ମୋ ଗାଆଁ
ମୋ ଗାଆଁ
ଦିଗ୍ ବଳୟରୁ ଉଇଁ ଆସେ ରବି
ତେଜି ଆଭାସୀ କିରଣ
କାକ ଡାକ ଶୁଣି ଜାଗ୍ରତ ହୁଅନ୍ତି
ହୋଇଣ କର୍ମ ତପ୍ତର ।
ମଳୟ ପରଶେ ଭାସି ଉଠେ ଯେବେ
ମଲ୍ଲୀ ଚମ୍ପା ହେନା ବାସ୍ନା
କ୍ଷଣିକ ନିମିତ୍ତ ହୁଅଇ ମୋ ଧରା
ପାରିଜାତ ଛାପାଖାନା।
ଗୋଧୂଳି ସମୟେ ପଶ୍ଚିମର ପ୍ରାନ୍ତେ
ରକ୍ତିମ ର ଆଭା ଦିଶେ
ଉତ୍ତର ଦିଗନ୍ତେ ଧ୍ରୁବତାରା ସାଥେ
ଜହ୍ନ ଖିଲି ଖିଲି ହସେ ।
ସନ୍ଧ୍ୟା ର ପ୍ରହର ସାଜେ ମନୋହର
ଶୁଭେ ସଙ୍କୀର୍ତ୍ତନ ମେଳି
ଦିପାଳି ଜଳଇ ବୃନ୍ଦାବତୀ ମୂଳେ
ଶୁଭେ ଶଙ୍ଖନାଦ କେଳି।
ବାରମାସେ ତେର ପରବ ପାଳନ୍ତି
ମିଳି ମିଶି ଗ୍ରାମବାସୀ
ଯାହା ନଦେଖିବ ସହର ବଜାରେ
ତାହା ପା(ଆ)ନ୍ତି ଗ୍ରାମବାସୀ ।
ଗାଆଁର ଜୀବନ ଅତି ସୁମଧୁର
ଆତ୍ମୀୟତା ଥାଏ ସଦା
ମିଳିମିଶି ସର୍ବେ କର୍ମ କରିଯାନ୍ତି
ହୁଏ ନାହିଁ ଅସୁବିଧା ।
ଗାଆଁର ସୌନ୍ଦର୍ଯ୍ୟ ଭାରି ମନୋଲୋଭା
ଜନ୍ମରୁ ବଢ଼ିଛି ମୁହିଁ
ତା ପାଣି ପବନ ୠଣୀ କରିଅଛି
ସେ ବଡ଼ ମୋହରି ପାଇଁ।
