Balaram Barik

Others

4.0  

Balaram Barik

Others

ସେଇ ନାଲି ରଙ୍ଗର ବ୍ଲାଉଜ

ସେଇ ନାଲି ରଙ୍ଗର ବ୍ଲାଉଜ

4 mins
280



ଆମ ଗାଆଁ ଏତେ ଗାଆଁ ଗାଆଁ ଲାଗେ ନାହିଁ ମ, ଆଧୁନିକତା ଏଠି ବହୁତ ଆଗରୁ ଧସେଇ ପଶି ସାରିଛି। ଶୁଣା କଥା ଅଛି, କିଛି ମୋଗଲ ଶାସକ ଓ ତାଙ୍କ ଦରବାରୀ ମଧ୍ୟ ଆମ ଗାଆଁକୁ ନିୟମିତ ଆସୁଥିଲେ, ଆକର୍ଷଣ ଥିଲା ସୁନ୍ଦର ବସ୍ତ୍ର ସିଲାଇ କରୁଥିବା ଦରଜି ଦୋକାନ।ବର୍ତ୍ତମାନ ପରିପ୍ରେକ୍ଷୀରେ ମଧ୍ୟ ଆମ ଗାଆଁର ସେହି ଦରଜିମାନଙ୍କ ଚାହିଦା କମି ନାହିଁ। ମୁଖ୍ୟ ଛକଠାରେ କାହିଁ କେତେ ପୁରୁଷରୁ ରେହେମାନ ଚାଚାର କପଡା ସିଲାଇ ଦୋକାନ ଅଣ୍ଟା ସଳଖ କରି ଛିଡା ହୋଇଛି। ରେହେମାନ ଚାଚାର ବାପା ହବିବ୍ ମିଆଁ, ତାଙ୍କ ବାପା ଆଲାରଖା ଖାଁ ଏମିତି ଆଉ ଦୁଇ ଚାରି ପୁରୁଷଙ୍କ କାହାଣୀ କହେ । ରେହେମାନ ଚାଚା ଯେତେବେଳେ କୌଣସି ଗରାଖ ଆସନ୍ତି ତାଙ୍କ ଦୋକାନକୁ ସିଲାଇ କରାଇବାକୁ, ନିଜ ଗରାଖକୁ ଆକୃଷ୍ଟ କରିବାକୁ ଚାଚା ନିଜ ଚଉଦ ପୁରୁଷଙ୍କ ଗୁଣ ବଖାଣେ।

ସେତେବେଳେ ଚାଚାର ଖାନଦାନ୍ ବେଶୀ ରାଜଦରବାରରେ ବ୍ୟବହାର ହେଉଥିବା ପୋଷାକ ବନାଉଥିଲା । ଏବେ କିନ୍ତୁ ଚାଚା ବ୍ଲାଉଜ ଭିତରେ ସୀମିତ ହୋଇଯାଇଛି।

ସେହି ସୀମିତତା ତାଙ୍କୁ ପ୍ରସିଦ୍ଧି ଆଣି ଦେଇଛି ମଧ୍ୟ।ବ୍ଲାଉଜର ସେ ହେଉଛି ଉତ୍କୃଷ୍ଟ କାରୀଗର।ଆଖପାଖ ପଚାଶ ଖଣ୍ଡ ଗାଆଁରୁ ଝିଅ, ବହୁ,ବୟସ୍କ ମହିଳା ଆସନ୍ତି ଚାଚା ପାଖକୁ ବ୍ଲାଉଜ ସିଲାଇ କରିବାକୁ। ଶାଢ଼ୀ ସାଙ୍ଗରେ ବ୍ଲାଉଜ ପିସ୍ ମାଗଣା ମିଳିବା ପରଠାରୁ ଚାଚାର ବେପାର ଟିକେ ଘାଟା ହେଇଛି।ନହେଲା ସେ ରଙ୍ଗ ବେରଙ୍ଗୀ ବ୍ଲାଉଜ କପଡା ଟାଙ୍ଗିଥାଏ ସରୁ ବାଉଁଶ ବାଡ଼ିରେ ତିଆରି ଅଲୁଗୁଣିରେ।ତିଆରି ହୋଇସାରିଥିବା ସେହି ବ୍ଲାଉଜଗୁଡିକ ଅଲଗୁଣିରେ ଚାଚା ଏମିତି ଟାଙ୍ଗିଥାଏ କେହି ବି ଦେଖିଲେ ଚାଚାକୁ ମାଷ୍ଟର ଟେଲର ନକହି ରହିପାରିବନି।ସଫେଦ୍ ରଙ୍ଗର କୁର୍ତ୍ତା ପାଇଜାମା, ଆଖିରେ ଚଉଡା କାଚଥିବା ଚଷମା ପିନ୍ଧିଥାଏ ରେହମାନ ଚାଚା। ବେକରେ ମାପ ଫିତାଟି ଏମିତି ଫୁଲମାଳ ପରି ଝୁଲୁଥାଏ।କାନରେ ରଙ୍ଗୀନ ଖଡ଼ି, ପିରିକ କଣ୍ଟାରେ ମୋଟା ସୁତାରେ ବନ୍ଧାଯାଇଥିବା ଭଙ୍ଗା କଲମଟିକୁ ବାରମ୍ବାର ଟାଣିଆଣେ ରେହେମାନ ଚାଚା ମାପଗୁଡିକ ଲେଖିବା ପାଇଁ।ପ୍ରଥମେ ମାଟି ସିଲଟରେ ଖଡ଼ି ବ୍ୟବହାର କରି ମାପ ଗୁଡିକ ଲେଖୁଥିଲା ଚାଚା।ବାରମ୍ବାର ଲେଖି ଓ ଲିଭାଇ ଚାଚାର ହାତ ଅଧିକାଂଶ ସମୟ ଧଳା ଦିଶୁଥିଲା।ଏବେ କିନ୍ତୁ ଟିକେ ଶାନ୍ତି।ଭଲ ବ୍ୟବହାର ଓ ବୟସ୍କ ହେଇଥିବାରୁ ତାଙ୍କ ପାଖକୁ ଅଜସ୍ର କାମ ଆସେ।ଚାଚା ଝିଅ, ବୋହୁମାନଙ୍କ ଶରୀରର ଉପରେ ଫିତା ପକେଇ ବ୍ଲାଉଜର ମାପ ନେଲାବେଳେ କିଏ ବି ମୋଟରୁ ଅସୁବିଧା ଅନୁଭବ କରନ୍ତି ନାହିଁ।ଚାଚା ବିଭନ୍ନ ଡିଜାଇନର ବ୍ଲାଉଜ ତିଆରି କରେ।କାମରେ ଗୁଣବତ୍ତାର ଘୋର ଅନୁଭବ ଯୋଗୁଁ କାମର ସୁଅ ଛୁଟେ।

ତଳ ସାହି ବୁଲା କକାର ଅଲିଅଳି ଝିଅ ସଞ୍ଜୁର ବାହାଘର ଏଇ ପନ୍ଦରଦିନ ହେଲା ଠିକ ହେଇଛି।ସଞ୍ଜୁ, ଆସି ଚାଚା ପାଖରେ ବ୍ଲାଉଜ ମାପ ଦେଇଛି।ବ୍ରାଇଡାଲ୍ ନାଲି ଶାଢ଼ୀ ସାଙ୍ଗକୁ ସେଥିରେ ଥିବା ବ୍ଲାଉଜ ପିସଟା ମଧ୍ୟ ଆକର୍ଷଣୀୟ ଥିଲା। ଭାରୀ ଖୁସି ଥିଲା ସଞ୍ଜୁ। ଚାଚାକୁ କହିଥିଲା ପିଠି ପଟେ ଟିକେ କମ୍ କପଡା ଥିବା ବା ବ୍ୟାକଲେସ ବ୍ଲାଉଜ ବନେଇବାକୁ।ଚାଚା ତ କୁଶଳୀ କାରିଗର।ହସି ହସି କହିଲା ବେଟା ସଞ୍ଜୁ, ତୋ ବ୍ଲାଉଜ ବଢ଼ିଆକରି ବନେଇବି।ତୋ ସୋହର ଡିଜାଇନ୍ ଦେଖି ଖୁସି ହେଇଯିବ।

ସଞ୍ଜୁ ଟିକେ ଲାଜେଇ ହସିଦିଏ।

ଏଡଭାନ୍ସ ଦେଇ ଗଲାବେଳେ ସଞ୍ଜୁ କହିଯାଇଥିଲା ଚାଚା ମୁଁ ବାହାଘର ଦିନ ସକାଳୁ ହିଁ ଆସି ନେଇଯିବି।

ଚାଚା ମଧ୍ୟ ପ୍ରତିଶୃତି ଦେଇଥିଲା।

-ବେଟା,ତେରା କାମ ଜଲ୍ଦି ହେଇଯିବ।

ପୁରା ଟାଇଟ ଫିଟିଙ୍ଗ କରିବି ନା ହାଲ୍କା ଲୁଜ୍ ରହିବ ??

-ପୁରା ଟାଇଟ୍ ଚାଚା।ଦେଖି ପାରୁନ ମୁଁ କେତେ ପତଳୀ।

-ହା ହା ହା ...

-ଶାଦି କେ ବାଦ୍ ତୁ ମୋଟି ହେଇଯିବୁରେ ବିଟିଆ।

-ନାଇଁ ନାଇଁ, ମୁଁ ଏମିତି ଠିକ୍ ଅଛି ଚାଚା।

ସଞ୍ଜୁ ଜୀବନରେ ସେ ଶୁଭଦିନ ଆସି ପହଞ୍ଚିଗଲା।

ମାନେ ତାର ବାହାଘରଦିନ ।ମାଆ ଛେଉଣ୍ଡ ସଞ୍ଜୁ ।ବାପା କୋଳରେ ପିଲାଦିନରୁ ବଢିଛି ।ବୁଲା କକା ତାର ମାଆ ଓ ବାପା ଉଭୟ।ମାଆର ଅନୁପସ୍ଥିତିକୁ ସଞ୍ଜୁ କେବେ ବି ଅନୁଭବ କରିନି।

ସଞ୍ଜୁକୁ ତିନି ବର୍ଷ ବୟସ ହେଇଥିବା ବେଳେ ଶାନ୍ତି କାକି ସ୍ତନ କ୍ୟାନ୍ସର୍ ରୋଗରେ ପୀଡିତ ହୋଇ ଆରପାରିକୁ ଚାଲିଯାଇଥିଲା।ଶାନ୍ତି କାକି ମୋଟୁରୁ ବ୍ୟବହାର କରିନଥିବା ବ୍ଲାଉଜଗୁଡିକ ଏବେ ବି ଟ୍ରଙ୍କରେ ସେମିତି କର୍ପୂର ଦିଆ ଯାଇ ସାଇତି ରଖାଯାଇଛି।କଣ ପାଇଁ ଏହି ବ୍ଲାଉଜ ଗୁଡିକ ବୁଲା କକା ରଖିଛନ୍ତି, ସେ ନିଜେ ଜାଣିଥିବେ।ବୁଲା କକା ଅନେକ ସମୟରେ ସେହି ଟ୍ରଙ୍କକୁ ଖୋଲି ଶାନ୍ତି କାକିର ନାଲି ବ୍ଲାଉଜକୁ ଦେଖନ୍ତି ଓ ଭାବପ୍ରବଣ ହୋଇଉଠନ୍ତି ବ୍ଲାଉଜ ଗୁଡିକୁ ଛାତିରେ ଜାବୁଡିଧରି ଛୋଟ ପିଲା ପରି ସୁଉଁ ସୁଉଁ ହୁଅନ୍ତି।

ପଛରୁ କେହି ଡାକିଲେ ...ଜଲ୍ଦି ଜଲ୍ଦି ଟ୍ରଙ୍କରେ ବ୍ଲାଉଜ ଗୁଡିକୁ ଭରିଦେଇ ପ୍ରକୃତିସ୍ଥ ହୋଇଯାନ୍ତି।ସଞ୍ଜୁ ମଧ୍ୟ ବାପାଙ୍କୁ ଏମିତି ସକେଇ ହେବାର ଦେଖିଛି।

ସଞ୍ଜୁ ପଚାରେ,ବାପା କଣ ହେଲା ଏମିତି ଗମ୍ଭୀର କାହିଁକି?

କାକା କହନ୍ତି ନାଇଁ ସେ କିଛି ଏମିତି ଆଖିରେ ଗୋଟେ ଅଳନ୍ଧୁ ପଡିଗଲା।ତୁ ତ ଜମାରୁ ଆଉ ଘରର ଅଳନ୍ଧୁ ସଫା କରୁନାହୁଁ।

ତୋ ବାହାଘର ପାଖେଇ ଆସିଲାଣି ।କେତେ କୁଣିଆ ମୈତ୍ର ଆସିବେ।ସାଇ ଭାଇ ଆସିବେ।ଘରର ଅଳନ୍ଧୁ ଗୁଡିକ ସଫା କରିଦେରେ ମାଆ।

ସଞ୍ଜୁ ନଜାଣିଲା ପରି ଉତ୍ତର ଦିଏ ହଉ ବାପା ମୁଁ ସଫା କରିଦେବି।....

ସଞ୍ଜୁ ବାହାଘର ଦିନ, ବୁଲା କକା ଶାନ୍ତି କାକି କଥା ବହୁତ ମନେ ପକାଉଥିଲେ।ଏକା ଏକା ଅନୁଭବ ମଧ୍ୟ କରୁଥିଲେ।ତାଙ୍କ ବିନା ବଞ୍ଚି ଯାଇଥିଲେ ଅନେକ ବର୍ଷ, ତାଙ୍କର ସେ ନାଲି ରଙ୍ଗର ବ୍ଲାଉଜକୁ ଦେଖି ।ମାତ୍ର ଆଜି ସେ ଅଥୟ ହେଉଯାଉଛନ୍ତି କଣ ପାଇଁ କିଛି ବୁଝି ହେଉନାହିଁ।

ସଞ୍ଜୁ ସଜେଇ ହେଇ ବେଦି ଉପରକୁ ଆସିଲା।ବୁଲା କକା ଖୁସି କାହିଁରେ କଣ।ସଞ୍ଜୁ ଅବିକଳ ନକଲ ଶାନ୍ତି କାକି ପରି ଦିଶୁଛି।ସଞ୍ଜୁ ବାପାଙ୍କ ମୁହଁରେ ଏତେ ଖୁସି କେବେ ଦେଖି ନଥିଲା।ବୁଲା କକା ଦଉଡ଼ି ଆସି ସମ୍ବୋଧନ କରିବାକୁ ଲାଗିଲେ ...

ଶାନ୍ତି ...ଶାନ୍ତି !!!

ତୁମେ କଣ ସତରେ ଫେରି ଆସିଛ ଶାନ୍ତି।ସତରେ ତୁମେ ଆସି ଯାଇଛ ଶାନ୍ତି !!!!

ବାପା ମୁଁ ସଞ୍ଜୁ...

ସଞ୍ଜୁ.... ଓଃ !! 

ସଞ୍ଜୁ ବାପାଙ୍କ ଆଖିରେ ନିଜ ମଲା ମାଆ ପ୍ରତି ଭଲ ପାଇବା ଦେଖି ଧାର ଧାର ଲୁହ ଗଡେଇ ଚାଲିଲା...

ସେ ବି ଆଜି ପର୍ଯ୍ୟନ୍ତ ଶାନ୍ତି କାକିକୁ ଏତେ ମନେ ପକେଇ ନଥିଲା।କାରଣ ବାପା ତା ପାଇଁ, ବାପା ଓ ମାଆ ଉଭୟ ଥିଲେ।

ତିନି ବର୍ଷର କୁନି ଝିଅଟିଏ ହେଇଥିଲା ଶାନ୍ତି ...ମା'ର ସ୍ନେହ ବୋଳା ହାତକୁ ସେ ଭଲ ସେ ଅନୁଭବ କରି ନାହିଁ।

ସେ ନିଜ ବାପାଙ୍କ ଏକଲା ପଣକୁ ବୁଝି ପାରିଲା....ବାହୁନି ବାହୁନି କାନ୍ଦିଲା ...

-ବାପା ମୁଁ ବାହା ହେବି ନାହିଁ!!! 

ମୁଁ ତୁମ ପାଖରେ ରହିବି ....ତୁମେ ଏକଲା ହେଇଯିବ ବାପା !!

ବୁଲା କକା ସଞ୍ଜୁକୁ ବୁଝାଇଲେ ...ନାଇଁରେ ମା ଝିଅ ଜନମ ପରା ପର ଘରକୁ।

ତୁ ମୋ କଥା ଚିନ୍ତା କରନା ମାଆ...

ତୋ ମାଆର ସନ୍ତକ ସେହି ନାଲି ବ୍ଲାଉଜ ସବୁ ମୋ ପାଖରେ ଅଛି ଟ୍ରଙ୍କ ଭିତରେ ....



Rate this content
Log in