Madhabi Patel

Fantasy

4.3  

Madhabi Patel

Fantasy

ଯୋଗୀ

ଯୋଗୀ

4 mins
391



ଦୀର୍ଘ କୋଡିଏ ବର୍ଷ ପରେ ନିର୍ମଳା ବିଦେଶରୁ ଭାରତ ଫେରିଆସିଥିଲା। ସାଥିରେ ତା ଝିଅ ସୋନଲ ଓ ପୁଅ ରୋହିତ ଙ୍କୁ ଧରି। ତା ଦାଦାର ପୁଅ ବାହାଘର ଥିଲା ବୋଲି ସେ ଆସିଥିଲା। ଦୀର୍ଘ ବର୍ଷର ବ୍ୟବଧାନ ପରେ ଆସିଥିଲା ଏବେ ଭାରତ ଅନେକ ପରିବର୍ତ୍ତନ ହେଇଯାଇଛି। ଚାରିଆଡେ ସଫା ସଫା ଲାଗିବା ସହିତ ପ୍ରତି କ୍ଷେତ୍ରରେ ଅଗ୍ରଗତି କରିଛି। ବିଦେଶର ସବୁ ସୁବିଧା ଏବେ ଭାରତରେ ଉପଲବ୍ଧ ହେଇପାରୁଛି।

ଇଲେକ୍ଟ୍ରୋନିକ୍ସ ବା ଯାନ୍ତ୍ରୀକ କ୍ଷେତ୍ରରେ ବହୁ ଉନ୍ନତି କରିଛି।ଏବେ ଗାଁରୁ ସହର ସବୁଠି ନେଟ୍ ଉବଲବ୍ଧ। ଘରେରହି ଅନଲାଇନ କାମ କରି ହେଉଛି। ଆଗ ସେ ସୁବିଧା ନଥିଲା । ଅନେକ ସ୍ମୃତି ବିଜଡିତ ପୁରୁଣା ସହର ତାର ଏବେ ଅଚିହ୍ନା ଲାଗୁଛି ତାକୁ। ତା ପିଲାଦିନର ସ୍କୁଲ କଲେଜର ସାଙ୍ଗ ସାଥୀଙ୍କ କେତେ ସ୍ମୃତି ଛାଡି ଯାଇଥିଲା ଏଠି।ଏବେ ଯେତେବେଳେ ଫେରିଛି ସବୁ ମନେ ପଡୁଛି ଗୋଟି ଗୋଟି।କେଜାଣି ସାଙ୍ଗମାନେ ସବୁ କିଏ କୋଉଠି ଥିବେ? ନିଜ ନିଜ ସଂସାର ଭିତରେ ମଜି ଯାଇଥିବେ ସମସ୍ତେ। ସେ ଦାଦା ପୁଅ ସନ୍ତୋଷର ବାହାଘର ସରିଲେ ସାଙ୍ଗ ମାନଙ୍କ ସହ ଭେଟ କରିବ ବୋଲି ମନସ୍ତ କରିଛି। ମିଲି, ମେନକା, ଶ୍ୟାମଳୀ ଏମାନେ ତାର ଭଲ ସାଙ୍ଗ। ପୁଅ ମାନଙ୍କ ଭିତରେ ମିହିର, ଅନୁଜ, ସୂରଜ, ପ୍ରକାଶ ଏମିତି କେତେଜଣ ଭଲ ମିଶୁଥିଲେ ତା ସହିତ। ଘରେ ସମସ୍ତେ ତା ଆଗମନରେ ବହୁ ଖୁସି ହେଲେ। ତା ପୁଅ ଝିଅ ଦାଦା ଭାଇଙ୍କ ପୁଅ ଝିଅଙ୍କସହ ମିଶି ବାହାଘର ଖୁସିମଜା ଉପଭୋଗ କରୁଥାନ୍ତି। ପୁଅଘର ତରଫରୁ ସେ ସମ୍ବଲପୁର ବାରାତି ଯାଇଥାଏ।ସେଠି ମିଲି ସହ ଭେଟହେଇଗଲା।ସେ ନବବଧୁର ମାଇଁ ସଂପର୍କ ହେବେ।ମିଲି ସହ ଭେଟହେଇ ସେମାନେ ପୁରୁଣା ଦିନରେ ହଜିଗଲେ।ସେଠି ସମସ୍ତ ସାଂଗଙ୍କ କଥା ପଡିଲା।ସମସ୍ତେ ଭଲଭଲ ଚାକିରି କରି ପରିବାର ଗଢି ଭଲରେ ଥିଲେ କେବଳ ପ୍ରକାଶକୁ ଛାଡି।ନିର୍ମଳା ପଚାରିଲା ପ୍ରକାଶର ଖବର କଣ? ମିଲି କହିଲା ଜାଣିଛୁ ସେ ଯୋଗୀ ହେଇଯାଇଛି। ତାଙ୍କ ଗାଁ ମନ୍ଦିରରେ ରହୁଛି। ଭଜନ କିର୍ତ୍ତନ କରୁଛି। ବାହା ହେଲାନି। ତା ବାପା ମାଆ ଅନେକ ବୁଝାଇଲେ କାହାରି କଥା ମାନିଲାନି।ବୋଧହୁଏ କାହାକୁ ଭଲ ପାଉଥିଲା। ଝିଅଟି ଧୋକା ଦେଇଦେଲା। ହେଲେ ପ୍ରେମ ଏକ ତରଫା ଥିଲା। ଝିଅ ତା ଭାବନା ବିଷୟରେ ଅବଗତ ନଥିଲା। ଆଜିଯାଏ ସେ ଝିଅର ନାଆଁ କାହାକୁ କହିନି। ସେ ମିଲିଠାରୁ ପ୍ରକାଶର ଠିକଣା ପଚାରି ଫେରିଲା। ଭୋଜି ସରିବା ପରଦିନ ସେ ଗାଡିଧରି ପ୍ରକାଶର ଗାଆଁରେ ପହଞ୍ଚିଲା। ଗାଆଁ ମୁଣ୍ଡରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଛୋଟ ଜଗନ୍ନାଥ ମନ୍ଦିରଟେ। ଚାରିଆଡେ ପାଚେରି ଘେରାହେଇଛି। ପାଚେରି ଭିତରେ ଅନେକ ରକମ ଫୁଲ ଓ ଫଳଗଛ ଲଗା ହେଇଛି।ବଡ ଲୋଭନୀୟ ହେଇଛି ବଗିଚାଟି। ମନରେ ସନ୍ତୋଷ ଭାବଟେ ଜାଗ୍ରତ ହେଉଛି। ସକାଳ ଭୋଗ ବୋଧହୁଏ ଲାଗି ହେଉଥିଲା ମନ୍ଦିରରେ। ଧୂପ ବାସ୍ନାସହିତ ଘଣ୍ଟି ଶବ୍ଦ ଭାସିଆସୁଥିଲା ଗର୍ଭ ଗୃହରୁ।

ସେ ଜଣେ ମହିଳାଙ୍କୁ ପ୍ରକାଶର ରହିବା ଠିକଣା ପଚାରିଲା। ସେ ସ୍ତ୍ରୀ ଲୋକଟି ସେ ତାଙ୍କର ସାଂଗ ଜାଣିବାପରେ ତାକୁନେଇ ପ୍ରକାଶର ଛୋଟ ବଖରାରେ ଛାଡିଦେଲା। ଏକ ପଟାଖଟ, ଟେବୁଲଟେ, ଦୁଇଟା ଚଉକି ପଡିଥିଲା ସେଠି। ପ୍ରକାଶ କୋଠରୀରେ ନଥିଲା ସେତେବେଳେ। ସ୍ତ୍ରୀଲୋକଟି କହିଲା ସେ ଏବେ ପୂଜା କରୁଛନ୍ତି। ଆପଣ ଏଠି ଚେୟାରରେ ବସି ଅପେକ୍ଷା କରନ୍ତୁ। ଟେବୁଲ ଉପରେ ଏକ ଡାଏରୀ ପଡିଥିଲା। କିଛି କାମ ନଥିବାରୁ ସେ ଡାଏରୀଟି ଖୋଲି ଦେଲା। ଭିତରେ ଏକ ଫଟୋ ବାହାରିଲା। ଆଉ ସେ ଫଟୋ ଦେଖି ସେ ଆଶ୍ଚର୍ଯ୍ୟ ହେଇଗଲା କାରଣ ସେ ଫୋଟୋ ତାର କଲେଜ ପଢିବା ସମୟର ଥିଲା। ସେ ଉତ୍କଣ୍ଠିତ ହେଇ ଡାଏରୀର ପୃଷ୍ଠା ଓଲଟ ପାଲଟ କରିବାକୁ ଲାଗିଲା। ପ୍ରଥମ ପୃଷ୍ଠାରେ ଲେଖାଥିଲା। ମୋର ମନର ମାନସୀ ଯିଏ ମୋର ସ୍ବପ୍ନସୁନ୍ଦରୀ ହେଇ ରହିଗଲା ଚିରଦିନ ପାଇଁ ତାରି ଶ୍ରୁତିରେ ଏ ଡାଏରୀ ଲେଖା।

ତା ସହ ବିତାଇଥିବା ମୋ ପିଲାଦିନର ଗୋଟିଗୋଟି

ମୁହୂର୍ତ୍ତକୁ ମୁଁ ସତେଜ କରି ସ୍ଥାନ ଦେଉଛି ଏ ଡାଏରୀ ରେ।ନିର୍ମଳା ବୋଲି ସୁନ୍ଦରୀ ଚୁଲବୁଲି ଝିଅଟା କେତେବେଳେ ମୋର ଜଅଜାଣତରେ ମୋ ମନକୁ ଚୋରିକରି ନେଇଗଲା । ମୁଁ ସେ ଭାବନାକୁ ବୁଝିଲା ବେଳକୁ ବିଲମ୍ବ ହେଇ ଯାଇଥିଲା।ତା ବାପା ତାର ବାହାଘର ସ୍ଥିର କରି ସାରିଥିଲେ।ଏକ ବିଦେଶରେ ରହୁଥିବା ଇଞ୍ଜିନିୟର ସହ।ଭଲ ପ୍ରସ୍ତାବ ଥିଲା ନିର୍ମଳାପାଇଁ। ମୁଁ ସାମାନ୍ୟ ଏମ୍ ଏ ପାଶକଲା ବେକାର ଯୁବକଟେ ସେତେବେଳେ । କୋଉ ମୁହଁନେଇ ପ୍ରସ୍ତାବ ଧରି ଯାଇଥାନ୍ତି ତାଙ୍କ ଘରକୁ। ମୋରି ଆଖି ଆଗରେ ତାକୁ ଅନ୍ୟର ହେବାର ଦୃଶ୍ୟ ନିଜ ଆଖିରେ ଦେଖିଲି। ନିଜକୁ ଜଳି ପୋଡି ଯିବାର କଷ୍ଟ ଅନୁଭବ କଲି।ହେଲେ ସେ ମୋର ଅନ୍ତରଙ୍ଗ ସାଙ୍ଗ ଥିଲା। ମୋର ମନର ମାନସୀ ପ୍ରଥମ ପ୍ରେମ ଥିଲା। ମୋ ହୃଦୟର ପ୍ରଥମ ସ୍ପନ୍ଦନ ଥିଲା ମୋର ସ୍ବଚ୍ଛ ପବିତ୍ର ଭଲ ପାଇବାର ମୂର୍ତ୍ତିମନ୍ତ ଦେବୀ ଥିଲା ସିଏ। କେବେତାକୁ ମୁହଁ ଖୋଲି କହିପାରିଲିନି ଭଲ ପାଏ ବୋଲି। ହେଲେ ସେ ମୋର ନୀରୁତା ପ୍ରେମ ଥିଲା।ସେ ପ୍ରେମ ମୁୁଁ ଅନ୍ୟକାହାସହ ଆଉ କରି ପାରିବିନି।ମୋର ବଞ୍ଚିବା ଯାଏ ସେହିଁ ମୋର ହୃଦୟ ରାଣୀ ହେଇ ରହିଥିବ।ତାର ପ୍ରେମକୁ ମୁଁ ବଦନାମ ହେବାକୁ ଦେବିନି।ସେ ମୋରି ଭିତରେ ଏମିତି ଜୀବନସରା ଲୁକ୍କାୟିତ ହେଇ ରହିବ।ମୁଁ ତାର ସବୁବେଳେ ସୁଖ କାମନାକରେ।ସେ ତାର ପରିବାରସହ ସୁଖରେ ସଂସାରକରୁ ଏହାହିଁ ଭଗବାନଙ୍କ ପାଖେ ମୋର ପ୍ରର୍ଥନା।ମୋର ପାର୍ଥିବ ଭୋଗବିଳଳାସ ପ୍ରତି ଏବେ ଆଉ କିଛି ମୋହ ନାହିଁ।ତେଣୁ ମୋ ଜୀବନକୁ ଭଗବତ୍ ପ୍ରେମରେଏବେ ନୀୟୋଜିତ କରିବାକୁ ଚାହେଁ।

ଡାଏରୀ ପଢି ନିର୍ମଳା ସ୍ତବ୍ଧ ପାଲଟିଗଲା କିଛି ସମୟ ପାଇଁ। ତାକୁ ଟିକେ ବି ଆଭାସ ମିଳିନଥିଲା ପ୍ରକାଶ ଭିତରେ ତାପାଇଁ ଏମିତି କୋମଳ ଭାବନାଟେ ଥିଲା ବୋଲି। ସେ ବଡ ଲାଜକୁଳା ସ୍ବଭାବର ଯୁବକ ଥିଲା।ପ୍ରତ୍ୟେକ ସାଙ୍ଗଙ୍କୁ ସାଧ୍ୟମତେ ସାହାଯ୍ୟ କରେ। ଭଦ୍ର ଆମାୟିକ ହସମୁଖ ସ୍ବଭାବ ହେତୁ ସମମସ୍ତଙ୍କ ଆପଣାର ଥିଲା। ତାପ୍ରତି ଯାହା ସଂବେଦନା ଥିଲା ସେ ସାଂଗ ହିସାବରେ କରୁଥିଲା ବୋଲି ସେ ଭାବୁଥିଲା। ଆଜି ତା ମନ ବଡ ଦୁଃଖ ହେଇଗଲା। ସେ ଅଜାଣତରେ ଜଣକ ଜୀବନର ସବୁ ଖୁସୀ ଛଡେଇ ନେଇଛି। ଜଣେ ଆପଣା ସାଂଗ ପାଇଁ ସେ କିଛି କରିପାରୁନି ଏବେ। ବାହାରେ କାହାର ପାଦ ଶବ୍ଦଶୁଣି ସେ ଡାଏରୀ ରଖିଦେଲା |


ଯୋଗୀବେଶୀ ପ୍ରକାଶ ଆସିଯାଇଥିଲେ। ସେ ନିର୍ମଳାକୁ ଅକସ୍ମାତ୍ ସମ୍ମୁଖରେ ଦେଖି ନିଜ ଆଖିକୁ ବିଶ୍ବାସ କରି ପାରୁନଥିଲେ। ପ୍ରକାଶ ନିଜ ବୟସ ତୁଳନାର ଅଧିକ ବୟସ୍କ ଜଣା ପଡୁଥିଲେ। ହେଲେ ନିର୍ମଳା ପୂର୍ବପରି ନିଜ ବୟସକୁ ଏକ ଜାଗାରେ ଅଟକେଇ ରଖିବାକୁ ସଫଳ ହେଇଥିଲା। ଦୁଇଟା ପିଲାର ମାଆ ହେଇ ବି ଜଣେ ଯୁବତୀ ପରି ଦେଖା ଯାଉଥିଲା। ମଣିଷ ଖୁସି ଓ ସୁଖ ସୌଚ୍ଛନ୍ଦରେ ରହିଲେ ବୟସକୁ ବି ଅଟକେଇଦେବାକୁ ସକ୍ଷମ ହୁଏ। ହେଲେ ଯାହା ମନରୁ ବଞ୍ଚିବାର ମୋହ ସରିଯାଏ। ସେମିତି ମଣିଷ ନିଜର ଯତ୍ନ ନେବାବି ଛାଡିଦିଏ ବାର୍ଦ୍ଧକ୍ୟର ଶୀଘ୍ର ଶିକାର ହେଇଯାଏ ଯାହା ପ୍ରକାଶ ପାଖରେ ହେଇଥିଲା ଦୁଇଜଣ ପରଷ୍ପରକୁ ଅଭିବାଦନ ହେଲେ।

ପ୍ରକାଶ କହିଲା ତୁ ଆସିଥିବୁ ବୋଲି ମୁଁ ଭାବିନଥିଲି।ଯାହଉ ତୋସହ ପୁଣି ଦେଖାହେଇଗଲା। ମୁଁତ ଭାବୁଥିଲି ଏ ଜନ୍ମରେ ଆଉ ଦେଖା ହେବନି। ନିର୍ମଳା କହିଲା....ପ୍ରକାଶ ତୁମ ଏ ଯୋଗୀବେଶ ମତେ ବହୁତ କଷ୍ଟ ଦେଉଛି। ତୁମେ କଣ ପୂର୍ବପରି ଜୀବନ ଆପଣାଇ ପାରିବନି?

ପ୍ରକାଶ କହିଲା ଏ ଜୀବନ ବଞ୍ଚିବା ମୋର ଅଭ୍ୟାସ ପଡି ଗଲାଣି ମୋତେ ଆଉ କଷ୍ଟ ଲାଗୁନି ବରଂ ମୁଁ ଏଥିରେ ଶାନ୍ତି ଖୋଜି ପାଇଛି। ନିର୍ମଳା କହିଲା ମୁଁ ତୁମ ଭାବନାକୁ କେବେ ବୁଝି ପାରିଲିନି। ମୁଁ ସାଙ୍ଗ ହିସାବରେ ତୁମକୁ ସବୁବେଳେ ଦେଖୁଥିଲି। ମୋର ଏ ଭୂଲ ପାଇଁ ମତେ କ୍ଷମା କରିଦିଅ।ଯଦି ତୁମ ବିଷୟରେ ଟିକେ ବି ବାସ୍ନାପାଇଥାନ୍ତି ତାହେଲେ ଆମ ଜୀବନ ହୁଏତ ଅନ୍ୟ ମୋଡ ନେଇଥାନ୍ତା । ପ୍ରକାଶ କହିଲା ଛାଡ ଯାହା ହେଇଗଲା। ତୁ ତୋର ସଂସାର ନେଇ ସୁଖରେ ରହ । ସେଥିରେ ହିଁ ମୋର ଖୁସି। ତାପରେ ନିର୍ମଳା ଫେରିଆସିଥିଲା ନିଜ ଘରକୁ। ଏବେ ତା ମନରେ ଥିବା ଗ୍ଲାନି କିଛି ମାତ୍ରାରେ ଅପସରି ଯାଇଥିଲା।



Rate this content
Log in

Similar oriya story from Fantasy