ସ୍ମୃତିର ସନ୍ତକ
ସ୍ମୃତିର ସନ୍ତକ


ମନର ଦରଜା ଖୋଲା ରଖିଥିଲି
ଫେରନ୍ତା ପଥକୁ ଚାହିଁ
ପ୍ରତୀକ୍ଷାର ଫୁଲ ବାସି ହୋଇଗଲା
ତୁମେ ତ ଆସିଲ ନାହିଁ ।
ଲିଭିନି ମୋହର ପାଦର ଅଳତା
ଭୁଲିନି ବାସର ସ୍ମୃତି
ବଳି ଦେଲ ତୁମ ଅମୂଲ୍ୟ ଜୀବନ
ଦେଶ ପାଇଁ ଆଜି ସାଥୀ ।
ଘଡ଼ିକ ପାଇଁ ମୁଁ ହୋଇଲି ନିର୍ବାକ
ତୁମର ଶବକୁ ଦେଖି
ପ୍ରକୃତିସ୍ଥ କଲା ଶାଶୁ ଶଶୁରଙ୍କ
ଲୁହ ଭିଜା ଦୁଇ ଆଖି ।
ତୁମେ ତ ଶାନ୍ତିରେ ଶୋଇଗଲ ପ୍ରିୟ
ଭାରତ ମାତାର କୋଳେ
ମୋ ହୃଦ ମନ୍ଦିର ଖାଲି ପଡ଼ିଅଛି
କେମିତି ବଞ୍ଚିବି ଭାଳେ ?
ଅଶାନ୍ତ ବ୍ୟଥିତ ମନ ପ୍ରାଣ ମୋର
ହେଉଥିଲା ଆନମନା
ଅନାଗତ ଆମ ପ୍ରେମର ସନ୍ତକ
ଦେଲା ମୋତେ ପ୍ରବୋଧନା ।