ଯୁଦ୍ଧଖୋରୀ ନଜାଣେ ପ୍ରେମର ସମ୍ପର୍କ
ଯୁଦ୍ଧଖୋରୀ ନଜାଣେ ପ୍ରେମର ସମ୍ପର୍କ
ଆମେ ପାଇଛେ ସ୍ୱାଧୀନତା, ଆଲୋକର
ଦିଗ ବଳୟରେ
କଅଣ ପାଇବା, କାହିଁକି ହଜାଇବା ନିଜକୁ
ବୃଥା ଗରବରେ ।
ଆମନ୍ତ୍ରଣ କରି ଆଣିବା ବାରମ୍ବାର କୁହ
ପରାଧୀନତାର ଅନ୍ଧକାରକୁ
କଅଣ ପାଇବା, ଧର୍ମ ନାମରେ ମତାନ୍ଧତାରେ
ମତାଇବା ଆମେ ନିଜକୁ ।
ଜାଣିନକି, ସେ ଚିନ୍ତା ମଧ୍ୟରେ ଓ ମୂଲ୍ୟହୀନ
ପ୍ରୟାସ ଭିତରେ
ତିଳ ତିଳ ହୋଇ ନିଜେ ଜଳିବା ଓ ଅନ୍ୟକୁ
ଜଳାଇବା ପ୍ରତି ମୁହୂର୍ତ୍ତରେ ।
ଶାନ୍ତି ପାଇଁ ଛୋଟ ଦୀପଶିଖାର ଆଲୋକଟିଏ
ହୋଇ ତ ପାରିବା
ନିଜ ମତକୁ ସାବ୍ୟସ୍ତ ପାଇଁ ଅନ୍ଧକାରର ଯନ୍ତ୍ରଣାର
ଜ୍ୱାଳା କିଆଁ ଜଳାଇବା ।
ମିଛ ସ୍ବପ୍ନ ଦେଖି ଓ ଦେଖାଇ ନିଜେ ତ ଜଳିବା ଓ
ଦେଶକୁ ଜଳାଇବା,
ରକ୍ତର ଶଯ୍ୟାର ବିଛଣାରେ ମଣିଷ ଜାତିକୁ ଓ
ସମାଜକୁ ଠେଲିଦେବା ।
ନିଜକୁ ଓ ଦେଶକୁ ବଡ ବୋଲି ପ୍ରତିପାଦିତ
କରିବାର ପ୍ରୟାସରେ
ସଂସାର ଭିତରେ ଖାଲି ଦୁଃଖ ଭରି ଦେବା
ପ୍ରତି ମଣିଷର ହୃଦୟରେ ।
ଶାନ୍ତି ଭାବନା ମଣିଷ ଓ ଯୁଦ୍ଧଖୋରୀ ମଣିଷ
ଭିତରେ ଏଇ ତ ଫରକ
ଯୁଦ୍ଧଖୋରୀମାନେ ନଜାଣନ୍ତି ମରମ, ଅନ୍ତର
ଅବା ହୃଦୟରୁ ପ୍ରେମର ସମ୍ପର୍କ ।
ମିଛ ସମ୍ମୋହନରେ ଦେଶ ଅଦୃଶ୍ୟ ହୋଇ ଯାଏ
ଭୂଗୋଳ ଇତିହାସର ପୃଷ୍ଠାରେ
ନିଜକୁ ଖାଲି ଭଲ ପାଇବାର ଚେତନା ଯୋଗୁ
ମାନବିକତାକୁ ଲୁଚେଇ ଦିଏ ସେ ଢେ଼ଉରେ ।
