ମୋ'ପ୍ରିୟ ମଣିଷ
ପ୍ରୀତିରେ ପୀୟୂଷ
ସବୁବେଳେ ହସୁଥାଏ ।
ଅନ୍ୟର ସୁଖକୁ
ଖୋଜିବାକୁ ଯାଇ
ନିଜକୁ ହଜାଇ ଦିଏ ।
ମମତା ରେ ଭରା
ମନ ତା' ନିଆରା,
ଦରଦୀ ତା'ର ହୃଦୟ ।
ଦରଦ ଲୁଚାଇ
ପରକୁ ହସାଇ
ଭୁଲିଯାଏ ମୃତ୍ୟୁ ଭୟ ।
ମୃତ୍ୟୁ ସୁଚିନ୍ତିତ
ବିଧିବଦ୍ଧ ତା'ର
ସମୟ ସୀମା ଅବଧି ।
ତାଆରି ଭାଷାରେ
ମୃତ୍ୟୁର ତାରିଖ
ଖଞ୍ଜି ଦେଇଅଛି ବିଧି ।
ନଗ୍ନ ଧାରେ ଧାରେ
ଝରଣା ଟି ଝରେ
ସାଗରେ ମିଶିବା ପାଇଁ ।
ବିଧିର ବିଧାନ,
ମହୋଦଧି ମାନ
ଝରଣା ହିଁ ଥାଏ ଗାଇ ।
ବନ୍ୟାରେ ଉତ୍ପ୍ଳୁତ
ନଦୀ ନଗ୍ନ ଶଯ୍ୟା
ଗତି ପଥ ଟାଳିଥାଏ ।
ଭାଗ୍ୟ ତା'ରାସ୍ତାରେ
ପ୍ରଚ୍ଛନ୍ନ ପ୍ରୟାସ
ମୃତ୍ୟୁକୁ ଦୁରେଇ ଦିଏ ।
ହେ ପ୍ରିୟ ମଣିଷ
ସୁଦୀର୍ଘ ଆୟୁଷ
କଳ୍ପୁଛି,ମୁଁ କଳ୍ପୁଥିବି ।
ତୁମରି ନୀତି ହିଁ
ମୋ'ଜୀବନ ଗୀତି,
ଗାଉଛି,ମୁଁ ଗାଉଥିବି ।
ଜୀବନେ ହେଉ ବା
ମରଣ ରେ ହେଉ
ତୁମ ସ୍ଵାକ୍ଷର କୁ ନେଇ ।
ଲେଖିବି ଲେଖିବି
ହୃଦୟେ ଲେଖିବି
ବିଧି କୁ ଭ୍ରୁକ୍ଷେପ ନାହିଁ ।