କରୋନାର କାଳର ଦୁଃଖ
କରୋନାର କାଳର ଦୁଃଖ
କରୋନା ରାକ୍ଷସ ଆତଙ୍କରେ ଆଜି
ଆତଙ୍କିତ ହୋଇଯାଇଛି ମହୀ,
ମଣିଷ ସମାଜ ଭୋଗୁଛି ଦୁର୍ଦ୍ଦଶା
ଭାବୁଚି କି ଦୁଃଖ ରଚିଲା ବିହି।।(୧)
କେଡେ ବିଜ୍ଞାନୀ ଏ ମାନବ ମହାନ
ମଙ୍ଗଳଗ୍ରହକୁ ପେଶୁଛି ଯାନ,
ସାମାନ୍ୟ କରୋନା ଭୁତାଣୁ ଭୟରେ
ଗୃହକୋଣେ କରେ ଆତ୍ମଗୋପନ।।(୨)
କୋଳାହଳମୟ ରାସ୍ତାଘାଟ ଆଜି
ହୋଇଯାଇଅଛି ମାନବଶୂନ୍ୟ,
ଶୁଭୁନାହିଁ ଗାଡି ମଟର ଆବାଜ
ଦଶ ଦିଶ ଦିଶେ ଖାଲି ଶୂନଶାନ୍।।(୩)
ମାନବିକତାର ମରଣ ହେଲାଣି
ସହଯୋଗ ଆଜି ସାତ ସପନ,
ଦେଶ ଅର୍ଥନୀତି ଗଲାଣି ଭୁଷୁଡି
ରୋଜଗାର ହୀନ ଶ୍ରମିକଗଣ।।(୪)
କରୋନା ପୀଡିତ ପୁତ୍ର ହେଲେ ମୃତ୍ୟୁ
ମାଆ ଛୁଉଁ ନାହିଁ ପୁତ୍ରର ଶବ,
ସେନେହ ମମତା ଆଜି ମୂଲ୍ୟହୀନ
ନିଷ୍କରୁଣ କରୋନାର ତାଣ୍ଡବ।।(୫)
ବିଦ୍ୟାର୍ଥୀ ପାରୁନି ବିଦ୍ୟାଳୟ ଯାଇ
ଅନ୍ ଲାଇନ୍ ରେ ପଢୁଛି ପାଠ,
ବଞ୍ଚିବାର ରାହା ମଉଳି ଗଲାଣି
ପ୍ରତିକାର ପାଇଁ ଦିଶୁନି ବାଟ।।(୬)
ଡାକ୍ତର ସେବିକା ଆରକ୍ଷୀ ସୈନିକ
ସାମ୍ବାଦିକ ସ୍ବାସ୍ଥ୍ୟକର୍ମୀ ସକଳ,
କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି
ଜନସେବା କାର୍ଯ୍ୟେଛନ୍ତି ତତ୍ପର।।(୭)
ସଚେତନ ହୋଇ ଗୋଡ଼ହାତ ଧୋଇ
ମୁଖେ ନାଶାବାସ ପିନ୍ଧିବା ଯେବେ,
ଦୂରତା ରକ୍ଷଣ ସରକାର ଆଇନ
ମାନିଲେ କରୋନା ହଟିବ ତେବେ।।(୮)
ବୈଜ୍ଞାନିକ ବୁଦ୍ଧିଜୀବୀ ଚିକିତ୍ସକ
ଗବେଷକ ଯେତେ ଅଛନ୍ତି ବିଶ୍ୱେ,
କରୋନା ପାଇଁକି ଆସୁ ପ୍ରତିକାର
ଚିନ୍ତା ଫଳବତି ଏବେ ତୂରିତେ।।(୯)
ଆହେ ମହାବାହୁ ନୀଳାଚଳେ ଥାଉ
ଦେଖି ପାରୁନାହିଁ ବିଶ୍ବଦୁର୍ଗତି,
ବିପୁଳ ଭୁଜ ବିସ୍ତାରି ଦେଲେ ପ୍ରଭୁ
ହଟନ୍ତା କରୋନା ହେ ବିଶ୍ଵପତି।।(୧୦)