STORYMIRROR

Rajalaxmi Tripathy

Inspirational

3  

Rajalaxmi Tripathy

Inspirational

ଗରିବର ସୁଖ

ଗରିବର ସୁଖ

2 mins
297



ରୁନୁ କାମ ସାରି ସଂଧ୍ୟାରେ ଘରକୁ ଫେରିଲା।ପୁଅ ବିଟୁ ଏକା ବସି ପାଠ ପଢୁଛି।ତରତରରେ ବିଟୁ ପାଇଁ ଖାଇବାକୁ ବାଢିଲା ରୁନୁ।ସ୍କୁଲରୁ ଫେରି ନିତି ଏମିତି ମା'କୁ ଅପେକ୍ଷା କରେ।ବାପା ତାର ରିକ୍ସା ଧରି ଘରକୁ ଫେରିବା ବେଳକୁ ସେ ଶୋଇ ପଡିଥାଏ ।ବିଟୁ ଘର ପାଖ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢେ ।ତାକୁ ମଣିଷ କରିବା ପାଇଁ ରୁନୁକୁ ଆଜି ପରଘରେ କାମ କରିବାକୁ ପଡୁଛି 'କାମବାଲୀ'ର ଆଖ୍ୟା ନେଇ।ଆଖିରେ ଲୁହ ଆସିଗଲା ରୁନୁ ର।ଆଗରୁ ସ୍ବାମୀ ରମେଶ ଅଟୋ ଚଳାଉଥିଲା।କିଛି ଅଭାବ ନଥିଲା ତାର।କିନ୍ତୁ ସାଥିମାନଙ୍କ ସହ ମିଶି ଯେଉଁ ଦିନ ନିଶାପାଣିର ଅଭ୍ୟାସ କଲା,ସେଦିନ ଠୁ ଘର ତାର ଲକ୍ଷ୍ମୀ ଛଡ଼ା ହୋଇଗଲା। ମଦ ଖାଇ ଅଟୋ ଚଳାଇ ରାସ୍ତା ରେ ଦୁର୍ଘଟଣା କରିବାରୁ ମାଲିକ ଅଟୋ ଆଉ ଦେଲାନି।ରୁନୁ ଜୀବନରେ ଦୁର୍ଦ୍ଦଶା ମାଡ଼ି ଆସିଲା। ଗରୀବର ତାଡ଼ନା କଣ ବୁଝିପାରିଲା। ବିଟୁ କୁ ମୁଠାଏ ଭାତ ଖାଇବାକୁ ଦେବା ତା ପକ୍ଷେ କଷ୍ଟକର ହେଲା। ଶେଷରେ ସେହି କଲୋନୀରେ ଘରୋଇ କାମ ରନ୍ଧା ବଢ଼ା କରି ପରିବାରର ଗୁଜୁରାଣ ମେଣ୍ଟାଇଲା।


ମାଲିକାଣୀ ମା'ଙ୍କ ଦୟାରୁ ଖଣ୍ଡେ ପୁରୁଣା ରିକ୍ସା କିଣି ରମେଶକୁ ଦେଇଛି ଏବେ ସେ । ରମେଶକୁ ମାଲିକାଣୀଙ୍କ ଆଗରେ ଶପଥ କରାଇଛି ମଦ ନପିଇବା ପାଇଁ।ପୂର୍ବ ଅପେକ୍ଷା ରୋଜଗାର କମ୍ ହେଲେ ବି ରୁନୁ ବହୁତ ଖୁସି। କାରଣ ରମେଶ ଆଉ ଭାଟି କୁ ଯାଉନି।ସତରେ ମାଲିକାଣୀ ବହୁତ ଭଲଲୋକ, ସବୁବେଳେ ସେ କହନ୍ତି,-ରୁନୁ,ଟଙ୍କା ଗଦା ଆଉ ବଡ଼ କୋଠା ଘରେ ରହିଲେ କଣ ସୁଖ ଶାନ୍ତି ମିଳିଯାଏ, ଯେତେ ଅଭାବଥିଲେ ବି ମନରେ ଶାନ୍ତି ଥିଲେ ତୁମର ସବୁ ଅଛି ।


ରମଶ ଏବେ ପୁରା ବଦଳିଯାଇଛି।ଦିନସାରା ଅକ୍ଲାନ୍ତ ପରିଶ୍ରମ ପରେ ଘରକୁ ଫେରୁଛି। ସେଦିନ ସକାଳୁ ରିକ୍ସା ନେଇ ଗଲାବେଳେ ରୁନୁ ମୁହଁକୁ ଚାହିଁଲା।ରୁନୁର କାନ ଦୁଇଟା ଖାଲି।କାନଫୁଲ ଦିଟା ରିକ୍ସା କିଣିଲାବେଳେ ରୁନୁ ବିକ୍ରୀ କରିଦେଇଛି।ଗହ

ଣା ବୋଲି ସେହି ଶେଷ ସମ୍ପତ୍ତି ଥିଲା।ଛାଡ଼,ଭାବିଲା ରମେଶ ,ଆମ ପରି ଗରିବ ଲୋକ ପାଇଁ ସୁନା ସାତ ସପନ। ନା,ସେ ହାରିବନି,ପରିଶ୍ରମ କରି ରୁନୁ ପାଇଁ ନୂଆ କାନଫୁଲ ନିଶ୍ଚୟ ଆଣିବ। ଚେଷ୍ଟା କଲେ ନୁଆ ଅଟୋବି କରିବ। ଏମିତି ଭାବି ରିକ୍ସା ନେଇ ଘରୁ ବାହାରିଲା।ଏପଟେ ରୁନୁ ରମେଶର ଯିବାବାଟକୁ ଚାହିଁ ଭାବୁଛି, ଯାହାହେଉ ରମେଶ ମଦ ପିଇବା ଛାଡ଼ି ବାରୁ ବିଟୁ ଭଲଭାବେ ମନଦେଇ ପାଠ ପଢୁଛି।ତା ମନ ଖୁସି।ସାଙ୍ଗ ସାଥି ସହ ଏବେ ଖେଳିବାକୁ ଯାଉଛି ।ହଁ, କାନଫୁଲ ବିକ୍ରୀ ହେଲେ କଣ ହେଲା ତା'ପରିବାରର ଶାନ୍ତି ଓ ଆନନ୍ଦର ମୂଲ୍ୟ ସୁନା ଠୁ ବି ଅଧିକ।


ସେଦିନ ରାତିରେ ରିକ୍ସା ଧରି ଘରକୁ ଫେରିଲା ରମେଶ। ବିଟୁ ଶେଜରେ ଶୋଇଛି।ତାକୁ ଦେଖି ଖାଇବାକୁ ବାଢ଼ି ଦେଲା ରୁନୁ।ଖାଇସାରି ରୁନୁକୁ କହିଲା:ଦେଖିଲ ଏ ଛୋଟ ଜରି ପକେଟରେ କଣ ଅଛି।ରୁନୁ ଦେଖିଲା ସୁନ୍ଦର ଇମିଟେସନ କାନଫୁଲ ସହ ତାକୁ ମେଳକରି ବଡ ହାରଟିଏ।


ମନେ ମନେ ଖୁସି ହୋଇଗଲା।ମାଲିକାଣୀ ମା'ମଧ୍ୟ ତାକୁ ଏମିତି ଗହଣା ପିନ୍ଧିବାକୁ ବହୁବାର କହିଛନ୍ତି।ତାର ହାତ ଯାଏନି ପଇସା ଦେଇ ନକଲି ଗହଣା କିଣିବାକୁ।ଖାଲି କାଚ ମାଳିଟିଏ ବେକରେ ପକାଇଥାଏ ସେ।ଏମିତି ଭାବିବା ସମୟରେ ରମେଶ ପଛରୁ ଆସି ତା'ବେକରୁ କାଚମାଳି ଟି କାଢ଼ି ଦେଇ ଇମିଟେସନ ଚଉଡ଼ା ହାର ଟିକୁ ପିନ୍ଧାଇଦେଲା ତାକୁ।ରୁନୁ ତା ହାତରୁ କାନଫୁଲ ଦୁଇଟି ନେଇ ନିଜେ ପିନ୍ଧି ପକାଇ କହିଲା:ଦେଖିଲ ,କେମିତି ଦିଶୁଛି।ରମେଶ ତା'ମୁହଁ କୁଧରି କହିଲା-ସତରେ ଆମର ସିନା କୋଠାବାଡି ଟଙ୍କା ପଇସା ନାହିଁ।କିନ୍ତୁ ଆମ ଦୁହିଁଙ୍କର ଏ ସ୍ନେହ ପ୍ରୀତି ,ମଧୁର ସଂପର୍କ ନେଇ ଆମେ କେତେ ଧନୀ।ଗରିବ ବୋଧ ମନର ଏକ ଅବସ୍ଥା।ମୁଁ ଜାଣିପାରିଛି,ତୋର ସେହି ପରି ଅଭାବବୋଧ କିଛି ନାହିଁ। ତେଣୁ ମୋର ଏଇ ନକଲି ଗହଣାରେ ବି ତୁ ବହୁତ ଖୁସି। ଆଚ୍ଛା, କହିଲୁ, ମୋ ଠାରୁ ଧନୀ କିଏ ଆଉ ଅଛି?। ଏକଥାରେ ଦୁହେଁ ହସିଉଠିଲେ ।


Rate this content
Log in

Similar oriya story from Inspirational