ବୋଉ
ବୋଉ
ଦକ୍ଷିଣ ପୂର୍ବତଟ ରେଳବାଇ ଅନ୍ତର୍ଗତ ଛୋଟିଆ ଷ୍ଟେସନଟିଏ ମାର୍କୋଣା । କୌଣସି ଏକ୍ସପ୍ରେସ ଟ୍ରେନ ରହିବାର ସୁବିଧା ନାହିଁ ଏଠାରେ, ତେଣୁ ପାସେଞ୍ଜର ଟ୍ରେନରେ ପରବର୍ତ୍ତୀ ବଡ ଷ୍ଟେସନକୁ ଯାଇ ଏକ୍ସପ୍ରେସ ଟ୍ରେନ ଧରି ରାଜଧାନୀ କିମ୍ବା ରାଜ୍ୟ ବାହାରକୁ କାମ କରିବାକୁ ଯାଆନ୍ତି ଲୋକମାନେ ।
ଷ୍ଟେସନରୁ ଦୁଇ ମାଇଲ ଭିତରେ ତହସିଲ ଅଫିସ, ପୋଲିସ ଥାନା, ଡାକ୍ତରଖାନା ଓ ଗ୍ରାମୀଣ ବ୍ୟାଙ୍କ ଆଦି ସବୁ ସରକାରୀ କାର୍ଯ୍ୟ।ଳୟ ଅବସ୍ଥିତ । ଷ୍ଟେସନ ପାଖ ବଜାରରେ ନିତ୍ୟଦିନ ଜୀବନ ଯାପନ ପାଇଁ ପ୍ରାୟ ସବୁ ପ୍ରକାରର ଘରୋଇ ସାମଗ୍ରୀ ଉପଲବ୍ଧ ।
ଷ୍ଟେସନରୁ ୧ ମାଇଲ ଭିତରେ ବ୍ୟସ୍ତ ବହୁଳ ଜାତୀୟ ରାଜପଥ ନମ୍ବର-୭ ଆଉ ଛ'ରୁ ସାତ କିଲୋମିଟର ଦୂରରେ ମଫସଲି ଗାଁ ସବଙ୍ଗରେ ଜନ୍ମ ବଂଶିଧରଙ୍କର । ଅଙ୍କାବଙ୍କା ମାଟି ସଡକଟିଏ ଲମ୍ବିଯାଇଥାଏ ବଜାରରୁ ଗାଁକୁ ।
ନଦୀ ନାଳ, କ୍ଷେତ ବାଡ଼ି, ଆମ୍ବ ତୋଟା, ବାଉଁଶ ବଣ ଆଉ ସବୁଜ ବନାନୀରେ ଭରା ଚତୁର୍ପାର୍ଶ୍ୱ ଭାରି ମନଲୋଭା । ଯେମିତି ପ୍ରକୃତିର ନିଜ ଘରେ ସବୁକିଛି ଯଥାବିଧି ନିଜର ଉପସ୍ଥିତିରେ ଶୋଭାମଣ୍ଡିତ କରୁଥାନ୍ତି ଗାଁର ପରିବେଶକୁ । ଗାଁ ମଝିରେ ଠାକୁରାଣୀ ମନ୍ଦିର ଆଉ ତା'ପାଖକୁ ଲାଗି ଭାଗବତ ଟୁଙ୍ଗି, ଗ୍ରାମବାସୀଙ୍କର ଆଧ୍ୟାତ୍ମିକ ଚେତନାର କେନ୍ଦ୍ର ।
ଘରୁ ବାହାରି ହାଟ ବଜାରକୁ ବା ସହରକୁ ଗଲାବେଳେ ଠାକୁରାଣୀଙ୍କୁ ମୁଣ୍ଡିଆ ମାରିବାକୁ ଭୁଲନ୍ତି ନାହିଁ ଆବାଳ ବୃଦ୍ଧ ବନିତା । ଘଣ୍ଟାରେ ସକାଳ ନ'ଟା କେତେବେଳେ ବାଜିଲା ସେକଥା ନୀତିଦିନ ଗାଈ ଗୋଠ ନେଇ ବାହାରୁଥିବା ସନିଆ ଭାଇର "ଗାଈ ଛାଡ଼ ହୋ ଗାଈ.. ଗାଈ ଛାଡ଼ ହୋ ଗାଈ..ଇ" ଡାକରୁ ଜଣାପଡ଼େ । ଗୋଠ ଫେରନ୍ତା ଗୋଧୂଳି ସମୟର ଦୃଶ୍ୟରେ ସନିଆ ଭାଇର ଡାକ "ଗାଈ ଗଲା ହୋ..ଗାଈ.." ଘଣ୍ଟାରେ ଚାରିଟା ବାଜିଲା ବୋଲି ସୂଚେଇଦିଏ ।
ବଜାରକୁ ଯାତାୟାତ ପାଇଁ ମୁଖ୍ୟତଃ ସାଇକେଲର ବହୁଳ ବ୍ୟବହାର କରନ୍ତି ଗ୍ରାମବାସୀ ।
ମାଟି ରାସ୍ତାର ଅବସ୍ଥା ଯାହା.., ପାଗ ଶୁଖିଲା ଥିଲେ ଲୋକମାନେ ସାଇକେଲ ଉପରେ ଆଉ ଇନ୍ଦ୍ରଦେବଙ୍କ କୃପା ହେଲେ ବରଷା ରାଣୀର ଆଗମନରେ..ଦୃଶ୍ୟ କିଛି ଅଲଗା; ସାଇକେଲ ବୁହାହୁଏ ଲୋକଙ୍କ କାନ୍ଧରେ । ଏସବୁକୁ ଗାଁ ଲୋକେ ଯେମିତି ତାଙ୍କ ଭାଗ୍ୟ ସହ ଯୋଡି ନେଇଥାନ୍ତି ।
ବଜାରରୁ ଗାଁ ଯିବା ପାଇଁ ରାସ୍ତାରେ ଦୁଇଟି କେନାଲ ପାର ହୋଇ ଯିବାକୁ ପଡେ, ବର୍ଷାଦିନେ ବାଉଁଶର ପୋଲଟିଏ ବନ୍ଧା ହୁଏ କେନାଲ ପାରି ହେବାପାଇଁ । ଗାଁରେ ଚାରିଚକିଆ ଯାନର ସୁବିଧା ନଥିବାରୁ ଆପାତକାଳୀନ ପରିତିସ୍ଥତିରେ ଡାକ୍ତରଖାନାକୁ ଲୋକମାନେ ଖଟିଆରେ ବୁହା ହୋଇ ଯା'ନ୍ତି । ଗାଁରେ ବିଜୁଳି ଆଲୋକର ସୁବିଧା ନଥିବାରୁ ଲୋକମାନେ ଲଣ୍ଠନ, କିରୋସିନ ବତୀ ଆଦି ଜାଳି ଅନ୍ଧକାର ଦୂର କରନ୍ତି । କଣ୍ଟ୍ରୋଲ ଦୋକାନରୁ ରାଶନ କାର୍ଡ ଯୋଗେ କିରୋସିନ କିଣାଯାଇ ଘରେ ମହଜୁତ ରଖା ଯାଏ ଆପାତକାଳୀନ ପରିସ୍ଥିତି ପାଇଁ ।
ବଂଶିଧରର ପରିବାର କହିଲେ ଦୁଇ ଭଉଣୀ, ବଡ ଭାଇ ପ୍ରବୀଣ ଆଉ ବିଧବା ମା କୌଶଲ୍ୟା । ବଂଶିଧର ବାପଛେଉଣ୍ଡ ପିଲାଟି ଦିନରୁ, ସେ ମା' ପେଟରେ ଥିଲା ବେଳେ ହିଁ ତା'ର ବାପା ଟି . ବି ରୋଗରେ ଆକ୍ରାନ୍ତ ଥିଲେ । ବଂଶିଧର ଜନ୍ମ ହେବାର ବର୍ଷେ ନ ପୁରୁଣୁ ତାର ବାପା ପ୍ରାଣ ହରାଇଲେ । ବାପାଙ୍କ ସ୍ନେହରୁ ସେ ବଞ୍ଚିତ ।
ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ବଡ ଭାଇ ପ୍ରବୀଣ, ମାଟ୍ରିକ ପାସ ପରେ ଚାଷ କାମରେ ଲାଗିଯାଏ । ଚାଷ ଜମି ବୋଲି ମାତ୍ର ଛ ଗୁଣ୍ଠ ! କେତେ ବା ସେଥିରେ ଧାନ ଅମଳ ହେବ ! ପୁରା ବର୍ଷକ ପାଇଁ ପାଇଁ ଚାଉଳ ବି ମିଲେନି । ଯାହା ଅମଳ ହୁଏ ସେଥିରୁ କିଛି ମାସ ପାଇଁ ଚାଉଳ ଆଉ ଘର ଛାଉଣି ପାଇଁ କିଛି ଛଉଣ ମିଳିଯାଏ ।
ସେ ଅଞ୍ଚଳରେ ପ୍ରାୟ ସମସ୍ତଙ୍କ ଘରେ ସକାଳେ ସଞ୍ଜେ ଜଳଖିଆ କହିଲେ ମୁଢି ହିଁ ପ୍ରଥମ ପସନ୍ଦ । ମୁଢିକୁ ନେଇ କେତେ ପ୍ରକାର ଯେ ଖାଦ୍ୟ ତିଆରି ନହୁଏ। ପିଲାରୁ ବୁଢା ଯାଏଁ , ଆମିଷ ଭୋଜନକାରୀ ଠୁଁ ନିରାମିଷାଶୀ ସମସ୍ତଙ୍କର ମୁଢି ହିଁ ଦରକାର ହୁଏ । ଏମିତିକି ମାଂସ ଝୋଳରେ ବି ମୁଢି ପକେଇ ଅତି ଆନନ୍ଦରେ ଖାଇ ନିଅନ୍ତି ଲୋକମାନେ ।
କୌଶଲ୍ୟା ବହୁତ ଭଲ ମୁଢି ଭାଜନ୍ତି, ଜୀବନ ନିର୍ବାହ କରିବାର ଏକ ପନ୍ଥା ହିସାବରେ ସେହି ମୁଢିକୁ ବ୍ୟବସାୟ ଭାବରେ ଧରିନିଅନ୍ତି । ଘରେ ଦୁଇଟି ବାଢୁଅ ଝିଅ ସାଙ୍ଗକୁ ଦୁଇଟି ପୁଅ, ସମସ୍ତଙ୍କର ଦାୟିତ୍ଵ ତାଙ୍କ ଉପରେ । ବହୁ କଷ୍ଟରେ ଉଷା ବ୍ରତ ,ପର୍ବ ପର୍ବାଣି, ଯାନିଯାତରା ସବୁ କିଛିର ଖର୍ଚ୍ଚ ସେଇଥିରୁ ହିଁ ଉଠାନ୍ତି । ଗାଁରେ ତ ସମସ୍ତେ ନିଜ ଘରେ ନିଜେ ମୁଢି ତିଆରି କରନ୍ତି ତେଣୁ ଗାଁରେ ସେମିତି କିଛି ବ୍ୟବସାୟ ହୁଏନି ।
ମୁଣ୍ଡରେ ମୁଢି ବସ୍ତାକୁ ମୁଣ୍ଡରେ ବୋହି ଷ୍ଟେସନ ପାଖ ବଜାରକୁ ପ୍ରତିଦିନ ଚାଲି ଚାଲି ଯାନ୍ତି ମୁଢି ବିକ୍ରି କରିବାକୁ । ଖରା, ବର୍ଷା, ଶୀତ ପବନକୁ ଖାତିର ନଥାଏ ତାଙ୍କର, ଆଖିରେ ଆଖିଏ ସପନ ଯେ ଦୁଇ ଝିଅଙ୍କର ବାହାଘର କରେଇବେ ଆଉ ବଂଶିଧରକୁ ପାଠ ପଢେଇ ବଡ ମଣିଷ କରିବେ । ବଜାରରେ କିଛି ଚାକିରିଆ ଲୋକଙ୍କ ଘରେ ମୁଢି ଯୋଗାଇ ଦିଅନ୍ତି, ବଜାର ଯିବା ଆସିବା ରାସ୍ତାରେ କିଛି ବିକ୍ରି ବି ହେଇଯାଏ । ଏମିତି ମୁଢି ବିକ୍ରିକରି ଯାହା କିଛି ଟଙ୍କା ଅର୍ଜନ କରନ୍ତି, ସେଥିରେ କଷ୍ଟେ ମଷ୍ଟେ ଘର ଚଳିଯାଏ ।
ଗାଁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ବେଳେ, ଟଙ୍କା ଅଭାବରୁ ବଂଶିଧର କେବେବି ଟ୍ୟୁସନ ଯାଏନି ହେଲେ ବି ପ୍ରଥମରୁ ସପ୍ତମ ଶ୍ରେଣୀଯାଏଁ ସବୁ ପରୀକ୍ଷାରେ ତାର ସ୍ଥାନ ପ୍ରଥମ । ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଅଶି ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଲାପରେ, ଗାଁ ପାଖ ଉଚ୍ଚ ବିଦ୍ୟାଳର ପ୍ରଧାନ ଶିକ୍ଷଙ୍କଙ୍କୁ ଭେଟି ଅଷ୍ଟମ ଶ୍ରେଣୀରେ ବଂଶିଧର ନାମ ଲେଖାଇ ଦେଲେ ତାର ବଡ ଭାଇ ।
ମେଧାବୀ ବଂଶିଧର ବିଷୟରେ ସବୁ ଜାଣି ବହୁତ ଖୁସି ହେଲେ ପ୍ରଧାନ ଶିକ୍ଷକ, ବାକି ଶିକ୍ଷକଙ୍କୁ ଡାକି ବଂଶିଧର ଭଳି ଜଣେ ମେଧାବୀ ଛାତ୍ର ଆମ ସ୍କୁଲରେ ନାମ ଲେଖାଇଛି ବୋଲି ନିଜର ଖୁସି ପ୍ରକାଶ କଲେ । ଦଶମ ଶ୍ରେଣୀରେ ବହୁତ ଭଲ ନମ୍ବର ରଖି ପାସ କଲେ ଇଂଜିନିୟରିଂ ପଢିବ ବୋଲି ବଂଶିଧର ମା'ଙ୍କର ବହୁତ ବଡ ଆଶା ଥାଏ । ପ୍ରତି ସୋମବାର ସକାଳୁ ଗାଁ ପାଖ ମହାଦେବ ମନ୍ଦିରରେ ବଂଶିଧରଙ୍କ ମା ମହାଦେବଙ୍କ ଉପରେ ପାଣି ଚଢାନ୍ତି । ପରିବାର ସୁଖଶାନ୍ତି ପାଇଁ, ଆଉ ଖାସ କରି ବଂଶିଧର ବେଶୀ ପାଠ ପଢି ବଡ଼ ଚାକିରିଟେ କରୁ ଆଉ ଭଲ ମଣିଷଟେ ହେଉ ସେଥିପାଇଁ ପ୍ରଭୁଙ୍କୁ ଗୁହାରି କରନ୍ତି ।
:"ମୁଢିବାଲିର ପୁଅ କି ସୁନ୍ଦର ପାଠ ପଢୁଛି ! ବଡ ଚାକିରିଟେ ନିଶ୍ଚୟ କରିବ ଆଉ ତା ମା'ର ସବୁ ଦୁଃଖ ଦୂର କରିବ" ଏକଥା ସମସ୍ତଙ୍କ ତୁଣ୍ଡରେ ଥାଏ ।
ଗାଁକୁ ବିଜୁଳି ଆସିନଥିବାରୁ ଟେଲିଭିଜନରେ ଖବର ଦେଖିବା କିମ୍ବା କ୍ରିକେଟ ଖେଳ ଦେଖିବାର ଇଚ୍ଛା କେବେ ପୂରଣ ହୁଏନି । ରେଡିଓ ଜରିଆରେ ସେଇ ଆକାଶବାଣୀର ଖବର ପ୍ରସାରଣରେ ଦେଶ ଦୁନିଆର ଖବର ମିଳିବାର ଏକମାତ୍ର ସୂତ୍ର ତା' ପାଇଁ । ସାଧାରଣ ଜ୍ଞାନ ବହି ସବୁ ପଢିବାରେ ବହୁତ ପସନ୍ଦ ତାର, ସେଥିପାଇଁ ବିଦ୍ୟାଳୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ତାର ସ୍ଥାନ ପ୍ରଥମ ଥାଏ, ଏମିତି କି ବ୍ଲକ ସ୍ତରୀୟ ଶିଶୁ ମେଳାରେ ବି ପୁରସ୍କୃତ । ବଂଶିଧର ଜଣେ ମେଧାବୀ ଛାତ୍ର ଭାବେ ଗାଁ ଲୋକଙ୍କର ପ୍ରଶଂସାର ପାତ୍ର ।
ସବୁ ପିଲାଙ୍କ ପରି, ଗାଁ ସାଙ୍ଗ ସାଥି ସହ ମିଶି ଖେଳକୁଦରେ ମାତିବାର ନିଶା କିଛି କମ ନଥାଏ ।
ଟିକେ ଟିକେ ଦୁଷ୍ଟାମି, ଯେମିତି ସାଙ୍ଗ ମାନଙ୍କ ସହ ମିଶି ଲୁଚି ଲୁଚି କାହା ବାଡିରୁ ପିଜୁଳି ଚୋରୀ କରି ଖାଇବା, ଆମ୍ବ ତୋଟାରୁ ଆମ୍ବ ଚୋରୀ ଏସବୁର ମଜା ନିଏ ବଂଶିଧର । ଗାଁ ପିଲାଙ୍କର ଏସବୁ କରନାମା ସାଧାରଣ କଥା, ତେଣୁ ସବୁ ପିଲାଙ୍କ ପରି ଏମିତି ଛୋଟ ଛୋଟ କଥାକୁ ଗାଁ ଲୋକମାନେ ଅଣଦେଖା କରିଦିଅନ୍ତି ।
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପଞ୍ଚାଅଶି ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତିର୍ଣ୍ଣ ହୁଏ ବଂଶିଧର । ବିଦ୍ୟାଳୟର ଇତିହାସରେ ଦଶମଶ୍ରେଣୀ ବୋର୍ଡ ପରୀକ୍ଷାରେ ସେପର୍ଯ୍ୟନ୍ତ ସଫଳ ଭାବେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସର୍ବାଧିକ ନମ୍ବର ରଖିଥିବା ତାଲିକାରେ ବଂଶିଧର ଏଥର ସର୍ବୋଚ୍ଚ ସ୍ଥାନ ଅଧିକାର କରେ । ସେଥିପାଇଁ ବିଦ୍ୟାଳୟର ସବୁ ଶିକ୍ଷକ ମାନେ ବଂଶିଧର ପାଇଁ ବହୁତ ଗର୍ବିତ ହୁଅନ୍ତି ।
ଇଂରାଜୀ ବିଭାଗର ଶିକ୍ଷକ ମେଧାବୀ ବଂଶିଧରର ଏପରି ପ୍ରତିଭା ପାଇଁ ତାକୁ ଟିକେ ସାହାଯ୍ୟ, ସହାନୁଭୁତି ପାଇଁ ଆଗେଇ ଆସିଲେ । ବଂଶିଧର କେମିତି ଭଲ କଲେଜରେ ନାମ ଲେଖାଇ ପାରିବ ସେସବୁରେ ସାହାଯ୍ୟ କରନ୍ତି ଆଉ ବହୁତ ଭଲ ମାର୍କ ରଖିଥିବାରୁ ବଂଶିଧରକୁ ଫକୀରମୋହନ ସରକାରୀ କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ଆଡ୍ମିସନ ମିଳିଯାଏ ।
କିନ୍ତୁ ତା'ପର ପରିସ୍ଥିତି ସଂଘର୍ଷପୂର୍ଣ୍ଣ ହୋଇପଡ଼େ ।
ଛାତ୍ରାବାସରେ ରହିବା ପାଇଁ ବି ଯାହା ଖର୍ଚ୍ଚ ଦରକାର ପଡୁଥିଲା ତାହା ଯୋଗେଇଦେବା ପାଇଁ ସମ୍ଭବ ହେଇପାରିଲାନି କୌଶଲ୍ୟାଙ୍କ ପାଇଁ ।
ତେଣୁ ଗରିବ ମେଧାବି ଛାତ୍ରମାନଙ୍କ ପାଇଁ ସରକାରଙ୍କ ତରଫରୁ ରିହାତିପାଇଁ ସବୁ ପ୍ରକାର ସହାୟତା ଖୋଜିବୁଲିଲା ବଂଶିଧର । ହଷ୍ଟେଲ ସୁପ୍ରିଟେଣ୍ଡେଣ୍ଟ, ପ୍ରିନ୍ସିପାଲ ସମସ୍ତଙ୍କୁ ଭେଟି ଗୁହାରି ଜଣାଇଲା ।
ଶେଷରେ ଭଗବାନ ବଂଶିଧରର ଦୁଃଖ ଶୁଣିଲେ ।
ହଷ୍ଟେଲ ମାସିକ ରହିବା, ଖାଇବା ବାବଦରେ ୩୦୦ ଟଙ୍କା ଯାଏଁ ରିହାତିର ସୁବିଧା ମିଳେ ।
ହେଲେ..,
ହଷ୍ଟେଲରେ ରହିବା, ଖାଇବା, ବହି, ଖାତା, ବିଜ୍ଞାନ ବିଭାଗର ପ୍ରାକ୍ଟିକାଲ ସେସବୁ ପାଇଁ ଖର୍ଚ ତୁଲାଇ ପାରିଲାନି ।
କ୍ଳାସ ସାରିବା ପରେ ସନ୍ଧ୍ୟାରେ ବଂଶିଧର ନବମ, ଦଶମ ଶ୍ରେଣୀ ପିଲାଙ୍କୁ ଟ୍ୟୁସନ ପଢାଇ ମାସିକ ଖର୍ଚ ଉଠାଇବା ପାଇଁ ମନ ସ୍ଥିର କଲା ।
+୨ ବିଜ୍ଞାନ ବିଭାଗର ପାଠ କଷ୍ଟ ପାଠ୍ୟ ଖସଡ଼ା ସାଙ୍ଗକୁ ପ୍ରତିଦିନ ଟ୍ୟୁସନ ପଢାଇବାର ଭାର ଯେମିତି ବୋଝ ଉପରେ ଲଳିତା ବିଡ଼ା ସଦୃଶ ଥିଲା ।
ପାଖରେ ନଥାଏ ସାଇକେଲ ଟିଏ ।
ହଷ୍ଟେଲରୁ ଚାଲି ଚାଲି ୨ ମାଇଲ ଦୂରରେ ଦୁଇ ଘରେ ଟ୍ୟୁସନ ପଢାଇ ରାତି ୯ଟାରେ ଫେରି ନିଜ ପାଠ ପଢା ସାରିବା କିଛି କମ କଷ୍ଟ ନଥାଏ । ଅତିକ୍ରମ କରିବାକୁ ଥାଏ ଆଗରେ ଦୁଃଖର ପାହାଡ଼, ପାଖରେ କେବଳ ଧର୍ଯ୍ୟ ଛଡା ନଥାଏ ଆଉ କିଛି ସମ୍ବଳ ।
ଜୀବନ କେତେବେଳ କାହାଠୁଁ କେମିତି ପରୀକ୍ଷା ନିଏ ସେ କଥା ସେ ବିଶ୍ଵନିୟନ୍ତା ଜାଣନ୍ତି ।
+୨ ଶେଷ ବର୍ଷ ବୋର୍ଡ ପରିକ୍ଷା ଥାଏ ଆଉ ମାତ୍ର ଦୁଇ ମାସ ।
ସେଦିନ ରାତିରେ ଟ୍ୟୁସନ ସାରି ଚାଲି ଚାଲି ହଷ୍ଟେଲକୁ ଫେରୁଥାଏ ବଂଶିଧର । ହଷ୍ଟେଲ ଆଉ ମାତ୍ର ୫୦୦ ମିଟର ଦୂର ।
ମଦ ପିଇ ହିରୋହୋଣ୍ଡା ଚଲାଉଥିବା ଲୋକଟି ବାଡେଇ
ଦିଏ ବଂଶିଧରକୁ ପଛପଟୁ ।
: "ମା ଲୋ ମରିଗଲି କହି ମୁହଁ ମାଡି କଚାଡ଼ି ହେଇ ତଳେ ପଡ଼ିଯାଏ" ।
କପାଳରୁ ଟିକେ ରକ୍ତ, ଗୋଡ଼, ହାତ ସବୁ ଛିଡି ଯାଇଥାଏ ।
ବାମ ହାତରେ ଜୋରକରି ମାଡ଼ ହେଇଯାଇଥାଏ ।
ପାଖ ବଜାରର ରୁ ହଷ୍ଟେଲ ଫେରୁଥିବା କିଛି ପିଲା ଘଟଣାସ୍ଥଳରେ ପହଞ୍ଚି ବଂଶିଧରଅ ଏ ଅବସ୍ଥା ଦେଖି ତାକୁ ଡାକ୍ତରଖାନା ନେଇଯାନ୍ତି ।
ତାର ହୋସ ଥାଏ । ଦୁଃଖର ପାହାଡ଼ ତା ଉପରେ ଯେମିତି ଛିଡି ପଡିଲା ଭଳି ଲାଗୁଥାଏ ବଂଶିଧରକୁ ।
ଚାହୁଁ ଚାହୁଁ ହାତଟା ଫୁଲି ଦୁଇ ଗୁଣ ମୋଟା ହେଇଯାଏ ।
: "ଭୁଇଁରେ କଚାଡ଼ି ପଡିଗଲା ବେଳେ ବାମ ହାତ ଭରାଦେଇ ପଡିଯିବା ଯୋଗୁଁ ହାତରେ ହାଡ଼ ଉପରେ ବହୁଭାର ପଡିଛି, ସେଥିପାଇଁ ହାଡ଼ ଟିକେ ଭାଙ୍ଗିଛି" ବୋଲି ଡାକ୍ତର କୁହନ୍ତି ।
କୌଶଲ୍ୟାଙ୍କୁ ଖବର ଦିଆଯାଏ । ସେତେବେଳେ ଗାଁ ରେ ନା ଫୋନ ନା ମୋବାଇଲ ।
ଖବର ପାଇ ତହିଁ ଆରଦିନ ଡାକ୍ତରଖାନାରେ କାନ୍ଦି କାନ୍ଦି ଆସି ପହଞ୍ଚନ୍ତି କୌଶଲ୍ୟା ।
ମା'ର ହୃଦୟ, ବାତ୍ସଲ୍ୟ ମମତା, ପୁଅର ଏ ଦାରୁଣ ଦୃଶ୍ୟ ଦେଖି ସହିପାରେନି । ମୁଣ୍ଡ ବାଡେଇ କାନ୍ଦନ୍ତି କୌଶଲ୍ୟା ।
: "ତା ବୟସର ପିଲା ମାନେ କେତେ ହସ ଖୁସିରେ ଅଛନ୍ତି, ପୁଅଟା ମୋର ଟ୍ୟୁସନ ପଢାଇବାକୁ ଯିବାରୁ ଏଇ ହୀନସ୍ଥା । ମୁଁ ଅଭାବିନୀ ମୋ ପିଲାକୁ ଟିକେ ଖୁସି ଦେଇପାରୁନି " ଏମିତି କଥା ଭାବି ନିଜକୁ ନିଜେ କୋଶନ୍ତି ।
ବଂଶିଧରଙ୍କ ସାଙ୍ଗ ମାନେ ବୁଝା ସୁଝା କଲାପରେ ଟିକେ ଥୟ ଧରନ୍ତି କୌଶଲ୍ୟା ।
ସେ ଜାଣନ୍ତି ଏଇ ଜୀବନର ରାଜ ରାସ୍ତାରେ ପ୍ରତିଟି ପାହାଚରେ କଣ୍ଟା କିନ୍ତୁ ମନରେ ଥାଏ ଦମ୍ବ, ହୃଦୟର ଗଭୀରତମ ପ୍ରଦେଶରେ ଆଶାର ଦ୍ଵିପଟେ ତଥାପି ମିଞ୍ଜି ମିଞ୍ଜି ହେଇ ଜଳୁଥାଏ ।
ଏଣେ ଦୁଃଖରେ ଛଟପଟ ହେଉଥିବା ବଂଶିଧର ମା'ର ସେହି ନିରୀହ ମୁହଁଟିକୁ ଦେଖି ସବୁ କଷ୍ଟ ସହି ନେଇଯାଉଥାଏ ।
ଟ୍ୟୁସନ ପଢଉଥିବା ପିଲାର ବାପା ଡାକ୍ତର ପହଞ୍ଚି ସବୁ କଥା ବୁଝିଲେ ଆଉ ସବୁ ଖର୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଲେ ।
ଏତେ ସବୁ ସଂଘର୍ଷ ପରେ ବି ବଂଶିଧର ଧର୍ଯ୍ୟ ହରାଇ ନଥିଲା । ପରୀକ୍ଷାର ସପ୍ତାହ ଆଗରୁ ହାତରୁ ପଟି ଖୋଲା ଯାଇଥିଲା ।
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ବହୁ ଅଧିକ ନମ୍ବର ରଖି ଉତିର୍ଣ୍ଣ ହେଲା ।
କୌଶଲ୍ୟାଙ୍କ ମନରେ ଅସରନ୍ତି ସ୍ଵପ୍ନ ଆଉ ଅସୁମାରି ଆଶା । ପୁଅ ଏଥର ଇଂଜିନିୟରିଂ ପଢିବ, ବଡ ଚାକିରୀ କରିବ ଆଉ ତାର ନାଁ ରଖିବ । ଘର ,ଗାଡି ଏସବୁରେ ଲୋଭ ନଥାଏ, ପୁଅକୁ ସଫଳ ମଣିଷଟେ ହେବାର ଦେଖିବାକୁ କେଉଁ ମା'ର ସ୍ଵପ୍ନ ନଥାଏ ! କୌଶଲ୍ୟା ତ ଏତେ ଦୁଃଖ, କଷ୍ଟ, ତ୍ୟାଗ କରିଛନ୍ତି କେବଳ ପୁଅକୁ ସମାଜରେ ଅଗ୍ରଗଣ୍ୟ ମଣିଷ ଭାବେ ଦେଖିବାକୁ ।
: "ଏମିତି ଏକ ପରିବାର ତଥା ମୋ ଭଳି ଅପାଠୁଆ ଅସହୟା ମା'ର ପୁଅ ସହରରେ ରହି ବଡ଼ ଚାକିରି କରିବ, ବଡ଼ ହାକିମଙ୍କ ସହ ମିଶିବ ଏବଂ ସଫଳ ମଣିଷଟେ ହେବ ଏଇଟା ମୋର ଗୋଟେ ସ୍ଵପ୍ନ । ପ୍ରଭୁ ମୋତେ କେତେ କଷ୍ଟ ଦେଉଛ ଦିଅ କିନ୍ତୁ ମୋ ପୁଅ ଭଲରେ ଭଲରେ ପାଠ ପଢା ସାରି ଚାକିରିଟେ ପାଉ ।" ଅହନିଶି ପ୍ରଭୁଙ୍କ ପାଖରେ ଏତିକି ଗୁହାରି କରନ୍ତି କୌଶଲ୍ୟା ।
: "ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ପାଇଁ ଯେତେ ଟଙ୍କା ଦରକାର ସବୁ ମୁଁ କେମିତି ହେଲେ ବି ଯୋଗାଡ କରିଦେବି, ତୁ ଖାଲି ମନଦେଇ ପଢାପଢି କର ବୋଲି ବଂଶିଧରକୁ ବୁଝାଉଥିଲେ କୌଶଲ୍ୟା"
ମା'ର ଏ ଅସହାୟ ପରିସ୍ଥିତି ଦେଖି ବହୁତ କଷ୍ଟ ଲାଗୁଥାଏ ବଂଶିଧରକୁ ।
ନିଜ ମା'କୁ ଏତେ କଷ୍ଟ ଦେଇ ପାଠପଢାରେ ବା କି ସୁଖ ପାଇବ ବୋଲି ମନେ ମନେ ନିଜକୁ ଅସହାୟ ମନେକରେ । ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ବେଳେ ବଂଶିଧର ଘରର ପରିସ୍ଥିତି ଶୁଣି, ଶିକ୍ଷକ ତା'ଠାରୁ କେବଳ ୫୦ ପ୍ରତିଶତ ହିଁ ପାଉଣା ନିଅନ୍ତି ଆଉ ତାର ପଢାପଢି ପାଇଁ ଭଲକରି ଧ୍ୟାନ ଦିଅନ୍ତି ।
ଦେବୀ ସରସ୍ଵତୀ ଯାହାକୁ ଆଶୀର୍ବାଦ କରିଛନ୍ତି ଆଉ ପରୀକ୍ଷାରେ ଅସଫଳ ହେବାର ସମ୍ଭାବନା କେମିତି ବା ଆସିବ ! ଆର. ଇ . ସି ବୁର୍ଲା ମହାବିଦ୍ୟାଳୟରେ କମ୍ପୁଟର ବିଜ୍ଞାନ ବିଭାଗରେ ଚୟନ ହୁଏ ବଂଶିଧର ।
ସଂଘର୍ଷର ଆଉ କଠିନତର ପାହାଚ ଆରମ୍ଭ ହୁଏ ଏଇଠୁ ।
ଆଶା, ଅଭିଳାଷ, ଆକାଂକ୍ଷାରେ ପ୍ରତିବନ୍ଧକ ସାଜେ ଅର୍ଥ । ନାମଲେଖା ବାବଦକୁ ୨୦ ହଜାର ଟଙ୍କା ଦରକାର ଥାଏ ବର୍ଷକୁ, ତା ସହିତ ବହି କିଣା, ଛାତ୍ରାବାସରେ ରହିବାକୁ ଖର୍ଚ ଇତ୍ୟାଦି ଇତ୍ୟାଦି ।
ଜଣେ ମୁଢି ବିକ୍ରି କରି ଚଳୁଥିବା ଜଣେ ମା ପାଇଁ ଏତେ ଗୁଡାଏ ଟଙ୍କା ଯୋଗାଡ଼ କରିବା ଅସମ୍ବବରୁ ବି ଉର୍ଦ୍ଧରେ । ଏତେ ସବୁ ଟଙ୍କା କେଉଁଠୁ ଆସିବ ବୋଲି ଭାଳେଣି ପଡ଼େ କୌଶଲ୍ୟାଙ୍କୁ ।
ବ୍ୟାଙ୍କରୁ ଋଣ ନେଇ ପାଠ ପଢି ହେବ ବୋଲି ଜାଣିବାକୁ ପାଏ ବଂଶିଧର କିନ୍ତୁ ସେଥିପାଇଁ ବ୍ୟାଙ୍କର ନିୟମ ଅନୁଯାୟୀ, ଜମି ପଟାର କାଗଜ ପତ୍ର ବ୍ୟାଙ୍କରେ ବନ୍ଧକ ଦେବାର ନିୟମ ଅଛି ।
: "ଜମି ବନ୍ଧକ କଣ, ବିକ୍ରି ହେଇଗଲେ ବି କିଛି ଦୁଃଖ ନାହିଁ" ବୋଲି ଛାତିରେ ଛାତିଏ ଧର୍ଯ୍ୟ ଦେଇ କୁହନ୍ତି କୌଶଲ୍ୟା ।
କିନ୍ତୁ ଜମି ବୋଲି ଯେତକ ଅଛି ତା'ର ବାବଦରେ ଋଣ ଦେବାକୁ ରାଜି ହୁଏନି ବ୍ୟାଙ୍କ ।
ଏମିତି ସାହାଯ୍ୟ ପାଇଁ ଘୁରି ଗାଁ ଗଣ୍ଡା ବଜାର ବୁଲୁଥିଲାବେଳେ, ବଜାର ପାଖ ଗୋଟିଏ ସ୍ଥାନୀୟ ସ୍କୁଲରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜ ସାରଙ୍କ କଥା ଶୁଣିବାକୁ ପାଏ ବଂଶିଧର ।
ତା ପାଇଁ ବ୍ରଜ ସାର ହୁଅନ୍ତି ଦେବ ଦୁତ ।
ବ୍ରଜ ସାର ଗରିବ ମେଧାବୀ ଛାତ୍ରଙ୍କୁ ସାହାଯ୍ୟ କରିବା ପାଇଁ ଏକ ସଂଗଠନ ଆରମ୍ଭ କରିଥିଲେ । ସେ ଅଞ୍ଚଳରେ ଜଣାଶୁଣା ବ୍ୟକ୍ତି ତଥା ତାଙ୍କର ପୁରୁଣା ଛାତ୍ରମାନଙ୍କ ଠାରୁ କିଛି କିଛି ଅର୍ଥ ସଂଗ୍ରହ କରି ଜମା ଅର୍ଥରାଶିରୁ ସେ ଗରିବ ମେଧାବୀ ଛାତ୍ରଙ୍କୁ ଉଚ୍ଚଶିକ୍ଷାରେ ସାହାଯ୍ୟ କରନ୍ତି ।
ବଂଶିଧରର ବିଷୟରେ ସବୁ ଜାଣିବାପରେ, ବ୍ୟାଙ୍କ ରୁଣ ଉପଲବ୍ଧ କରିବା ପାଇଁ ଖୁସି ଖୁସିରେ ତାର ଗ୍ୟାରେଣ୍ଟର ହେଲେ । ସ୍ଥାନୀୟ ବିଧାୟକ ବି ବ୍ୟାଙ୍କ ମାନେଜରକୁ ଅନୁରୋଧ କରନ୍ତି ।
ଶେଷରେ ବ୍ୟାଙ୍କ ରୁଣ ପାଇ ଆର. ଇ . ସି ବୁର୍ଲା ମହାବିଦ୍ୟାଳୟରେ ଇଂଜିନିୟରିଂ ପଢା ଆରମ୍ଭ ହୁଏ ବଂଶିଧର । ସାଥି ଅଶୋକ ସହିତ ଭଲ ବନ୍ଧୁତା ହୁଏ ବଂଶିଧରର, ଏମିତି ଥରେ କି ଦୁଇ ଥର ଯିବା ଆସିବା ହେଇଛି ଅଶୋକର ଘରକୁ ।
ଚାରି ବର୍ଷର କଠିନ ପରିଶ୍ରମ ପରେ ସ୍ଵପ୍ନ ସତ ହେଲା ବଂଶିଧରର । ଶେଷବର୍ଷର କଲେଜ କ୍ୟାମ୍ପସରେ ଇଣ୍ଟରଭିଉରେ ଡି.ଆର.ଡି.ଓ ର ବୈଜ୍ଞାନିକ ଭାବରେ ଚାକିରି ମିଳିଲା ବଂଶିଧରକୁ । ବଂଶିଧର ମା'ର ଖୁସି କହିଲେ ନସରେ ।
ଯେମିତି ଗୋଟେ ଯୁଗର ତପସ୍ୟା ଫଳ ଆଜି ମିଳିଲା ।
ଦୀର୍ଘ ୨୦ ବର୍ଷ ହେଲା, ଆଖ ପାଖ ସବୁ ମନ୍ଦିରରେ କେତେ ପୂଜା ପାଠ ନକରିଛନ୍ତି ବଂଶିଧର ମା । ବଂଶିଧର ବହୁତ ପାଠ ପଢି ଭଲ ଚାକିରିଟେ କରୁ ଆଉ ଭଲ ମଣିଷଟେ ହେଉ, ଏତିକି ଗୁହାରି କରୁଥିଲେ ପ୍ରଭୁଙ୍କ ଚରଣରେ ଆଉ ଏବେ ସେ ଗୁହାରି ଶୁଣିଛନ୍ତି ଠାକୁରେ । ଦରମା ଯଦିଓ ବହୁତ ବେଶୀ ନଥିଲା କିନ୍ତୁ ଭବିଷ୍ୟତ ଉଜ୍ଵଳ ଥିଲା ।
ଚାକିରି କରିବାର ଦୁଇ ବର୍ଷ ଭିତରେ ବଡ ଭଉଣୀର ବାହାଘର, ବଡ ଭାଇର ବାହାଘର ସବୁ ଦାୟିତ୍ଵ ତୁଲେଇ ସାରିଥାଏ । ଭାଇ ଭଉଣୀମାନଙ୍କ ମଧ୍ୟରେ ସଭା ସାନ ହେଲେ ବି ଘରର ମୁରବି ଭଳି ସବୁ ଦାୟିତ୍ଵ ସମ୍ଭାଳି ମା'ର ଦୁଃଖ ଲାଘବ କଲା ।
କାହିଁ କେଉଁ କାଳର ମାଟି ଘରେ ଜୀବନ କାଟୁଥିବା ମା' ଆଉ ଭାଇଙ୍କ ପାଇଁ ବଂଶିଧର ପକ୍କା ଘରଟିଏ ବି କରିଦେଲା ବ୍ୟାଙ୍କରୁ ରୁଣ ନେଇ । ନୂଆ ଘର ସରିଲା ପରେ କୌଶଲ୍ୟାଙ୍କ ଖୁସି କହିଲେ ନସରେ । ମା'କୁ ଖୁସି ଦେଖି ବଂଶିଧରକୁ ସ୍ଵର୍ଗ ପ୍ରାପ୍ତି ହେଲା ଭଳି ଲାଗୁଥାଏ ।
କୌଶଲ୍ୟା ସୁନ୍ଦର କନ୍ୟାଟିଏ ଖୋଜିବାରେ ବ୍ୟସ୍ତଥିଲେ, ବଂଶିଧରର ବାହାଘର କରିଦେଇ ସେ ଶାନ୍ତିରେ ନିଃଶ୍ଵାସ ମରିପାରିବେ ବୋଲି ତାଙ୍କର ଚିନ୍ତା । ବହୁତ ଖୋଜା ଖୋଜା ଖୋଜି ପରେ ଉଚ୍ଚ ଶିକ୍ଷିତ ବୋହୁଟିଏ ପାଇଲେ । ଆଡମ୍ବର ସହିତ ବାହାଘର ସରେ ।
: ବାହାଘର ପରେ ବଂଶିଧର ମା କୌଶଲ୍ୟାଙ୍କୁ କୁହେ "ଆମ ସହ ସହରକୁ ଚାଲ କିଛି ମାସ ରହିଆସିବୁ, ତୋର ମନଟିକେ ଭଲ ଲାଗିବ" ।
: "ମୁଁ ବିନା ପିଆଜ ରସୁଣରେ ତିଆରି ଖାଦ୍ୟ ଖାଏନି ତେଣୁ ତମ ସହ ରହି କାହିଁକି ତମକୁ ଅଯଥା କଷ୍ଟ ଦେବି" କୌଶଲ୍ୟା ଉତ୍ତର ଦିଅନ୍ତି ।
: "ତୁ ତୋର ପିଲା ମାନଙ୍କର ଉନ୍ନତି କାମନା କରି ସବୁ ତ୍ୟାଗ କଲୁ, ଏମିତିକି ପିଆଜ ରସୁଣ ଖାଇବା ଛାଡିଲୁ । ଏବେ ତ ସମସ୍ତେ ବାହା ହୋଇ ସଂସାର କଲେ ଆଉ ତୋର ମାନସିକ ପୂରଣ ହେଲା । ତୁ ଆଉଥରେ ପିଆଜ ରସୁଣ ଖାଇବା ଆରମ୍ଭ କରୁନୁ ! ଅସୁବିଧା କଣ ?" ପଚାରିଲା ବଂଶିଧର ।
: "ଖାଲି ସଂସାର ଆରମ୍ଭ କଲେ କଣ ହେଇଗଲା ? ପିଲାମାନଙ୍କର ସଂସାର ଖୁସିରେ ଚାଲୁ, ବୋହୁର କୋଳ ଭରୁ । ଆହୁରି କେତେ ସବୁ କଥା, ତୁ ସେସବୁ ବୁଝିବୁନି" ଉତ୍ତର ଦେଲେ କୌଶଲ୍ୟା ।
କୌଶଲ୍ୟାଙ୍କ ଉତ୍ତର ଶୁଣି ପ୍ରତିଉତ୍ତର ପାଇଁ କୌଣସି ଶବ୍ଦ ପାଏନି ବଂଶିଧର । ବାତ୍ସଲ୍ୟ ମମତା ଆଉ ମା'ର ତ୍ୟାଗ ଆଗେ ସେ ଶବ୍ଦଶୂନ୍ୟ ହୋଇଯାଉଥାଏ ।
ବାହାଘରର ଦୁଇ ସପ୍ତାହ ଭିତରେ ପୁଅ ବୋହୁ ଫେରିଯାନ୍ତି ସହରର କର୍ମ କ୍ଷେତ୍ରକୁ । କୌଶଲ୍ୟା ମନେ ପକାଉଥାନ୍ତି ପୁରୁଣା ସ୍ମୃତିକୁ, ସେ ସଂଘର୍ଷର ଦିନଗୁଡିକୁ ତାଙ୍କ ଆଖି ଆଗରେ ନାଚି ଯାଉଥାଏ । ଭଗବାନ ଶିବ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ, ବ୍ରଜ ସାରଙ୍କ ଉଦାର ପଣିଆ, ସ୍କୁଲ ଇଂରାଜୀ ଶିକ୍ଷକର ସହଯୋଗଭାବ ଏବଂ ବଂଶିଧରର କଠିନ ପରିଶ୍ରମ, ନିଷ୍ଠା, ଏକାଗ୍ରତା ଓ କର୍ତ୍ତବ୍ୟ ପାଇଁ ଆଜି ଏ ଦିନ ଦେଖିବାକୁ ମିଳିଛି ।
କୃତଜ୍ଞ କୌଶଲ୍ୟା ଅଜସ୍ର ଧନ୍ୟବାଦ ଦିଅନ୍ତି ମନେ ମନେ ସମସ୍ତଙ୍କୁ ପ୍ରାୟବେଳେ ।
ଇଂରାଜୀ ଶିକ୍ଷକ, ସ୍କୁଲରେ ତାଙ୍କର ପ୍ରିୟ ଛାତ୍ର ବଂଶିଧର ଆଉ ତାଙ୍କ ମା' କୌଶଲ୍ୟାଙ୍କ ସଫଳତାର କାହାଣୀକୁ ପ୍ରେରଣାର ଉତ୍ସ ଭାବେ ଉଦାହରଣ ଦିଅନ୍ତି ସ୍କୁଲ ପିଲାମାନଙ୍କୁ ..। ବଂଶିଧର ଭଳି ମେଧାବୀ, ସହନଶୀଳ, ଦାୟିତ୍ଵବାନ ଓ ନିଷ୍ଠାପର ଛାତ୍ର ଆଉ କୌଶଲ୍ୟାଙ୍କ ଭଳି ତ୍ୟାଗ, ଦୃଢମନୋବଳରେ ଗଢା ଶଶକ୍ତ ଧର୍ଯ୍ୟବାନ ମା' ଏ ଜନ ମାନସକୁ ଅନୁପ୍ରେରିତ କରନ୍ତୁ ।
************************