କ୍ୟାମ୍ପ୍
କ୍ୟାମ୍ପ୍
ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ ଉତ୍ତମ ନାଗରିକ ହେବାପାଇଁ ପ୍ରେରଣା ଦେଇଥିଲା ସେ କ୍ୟାମ୍ପ୍ ।+୨ ଓ +୩ ମିଶେଇ ପାଞ୍ଚ ବର୍ଷରେ ଅଧିକାଂଶ ବର୍ଷା, ବୈଶାଖ ଓ ହାଡ଼ ଭଙ୍ଗା ଶୀତ କଟିଛି ଏ କ୍ୟାମ୍ପରେ।ଅତି ଆପଣାର ଥିଲା ତାର କାନ୍ଥ ବିହୀନ ବାସଗୃହ ଅବୟବ।ଭାଇଚାରାର ପ୍ରାଚୀର ଘେରି ରହିଥିଲା କାନ୍ଧକୁ କାନ୍ଧ ଲାଗି।
[ଆମେରେ ଗାନ୍ଧୀ ନେହୁରୁ ...
ଆମେରେ ଗୋପବନ୍ଧୁ ...
ଗଢିବୁ ନୂଆ ଭାରତ .....
ଦେଇ ଆମ ରକ୍ତ ବିନ୍ଦୁ..]
[ମନସା ସତତମ୍ ସ୍ମରଣୀୟମ୍
ବଚସା ସତତମ୍ ବଦନିୟମ୍
ଲୋକ ହିତମ୍ ମମ କରଣୀୟମ୍
ନଭୋଗ ଭବନେ ରମଣୀୟମ୍
ନ ଚ ସୁଖ ଶୟନେ ଶୟନିୟମ୍
ଅହର୍ଣ୍ଣିଶ ଜାଗରଣୀୟମ୍
ଲୋକ ହିତମ୍ ମମ କରଣୀୟମ୍....]
[କୃଷ୍ଣ ଗୋବିନ୍ଦ ଗୋପଲ୍ ଗାତେ ରହୋ...
ନାମ୍ ଜପତେ ରହୋ କାମ୍ କରତେ ରହୋ...]
[ ହିନ୍ଦ ଦେଶ କେ ନିବାସୀ ସଭି ଜନ୍ ଏକ୍ ହୈ
ରଙ୍ଗ ରୂପ୍ ବେସ୍ ଭାଷା ଚାହେ ଅନେକ୍ ହୈ ]
ଏହି ସବୁ ଗୀତକୁ ଶୁଣି ଶୁଣାଇ କ୍ୟାମ୍ପରେ ସମୟ ବିତିଛି।
+ ୨ ରେ ଦୁଇଟି କ୍ୟାମ୍ପରେ ଯୋଗ ଦାନ କରିଥିଲି।ମାତ୍ର + ୩ ରେ ଅସଲ ମଜା ଆସିଲା।ଗୋଟିଏ ନୁହେଁ ଦୁଇଟି ନୁହେଁ ୩ ବର୍ଷରେ ୨୦ ରୁ ଉର୍ଦ୍ଧ କ୍ୟାମ୍ପରେ କଟିଛି ଦିବସ ଓ ରଜନୀ।
ଇଣ୍ଟର କଲେଜ୍ ,ଇନଟ୍ରା କଲେଜ୍ ,ଇଉନିଭରସିଟି କ୍ୟାମ୍ପ୍ ,ଏନ୍:ଆଇ :ସି କ୍ୟାମ୍ପ, ସ୍ପେସିଆଲ୍ କ୍ୟାମ୍ପ୍ ,ଫ୍ଲଡ୍ କ୍ୟାମ୍ପର ସେ ହାଡ଼ ଭଙ୍ଗା ପରିଶ୍ରମ ଓ କଠୋର ଅନୁଶାସନ ଆଜି ମଧ୍ୟ ଜୀବନକୁ ଚରିତାର୍ଥ କରୁଛି।ସେତେବେଳେ ନା ଥିଲା ଫେସବୁକ ନା, ଇନ୍ସଟାଗ୍ରାମ ଅବା ହ୍ଵାଟ୍ସଆପ୍ ।ଆମ ସେବା କେଇଟି ଗାଁ, କେଇଟି ଅଞ୍ଚଳରେ ସୀମିତ ହେଇ ଯାଉଥିଲା ମାତ୍ର ସେ କାମରୁ ମିଳୁଥିବା ଆନନ୍ଦ ରକ୍ତର ପ୍ରତିଟି କଣିକାରେ ବ୍ୟାପି ଯାଉଥିଲା।
କ୍ୟାମ୍ପରେ ମିଳିଥିବା କିଛି ବଡ଼ ଭାଇ ଓ ଭଉଣୀ ଆମକୁ ସେବାର ପ୍ରଶିକ୍ଷଣ ଦେଇଥିଲେ ଆମର ପଦାର୍ପଣ ବର୍ଷରେ।ସମାଜସେବୀ ହେବାର "ଅ ଆ ଇ "ତାଙ୍କଠୁ ଶିଖିଛି।ସମସ୍ତଙ୍କ ନାମ ଏଠାରେ ନେବି ନା ନେବି ନାହିଁ ଭାବୁଛି...
ହଉ ନେଇ ଯାଉଛି।
ମାୟାଧର ଭାଇ,ଗୋରେଖ ଭାଇ,ରତି ଭାଇ,ଅସିତ ଭାଇ ରାନୁ ଅପା, ,ଝିଲି ଅପା ,ଜ୍ୟୋତି ଅପା ଓ ବୈକୁଣ୍ଠ ଭାଇ ଆଦି ପ୍ରମୁଖ।
ଏମାନେ ବୋଧହୁଏ ଆମ ଭଳି କିଛି ଉତ୍ତର ଦାୟାଦ କଲେଜର ସେବା ବିଭାଗକୁ ଦେବାକୁ ଚାହୁଁଥିଲେ।ବାସ୍ ଆମକୁ ଖୋଜି ପାଇଲେ।
ସେମାନଙ୍କ ଶେଷ ବର୍ଷ ବେଳକୁ ଆମେ ସେବାରେ ନେତା ହେଇ ଯାଇଥିଲୁ।
ସର୍ବାଗ୍ରେ ଯେଉଁ ମହାନ ଗୁରୁ ଆମକୁ ମାଡ଼ ଗାଳି ଓ ସ୍ନେହ ଦେଇ ଏକ ପରିପୂର୍ଣ୍ଣ ଯୋଦ୍ଧା କରିଥିଲେ ସେ ଆଉ କେହି ନୁହନ୍ତି ..ସମସ୍ତଙ୍କ ଅତିପ୍ରିୟ "ସୁରେନ୍ଦ୍ରନାଥ ପଣ୍ଡା ସାର୍ "। ତାଙ୍କଠୁ ଯେତିକି ସେବା ଓ କ୍ୟାମ୍ପ୍ ମ୍ୟାନେଜମେଣ୍ଟ ଶିଖିଛୁ ତାହା କୋଉ ବ୍ରାଣ୍ଡଡେ ଏମ୍ :ବି :ଏ କଲେଜର ସ୍ମାର୍ଟ ଫାକଲ୍ଟି ଶିଖେଇବେ ନାହିଁ। ରିପୋର୍ଟ ରାଇଟିଙ୍ଗ, କ୍ୟାମ୍ପ ସମରି ରାଇଟିଙ୍ଗ।କ୍ଲୋଜିଙ୍ଗ ସେରେମୋନିର ଟେନ୍ସନ ।କୌଣସି ବଡ଼ ଇଂଭେଣ୍ଟ ମ୍ୟାନେଜମେଣ୍ଟ କ୍ୟାମ୍ପସ୍ ଶିକ୍ଷାଠାରୁ କମ୍ ଶିକ୍ଷା ମିଳୁନଥିଲା ସାରଙ୍କ ଠାରୁ।
ଆମ ସମାଜ ସେବା ପଥକୁ ଅଧିକ ତାତ୍ପର୍ଯ୍ୟପୂର୍ଣ କରୁଥିଲା ସଫିକ୍ ଭାଇଙ୍କର ଏନ୍:ଜି:ଓ ଲୋକ ବିକାଶ।ସେଠି ପ୍ରଫେସନାଲ୍ ସୋସିଆଲ ୱାର୍କର ହେବାର ସମସ୍ତ କଳା କୌଶଳ ଶିଖୁଥିଲୁ।ସୀମା ଅପା ,ଦୀପକ ଭାଇ ଆଦି ଅନେକ ପ୍ରଶିକ୍ଷଣ ଦେଇଛନ୍ତି ଆମକୁ।
ତାଙ୍କ ନେତୃତ୍ୱରେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଛୁ।ରାତା ରାତି ପୋଷ୍ଟର ବ୍ୟାନର ପ୍ଲାକାର୍ଡ ବନାଇ ରାଲି ଓ ସଚେତନତା କାର୍ଯ୍ୟକ୍ରମ କରିଛୁ।ସେ ନଟ ମି ବଟ୍ ୱିୟ କ୍ୟାମ୍ପେନ ହେଉ ଅବା ଉଇ କ୍ୟାନ୍ କ୍ୟାମ୍ପେନ ହେଉ ଆମକୁ ଅନେକ ଶିକ୍ଷା ଦେଇଛନ୍ତି।
ଆମ ପ୍ରୟୋଗଶାଳା ଥିଲା ରାଣୀବନ୍ଦୀ ଓ ଖଣ୍ଡିଆବନ୍ଦୀ ଗ୍ରାମ।ସେଠି ବର୍ଷସାରା ଯାବତୀୟ ଜନହିତକର କାର୍ଯ୍ୟ କରାଯାଉଥିଲା।ଯେତେବେଳେ ସ୍ୱୟଂ ସହାୟକ ଗୋଷ୍ଠୀର ଅବଧାରଣା ଦେଶରେ ପ୍ରଥମ ଥର ହୋଉଥିଲା ସେହି କ୍ଷଣ ଗୁଡିକରେ ଆମେ ପ୍ରତ୍ୟକ୍ଷ ଗ୍ରାମର ମହିଳା ମାନଙ୍କୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗଢିବାର ପ୍ରେରଣା ଓ ତାର ଉପକାରିତା ବୁଝାଇଛୁ।ହଁ ...ଏହି ଦୁଇଟି ଗ୍ରାମ ବାବା ଭୈରବା ନନ୍ଦ ମହାବିଦ୍ୟାଳୟର ଏନ୍:ଏସ୍ :ଏସ୍ ଇଉନିଟିର ପୋଷ୍ୟଗ୍ରାମ ଥିଲା।ନୀତି ସନ୍ଧ୍ୟାରେ ସେହି ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ହଷ୍ଟେଲରୁ ପାଳି କରି ଯାଇ ଗ୍ରାମର ଶିଶୁ ଓ ପ୍ରୋଢ଼ଙ୍କୁ ସ୍ୱାକ୍ଷର କରିବା ପାଇଁ ଅଣ୍ଟା ଭିଡୁଥିଲୁ ପଣ୍ଡା ସାରଙ୍କ ପ୍ରେରଣାରେ।
ଚଣ୍ଡିଖୋଲ ଆଖ ପାଖ ଗାଁ ଗୁଡିକିର ଅନେକ ଆବର୍ଜନା ପୋଖରୀ ସଫା କରିଛୁ।ମେଡିକାଲ୍ ପରିସର ସଫେଇ ତଥା ବୃକ୍ଷ ରୋପଣ କରିଛୁ ସେ କଥା ଭାବିଲେ ମନ ଖୁସିରେ କୁରୁଳି ଉଠେ।
ଗାଁ ଗାଁ ,ଛକ ବଜାର ବୁଲି ବୁଲି ପଥପ୍ରାନ୍ତ ନାଟକ ମାଧ୍ୟମରେ ସେ ସମୟରେ ଉଗ୍ର ରୂପ ଧରିଥିବା ଏଡ୍ସ୍ ,ମେଲେରିଆ ଆଦି ରୋଗର ଲକ୍ଷଣ ଓ ରୋଗ ଉପରେ ସଚେତନ କରିଛୁ।ବୃକ୍ଷ ରୋପଣର ସଚେତନତା କାର୍ଯ୍ୟକ୍ରମ କରିଛୁ।
ରୋଡ଼ ସେଫ୍ଟି ଉଇକ୍ ହେଉ ଅବା ରକ୍ତଦାନ ଶିବିର ସବୁଠି ଏନ୍ :ଏସ୍ :ଏସ୍ ଭଲ୍ୟୁଣ୍ଟର ଠିଆ।ବଢି ମରୁଡି ଅବା ମହାବିନାୟକ ମନ୍ଦିରର ଜାଗର ଯାତ୍ରା ସେବା ପାଇଁ ସର୍ବାଗ୍ରେ ବାବା ଭୈରବାନନ୍ଦ ମହାବିଦ୍ୟାଳୟର ଏନ୍:ଏସ୍ :ଏସ୍ ଭଲ୍ୟୁଣ୍ଟିଅର ଦଣ୍ଡାୟମାନ।
କ୍ୟାମ୍ପରେ ସକାଳ ଓ ସନ୍ଧ୍ୟା ଅତ୍ୟନ୍ତ ଜ୍ଞାନ ବର୍ଧକ ଥିଲା।କେଉଁ ଗୁରୁକୂଳ ଆଶ୍ରମଠୁ କମ୍ ନଥିଲା।ଅଞ୍ଚଳର ଜ୍ଞାନୀ ଗୁଣି ଲୋକ ଯୋଗଦାନ କରି ଆମ ସାଙ୍ଗରେ ଯୋଗ ପ୍ରଣାୟମ ଆଦି କରନ୍ତି।ଆମକୁ ନାନା ହିତଉପଦେଶ ଦେଇ ଆମ ମାର୍ଗ ଦର୍ଶନ କରନ୍ତି।ନରେନ୍ଦ୍ର ସାର୍ ,ଦିଲୀପ ସାର୍,କେଦାର ସାର୍ ,ବ୍ରମ୍ହାନନ୍ଦ ସାର୍ ଆଦି ଯୋଗଦାନ କରି ଆମକୁ ନୂତନ ପ୍ରେରଣା ମାନ ଦିଅନ୍ତି।
କ୍ୟାମ୍ପରେ ଦିଆଯାଉଥିବା ବିଭିନ୍ନ ଶିକ୍ଷାମଧ୍ୟରୁ ମେସ୍ ମ୍ୟାନେଜମେଣ୍ଟ ସବୁଠୁ କଡା ଥିଲା।ଯେଉଁ ଦଳ ମେସ୍ ମ୍ୟାନେଜମେଣ୍ଟ ନିଏ ତାକୁ ଖାଇବା ପିଇବା ସବୁ ଗୋଟେ ପ୍ରକାର ଭୁଲିଯିବାକୁ ପଡେ।କ୍ୟାମ୍ପର ଅନ୍ତେବାସୀଙ୍କ ଖାଇବା ପିଇବା ସବୁ ଗୁରୁ ଦାଇତ୍ୱ ମୁଣ୍ଡ ଉପରେ।ଟିକେ ଉଣେଇସି ବିସ୍ ହେଇଗଲେ ପଣ୍ଡା ସାରଙ୍କଠୁ ଭୟଙ୍କର ଗାଳି ଶୁଣିବାକୁ ପଡିବ।ମେସରେ ସବୁ ହିସାବ କିତାବରେ ହୁଏ।କାରଣ ବଜେଟ ମଧ୍ୟ ସେହିପରି ଗୃହୀତ ହେଇଥାଏ।ଖାଇବା ଅଧିକ ରୋଷେଇ କରିବାର ନାହିଁ କି ନିଅଁଟ କରିବାରେ ନାହିଁ।ନଗେନ୍ ସାରଙ୍କ ତେରଛା ନଜର ମେସ୍ ମ୍ୟାନେଜମେଣ୍ଟ ଟିମ୍ ଉପରେ।ଏତେ ସଂଖ୍ୟାକ ପିଲାଙ୍କ ପାଇଁ ରୋଷେଇ ଦାୟିତ୍ୱ ନେବା ଓ ଠିକ୍ ସମୟରେ ଖାଦ୍ୟ ପରିବେଷଣ କରିବା କିଛି ଛୋଟିଆ କଥା ନଥିଲା।ବେଳେ ଦାନ୍ତ ଘଷିବା ଓ ସକାଳ ଜଳଖିଆ ଖାଇବା ଭୁଲିଯାଉଥିଲୁ।
ପ୍ରତି ସନ୍ଧ୍ୟାରେ ପ୍ରାଥନା ଓ ପ୍ରାଣାୟାମ ପରେ କିଛି ବିଷୟ ଉପରେ ଆଲୋଚନା ହୁଏ।ତା ପରେ ଆରମ୍ଭ ହୁଏ ଅସଲ ମଜା।କଲଚୁରାଲ ପ୍ରୋଗ୍ରାମ।ନାଚ ,ଗୀତ ଓ ଅଭିନୟରେ କ୍ୟାମ୍ପ୍ ପରିସର ପୁଲକିତ ହେଇଉଠେ।ସମସ୍ତେ ସମସ୍ତଙ୍କୁ ତାଳି ମାରି ଉତ୍ସାହିତ କରନ୍ତି।ରାତ୍ରି ଭୋଜନ ପୂର୍ବରୁ ଆସନ୍ତା କାଲିର କାର୍ଯ୍ୟକ୍ରମ ଉପରେ ଆଲୋକପାତ ହୁଏ।ଟିକି ନିକି କାମର ଅପଡେଟ୍ ନିଆଯାଏ।କିଏ କେଉଁ ଦାୟିତ୍ୱରେ ରହିବ।କେତେ ସମୟରେ କେଉଁ କାମ ସରିବ ସବୁ ଠିକ୍ ଭାବରେ ଲିଡର ମାନେ ସ୍ଥିର କରନ୍ତି।କ୍ୟାମ୍ପ୍ ଆରମ୍ଭରେ କ'ଣ ଲକ୍ଷ ନିଆ ଯାଇଥିଲା ଓ କେତେ ଅଗ୍ରଗତି ହେଉଛି ତାହା ପ୍ରୋଗ୍ରାମ ଅଫିସର ଓ ଲିଡ଼ର ମାନେ ପୁଙ୍ଖାନୁପୁଙ୍ଖ ଖୋଳତାଡ଼ ହୁଏ।କ୍ୟାମ୍ପରେ ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦିଆଯାଏ।ଦିନ ସାରା ନିୟମ ଭାଙ୍ଗିଥିବା ପିଲାକୁ ଶାରୀରିକ ଦଣ୍ଡ ମିଳେ।
ବେଳେ ବେଳେ ବର ଗଛ ଡାଳ କାଟି ଓ ତାକୁ ପୋତି ବୃକ୍ଷ ରୋପଣ କଲାବେଳ ହାତରେ ବେଣ୍ଡି ବାହାରିଯାଏ।ପୋଖରୀ ସଫା କରୁ କରୁ ଗେଣ୍ଡା ଗୋଡ଼କୁ କାଟିଦିଏ।ଗୋରେଖ ଭାଇ ସବୁ ନଜର ରଖିଥାଏ।ପିଲାଙ୍କୁ ଘଷା ମୋଡା କରିବା ପାଇଁ ଜରୁରୀ କାଳିନ ଟିମ୍ ଗଠନ କରି ପିଲାମାନେ ଶୋଇଥିବା ବେଳେ ଗୋଡ଼ରେ ସୋରିଷ ତେଲ ଓ ରସୁଣ ଫୁଟେଇ ମାଲିସ୍ କରନ୍ତି।
କ୍ୟାମ୍ପର ଜୀବନରେ ଅନେକ ସାନ ଭାଇ ଯୋଡି ହେଇଛନ୍ତି।ସମସ୍ତେ ଏବେ ବି ସୁଖରେ ଦୁଃଖରେ ଯୋଡି ହେଇ ରହିଛନ୍ତି।ସମସ୍ତେ ଅତି ପ୍ରିୟ ଓ ନିଜର।ଅନେକ ପାରିବାରିକ ବନ୍ଧୁ ପାଲଟି ଯାଇଛନ୍ତି।ବିକୁ ,ରିଙ୍କୁ ,ଆଲୋକ,ସଂଗ୍ରାମ,ସିଦ୍ଧାର୍ଥ, ବେଣୁ ,ଦେବାଶିଷ, ପପୁ ,ରାକେସ ଆଦି ପ୍ରମୁଖ।କ୍ୟାମ୍ପରେ କିଛି ଆଜ୍ଞାକାରୀଣି ସାନ ଭଉଣୀ ମଧ୍ୟ ଥିଲେ ସମସ୍ତେ ଏବେ ମୋ ସଂସ୍ପର୍ଶରେ ଅଛନ୍ତି।
ମୋଟା ମୋଟି କହିବାକୁ ଗଲେ କ୍ୟାମ୍ପ ଜୀବନରେ ଯାହା ଶିକ୍ଷା ଓ ଜୀବନ ଦର୍ଶନ ମିଳିଛି ତାହା ଅବର୍ଣ୍ଣନୀୟ।
ସେ ଦିନ ଆଜି ବି ମନେ ପଡୁଛି ପଣ୍ଡା ସାର କହିଲେ ବଳରାମ ଉତ୍କଳ ଇଉନିଭରସିଟି ଦେଖିଛୁ ?
ମୁଁ କହିଲି ନା।ଆଛା ମୋ ସାଙ୍ଗରେ ଯିବୁ ।କାଲି ତୋତେ ସେଠି ଇଉନିଭରସିଟିର ବେଷ୍ଟ ଭଲ୍ୟୁଣ୍ଟିଅର ଆୱାର୍ଡ ମିଳିବ।ମୋ ଖୁସିର ସୀମା ରହିଲା ନାହିଁ।ଖୁସିରେ ପାଗଳ ହେଇଗଲି ସେ ରାତି ଆଉ ଶୋଇ ପାରିଲି ନାହିଁ ।ଆନନ୍ଦରେ ମନ ଅଧିର ହୋଇ ଉଠିଥିଲା।
କ୍ୟାମ୍ପରେ ସମସ୍ତେ ଏତେ ନିଜର ହେଇ ଯାଉଥିଲେ ଯେ କେହି ଛୁଟିରେ ଗଲେ କଲେଜ କ୍ୟାମ୍ପସ ଖାଲି ଖାଲି ଲାଗୁଥିଲା।
ନିଜ ଇଚ୍ଛା ବିରୁଦ୍ଧରେ ବିଜ୍ଞାନ ସ୍ନାତକ ଶିକ୍ଷା କରିବାକୁ ବାଧ୍ୟ ହେଇଥିଲି।ଧାରଣା ଥିଲା ବିଜ୍ଞାନରେ ସାଧା ସ୍ନାତକ କରି କିଛି ଲାଭ ନାହିଁ।ସେଥିପାଇଁ କ୍ଲାସ ଆଟେଣ୍ଡ କରିବାକୁ ଇଚ୍ଛା ହେଉ ନଥିଲା।କ୍ୟାମ୍ପ୍ କୁ ଆପଣେଇ ନେଲି ବର୍ଷ ସାରା ସେଥିରେ ହିଁ ମାତିଲି।ମୋତେ ଲାଗୁଥିଲା ସମୟର ସଦଉପଯୋଗ ହେଉଛି ।ଉପସ୍ଥାପନା କମିଯିବ ଓ ପରୀକ୍ଷା ଦେଇ ହେବନି ,ଘରେ ଗାଳି କରିବେ ସେହି ଭୟରେ ମଝିରେ ମଝିରେ କ୍ଲାସ ରୁମ ଆଡେ ପସି ଯାଉଥିଲି।ଏହା ମଧ୍ୟରେ ନିଜ ନାମ ଆଗରେ ଏନ୍ :ଏସ୍ :ଏ ସ୍ ବଳରାମ ଵିଶେଷଣ ଲାଗି ସାରିଥିଲା।କ୍ୟାମ୍ପ ନୂଆ ପରିଚୟ ଦେଇଥିଲା।କ୍ୟାମ୍ପର ପ୍ରଶିକ୍ଷଣ ଓ ସବୁ କ୍ଷଣ ଏବେ ବି ହୃଦୟରେ ତାଜା ଅଛି।ଯେତେବେଳେ କୋୖଣସି କଲେଜ ଛାତ୍ର ଓ ଛାତ୍ରୀଙ୍କୁ ଏନ :ଏସ୍ :ଏସ୍ ର ସ୍କାର୍ପ୍ ଓ ବ୍ୟାଜ୍ ପରିଧାନ କରି କ୍ୟାମ୍ପ୍ ରେ ସେବା କରୁଥିବାର ଦେଖେ ...ମନ ସେହି ପୁରୁଣା ସମୟକୁ ଫେରିଯାଏ। ଭାବେ ମୁଁ ପୁଣି ସେହି କ୍ୟାମ୍ପରେ ରହିଯାନ୍ତି ନି ଯେଉଁଠି କେବଳ ସ୍ନେହ ପ୍ରେମ ଭାଇଚାର ମୈତ୍ରୀ ଓ ସେବାର ପ୍ରସାଦ ବଣ୍ଟନ ହେଉଥିଲା..