Rajalaxmi Tripathy

Crime

0.8  

Rajalaxmi Tripathy

Crime

ଠାକୁରାଣୀ

ଠାକୁରାଣୀ

6 mins
505


ଗାଁ ଟିର ନାଁ ହୁଙ୍କାପୁର ।ପାହାଡ ତଳି ଗାଁ ଟିଏ।ପାହାଡ ନିକଟସ୍ଥ ବଡ଼ବଡ଼ ଉଈହୁଙ୍କାର ଅବସ୍ଥିତି ପାଇଁ ବୋଧହୁଏ ଗାଁ ଟିର ନାମକରଣ ଏପରି ହୋଇଛି।ଏଠିକାର ଲୋକମାନେ ଭାରୀ ସରଳ ବିଶ୍ବାସୀ।ବର୍ଷସାରା ନିଜ ଚାଷଜମି କାର୍ଯ୍ୟ ରେ ବ୍ୟସ୍ତ ରୁହନ୍ତି।ଋତୁ ଅନୁସାରେ ପର୍ବପର୍ବାଣି ଯାନିଯାତ୍ରା ପାଳନକରି ମଜା ପାଆନ୍ତି।ଗାଁ ର ଇଷ୍ଟଦେବୀ କାଂଚେନି ଠାକୁରାଣୀ ଙ୍କ ମନ୍ଦିର ଟି ପାହାଡ ଉପରେ ଅବସ୍ଥିତ।ବର୍ଷକୁ ଥରେ ଚୈତ୍ର ମାସ ସଂକ୍ରାନ୍ତି ଦିନ ଏଠାରେ ବଡ଼ ମେଳା ଟିଏ ହୁଏ।ପାଖ ଆଖ ଗାଁ ରୁ ଲୋକ ଙ୍କ ଭିଡ଼ ଜମେ ଏଠି।କାଂଚେନି ଠାକୁରାଣୀ ଙ୍କ ପୂଜକ ହେଉଛି ହରି ଦେହୁରି।କିଛି ତୁଟକା ତୁଟୁକି ଔଷଧ ଓ ଗୁଣି ଗାରେଡିରେ ଧୁରନ୍ଧର ସେ । ସମସ୍ତଙ୍କ ର ସୁଖ ଦୁଃଖ ସେ କୁଆଡ଼େ ଠାକୁରାଣୀ ଙ୍କୁ ଜଣାଇଦିଅନ୍ତି।

ହୁଙ୍କାପୁର ଗାଁ କହିଲେ ପଚିଶ ଟି ପରିବାର ମାତ୍ର।ଗାଁ ପିଲାଙ୍କ ପାଠପଢା ପାଇଁ ଗୋଟିଏ ମାଇନର ସ୍କୁଲ,ଚିକିତ୍ସା ସୁବିଧା ରେ ଏକ କବିରାଜି ଚିକିତ୍ସାଳୟ,ଓ ଗାଁ ଶେଷ ମୁଣ୍ଡ ରେ ଛୋଟିଆ ପୁଲିସ ଥାନା ଓ ପୋଷ୍ଟ ଅଫିସ ରହିଛି।ଏହି ଗାଁ ର ଏକ ଚାଷୀ ପରିବାର ଧନୁ ମୁଣ୍ଡା, ସ୍ତ୍ରୀ ଧନି ଓ ତାଙ୍କର ଏକମାତ୍ର ଝିଅ କୁନି।ଗାଁ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ଛାତ୍ରୀ।ବଡ଼ ସୁଖଶାନ୍ତି ର ଏ ପରିବାର।ଝିଅ କୁନି କୁ ନେଇ ଅନେକ ସ୍ବପ୍ନ ଧନୁ ଓ ଧନି ର। ତାକୁ ବହୁତ ପାଠ ପଢାଇ ବଡ଼ମଣିଷ କରି ଦୁନିଆଁ ଦେଖାଇବେ।କୁନି କେବଳ ଝିଅ ଟିଏ ନୁହେଁ ସେ ସାତ ପୁଅଙ୍କୁ ମଧ୍ୟ ଗୁଣରେ ଦିନେ ଟପିଯିବ,ଏକଥା ଧନୁ ସବୁବେଳେ ସାଙ୍ଗ ସାଥି ଙ୍କ ଆଗରେ କହିହୁଏ।ମା'ଧନି ମଧ୍ୟ ଝିଅ ର କୌଣସି କଥାରେ ହେଳାକରେନି।ଘରକାମରେ ନଲଗାଇ ପାଠପଢିବାପାଇଁ ଉତ୍ସାହ ଦିଏ।କୁନି ପ୍ରତିଦିନ ସ୍କୁଲପୋଷାକ ରେ ସ୍କୁଲ ଗଲାବେଳେ ଧନି ତା'ଲୁଗାକାନିରେ କୁନିମୁହଁ କୁ ଟିକେ ହାଲକାରେ ପୋଛିଦେଇ କହେ:-ମୋ ଧନ ଉପରେ କାହାର ନଜର ନଲାଗୁ। ମା 'କାଂଚେନି ଠାକୁରାଣୀ ହିଁ ଆମର ଭରସା। ଏହାକହି କୁନିର ଫେରିବା ବାଟକୁ ଚାହିଁ ବସେ ଧନି।

ଏ ସଂସାର ବଡ଼ ବିଚିତ୍ରମୟ।ସବୁଦିନ କାହାର ସୁଖରେ ଯାଏନି କିମ୍ବା ନିଜ ଭାବନା ଅନୁସାରେ କାର୍ଯ୍ୟ ହୁଏନି।ସବୁଦିନ ପରି କୁନି ସେଦିନ ଦିନ ୧୦ଟାରେ ବିଦ୍ୟାଳୟ କୁ ଗଲା। ବାପା ଧନୁ ସକାଳୁ ବିଲକାମ ରେ ଯାଇଛି।ଘରେ ଏକା ଧନି।କାମ ସାରି ଦାଣ୍ଡ ପିଣ୍ଡାରେ କିଛି ସମୟ ବସିପଡିଲା।ଭାବିବସିଲା କୁନି କଥା।ଏଇ ଗାଁ ମୁଣ୍ଡ ବିଲ ପାଖରେ ତା'ବିଦ୍ୟାଳୟ।କୁନି କୁଆଡ଼େ ଭଲପାଠ ପଡୁଛି ବୋଲି ତା ଶ୍ରେଣୀ ଶିକ୍ଷକ ଗୋପ ସାର୍ ଧନୁ କୁ କହୁଥିଲେ।ଯାହା ବି ହେଉ ବିଲବାଡି ବିକାଭଂଗା କରି ସେ କୁନି କୁ ଅଧିକ ପଢାଇବ।ବଡ଼ହେଲେ କୁନି ନିଜ ଗୋଡରେ ଠିଆ ହେବ।ପାଂଚ ଜଣରେ ନାଁ କମାଇବ।ତା'ଭଳି ମୁର୍ଖ ହୋଇ ଗାଁ ରେ ସାରା ଜୀବନ କଟାଇବନି।ଏମିତି ଭାବୁ ଭାବୁ ଦେଖିଲା ପଡୋଶୀ ଝିଅ ରୁନି ବିଦ୍ୟାଳୟ ରୁ ଫେରୁଛି।ଚାରିଟା ବାଜିଗଲାଣି,ଏଇଲେ କୁନି ଫେରିଆସିବ।ତା'ପାଇଁ ପଖାଳ ଗଣ୍ଡେ ସଜ କରିବା ପାଇଁ ଘର ଭିତରକୁ ଦଉଡି ଗଲା ଧନି।


ସଂଜ ବେଳ ହେଲାଣି।କୁନି ଏପର୍ଯ୍ୟନ୍ତ ଘରକୁ ଫେରିନି।ଛାତିରେ କଣ୍ଟା ଅଟକିଲା ପରି ଲାଗିଲା ଧନିର।ଦାଣ୍ଡ ଦୁଆର ମୁହଁରେ ଧନୁ କୁ ଦେଖି କୁନି ର ଘରକୁ ନଫେରିବା କଥା କହିଲା।ଭୟ ଓ ଉଦ୍ ବେଗ ରେ ଧନୁ ବିଦ୍ୟାଳୟ ଆଡେ ମୁହାଁଇଲା। ବିଦ୍ୟାଳୟ ଦୁଆର ତାଲା ପଡିଛି।ତାପରେ କୁନିର ସବୁ ସାଙ୍ଗ ସାଥି ଘର ,ପୋଷ୍ଟ ଅଫିସ, ଶେଷରେ ଗାଁ ପାଖ ରେଲୱେ ଷ୍ଟେସନ ସବୁ ଠି ଖୋଜିବସିଲା ଝିଅ କୁନି କୁ।ନିରାଶ ହୋଇ ଘରକୁ ଫେରି ସ୍ତ୍ରୀ ଧନି କୁ ଧରି କାନ୍ଦି ବାକୁ ଲାଗିଲା।ରାତିସାରା ସ୍ବାମୀ ସ୍ତ୍ରୀ ଅନିଦ୍ରା।ଡିବିରି ଆଲୁଅ ଟି ଜଳୁଛି।କୁନି ର ଛୋଟିଆ ଟିଣ ସଜ ବାକ୍ପଟିକୁ ଚାହିଁ ରହି ଲୁହ ଗଡାଇ ଚାଲିଥିଲା ଧନି।ତା ଦରଫିଟା ଟିକିଲି ପ୍ୟାକେଟ,ନଖପଚା ଶିଶି,ଛୋଟ ପାନିଆଁ,ଟିକି ପାଉଡ଼ର ଡ଼ବା ସହ ଛୋଟ କଣ୍ଢେଇ ଟି ଦେଖି ଧନି ର ଛାତି ଫାଟି ଯାଉଥିଲା।କାଂଚେନି ଠାକୁରାଣୀ ଙ୍କୁ ପ୍ରାର୍ଥନା କରି କହୁଥିଲା"ମା ମୋ ଝିଅ କୁ ଫେରାଇଆଣ।।ତାକୁ ନିରାପଦ ରେ ରଖ।" ଏମିତି ଘୋର ବିପଦ ଓ ବିକଳ ଅବସ୍ଥାରେ ଧନୁ ଓ ଧନି ଙ୍କ ର ଦୁଇ ଦିନ ବିତିଯାଇଥିଲା।ତୃତୀୟ ଦିନ ସକାଳୁ ସ୍ବାମୀ ସ୍ତ୍ରୀ ଦୁହେଁ ପୋଲିସ ଥାନା କୁ ଆସିଲେ।

"ଦୁଇ ଦିନ ହେଲାଣି ଝିଅ ଟିକୁ ଖୋଜି ଖୋଜି ଆମେ ସ୍ବାମୀ ଓ ସ୍ତ୍ରୀ ଦୁଇଟି ନୟାନ୍ତ ହେଇଗଲୁଣି।

ବିଦ୍ୟାଳୟ ଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏଁ ଏପରିକି ଗାଁ ପୋଖରୀ ତୁଠ କୁ ବି ବାଦ୍ ଦେଇନୁ।କିନ୍ତୁ ବାବୁ ଝିଅ ର କିଛି ଖବର ମିଳୁନି।ସାଙ୍ଗ ସାଥି କେହି ବି କିଛି କହିପାରୁନାହାନ୍ତି।ଆମକୁ ଦୟା କରନ୍ତୁ ସାହେବ।"

କାନ୍ଦି କାନ୍ଦି ଧନୁ ମୁଣ୍ଡା ପୁଲିସ ବାବୁ ଙ୍କୁ ଗୁହାରି କରୁଥିଲା। ପୁଲିସ ବାବୁ ଗମ୍ଭୀର ହୋଇ କହିଲେ-"ଆମେ ନିଶ୍ଚୟ ତୁମ ଝିଅ କୁ ଖୋଜି ବାହାର କରିଦେବୁ। ଟିକିଏ ଧୈର୍ଯ୍ୟ ଧର। ତୁମେ ଦୁହେଁ ଅପେକ୍ଷା କର। ଆମେ କୁନିର ବିଦ୍ୟାଳୟ କୁ ଯାଇ ସବୁ ବୁଝିବୁ ଓ ତୁମକୁ ଜଣାଇବୁ ।ତୁମେ ଦୁହେଁ ଘରକୁ ଯାଅ।ଧନୁମୁଣ୍ଡା ଗାମୁଛାରେ ଲୁହ ପୋଛି ଧନି ହାତ ଧରି ଥାନା ବାହାରକୁ ଆସିଲା।ଚାରିଆଡ଼ ଶୂନ୍ୟ ଲାଗୁଛି ଦୁହିଁଙ୍କୁ । ଧୁନି ର ହାତ ଦୁଇଟି ଥରୁଛି।ମା'ମନ ସମ୍ଭାଳିବ କେମିତି।ହଜିଲା ଝିଅ ଘରକୁ ନଫେରିଲେ ଏମିତି ବାୟାଣୀ ହୋଇ ସେ କାନ୍ଦୁଥିବ ।ଧନି କୁ ଦମ୍ଭ ଦେଇ କହିଲା-"ଭରସା ରଖ, ପୁଲିସ ବାବୁ ମୋ ଝିଅ କୁ ଯେମିତି ହେଲେ ଖୋଜି ଆଣିଦେବେ"।ଘରେ ପହଞ୍ଚି ଧନୁମୁଣ୍ଡା ସ୍ତ୍ରୀ କୁ କହିଲା-"ଧନି,ଆମର ଶେଷ ଆଶା ସେଇ କାଂଚେନି ଠାକୁରାଣୀ। କାଲି ସକାଳେ ଆମେ ପାହାଡ ଉପରକୁ ଯାଇ ହରି ଦେହୁରି କୁ ଝିଅ ବିଷୟରେ ପ୍ରଶ୍ନ ପଚାରିବା ।କେଜାଣି କୁନି ହୁଏତ ଏକା ଏକା ପାହାଡ ଉପରକୁ ବୁଲି ଯାଇଥିବ !

ତା'ପରଦିନ ବଡି ଭୋର ରୁ ଧନୁମୁଣ୍ଡା ଓ ଧନି ପାହାଡ ଉପରକୁ ଚଢିଲେ।ଧନୁ ଭାବୁଥିଲା ହରି ଦେହୁରି କଥା।ସେହିପାହାଡ ଉପରେ ଠାକୁରାଣୀ ଙ୍କ ମନ୍ଦିର ହିଁ ହରି ଦେହୁରିର ଘର। ବିବାହ କରିନି।ସଂସାର ହିଁ ତାର ଏ ଠାକୁରାଣୀ ମନ୍ଦିର।ଗାଁ ଲୋକେ କଥାହୁଅନ୍ତି ଯେ ଠାକୁରାଣୀ କୁଆଡେ଼ ହରିଦେହୁରି ସହ ନିତି କଥାବାର୍ତ୍ତା ହୁଅନ୍ତି । ସବୁଦିନ ରାତିରେ ଗାଁ ଲୋକ ଙ୍କ ଭଲ ମନ୍ଦ କହନ୍ତି । ପାହାଡ ଉପରେ ବାଟ ଚାଲୁ ଚାଲୁ କେତେବେଳେ ଦୁହେଁ ଆସି ମନ୍ଦିର ନିକଟରେ ପହଞ୍ଚି ଗଲେଣି।ପାଖ ଝରଣା ରୁ ପାଣି ଆଂଜୁଳାଏ ପିଇ ଧନୁମୁଣ୍ଡା ଗାମୁଛା ଟାକୁ ଓଦାକରି ଧନି ହାତ କୁ ବଢାଇଦେଲା।ଆଖିରୁ ଲୁହ ଗୁଡାକ ପୋଛିଦେଲା ଧନି। ମନ୍ଦିର ଦୁଆର ମୁହଁ କୁ ଧାଇଁ ଗଲେ ଦୁହେଁ ।ଏ କଣ ଦେଖୁଛନ୍ତି ସେମାନେ!!ଛୋଟ ଝିଅ ଟିଏ ସେମାନଙ୍କ ଆଡ଼କୁ ପଛ କରି ଠାକୁରାଣୀ ଙ୍କୁ ସିନ୍ଦୁର ଲଗାଇ ଫୁଲମାଳ ରେ ସଜାଉଛି୍।ଘରଟି ଅନ୍ଧାରିଆ ଥିବା ହେତୁ ତା'ମୁହଁ ଟିକୁ ଭଲ ଭାବେ ଦେଖିପାରୁନଥିଲେ ଦୁହେଁ। ଝିଅ ଟି ଠାକୁରାଣୀ ଙ୍କ ଏକ ପୁରୁଣା ଶାଢ଼ୀ,ହଳଦିଆ ରଙ୍ଗରେ ନାଲି ଧଡି ଶାଢ଼ୀପିନ୍ଧିଛି।ଧନି ଟିକିଏ ନିରେଖି ଚାହିଁ କହିଲା;- ହେ,ଏ ଝିଅ ଟି କୁ ଚାହିଁ ଲ,ଏ ତ ଆମ କୁନି!ଏଥର ଝିଅ ଟି ତାଙ୍କ ଆଡ଼କୁ ଚାହିଁ କହିଲା-ମୁଁ ଠାକୁରାଣୀ।ମଣିଷ ନୁହେଁ। ଏ କଥାରେ ଧନୁମୁଣ୍ଡା ର କାନମୁଣ୍ଡା ଭାଁ,ଭାଁ ହୋଇଗଲା।ଧନି କୁ ବିବ୍ରତ ହୋଇ କହିଲା-"ଆମ କୁନି ଏଠାକୁ ଆସିଲା କେମିତି?ଏକା ଏକା ପାହାଡ ଉପରକୁ ଆସିଲା !ମନରେ ଅଜସ୍ର ପ୍ରଶ୍ନ ଉଙ୍କି ମାରିଲା।ଆଉ କଣ ହରି ଦେହୁରି କୁନିକୁ ଚୋରାଇ ଆଣି ଏଠି ଲୁଚାଇ ରଖିଛି? ଏତିକି ବେଳେ ହରି ଦେହୁରି ମନ୍ଦିର ପଛ ପଟୁ ଆସି ଧନୁ କୁ କହିଲା:-ଆରେ ଧନୁ, ଜାଣିଛୁ ତୋ ଝିଅ ଦେହରେ ଠାକୁରାଣୀ ସବାର ହୋଇଛନ୍ତି ।ତିନିଦିନ ତଳେ ମୁଁ ସ୍ବପ୍ନ ରେ ଦେଖିଥିଲି ଠାକୁରାଣୀ ଏକଥା କହିବାର।ତେଣୁ ସେଦିନ ବିଦ୍ୟାଳୟ ରୁ ଫେରିବା ସମୟରେ କୁନି କୁ ମୁଁ ମୋ ପାଖରେ ଆଣି ରଖିଛି।ସେ ଆଉ ଏବେ ତୋ ଝିଅ ନୁହେଁ, ଏ ଗାଁ ର କାଂଚେନି ଠାକୁରାଣୀ।ଧନୁ ଏ କଥା ଶୁଣି ଭୀଷଣ କ୍ରୋଧ ରେ କହିଲା:"ମୋ ଝିଅ କୁ ଗୁଣି କରି ତୁ ନେଇ ଆସିଛୁ ।ମୋତେ ମୋ ଝିଅ କୁ ଫେରାଇଦେ।ନହେଲେ ତୋ ମୁଣ୍ଡ କୁ ଦୁଇଖଣ୍ଡ କରିଦେବି।ଧନି ସ୍ବାମୀ ର ହାତ କୁ ରୋକି ହରି ଦେହୁରି ଗୋଡ଼ତଳେ ପଡି କାନ୍ଦି କାନ୍ଦି କହିଲା:"ଆମ ଝିଅ କୁ ଫେରାଇଦିଅ,ସେ ପାଠ ପଢିବ, ବଡ଼ ମଣିଷ ହେବ।" ଦୁହିଁଙ୍କ କଥାଶୁଣି ହରି ଦେହୁରି ଧିର କଣ୍ଠ ରେ କହିଲା:ତୁମେମାନେ ବଡ଼ପାଟି କରନି।ଠାକୁରାଣୀ ରାଗି ତୁମର ଅନିଷ୍ଟ କରିବେ ।ଅଭିଶାପ ଦେବେ।"ଏହାକହି ତା ଢୋଲ ଟିକୁ ଖୁବ୍ ଜୋରରେ ପିଟିଲା।କୁନି ମଧ୍ୟ ତା'ବାଜା ର ତାଳେ ତାଳେ ନାଚିବାକୁ ଲାଗିଲା।ଏ ସବୁ ଦେଖି ଧନୁମୁଣ୍ଡା ଓ ତା ସ୍ତ୍ରୀ ଧନି ପାଟିରୁ କଥା ବାହାରିଲାନି।ହରି ଦେହୁରି ପୁଣି କହିଲା;-"ଆସନ୍ତା କାଲି ଚୈତ୍ର ସଂକ୍ରାନ୍ତି।ତୁମେ ଦୁହେଁ ଆସିଲେ ଦେଖିବ ଠାକୁରାଣୀ ୟା ଦେହରେ ବିଜେ ହେବେ।ପାଖ ଆଖ ଗାଁ ରୁ ବହୁତ ଲୋକ ଆସି ପ୍ରଶ୍ନ ପଚାରିବେ।ତୁମେ ମଧ୍ୟ ହୁକୁମ ନେବ।"

ଧନୁ ନିରବରେ ସ୍ତ୍ରୀ କୁ ଧରି ପାହାଡ ଓହ୍ଲାଇ ତଳକୁ ଆସିଲା।ସିଧା ଦୁହେଁ ଧାଇଁଲେ ପୁଲିସ ବାବୁଙ୍କ ପାଖକୁ।ପୁଲିସ ବାବୁ ଙ୍କ ପାଖରେ କୁନି ର ଶ୍ରେଣୀ ଶିକ୍ଷକ ମଧ ଉପସ୍ଥିତ ଥିଲେ। ଥାନାରେ ଉପସ୍ଥିତ ସମସ୍ତେ ନିଖୋଜ କୁନି ବିଷୟରେ କଥା ହେଉଥିଲେ।ଧନୁମୁଣ୍ଡା ଏକା ନିଶ୍ୱାସ ରେ ପୁଲିସ ବାବୁ ଙ୍କ ଆଗରେ ସବୁ କହିଗଲା।ପୁଲିସ ଗାଡ଼ି ରେ ବସି ସମସ୍ତେ କିଛି ଦୂରରେ ଗାଡ଼ି ରୁ ଓହ୍ଲାଇ ପାହାଡ ଉପରକୁ ଗଲେ।ବିସ୍ମୟ ର ସୀମା ରହିଲାନାହିଁ ସମସ୍ତଙ୍କ ର।ନିର୍ଜନ ପାହାଡ ଆଜି ଲୋକାରଣ୍ୟ ହୋଇଉଠିଛି।ସମସ୍ତଙ୍କ ମଝିରେ ଠିଆ ହୋଇଛି କୁନି।ପାଖରେ ଲମ୍ବା ବେତ ଟିଏ ଧରି ନିର୍ଦ୍ଦେଶ ଦେଉଛି ହରି ଦେହୁରି।କୁନି ବେଶଭୂଷା ବଡ଼ ଅଦ୍ଭୁତ ଲାଗୁଛି।ମୁକୁଳା କେଶ କୁ ନାଲି ଶାଢ଼ୀ ପିନ୍ଧିଛି ସେ। ବେକଭର୍ତ୍ତି ଫୁଲ ମାଳରେ।କୁନି କୁ ଚାହିଁ ଦେବାକ୍ଷଣି ଧନି ଚିତ୍କାର କରି କହିଲା;-"ନା,ମୋ ଝିଅ ଠାକୁରାଣୀ ନୁହେଁ, ସେ କେବେବି ଠାକୁରାଣୀ ହୋଇପାରିବନି।ସେ ପାଠ ପଡ଼ିବ, ମଣିଷ ହେବ, ଦୁନିଆଁ ଦେଖିବ।ହେ ମା,ଭଗବତୀ, ମୋ କୁନି କୁ ତୁ ଏ ପରିସ୍ଥିତି ରୁ ଉଦ୍ଧାର କର। ଦୁନିଆ ଦେଖିବ,ଏ ଭଣ୍ଡ ଦେହୁରି ମିଛ କହୁଛି।ମୋ ଝିଅ ଦେହ ରେ ଠାକୁରାଣୀ ସବାର ହୋଇନାହାନ୍ତି, ତା ଦେହରେ ରାକ୍ଷସ ପଶିଛି,।କୁନି କୁ ଭୁଲାଇ ସେ ଏଠାକୁ ନେଇ ଆସିଛି।"ହରି ଦେହୁରି ଏ କଥା ଶୁଣି ପାହାଡ ଉପରେ ଥିବା ଶାଳ ବଣ ଭିତରକୁ ଦଉଡି ଗଲା।ତା'ପଛରେ ଖୁବ୍ ଜୋରରେ ଦଉଡୁଥିଲେ ପୁଲିସ ବାବୁ।କୁନି ର ଶ୍ରେଣୀ ଶିକ୍ଷକ ତା'ପାଖକୁ ଯାଇ କହିଲେ:-"କୁନି,କାଲି ଠୁ ବିଦ୍ୟାଳୟ କୁ ଆସିବୁ। ପରୀକ୍ଷା ଫଳ ବାହାରିଛି।ତୁ ଶ୍ରେଣୀ ରେ ପ୍ରଥମ ହୋଇଛୁ ।"


ଏହି ସମୟରେ ଧନୁ ମୁଣ୍ଡା ଠାକୁରାଣୀ ଙ୍କ ଗମ୍ଭୀରା ଘର ଭିତରୁ କୁନି ର ସ୍କୁଲ ଫ୍ରକ ଓ ପ୍ୟାଂଟ ଦୁଇଟି ଉଦ୍ଧାର କରି ଉପସ୍ଥିତ ଲୋକ ମାନଙ୍କୁ କାନ୍ଦି କାନ୍ଦି ଚିତ୍କାର କରି କହିଲା:" ଧର ,ଧର, ସେ ଠକ ଦେହୁରି କୁ,ବଡ଼ ଭଣ୍ଡ ଲୋକ ଟା।ଠାକୁରାଣୀ ଙ୍କ ନାଁ ବିକି କୁକର୍ମ କରି ମୋ ଝିଅ ର ସର୍ବନାଶ କଲା"।

ଧନୁମୁଣ୍ଡା ଓ ଧନି ତଳେ ଗଡି କାନ୍ଦୁଥିଲେ।ପାହାଡ ଉପରୁ ଦୁଇ ଜଣ ପୁଲିସ ବାବୁ ହରି ଦେହୁରି ହାତରେ ହାତକଡି ପକାଇ ତଳକୁ ଆଣୁଥିଲେ।ଉପସ୍ଥିତ ଜନତା ଚିତ୍କାର କରୁଥିଲେ "ଏଭଳି ପାପିଷ୍ଠ କୁ ମା"ଠାକୁରାଣୀ ସର୍ବସମ୍ମୁଖରେ ଚିହ୍ନା ପକାଇଦେଲେ।ତା'କୁକର୍ମ ର ଫଳ ସେ ନିଶ୍ଚୟ ଭୋଗିବ"। ଧନୁମୁଣ୍ଡା ଓ ଧନି ଧିରେ ଧିରେ କୁନି ପାଖକୁ ଯାଇ ଉଭୟେ କୁନୀକୁ କୋଳରେ ଜାବୁଡି ଧରିପକାଇଲେ।


Rate this content
Log in

Similar oriya story from Crime