ବିଦଗ୍ଧ ସ୍ଵପ୍ନ
ବିଦଗ୍ଧ ସ୍ଵପ୍ନ
ପାହାନ୍ତି ପ୍ରହରେ କାଲି ରାତି ଏହି କକ୍ଷେ
କାନ୍ଦୁଥିଲି ଧରି ଛିଣ୍ଡା ହୃଦୟ ମୋ ହାତେ
ଫକଫକ ଯେତେ ରକ୍ତ ଜୁଡୁବୁଡୁ ବକ୍ଷେ
ବିଦଗ୍ଧ ସେ ଏକ ସପନେ ଅନ୍ଧାର ରାତେ ।
ଅଥଳ ସାଗରେ ଅଜଣା ଦ୍ଵୀପର ତଟେ
ଏଇ ମୋ ହୃଦୟ ଧାରା ପୀରତି ଗଙ୍ଗାର
କାହାର ବିହୁନେ ସନ୍ତାପେ ବିଲୟ ଘଟେ
ଜଳି ସତେ ହେଲା ଲିଭିଲା ଉଷ୍ମ ଅଙ୍ଗାର ।
ସତେ କି ଆହତ ନିର୍ଦ୍ଦୟ ବ୍ୟାଧର ଶରେ
ଖୋଜିଲି ଉଦାର ଶାନ୍ତ ଗଉତମ କୋଳ
କପୋତୀ ବିହୁନେ ଅସହ୍ୟ ଯାତନା ଭରେ
ଆତୁରେ ସୁମରି ମାନସେ ଅନ୍ତିମ ଲୋଳ ।
ଅପହଞ୍ଚ ତାରା ସୁହାଗ ସିନ୍ଦୂରେ ଦେଖି
ଅନ୍ଧାର ସାଉଁଟି ରକ୍ତେ ଫୁଟାଇଛି ଫୁଲ
ଛାଇ ଆଲୁଅରେ ହସ୍ତାକ୍ଷର ନିଜ ଲେଖି
ନିର୍ବାସନ ଭୋଗେ ପାଉଥିଲି ପ୍ରୀତି ମୂଲ ।
ଅକସ୍ମାତେ ଯେବେ ପହଞ୍ଚିଲି ନଦୀ କୂଳ
ଥରିଲା ହୃଦୟ ଠାରି କହେ ଟିକେ ରହ
ରଜବତୀ ପ୍ରିୟା କେତେ ଥର ଖୋଲି ଚୂଳ
କେଡେ ସରାଗରେ ପଖାଳେ ସଜନୀ ସହ ।
ହଳଦୀ ମାଖିଣ କରେ ବୋଲି ଋତୁସ୍ନାନ
କିଛି କ୍ଷଣେ ଭାବ ରକ୍ତଧାରେ ଗଲା ଲେଖି
ରୁଧିର ନିଗାଡି ନିସ୍ପନ୍ଦେ ହୋଇଲା ମ୍ଳାନ
ପାହୁଥିଲା ରାତି ପାରୁ ନଥିଲି ମୁଁ ଦେଖି ।
ପ୍ରସନ୍ନ କୁମାର ମାଦଳା