Bijaya Panda

Children

4  

Bijaya Panda

Children

ପ୍ରଭୁ ଏବଂ ସିଂହର ଶକ୍ତି

ପ୍ରଭୁ ଏବଂ ସିଂହର ଶକ୍ତି

3 mins
198



ହୁତ ହୁତ ହୋଇ ଜଳୁଥିଲା ଜଙ୍ଗଲ । ସମସ୍ତେ ଭୟଭୀତ ହୋଇ ଦୌଡ଼ୁଥିଲେ ଯେଣେତେଣେ ଆପଣାପଣେ । ପ୍ରାଣଟା ବଞ୍ଚିଯାଉ ହେ ପ୍ରଭୁ ।  ଯଦିଓ ଜଙ୍ଗଲ ଜଳିବାର କାରଣ ଅଜଣା, ହେଲେ ଏ ଜଙ୍ଗଲରେ ଦାମୀ କାଠ ନାହିଁ କି ବେଶି ହରିଣ ନାହାଁନ୍ତି । ସୁତରାଂ କାଁ ଭାଁ ମଣିଷ ମାନେ ଯାତାୟାତ କରନ୍ତି । ତେଣୁ ଏ ଦୌଡ଼ରେ କେବଳ ବନ୍ୟ ପ୍ରାଣୀ ସାମିଲ । ଜଙ୍ଗଲ ଶେଷରେ ଯେଉଁ ଛୋଟିଆ ପୋଖରୀ ପରି ସ୍ଥିର ଆବଦ୍ଧ ମାନ ଜଳରାଶି ଅଛି ତାହା ଜନବସତିର ପାଖାପାଖି । ପୋଖରୀରେ ପାଣି କମ ପଙ୍କ ବେଶୀ । ସେଠାରେ ଗୋମାତା ଟିଏ ଜଳପାନ ଉଦ୍ଦେଶ୍ୟରେ ଆସି ପୋଖରୀ ଭିତରକୁ ପଶିଯାଇଛି ଯେ ଆଉ ବାହାରି ପାରୁନି ।   ଜଙ୍ଗଲର ରାଜା ସିଂହ ଦୌଡ଼ୁ ଦୌଡ଼ୁ ଆସି ପହଞ୍ଚିଲେ ସେଇ ପୋଖରୀ ପାଖରେ । ସେଠାରେ ଗୋମାତାକୁ ଦେଖି ତାଙ୍କ ଭିତରେ ଶିକାରୀ ଜାଗି ଉଠିଲା । ଗୋମାତାର ମାଂସ ଲୋଭ ତାଙ୍କୁ ଲାଗିଲା । ସିଂହ ରାଜା ପୋଖରୀ ଭିତରକୁ ଲମ୍ପ ପ୍ରଦାନ କଲେ।ପୋଖରୀର ପଙ୍କ, ରାଜା ଅବା ପ୍ରଜା ସମସ୍ତଙ୍କ ପାଇଁ ସମାନ । ପଙ୍କ ଦାଉରୁ ସିଂହ ରାଜା ଅବା କେମିତି ରକ୍ଷା ପାଇଥାନ୍ତେ ? ସେ ବି ଫସିଲେ କିନ୍ତୁ ଗୋମାତାକୁ ଭକ୍ଷଣ କରିବାର ଲୋଭ ତାଙ୍କୁ ଛାଡ଼ୁ ନଥାଏ । 


ସିଂହ ରାଜା : ଦେଖ୍ ..ଏବେ ମୁଁ ତୋର ବହୁତ ପାଖରେ । ଏବେ ମୋତେ ମୋ ଶିକାରରୁ କେହି ବଞ୍ଚିତ କରିପାରିବେନି ।


ଗୋମାତା: ହେ ଜଙ୍ଗଲର ରାଜା ଏବେ ଆମେ ଦୁହେଁ ଏଇ ପଙ୍କର କବଳରୁ କେମିତି ରକ୍ଷା ପାଇବା ସେଇକଥା ଚିନ୍ତା କଲେ ଆମ ଦୁହିଁଙ୍କ ପାଇଁ ଲାଭଦାୟକ ହେବ ।


ସିଂହରାଜା : ତୁ ମୋ ଶିକାର, ତୋତେ ଉଦ୍ଧାର କରିବି ବୋଲି କେମିତି ଭାବୁଛୁ ଯେ ? ଜଣେ ଶିକାରୀ ତାର ଶିକାରକୁ ତ୍ୟାଗ କରି ତାକୁ ସାହାଯ୍ୟ କରିବା କେବେ ଶୁଣିଛୁ ? ମୁଁ ତୋ ହାଡ଼ ମାଂସକୁ ଖାଇ ଯେଉଁ ଆନନ୍ଦ ଲଭିବି ତାହା ଭାବି ମୁଁ ଅନେକ ଆନନ୍ଦିତ ଏବଂ ଉତ୍ଫୁଲ୍ଲିତ । ଏଇତ ଆଉ କିଛିକ୍ଷଣ ମାତ୍ର ।


ଯେହେତୁ ସେ ଜଙ୍ଗଲର ରାଜା, ସବୁଠାରୁ ଶକ୍ତିଶାଳୀ ବନ୍ୟପ୍ରାଣୀ । ତେଣୁ ସିଂହର ଅହଂ ତାକୁ ହାର ମାନିବାକୁ ଦେଉନଥାଏ । ସିଂହ ରାଜା ଆହୁରି ଚେଷ୍ଟା କଲେ, ଖୁବ୍ ବଳ ଲଗାଇଲେ କିନ୍ତୁ କିଛି ଫଳ ହେଲାନି । ସେ ଆହୁରି ପଙ୍କ ଭିତରେକି ଫସିଲେ । ଏବେ ବେକ ଯାଏଁ ପାଣି ।ସିଂହରାଜାଙ୍କ ଏ ପ୍ରୟାସ ଦେଖି ଗୋମାତା ମଧ୍ୟ ଜୀବନ ବିକଳରେ ଅନୁରୂପ ପ୍ରୟାସ କରିବାକୁ ଲାଗିଲେ କିନ୍ତୁ ଫଳ କିଛି ହେଲାନି । ଏବେ ଦୁଇଜଣ ପଙ୍କ ଭିତରେ ବେକ ଯାଏଁ ଫସି ରହିଲେ । 


ଗୋମାତା : ଯେତେ ଚେଷ୍ଟାକଲେ ବି ଏବେ କିଛି ଲାଭ ନାହିଁ ରାଜା । ହେଲେ ଗୋଟିଏ କଥା ମୋତେ କହିବେ ? ଆପଣଙ୍କ ପ୍ରଭୁ କିଏ ? ସିଏ କଣ ଆପଣଙ୍କୁ ଉଦ୍ଧାର କରିପାରିବେନି ?


ସିଂହ ରାଜା:  ମୁଁ ଜଙ୍ଗଲର ରାଜା ମୋର ପୁଣି ପ୍ରଭୁ

କିଏ ? ଏଇ ଜଙ୍ଗଲର ସମସ୍ତ ବନ୍ୟପ୍ରାଣୀ ମୋର ଅନୁଗାମୀ । ସେମାନେ ମୋର ନିର୍ଦ୍ଦେଶ ମାନିବାକୁ ବାଧ୍ୟ ମୁଁ ହିଁ ଏଠି ସମସ୍ତଙ୍କର ପ୍ରଭୁ । 


ଗୋମାତା : କିନ୍ତୁ ମୋର ମାଲିକ ହେଉଛନ୍ତି ମୋର ପ୍ରଭୁ । ସେ ଭାରି ଯତ୍ନବାନ ଏବଂ ଦାୟିତ୍ୱବାନ। ମୁଁ ଘରକୁ ନଫେରିବା ଦେଖି ସେ ନିଶ୍ଚୟ ମୋତେ ଖୋଜି ଖୋଜି ଆସିବେ ଆଉ ମୋତେ ନିଶ୍ଚୟ ଉଦ୍ଧାର କରି ନେଇଯିବେ । ତୁମର କେହି ପ୍ରଭୁ ନାହାନ୍ତି କିଏ ଉଦ୍ଧାର କରିବାକୁ ଆସିବ ?


ସିଂହରାଜା ଗୋମାତାଙ୍କର ଏତାଦୃଶ୍ୟ ଆତ୍ମବିଶ୍ୱାସ ଦେଖି ଚକିତ ଥିଲେ । ଏବେ ସେ ଗୋମାତାଙ୍କର କଥା ମନକୁ ମନ ବିଚାର କରିବାକୁ ଲାଗିଲେ । ଇତିମଧ୍ୟରେ ଗୋମାତା ଘରକୁ ଫେରିବା ଡେରି ହେବା ଦେଖି ତାଙ୍କ ମାଲିକ ଖୋଜା ଖୋଜି କରୁଥିଲେ । ଜଙ୍ଗଲରେ ନିଆଁ ଲାଗିବାର ଦେଖି ଡାକ ଛାଡ଼ିଲେ । ଲୋକମାନେ ଜଙ୍ଗଲ ଆଡ଼କୁ ଧାଁ ଧପଡ଼ କଲେ ।  

  ପୋଖରୀ ଡେଇଁଲେ ଜଙ୍ଗଲ । ଗୋମାତାଙ୍କ ମାଲିକ ଖୋଜି ଖୋଜି ଆସି ପହଞ୍ଚିଲେ ସେଇ ପୋଖରୀ ପାଖେ । ଗୋମାତାଙ୍କୁ ଉଦ୍ଧାର କରିବାକୁ ଉପାୟ ପାଞ୍ଚିଲେ ଚେଷ୍ଟାକଲେ କିନ୍ତୁ ପାଖରେ ସିଂହରାଜାକୁ ଦେଖି ସେ ଭୟଭୀତ ଥିଲେ । ହେଲେ ବି ଚିନ୍ତାକଲେ ଯଦି ସିଂହରାଜା ତାଙ୍କ ବଳ ଲଗେଇ ଏ ପୋଖରୀରିର ପଙ୍କରୁ ଉଦ୍ଧାର ପାଇ ପାରିଥାନ୍ତେ ତାହେଲେ ଗୋମାତାକୁ କେତେବେଳରୁ ଶିକାର କରିସାରିଥାନ୍ତେ।

   ତେଣୁ ସେ ଭୟଭୀତ ନହୋଇ ଅନ୍ୟମାନଙ୍କ ସାହାଯ୍ୟ ନେଇ ଗୋମାତାକୁ ଉଦ୍ଧାର କଲେ । ଫେରିବା ବାଟରେ ଗୋମାତା ତାଙ୍କ ମାଲିକ ପ୍ରତି କୃତଜ୍ଞ ଥିଲେ । ବିଚାରା ସିଂହରାଜା ସେମିତି ପଙ୍କ ଭିତରେ ଫସି ରହି ତାଙ୍କର ପ୍ରଭୁ କିଏ ବୋଲି ଚିନ୍ତିତ ଥିଲେ ।  

 


Rate this content
Log in

Similar oriya story from Children