ଖଟିଆ
ଖଟିଆ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଖରାଦିନ ପହଞ୍ଚ ପହଞ୍ଚ ହେଉଥିବା ପୂର୍ବରୁ ବଡ଼ ସରାଗରେ ଆମ ଖଟିଆ ବୁଣାହୁଏ।ଶୀତ ସରିବା ସରିବା ହେଉଥାଏ ।ମ ଳୟ ମନ୍ଦ ମନ୍ଦ ହସିବା ଆରମ୍ଭ କରିଥାଏ।ପନାସି ଦୁଇ ଚାରି ବଣ୍ଡଲ ଆସି ପାଣିରେ ଗୋଟିଏ ରାତି ବତୁରାଯାଏ।
ଆମ ଗାଁ ବାସୁଆ ନନା ଭଲ ଖଟିଆ ବୁଣି ଯାଣନ୍ତି। ମୁଁ ତାଙ୍କଠୁ ଖଟିଆ ବୁଣା ଶିଖିଦେଇଥିଲି ପିଲା ବେଳୁ।
ଚାରି ଖଣ୍ଡ କାଠ ଉପରେ ପନାସି ଛାଇ ଗଲେ ନୂଆ ଅବୟବ ଗୋଟେ ତିଆରି ହୁଏ। ସମ୍ପୂର୍ଣ୍ଣ ପ୍ରାକୃତିକ ଓ ଆନନ୍ଦ ଦାୟକ ମଧ୍ୟ। ଆଜି ସମୟର ବଗ୍ ପ୍ରୁଫ୍ ଡ଼ନ୍ ଲପ୍ ଗଦି ଠାରୁ କାହିଁ କେତେ ଗୁଣ ଉତ୍ତମ। ଯିଏ ଶୋଇଛି ସିଏ ହିଁ ଜାଣିଛି।
ଆମ ଘରେ ଦୁଇଟି ଖଟିଆ । ଗୋଟାଏ ସିନିୟରଙ୍କ ପାଇଁ ଗୋଟିଏ ଜୁନିୟରଙ୍କ ପାଇଁ। ଖରାଦିନର ରାତ୍ରି। ଜହ୍ନ ଆଲୁଅ । ସୁଲୁ ସୁଲିଆ ବା .. ଆଃ ...ଆଃ.... ଅପୂର୍ବ।ସେ ରାତି ଗୁଡିକ ମନେ ପଡିଲେ ଆମ ଅଗଣା ଓ ବାଡିର ପ୍ରାକୃତିକ ବାସନା ନାକ ପାଖରେ ପିଟି ହେଇଯାଏ।
ଖଟିଆ ଉପରେ ଖାଲି ଗୋଟିଏ ତକିଆ ଦରକାର ମୁଣ୍ଡଟି ରଖିବା ପାଇଁ। ମୁହଁ ତଳକୁ କରି ସଦ୍ୟ ଗୋବରରେ ଲେପା ଯାଇଥିବା ଦାଣ୍ଡ ଦୁଆର ବାସ୍ନା ଶୁଙ୍ଘିଲେ ଏକ ଅମୃତ ଆନନ୍ଦ ମିଳେ। ପିଠି ଟିକେ କୁଣ୍ଡେଇ ହେଲେ ଆଉ ହାତ ଦରକାର ନାହିଁ। ପିଠି ଦୁଇଥର ଖଟିଆ ରସିରେ ଘଷି ଦେଲେ ସବୁ ଗଲୁ ମରିଯାଏ। ଜୁନିୟର ଖଟିଆରେ ଶୋଇ ମୁଁ ପଠାଣି ସାମନ୍ତଙ୍କ ପରି ଚୁଲି ଫୁଙ୍କା ନଳ ବାଟେ ମହାକାଶ ଦେଖିବାର ବାହାନା କରେ। ଆମେ ଭାଇ ଭଉଣୀ ମିଶି ତାରା ଗଣା ଗଣି ହେଉ।ହସା ହସି ହେଉ । ଭାରି ମଜା ହୁଏ। ଖଟିଆ ଉପରେ କଂସା ଥୋଇ ମୁଢି ବାଦାମ ଗୋଳା ହୋଇ ଖିଆଯାଏ।
ବୋଉ କହେ ମୁଁ କଅଁଳା ପିଲା ଥିଲା ବେଳେ ମୋତେ ସେ ସେଇ ଖଟିଆ ଉପରେ ଶୋଇ ଦେଇ ଯାବତୀୟ ଘର କାମ ସେ କରୁଥିଲା ମଝିରେ ମଝିରେ ମୋତେ ଚୁଡା ଘୋଟା ଖୁଆଇ ବି ଦେଉଥିଲା।ମୁଁ ସୁନା ପିଲା ପରି ସେହି ପ୍ରିୟ ଖଟିଆ ଉପରେ ସେମିତି ଶୋଇଥାଏ।
ବାପା ଖଟିଆରେ ଶୋଇ ଆକାଶ ବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହେଉଥିବା ନିରପେକ୍ଷ ଖବର ଶୁଣନ୍ତି । ଆମେ ମଧ୍ୟ ଦେଶ ବିଦେଶର ଖବର ସେହି ଖଟିଆରେ ଶୋଇ ଶୁଣି ଆମ ଜେନେରାଲ୍ ନଲେଜ ବୃଦ୍ଧି କରୁ। ସନ୍ଧ୍ୟା ବେଳେ କରେଣ୍ଟ ପଳାଇଲେ ଖଟିଆ ସ୍ଥାନ ପରିବର୍ତ୍ତନ ହୋଇ ବାଡ଼ି ପଟ କୂଅ ମୂଳକୁ ପଳାଏ । କାରଣ ବାଉଁଶ ବୁଦା ରୁ ଟିକେ ବେଶୀ ପବନ ବାହାରେ। ଖରାବେଳେ ତାସ୍ ବାଡ଼ିଆ ସେଇ ଖଟିଆ ଉପରେ ଗାମୁଛା ଗୋଟିଏ ପକାଇ ହୁଏ।
ଶୀତ ଦିନ ଅପସରି ଖରା ପ୍ରବେଶ କରିବା ସମୟରେ ହାଲୁକା କଅଁଳିଆ ଖରାରେ ଖଟିଆ ପାରି ଶୋଇବାରେ ଯୋଉ ମଜା ନକହିବା ଭଲ। ଦରଦୀ ଖରା ମାସ ଚାଲିଗଲା ପରେ ଠୋପେ ଠୋପେ ବର୍ଷା ଆସେ... ଦୂର୍ ଦୂର୍ ବର୍ଷା ଆସିବା ଆରମ୍ଭ ହୋଇଗଲେ ପୁଣି ଆମ ଖଟିଆ ଓଳି ତଳେ ଡେରା ହେଇଯାଏ।
ମୁଁ ପୁଣି ଆମ ଖଟିଆକୁ ଝୁରିବା ଆରମ୍ଭ କରେ। ଯେମିତି ଅନେକ ବର୍ଷ ହେଲା ଝୁରୁଛି ସେହି ଖଟିଆକୁ। ଆଉ ସୁଯୋଗ ଖୋଜୁଛି କେବେ କଂକ୍ରିଟ ଚଟାଣରୁ ମୁକ୍ତି ପାଇଁ ଦଣ୍ଡେ ଘଡ଼ିଏ ଯାଇ ପୁଣି ଓଳି ତଳୁ ଖଟିଆଟା ବାହାର କରି ଆଣି ଲମ୍ବ ହୋଇ ଶୋଇ ପଡନ୍ତି ଆଖି ବନ୍ଦ ଓ ହୃଦୟ ଖୋଲା ରଖି।