ମା
ମା
: "ବା ମୁଁ ଇସ୍କୁଲ ଯିବି, ମୁଁ ପାଠ ପଢ଼ିବି ।" ସାତ ବର୍ଷର ସାବି ତା ବାପା କୁ କହୁଥାଏ ।
: "ଝିଅ ପିଲା ଇସ୍କୁଲ ଯାଇ କଣ ହେବ ? ଘରର ଦି ପାଇଟି ରେ ହାତ ବଟା । ରନ୍ଧା ବଢ଼ା ଶିଖେ । ଆଉ ବର୍ଷ ଚାରି ପାଞ୍ଚ ଟା ଗଡ଼ି ଗଲେ ହାତ କୁ ଦି ହାତ କରିଦେଲେ ବଡ଼ କାମ ତୁଟି ଯିବ।" ଜେଜେମା ତାଗିଦ୍ କରି କହୁଥିଲେ । ଦୁଇଟି ସଦ୍ୟଜାତ ଶିଶୁ ପୁତ୍ରକୁ ହରାଇଲା ପରେ ସାବିର ମା ଯେମିତି ସ୍ଥାଣୁ ପାଲଟି ଯାଇଥିଲେ।
: "ସିଏ ତ ନିଜେ ଖଡ଼ି ଛୁଇଁନି ହେଲେ ଛୁଆଟା ଯଦି ପାଠ ପଢିବା ପାଇଁ ଚାହୁଁଛି ତାହେଲେ ପଢ଼ୁ" ଏକଥା ମନେ ମନେ ଭାବୁଥାଏ ସାବି କିନ୍ତୁ ଶାଶୁଙ୍କ ମୁହଁରେ କିଏ ଜବାବ ଦେଵ ! ଘରେ କେହି ଜଣେ ବି ସ୍କୁଲ ମାାଟି ମାଡ଼଼ି ନାହାନ୍ତି, ସାବିର ଅବସ୍ଥା ବି ସେଇଆ ହେଲା।ସ୍କୁଲ ରେ ପାଦ ଥାପିବା ଆଗରୁ,ବହି ବସ୍ତାନି ଦେଖିବା ଆଗରୁ ପାଠପଢ଼ାର ଡୋରି ବନ୍ଧା ହେଲା,ଶିକ୍ଷିତ ହେବାର ଆଶା ଆଶାରେ ହିଁ ରହିଗଲା ଚିର ଦିନ ପାଇଁ । ଅଳ୍ପଦିନ ଭିତରେ ସାବିର ଜେଜେମା ଚାଲିଗଲେ।
: "ପୁଅଟିଏ ନାହିଁ, ଝିଅ ବାହା ହେଇଗଲା ପରେ ଆମକୁ କିଏ ଦେଖିବ ! ମଲା ବେଳେ କିଏ ମୁହଁରେ ପାଣି ଟୋପେ ଦେଵ ! ଆମ ମଲା ମୁହଁରେ ନିଆଁ କିଏ ଦେଵ !" ଏମିତି ଶହେ ପ୍ରଶ୍ନ ମନକୁ ମନ ପଚାରୁଥାଏ ସାବିର ମା ନିଜକୁ ।
ବାଉଳି ଚାଉଳି ହେଉଥାଏ ଅନେକ ସମୟରେ । ମାନସିକ ରୋଗରେ ଶିକାର ହୋଇ ସାବିର ମା ବି କିଛିଦିନ ଭିତରେ ବିଛଣା ଧରିଲେ।
ଘରର ସବୁ ଦାୟିତ୍ୱ ଏବେ ସାବି ଉପରେ ନ୍ୟସ୍ତ ଥିଲା । ମାତ୍ର ବାର ବର୍ଷ ବୟସ ହେଲାବେଳକୁ ତାର ମା ଚାଲିଯାଇଥିଲା ।ମା ଛେଉଣ୍ଡ ସାବି ଅନେକ କାନ୍ଦିଥିଲା ବାହୁନିବାହୁନି, ହେଲେ ନିୟତିର ଖେଳ, ଜନମ ଆଉ ମରଣ କାହା ହାତରେ ବା ଅଛି । ମା ଚାଲିଗଲା ପରେ, ସାବିର ବା(ବାପା) ଜିଦ୍ଦି କରିଥିଲା ସାବିକୁ ବାହା କରିଦେବାକୁ। କେତେ ମାନକଲେ ବି ତା' ବା ତା' କଥା ମାନିଲାନି ।
: "ମା ଛେଉଣ୍ଡ ପିଲାଟା ତୁ.., କେତେ ଦୁଃଖରେ ସବୁବେଳେ ଥାଉଛୁ । ବାହାହେଲେ ତୋ ସ୍ୱାମୀ ତୋତେ ଭଲ ଦେଖିବ, ଖୁସିରେ ରଖିବ । ତା ଛଡ଼ା କାମଧନ୍ଦା ରେ ବ୍ୟସ୍ତ ରହି ମୁଁ ତ ଦିନସାରା ଘରେ ରହୁନି । ଯୁଗ ସମିଆ ଭଲ ନାହିଁ । ବଢ଼ିଲା ଝିଅ.. କେତେବେଳେ କଉକଥା । ହାତକୁ ଦି'ହାତ କରିଦେଲେ ମୁଁ ଶାନ୍ତିରେ ନିଶ୍ୱାସ ମାରିବି ।" ସାବିର ଵାପା ଯୁକ୍ତି କରୁଥିଲା ।
ବୟସ ଚଉଦ ହେଲାବେଳକୁ ସାବିର ବାହା କରିଦେଲା । ଚଉଦ ବର୍ଷର ବଢ଼ିଆଳ ଡଉଲ ଡାଉଲ ଝିଅ ସାବି ଅଠର କି କୋଡ଼ିଏ ବର୍ଷର ଝିଅ ଭଳି ଦେଖାଯାଉଥାଏ । ଦେବା ପାଇଁ ତା' ବା ପାଖେ କିଛି ନଥିଲା। ଖାଲି ସାବିକୁ ପସନ୍ଦ କରି ଶାଶୂଘର ଲୋକେ ବାହାଘରରେ ରାଜି ହେଇଗଲେ । ଆମାୟିକ ସାବି ନିରୁପାୟ ଥିଲା ।
ନିଷ୍ଠୁର ନିୟତି.., ନା ବାପା ମା'ର ସେନେହଁ ନା ପିଲାଦିନ ସାଙ୍ଗ ସାଥି ମେଳ ନା ଧୂଳିଖେଳ । କିଛି ତା' ଭାଗ୍ୟରେ ଲେଖା ନଥିଲା ଯେମିତି । ଚଉଦ ବର୍ଷର ସାବି ଏବେ ଜୀବନକୁ ବେଶ ବୁଝି ଯାଇଥିଲା । ଦଇବ ଯାହା ଲେଖିଛି ଯାହା ମୋ କପାଳେ ସେଇଆ ହବ ।
:"ବା ଆଉ ଦି ଚାରିଟା ବର୍ଷ ତୋ ପାଖେ ମୋତେ ରହିବାକୁ ଦେଇଥିଲେ ହେଇନଥାନ୍ତା ମୁଁ ଦିପାଇଟି କରି ମୋ ପେଟ ପୋଷି ଥାନ୍ତି,ଏତେ ଶୀଘ୍ର ମୋତେ ପର ହାତକୁ କାହିଁକି ଟେକି ଦଉଛୁ ! ମୁଁ କଣ ତୋ ଉପରେ ବୋଝ ହେଇଗଲି ?"କାନ୍ଦି କାନ୍ଦି ସାବି ତା 'ବା କୁ ପଚାରିଲା ଶାଶୁ ଘରକୁ ଯିବାବେଳେ।
:"ଯାହା ତୋ ଭାଗ୍ୟରେ ଲେଖା ଥିଲା..ସେଇଆ ହେଲା ।" କୋହଭରା ହୃଦୟରେ ଛଳ ଛଳ ଆଖିରେ ଉତ୍ତରଦେଲା ତା'ର ବା । ବାହା ହେଇ ଶାଶୁ ଘର ଗଲା ସାବି । ଛ'ମାସ ଭିତରେ ଖବର ପାଇଲା ଯେ ବା ତା'ର ନିଶା ଖାଇ ସନ୍ଧ୍ୟାବେଳ ଟାରେ ରାସ୍ତା କଡ଼ରେ ପଡିଥିଲା,ସାପ କାମୁଡ଼ାରେ ପ୍ରାଣ ଚାଲିଗଲା ତା'ର । ବାପଘର ବୋଲି ଆଉ କିଛି ନଥିଲା ତା'ର।ଭାଗ୍ୟକୁ ଆଦରି ଏବେ ଶାଶୁ ଘର ତା ପାଇଁ ସବୁ କିଛି ବୋଲି ଧରି ନେଇଥିଲା ।
++++++++
କୁସୁମର କୁନି କୁନି ଓଠରେ ପ୍ରଶ୍ନର ସମ୍ବାରର ଉତ୍ତର ଖୋଜି ପାଉନଥିଲା ସାବି ।
: "ମା'..ମା'.. ମୋ ବା କିଏ, କଉଠି ଅଛି ?" "ବା ଆମ ସହ କାହିଁକି ରହୁନି !" ବେଳକୁ ବେଳ ଏ କୁସୁମର ଏ ପ୍ରଶ୍ନ ଶୁଣି ଅଣନିଶ୍ବାସୀ ହେଇ ପଡୁଥାଏ ସାବି । ଛାତିରେ କିଏ କଣ୍ଟା ଫୁଡିଲା ପରି ଲାଗୁଥାଏ ତାକୁ । କୁସୁମ ଏବେ ସ୍କୁଲ ଗଲାଣି । ସକାଳୁ ତାକୁ ସ୍କୁଲରେ ଛାଡ଼ି ଆଖିଲୁହ ପୋଛି ଫେରୁଥାଏ ସାବି । କୁନି କୁନି ଉଠରେ ତାର ଗୁଲୁ ଗୁଲିଆ କଥା ଶୁଣି ସବୁ ଦୁଃଖ ଭୁଲି ଯାଏ ସାବି ହେଲେ, ତା'ର ବା ବିଷୟରେ ଏଇ କେତୋଟି ପ୍ରଶ୍ନ ସାବିର ହୃଦୟକୁ ଆଘାତ ଦେଉଥାଏ ।
: "କେମିତିକା ମଣିଷର ହାତ ଧରିଥିଲା ସେ ? ବରଂ ଆଜୀବନ କୁଆଁରୀ ରହିବାର ଦୁଃଖ କିଛି କମ ପଡିଥାନ୍ତା !" ଏମିତି କେତେ କଣ ଭାବି ନିଜ ପୋଡ଼ା କପାଳକୁ ନିନ୍ଦୁ ଥାଏ ସେ । ଅଗ୍ନିକୁ ସାକ୍ଷୀରଖି ସାତ ଫେରାନେଇ ସାତଜନ୍ମକୁ ସାଥିହେଇ ରହିବାକୁ ପ୍ରତିଶ୍ରୁତି ଦେଇଥିବା ସେଇ ବାହାଘର ଥିଲା ସାତ ବରଷର ତଳ ପୁରୁଣା କାହାଣୀ ପାଲଟି ଯାଇଛି । ବାହାଘରର ବର୍ଷେ ନପୂରୁଣୁ ଗର୍ଭବତୀ ହେଇଥିଲା ସାବି । ମନରେ ଥିଲା ଅସୁମାରି ସ୍ଵପ୍ନ । କଥାରେ କଥାରେ କେବେ ଶାଶୁ କୁହନ୍ତି ନାତି ଟୋକା ଆସିବ, ଘର ହସି ଉଠିବ । କଥାଟା ସାବିକୁ ବେଳେ ବେଳେ କାହିଁକି ଅଡୁଆ ଲାଗେ ।
: "ଶାଶୁ ମା ନାତି ଟୋକାର ସପନ ଦେଖୁଛନ୍ତି, ଯଦି ଆମର କୋଳରେ ଭଗବାନ ଝିଅଟେ ଦିଅନ୍ତି ତାହେଲେ ତୁମେ ଖୁସି ହେବ କି ନାହିଁ ?" ସ୍ଵାମୀକୁ ପଚାରିଥିଲା ସାବି ।
: "ପୁଅ ଇଚ୍ଛାଥିଲେ ବି ଝିଅ ହେଲେ କିଛି ଚିନ୍ତା ନାହିଁ, ଏବେ ତୁ ମନଶାନ୍ତିରେ ରହ" ଉତ୍ତର ଦେଲେ ସାବିର ସ୍ଵାମୀ । ସେଦିନ ସ୍ବାମୀଙ୍କର ଏହି ଉତ୍ତରରେ କିଛିଟା ସାନ୍ତ୍ଵନା ପାଇଲା ବୋଧେ ସାବି । ଏମିତି ବି ଥରେ ଡାକ୍ତର ପାଖକୁ ଯାଇଥିଲା କିନ୍ତୁ ଡାକ୍ତର ସୋନୋଗ୍ରାଫି କରିବାକୁ ମନା କରିଦେଇଥିଲେ ନହେଲେ ହୁଏତ ସେଇଟି କଥା ସରିଯାଇଥାନ୍ତା । ସେଦିନ ରାତିରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହେଲା, ଗାଁ ପାଖାପାଖି ଡାକ୍ତରଖାନାଟେ ନାହିଁ । ବହୁ ସମୟ ସଂଘର୍ଷ ପରେ ଶିଶୁ କନ୍ୟାଟିଏ ଜନ୍ମଦେଇ କିଛି ସମୟ ବେହୋସ ହେଇଯାଇଥାଏ ସାବି । ହୋସ ଆସିଲା ପରେ ଦେଖେ ତ, ପାଖରେ ଶାଶୁ ବସି କାନ୍ଦୁ ଥାନ୍ତି ।
: "ମୋ ଛୁଆ କାହିଁ ?" ସାହସ ଧରି,ଛାତିରେ ହାତ ରଖି, ଭଗବାନଙ୍କୁ ଡାକି ସାବି ପଚାରିଲା ।
: "ମଲା ଛୁଆଟେ (ଝିଅ) ଜନ୍ମଦେଇଥିଲୁ, ତୋର ହୋସ ବି ନଥିଲା । ଡେରି ନକରି ରାତି ନପାହୁଣୂ ତାକୁ ନେଇ ପୋତି ଦେବାକୁ ଯାଇଛି ତୋ ସ୍ଵାମୀ, ଏଇ ଫେରୁଥିବ ବୋଧେ" କହିଲେ ସାବିର ଶାଶୁ । ଛାତି ଫଟେଇ କାନ୍ଦୁ ଥିଲା ସାବି । ନିନ୍ଦୁ ଥିଲା ନିଜ ପୋଡ଼ା କପାଳକୁ । ଗାଁରୁ କିଛି ଦୂର ଗଲେ ଆରମ୍ବ ହୁଏ ଜଙ୍ଗଲ । ସାବିର ଶାଶୁ ଭଳି ସ୍ବାମୀ ବି ପୁଅଟିଏ କାମନା ଥିଲା । ଝିଅ ଜନ୍ମ ହେଲାପରେ ତାକୁ ଜଙ୍ଗଲ ସେପାଖ ପାହାଡ଼ ପାଖେ ଛାଡ଼ିଦେଇ ଆସିଲେ ସକାଳର ସୁରୁଜ ଉଇଁବା ପୂର୍ବରୁ । ନବଜାତ ଶିଶୁଟି ଜୀବନ ସହ ସଂଘର୍ଷ କରୁଥିଲା ଜୀବନ ସହ କିନ୍ତୁ କେବଳ ପୁତ୍ର ସନ୍ତାନର ସ୍ଵପ୍ନ ଦେଖିଥିବା ସେଇ ନିର୍ଦ୍ଦୟ ପିତାର ହୃଦୟରେ ଟିକେ ବି କରୁଣା ଆସିନଥିଲା ।
: "ଝିଅ ଜନ୍ମ କଣ ଅଲୋଡ଼ା !" କୁଆଁ କୁଆଁ ଶବ୍ଦରେ ଶିଶୁ ହୃଦୟ ବୋଧେ ସେଇ ବିଶ୍ଵନିୟନ୍ତାଙ୍କୁ ପ୍ରଶ୍ନ ପଚାରୁଥିଲା । ସେ ଡାକ ଶୁଣିଥିଲା ଜଙ୍ଗଲ ସେପାଖ ପାହାଡ଼ ତଳ ଆଦିବାସୀ ବସ୍ତିର ଦାସିଆ ଅଜା, ତାକୁ ପାଇ ଘରକୁ ନେଇଯାଇଥିଲା । ଫୁଲନ ଆଇ ଯତ୍ନରେ ପାଳିଥିଲା ତାକୁ, ଆଉ ନାଁ ରଖିଥିଲା କୁସୁମ । ଫୁଲନ ଆଇ ବଗିଚାର ସତରେ ଫୁଟିଥିଲା କୁସୁମ ଫୁଲ ହେଇ ।
ଏପଟେ ସନ୍ତାନକୁ ହରାଇବା ପରେ ଭାଙ୍ଗି ପଡିଥିଲା ସାବି । ଅଳ୍ପ କିଛିଦିନ ଭିତରେ ଜାଣି ଯାଇଥିଲା ତା'ର ସ୍ଵାମୀ ଆଉ ଶାଶୁ ମିଳିତ ଯୋଜନା ବିଷୟରେ, ତତସହିତ ତା ହୃଦୟର ଟୁକୁଡ଼ା ଜୀବିତ ଅଛି ବୋଲି ମଧ୍ୟ ।
ସେଦିନଠୁଁ ସକାଳର ସୁରୁଜ ଉଇଁଲେ ତାର ମନ ଥାଏ ଜଙ୍ଗଲ ଆଉ ପାହାଡ ପାଖେ, ଖୋଜିବୁଲେ କୁସୁମକୁ । ଇତି ମଧ୍ୟରେ ସାବିର ସ୍ଵାମୀ ଦ୍ଵିତୀୟ ସନ୍ତାନ ପାଇଁ ସାବି ସହ ହୁଅନ୍ତି କିନ୍ତୁ ରୋକ ଠୋକ ମନା କରିଦିଏ ଆଉ ଗର୍ଭ ଧାରଣ କରିବନି, ଫଳରେ ସ୍ଵାମୀ ଆଉ ଶାଶୁର ନିର୍ଯାତନା ସହିନପାରି ଘର ଛାଡି ଦିଏ । ଜଙ୍ଗଲ ଆଖପାଖ ଖୋଜା ଖୋଜି କରି ପାହାଡ ତଳ ଆଦିବାସୀ ବସ୍ତିରେ ପହଞ୍ଚେ । କିଛି ବର୍ଷ ତଳେ ତାର ଗାଁ କୁ କେଇଥର ଆସିଥିବା ଦାସିଆ ଅଜା ଆଉ ଫୁଲନ ଆଇପାଖେ କୁନି ଝିଅକୁ ଦେଖି ତା ବିଷୟରେ ଖୋଳତାଡ଼ କରି ପଚରା ଉଚରା କଲା ।
ଜାଣିପାରିଥିଲା ଯେ ରାତ୍ରୀ ର ଅନ୍ଧାରରେ ତା ସ୍ବାମୀ ଛାଡ଼ି ଚାଲିଯାଇଥିବା ତା'ର ହୃଦୟର ଟୁକୁଡ଼ା ହିଁ ସେଇ କୁସୁମ । ଖୁସିର ଲହଡ଼ି ଖେଳିଯାଇଥିଲା ତାର ଜୀବନରେ । ସେବେଠୁଁ କୁସୁମ ସହ ସେ ଫୁଲନ ଆଇ, ଦାସିଆ ଅଜାର ଝିଅ ହେଇ ସବୁଦିନ ପାଇଁ ରହି ଯାଇଥିଲା ।
ବସ୍ତିଠାରୁ ତିନି କୋଷ ଦୂରରେ ଥିବା ଖଣିରେ କାମ କଲା ସାବି । ନିଜର ଇଛା ବିରୁଦ୍ଧରେ ଯାଇ ବାଲ୍ୟ ଵିଵାହ କରିଥିବା ସାବି, ପରିସ୍ଥିତି ରେ ପଡ଼ି ନିଜେ ପାଠପଢ଼ାରୁ ବଞ୍ଚିତ ହେଇଥିବା ତଥା ତା'ସହ ଘଟିଥିବା ଅନ୍ୟାୟ ତା' ଝିଅ ସହ ଯେମିତି ନଘଟୁ, ସେଥିପାଇଁ ନିଜକୁ ତଥା ଝିଅକୁ ସବୁ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତି କରୁଥିଲା। ମୁଣ୍ଡ ଝାଳ ତୁଣ୍ଡରେ ମାରି କୁସୁମର ଭବିଷ୍ୟତ ପାଇଁ ଅର୍ଥ ସଂଚୟ କରିଚାଲିଲା ।
ଝିଅ ତା'ର ମାଷ୍ଟ୍ରିଆଣି ହେବ ବୋଲି ସ୍ୱପ୍ନ ଦେଖୁଛି ସେ । ଦାସିଆ ଅଜା ଆଉ ଫୁଲନ ଆଈ ପରି ଦରଦୀ ହୃଦୟର ମଣିଷ ଦୁଇଟି ଆଜି ସାବି ଆଉ କୁସୁମ ପାଇଁ ଭଗବାନ ପାଲଟି ଯାଇଛନ୍ତି ।