The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Rajalaxmi Tripathy

Tragedy Crime

3  

Rajalaxmi Tripathy

Tragedy Crime

ବିନ୍ଦୁଏ ସିନ୍ଦୂର ର କୋହ

ବିନ୍ଦୁଏ ସିନ୍ଦୂର ର କୋହ

4 mins
527


ସଖି ଦେଖିବାକୁ ଭାରି ସୁନ୍ଦରୀ।ସତେ ଯେମିତି ସଖି କଣ୍ଢେଇଟେ।ଗୋରା ତକ୍ ତକ୍ ଦେହକୁ ଗୋଲ ମୁହଁ, ସବୁବେଳେ ହସ ହସ ।କପାଳ ମଝିର ନାଲି ବଡ଼ ସିନ୍ଦୂର ଟୋପା ଟି ତା'ମୁହଁ ର ସୌନ୍ଦର୍ଯ୍ୟକୁ ଦୁଇ ଗୁଣ କରିଦିଏ ।ତାର ଅଭାବ ଅସୁବିଧା ଯେ କିଛି ନାହିଁ ଏମିତି ନୁହେଁ, କିଛି ଦିନ ପୂର୍ବରୁ ସ୍ବାମୀ ସୁରେଶ ରିକ୍ସା ଚଲାଉଥିଲେ।ସଖି ନିଜେ ପରଘର କାମକରି ରୋଜଗାର କରୁଥିଲା।ହସଖୁସିରେ ସ୍ବାମୀ ସ୍ତ୍ରୀ ଉଭୟଙ୍କ ଦିନ କଟିଆସିଛି ।ଦିନେ ବି କିଛି କଳିକଜିଆ ନଥାଏ।ବରଂ ଇଶ୍ବରଙ୍କ ଦୟାରୁ କିଛି ସଂଚିତ ଟଙ୍କାରେ ସୁରେଶ ଓ ସେ ତାଙ୍କ ଘରପାଖ ଛକ ଉପରେ ପାନ ଦୋକାନ ଟିଏ ଖୋଲିଛନ୍ତି ।କଥାରେ ଅଛି, ମନରେ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଯାଏ।


ସ୍ବାମୀ ସୁରେଶ ପ୍ରଥମେ ପାନ ଦୋକାନଟିକୁ ଏକା ଚଳାଉଥିଲା।ଛକ ଉପର ଦୋକାନ ହେତୁ ଗ୍ରାହକଙ୍କ ଭିଡ଼ ଜମିଲା,ଦୋକାନରେ ପାନ ସହ ଗ୍ରାହକଙ୍କ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଆଣି ବିକ୍ରି କଲା ସୁରେଶ।ଏସବୁ ଦେଖି ସଖି ସକାଳୁ ଶିଘ୍ର ଘରକାମ ଓ ରୋଷେଇ ସାରି ଦିନ ଦଶଟା ବେଳକୁ ଦୋକାନକୁ ଆସେ ।ସୁରେଶ ପାଖରେ ବସି ଗ୍ରାହକଙ୍କ ପାଇଁ ପାନ ଭାଙ୍ଗେ ।ଏମିତି ବି ଘରେ ତାର କାମ କଣ,ଆଉ କିଏ ବା ଅଛି ତାର ।ଆଖିରେ ଲୁହ ଜକେଇ ଆସିଲା ସଖିର।ବାହାଘରର ପାଞ୍ଚ ବର୍ଷ ହେଲାଣି, ପିଲାଟିଏ ଏ ପର୍ଯ୍ୟନ୍ତ କୋଳକୁ ଆସିନି।ଜାଣିବା ଶୁଣିବା ଲୋକ କହିଛନ୍ତି ଭଲ ଡାକ୍ତର ଦେଖାଇ ଚିକିତ୍ସା କରିବାକୁ।ସୁରେଶ ଏଥର ରାଜି ହୋଇ ସଖିକୁ କହିଛି,ହଁ ଏବେ ତ ପାନ ଦୋକାନ ନୁଆ ଖୋଲିଛି,ଆଉ କିଛି ଦିନ ଅପେକ୍ଷା କର। ଆଶାରେ ବଂଚିଛି ସଖି ।


ସବୁଦିନ ରାତି ନଅଟାରେ ଦୋକାନ ବନ୍ଦ କରି ଘରକୁ ଫେରେ ସୁରେଶ।ଦିନଯାକର ବିକ୍ରି ପଇସାର ଲାଭାଂଶ ସଖି ହାତକୁ ବଢ଼ାଇ ଦିଏ ।ସଖି ସେ ଟଙ୍କାରେ ଘର ଚଳାଏ,ନିଜର ମନ ମୁତାବକ ଜିନିଷ କିଣେ।ତା'ସୁନ୍ଦର ଚେହେରାକୁ କେବଳ ସୁରେଶ ସ୍ବାମୀ ହିସାବରେ ପ୍ରଶଂସା କରେ ତା ନୁହେଁ ସାହି,ପଡିଶା ମଧ୍ୟ ତା'ସାମ୍ନାରେ ତାକୁ ପ୍ରଶଂସା କରନ୍ତି।ପଡିଶା ଘରର ବୋହୁ ରମା ସବୁବେଳେ କହେ,:-ସଖି ନାନୀ ସତରେ ତୁମର ଏ ଗୋରା ସୁନ୍ଦର ମୁହଁରେ ନାଲି ଚିକ୍ ଚିକ୍ ସିନ୍ଦୂର ଟୋପା ଏତେ ମାନେ ଯେ ସମସ୍ତେ ତୁମକୁ ଘଡ଼ିଏ ଚାହିଁବାକୁ ଇଛା କରିବେ। ଲାଜେଇ ଯାଏ ସଖି ।କହେ:-ଏ ସିନ୍ଦୂରକୁ ମୁଁ ବଜାର ସାରା ଖୋଜି ଖୋଜି ବହୁତ କଷ୍ଟରେ ପାଏ ।


ସୁରେଶ ପାନ ଦୋକାନ ଏବେ ସବୁବେଳେ ବହୁତ ଭିଡ଼।କିନ୍ତୁ ଏତେ ଗ୍ରାହକଙ୍କ ସଂଖ୍ୟା ବଢ଼ିଲେ ମଧ୍ୟ ସଖିକୁ ସେ ମନାକରୁଛି ଦୋକାନକୁ ଆସିବା ପାଇଁ।ସଖିକୁ ତାଗିଦ କରି କହେ:-ତୁ ଖରାବେଳେ ଘରେ ବିଶ୍ରାମ କର।ଏଠି ବାରଲୋକଙ୍କ ଆଗରେ ବସି କାହିଁକି ପାନ ଭାଙ୍ଗିବୁ ।ସଖି ସ୍ବାମୀର କଥା ମାନେ।ତଥାପି ମନ ବୁଝେନି ।ମଝିରେ ମଝିରେ ଦୋକାନକୁ ବୁଲିବାକୁ ଚାଲିଆସେ।ଦୋକାନ ଆଗରେ ଖାଲି ଅଳ୍ପ ବୟସର ଟୋକା ମାନଙ୍କ ଭିଡ଼।ଅଳ୍ପ ଦୂରରେ ଠିଆ ହୋଇ ସଖି ଭାବେ ସିଗାରେଟ କିଣିବା ପାଇଁ ଏତେ ଭିଡ଼ !ଘରକୁ ଫେରେ।ବେଶୀ କିଛି ଭାବିପାରେନି ସେ।ଖାଲି ଭାବେ ଆଜିକାଲି ସୁରେଶର ରୋଜଗାର ବହୁ ଗୁଣରେ ବଢ଼ି ଯାଇଛି। ରାତିରେ ସବୁ ଟଙ୍କା ଆଣି ତାକୁ ଦେଲାବେଳେ କହେ:-ଏତେ ଜିନିଷ ବିକ୍ରି ହେଉଛି ଯେ ମୁଁ ମାଲ ଗ୍ରାହକଙ୍କୁ ଯୋଗାଇ ପାରୁନି। କ୍ଲାନ୍ତ ଶରୀର ନେଇ ସୁରେଶ ଶିଘ୍ର ଶୋଇ ଯାଏ। ସଖିକୁ ନିଦ ଆସେନି।ଭାବେ, ହଠାତ୍ ଏଇ ଦିନ କେତେଟାରେ ସୁରେଶର ରୋଜଗାର ବଢ଼ିଛି କିପରି? କାହାଠାରୁ ଏତେ ଟଙ୍କା ସେ ପାଉଛି? ଚିନ୍ତାମଗ୍ନ ହୋଇ ଶୋଇବାକୁ ଚେଷ୍ଟା କରେ ସଖି ।

ସେଦିନ ଭୋର ପାଂଚଟାରୁ ଉଠି ଦୋକାନ ଚାବିଧରି ସୁରେଶ ବାହାରକୁ ବାହାରିଗଲା। ସଖି କିଛି ବୁଝିପାରିଲାନି। ଆକାଶ ଟିକେ ଫର୍ଚ୍ଚା ଦିଶିବାରୁ ସ୍ନାନ ସାରି ଦର୍ପଣ ଆଗରେ ନିଜ ମୁହଁକୁ ଦେଖିଲା।ଏଇ କେତେ ଦିନ ହେବ ନିଦ ଠିକ୍ ରେ ନହେବା ହେତୁ ତା'ଆଖିତଳ କଳାପଡି ମୁହଁ ମଳିନ ଦିଶୁଛି।

ଛାଡ଼,ଏତେ ବେଶୀ ଭାବି ଲାଭ ବା କଣ ।ମୁହଁ ଉପରେ ନିତିଦିନିଆ ପ୍ରଲେପ ଦେଇ ସିନ୍ଦୂର ଡ଼ବାଟି ଆଣି ବଡ଼ ଟୋପାଟିଏ ଲଗାଇଲା।ଏଥର ଦର୍ପଣକୁ ଅନାଇଲା।ଏ ସିନ୍ଦୂର ଟୋପା ଟି ହିଁ ତାକୁ ଭାରି ମାନୁଛି ।ସୁରେଶ କଥା ମନେ ପଡିଲା ତାର। ଠାକୁରଙ୍କ ଫଟୋ ପାଖରେ ସୁରେଶର ଶୁଭ ମନାସି କହିଲା:-ହେ ଠାକୁର, କୋଳକୁ ସନ୍ତାନଟିଏ ସିନା ଦେଇନ,ଏଇ ସିନ୍ଦୂର ଟୋପାକ ମୋ ମଥାରେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏମିତି ଝଟକୁଥାଉ।


ଶିଘ୍ର ରୋଷେଇ ସାରିବାପାଇଁ ପ୍ରସ୍ତୁତ ହେଲା ସଖି। ମନଟା ଜମା ଭଲ ଲାଗୁନି ତାର।ଭୋରରୁ ସୁରେଶ କିଛି ନଖାଇ ଦୋକାନରେ ବୋଧେ ଅଛନ୍ତି। ରୋଷେଇ ସାରି ଟିଭି ପାଖରେ ଆସି ବସିଲା ସଖି।ହଠାତ୍ ଦାଣ୍ଡ ଦୁଆର ଖଡ଼ ଖଡ଼ ଶବ୍ଦ ଶୁଭିଲା।ବୋଧେ ରମା ଆସିଛି।ଦଉଡି ଯାଇ କବାଟ ଖୋଲିଲା ସଖି।ସାମ୍ନାରେ ରମା ଠିଆ ହୋଇ କାନ୍ଦୁଛି ତା ପଛରେ ଜଣେ ପୁଲିସ ବାବୁ ।ପୁଲିସ ବାବୁ ସଖି ଆଡ଼କୁ ହାତ ଦେଖାଇ କହିଲେ,ମୋ ସହ ଆସ,ଏହି ସାହିମୁଣ୍ଡ ପୋଖରୀ ପାଖକୁ ।ସଖି ମୁଣ୍ଡରେ କିଛି ପଶୁ ନଥିଲା।ଭାବିଲା,ରମାର କଣ କିଛି ଅସୁବିଧା ହୋଇଛି କି?ରମା ତା ହାତକୁ ଧରି ଘରଭିତରୁ ଟାଣି ଆଣି କହିଲା-"ସବୁ ସରିଗଲା ଲୋ ସଖି ନାନୀ" ।

କିଛି ସମୟ ପରେ ଏସବୁ କଥାର ଫର୍ଦା ଖୋଲିଗଲା ଯେତେବେଳେ ପୁଲିସ ବାବୁ ସଖିକୁ ନେଇ ପୋଖରୀ ପାଖରେ ପହଞ୍ଚି, ଏକ ଧଳା ଚାଦର ଘୋଡ଼ା ହୋଇଥିବା ଶବ ଉପରୁ ମୁହଁଟିକୁ ଦେଖାଇ ପଚାରିଲେ:ଏ ଲୋକ କଣ ତୁମର ସ୍ବାମୀ? ସଖି ଦେଖିଲା ଇଏ ତ ତା ସୁରେଶ, ତା ସ୍ବାମୀ। ସେତେବେଳକୁ ତା ଚାରିପଟେ ଲୋକ ବେଢ଼ି ହୋଇ ଗଲେଣି। ସଖି ମୁଣ୍ଡ ଘୁରାଇ ପଡିଯିବକି ! ସୁରେଶ ମୃତ ମୁହଁଟି ଉପରେ ହାତ ରଖି ଘୁମୁରି କାନ୍ଦିଲା ବେଳକୁ ଶୁଭିଲା ପୁଲିସ ବାବୁ କହିଛନ୍ତି:ତୁମ ସ୍ବାମୀ ନିଶା କାରବାର କରୁଥିବା ହେତୁ ଅନ୍ୟ କେତେକ ନିଶା ବ୍ୟବସାୟୀଙ୍କ ସହ ଶତ୍ରୁତା ଯୋଗୁଁ ସେମାନେ ଆଜି ସକାଳୁ ତାଙ୍କୁ ହତ୍ଯା କରି ଏ ପୋଖରୀରେ ଫୋପାଡ଼ି ଚାଲି ଯାଇଛନ୍ତି ।ଆଉ ନଶୁଣି ବୁକୁଫଟା ଚିତ୍କାର କରି ସଖି କାନ୍ଦି କାନ୍ଦି କହୁଥିଲା:-ଏ ଅଧର୍ମ କାହିଁକି ତୁମେ କଲ,ମୋ ସିନ୍ଦୂର ଟୋପା ଟିର ମାନ ଟିକେ ରଖିଲନି,ଏ ଧନ ସଂପତ୍ତି ମୋର କିଛି ବି ଦରକାର ନଥିଲା, ଲୋଡ଼ା ଥିଲା କେବଳ ଏଇ ସିନ୍ଦୂର ଟୋପାଏ ,ସେତକ ଆଜି ପୋଛିଦେଲ ତୁମେ !!

ରମା କାନ୍ଦି କାନ୍ଦି ତା'ସଖି ନାନୀ କୁ ତଳୁ ଉଠାଉଥିଲା ।



Rate this content
Log in

More oriya story from Rajalaxmi Tripathy

Similar oriya story from Tragedy