କରୋନାର କରୁଣ କଥା
କରୋନାର କରୁଣ କଥା


ପ୍ରାଇଭେଟ କମ୍ପାନୀରେ କାମ କରୁଥିବା ମେମ ସାହେବ ଙ୍କୁ ଆଜିକାଲି ବହୁତ କାମ ଦେଉଥିଲା କମ୍ପାନୀ । ଏଇ କରୋନା ଯୋଗୁଁ ତ ସାରା ଦେଶରେ ଲକ୍ ଡାଉନ, କେହି କୁଆଡ଼େ ଯିବାକୁ ହେବନି । ଏଇ ସୁଯୋଗରେ କମ୍ପାନୀ ଗୁଡ଼ାକ ଅତ୍ୟାଚାର କରିଚାଲିଛନ୍ତି ।
-- ମେମ ସାହେବ ସେଦିନ କାମବାଲି କୁ ତାଗିଦ୍ କରି କହିିିଥିଲେ..
: "ଏଇ ଲକ୍ ଡାଉନରେ କିଛି ଯାଏ ଆସେନି । ମୁଁ ତୋତେ ଦୁଇ ମାସର ଦରମା ଆଡ଼ଭାନ୍ସ ବି ଦେଇ ଦେଉଛି, ଯେମିତି ତୋର ଚଳିବାରେ କୌଣସି ଅସୁବିଧା ନହୁଏ । ଆଉ କିଛି ଦରକାର ହେଲେ କହିବୁ.. କିନ୍ତୁ ତୁ ଯେମିତି ଟାଇମ୍ ରେ ଦୁଇବେଳା ଆସିଯିବୁ, ହେଲା ? "
: "ହଉ ମାଡାମ, ତୁମେ ଚିନ୍ତା କରନି। ମୁଁ ରେଗୁଲାର ଆସିବି ।" କାମବାଲୀ କାମସାରି ଚାଲିଗଲା ।
--ପର ଦିନ କାମବାଲି ଆଉ ଆସିଲାନି । କେତେଥର ଫୋନ କଲେ ବି ଉଠେଇଲା ନାହିଁ ।
--ମେମ ସାହେବ ରାଗରେ ପାଟି କରି ନିଜକୁ ନିଜେ କହି ହେଉଥିଲେ। "ଯଦି ନଆସିବୁ, ଟିକେ ଆଗରୁ କହିବୁନି ? ଫୋନ କଲେ ବି ଉଠେଇବନି ! କେମିତିକା ଲୋକ ଯେ ..!!"
: " ଅଫିସ୍ ର ସବୁ କାମ, ରାତି ଯାଏଁ ମିଟିଂ ଉପରେ ମିଟିଂ ତା ସହିତ ରନ୍ଧା ବଢ଼ା, ବାସନ କୁସନ ଧୁଆ.. ଓ ହୋ.. ମଣିଷକୁ ନିଶ୍ୱାସ ନେବାକୁ ସମୟ ନାହିଁ ଯେ.. ! " ବିରକ୍ତି କର ଭାବରେ ଏକଥା ସ୍ୱାମୀଙ୍କୁ କହୁଥିଲେ ।
: "ଆଉଥରେ ଫୋନ ଲଗେଇ ଦେଖ..ନହେଲେ ଆଜି ଦିନଟା ଚଳେଇ ଦେବା। ମୁଁ ଟିକେ ସାହାଯ୍ୟ କରିଦେବି ।" ସ୍ୱାମୀ ଉତ୍ତର ଦେଲେ ।
--ସନ୍ଧ୍ୟାରେ ଥରେ ଫୋନ ଲଗେଇଲେ କିନ୍ତୁ ବନ୍ଦ ଅଛି ବୋଲି ଉତ୍ତର ଆସୁଥିଲା । ମଝିରେ କେତେଥର ଫୋନ ବି କରିଥିଲେ କିନ୍ତୁ ନିଷ୍ପଳ ହେଲେ ।
ପ୍ରାୟ ପନ୍ଦର ଦିନ ବିତି ଯାଇଥିଲା ।
ହଠାତ ସେଦିନ ସକାଳ ନଅଟା ବେଳେ ଫୋନ ଟା ବାଜି ଉଠିଲା । ଗୋଟେ ଅଜଣା ନମ୍ବର ରୁ ଫୋନ ଆସିଥିଲା । ମେମ ସାହେବ ଫୋନ ଉଠେଇଲେ ।
: "ହେଲୋ ମାଡାମ ..! ମୁଁ କାମବାଲୀ କହୁଛି ।"
: "ତୁ ଏତେ ଦିନ ହେଲା କୁଆଡ଼େ ଯାଇଥିଲୁ ଯେ ! ଫୋନ କରିକି ଜଣେଇପାରିଲୁନି !" ମେମ ସାହେବ ଟିକିଏ ଚଢ଼ା ଗଳାରେ କହିଲେ ।
: " ଏବେ ସମୟ କିଛି ଭଲ ନୁହେଁ..ଆଗ ଘର ପରିବାର କଥା ପଚାରି ବୁଝ..କଣ ସୁବିଧା ଅସୁବିଧା ଥିବ !" ମେମ ସାହେବଙ୍କ ସ୍ୱାମୀ ପଛରୁ କହୁଥିଲେ ।
ଉପରେ ରାଗ ଦେଖେଇଲେ ବି ନାରୀ ର ହୃଦୟ ବଡ଼ ଦୟାବାନ । ଆଉ ଜଣେ ନାରୀ ହୃଦୟ କଥା ଆପଣା ଛାଏଁ ବୁଝି ଯାଏ ।
କାମବାଲୀକୁ ସବୁ କଥା ପଚାରି ବୁଝିଲେ ମେମ ସାହେବ ।
: "ମାଡାମ ..ସେଦିନ ସକାଳୁ ଆମ ଗାଁ ରୁ ଫୋନ ଆସିଥିଲା। ଗାଁରେ ମାମୁଁ ଘରେ ରହି ପାଠ ପଢ଼ୁଥିବା ବଡ଼ ପୁଅର ଦେହ ବହୁତ ଖରାପ । ଆମେ ଗାଡ଼ିଟେ ପାଇଁ ବହୁତ ବୁଝା ବୁଝି କଲୁ କିନ୍ତୁ କେହି ରାଜି ହେଲେନି । କହିଲେ ସରକାରଙ୍କ ନିୟମ ଅଛି, ଏବେ ଗାଡ଼ି ଗଡ଼ିବନି । ଯଦି ତମ ଭିତରୁ କେହି ରୋଗୀ ଥାନ୍ତେ ତାହେଲେ ପୋଲିସ କୁ କହି କଣ ଗୋଟେ କରିହେଇଥାନ୍ତା.. ।
ଇଆଡ଼େ ସିଆଡେ଼ ଦଉଡ଼ା ଦୌଡ଼ି କରିବା ଭିତରେ ପୁରୁଣା ଫୋନ ଟା ବି ହାତରୁ ଖସି ପଡ଼ି ଖରାପ ହେଇଗଲା। ଆମେ ଭୋକ ଉପାସରେ ଶହ ଶହ ମାଇଲ ଚାଲି ଚାଲି ଆସି ଗାଁରେ ପହଞ୍ଚିଲୁ ।
:"ଓଃ.. ତୋ ପୁଅ କେମିତି ଅଛି ଆଗ କହିଲୁ ।" ମେମ ସାହେବ ଉତ୍କଣ୍ଠା ର ସହ ପଚାରୁଥିଲେ ।
:"ଭୋ ଭୋ ହେଇ କାନ୍ଦ ଶୁଭୁଥିଲା କାମବାଲୀ ର । ସେ ଆଉ ଏ ଦୁନିଆରେ ନାହିଁ ମାଡାମ। ଶେଷଥର ପାଇଁ ଆମେ ତା ମୁହଁ ବି ଟିକେ ଦେଖି ପାରିଲୁନି ମାଡାମ ।"
ସ୍ଥାଣୁ ପାଲଟି ଯାଇଥିଲେ ମେମ ସାହେବ । କାମବାଲୀ ଭିତରର ଗୋଟିଏ ମା'ର ହୃଦୟର ବ୍ୟଥା, ତାଙ୍କୁ ମର୍ମାହତ କରୁଥିଲା । ଅଜାଣତେ ଧାର ଧାର ଅଶ୍ରୁ ଗଡ଼ି ଯାଉଥିଲା।