ଭୃଣ ହତ୍ୟା
ଭୃଣ ହତ୍ୟା
କେଉଁ ଦୋଷ ମାଆ କରିଥିଲି ମୁହିଁ
କି ଥିଲା ମୋହର ତ୍ରୁଟି
ଫୁଟିବା ପୂର୍ବରୁ ଦଳିଦେଲୁ ମୋତେ
ଚିପିଦେଲୁ ତଣ୍ଟିପାଟି।
ଜୀବନରେ ମୋର କେତେ ଆଶା ଥିଲା
ଦେଖିବି ପ୍ରିୟଜନଙ୍କୁ
ଦୁନିଆ ଆଲୋକ ସତେକି ଅଜବ
ବଢ଼ିବ ପଥ ଆଗକୁ
ହେଲେ ଆଶା ମୋର ହେଲା ମରିଚିକା
କହିବି ଆଉ କାହାକୁ?
ରକ୍ଷକ ହୋଇକି ଭକ୍ଷକ ସାଜିଲୁ
ଲଜ୍ଜା ଲାଗୁଛି ନିଜକୁ।
ପୁଅ ହୋଇଥିଲେ ମିଳିଥାନ୍ତା ଖୁସି
ସତେକି ସ୍ୱର୍ଗର ସୁଖ
କୋଳେଇ କାଖେଇ ଗେହ୍ଲ କରୁ ତୁହି
ତୋ ପାଇଁ ସେ ଚନ୍ଦ୍ର ମୁଖ।
ଝିଅଟିଏ ବୋଲି ମନେ ଘୃଣା ଭରି
କରିଦେଲୁ ସାତପର
ଜନମ ଆଗରୁ ମାରିଲୁ ଗର୍ଭରୁ
ଭାଵିଲୁନି କଥା ମୋର।
ପୁଅଟିଏ ତୋତେ କି ସୁଖ ଦେଉଛି
ମୁହିଁ ଅବା ଦେବି ନାହିଁ
ତୋ ରାସ୍ତାରେ ମୁହିଁ ସାଜୁଛି ବୋଝେଇ
ଭାବିକି ଦେଲୁ ଦୂରେଇ।
ଟିକିଏ ହେଲେ ବି ଚିନ୍ତା କଲୁ ନାହିଁ
ତୁହି ଦିନେ ଝିଅ ଥିଲୁ
ଆଜି କିମ୍ପା ମନେ ଏ କଥା ଭାବିଲୁ
ସ୍ନେହରୁ ବଞ୍ଚିତ କଲୁ।
ପୁଅଝିଅ ଦୁହେଁ ଉଭୟ ସମାନ
ମୁଦ୍ରାର ଯେ ଦୁଇ ପାର୍ଶ୍ୱ
ଜଣଙ୍କର ବିନା ଜଣେ ଅସମ୍ଭବ
ସୃଷ୍ଟିର ଆରମ୍ଭ ଶେଷ।
ସମାଜ ଆଗରେ ସବୁରି କ୍ଷେତ୍ରରେ
ଝିଅଟି ନାଆଁ ପ୍ରଥମ
ହିମାଳୟ ଠାରୁ ମହାକାଶ ଯାଏଁ
ରଖିଛି ଆଜି ସୁନାମ।
ସୃଷ୍ଟିର ଜନନୀ ସାଜିଛି ଯେ ଆଜି
ତାକୁ ଦିଅ ନାହିଁ ମାରି
କନ୍ୟା ଭୃଣ ହତ୍ୟା ଉଚ୍ଛେଦ ହୋଇଲେ
ସମାଜ ଯିବ ସୁଧୁରି।
