STORYMIRROR

Jyotipuspa Das

Drama Tragedy Inspirational

3  

Jyotipuspa Das

Drama Tragedy Inspirational

ଉପହାସ

ଉପହାସ

2 mins
207

ଆଧୁନିକ ଘର କହିଲେ କଣ ବୁଝାଏ ବାଙ୍ଗାଲୋର ଯାଇ ବୁଝିଲା କୁନି ବୋଉ। ସବୁ କିଛି ସୁଇଚ୍ ଟିପି ଦେଇ ହଉଥିଲା। ତଳୁ ଆଠ ମହଲା ଉପରକୁ ଯାଇ, ପୁଣି ତଳକୁ ଆସି ହଉଥିଲା ଆଖି ପିଛିଳାକେ। ମଫସଲ ଗାଁ ର ପାଇଟି କରି ବୁଢ଼ୀ ହେଇଥିବା କୁନି ମାଆ ଅଧିକା ପଇସା ପାଇବ ବୋଲି ରମା ନାନୀଙ୍କର ଝିଅ ଜୋଇଁ ଘରକୁ ପଳେଇ ସିନା ଆସିଲା, ହେଲେ ଏଠି ତାକୁ ଖାଲି ଅଣ ନିଶ୍ବାସୀ ଲାଗୁଥିଲା। 


ସକାଳୁ ରାତି ଯାଏ ସେଇ ଦୁଇ ବଖୁରିଆ ଫ୍ଲାଟ୍ ଭିତରେ ନସର ପସର। ପୁଣି ସିଏ ଚାହିଁଲେ ବି ନିଜେ ଯାଇ ପାରିବନି ତଳକୁ। ଭାଷା ଅଲଗା, କାହା ସହ ପଦେ କଥା ହେଇ ପାରିବନି। ଝିଅ ଜୋଇଁ ଗଲେ ଯେ ସକାଳୁ ଆସୁ ଆସୁ କେତେ ରାତି ହେବ କହି ହେବନି। ପୁଣି ଶନିବାର ରବିବାର ହେଲେ ସକାଳେ ୧୧ ରେ ଉଠି ରାତି ଯାଏ ୟାକୁ ତାକୁ ଘରକୁ ଡାକି କଣ ପାର୍ଟି କରିବେ। ସିଏ ସେଇ ରୋଷେଇ ଘର କୋଣ ଟାରେ ବସିଥିବ। 

କୁହା ବୋଲା କରି ଫୋନ ଲଗେଇ ଘରକୁ କୁନି ବୋଉ କାନ୍ଦେ। ହେଲେ ତା ପୁଅ କହେ ସେଇଠି ରହ। ଭଲ ପଇସା, କାମ କମ୍। 


ଦୁଇ ମାସ ପରେ, ଦିନେ କୁନି ବୋଉ ଏକା ଘରେ ଥିଲା। ତା ମୁଣ୍ଡ ଝିମ୍ ଝିମ୍ କରିଲା। ଦେହରେ ତାତି ବଢ଼ୁଥିଲା। ରାତି ଏଗାର ଯାଏ ସେମିତି ଜର ଦେହ ରେ ଜଗି ରହିଥିଲା ସିଏ। ସେମାନେ ଘରକୁ ଆସିଲେ। ତା ଜର ଦେଖି ମୁହଁ ହାଣ୍ଡି କରି କଣ ଗୋଟେ ଔଷଧ ଦେଲେ। ତା ପରଦିନ ଯାଏ ଜର କମି ନଥିଲା। ହେଲେ ସେମାନେ କିଛି ନ ହେଇଥିବା ପରି ନିଜ କାମ କରିବାରେ ଲାଗିଲେ। 

କୁନିବୋଉ ବହୁତ୍ କଷ୍ଟ ରେ ଉଠି ଯାଉଥିଲା ବାଥରୁମ୍, ଫୁସଫାସ୍ କଥା ଶୁଣି ରହି ଗଲେ। 


ଜୋଇଁ ରାଗୁଥିଲେ ଝିଅ କୁ। 

"ତୁମେ ଏତିକି କାମ କରି ପାରୁନ କି ଏଠିକା ବାଇ ମାନଂକ ସହ ସହ ବି ପଡୁନି ତୁମର। ବାଧ୍ୟ ହେଇ ତୁମ ସେ ମଫସଲ ଗାଆଁ ରୁ ଏ ବୁଢ଼ୀ କୁ ଏଠି ରଖିବାକୁ ପଡ଼ିଲା। ଆମେ ବାହାରେ ରହିବୁ, ସିଏ ତା ପଢ଼ି ବି ଶିଖିନି। ଭିତରେ ରହି ମରିଗଲେ ଆମେ ବନ୍ଧା ହେବୁ କି ନାହିଁ? କି ଫାଲତୁ ଝାମେଲା ରେ ପଡ଼ିଲା ମଣିଷ...."

ଆଉ କଣ କଣ କହୁଥିଲେ କୁନି ବୋଉ ଶୁଣି ପାରିଲାନି। ସିଏ ଜାଣିଥିଲା ତା ମୁଣ୍ଡ କେତେ। ହେଲେ ଜଣଙ୍କ ଘରେ ଏମିତି ଅଳିଆ ଭଳି ରହିବା କଣ ତାର ମଣିଷ ହେବା ପ୍ରତି ଉପହାସ ନୁହେଁ? 


ରମା ନାନୀ ଝିଅ କୁ କହି ଟ୍ରେନ ଟିକେଟ କରି କୁନି ବୋଉ ପର ସପ୍ତାହ ହିଁ ନିଜ ଗାଁ କୁ ଫେରୁଥିଲା। ପୁଅ ଗାଳି ତାକୁ ଆଉ ବାଧୁ ନଥିଲା। ବଡ଼ ବଡ଼ ଅଟ୍ଟାଳିକା ଥିବା ସେ ସହର ମାନକ ଅହଂ ଠାରୁ ତା ଗାଆଁ ର ଧୁଳି ଆଉ ଅଧା ଖିଆ ପେଟ ବୋଧେ ଖୁବ୍ ଭଲ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama