ଶିଖାଏ ବଞ୍ଚିବା କଳା
ଶିଖାଏ ବଞ୍ଚିବା କଳା
ତୁମେ ଗଲାପରେ ଝୁରିଝୁରି ସିନା
ହୋଇଛି ମୁଁ ଦରମରା ,
ବିରହ ଜ୍ୱାଳାରେ ଜଳି-ପୋଡ଼ି କିନ୍ତୁ
ସାଜିନାହିଁ ଦିଗହରା ।
ଜୀଇଁବାର ଏକ ଭିନ୍ନସ୍ଵାଦ ମୁହିଁ
ଚାଖିଲି ସେବେଠୁ ପରା,
ଆଶାହରା ସବୁ ଗୋପୀମାନଙ୍କୁ ମୁଁ
ଶିଖାଏ ବଞ୍ଚିବା ଧାରା ।
ମୋ ପାଶୁ ଦୂରେଇ ତୁମେ ଯଦି ସେଠି
ହସିପାର ମିଠା ହସ ,
ମୁଁ ଏଠି କାହିଁକି-ତୁମ ବିରହରେ
ସୁଖ କରିଦେବି ଶେଷ !
ତେଣୁ ନିଜେ ହସି,ବାନ୍ଧବୀମାନଙ୍କୁ
ଶିଖାଏ ବଞ୍ଚିବା କଳା ,
ବିଭୁ କରୁଣାରୁ ଶାନ୍ତିରେ ଅଛି ମୁଁ
ସବୁ ତ ତୁମରି ଲୀଳା !!
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।