ବାପାଙ୍କ ଶେଷଦେଖା
ବାପାଙ୍କ ଶେଷଦେଖା
ବୈଶାଖ ମାସର ତାତିରେ ଯେମିତି ଏ ଧରା ଜଳି ଯାଉଛି । ବୃକ୍ଷରାଜି ଶୁଖିଲା କାଠ ସଦୃଶ । ଚଉଁରା ମୂଳେ ସନ୍ଧ୍ୟାବତୀ ଜାଳିସାରିଥିଲେ ହରିହର ବାବୁଙ୍କ ସ୍ତ୍ରୀ ପାର । ହାଲକା ପବନ ଟିକେ ଆଶାରେ ବାଡ଼ିପଟକୁ ଖଟିଆଟିଏ ପକାଇ ଗଡୁଥାନ୍ତି ହରିହର ବାବୁ।
ଅଦା ମିଶା ନାଲି ଚା ହରି ବାବୁଙ୍କୁ ପସନ୍ଦ । ଚା ଆଉ ମୁଢି ଆଣି ଥୋଇଦେଲେ ପାର ।
ଅତୀତର ସ୍ମୃତି ସାଉଁଟିବାର ପ୍ରୟାସରେ ପୁଅ ଗଣିଆକୁ ମନେପକାଇ ଦେଉଥିଲେ ବାଲ୍ୟକାଳର କିଛି ଅନୁଭୂତି ।
ବାପ ଛେଉଣ୍ଡ ହରିହର ବାବୁ ମା'ର ପ୍ରୋତ୍ସାହନରେ ଗାଁ ସରକାରୀ ସ୍କୁଲରେ ସପ୍ତମ ଯାଏଁ ଶିକ୍ଷାଗ୍ରହଣ କରିଥିଲେ । ଇଛାଥିଲେ ବି ତାଙ୍କୁ ବଜାର ପାଖ ସ୍କୁଲକୁ ଯାଇ ପଢ଼ା ଜାରି ରଖିବାକୁ ପରିସ୍ଥିତି ସୁହାଇଲା ନାହିଁ ।
ଏବେ ତ ଗାଁ ସ୍କୁଲରେ ଦଶମ ଯାଏଁ ପଢ଼ିବା ସୁବିଧା ଦେଲେଣି ସରକାର । ଦୁଇଟି ଝିଅ ଆଉ ପୁଅ ଗଣିଆ ଗାଁ ସ୍କୁଲରେ ପଢ଼ି ଦଶମ ଶ୍ରେଣୀ ଭଲ ନମ୍ବରରଖିକୃତକାର୍ଯ୍ୟ ହେବା ତାଙ୍କ ଜୀବନର ବଡ଼ ସଫଳତା ଥିଲା । ଆନ୍ତଃ ସ୍କୁଲ ଶିଶୁ ମେଳାରେ ଝିଅମାନେ ସାଧାରଣଜ୍ଞାନ ଏବଂ ଗୀତ ପ୍ରତିଯୋଗିତାରେ ଆଣିଥିବା ପ୍ରମାଣପତ୍ର ଅଭିଭାବକ ଭାବେ ତାଙ୍କୁ ଅନେକ ଆନନ୍ଦ ଦେଇଥିଲା ବୋଲି କହିଥିଲେ ଗଣିଆକୁ।
ଜଣେ ଜଣେ ଉଦ୍ୟୋଗୀ ଆଦର୍ଶ ଚାଷୀ, ଭାଷା ପ୍ରେମୀ, ସଚ୍ଚୋଟ ଏବଂ ଉଦାର ମଣିଷ ଭାବେ ଆଖପାଖ ଗାଁରେ ହରିହର ବାବୁଙ୍କ ପରିଚୟ ଥାଏ । କୌଣସି ନୂଆ କିସମର ବିହନ ଅବା ନୂଆ ପ୍ରଣାଳୀ, କିମ୍ବା ଚାଷ ସମ୍ବନ୍ଧିତ ସରକାରଙ୍କ କୌଣସି ନୂଆ ଯୋଜନା ହେଉ..ହରିହର ବାବୁଙ୍କୁ ବ୍ଲକ ଅଧିକାରୀଙ୍କ ଆଗ ଡାକରା ପଡ଼େ।
ଏବେ କିନ୍ତୁ ସେଇ ପାର୍ଥିବ ଶରୀର ଶିଥିଳ ହୋଇ ଆସିଲାଣି । କ୍ଳାନ୍ତ ମନରେ ହରିହର ବାବୁ ପୁଅ ଗଣିଆକୁ ସେଦିନ କହିଥିଲେ "ବାବୁରେ କିଛି ଭଲ କାମ କରି ମୋ ନାଁ ରଖିବୁ.. ।"
ବଜାର ପାଖ ସରକାରୀ କଲେଜରେ ଯୁକ୍ତ ୩ର ଶେଷ ବର୍ଷର ଛାତ୍ର ଗଣିଆ କଣ ଭାବିଥିଲା କେଜାଣି ସାଙ୍ଗସାଥିଙ୍କ ଠାରୁ କିଛି ପଇସା ଆଦାୟ କରି ଅଭାବୀ ଲୋକଙ୍କୁ କମ୍ବଳ ଦାନ କରିବା, ମନ୍ଦିର ପାଖ ଭିକାରି ମାନଙ୍କୁ ଭୋଜନ ଦେବା ଆଦି କାମରେ ଲାଗିଯାଇଥିଲା । କିଛି ଖବରକାଗଜରେ ଏହି ଖବରଛାପି ବାପାଙ୍କୁ ଦେଖାଉଥିଲା ଗଣିଆ ।
ବାପାଙ୍କ ମୁଖମଣ୍ଡଳରେ ସେମିତି ଖାସ କିଛି ଉଲ୍ଲାସ ନଜର ଆସୁନଥିଲା । ବୈରାଗ୍ୟ ଆଉ ବାର୍ଦ୍ଧକ୍ୟ ଯୋଗୁଁ ଏସବୁ ବାପାଙ୍କୁ ପ୍ରଭାବିତ କରିପାରୁନି ଭାବି ଗଣିଆ ଏଥର କିଛି ବଡ଼ ସଫଳତା ଯୋଜନା କରୁଥିଲା ।
କିଛିଦିନ ବିତିଯାଏ। ଦୁଇଜଣ ନେତାଳିଆ ପିଲାମାନଙ୍କ ସହ ମିଶି ଅଣଲାଭଦାୟକ ସଂସ୍ଥା ଏନଜିଓ ଗଠନ କଲା । ବାହାର ଦେଶ ଲୋକ, ଏନ.ଆର.ଆଇ ମାନଙ୍କ ଠାରୁ ସାମାଜସେବା ପାଇଁ ପଇସା ଆଦାୟ କରିବାରେ ଲାଗି ପଡ଼ିଲେ ସାଙ୍ଗମାନେ । କିଛି କାର୍ଯ୍ୟକ୍ରମ କରି ଗଣମାଧ୍ୟମରେ ପ୍ରଶଂସା ସାଉଁଟିଥିଲେ ଏବଂ ଲୋକଲୋଚନକୁ ଆସିଲା ଗଣିଆ ।
ବଜାର ପାଖ ଅଞ୍ଚଳ ଆଜି ଚଳ ଚଞ୍ଚଳ ।ଆଜି ଉତ୍କଳ ଦିବସ ଅବସରରେ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ନେତା, ସମାଜ ସେବି, ଶିକ୍ଷକ, ଲେଖକ, ସାମ୍ବାଦିକ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ନିକଟସ୍ଥ ଥାନା ଅଧିକାରୀ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ସମୟ ଦେଖି କିଛିକ୍ଷଣ ପାଇଁ ସଭା ମଣ୍ଡିତ କରି ଯୁବ ସମାଜସେବି ମାନଙ୍କୁ ଉତ୍ସାହିତ କରିବେ।
ହରିହର ବାବୁ ଆଉ ଚଲାବୁଲା କରିପାରୁନଥିବାରୁ ତାଙ୍କୁ ହୁଇଲ ଚେୟାର ରେ ସଭାକୁ ଆଣିବାକୁ ବ୍ୟବସ୍ଥା କରିଛି ଗଣିଆ। ବାପାଙ୍କ ଉପସ୍ଥିତିରେ ଏମିତି ଏକ କାର୍ଯ୍ୟକ୍ରମ କରି ତାଙ୍କ କର କଳରେ କିଛି ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଇ ନିଜକୁ ଭାଗ୍ୟବାନ ମଣିବ ବୋଲି ଉତ୍କଣ୍ଠାର ସହ ସେ ମୁହୂର୍ତ୍ତକୁ ଅପେକ୍ଷା କରିଥିଲା ବୁବୁ ।
ସ୍ଥାନୀୟ ନେତାଙ୍କ ସମ୍ଭାଷଣରେ ସଭା ପ୍ରାରମ୍ବ ହେଲା । ସମାଜସେବି, ଶିକ୍ଷକ, ଲେଖକ, ସାମ୍ବାଦିକ ସମସ୍ତେ ନିଜର ବକ୍ତୃତା ଦେଇସାରିଥିଲେ। ଏବେ ଥାନା ଅଧିକାରୀଙ୍କ ଦ୍ଵାରା କିଛି ପ୍ରତିଭାଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରି ସମ୍ମାନିତ କରିବାର କାର୍ଯ୍ୟକ୍ରମ ଥିଲା । ବୁବୁ ଆଉ କାର୍ଯ୍ୟକର୍ତ୍ତା ମାନେ ଥାନା ଅଧିକାରୀଙ୍କ ବାଟ ଚାହିଁଥିଲେ ।
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଥାନା ବଡ଼ବାବୁ ସଦଳ ବଳେ ଆସି ପହଞ୍ଚିଲେ ।
:"କନେଷ୍ଟବଳ ଏ ପିଲା ସହିତ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରି ନେଇଚାଲ ଥାନାକୁ । ସେଇଠି ଏମାନଙ୍କ ସବୁ କାରନାମା ଫର୍ଦ୍ଦାଫାସ ହେବ।" ଥାନା ବାବୁ ଚଢ଼ା ଗଳାରେ କହିଲେ ।
ଗଣିଆ ଆଉ ତାର ଦୁଇ ଜଣ ସହଯୋଗୀଙ୍କୁ ହ୍ୟାଣ୍ଡକପ ପକାଇ ବାନ୍ଧି ନେଇଥିଲେ ଥାନା ବାବୁ । ନିଜ ଶ୍ରମ, ନିଷ୍ଠା ,ସଚ୍ଚୋଟତା, ସମ୍ବେଦନଶୀଳତା ଏବଂ ଭାଷା ଓ ସଂସ୍କୃତି ପ୍ରତି ଅଗାଢ଼ ପ୍ରେମ ପାଇଁ ଆଖପାଖରେ ପରିଚିତ ହରିହରବାବୁ ନିଜ ଦାୟଦର ଏଅବସ୍ଥା ଦେଖି ଚେୟାରରୁ ଟଳିପଡ଼ିଥିଲେ । ତାଙ୍କୁ ପାଖ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଖବର ପାଇ ଥାନା ଅଧିକାରୀ ହରିହର ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅବଗତ ହେବା ପାଇଁ କନେଷ୍ଟବଳକୁ ପଠାଇଲେ । କନେଷ୍ଟବଳ ହରିହର ବାବୁଙ୍କୁ ଜାଣେ । ସମାଜ ସେବା କରି ନାଁ ପ୍ରତିଷ୍ଠା ହାସଲ କରିବା ଉଦେଶ୍ୟରେ ପୁଅ ଗଣିଆ ଆଉ ସାଙ୍ଗମାନେ କିଛି ଲୋକଙ୍କଠାରୁ ଅସାଧୁ ଉପାୟରେ ଅର୍ଥ ଯୋଗାଡ଼ କରିଥିବା ଅଭିଯୋଗ ଆସିଛି । ଆଉ ଏହା ମଧ୍ୟ ଖବର ମିଳିଛି ଯେ କେଉଁ ଏକ ଆତଙ୍କବାଦୀ ସଙ୍ଗଠନ ସହ ବି ଅର୍ଥ କାରବାର ହୋଇଛି, ତାହାର ତଦନ୍ତ ଚାଲିଛି ।
କିଛି ବର୍ଷ ହେଲା ସ୍ଥାଣୁ ପାଲଟି ଯାଇଥିବା ଶରୀରକୁ ମନଟା ଆଜି ଭ୍ରମଣ ପାଇଁ ପ୍ରବର୍ତ୍ତେଇଥିଲା ..ହୁଏତ ଦାୟଦର ଅପରିପକ୍ୱ ସଫଳତା, ସାମାଜିକ ସ୍ୱୀକୃତି ଲଭିବ ତାହା ସ୍ୱଚକ୍ଷୁରେ ଅନୁଭବ କରିବା ଲାଳସା ଟି ତାଙ୍କ ନିଶ୍ଵାସରେ ଅମ୍ଳଜାନ ଭରିଦେଇଥିଲା ।
ରକ୍ତିମ ଅସ୍ତଗାମୀ ଭାନୁ ଅଦୃଶ୍ୟମାନ ହେଉଥିଲେ । ଦଳବଦ୍ଧ ହୋଇ ପକ୍ଷୀ ବାହୁଡ଼ି ଯାଉଥିଲେ ନିଜ ନିଡ଼କୁ । କନେଷ୍ଟବଳ ଥାନାକୁ ଫେରିଯାଇ ବଡ଼ବାବୁଙ୍କୁ ଖବରଦେଲା ଗଣିଆକୁ ବାପାଙ୍କ ଶେଷଦେଖା ପାଇଁ ଅନୁମତି ଦିଆଯାଉ ।