ଗାଁ ବରଗଛର ଆତ୍ମକଥା
ଗାଁ ବରଗଛର ଆତ୍ମକଥା
କେତେକାଳରୁ ଏଇ ଗାଁ ପୋଖରୀ ନିକଟରେ ଠିଆ ହୋଇଛି ମୁଁ। ମୋ ଶୈଶବରୁ ଆଜିର ପ୍ରୌଢ଼ ଅବସ୍ଥା ପର୍ଯ୍ୟନ୍ତ। ଗାଁର ସୁଖ,ଦୁଃଖ ସବୁ। ସଭ୍ୟତା ବଦଳିବା ସଙ୍ଗେ ଗାଁ ବି ବଦଳିଛି। ସେ ସମୟ ରମେଳା ମହୋତ୍ସବ, ଯାନିଯାତ୍ରାର ଧାରା ବଦଳିଛି। ମନେଅଛି, ମୋର ଛାଇରେ ଆଶ୍ରୟ ନିଅନ୍ତି ପଥଚାରୀ। ଶୋଇପଡେ କ୍ଲାନ୍ତ ପଥିକ ଥଣ୍ଡା ପବନରେ ।
ମୁଁ ପରିବେଶ ସୁରକ୍ଷାକାରୀ।ଜଳ ଧାରଣ ଶକ୍ତି ମୋର ଚେରରେ ଅଧିକ।ସେଥିପାଇଁ ପୂର୍ବରୁ ମୁନିଋଷି ମୋତେ ଆଦର କରି ମୋର ଚାରା ଚାରିଆଡ଼େ ରୋପଣ କରୁଥିଲେ। ମାନବସମାଜ ଓ ଜୀବ ଜଗତ ପାଇଁ ମୋଉପକାରିତା ଭୁଲିବା କଥା ନୁହେଁ।ଅନେକ ଔଷଧୀୟ ଗୁଣ ରହିଛି ମୋର।ମୋ ବିଷୟରେ କହିଲେ ଏକ ଲମ୍ବା କାହାଣୀ ହେବ।କିନ୍ତୁ ଆଜି ମୋ ଅନ୍ତରାତ୍ମାର କଥା କିଛି କହୁଛି।ଏତେସବୁ ଉପକାର ମୁଁ ମଣିଷ ପାଇଁ କରିପାରେ,କିନ୍ତୁ ମଣିଷ ମତେ ନିର୍ଜୀବ ଭାବି ନିଷ୍ଠୁର ଆଚରଣ କରେ।ହତ୍ଯା କରେ କୁରାଢି ଚୋଟରେ ବା ଯନ୍ତ୍ର ରେ।ମୁଁ କଥାକହି ପାରେନି ସତ କିନ୍ତୁ ମୋର ବି ପ୍ରାର୍ଥନା ଅଛି, ଇଚ୍ଛା ଅଛି।ମୁଁ ଜଡ଼ ନୁହେଁ, ଜଡେଇ ପାରେ,ବଢ଼ି ପାରେ।ଶୁଣିପାରେ କାହାର ବିଶୁଦ୍ଧ ସଂଗୀତ, ହସିପାରେ ମୋ ଫୁଲ ପାଖୁଡା ରେ,କାନ୍ଦି ପାରେ ପତ୍ରର ଟୋପା ଟୋପା ଜଳୀୟବାଷ୍ପରେ। ସହିଯାଏ ସବୁ ନିଷ୍ଠୁରତା,ଅତ୍ୟାଚାର ଏ ମଣିଷ ସମାଜର। ମତେ ଖଣ୍ଡିଆ ଖାବରା କରନ୍ତି, ଡାଳ ଭାଙ୍ଗନ୍ତି ବିନା କାରଣରେ। ମୁଁ ସ୍ବାର୍ଥପର ନୁହେଁ।ସମଗ୍ର ପ୍ରାଣୀ ସମାଜ ହିତ ରେ ମୋ ଜୀବନ। ମୁଁ କେବେ କଥା କହେନି, କିନ୍ତୁ ମଣିଷର ଅନ୍ୟାୟ ଦେଖିଲେ ମୋର ମୂକ ଚେର ମାନେ ଟାଣି ଓଟାରି ହୋଇ ପ୍ରତିକ୍ରିୟା ଦେଖାନ୍ତି।ମୁଁ ଯଦି କଥା କହୁଥାନ୍ତି ତେବେ ପ୍ରାଣୀ ଜଗତ ତିଷ୍ଠି ବା ଅସମ୍ଭବ ହୋଇଥାନ୍ତା।ମଣିଷ ତାର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ମୋ ଜାତିଭାଇ ଓ ଅନ୍ୟାନ୍ୟ ଉଦ୍ଭିଦ ମାନଙ୍କ ଠାରୁ ପାଇନଥାନ୍ତା।ଆମେ ସବୁ ଗଛମାନେ ବଂଚିବାକୁ ଚାହୁଁ।ଅକାଳ କ୍ଷୟରେ ଆମର ମୃତ୍ୟୁ ନହେଉ। ଏ ପୃଥିବୀର ଜଳ, ବାୟୁ, ଆଲୋକ କେବଳ ମଣିଷ ପାଇଁ ନୁହେଁ,ଗଛଲତା,ପଶୁପକ୍ଷୀ ସମସ୍ତଙ୍କ ପାଇଁ।