ବୟସର ଅପରାହ୍ନରେ
ବୟସର ଅପରାହ୍ନରେ
ସେଦିନ ରବି ବାବୁ ସକାଳର ନିତ୍ୟକର୍ମ ସାରି ନିଜପାଇଁ ଚା ତିଆରି କଲାବେଳେ ଭାରି ଅନ୍ୟ ମନସ୍କ ଥିଲେ, ଅତୀତର ସ୍ମୃତି ସବୁ ଯେମିତି ଆଖି ଆଗରେ ନାଚି ଯାଉଥିଲା । ଘରେ ସ୍ୱାମୀ, ସ୍ତ୍ରୀ ଦୁଇ ପ୍ରାଣୀ, ବୟସର ଅପରାହ୍ନରେ ଅବତୀର୍ଣ୍ଣ.. ସମୟ ଯେମିତି ଏକାକୀ କରିଦେଇଛି । ଚା’ କପ ଟି ହାତରେ ଧରି ଲନରେ ବସି ପେପରକୁ ନଜର ପକେଇଲାବେଳେ ଆଖିରେ ପଡିଲା ଭାରତର ପ୍ରଧାନମନ୍ତ୍ରୀଙ୍କ ଇଂଲଣ୍ଡ ଗ୍ରସ୍ତ ସମ୍ବଦ୍ଧୀୟ ଖବର । ଇଂଲଣ୍ଡରେ ଥିବା ପ୍ରବାସୀ ଭାରତୀୟଙ୍କ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତର ଛବିରେ ହଠାତ ପୁଅ ଓ ନାତିର ଚିତ୍ର ଦେଖି ମନଟା ବହୁତ ଗୁଡେ଼ଇ ପୁଡ଼େଇ ହେଲା ।
ନାତି ଟୋକାକୁ କେତେ ବର୍ଷ ହେଲା ପାଖରୁ ଦେଖି ନାହାନ୍ତି । ଜୀବନର ସବୁ ଦୁଃଖ ସେ ଭୁଲି ଯା’ନ୍ତି ନାତିର କୁନି କୁନି ଓଠରେ ପାଟିଲଗା କଥା ଶୁଣି । ନାତି’ର ଅସରନ୍ତି ପ୍ରଶ୍ନର ଉତ୍ତର ଦେଉ ଦେଉ ସମୟ କଟିଯାଉଥିଲା ତାଙ୍କର । ଏ ଦେଵତା କିଏ ? ସେ ଦେବୀ କିଏ? ସେ ଦେବତାଙ୍କ ହାତରେ ସେ ଅସ୍ତ୍ର ଟା କଣ ? ସେ ଦେବୀ ମାତାଙ୍କ ହାତରେ ସେ ଅସ୍ତ୍ରଟି କାହିଁକି ଅଛି ? ଏମିତି କେତେ ପ୍ରଶ୍ନ ଠିକ ତା’ର ବାପା ଭଳି । ଓଃ ହୋ ଦିନଟି କେମିତି କଟିଯାଏ କିଛି ଜଣାପଡେନି । କୁଆଡ଼େ ହଜିଗଲା ସେ ସମୟ.. !!
କିଛି ଦିନ ପାଇଁ ଭାରତ ଆସନ୍ତାନି ! ଆସିଲେ ବି କିଲାଭ ! ନାତି ଏବେ ବଡ଼ ହେଇଗଲାଣି, ଇଂଲଣ୍ଡରେ ତାର କେତେ ସାଙ୍ଗ ! ସବୁ ଖାଲି ଇଂରାଜୀରେ ଫୁସପାସ । ଯେଉଁ ଟିକେ ଓଡ଼ିଆ ଆସୁଥିଲା ତାହା ବି ଆସୁଛି ନା ଭୁଲିଗଲାଣି କେଜାଣି ..!!
ରବିବାବୁ ଓ ପତ୍ନୀ ସାବିତ୍ରୀଙ୍କର ଏକମାତ୍ର ସନ୍ତାନ ବିଷ୍ଣୁ । ସୁନା ମୁଣ୍ଡା ପରି ପୁଅ ତାଙ୍କର .. ଭାରି ସ୍ନେହି, ପିଲାଟିବେଳୁ ବାପା ବାପା ବୋଲି ପାଣି ପିଏନି । ସକାଳର ଦାନ୍ତ ମଞ୍ଜନଠୁ ଆରମ୍ଭ କରି, ଗାଧୁଆ ପାଧୁଆ, ଠାକୁର ପୂଜା, ଖେଳକୁଦ ଓ ରାତିରେ ଶୋଇବା ଯାଏଁ ସବୁଥିରେ ବାପା ହିଁ ଦରକାର । ବାପା ମା ଦୁଇ ଜଣଙ୍କୁ ନେଇ ତାର ଜୀବନ । ବାପା ମାଙ୍କ ଠୁଁ ବି ଅଧିକ ସ୍ନେହୀ ଅଜା ଆଇଙ୍କ ସ୍ନେହ ମମତାର ଝର ବେଶୀ ଦିନନଥିଲା । ସେ ଦଶ ବର୍ଷର ଥିଲାବେଳେ ଦୁହେଁ ଚାଲି ଯାଇଥିଲେ ଆରପାରିକୁ ।
ରବି ବାବୁଙ୍କ ବାପା ମା’, ଗାଁ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଆସି ରହିପାରିବେନି ବୋଲି ରୋକଠୋକ କହିଦେଇଥିଲେ । ବାପାଙ୍କୁ ସହରର ପାଣିପବନ ତାଙ୍କୁ ଭଲ ଲାଗେନି। ଝିଅଟିକୁ ଗାଁ ପାଖରେ ବିଭା କରେଇଛନ୍ତି । ପ୍ରାୟ ସବୁ ପୂଜା ପର୍ବାଣୀରେ ସେ ପିଲାମାନଙ୍କୁ ଧରି ବାପ ଘର ଆଡେ ବୁଲି ଆସେ । ତାଛଡ଼ା, ଗାଁ ହାଟ ବଜାର, ପୂଜା ପର୍ବାଣି, ସାଙ୍ଗ ସାଥି.. ଏସବୁ ରାଜ୍ୟ ବାହାରେ ମିଳିବ କେଉଁଠି ! ସେଥିପାଇଁ ରାଜ୍ୟ ବାହାରକୁ ଯାଇ ପୁଅ ପାଖରେ ରହିବା ପାଇଁ ସେ ମନା କରିଦେଲେ । ସଂଘର୍ଷପୂର୍ଣ୍ଣ ଜୀବନ ଥିଲା, କିନ୍ତୁ ଚାକିରୀ ଆରମ୍ଭ କଲାପରେ ବିଗତ ଦିନର ଦୁଃଖକୁ ଭୂଲି ଜୀବନର କିଛି ବର୍ଷ ବାପା ମାଙ୍କ ସହ ବିତି ଯିବ ବୋଲି ବହୁତ ବଡ଼ କଳ୍ପନା ଥିଲା ଯାହା ସ୍ଵପ୍ନରେ ରହିଗଲା । ଏନେଇ ରବିବାବୁ ବହୁ ମନରେ ବହୁତ ବଡ଼ କ୍ଷତ ଥାଏ କିନ୍ତୁ କହିବେ କାହାକୁ ? କହିଲେ ଶୁଣିବ କିଏ ?
ରବିବାବୁଙ୍କର ପିଲାଟି ବେଳୁ ପଢ଼ା ପଢିରେ ବହୁତ ମନଥାଏ । ସେତେ ବେଶି ବିଚକ୍ଷଣ ମେଧାବି ନହେଲେ ବି ଭାରି ପରିଶ୍ରମୀ ଓ ଏକାଗ୍ରତା ସହ ଉଚ୍ଚ ଶିକ୍ଷା ଅର୍ଜନ କରିବାର ସବୁ ଯୋଗ୍ୟତା ଥିଲା ତାଙ୍କର। ପିଲାବେଳୁ ବାହାରେ ବାହାରେ ରହି ହିଁ ସବୁ ପଢା ସାରିଥିଲେ କିନ୍ତୁ ଗାଁ ମାଟି ପାଇଁ ତାଙ୍କର କେମିତି ଏକ ସ୍ୱତନ୍ତ୍ର ଆକର୍ଷଣ ଥାଏ। କେବଳ ଏଥି ପାଇଁ ପିତାମାତାଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ଥିଲେ । ଛୁଟି ଦିନରେ ଘରକୁ ଆସିଲେ ସାଙ୍ଗସାଥି ମାନଙ୍କ ସହ ଗାଁ ନଇତୋଟା, ଆମ୍ବ ବଗିଚା, ଖେଳ ପଡିଆ ସବୁ ବୁଲି ଆସନ୍ତି। ପିଲାଦିନର ସ୍ମୃତି ଟିକକ ଆଉଥରେ ତାଜା କରି ଖୁସି ହେବାର ସୁଯୋଗ କେବେ ହାତ ଛଡ଼ା କରନ୍ତିନି ସେ । କିଛି ବର୍ଷ ବିଦେଶରେ ରହିବା ପରେ ବମ୍ବେକୁ ଫେରିଲେ । ନିଜ ଭିଟା ମାଟି କୁ ପେରିଯାଇ ବାପା ମାଙ୍କ ସହ ବାକି ଜୀବନ କଟିବାର ପ୍ରୟାସ ବି କରିଥିଲେ କିନ୍ତୁ ପୁଅର ପାଠ ପଢ଼ା, ଭବିଷ୍ୟତକୁ ଆଖିରେ ରଖି ବରଂ ବାପା ମାଙ୍କୁ ଆଣି କିଛି ବର୍ଷ ପାଖରେ ରଖି ତାଙ୍କର ସେବା କରିପାରନ୍ତେ ଭାବି ବହୁତ ଚେଷ୍ଟା କଲେ କିଂତୁ ଫଳ କିଛି ହେଲାନି। ସ୍ନେହ କାଙ୍ଗାଳ ଲୋକ ଟିଏ ର ହୃଦୟର ବଡ ବିଶାଳ ଓ ଉଦାର । ବାପା ମାଙ୍କ ସବୁ ସୁବିଧା ଅସୁବିଧା, ଦାୟିତ୍ୱ ସେ ନେଇଛନ୍ତି କିନ୍ତୁ ଘରୋଇ ଚାକିରି ର ପୀଡ଼ା ଯୋଗୁଁ ପିତାମାତାଙ୍କ ସହ ଆତ୍ମସନ୍ତୁଷ୍ଟି ହେବା ଭଳି ଯଥେଷ୍ଟ ସମୟ ବିତାଇ ପାରିଲେନି । ଆଜି ଆରପାରିରେ ଥାଇ ବାପା ହୁଏତ ତାଙ୍କର ପୁଅର ଅଭିମାନ, ପିତୃମାତୃ ପ୍ରେମ, ହୃଦୟ ଭରା କୋହ ଓ ଅବଶୋଷକୁ କିଛିଟା ଅନୁଭବ କରିଥିବେ !!
ଏବେ ବୟସର ସୁର୍ଯ୍ୟ ବୁଡିବାକୁ ବସିଲାଣି.. ନିଜର ଯୁବାବୟସରେ ସେ ଯେମିତି ଦାରିଦ୍ର୍ୟ ସହ ସଂଘର୍ଷ କରି ଚାକରି, ପଇସା ଏସବୁ ପାଇଁ ପଛରେ ନିଜ ଆତ୍ମିୟ ସ୍ଵଜନ ତଥା ପିତାମାତାଙ୍କଠୁଁ ବହୁ ଦୂରରେ ଅଜଣା ସହରରେ ଅଜଣା ଲୋକଙ୍କୁ ଆପଣେଇ ଜୀଵନ କାଟିଦେଲେ.. ଆଜି ଶେଷ ସମୟରେ, ଜୀବନ ତାଙ୍କୁ ସେମିତି କିଛି ଦୃଶ୍ୟ ଦେଖେଇ ଦେଇଛି।
ପୁଅ ତାଙ୍କର ଉଚ୍ଚ ଶିକ୍ଷା ପ୍ରାପ୍ତିପାଇଁ ମେଧାବୃତ୍ତି ପାଇ ଗବେଷଣା ଭିତ୍ତିକ ବିଦ୍ୟାର୍ଜ୍ଜନ ନିମନ୍ତେ ଇଂଲଣ୍ଡ ଚାଲିଗଲା, ଭାରି ଜ୍ଞାନି ଗୁଣି ପିଲାଟିଏ ବିଷ୍ଣୁ। ତାର ଗବେଷଣା ପାଇଁ ବହୁ ସଂସ୍ଥା ତରଫରୁ ସେ ପୁରସ୍କୃତ । ବର୍ଷକୁ ଥରେ ଆସି ବାପା ମା'ଙ୍କୁ ଦେଖା କରିଯାଏ ଓ ଇଂଲଣ୍ଡ ଯାଇ ତା’ ସହ ରହିବା ପାଇଁ ଜିଦ କରେ କିନ୍ତୁ ରବିବାବୁଙ୍କର ଇଚ୍ଛା ଯେ ସେ ଭାରତ ଫେରିଆସି ଏଇଠି ଚାକିରି କରୁ ଆଉ ବାହାହେଇ ଘର ସଂସାର କରୁ । ଭାରତରେ କଣ ଭଲ ଚାକିରି ଅଭାବ ? କିଛି ବର୍ଷ ଏମିତି କଟିଗଲା..ବିଷ୍ଣୁ ବାହା ହେଇ ସପ୍ତାହ ଭିତରେ ସ୍ତ୍ରୀ କୁ ନେଇ ଇଂଲଣ୍ଡ ଚାଲିଗଲା । ସର୍ଵ ଗୁଣ ସମ୍ପର୍ଣ୍ଣା ବହୁଟିଏ ପାଇ ରବିବାବୁ ବହୁତ ଖୁସି ଯେତିକି ଥିଲେ, ଏକୁଟିଆ ଜୀବନକୁ ନେଇ ଦୁଃଖ ତାଙ୍କର ବଢୁଥିଲା । ନାତି ହେବାର କିଛି ମାସ ପୂର୍ବରୁ ରବିବାବୁ ଓ ତାଙ୍କ ସ୍ତ୍ରୀ ସାବିତ୍ରୀ କିଛି ମାସ ପାଇଁ ଇଂଲଣ୍ଡ ଯାଇ ନାତି ଟୋକା ଜନ୍ମ ହେବାର ୬ମାସ ଭିତରେ ଭାରତ ଫେରିଆସିଲେ । ବିଷ୍ଣୁ ନିଷ୍ପତି ନେଲା ଯେ ପିଲାଟା କିଛି ବର୍ଷ ଭାରତରେ ତା ଜେଜେ ବାପା ଜେଜେ ମା’ଙ୍କ ସଙ୍ଗେ ରହୁ । ସେଥିପାଇଁ ଶାଶୁ, ଶଶୁର, ବୋହୁ ଓ ନାତି ଟୋକା ଭାରତ ଫେରିଲେ କିନ୍ତୁ ସ୍ତ୍ରୀ ପିଲାଙ୍କୁ ଛାଡି ବିଷ୍ଣୁ କେତେ ଦିନ ଅବା ଏକୁଟିଆ ରହିବ । ଭାରତ ଫେରିଆସିବାର ବହୁତ ଚେଷ୍ଟା ବି କଲା ମାତ୍ର ତାର ସ୍ତ୍ରୀ ର ଇଚ୍ଛା ଥାଏ ଇଂଲଣ୍ଡ ରେ ରହିବାକୁ । ବିଷ୍ଣୁର ସ୍ତ୍ରୀ କୁହେ ପିଲାଟା ସେଠି ଜନ୍ମ ନେଇଛି, ତାକୁ ଇଂଲଣ୍ଡ ର ନାଗରିକତା ବି ମିଳିଛି ତେଣୁ ଭାରତରେ ରହି କଣ ହେବ ? ପିଲାକୁ ୩ ବର୍ଷ ହେଲାବେଳକୁ ବିଷ୍ଣୁ ତାକୁ ନେଇ ଇଂଲଣ୍ଡ ଚାଲିଗଲା ଯେ ଆଉ ଫେରିନି । ନାତି ସହ କଟିଥିବା ସେଇ ସେତିକି ଦିନ ରବିବାବୁଙ୍କର ସ୍ମୃତି ହେଇ ରହିଯାଇଛି ।
ବୟସ ବଢିବାରୁ ରବିବାବୁ ଆଉ ବିଦେଶ ଯାତ୍ରାକୁ ଇଚ୍ଛା କଲେନି । ବାହାର ଜାଗା, ପୁଅ ବୋହୁଙ୍କ ପୁଅ ଉପରେ କାହିଁକି ବୋଝ ହେଇ ରହିବି ? ଏମିତି ଚିନ୍ତାଧାରାରେ ସ୍ତ୍ରୀ ସାବିତ୍ରୀ ସହ ଭାରତରେ ହିଁ ରହିଗଲେ । ପୁଅକୁ ଝୁରି ଝୁରି ସାବିତ୍ରୀଙ୍କର ଦେହ ଭଲ ରୁହେନି, କ୍ରମଶଃ ଅଧିକ ରୋଗାକ୍ରାନ୍ତ ହୋଇ ପଡିଲେ ସେ । କିଛି ବର୍ଷ ମଧ୍ୟରେ ରବିବାବୁଙ୍କୁ ଏକା କରି ସାବିତ୍ରୀ ଆରପାରିକୁ ଚାଲିଗଲେ । ସାବିତ୍ରୀ ଗଲାପରେ ରବିବାବୁଙ୍କ ଜୀବନଟା ଯେମିତି ଶୂନ୍ୟମୟ ହୋଇଗଲା । ମନ୍ଦିରରେ ଭଜନ କୀର୍ତ୍ତନ, ସାହିତ୍ୟ ସଭା ସମିତି, ଏସବୁରେ ନିଜ ସମୟକୁ ନିୟୋଜିତ କରିଦିଅନ୍ତି । ସାମାଜିକ ସେବା, ସଚେତନତା ଶିବିର ଆଦିରେ କିଛି ସମୟ କଟିଯାଏ ତାଙ୍କର । ପୁଅ ବିଷ୍ଣୁ ବହୁତ ଜିଦ ଧରେ ତମେ ଇଂଲଣ୍ଡ ପଳେଇ ଆସ କିନ୍ତୁ ସେ ଭାରତ ଛାଡି ଯିବାକୁ ଇଚ୍ଛା କରିନାହାନ୍ତି । ତାଙ୍କର ଏକୁଟିଆ ଜୀବନରେ ସାଥି ହେବାକୁ ବେଶି କିଛି ସ୍ମୃତି ବି ସାଉଁଟି ପାରିନଥିଲେ ସେ । ସବୁଥାଇବି ଦରକାର ସମୟରେ କିଛି ନଥିଲା ତାଙ୍କ ପାଖରେ, ନା ବାପଙ୍କର ସ୍ନେହ ପାଇପାରିଲେ ନା ପୁଅର ସେବା ! ଏବେ ବୃଦ୍ଧାଶ୍ରମ ପାଇଁ ମନବଳେଇଛନ୍ତି ।