STORYMIRROR

Balaram Barik

Comedy

4  

Balaram Barik

Comedy

ଯାତ୍ରା ...ଜାତରା

ଯାତ୍ରା ...ଜାତରା

2 mins
378


ଚଇତା ଓ କଇଥା ବାଲ୍ୟ ବନ୍ଧୁ।ପିଲାବେଳୁ ତାଙ୍କ ସମ୍ପର୍କ କ୍ଷୀର ଓ ପାଣି ପରି।

ଜଣେ ବନ୍ଧୁକ ହେଲେ ଆଉ ଜଣେ ଗୁଳି।

ଜଣେ ପାଟି ହେଲେ ଆରକ ଚକୁଳି।

ଏ ଦୁହିଁଙ୍କର ସମ୍ପର୍କର ନିବିଡ଼ତାକୁ ଗାଁରେ ଉଦାହରଣ ଦିଆ ଯାଏ।

ଗୋଟିଏ ରଙ୍ଗର ଗାମୁଛା ପିନ୍ଧି ପିଲାଦିନେ ସାଙ୍ଗ ହୋଇ ନଈକୂଳକୁ ଉଭୟ ଝାଡା ଯାଆନ୍ତି।ଗାଁ ପୋଖରୀରୁ ଚେଙ୍ଗ, ଗଡ଼ିଶ ଓ କଙ୍କଡା ଆଦି ଧରି ଆଣନ୍ତି।ଦୁହେଁ କଳାକାର।ଭାରି ଯାତ୍ରା ପ୍ରିୟ।ଆଖ ପାଖ ଦଶ ଖଣ୍ଡ ଗାଁରେ ଯେଉଁଠି ଅପେରା ପଡେ ଧାଇଁ ଯାଆନ୍ତି।ସେ ସାଗୁଣା ବସିଛି ଡେଣା ମେଲେଇର ଡାଇଲଗ ହେଉ ଅବା ବାଟ ଛାଡ଼ ଷଣ୍ଢ ଆସୁଛିର ଡାଇଲଗ ସବୁ ବାଟିକି ପିଇ ଦେଇଛନ୍ତି।

 ଗାଁ ଦାଣ୍ଡରେ କେହି ବି ଅନୁରୋଧ କଲେ ଦୁହେଁ ଡାଇଲଗ ଆରମ୍ଭ କରି ଦିଅନ୍ତି।

ଆଲୋ..... ମିନା ।

ତୁ ସାଗୁଣାର ଥଂଟ ଦେଖିଛୁ...

ଏଇ ଦେଖ .....

ଭେଓ.........

ପ୍ରତିବର୍ଷ ଖରାଦିନେ ବିଭିନ୍ନ ଜାଗାରେ ଅପେରା ପଡେ।ଦୁହେଁ ଗୋଟିଏ ସାଇକେଲରେ ଲଦା ଲଦି ହେଇ ଯାତ୍ରା ଦେଖିବାକୁ ଯାଆନ୍ତି।ସାଙ୍ଗରେ 

ଗୋଟିଏ ଗୋଟିଏ କଡା ଗୁଣ୍ଡି ପୁଟୁଳା।ଗୁଣ୍ଡି ଜାକି ଜାକି ଟିକେ ଟିକେ ଛେପ ଢ଼ୋକି ଢ଼ୋକି ଯାତ୍ରାର ମଜା ନିଅନ୍ତି।ମାଳେଇ ପାଟି ପଡିଲେ ପେଣ୍ଡାଲ ଆଗରେ ଦୁଇ ଦିନ ଆଗରୁ ଅଖା ପକେଇ ଦିଅନ୍ତି।ଟିକଟ ସେଲ ଯାତ୍ରା ହେଲେ କୁମ୍ପା ଭାଙ୍ଗି ଟିକଟ କରନ୍ତି।ଜଣକ ପାଖରେ ପଇସା ନଥିଲେ ଆଉ ଜଣେ ମେକ ଅପ୍ କରେ।ଦୁହିଁଙ୍କର ଏ ଯାତ୍ରା ପ୍ରେମ ସତରେ ନିଆରା।ଦୁହେଁ ଏକା ନିଶ୍ୱାସରେ ଶହେଟା ଯାତ୍ରା ନାଁ କହି ଦିଅନ୍ତି।ଦୁହେଁ ଯେମିତି ଯାତ୍ରା ପାଇଁ ବଞ୍ଚିଥିଲେ।ଚଇତା ତାର ଚତୁର୍ଥୀ ରାତିରେ ମଧ୍ୟ କଇଥା ସାଙ୍ଗରେ ଯାତ୍ରା ଦେଖିବାକୁ ପଳେଇ ଥିଲା।ଚମ୍ପି କୁ ଦୁଇ ଯାଉଛି କହି ଫେରାର !!! 

    ବର୍ଷେ ହେଲା ଚଇତା ଓ କଇଥା ଯେମିତି ଗଭୀର ଦୁଃଖରେ ମ୍ରିୟମାଣ। ଭାଙ୍ଗି ପଡ଼ିଛନ୍ତି।ଆଖିକୁ ନିଦ ନାହିଁ।ଭୋକ ଶୋଷ ଭୁଲି ଗଲେଣି।କେବେ ସରକାର ଯାତ୍ରା ପାଇଁ ଅନୁମତି ଦେବେ ଓ ସେ ଦୁହେଁ ଯାତ୍ରା ଦେଖିବେ ସେହି ଅପେକ୍ଷାରେ ଆଖିରୁ ଲୁଣିଆ ଲୁହ ଗୁଡା ବସି ଗଡାଉ ଥାନ୍ତି।ଏ କରୋନା ମହାମାରୀ ସତେ ତାଙ୍କ ଅପୂର୍ବ ସଉକକୁ ତାଙ୍କଠୁ ଛଡେଇ ନେଇଛି। କଇଥା ଚଇତା ଘରକୁ ଆସେ।ଟିଭିରେ ଦୁହେଁ ଯାତ୍ରା ଦେଖନ୍ତି।ହେଲେ ସେ ମଜା ମିଳେନି।ସାମ୍ନା ସାମ୍ନି ଦେଖିବା ଓ ଚରିତ୍ର ମଧ୍ୟରେ ପସିଯିବା ସେ ଟିଭିରୁ ଅବା କାହିଁ ମିଳିବ! ହଜାର ଥର ବିଜ୍ଞାପନ।ଧର୍ଯ୍ୟ ହରା ହେଇଯାଆନ୍ତି ଦିହେଁ।

   ସେଦିନ ଦୁହେଁ କୁରୁଳି ଉଠିଲେ ଯେବେ ଶୁଣିଲେ ,ସରକାର ପୁଣି ଯାତ୍ରାକୁ ଅନୁମତି ଦେଇଛନ୍ତି।ହଜାର ଜଣ ଦର୍ଶକରେ ଯାତ୍ରା ହେଇ ପାରିବ । ପାଖ ଗାଁ ହିଙ୍ଗୁଳା ପଡିଆରେ ରଙ୍ଗ ମହଲ ପଡିଛି।୫ ରାତି ଯାତ୍ରା ହେବ।ନାଇଁ ନଥିବା ଖୁସି।ଦୁହେଁ ମାସ୍କ ପିନ୍ଧିଲେ।ହାତରେ ସାନିଟାଇଜର ବୋତଲ ଧରିଲେ।ବାହାରିଲେ ଯାତ୍ରା ଦେଖିବାକୁ।

ସାଇକେଲ କେଁ କାଁ କରି ମାଡି ଚାଲିଛନ୍ତି।ରବିବାର ରାତି।ସୁନୁ ସାନ ସବୁ ରାସ୍ତାଘାଟ।ପାଞ୍ଚ କିଲୋମିଟର ରାସ୍ତା ତ କଥା ବାର୍ତ୍ତା ଓ ହସ ଖୁସି ହେଇ ମାଡି ଚାଲିଛନ୍ତି।

ପଛରୁ କିଏ ଦୁଇ ଜଣ ଡାକ ଛାଡିଲେ....

ଆରେ ...

ଏ ଏ ଏ ...

କୁଆଡେ ମାଡି ଯାଉଛ ଦୁହେଁ।

କୁଆଡେ କୁଆଡେ ....

ଦିହେଁ ଏକା ସ୍ୱରରେ କହିଲେ :----ଜାତରା ଦେଖିବାକୁ।


-----ବୁଲି ଚାହିଁଲା ବେଳକୁ ପୁଲିସ।-------


ପୁଲିସ(ରାଗି ଯାଇ):-ଆରେ ଏ ! ତୁମେ ଦୁଇଜଣ ଯାକ କଣ ପାଗଳ ହେଇ ଯାଇଛ।ତୁମକୁ କଣ ଜଣା ନାହିଁ ଉଇକ୍ଲି ସର୍ଟ ଡାଉନ ଓ ନାଇଟ କର୍ଫ୍ୟୁ ଲାଗିଛି ବୋଲି।ସେକି ଦେଇଯିବୁ ଅନେଇଲ।କୋଭିଡ ନିୟମ ଭାଙ୍ଗୁଛ।ତୁମ ଦୁଇ ଜଣଙ୍କୁ କଣ ଜଣାନାହିଁ କରୋନାର ଦ୍ଵିତୀୟ ଲହର କେମିତି ବ୍ୟାପୁଛି।


ଦୁହେଁ ଏକା ସ୍ୱରରେ 


-ଜାଣିଛୁ।ଆମେ ପରା ନିୟୁଜ ଦେଖିଛୁ।ଆପଣ ମାନେ କଣ ଦେଖି ନାହାଁନ୍ତି।ନିୟୁଜରେ ପରା ବଡ଼ ବଡ଼ ଅକ୍ଷରରେ ଖବର ଦେଖାଉଥିଲା ହଜାର ଜଣ ଦର୍ଶକରେ ଯାତ୍ରା ହେବ।

-ଆମ ଟିକିଟ ନମ୍ବର ଏକ ଶହ ଦୁଇ ଓ ତିନି।ଆମେ ଆଗରୁ ଟିକଟ କରିଦେଇଛୁ।

ପୋଲିସ ବାବୁ ଦୁହେଁ ମଧ୍ୟ ଅବାକ୍ (ପରଷ୍ପର ମୁହଁକୁ ଅନେଇ )

ଏଠି କି ଯାତ୍ରା ଚାଲିଛି ବେ ...

ସରକାର କଣ ଆମକୁ ଭକୁଆ ଭାବିଛି......!!!!

ଆରେ ଲକ୍ ଡାଉନ୍ ଚାଲିଛି ନା ଯାତ୍ରା ଚାଲିଛି ।କରୋନା କଣ ଯାତ୍ରା ଦେଖିବାକୁ ପସନ୍ଦ କରେନି ନା କଣ !!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy