ନାଲି ଶାଢ଼ୀ
ନାଲି ଶାଢ଼ୀ


ରୁନି ଭାଉଜ ପରି ସୁଗୃହିଣୀଟିଏ ଗାଁରେ ଆଉ କେହିନାହିଁ।ଦେଖିବାକୁ ରଙ୍ଗ ଯେମିତି ମଲ୍ଲିଫୁଲ ପରି। ଗଢଣରେ ବି ସେମିତି ସୁଡୋଳ ସୁନ୍ଦର କେହି ଖୁଣଟିକେ କାଢିପାରିବ ନାହିଁ । ଚେହେରାଟି ଦୁର୍ଗାମାଆଙ୍କ ପରି ତେଜମୟୀ ଚକ୍ ଚକ୍ ଦିଶୁଥାଏ । ସ୍ମିତହସର ଧାରେ ସବୁବେଳେ ଖେଳୁଥାଏ ନାଲି ନାଲି ଓଠ ଧାରରେ। ଆଉ ଏମିତି ସୁମଧୁର ମମତାଭରା ବାଣୀ ଯିଏ ପରକୁ ବି ଆତ୍ମୀୟତାରେ ବାନ୍ଧିପାରେ କ୍ଷଣକରେ। ସେ ସମ୍ପୂର୍ଣ୍ଣ ଭାବରେ ସ୍ନେହ ମମତାର ମୂର୍ତ୍ତୀମନ୍ତ ଦେବୀଟିଏଥିଲେ।ତ୍ୟାଗ ବଳିଦାନର ଚଳନ୍ତି ପ୍ରତିମା ଥିଲେ ସେ । ସେ ନିତ୍ୟାନନ୍ଦ ଭାଇଙ୍କର ସହଧର୍ମିଣୀଥିଲେ। ନିତ୍ୟାଭାଇଙ୍କ ତଳେ ଦୁଇଭାଇ ଓ ତିନିଭଉଣୀ । ତିନିଭାଇ ବାହା ହୋଇ ସାରିଲେଣି।ଭଉଣୀମାନେ ବାହାଯୋଗ୍ୟା ହେଲେଣି।
ବଡ ପୁଅ ହିସାବରେ ଏବେବି ଘରର ସବୁ ଝାମେଲା
ସେ ହିଁ ବୁଝନ୍ତି। ଆଉ ମାଆଲକ୍ଷ୍ମୀ ସାଜି ଭଣ୍ଡାରଘରର ସବୁ ଦାୟିତ୍ବ ରୁନି ଭାଉଜ ସମ୍ଭାଳନ୍ତି। ଛୋଟଯାଆମାନଙ୍କୁ ନିଜ ଭଉଣୀପରି ସ୍ନେହ ଦିଅନ୍ତି। ନଣନ୍ଦ ମାନଙ୍କୁ ନିଜ ଝିଅସରି ଭଲ ପାଆନ୍ତି। ତାଙ୍କ ନିଜଝିଅ ସୁନନ୍ଦା ବି ନଣନ୍ଦ ମାନଙ୍କ ସହ ଥିଲେ ଚାରି ଭଉଣୀ ପରି ଲାଗନ୍ତି। ବାଡି ବଗିଚାରେ ଅନେକ ଶାଗ ସବଜି ଲଗାଇ ସେ ଘରର ଅଧା ସମସ୍ୟା ଦୂର କରିଦିଅନ୍ତି। ସିଲେଇ କାମ କିଛି ଜାଣିଥିଲେ ବୋଲି ପଡାଟା ଜାକର ସବୁ ବ୍ଲାଉଜ ଓ ଡ୍ରେସ ସିଲେଇ ତାଙ୍କ ପାଖକୁ ଆସେ। ତାଙ୍କ ହାତତିଆରି ଡିଜାଇନ ପାଖରେ ରେଡିମେଣ୍ଟ ବ୍ଲାଉଜ ତଳେ ପଡିଯିବ।ତାଙ୍କର ହାତର କାରିଗରି ସହରରେ ବି ଚର୍ଚ୍ଚିତ।ତାର ଫିଟିଙ୍ଗ ବି ବହୁତ ସୁନ୍ଦର ହୁଏ। ସେଥିପାଇଁ ତାଙ୍କ ପାଖରେ ସବୁବେଳେ କାମର ଭିଡ। ସେ ନିଜପାଇଁ ସମୟ ପାଆନ୍ତିନି ଟିକେ ସଜବାଜ ହେବାକୁ। ତାଙ୍କ ରୋଷେଇତ ଏମିତି ସୁଆଦିଆ ଯେ ଚାଟି ଖାଇଦେବାକୁ ଇଛାହୁଏ । ଅନେକ ରକମ ପିଠାପଣା କରିବାରେବି ଧୁରନ୍ଧର ସେ । ଏତେ ସବୁ ଗୁଣ ଥିଲେବି ସେ ନିଜ ପାଇଁ କେବେ ଭାବନ୍ତିନି । ଯାହା ଆୟହୁଏ ତିନି ନଣନ୍ଦ ନିଜ ଝିଅ ର ଫରମାଇସ୍ ଓ ଘର ଚଳାଇବାରେ ନିଅଣ୍ଟ ପଡେ। ନିଜ ପାଇଁ ଭାବିବେ
କଣ?ଦଶରାରେ ସମସ୍ତେ ମୂଲ୍ୟବାନ ଶାଢୀ ବାଛିଲା ବେଳେ ସେ ସସ୍ତାଡେଲିୟୁଜ୍ ସୁତାଶାଢୀ ଖଣ୍ଡେ ନିଜପାଇଁ ବାଛନ୍ତି। ସେ ଜାଣିଛନ୍ତି ସ୍ବାମୀଙ୍କ ଦରମା କେତେ?ସେବି ଯଦି ଦାମି ଜିନିଷ ବ୍ୟବହାର କରିବସିବେ ତେବେ ଘର ଚଳିବ କେମିତି। ଏତେବଡ ଘରର ରାସନ ବାକି ଖର୍ଚ୍ଚ ବି ତାଙ୍କୁ ପୂରା କରିବାକୁ ପଡିବ। ଦଶରାରେ ସବୁ କୁଣିଆଙ୍କ ଭିଡ। କେତେ ପିଠାପଣା କରିବାକୁ ପଡିବ। ସେତେବେଳେ ସେ ଏ ବଦ୍ଖର୍ଚ୍ଚ କରିବେ ବା କେମିତି। ହେଲେ ତାର ପର୍ସନାଲିଟି ବା ବ୍ୟକ୍ତିତ୍ବ ଏମିତି ଥିଲାଯେ ସେ ସାମାନ୍ୟ ସୁତାଶାଢୀ ଖଣ୍ଡେରେ ବି ସମସ୍ତଙ୍କଠୁ ଆକର୍ଷଣୀୟ ଲାଗନ୍ତି।ଭଗବାନ ତାକୁ ଏତେ ସୁନ୍ଦର ରୂପ ଦେଇଛନ୍ତି ତେବେ ଏ ଶାଢୀ ଅଳଙ୍କାର ର ଆବଶ୍ୟକତା କଣ । ଏସବୁ ଅଳ୍ପ ସୁନ୍ଦରୀ ସ୍ତ୍ରୀ ମାନଙ୍କ ପାଇଁ ଆବଶ୍ୟକ ଯିଏ ତାଙ୍କୁ ଆକର୍ଶକ କରିବାରେ ସାହାଯ୍ୟ କରେ।
ପିତ୍ରାଳୟରେ ବି ସେମାନେ କେବଳ ଦୁଇଭଉଣୀ।କେହି ଭାଇ ନାହାଁନ୍ତି।ଯିଏ ଦଶରାରେ ମାନ୍ୟ ଭାବରେ ଖଣ୍ଡେ ଶାଢୀ ଉପହାର ଦେବ। ବରଂ ସେମାନେ ଦୁଇ ଭଉଣୀ ତାଙ୍କୁ କିଛି କିଛି ଆର୍ଥିକ ସାହାଯ୍ୟ କରନ୍ତି।ହେଲେ ସାନ ଯାଆ ମାନେ ମାଆଘରୁ ଦାମି ଶାଢୀ ମାନ ଉପହାର ଆଣି ତାକୁ ଚିଡାନ୍ତି। ହେଲେ ତାଙ୍କ ଉପରେ କିଛି ପ୍ରଭାବ ପଡେନି ବରଂଖୁସୀ ହୋଇ କହନ୍ତି ତୁମ ମାନଙ୍କ ଏବେ ସଜହେବା ସମୟ ଅଛି ତୁମେମାନେ ପିନ୍ଧ ମୋର ତ ବୟସ ହେଲାଣି। ଏବେ ତ ମୋ ଝିଅର ପିନ୍ଧିବାର ସଜହେବାର ବେଳ।
ତାପାଇଁ କିଛି କରି ପାରିଲେ ମୋର ଖୁସୀ। ତାଙ୍କର ବଡ ନଣନ୍ଦ ବାହାଘରକୁ ମୁଁ ଯାଇଥିଲି। ମୁଁ ହାଇଦ୍ରାବାଦରୁ ଦୁଇ ଖଣ୍ଡ ସିଲ୍କଶାଢୀ ମୋ ପାଇଁ ନେଇକି ଯାଇଥିଲି ପିନ୍ଧିବାକୁ।ଶାଢୀରେ ସୁନାରଂଗର ଚଉଡା ଧଡି ଥିଲା ଓ ଦେହଟା ଗୋଟିଏ ନୀଳରଂଗଥିଲା ଓ ଗୋଟେ ଫଗୁରଂଗ ଥିଲା। ସେ ଶାଢୀମାନ ବେଶି ଦାମ ବି ନଥିଲା । ଗୋଟାକୁ ସାତ ଆଠଶହ ରଥିଲା।
ରୁନି ଭାଉଜ ସେ ଶାଢୀର ଦାମ ପଚାରିଲେ।ସେ କହିଥିଲା ବେଶିଦାମ୍ ନୁହେଁ ଭାଉଜ ମାତ୍ର ଆଠଶହ।ସେ କହିଲେ ବହୁତ ସୁନ୍ଦର ଲାଗୁଛି ମୋ ପାଇଁ ଖଣ୍ଡେ ଆଉଥରେ ଆସିଲେ ଆଣିଦେବ ମୁଁ ତାର ଦାମ୍ ଦେଇଦେବି।ମୁଁ ଏଭିତରେ କିଛି କିଛି ସଂଚୟ କରି ରଖିଥିବି।ମୁଁକହିଲି ଦାମ୍ ଦେବା ଦରକାର ନାହିଁ ମୋ ତରଫରୁ ଉପହାର ଦେବି ଆପଣଙ୍କୁ।ସେ ନାଁ ନାଁ ହେଉଥିଲେ। ମୁଁ କହିଲି ମୁଁ ଚାକିରି କରୁଛି ଭାଉଜ ନିଜ ଦରମାରୁ ଦେବି।ଚିନ୍ତା କରୁଛ କାହିଁକି? ନିଜ ନଣନ୍ଦ ନହେଲେ କଣହେଲା ମୁଁ ତୁମକୁ
ନିଜର ଭାବେ।ହେଲେ କୋଉରଂଗ ଆଣିବି କୁହ?ସେ କହିଲେ ମୋପାଇଁ ନାଲିହିଁ ଆଣିବ।ତୁମ ଦାଦାଙ୍କ ନାଲିରଂଗ ଭାରି ପସନ୍ଦ।ମୁଁ ହସି ଦେଲି କହିଲି ତାହେଲେ ତୁମେ ଦାଦାଙ୍କୁ ଇମ୍ପ୍ରେସ୍ କରିବାକୁ ଚାହୁଚ?ସେ ଲାଜେଇଗଲେ ଚୁନପରି ଧଳାଗାଲ ତାଙ୍କ ଲାଲ ପଡିଗଲା ଲାଜରେ।ନଣନ୍ଦର ବାହାଘର ଥିଲା ସମସ୍ତେପାଟ ପିନ୍ଧିିଥିବାବେଳେ ବିଚାରି ସୁତାଶାଢୀ ଖଣ୍ଡେ ପିନ୍ଧିଥାନ୍ତି।ତଥାପି ବହୁତ ସୁନ୍ଦର ଦିଶୁଥିଲେ ସେ।
ମୁଁ ବାହାଘରୁ ଫେରୁ ଫେରୁ ଭାଉଜଙ୍କ ପାଇଁ ନାଲିଶାଢୀଟେ କିଣି ରଖିଦେଲି କାଳେ ପରେ ଭୂଲି ହେଇଯିବ ଭାବି।ଭାଉଜ ଏ ଶାଢୀ ପିନ୍ଧିଲେ ଦେବୀ ପରି ଦିଶିବେ ନିଶ୍ଚୟ।ନିଜ ଚାକିରି ପିଲାଙ୍କ ପାଠପଢା ଘରର ଦାୟିତ୍ବ ତୁଲାଉ ତୁଲାଉ ସମୟ ଗଡି ଚାଲିଥାଏ।ସୁଖିଲୋକ ପାଇଁ ସମୟ କେମିତି ଗଡିଯାଏ ଜଣାପଡେନି ହେଲେ ଦୁଃଖିପାଇଁ ବିଷମ ହୋଇଯାଏ କାଟିବା।ରୁନି ଭାଉଜ ସେମିତି ଜୀବନ ଜଂଜାଳ ଭିତରେ ଗତି କରୁଥାନ୍ତି।ସମୟ ତା ରସ୍ତାରେ ଚାଲିଥାଏ କିଏ ହସିଲା କାନ୍ଦିଲା ତାର ଯାଏ ଆସେ କେତେ।ଋତୁଚକ୍ରର ଘୂର୍ଣନ ପରେ ପୁଣି ଦଶହରା ଆସିଲା।ଚାରିଆଡ ସ୍ବଚ୍ଛ ନିର୍ମଳ ଦିଶିଲା।ତୋଫା ଚାନ୍ଦିନିରେ ଝଲସି ଉଠିଲା ଗାଆଁଦାଣ୍ଡ।ସରୋବରରେ ନାଲି ନେଳି କଇଁମାନଙ୍କର ଆସର ଜମିଲା।ବର୍ଷା ଧାସରେ ଜରିଯାଇଥିବା ପଦ୍ମିନୀବି ସଜଧଜ ହୋଇ ବଧୁବେଶ ସାଜୁଥିଲା ସୂର୍ଯ୍ୟଙ୍କ ବନ୍ଦାପନା ଉଦ୍ଦେଶ୍ୟରେ।ଦୁର୍ଗାମାଆଙ୍କ ଆଗମନିର ଖବର ପାଇ କାଶତଣ୍ଡି ଧବଳ ଚଅଁର ସଜାଉଥିଲା ବିଞ୍ଛିଦେବ ବୋଲି| ପ୍ରବାସୀ ଭାରତୀୟ ଘରମୁହାଁ ହେବାକୁ ଲାଗିଥିଲେ ଦୁର୍ଗାପୂଜାପାଇଁ।ମୁଁ ବି ଭାଇଜଉନ୍ତିଆ ପାଇଁ ଆସିବାକୁ ମୋର ଜିନିଷ ପତ୍ର ବନ୍ଧାବନ୍ଧି କରୁଥାଏ।
ଦୁଇ ଦୁଇଟା ବଡ ଭାଇମୋର ଅପେକ୍ଷା କରିଥିବେ
ଭଉଣୀ ଜିଉନ୍ତିଆ ବାନ୍ଧିବ ବୋଲି।ଓଡିଆ ଚଳଣିରେ ଭଉଣୀ ଉପାସ କରି ଭାଇକୁ ଜିଉନ୍ତିଆ ବାନ୍ଧେ ଓ ଭାଇ ତାର ରକ୍ଷାର ବଚନ ଦିଏ।ଉପହାର ଦିଆନିଆ ହୁଅନ୍ତି ଉଭୟେ।ମୋର ରୁନି ଭାଉଜଙ୍କ କଥା ମନେ ପଡୁଥିଲା।ସେ ମୋ ବଡବାପା ଙ୍କ ବୋହୁ
ହେଲେ ବହୁତ ନିଜର।ଆମ ଦୁଇପରିବାର କୁ ନିବିଡ ସଂପର୍କର ସୁତାଖିଅଟେ ମଜବୁତ ଭାବରେ ବାନ୍ଧି ରଖିଥାଏ।ବଡବାପା ଜଣେ ଚାଷି।ପୁଅମାନେବି ବେଶି ପଢିଲେନି ଛୋଟମୋଟ ବ୍ୟବସାୟ କରି ପରିବାର ଚଲାଉଛନ୍ତି।ଦୁଇଭାଇତ ନିଜ ପରିବାର ନେଇ ଅଲଗା ରହୁଛନ୍ତି।କେବଳ ନିତ୍ୟାଭାଇ ବାପାମାଆ ଛୋଟଭଉଣୀଙ୍କ ସମସ୍ୟା ନିଜ ଉପରେ ବୋହିଛନ୍ତି।
ଏବେବି ସେମାନେ ଅଭାବର ବାଉଣ୍ଡ୍ରି ଡେଇଁପାରିନାହାଁନ୍ତି।ସବୁଠୁ ଦୟନୀୟ ଲାଗନ୍ତି ରୁନି ଭାଉଜ। ହେଲେ ତା ବାପା ଜଣେ ଶିକ୍ଷକଥିଲେ।ଭାଇମାନେ ଉଚ୍ଚଶିକ୍ଷିତ। ବଡବଡ ଚାକିରି କରୁଛନ୍ତି।
ସେମାନେ ଏବେ ଅଭାବର ପାଚେରି ଭିତରୁ ଟିକେ ବାହାରି ସ୍ବଚ୍ଛନ୍ଦର ଜୀବନ ବଞ୍ଚି ପାରୁଛନ୍ତି। ମୁଁ ଦଶହରାର ସପ୍ତମୀଦିନ ସନ୍ଧ୍ୟାରେ ଘରେ ପହଞ୍ଚୁ ପହଞ୍ଚୁ ଶାଢୀପେକେଟଟା ଧରି ଭାଉଜ ଘରକୁ ବାହାରିଲି।ଖୁସୀରେ ଭାଉଜ ଭାଉଜ ଡାକୁଥାଏ ମୋ ଡାକରେ ଥାଏ ଉଚ୍ଚାଟର ଆଭାସ। ମୁଁ ଭାଉଜଙ୍କୁ ଯେମିତି ଅପୂର୍ବ ଦରବଟେ ଦେବାକୁ ଯାଉଛି। ତାଙ୍କୁ ଖୁସୀ କରିଦେବି ବୋଲି ଭାବୁଥିଲି। ଭାଉଜ ମୋ ଉତ୍ଫୁଲ୍ଲିିତ ଡାକଶୁଣି ରୋଷେଇଘରୁ ବାହାରକୁ ବହାରି ଆସିଲେ।ମୁଁ ତାଙ୍କୁ ଦେଖି ହତଚକିତ ରହିଗଲି। ଏକଣ ମୋର ସେଇ ରୁନି ଭାଉଜ।ପଦ୍ମଫୁଲପରି ରଜରଜ କରୁଥିବା ମୁହଁ ମଳିନ ପଡିଯାଇଛି। ଧଳାଶାଢୀ ଆଉ ଶୁନ୍ୟ ମଥାରେ କେମିତି ହତଶିରୀ ଲାଗୁଥିଲେ ସେ। ମୁଁ ଦେଖି ପାରୁନଥିଲି ତାଙ୍କୁ ଗୋଟିଏ ପାପୁଲିରେ ଆଖିକୁ ଘୋଡେଇଦେଲି ଅନ୍ୟ ହାତରେ ଶାଢୀ ପେକେଟ୍ ଟା ଧରିଥାଏ।ମୁ କଣ କହିବି ଭାବି ପାରୁନଥାଏ। କହିଲି ଭାଉଜ ମୁଁ ବୋଧହୁଏ ଶାଢୀ ଧରି ଆସିବାରେ ବଡ ବିଲମ୍ବ କରିଦେଲି । ଭାଇଙ୍କ ପସନ୍ଦ ଶାଢୀ ଠିକ୍ ସମୟରେ ପିନ୍ଧି ପାରିଲନି। ହେଲେ ଭାଇଙ୍କର କଣ ହେଲା ଅକସ୍ମାତ ଏମିତି । ସେ କହିଲେ ମୁ ହତ ଭଗିନୀ ଟେ ସବୁ ଦୁଃଖ ଭିତରେ ତାଙ୍କୁପାଇ ଟିକେ ଖୁସୀ ପାଉଥିଲି ଯେ ଭଗବାନ ତାହାବି ସହି ପାରିଲେନି।ଏକ୍ସିଡେଣ୍ଟରେ ଚାଲିଗଲେ। ମାସେ ପର୍ଯ୍ୟନ୍ତ ହସପିଟାଲରେ ପଡିରହିଲେ ସେତିକି ଦିନ ଯାହା ମତେ ସେବାର ଅବସର ଦେଲେ। ମୁଁ ଆଉ କଣ କୁହନ୍ତି ନାଲିଶାଢୀଟା ତାଙ୍କ ପାଦତଳେ ଥୋଇ ଚାଲି ଆସିଲି। ସେ କହୁଥିଲେ ଏହା ଫେରାଇନିଅ ମିନତି ମୁଁ କଣ ଆଉ ନାଲିଶାଢୀ ପିନ୍ଧିବି ? ମୁଁ କହିଲି ଥାଉ ଭାଉଜ ବଡହେଲେ ସୁନନ୍ଦା ପିନ୍ଧିବ। ମୋ ଆଖିରୁ ଅଶ୍ରୁର ଧାର ନିଗିଡି ଆସୁଥିଲା ଭାଉଜଙ୍କ ଅବସ୍ଥା ଦେଖି।