ଦାୟିତ୍ବ
ଦାୟିତ୍ବ


ସବୁରି ଦାୟିତ୍ବ ବୁଝୁ ବୁଝୁ ବାପା
ଅଣ୍ଟା ହୋଇଗଲା ବଙ୍କା,
ପକେଟ ଗୋଟାକ ଖୋଲା ହୋଇଗଲା
ସରିଗଲା ସବୁ ଟଙ୍କା |୧|
ସ୍ତ୍ରୀ ମାଗୁଥିଲା ସୁନା ଗହଣାକୁ
ବେକ ଦେଖାଇବ ବୋଲି,
କେବେ ହେଲେ ସିଏ ଭାବି ପିରିଲାନି
ପକେଟଟା ପୂରା ଖାଲି |୨|
ପୁଅ କହୁଥିଲା ବହି କିଣିବାକୁ
ଖରଚ ପକେଟ ମନି,
ଝିଅର ମେକପ ବାକସ ଖରଚ
ଗୋଡ଼ାଇ ମାରୁଛି ଶନି |୩|
ଘରର ଦାୟିତ୍ବ ମହଙ୍ଗା ପରିବା
ନହେଲେ ରୋଷେଇ ଫାଙ୍କା,
ସବୁ ଦେଖି ଦେଖି ମୁଣ୍ଡଟା ପାଗଳ
ମୁହଁ ହୋଇଯାଏ ବଙ୍କା |୪|
ସାଇକେଲ ଧରି ବାହାରି ପଡ଼ିଲେ
ପବନ କିଣିବା ପଡ଼େ,
କେହି ବୁଝନ୍ତିନି ବାପାର ମରମ<
/p>
ହୃଦୟ କାହାର କେଡ଼େ |୫|
ବାପା ହୃଦୟଟା ବିରାଟ ଆକାଶ
ନାହିଁ ତାର ସୀମାରେଖା,
ଆଦର ସେନେହ ଭରପୂର ସେଠି
ଅଭାବ ନାହିଁଟି ଦେଖା |୬|
ମନ ଗହନରେ ଦାୟିତ୍ବର ବୋଝ
ତଥାପି ଅଳସ ନାହିଁ,
ଅଳସପଣଟି ଦୂରେଇ ଯାଇଛି
କେଉଁ ଦିନୁ ପତା ନାହିଁ ୭|
ଜଗତର ପିତା ପରମ ବାନ୍ଧବ
ସବୁରି ଦାୟିତ୍ବ ନେଇ,
ଆଖିପତା ତାଙ୍କ ପଲକ ପଡ଼େନି
ସବୁ ଦୁଃଖ ବୁଝି ନେଇ |୮|
ବାପାଟି ଯେପରି ପରିବାର ପାଇଁ
ଦାୟିତ୍ବର ମହାଝର,
ସାରା ଜଗତର ଜଗନ୍ନାଥ ପ୍ରଭୁ
ଦାୟିତ୍ବର ସମାହାର |୯|
ନିଜର ଦାୟିତ୍ବ ନିଜେ ବୁଝିନେବା
ତାହେଲେ ହୋଇବା ସୁଖି,
ପରର ଉପରେ ବୋଝ ହୋଇଗଲେ
ଜୀବନରେ ବଡ଼ ଦୁଃଖି |୧୦|