STORYMIRROR

Balaram Barik

Abstract Comedy

4  

Balaram Barik

Abstract Comedy

ଶିକ୍ଷା ମନ୍ତ୍ରୀ

ଶିକ୍ଷା ମନ୍ତ୍ରୀ

2 mins
296

ଅନେକ ଷ୍ଟ୍ରିକ୍ଟ ସେ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାସ।ବିରଞ୍ଚି ସାର ନାମରେ ସେ ସର୍ଵ ଜନ ବିଦିତ ଓ ସର୍ଵ ଜନ ଆଗୃହିତ। ଆଖ ପାଖ ଚାଳିଶି ଖଣ୍ଡ ଗାଁରେ ତାଙ୍କରି ଭୟ ଥିଲା । ପଚାଶ ପଚାଶ କୋଷ ଦୂରରୁ ଯଦି କେହି ମାଟ୍ରିକ ପରୀକ୍ଷାର୍ଥୀ ଶୁଣି ଦେଉଥିଲା ଆଜି ସେଣ୍ଟରକୁ ବିରଞ୍ଚି ସାର ଆସୁଛନ୍ତି, ଛାନିଆରେ ତାର ନେଚର କଲିଂ ହେଇ ଯାଉଥିଲା।

ଅଳି ଅଝଟିଆ ଛୁଆଙ୍କୁ ବାପା -ମା ବିରଞ୍ଚି ସାରଙ୍କ ନାଁ ନେଇ ଡରେଇ କାମ ହାସଲ କରି ନିଅନ୍ତି। ଅନେକ ଡହରା, ମୁଣ୍ଡା ଅଳସୁଆ, ଗଜ ମୂର୍ଖକୁ ଛାଟେ ଛାଟେ ଦେଇ ଜ୍ଞାନ ଉଦୟ କରିଛନ୍ତି । ତାଙ୍କରି ଯୋଗୁଁ ଅନେକ ଛାତ୍ର ଛାତ୍ରୀଙ୍କ ସୁନେଲି ଭବିଷ୍ୟତ ନିର୍ମାଣ ହେଇଛି ଓ ତା ସାଙ୍ଗଙ୍କୁ ଦେଶ ଗଠନ ମଧ୍ୟ। ବିରଞ୍ଚି ସାର ଛାତ୍ର ଛାତ୍ରୀଙ୍କ ମଧ୍ୟରୁ କିଏ ବୈଜ୍ଞାନିକ ତ କିଏ ଜାତୀୟ ସ୍ତରରେ ପ୍ରଶାସନିକ ଅଧିକାରୀ। କିଏ ପୁଣି ଯୋଜନା କମିଶନର ଅଧ୍ୟକ୍ଷ।

ଅନେକ ଡାକ୍ତର, ଇଂଜିନିୟର, ସ୍ପେଶ ଓ ରକେଟ ଇଞ୍ଜିନିୟର ତାଙ୍କରି ହିଁ ଛାଟ ଖାଇଥିବା ଛାତ୍ର ଓ ଛାତ୍ରି।

ବିରଞ୍ଚି ସାରଙ୍କୁ ରାଜ୍ୟର ସର୍ବଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପାଇଁ ରାଜଧାନୀରୁ ଡକରା ଆସିଛି। ସଭାରେ ତାଙ୍କୁ ପୁରସ୍କାର ମିଳିବା ପ୍ରକ୍ରିୟା ଆରମ୍ଭ ହେଲା। ସଭାରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ପ୍ରଶଂସାରେ ପୋତି ପକାଉ ଥାନ୍ତି। ତାଙ୍କ ଗଳାରେ ଫୁଲମାଳା ଓ ଉତ୍ତରୀୟ ସାଙ୍ଗଙ୍କୁ ଦାମୀ ସାଲ ଗୋଟିଏ ଢାଙ୍କି ଦିଆଗଲା । ସାରଙ୍କ ପାଦ ଧୂଳି ନେଇ ମଥାରେ ମାରି ତା ପରେ ସାରଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ସଭାକୁ ମଣ୍ଡନ କରୁଥିବା ଜଣେ ଶ୍ରେଷ୍ଠ ବ୍ୟକ୍ତି। ହାତକୁ ମାନପତ୍ରଟି ବଢ଼େଇ ଦେଉ ଦେଉ ସାରଙ୍କୁ କହିଲେ।।

ମୋତେ ଚିନ୍ହି ପାରୁଛନ୍ତି ସାର ?

ମୁଁ ବିକ୍ରମ ।

ବିକ୍ରମ !! 

ସାର ମୁଁ ବିକ୍ରମ ବଳିଆର ସିଂହ।

ବିକୁନି ...ବିକୁନି..

ରାଧାଦେଇପୁର ହାଇସ୍କୁଲ , ମାଟ୍ରିକ ବ୍ୟଚ 1998ର ଛାତ୍ର।


ଓଃ... ତୁ ବିକୁନି ।


ମୁଁ ଦୁଃଖିତ ମୁଁ ତୋତେ ମାଟ୍ରିକରେ ଫେଲ କରିଦେଇଥିଲି।କଣ ଅବା କରିଥାନ୍ତି ତୁ ଜମାରୁ ପାଠ ସାଠ ପଢୁ ନଥିଲୁ। ବତା ଫାଳିଆରେ କେତେ ମାଡ଼ ଖାଇଛୁ ମୋ ଠାରୁ ।


ସାର ଦେଖୁ ନାହାଁନ୍ତି...!!! ଏଇଠି ପରା ...ପିଚାରେ ନୋଳା ବସେଇ ଦିଅନ୍ତି। ଆପଣ ଜାଣିଥିବେ ! ମୁଁ ଏବେ ରାଜ୍ୟର ଶିକ୍ଷା ମନ୍ତ୍ରୀ। ଆପଣ ସେଦିନ ମୋତେ ଫେଲ କରିନଥିଲେ ମୁଁ ଆପଣଙ୍କ ଭଳି କୋଉ ସ୍କୁଲ କିମ୍ବା କଲେଜରେ ଶିକ୍ଷକ, କିରାଣୀ କିମ୍ବା ତୃତୀୟ ଶ୍ରେଣୀ କର୍ମଚାରୀଟିଏ ହେବାର ଗର୍ବ ଅନୁଭବ କରିଥାନ୍ତି। ମାତ୍ର ଆପଣ ନିଜେ ଦେଖନ୍ତୁ ମୁଁ ଏବେ ରାଜ୍ୟର ଶିକ୍ଷାମନ୍ତ୍ରୀ। ଏ ରାଜ୍ୟର ଶିକ୍ଷା ଓ ଶିକ୍ଷକ ସମସ୍ତଂକ ଭାଗ୍ୟଡୋରୀ ମୋ ହାତରେ।


ବିରଞ୍ଚି ସାରଙ୍କ ଅକଲ ଗୁଡୁମ .....

    ମନେ ମନେ ଭାବୁଥିଲେ ରାଜ୍ୟର ଅବସ୍ଥା, ନିର୍ବାଚନ ବ୍ୟବସ୍ଥା ଓ ସେ ପଢ଼ାଉ ଥିବା ସମ୍ବିଧାନକୁ। ଯେଉଁ ସମ୍ବିଧାନ ଜନ ପ୍ରତିନିଧିଙ୍କ ମାନଦଣ୍ଡ ସ୍ଥିର କରିଛି ରାଜ୍ୟ ତଥା ଦେଶର ନେତୃତ୍ୱ ନେବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract