ଦାଦନ
ଦାଦନ


ଭୋକର ଭୌଗୋଳିକ ସୀମା
କିଏ ବା ମାପିଛି ?
ଏଇ ପେଟ ଚାଖଣ୍ଡକ ପାଇଁ
ପରିବାର ମୁଖରେ ଗଣ୍ଡେ ଦାନା ଦେବାକୁ
ରାଜ୍ୟରୁ ରାଜ୍ୟାନ୍ତର ଦେଶରୁ ଦେଶାନ୍ତର
ଶିକ୍ଷିତ ଅଶିକ୍ଷିତ କୁଶଳୀ ଅଣକୁଶଳୀଙ୍କୁ
ସମାଜ 'ଦାଦନ' ଓ 'ପ୍ରବାସୀ'ର ଆଖ୍ୟା ଦେଇଛି ।
କର୍ମକୁଢି ହୋଇ କୁଗୁଣକୁ ନେଇନି ଆଦରି,
ଚୋରି ଠକାମି ବ୍ୟଭିଚାର ଅବା ଟାଉଟରି ।
ଶ୍ରମ ଦେଇ ଅରଜିଛି ନିଜ ପ୍ରାପ୍ୟ ଧନ,
କରିନାହିଁ ଭିକ୍ଷାବୄତ୍ତି ଘେନିନାହିଁ ଦାନ,
କେବଳ ଏତିକି ବୁଝିଛି କର୍ମହିଁ ଭଗବାନ ।
ସେ ମାଟି ମାଆର ପୁଅ
ପରିବାରର ଅଙ୍ଗ
ସ୍ନେହ କାଙ୍ଗାଳଟିଏ
ଚାହିଁଥାଏ ଆତ୍ମୀୟଙ୍କ ସଙ୍ଗ ।
କିନ୍ତୁ, ଜୀବନ ପାଠରେ
ଦାୟିତ୍ୱ ର ଅଧ୍ୟାୟକୁ ବୁଝିଲା ପରେ
ମୁଠାଏ ଆହାର ପାଇଁ
ବଞ୍ଚି ବଞ୍ଚେଇବା ପାଇଁ
ମାଆର ପଣତ ଛାତି
ଭିଟାମାଟିର ଧୂଳି ଝାଡି
ଦୂରକୁ କରଇ ଗମନ
କାହାରି ଆକ୍ଷେପକୁ ଦିଏନାହିଁ କାନ
ଯିଏ ଯେତେ ଚିତ୍କାର କରୁ
ଦାଦନ ଦାଦନ ।