ପ୍ରତିଛବି
ପ୍ରତିଛବି
ରାତ୍ରୀ ପାହିଯାଏ
ପୁଣି ସକାଳ ହୁଏ,
ସେହି ପ୍ରତିଚ୍ଛବି ଲୁଚିଯାଏ
ଫୁଲର ମହକ ଭଳି,ଆଉ
ରସିକ ପାଗଳ ଭ୍ରମର ଭ୍ରମରେ
ଇତସ୍ତତଃ ଘୁରିବୁଲେ ସେହି ପ୍ରତିଚ୍ଛବିର ଅନ୍ୱେଷଣେ।
ମନର ସବୁ ଭାବ
ମହମ ଭଳି ତରଳିଯିବା ପରେ
ପୁନର୍ବାର ନୂତନ ଆଶାର ରାସ୍ତାରେ
ଚାଲୁ ଚାଲୁ ଦେଖା ହୁଏ କଳ୍ପନାରେ ଏକ ଚେହେରା
ରାତ୍ରୀଅଧର ନିଘୋଡ଼ ନିଦରେ।
ସକାଳର ନିଦୁଆ ନିସ୍ତେଜତାକୁ ଦୁରେଇ
ଉଠିପଡ଼ି ଖୋଜିବୁଲେ ସେହି ପ୍ରତିଚ୍ଛବିକୁ
ପାଇବାର ଆଶା ନେଇ।
ଏହା କଣ ତା'ଭ୍ରମ
ଅବା ହୋଇପାରେ ତା'ଅନୁଭବ?
ପୁନଶ୍ଚ ଅପେକ୍ଷା କରେ ରାତ୍ରୀକୁ
ଭେଟିବାକୁ ସେହି ଚେହେରା,
ରାତ୍ରୀର ପ୍ରହର ବଢ଼ିଚାଲେ
ଚାଳରେ ମାଡ଼ିଥିବା କଖାରୁ ଲତା ପରି
ଆଉ ଉତ୍କଣ୍ଠା ସବୁ ବଢିଚାଲେ
ପ୍ରତିଚ୍ଛବି ସହ ପରିଚୟ ହାସଲ କରିବା ଆଶାରେ।
ଏଇ ସମୟ କ'ଣ ପୂରଣ କରିପାରିବ
କଳ୍ପନାକୁ ସତ୍ୟରେ,
ଭାବନାକୁ ବାସ୍ତବତାରେ ?
କେବଳ ଉତ୍ତର ଅପେକ୍ଷାରେ
ସମୟ ଏମିତି ଗାଡିଚାଲୁଥିବ
ରାତ୍ରୀ ପରେ ଦିନ,ଦିନ ପରେ ରାତ୍ରୀ
ସେହି ପ୍ରତିଚ୍ଛବିର ସନ୍ଧାନରେ ! ! ! !