଲା ଅଭିମାନ ।
ଅଭିମାନିନୀ ଗୋ, ମମତା ମନ୍ଦିର
ତୋଳି, ପୁଣି ଭାଙ୍ଗିଦେଲ ,
କାହା ଇସାରାରେ ନିଜକୁ ହଜେଇ
ମୋତେ ପର କରିଦେଲ !
କାହିଁକି କେଜାଣି,ମନରେ ଉଜାଣି
ଆସି ,ପୁଣି ଚାଲିଯାଏ ।
ତୁମ ଛଳନାକୁ ଅଶ୍ରୁ ଧାରା କରି
ଆଖିରୁ ଗଡେଇ ଦିଏ ।
କଳଙ୍କିତ କରି କି ଲାଭ ପାଇଲ
ମୁଁ ପରା ତୁମରି ଜହ୍ନ !
ଶୁଭ୍ରତାରେ ଭରା ମୋର ପୁଣ୍ୟ ତନୁ
ତଥାପି ଜଳୁଛି ମନ ।
ମିଠା ମିଠା ତୁମ ସରଳ କଥାକୁ
"ବେଦ"ଭାବି ନେଇଥିଲି ।
ଭିଜା ଭିଜା ତୁମ ବହଳେ ସ୍ନେହକୁ
ପାଥେୟ ମୁଁ କରିଥିଲି ।
ସେ ସରଳ କଥା,ସେ ଅମାପ ସ୍ନେହ
ମାପୁ ମାପୁ ଖସିଗଲା ।
ଖସି ଯାଇ ସତେ ଆଉ କା'ରାଇଜେ
ହଜିଯାଇ ମିଶିଗଲା ।
କିଛି କ୍ଷଣ ପାଇଁ ଜଳିଗଲା ମୋର
ଛନ୍ଦ ଭରା ଛୋଟ ମନ ।
ଭାଗ୍ୟ ଥାଇ ବି ସେ ଭାଗ୍ୟହରା ହେଲା
ଲିଭି,ହେଲା ସେ ମଳିନ ।
ପରେ ମୁଁ ଭାବିଲି,ସଂସାର ଏଇୟା
କେହି ବି ନିଜର ନୁହଁ ।
ଆପଣା ପଣିଆ ଅଭିନୟ କରି
ହୋଇଯା'ନ୍ତି ଦୁର୍ବିସହ ।
ଧନ୍ୟ ରେ ଦଇବ ସଂସାର ରଚିଲୁ
ମଣିଷେ ମହାନ କରି ।
ନିର୍ବିକାର ହେଲୁ,ନୀରବ ରହିଲୁ
ଜାଣି ବି ଅଜଣା ପରି ।