Bijaya Panda

Romance

4.9  

Bijaya Panda

Romance

“ତୁମେ ଦେଖା ହେବାପରେ..”

“ତୁମେ ଦେଖା ହେବାପରେ..”

9 mins
604


              ଯୁକ୍ତ ତିନି ବିଜ୍ଞାନର ମେଧାବୀ ଛାତ୍ର ପ୍ରଶାନ୍ତ କ୍ଳାସରେ ସବୁ ବେଳେ ଚୁପ ଚାପ ରହୁଥିବାଟା ସମସ୍ତଙ୍କୁ ଟିକେ ଅଡୁଆ ଅଡୁଆ ଲାଗେ । ଲାଇବ୍ରେରୀ ହେଉ କିମ୍ବା କେମେଷ୍ଟ୍ରୀ ଲାବ୍ରୋଟେରୀ, ସବୁଆଡେ ସେ ତାର ନିଜର ପଢା ପଢି ସାରି ସେ ଚୁପ ଚାପ ହଷ୍ଟେଲକୁ ପଳାଏ । ଖେଳକୁଦ, ନାଚ ଗିତକୁ ଛାଡ଼ିଦେଲେ କଲେଜରେ ବାକି କିଛି ପ୍ରତିଯୋଗିତାରେ ସେ ଅଗ୍ରଣୀ । ଜଟିଳ ପ୍ରଶ୍ନକୁ ସମାଧାନ କରିପାରୁନଥିବା ତା’ର ସହ ପାଠି, ସହ ପାଠିନୀ ମାନେ ତା’ ସହ ସାଙ୍ଗ ହେବା ପାଇଁ ଯେତେ ଚେଷ୍ଟା କଲେ ବି ସଫଳ ହେଇପାରନ୍ତିନି । କେହି କେହି କୁହନ୍ତି ପିଲାଟା ଭାରି ଗର୍ବୀ, କେହି କୁହନ୍ତି ଇଏ ତ ଆମର ଆଇନଷ୍ଟାଇନ । ଆଉ କେହି କୁହେ ସେ କଉ ଝିଅକୁ କରିକି ବିଫଳ ହେଇଛି, ସେଥିପାଇଁ ବିରହ ବେଦନା ସହି ନପାରି ଏମିତି ନୀତିଦିନ ନିଜ ଭିତରେ ଜଳୁଛି । କିଛି ଖବରକାଗଜରେ ତା ଦ୍ଵାରା ଲିଖିତ ହୃଦୟସ୍ପର୍ଶୀ କ୍ଷୁଦ୍ର ଗଳ୍ପ ଆଉ କବିତା ଗୁଡିକୁ ପଢିଲେ ତା ଭିତରେ ଥିବା ସ୍ରୁଜନଶୀଳ ସାହିତ୍ୟିକଟିଏ ବାରି ହେଇପଡେ । ତାର ଲେଖାରେ ଯେମିତି ସେ ହଜେଇଦେଇଥିବା କେହି ଜଣେ ନିଜର ଲୋକକୁ ନୀତିଦିନ ଝୁରି ହେଉଛି ସେମିତି ଭାବନା ବାରିହୁଏ । ସଦ୍ୟ ପ୍ରକାଶିତ ଗୋଟିଏ କବିତାରେ କିଛି ଧାଡ଼ି ସେ ଏମିତି ଲେଖିଥାଏ ..

                ତୁ ଥିଲୁ ଅଛୁ ଆଉ ରହିବୁ

                  ମୋ ହୃଦୟର କୋଣ ଅନୁକୋଣରେ

                  ମୋର ହୃତସ୍ପନ୍ଦନ ଥିବା ଯାଏଁ,

                 ଜନ୍ମ ଜନ୍ମର ଅତୁଟ ସମ୍ପର୍କ,

                            ପୁଣି ଏକାଠି ହେବା  

                   ଅପେକ୍ଷିତ ମୁଁ ଶହେ ଜନମ ଯାଏଁ ..॥ 

         ଦିନେ ଏମିତି କଲେଜର ଖେଳ ପଡିଆର ଦକ୍ଷିଣପାର୍ଶ୍ଵ ଷ୍ଟାଣ୍ଡରେ ଏକୁଟିଆ ବସିଥାଏ ପ୍ରଶାନ୍ତ । ସବୁଜ ବନାନୀ, ନୀଳ ଆକାଶରେ ଅଳ୍ପ କିଛି ବାଦଲ ଭାସି ଯାଉଥାନ୍ତି ଦୂରକୁ ଦୂରକୁ । ଦଳବଦ୍ଧ ହୋଇ ଗେଣ୍ଡାଳିଆମାନେ ଉଡି ଯାଉଥିଲେ କେଉଁ ଏକ ଅଜଣା ଜାଗାକୁ । ପଛ ପଟେ, ଛୋଟ ପାହାଡଟିଏ, କୁଳୁ କୁଳୁ ନାଦ ଦେଇ ବୋହିଯାଉଥିବା ଝରଣାଟିଏ ଆଉ ଦିଗବଳୟ ଛୁଆଁ ସବୁଜିମା ଯେମିତି ଏକ ସାହିତ୍ୟିକ ମନକୁ ବିଭୋର କରିଦେଉଥାଏ । ପ୍ରକୂତି ସହ ଅଙ୍ଗାଙ୍ଗି ଭାବେ ଜଡିତ ପ୍ରଶାନ୍ତ ଭାବ ବିହ୍ଵଳ ହୋଇ କଣ ସବୁ ଭାବି ଯାଉଥାଏ ସେକଥା ତାକୁ ହିଁ ଅଜଣା । ସବୁଦିନ ପରି ସେ ଆଉ ତାର ଏକୁଟିଆ ପଣ “ଏଇ ଯେମିତି ହିନ୍ଦୀରେ କୁହନ୍ତି “ମେ ଔର ମେରା ତହ୍ନାଇ” । କିନ୍ତୁ ତାକୁ କିଏ ଜଣେ ସବୁ ମାନେ ପଡୁଥାଏ, କ୍ଷଣ କ୍ଷଣ ପ୍ରତି କ୍ଷଣ । ନିଜ କୋହକୁ ସମ୍ଭାଳି ପାରୁନଥାଏ, ଏମିତି ଭୁଲ ସେ କେମିତି କରିପାରିଲା ? ତା ପାଇଁ ଏକ ନିରୀହ ଜୀବନଟା .. ! ମନକୁ ସାନ୍ତ୍ଵନା ଦେଇ ଫେରିଲା ହଷ୍ଟେଲକୁ ।   

          ତା ନାଁ ରେ ଗୋଟେ ଲଫାପା ଟେବୁଲ ଉପରେ ପଡିଥିବାର ଦେଖି ଆଶ୍ଚର୍ଯ୍ୟ ହେଲା । ଚିଠି ପୁଣି ମୋତେ କିଏ ଲେଖିଲା ? କୌତୁହଳକୁ ସମ୍ଭାଳି ନପାରି ଖୋଲିଦେଖେତ, ଲେଖାଥିଲା ଏମିତି କିଛି ।

 “ହେ ମୋର ପ୍ରିୟ ସାଥି”,

          “ମୁଁ ତୁମର ନିଜର କେହି ନୁହେଁ କେବଳ ସାଥୀଟିଏ” । ତୁମେ ଚିଠି ଖୋଲିଲା ପରେ କୌତୁହଳରେ ହୂଏତ ଚିଠି ପଠାଇଥିବାର ଲୋକକୁ ଜାଣିବାର ପ୍ରୟାସ କରିବ କିନ୍ତୁ ମୋର ତୁମ ସାଥେ କିଛି ଖାସ ପରିଚୟ ନାହିଁ, ତୁମକୁ ଜାଣି ବି ଅଜଣା ..କି ପରିଚୟ ଦେବି ! 

         ତୁମର ସେ ଦୁଇଟି ନିରୀହ ଆଖି, ଆଉ ପ୍ରଶାନ୍ତ ମହାସାଗର ପରି ଶାନ୍ତ ସ୍ଵଭାବ ଦେଖି ମୁଁ ଖୁବ ପ୍ରଭାବିତ । କେତେଥର ମୋ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରେ ଏସବୁ ପଛର ରହସ୍ୟ ଜାଣିବାକୁ, ବହୁ ଚେଷ୍ଟା ବି କରିଛି କିନ୍ତୁ ତୁମ ସହ କେବେ କଥା ହେବାର ସାହସ ଯୁଟାଇ ପାରିନି ।

         ତୁମର କବିତା ଗୁଡିକ ଚମତ୍କାର । କିଏ ସେ ଭାଗ୍ୟବତୀ ଯିଏ ତୁମ ମନର ଆଇନା, ତୁମ ହୃଦୟର ରାଣୀ .. ତୁମ ଭଳି ପୁଅକୁ ପ୍ରତାରଣା କରିପାରିଲା !!

         କାହିଁକି କେଜାଣି ମୋତେ ଈର୍ଷା ହୁଏ ..,ତୁମ ହୃଦୟରେ ସେ ସ୍ଥାନଟି ମୋତେ ମିଳନ୍ତା ନି.. !!

ସବୁଦିନ ପାଇଁ ମୁଁ ତୁମର ହୋଇଯା’ନ୍ତି । ଆଉ ଆମେ ଦୁହେଁ ଗଢନ୍ତେ ଏକ ସୁନ୍ଦର ଦୁନିଆଁ ..। ଖାଲି ତୁମେ ଥିବ.. ଆଉ ମୁଁ ଥିବି । ଏ କୋଳାହଳ ମୟ ସମାଜରୁ ବହୁତ ଦୂରେ ..।   

                  ହଁ ରାସ୍ତା ବଡ ଲମ୍ବା, କଠିନ,

                            ଉତଥାନ ପତନ,

                           ହେଲେ ଏ ମନ !

                  ମାନେନା.. ହୁଏ ଅଧୀର ।

                  ଚାଲିବାକୁ ସେଇ ରାସ୍ତାରେ

                                                                                  ଇତି,

                                                                                    (ତୁମର ପ୍ରିୟ ସାଥି) ।   

        ଚିଠି ପଢିସାରି ପ୍ରଶାନ୍ତର ମନଟା ବଡ ଅଡୁଆ ଲାଗିଲା, କିଏ ସେ ଚିଠିର ପ୍ରେରକ ଯିଏ ମୋତେ ନୀତିଦିନ ଦେଖୁଛି, ମୋତେ ଟିକନିକ ଭାବେ ନଜର ରଖୁଛି । ତାର କ୍ଳାସରେ କେହି ଜଣେ ସହପାଠୀ ନୁହେଁତ ! ନା କବିତାର କେହିଜଣେ ପାଠିକା ଯିଏ ତାର ହାବଭାବ ଉପରେ ନଜର ରଖେ ! ଏଠିତ ମୋର ଅତୀତ କଥା ସମସ୍ତଙ୍କୁ ଅଜଣା, ସେଥିପାଇଁ ମୁଁ ବିରହ ବେଦନରେ ଜଳୁଥିବା ପେମିକ ଟିଏ ବୋଲି ଧରି ନେଇଛନ୍ତି, ଭାବନ୍ତୁ କାହାର ମନ ଭିତରେ ମୁଁ ଆଉ ପଶି ଯାଇପାରିବି କି ଆଉ !

         ରାତ୍ରି ଭୋଜନ ସାରି ସୋଇପଡିଲା । ତା ସ୍ଵପ୍ନରେ ପୁଣି ତାର ଅତୀତ ଘଟଣା ସବୁ ଦୃଶ୍ୟମାନ ହେଲା ।  ପୁରୁଣା ସ୍ମୃତି, ସେଇ ହୃଦୟ ବିଦାରକ ଦୃଶ୍ୟ, କରୁଣ ରୋଦନ ତାକୁ ବାରମ୍ବାର ତାକୁ ବିବ୍ରତ କଲା ପୁଣିଥରେ ।

         ବଡି ଭୋର ଉଠି, ତାର ସେହି ନୀତିଦିନ ଅଭ୍ୟାସ ବଶତଃ କେଉଁ ଗୋଟେ ମାଗାଜିନର ପୃଷ୍ଠାକୁ ଲେଉଟାଉଥିଲା, ହଠାତ ନଜର ପଡିଲା କାହାର କବିତାଟିଏ ଯାହା ଏମିତି ଥିଲା । ପ୍ରଶାନ୍ତର ମନକୁ ପାଇଗଲା ଏଇ କିଛି ଦୂଇ ଧାଡ଼ି । ଫଟୋ କି ଫୋନ ନମ୍ବର କିଛି ଦିଆଯାଇନଥିଲା ଲେଖକଙ୍କ ପରିଚୟ ହିସାବରେ ।                ହଁ ରାସ୍ତା ବଡ ଲମ୍ବା, କଠିନ,

                            ଉତଥାନ ପତନ,

                           ହେଲେ ଏ ମନ !

                  ମାନେନା.. ହୁଏ ଅଧୀର

                            ଚାଲିବାକୁ ସେଇ ରାସ୍ତାରେ

                           ଅଜଣା ବାଟରେ,

                  ଖୋଜିବୁଲେ ସ୍ରଷ୍ଟାଙ୍କୁ

                          ଦୂରଦିଗବଳୟରେ

                            ମଜ୍ଜିଯାଏ ସ୍ରଷ୍ଟାର ସୃଜନରେ ।


         ସେଦିନ କଲେଜରେ କୌଣସି ପ୍ରୋଗ୍ରାମ ପାଇଁ କ୍ଳାସ ବନ୍ଦ ଥାଏ, ଏମିତି ସମୟରେ ପ୍ରଶାନ୍ତ ଟିକେ ଅଳସୁଆ ହେଇ ବିଛଣାରେ ପଡ଼ିରୁହେ ବହୁତ ଡେରି ଯାଏଁ ..ମଧ୍ୟାନ୍ନ ଭୋଜନ ପରେ ନୋଟ ଖଣ୍ଡେ ଧରି କଣ ସବୁ ଲେଖି ଯାଉଥିଲା ଏଣୁତେଣୁ । ତାପରେ ଚାଲିଗଲା ତା’ର ସେଇ ପ୍ରିୟ ଜାଗା ଖେଳ ପଡିଆ ଆଡକୁ, ଷ୍ଟାଡିୟମର ତଳ ପାହାଚରେ ବସି ମନେ ପକାଉଥାଏ ଗାଁ କଥା ..କେଡ଼େ ସୁନ୍ଦର ଥିଲା ପିଲାଦିନ .. ଫେରିଆସନ୍ତାକି ସେ ପିଲାଦିନ କିଛି । ପୁଣି ଥରେ ପ୍ରକୃତିକୁ ଭରପୁର ଉପଭୋଗ କରନ୍ତା । ତାର ମନେ ପଡିଯାଏ ଅତୀତର କିଛି ଅଭୂଲା କଥା । ହଠାତ କାହାର ପାଉଁଜି ଶବ୍ଦରେ ଚମକି ପଡି ପ୍ରକୂତିସ୍ଥ ହୋଇ ପଛକୁ ଅନାଇଦେଖେ ତ.. ତା’ର ସାହପାଠିନୀ ପ୍ରିୟା । କିଛି କ୍ଷଣ ପାଇଁ ସେ ସ୍ତବ୍ଦ ହେଇଗଲା । ଭାବିଲା କୌଣସି କାର୍ଯ୍ୟ ପାଇଁ ଅଧ୍ୟାପକ ଆଉ ପ୍ରିୟା ଜରିଆରେ ତାକୁ ଡକେଇ ନାହାନ୍ତି ତ -        ହଠାତ ଏଠି ! କଣ ସାରେ ମୋତେ ଡକେଇଛନ୍ତି କି ? ବୋଲି ପ୍ରଶାନ୍ତ ପଚାରେ

-        ହଁ , ନା ସେମିତି କିଛି ନାହିଁ ଯେ ସାର ଖୋଜୁନଥିଲେ କିନ୍ତୁ ମନେ ପକାଉଥିଲେ ବୋଲି ପ୍ରିୟା ଉତ୍ତର ଦେଲା ।

-        କଣ ଥ୍ରୀ ଇଡିଅଟ ସିନେମା ଭଳି ଉତ୍ତର ଦେଇଦେଲ ଯେ ? ତାହେଲେ ତମେ ଏଠି ! କହି ପ୍ରଶାନ୍ତ ଅଟକି ଗଲା ।

-        ଆଜି କ୍ଳାସ ତ ନାହିଁ, ମୁଁ ଟିକେ ଡାନ୍ସ ପ୍ରାକ୍ଟିସ କରିସାରି ଏମିତି ପଡିଆ ଆଡେ ବୁଲି ଆସିଥିଲି, ଏଇ ପ୍ରକୃତିର ସବୁଜିମାକୁ ଟିକେ ଅନୁଭବ କରିବାକୁ । ପ୍ରିୟା ଉତ୍ତର ଦେଲା ।

-        ତାପରେ ପ୍ରିୟା ଗୁଣୁ ଗୁଣୁ ହେଇ କଣ ଗୋଟେ କବିତା କହିଯାଉଥାଏ । ଯେମିତି ପ୍ରଶାନ୍ତକୁ ଶୁଣେଇହେବାକୁ ।

-        ତୁମେ କବିତା ଲେଖ ବୋଧେ ? ପଚାରିଲା ପ୍ରଶାନ୍ତ ।

-        ହଁ ଲେଖେ କିନ୍ତୁ ତୁମ ପରି କିଛି ଖାସ ନୁହେଁ ବୋଲି ପ୍ରିୟା କୁହେ ।

-        ଭଲ ଖରାପ ସମୟ କହିବ । ଏବେ ତୁମେ ଆବୃତ୍ତି କରୁଥିବା କବିତାଟି ଆଉଥରେ କହିପାରିବ ? ପ୍ରଶାନ୍ତ ପଚାରିଲା ।

ପ୍ରିୟାର କବିତା ଦୁଇଧାଡି ଏମିତି କିଛି ହଁ ରାସ୍ତା ବଡ ଲମ୍ବା, କଠିନ,

    ଉତଥାନ ପତନ,

ହେଲେ ଏ ମନ !

         ମାନେନା.. ହୁଏ ଅଧୀର ..

କବିତା ଶୁଣି ମନେ ପଡିଲା ପ୍ରଶାନ୍ତର , ସେ ପଢିଛି କେଉଁଠି ଏ କବିତାକୁ ।

-        ପ୍ରଶାନ୍ତ ପଚାରିଲା ଏ ତୁମର ନିଜର କବିତା ?

-        ହଁ ଝଲକ ପତ୍ରିକାରେ ବାହାରିଥିଲା ବୋଲି ପ୍ରିୟା କହିଲା । 

ଏବେ ପ୍ରଶାନ୍ତ ସବୁ ବୁଝିଯାଇସାରିଥିଲା । ପ୍ରଶାନ୍ତଠୁଁ ଟିକେ ଦୂରେ ଛିଡା ହୋଇ ପ୍ରିୟା କହିଲା ତୁମେ ଏଠି ଏକୁଟିଆ କାହିଁକି ସବୁବେଳେ ବସୁଥାଅ କି ?

-ସବୁବେଳେ ମାନେ ? ତୁମେ ମୋତେ ଆଉ କେବେ ଏଠି ଦେଖିଛ କି ? ପ୍ରଶାନ୍ତ ପଚାରିଲା ।

-ପ୍ରିୟା କହିଲା, ନାହିଁ ଯେମିତି ଆଜି ବସିଛ ? ସେମିତି ଆସୁଥିବ ବୋଲି ଭାବି ପଚାରିଦେଲି ।

-ଏମିତି କଥା ହେଉ ହେଉ ପ୍ରିୟା ତାର କିଛି ମନକଥା ପଚାରିଦେଲା,”ଗୋଟେ କଥା ପଚାରିବି ସତ କହିବ ? ନାହିଁ ଥାଉ ପରେ କହିବି” କହି ପ୍ରିୟା ଚୁପ ରହିଲା ।

- “ପଚାର କଣ ପଚାରୁଛ ବୋଲି ପ୍ରଶାନ୍ତ କହିଲା”

-“ଖବର କାଗଜରେ ବାହାରିଥିବା ତୁମର ବହୁତ କବିତା ପଢିଛି । ମୋତେ ଲାଗେ ଯେମିତି ତୁମେ କାହାକୁ ନୀତିଦିନ ଝୁରୁଛ । କଣ ସତରେ ତୁମର କେହି ..!” କହି ଅଟକିଗଲା ପ୍ରିୟା

-“ମୋତେ କେହି ଜଣେ ପ୍ରତାରଣା ଦେଇଚାଲିଯାଇଛି ଆଉ ମୁଁ ତାକୁ ମୋ କବିତାରେ ଖୋଜୁଛି , ଏଇଆତ ?” ପ୍ରଶାନ୍ତ ଟିକେ ଅଶାନ୍ତ ସ୍ଵରରେ କହିଲା ।

-“ନାହିଁ ମାନେ, ମୁଁ କଣ କହୁଥିଲି କି !”, କହି ରହିଗଲା ପ୍ରିୟା ।

-ତମକୁ ଉତ୍ତର ଦେବାକୁ ଯଦିଓ ମୁଁ ବାଧ୍ୟ ନୁହେଁ ତଥାପି ଶୁଣ । ହଁ ମୋର ଜଣେ ଆତ୍ମୀୟକୁ ମୁଁ ବହୁତ ଝୁରେ କିନ୍ତୁ ସେ ମୋର ପ୍ରେମିକ ନୁହେଁ ତାଠାରୁ ବି ଅଧିକ ଭଲପାଉଥିବା ମୋ ନିଜର ସାନାଭାଇ ଯିଏ ଆଉ ଦୁନିଆରେ ନାହିଁ । ମୋର ନିଜର ଟିକେ ଅବହେଳା ଯୋଗୁଁ ମୁ ତାକୁ ହରେଇଲି । ଦୁଇ ବର୍ଷ ତଳର କଥା,ସେଦିନ ଥାଏ ଦ୍ଵିତିୟ ରଜ । ମୁଁ ମୋର ସାନଭାଇକୁ ଦୋଳି ଖେଳି ବାକୁ ଯାଇଥାଏ । ପୂର୍ବ ପୂର୍ବ ଦିନ ରାତିରେ ଉପର ମୁଣ୍ଡରେ ଅତି ପ୍ରବଳ ବର୍ଷା ଯୋଗୁଁ ନଇ ବନ୍ୟା ପାଣି ବଢିଯାଇଥାଏ । ନଇ ଏକୁଳ ସେକୁଳ ଛୁଇଁଥାଏ । ମୁଁ ଆଉ ସାଙ୍ଗ ମାନଙ୍କ ସହ କୁନାକୁ ଧରି ନଇ ତୁଠକୁ ଆସିଲୁ । ସାଙ୍ଗମାନେ ସବୁ ନଇ ପହଁରା ପାଇଁ ଯୋଜନା କଲେ, ମୋ ବୟସର ଯେତେ ପିଲା ଆମ ଗାଁରେ କେହି ମୋତେ ନଇ ପହଁରାରେ ଟପି ଯାଇପାରିବେନି । ଆମେ ଏମିତି ପ୍ରତି ବନ୍ୟା ସମୟରେ ନଇ ପହଁରୁ । ଠାରେ ଦୁଇଥର ମାଡ଼ ବି ମୁଁ ଖାଇଛି ବାପାଙ୍କ ଠାରୁ ।-“ତମେ ଏତେ ଦୃଷ୍ଟଥିଲ ବୋଲି କଲ୍ପନା କରିପାରୁନି (ସ୍ମିତ ହସି) ପ୍ରିୟା କହିଲା । ଆଉ ତାପରେ ?”

-ସାଙ୍ଗ ମାନେ ଡାକିବାରୁ ମୁଁ କୁନାକୁ ଟିକେ ଦୋଳିରେ ଖେଳେଇଦେଇ କହିଲି ତୁ ଏଇଠି ଝୁଲୁଥା ମୁଁ ଆସୁଛି ୫ ମିନିଟରେ । ୫ମିନିଟ କଣ ମୁଁ ପହଁରୁଛି ଯେ ଏକୁଳରୁ ସେକୁଳକୁ ସାଙ୍ଗମାନଙ୍କ ସହ ପ୍ରତିଯୋଗୀତା କରି, ବିଲକୁଲ ହୋସ ନାହିଁ । ୟା ଭିତରେ କୁନା ଆସି ନଇ କୂଳରେ ହାଜର । ବଢିପାଣିକୁ ଗୋଡ ବଢେଇ ଟିକେ ଚବ ଚବ ହେଉଥିଲାକି କଣ ଭାଇ କରି ପାଟି ଶୁଭିଲା ଆଉ ଧୂମ କରି ଆବାଜ ଆସିଲା । ତା ପରେ ମୋର ଧ୍ୟାନ ଫେରିଲା, ଦେଖିଲା ବେଳକୁ କୁନା ନଇପାଣିରେ ଭାସି ଯାଉଛି । ସତଚେଷ୍ଟା ପରେ ବି ତା ଜୀବନ ରକ୍ଷା କରିପାରିଲୁନି ।

-ଆଖିରୁ ଧାର ଧାର ଲୁହ ବହି ଯାଉଥିଲା ପ୍ରଶାନ୍ତର ।

ପ୍ରିୟା ଆସି ତା’ ପାଖରେ ବସିଲା, ପ୍ରଶାନ୍ତର ହାତ ଧରି ତାକୁ ସାନ୍ତ୍ଵନା ଦେଲା ।

-“ଆଇ ଏମ ସୋ ସରି । ମୋତେ ଏସବୁ ପଚାରିବାର ନଥିଲା । ପ୍ଳିଜ ଫରଗିଭ ମି” କହି ନିଜର ରୁମାଲ ବଢାଇଦେଲା ପ୍ରିୟା । ପ୍ରଶାନ୍ତକୁ ଏତେ ଅନୁତପ୍ତ ଆଉ ଶୋକାକୁଳ ଦେଖି ନିଜକୁ କୋଷୁଥିଲା ପ୍ରିୟା ।

         ସେଦିନ ପରେ ବହୁତ ଥର ଏମିତି ଖେଳ ପଡିଆରେ ପ୍ରିୟା ଆଉ ପ୍ରଶାନ୍ତ ବସି ଗପସପ କରନ୍ତି । ଦୁହିଙ୍କ ଭିତରେ ବନ୍ଧୁତା ବହୁତ ବଢିଯାଇଥାଏ । ପ୍ରଶାନ୍ତକୁ ସାଥୀଟିଏ ମିଳିଯାଇଥାଏ ଆଉ ପ୍ରିୟା ଖୋଜୁଥିବା ତାର ଇପ୍ସିତ ମଣିଷଟିକୁ । ପ୍ରିୟା ତାକୁ ମନ ଖୋଲି ତା ହୃଦୟର କଥା କେବେ କହିପାରେନି । ପ୍ରିୟା ଚେଷ୍ଟା କରିବି ଜାଣି ପାରୁନଥାଏ ପ୍ରଶାନ୍ତ ହୃଦୟରେ ତା ପାଇଁ ସ୍ଥାନ ଟିକକ ଅଛିକି ନାହିଁ ।

         ଯୁକ୍ତ ତିନି ଶେଷ ବର୍ଷର ସେମିଷ୍ଟର ପରୀକ୍ଷା ପୂର୍ବରୁ ପ୍ରଶାନ୍ତର ନୋଟବୁକ ଆଣିଥାଏ । ଫେରାଇଲା ବେଳକୁ ରଖିଦିଏ ଚିଠିଟିଏ । ଲେଖିଥାଏ ଅଳ୍ପ କିଛି ହୃଦୟର କଥା ସେଥିରେ, ତାର କବିତା ସ୍ଵରରେ ଲେଖିଯାଏ ଜଣେଇଦେଇଥାଏ ମନର କଥା ତାର ଈପ୍ସିତ ମଣିଷକୁ । 


ପ୍ରିୟ ପ୍ରଶାନ୍ତ,

         ଆଞ୍ଜୁଳାଏ ପ୍ରେମ ନେବ ।

         ମୋର ପ୍ରଥମ ପ୍ରେମର ପ୍ରଥମ ଚିଠିର ଉତ୍ତରକୁ ଅନାଇ ବସିଛି କାହିଁ କେଉଁ କାଳରୁ .. ।

                  ଆଖି ଥକି ଗଲାଣି

                           ଅଧୁରା ସ୍ଵପ୍ନରେ,

                  ନିଦ ହଜିଗଲାଣି 

                           ତୁମ ପ୍ରତିକ୍ଷାରେ  

                  ପ୍ରେମ ହେଇଛି ବୋଲି,

                            ମୋ ମନ କହୁଛି,

                  ପ୍ରିୟତମା ପ୍ରିୟା,

                            ତା’ର ପ୍ରିୟତମକୁ ଝୁରୁଛି ।  


ଅହଲ୍ୟା ଭଳି ମୁଁ ପାଷାଣ ପରି ଚାହିଁ ରହିଛି ତୁମ ବାଟକୁ ।   

                                                                                   (ଇତି ତୁମର )

                                                                                              ପ୍ରିୟା

ପ୍ରିୟାଠୁଁ ନୋଟ ବୁକଟି ପାଇବା ପରେ, ସେଥିରେ ଥିବା ଚିଠିଟି ପଢି ପ୍ରଶାନ୍ତର ମନଟି ଅଶାନ୍ତ ହୋଇଯାଏ । ପ୍ରିୟା ପ୍ରତି ତା’ ମନରେ କି ଭାବନା ଅଛି !! ସେ କଥା ତାକୁ ଅଜଣା । ଏଇ ପ୍ରେମ ଶବ୍ଦଟି ବଡ ଅଡୁଆ ଅଡୁଆ ଲାଗିଲା ତାକୁ । ସାଥୀଟିଏ ମିଳିଥିଲା ସୁଖ ଦୁଃଖ ବାଣ୍ଟିବାକୁ କିନ୍ତୁ ସେ ଏକ ବନ୍ଧନ ଯେ ଚାହେଁ ସେକଥା ପ୍ରଶାନ୍ତ କେବେ ଭାବିନି । ଏ ବନ୍ଧନରେ ବାନ୍ଧି ହେବାକୁ ସେ କେବେ ମନସ୍ଥ କରିନି । ଚିଠି ପାଇବା ଦିନଟା ଯେମିତି ସରୁନଥାଏ, ଦିନଟା ତାକୁ ବର୍ଷଟିଏ ଭଳି ଲାଗେ । ଏକ କଠିନ ପ୍ରଶ୍ନର ଉତ୍ତର ସେ ଖୋଜୁଥାଏ ନିଜ ଭିତରେ ।

         ଦୁଇଟି ଅଲଗା ଉତ୍ତର, ମନ ଆଉ ହୃଦୟର । ବୟସର ଏ ସୋପାନରେ ଯେଉଁଠି ମେଞ୍ଚା ମେଞ୍ଚା ସ୍ଵପ୍ନର କଢି ମନ ଆକାଶରେ ଉଙ୍କି ମାରୁଛନ୍ତି, ସେଠି ଜୀବନ ଏକ ବନ୍ଧନର ଆହ୍ଵାନ .. !!

         କିଛି ନିଷ୍ପତ୍ତି ନେବା ଆଗରୁ, ପରଦିନ କଲେଜରେ ସେମିଷ୍ଟାର ପରୀକ୍ଷା ତାରିଖ ନୋଟିସ ବୋର୍ଡରେ ଲାଗିଯାଏ । ମାତ୍ର ଚାରି ସପ୍ତାହ ପରେ ପରୀକ୍ଷା ଆରମ୍ବ । ପ୍ରଶାନ୍ତ ଓ ପ୍ରିୟା ଦୁଇଜଣ ପରୀକ୍ଷା ପ୍ରସ୍ତୁତିରେ ଲାଗିଯାନ୍ତି । ପରୀକ୍ଷାର ଶେଷ ପେପର ଥାଏ କେମେଷ୍ଟ୍ରୀ ପ୍ରାକ୍ଟିକାଲ, ଲମ୍ବା ସମୟ ଧରି ଏ ପରୀକ୍ଷାରେ ପିଲାମାନେ ପରୀକ୍ଷା କମ ଇଆଡୁ ସିଆଡୁ କେମିକାଲ ସବୁ ମିଶାଇ ଧୂଆଁ କରୁଥିଲେ । କିଛି ଆସୁନଥିବା ପିଲାମାନଙ୍କ ମଧ୍ୟରୁ କିଛି ନାଲି, ନୀଳ, ସବୁଜ କେତେ ରଙ୍ଗ ଭିତରୁ କିଏ ପାନ ପତ୍ରର ଚିତ୍ର ଆଙ୍କିଲାଣି ତ ଆଉ କିଏ ନାଲି ରଙ୍ଗର ହାର୍ଟ ଚିତ୍ର । ପ୍ରଶାନ୍ତ ପାଖେ ଅନ୍ୟ ଗ୍ରୁପରେ ଥିବା ଝିଅଟେ ପାନ ପତ୍ରଟେ କରି ତୀର ମାରିଥାଏ, ଗୋଟେ ପାଖରେ ପ୍ରିୟା ଆଉ ଗୋଟେ ପାଖେ ପ୍ରଶାନ୍ତ ।

-ନିଜ ନାଁ ଦେଖି ପ୍ରଶାନ୍ତ ଟିକେ ଚମକି ଗଲା । “ପ୍ରିୟା ମୋତେ ଭଲପାଉଛି ବୋଲି କଣ ତା’ର ସବୁ ସାଙ୍ଗ ମାନଙ୍କୁ ସେ କହିଦେଇଛି ?”

କାହାକୁ କିଛି ପଚାରିବାର ସାହସ ନପାଇ ସେ ଫେରିଗଲା ହଷ୍ଟେଲକୁ ।

         ପରୀକ୍ଷା ସରିବାର ସପ୍ତାହ ପରେ ପୁଣି କ୍ଳାସ ଆରମ୍ଭ । ଏଇ ସପ୍ତାହ ଭିତରେ ପ୍ରଶାନ୍ତ ପ୍ରିୟାର ଚିଠିକୁ ଅନେକ ଥର ପଢିଛି ଆଉ ଉତ୍ତରରରେ ଚିଠିଟିଏ ପ୍ରିୟାକୁ ଦେବ ବୋଲି ଭାବିନେଇଛି ।

    ପର ସପ୍ତାହରେ କଲେଜରେ ପହଞ୍ଚିଯାଇଥାଏ ପ୍ରଶାନ୍ତ ଆଉ ଲାଇବ୍ରେରୀ ଆଗରେ ପ୍ରିୟା ଆସିବାର ବାଟକୁ ଚାହିଁଥାଏ । ଲାଇବ୍ରେରୀ ଆଗରେ ଧଳା ରଙ୍ଗର ମଶିର୍ଡିଜ କାରରୁ ଉଳ୍ହାଇଲେ ବୟସ୍କ ବ୍ୟକ୍ତି ଜଣେ ଆଉ ବହରକୁ ଆସି କାରର ପଛ ଡୋର ଖୋଲିଦେଲେ, ବାହାରକୁ ଆସିଲା ପ୍ରିୟା ହାତରେ ଗୋଟିଏ କାର୍ଡଟିଏ ଧରି ।

-“ବାପା ଇଏ ହେଉଛନ୍ତି ପ୍ରଶାନ୍ତ, ଆମ କ୍ଳାସର ଜଣେ ମେଧାବୀ ଛାତ୍ର ଆଉ ଭଲ ଲେଖକ ଜଣେ ମଧ୍ୟ” କହି ପରିଚୟ କରାଇଦେଲା ପ୍ରିୟା ତା’ର ବାପାଙ୍କୁ ପ୍ରଶାନ୍ତ ସହ ।

-“ନମସ୍କାର ମଉସା, ଭଲ ଅଛନ୍ତି ?” ନମସ୍କାର ଟି ପକାଇ କହିଲା ପ୍ରଶାନ୍ତ ।  

-“କେମିତି ଅଛ ବାବୁ ? ପରୀକ୍ଷା ଭଲ ହେଇଛି ?” ପ୍ରତି ନମସ୍କାରରେ କହିଲେ ପ୍ରିୟାର ବାପା ।

-“ହଁ ସବୁ ଭଲ ମଉସା ।“ 

- “ଆସ ବାବୁ, ଆମେ ଯାଉଛୁ ସାରଙ୍କୁ ଭେଟିବା ପାଇଁ । ତୁମେ ବି ଆସ” କହି ଚାଲିଯାଉଥିଲେ ପ୍ରିୟା ଉ ତା’ର ବାପା ।

-କ୍ଳାସ ଶିକ୍ଷକଙ୍କୁ କାର୍ଡଟିଏ ବଢେଇଦେଇ ପ୍ରିୟାର ବାପା କହିଲେ “ପ୍ରିୟାର ବାହାଘର ସିଦ୍ଧାନ୍ତ କରିଦେଇଛି, ଆଗାମୀ ମାସ ୫ ତାରିଖରେ ଏନଗେଜମେଣ୍ଟ ହେବ । ଆପଣଙ୍କୁ ନିମନ୍ତ୍ରଣ ରହିଲା, ସପରିବାରେ ଆସିବେ” ।

         ଗୋଡ଼ତଳୁ ମାଟି ଖସି ଯାଉଥାଏ ପ୍ରଶାନ୍ତର । ଚାରିଦିଗ ଦିଶିଯାଉଥାଏ, ତା ଚାରିପାଖେ ସବୁ କିଛି ଗୋଲ ଗୋଲ ବୁଲିଯଥାଏ ଏକ ଗ୍ଲୋବ ଭଳି । ଆକାଶଟା ସତେ ଯେମିତି ଖସି ପଡୁଥିଲା ତା ଉପରେ । ତାର ନିଜ ହାତଲେଖା ଚିଠିଟିକୁ ଛାତିରେ ଚାପି ଧରି ସେ ଫେରିଗଲା ହଷ୍ଟେଲକୁ .. । ଠିକଣା ଯାଏଁ ପହଞ୍ଚି ପାରିନଥିବା ତାର ସେଇ ଚିଠିଟିକୁ ସାଇତି ରଖିଲା ଅଭୂଲା ସ୍ମୃତି କରି ସବୁଦିନ ପାଇଁ ।         


ବିଜୟ କୁମାର ପଣ୍ଡା

ସବଙ୍ଗ, ସିମୁଳିଆ, ବାଲେଶ୍ଵର





Rate this content
Log in

Similar oriya story from Romance