ପିଠି
ପିଠି


ଆମ ଶରୀରର ବିଭିନ୍ନ ଭାଗ ଗୁଡିକ ମଧ୍ୟରୁ ପିଠି ,ଏ ଦୁନିଆରେ ନିଜର ସ୍ୱତନ୍ତ୍ର ଏକ ପରିଚୟ ସୃଷ୍ଟି କରିଛି।ଜୀବନ ଯେପରି ପିଠି ବିନା ଅସମ୍ଭବ।
ଯାହାର ପିଠି ଯେତେ ମଜବୁତ ସେ ସେତେ ସହିଲା ଵାଲା।
ପିଠି ସହନଶୀଳତାର ଏକ ନଗ୍ନ ପ୍ରତୀକ।ଗୁରୁ ହୁଅନ୍ତୁ କି ଶତ୍ରୁ ଅବା ପୋଲିସ ...ମାଡଟା ପିଠିରେ ହିଁ ଦିଅନ୍ତି।ପିଠିରେ ମାଡ଼ ଦେବାକୁ ଆମେ ଭୋଗ ଦେବା ମଧ୍ୟ କହିଥାଉ।
ବର୍ଷାଦିନେ, ଆମେ ପିଲାବେଳେ ସ୍କୁଲ ସାରି ବହି ବସ୍ତାନୀ ଘରେ ଫିଙ୍ଗି ଦେଇ କାଦୁଅରେ ଖେଳିବାକୁ ଦାଣ୍ଡକୁ ଧାଇଁଯାଉ।ମନ ଇଚ୍ଛା ଡେଇଁ ଡେଇଁ ଖେଳୁ।
ଘରକୁ ଫେରିବା ବେଳେ ଲୁଚି ଲୁଚି ପାଦ ଚାପି ଚାପି ଯିବାକୁ ପଡ଼ିଥାଏ,ନହେଲେ ବୋଉ ପିଠିରେ ପୋଖରୀ ଖୋଳିଦିଏ।ପିଠି ପୁରା କୋରି ହେଇଯାଏ। ମାଡ଼ ଖାଇ ଖାଇ ମାଡୁଆ ହେଇଗଲେ ..ପିଠିକୁ ଆଉ କାଟେ ନାହିଁ।
ସାରଙ୍କ ଅମରି ଛାଟ ଗଣ୍ଡା ଗଣ୍ଡା ଏ ପିଠିରେ ଭାଙ୍ଗିଯାଏ।ସାର୍ କହନ୍ତି ତୁମେ ସବୁ ପିଠିଆ ବଳଦ ହେଇଗଲଣିରେ।
ପିଠି କେଵଳ ଦଣ୍ଡର ପାତ୍ର ନଥିଲା।ସେ ପୁରସ୍କାର ବିଜେତାଙ୍କ ଶୋଭା ବର୍ଦ୍ଧନର ପରିଚାୟକ ମଧ୍ୟ ଥିଲା।କେହି ପ୍ରଶଂସିତ ହେଲେ ତା ପିଠିକୁ ଥାପୁଡାଇ ତାର ସୁଗୁଣକୁ ବଖଣା ଯାଏ।ଜେଜେ ଓ ଅଜା ଗୋଷ୍ଠୀର ବ୍ୟକ୍ତି ତାଙ୍କ ପିଠିରେ ନାତି ନାତୁଣୀଙ୍କୁ ବସାଇ ,ନିଜେ ଯବାନ ଘୋଡା ଅନେକ ଥର ସାଜିଛନ୍ତି।ସେଠି ପିଠି ସ୍ନେହ ଓ ସୋହାର୍ଧ୍ୟର ବାତାବରଣ ସୃଷ୍ଟି କରେ।ସେ ମେରୁଦଣ୍ଡକୁ ସମ୍ଭାଳି ରଖିଥିବା ଖୋଳପାଟିଏ ପରା।
କେତେବେଳେ ବେଡି ମାଡ଼ ଖାଏ ତ କେତେବେଳେ କୋରଡା ମାଡ଼ ଖାଏ।ତା ଭାଇ ପେଟ,ଭୋକିଲା ଥିଲା ବେଳେ ତା ଖବର ତା ପାଖରେ ପହଞ୍ଚିଯାଏ। ସେଥିପାଇଁ କୁହାଯାଏ ପେଟର ଭୋକ ପିଠିକୁ ଜଣା।ପେଟ ଭୋକିଲା ଥିଲେ ପିଠି ନଇଁଯାଏ।
ଆଗ କାଳରେ ଗ୍ରାମୀଣ ଲଳନାଟିଏ କେବଳ ଶାଢ଼ୀକୁ ସମ୍ପୂର୍ଣ୍ଣ ବସ୍ତ୍ର ରୂପେ ବ୍ୟବହାର କରୁଥିଲା।ସେତେବେଳେ ବୋଧହୁଏ ବ୍ଲାଉଜ ନାମକ ବସ୍ତ୍ରଟି ଉଦ୍ଭାବନ ହେଇ ନଥିଲା।କହିବା ବାହୁଲ୍ୟ ସେ ସମୟରେ ଲଳନାଙ୍କ ପିଠି ପୁରୁଷଙ୍କ ଆକର୍ଷଣର କେନ୍ଦ୍ରବିନ
୍ଦୁ ଥିଲା।ଅଳ୍ପ ଲାଜେଇ ,ମୁରୁକି ହସ ଦେଇ ସେ ବର୍ଷା ବିଧୌତା କିଶୋରୀ ଯେତେବେଳେ ଗାଁ ଦାଣ୍ଡରେ ଚାଲି ଯାଉଥିଲା।ଡାହୁକ ଆଖି ସେଇଠି ଚୀର ବନ୍ଦୀ ହେଇ ଯାଉଥିଲା।ଏବେ ମଧ୍ୟ ଗ୍ରାମୀଣ ବୃଦ୍ଧା ମହିଳା ମାନେ କେଵଳ ଶାଢ଼ୀ ହିଁ ପିନ୍ଧନ୍ତି।
ଖାଇବା ଛୁଟି ହେଇଗଲେ ଏକ ନିଶ୍ୱାସରେ ସ୍କୁଲରୁ ସାଙ୍ଗ ହେଇ ଧାଉଁଥିଲୁ।ପ୍ରତିଯୋଗିତା ଆମ ମଧ୍ୟରେ ଲାଗୁଥିଲା ,କିଏ ଆଗେ ଘରେ ପହଞ୍ଚିବ।
ସେଦିନ ବୁଧୁବାର ଥିଲା ମଟନ୍ ଝୋଳ ହେଇଥିଲା।ଗତି ଆହୁରି ତୀବ୍ରତର ହେଉଥିଲା।ମାତ୍ର....!!!! ମୋର ବ୍ରେକ୍ ଲାଗିଗଲା ତରାଟ ଗଛ ମୂଳେ ।
ଚାହିଁଲା ବେଳକୁ ଗୋରୀ ମା ବସି ବାହୁନି ବାହୁନି କାନ୍ଦୁଛି।ଭାଗ୍ୟକୁ ନିନ୍ଦୁଛି।କହୁଥିଲା ଗୋଟିଏ ବୋଲି ପୁଅ ସ୍ନେହ ଆଦର ଦେଇ ବୋଲି ପାଳି ପୋଷି ବଡ଼ କଲି।ହେଲେ ମୋତେ ତା ମାଇପ ଖାଇବାକୁ ଗଣ୍ଡେ ଭଲ ସେ ଦେଉନାହିଁ ।ବୁଢ଼ୀ ଆଖିରୁ ଲୁହ ଓ ଲେଞ୍ଜେରା ଏକା ଥରକେ ବାହାରି ପଡୁଛି।
ମୁଳିଆ ଦାଦା ବୁଢ଼ୀକୁ ଡାକୁଛି ...ଆଲୋ ମା ... ଆସୁନୁ କାହିଁକି ଦାଣ୍ଡଟାରେ ବସି ଗର ଗର ହେଉଛୁ।
ବୁଢ଼ୀ ସିଧା ମନା କରୁଛି ,କାନ୍ଦୁଣୁ ମାନ୍ଦୁଣୁ ହେଇ ମୁଳିଆ ଦାଦାକୁ କହୁଛି ,ଦେଖ ତୋ ମାଇପ କେମିତି ମୋ ପିଠିରୁ ଛାଲ ଉତ୍ତାରି ଦେଇଛି... ଯେଉଁ ପିଠିରେ ନାଉ କରି ମୁଁ ତତେ ଜହ୍ନ ତାରା ଦେଖାଉ ଥିଲି।.. ମନେ ପଡୁଛିଟି ,ମାଇପ ବୁଦ୍ଧିଆ ??
କଇଁ କଇଁ ହେଇ କାନ୍ଦିବାକୁ ଲାଗିଲା...
ଆଜି "ବୁଢ଼ା" ଥିଲେ ମୁଁ ଏମିତି ହଟ ହଟା ହେଇ ନଥାନ୍ତି।
ମୁଁ ଆଉ ତୋ ଘରକୁ ଯିବି ନାହିଁ।ମୁଁ ଯାଉଛି ମୋ ଗୋରୀ ଘରକୁ ପଳାଇ ଯିବି।....
ମଝିରେ ମଝିରେ ଏମିତି ବୁଢ଼ୀ ଉପରେ ତା ଏକ ମାତ୍ର ବୋହୁ ଅତ୍ୟାଚାର କରେ।
ପିଲା ବେଳେ ଆମେ କଣ ବା ଏ କଳି ଝଗଡାରୁ ବୁଝିବୁ।
ବୋଉ ପାଟି କରେ,କହେ କାହା ଘର କଳି ଝଗଡାରେ ମୁଣ୍ଡ ପୁରେଇବା ଠିକ ନୁହେଁ।କୌତୁହଳ ଜାଗ୍ରତ ହେବାରୁ ..ବୁଢ଼ୀ ପାଖକୁ ଯାଇ ଦେଖିଲି।
ସତେ ତ... ବାଉଁଶ ଫାଳିଆର ସଦ୍ୟ ନୋଳା ବୁଢ଼ୀ ପିଠିରେ ବସିଛି।।...
ବୁଢ଼ୀ ଧକେଇ ହେଉଥାଏ.....
ମୁଁ ବୁଢୀର ପିଠିରେ ପଡିଥିବା ସେ ଦାଗକୁ ଭୁଲିବାକୁ ଚେଷ୍ଟା କରୁଥାଏ....