Bijaya Panda

Horror Thriller

4.2  

Bijaya Panda

Horror Thriller

ସେଇ ଅନ୍ଧାର ରାତିରେ (ଭାଗ-୧)

ସେଇ ଅନ୍ଧାର ରାତିରେ (ଭାଗ-୧)

3 mins
315


ଗରିବ ପରିବାର ରେ ଜନ୍ମ ବୁବୁର । ବିଧବା ମା', ବଡ଼ ଭଉଣୀ କୁ ଛୋଟ ସଂସାର । ଗାଁ ର ଧୂଳି ଖେଳ, ସାଙ୍ଗ ସାଥୀଙ୍କ ସଙ୍ଗେ ମିଶି ନଈ ପହଁରା, ଗୋଟି ଖେଳ ଆଦିରେ ପିଲାଦିନ କଟିଯାଇଥିଲା । ପିଲାବେଳୁ ବୁବୁ ମେଧାବୀ ଛାତ୍ର ଥିଲା, ସେଥିପାଇଁ ଗାଁ ସ୍କୁଲ, ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଶିକ୍ଷକ ମାନଙ୍କ ସହାୟତା ତଥା ବିନା ଶୁଳ୍କରେ ଟ୍ୟୁସନ ପାଇ ମ୍ୟାଟ୍ରିକ ପରୀକ୍ଷା ରେ ୯୦% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲା । ଯୁକ୍ତ ଦୁଇ ପରେ ମେଡିକାଲ ଏଣ୍ଟ୍ରାନ୍ସ ରେ ବି କୃତକାର୍ଯ୍ୟ ହୋଇ ଥିଲା । ପଛୁଆ ବର୍ଗ ମେଧାବୀ ପିଲାଙ୍କ ପାଇଁ ଧାର୍ଯ୍ୟ ସ୍କଲାରସିପ ଦ୍ୱାରା ଦୂର ସହରରେ ମେଡିକାଲ କଲେଜ ପାଠପଢ଼ା ଆରମ୍ଭ କରିଥିଲା ।

ବଡ଼ ଭଉଣି ର ବାହାଘର ହୋଇଯାଇଥାଏ। 

ବୋଉ ଟି ତାର ପୁଅ ଝିଅ ଦୁହିଁଙ୍କୁ ପାଖରେ ନପାଇ ଟିକେ ଭାଙ୍ଗି ଯାଇଥିଲା । 

 ପୁଅ ତା'ର ପାଠ ପଢା ସାରି ଡାକ୍ତର ହେବ । ଈଶ୍ୱର ଙ୍କ କୃପାରୁ ଯଦି ଗାଁ ପାଖ ମେଡିକାଲ ରେ ଚାକିରୀ ପାଇଯିବ ତାହେଲେ ଦଶ ଖଣ୍ଡ ଗାଁ ଲୋକଙ୍କ ସେବା କରିବ ଏମତି କେତେ ସପନ ଦେଖୁଥାଏ । 

ପ୍ରବଳ ଈଶ୍ୱରଙ୍କ ବିଶ୍ୱାସୀ ସେ, ଜଗା ଉପରେ ଭରସାକରି ପୁଅର ପାଠପଢା ଶେଷ ହେବା ଦିନକୁ ଚାହିଁ ରହିଥାଏ ।

   ସକାଳର ସୁରୁଜ ଉଇଁବା ପରଠୁଁ କେଉଁଠି କ୍ଷଣିକ ବସେନି । ଘର ଦୁଆର ଲିପା ପୋଛା, ବାସନ ମଜା, ଗାଧୁଆ ପାଧୁଆ, ଠାକୁର ପୂଜା ଏ ସବୁ ସାତଟା ପୂର୍ବରୁ ସାରିଦେଇ କ୍ଷେତ ବାଡ଼ି କାମରେ ଲାଗିଯାଏ ।

    ସେଦିନ ଝିଅ ଜ୍ୱାଇଁ ଘରକୁ ବୁଲି ଆସିଥିଲେ। ଝିଅ ସହ କଥା ହେଉ ହେଉ ସେ ଆଭାସ ପାଇ ଯାଇଥିଲା ଯେ ବୁବୁ ତାର କ୍ଲାସରେ ପଡୁଥିବା ଜଣେ ବଡ଼ ଲୋକ ଘରର ଝିଅକୁ ଭଲପାଉଛି । ମନରେ ତାର ବଡ଼ ଆଶଙ୍କା, ଆମ ଭଳି ସାଧାରଣ ମଣିଷ ମାନେ ବଡ଼ ଲୋକଙ୍କ ସମକକ୍ଷ !! କାହିଁକି ପୁଅଟା ଏମିତି ଭୂଲ କରୁଛି ?

    ଦୀର୍ଘ ଛ ମାସପରେ ପୁଅ ଥରେ ଗାଁକୁ ବୁଲି ଆସିଥିଲା । କେବେ ଟଙ୍କା ପଇସା ନ ମାଗିବା ପିଲା ବୁବୁ ସେଥର ମା'କୁ କିଛି ଟଙ୍କା ମାଗିଥିଲା । 

"ପୁଅର ପାଠ ପଢିବାରେ କିଛି ଅସୁବିଧା ନହେଉ.." ଏଣୁ ମା' କିଛି କାରଣ ନ ପଚାରି ବଢ଼ାଇ ଦେଇଥିଲା ବର୍ଷଯାକ ସଞ୍ଚୟ କରି ରଖିଥିବା ଟଙ୍କା ତକ । 

   ପାଠ ପଢ଼ା, ପ୍ରାକ୍ଟିକାଲ ଲାଵ, ଆସାଇନମେଣ୍ଟ ଆଦି ସବୁ ଥିରେ ବୁବୁ ଥାଏ ଆଗରେ । ଆଉ ସେଥିପାଇଁ ବୋଧେ ସାଙ୍ଗ ସାଥି ମାନେ ବହୁତ ଆଦର କରନ୍ତି ତାକୁ । ସେଇଠୁ ଆରମ୍ଭ ହୋଇଥିଲା ଲୁସି ସହ ସମ୍ପର୍କ । ଲୁସି ବୁବୁକୁ ତାର ସବୁ ଆସାଇନମେଣ୍ଟ ଲେଖିବାକୁ ଦେଇଦିଏ । ବୁବୁର ସବୁ ନୋଟ୍ସ ବି ଆଗେ ଲୁସି ପାଖେ ପହଞ୍ଚେ ଆଉ ତାପରେ ଅନ୍ୟ କାହା ପାଖେ ଜେରକସ ହୋଇ। ସାଥୀହେଇ ଲାଵ ପ୍ରାକ୍ଟିକାଲ, କ୍ଲାସ , ଅଡ଼ି ଟୋରିଅମ.. ଲାଗିଯାଇଥିଲା ସମ୍ପର୍କର ଡୋରୀ । ଦୁହେଁ ଦୁହିଁଙ୍କର ନିବିଡ଼ ହୋଇଯାଇଥିଲେ । 

     ଗାଁରୁ ଫେରି ଲୁସି ପାଇଁ ଏକ ପେଣ୍ଡାଣ୍ଟ ଗିଫ୍ଟ ଧରି ହଷ୍ଟେଲରେ ପହଞ୍ଚିଲା। ଏଥର ବୁବୁ ଆଉ ଲୁସି ର ସେକ୍ସନ ଅଲଗା ହୋଇଯାଇଥିଲା । ତେଣୁ ସିଧା ସଳଖ ଲାଵ ପ୍ରାକ୍ଟିକାଲ ହଲ କୁ ଚାଲିଯାଇଥିଲା ବୁବୁ ।

   ଲାଵ ପ୍ରାକ୍ଟିକାଲ ସାରି ସମସ୍ତେ ଫେରିଯାଇଥିଲେ । ରାତି ହେଯାଇଥିଲା, ପ୍ରାକ୍ଟିକାଲ ସାରିବା ପରେ ଲାଵ ରେ କିଛି ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଧ୍ୟାନ ଦେଇ ନୋଟ୍ସରେ ଲେଖା ଲେଖି କରୁଥାଏ ବୁବୁ । ହଠାତ ଗୋଟିଏ ଝିଅର ହସ ଶୁଣି ଧ୍ୟାନ ହଟିଲା ବୁବୁର । ଝରକା ଦେଇ ବାହାର ଆଡ଼କୁ ନିରେଖି ଚାହିଁଲା ବୁବୁ । କିଟି କିଟି ଅନ୍ଧାର, କାହିଁ କିଛି ଦିଶୁ ନଥିଲା, ନଜର ଫେରେଇ ପୁଣି ନୋଟ୍ସ ଲେଖିବାରେ ଧ୍ୟାନ ଦେଲା ବୁବୁ ।

ଲାଵ ର ପଛ ପଟକୁ ଘଞ୍ଚ ଗଛ ଲତା ଥାଇ ଛୋଟିଆ ଜଙ୍ଗଲ ଭଳି ଜାଗାଟିଏ ଥାଏ । ଲାଵ ରୁ ସେ ଜାଗା ମଧ୍ୟରେ ମାତ୍ର ଗୋଟିଏ ଷ୍ଟ୍ରିଟ ଲାଇଟ । କିଛି ସମୟ ପରେ ପୁଣି ପୂର୍ବ ପ୍ରକାର ହସ ଶୁଣି ଏଥର ମନରେ ସନ୍ଦେହ ଆସିଲା ବୁବୁର । ବ୍ୟାଗ ଧରି ଲାଵ ରୁ ବାହାରକୁ ବାହାରିଗଲା । ଶବ୍ଦକୁ ଅନୁସରଣ କରି ଲାବ ପଛ ପଟ ରାସ୍ତାରେ ଆଗେଇବାକୁ ଲାଗିଲା । କିଛି ପାଦ ଗଲାପରେ ସେ ଲୁସିର ସାଙ୍ଗ ମିନୁକୁ ଦେଖି ଟିକେ ଆଶ୍ୱସ୍ତ ହେଲା, କିନ୍ତୁ ମନେ ମନେ ଭାବୁଥିଲା ରାତି ରେ ଏକୁଟିଆ ଏ ଏଠି କଣ କରୁଛି !!


କିଛି ଦୂର ଗଲାପରେ ମିନୁ ହଠାତ ରାସ୍ତା ମଝିଟାରେ ବସି ପଡ଼ିଲା । "ଏ ମିନୁ..। ତୁ ରାତିରେ ଏକୁଟିଆ ଟା ଏଠି କଣ କରୁଛୁ ? ଆଉ ଲୁସି କୁଆଡ଼େ ଗଲା ? ତୁମେ ଦୁହେଁ ତ କଲେଜରେ ପ୍ରାୟ ସମୟରେ ସାଥିରେ ଥାଅ ।"

ଏଥର ହସ ପରିବର୍ତ୍ତେ ଧିରେ ଧିରେ କାନ୍ଦ ଶୁଭିବାକୁ ଲାଗିଲା । ମିନୁ କହିଲା "ଲୁସି କଥା କଣ ତୁ ଜାଣିନୁ ?"

"ନାହିଁ ,ମୁଁ ତ ଗାଁରୁ ଫେରି ସିଧା କଲେଜ ପହଂଚିଲି । ତା ଛଡ଼ା ଲୁସିର ଆଉ ମୋର ସେକ୍ସନ ଅଲଗା ହେଇ ଯାଇଛି ଏଇ ସେମିଷ୍ଟରରେ ..।"

"ଜଲ୍ଦି ଯା.. ଲୁସି କଥା ବୁଝିବୁ ଶୀଘ୍ର ଯା । ମୁଁ ଆସୁଛି.." କହି ମିନୁ ଜୋର ଜୋର ରେ ପାଦ ଉଠେଇ ଲାଵ ରାସ୍ତା ଦେଇ କଲେଜ ଆଡ଼କୁ ଚାଲିବାକୁ ଲାଗିଲା ।

ଦେଖୁ ଦେଖୁ ସେ କଲେଜ ଭିତରକୁ ଯାଇ କୁଆଡ଼େ ଉଭାନ ହେଇଗଲା ଯେମିତି । ବୁବୁ ତା ପିଛା କରି କଲେଜ ସାରା ଆସି ଖୋଜି ଖୋଜି ବିଫଳ ହେଲା ..।

(କ୍ରମଶଃ..)


Rate this content
Log in

Similar oriya story from Horror