ନୂଆଁ ସୌଧ।
ନୂଆଁ ସୌଧ।
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
(ଭଦ୍ରମୁଖା ଧାରୀ ଶୋଷକମାନଙ୍କ ପାଇଁ)
ଶ୍ୱାନ ଓ ଶୃଗାଳ ମଡା ଭିଡି ଖାଏ
କୃଷକକୁ ଖାଏ ନେତା,
ଜାଗ୍ରତ ହେବାର ସମୟ ଆସିଛି
ନିଦ୍ରା ତେଜରେ ଜନତା ।।
କୃଷକ ଦେଶର ମେରୁଦଣ୍ଡ ବୋଲି
ଚିତ୍କାର କରିବେ ସର୍ବେ,
ସେଇ କୃଷକର ନାଆଁରେ ଲୁଣ୍ଠନ
ଅମଲା, ମନ୍ତ୍ରୀ କରିବେ ।।
ସର୍କାରି ସୁବିଧା, ଋଣ, ଯନ୍ତ୍ରପାତି
ଉଠାନ୍ତି ଚାଷୀ ନାଆଁରେ
କୃଷକ ପାଏନି ସେ ଉପକରଣ
ବିକନ୍ତି କଳାବଜାରେ ।।
ତାମ୍ରଚୁଡ ଚାଷ,ସର୍କାରି ଆବାସ
ଅନୁଗତ ନେଲେ ବୋହି,
ଦିନ ଖଟିଖିଆ ଉଦଯୋଗୀ କୃଷକ
ରହିଲେ ଜଳକା ହୋଇ ।।
ମନ୍ତିରୀ, ବିକ୍ରେତା ମଧୁଚନ୍ଦ୍ରିକାରେ
ଚଷା ବାପୁଡା ହତାଶ,
ଦି'ଶ ସତଷଠି ସାର ବସ୍ତା ଦର
ଚାଷୀ କିଣଇ ସାତଶ ।।
ଗାଁ ଟାଉଟର ପାହାଡ଼ ଜଙ୍ଗଲ
ଗୋଚରରେ ମିଛେ ଚଷେ
କାଗଜ ପତରେ,ସର୍କାରି ମଣ୍ଡିରେ
ଶସ୍ୟ ବିକଇ ଉଲ୍ଲାସେ ।।
ପ୍ରକୃତ କୃଷକ କାର୍ଯ୍ୟାଳୟ ଦ୍ୱାରେ
ଦଉଡି ଦଉଡି ମରେ,
ଗଉଡ଼ର ଗାଭି କ୍ଷୀର ତ ଅଲୋଡ଼ା
ସୋମରସ ଏଠି ସରେ ।।
ସହରି ବାବୁର ମନ ଧରିବାକୁ
ପ୍ରମୋଦ ଉଦ୍ୟାନ ହୁଏ
ଜଳ ସେଚନ ସୁବିଧା ମାଗି ମାଗି
କୃଷକ ନିରାଶେ ଯାଏ ।।
ଶୋଇ ରହିଥିଲେ ମରିଗଲୁ ବୋଲି
ଖୁମ୍ପିବେ ତୋ ହାଡ ମାଂସ,
ଶାଗୁଣା ପରାୟ ଚଞ୍ଚୁଘାତ ଦେଇ
କରିବେରେ ତୋତେ ନାଶ ।।
ଆଖିକୁ ଖୁମ୍ପିବେ, କାନକୁ ରାମ୍ପିବେ
ଖାଇ ତୋ ଉପୁଜା ଅନ୍ନ,
ମରିଗଲା ପରେ ତୋ ଛାତି ଉପରେ
କରିବେ କୁତ୍ସା ରଟନ ।।
ଜାଗରେ ଜାଗରେ କୃଷକ ଶ୍ରମିକ
ନିଅରେ ନିଜକୁ ଚିହ୍ନି,
ଅଧିକାର ପାଇଁ ବୁର୍ଜୁଆ ଦୁଆରେ
ଜଳାଅ ବିପ୍ଳବ ବହ୍ନି।।
ଉଠ ଖଟିଖିଆ ନିରନ୍ନ ମୂଲିଆ
ବଜାଅ ବିପ୍ଳବ ବାଦ୍ୟ,
ତୋ ଅସ୍ଥି କଙ୍କାଳେ ନିର୍ମାଣି ଉଠୁ
ବିଦ୍ରୋହର ନୂଆଁ ସୌଧ ।।