STORYMIRROR

Rajalaxmi Tripathy

Romance Tragedy

3  

Rajalaxmi Tripathy

Romance Tragedy

ସ୍ତ୍ରୀ

ସ୍ତ୍ରୀ

6 mins
480



ସଂଧ୍ୟା ବେଳ । ତୁଳସୀ ଚଉରାମୂଳେ ସଞ୍ଜଦୀପ ଦେଇ ମୁଣ୍ଡିଆ ମାରୁଥିଲା ସୁଜାତା । ହଠାତ୍ ଦଲକାଏ ପବନ ମାଡି ଆସିବାରୁ ଦୀପଟି ଲିଭିଗଲା । ଆଶଙ୍କାରେ ଥରିଉଠିଲା ସେ । ସେମିତି କିଛି ଅଘଟଣ ଆଉ ତା' ଜୀବନରେ ନଘଟୁ । ବହୁତ କଷ୍ଟର ସାମ୍ନା କରି ଜୀବନର କୋଣ ଅନୁକୋଣ ଦେଖି ସାରିଛି । ଲିଭା ଦୀପ ଟିଧରି ପୁଣିଥରେ ତହିଁରେ ଅଗ୍ନି ସଂଯୋଗ କଲା । ଘର ଭିତରୁ ଶାଶୁ ନେତ୍ରମଣିଙ୍କ ପାଟି ଶୁଭିଲା । ତାକୁ ବୋଧେ ଡାକୁଛନ୍ତି । ତଳୁ ଉଠି ଚାହିଁଲା ,ଦୀପ ଟି ଏଥର ଦାଉ ଦାଉ ହୋଇ ଜଳୁଛି । ଶାଶୁଙ୍କ ଔଷଧ ଖାଇବା ସମୟ । ବଟିକା ଓ ପାଣି ଗ୍ଲାସ ଟି ତାଙ୍କ ହାତକୁ ବଢ଼ାଇଦେଇ ଅଗଣାରେ ପଡିଥିବା ଚଉକିରେ ବସି ପଡିଲା । ପିଲାମାନେ ସଂଧ୍ୟାରେ ଏଇ ଘରପାଖ ଟ୍ୟୁସନକୁ ଯାଇଛନ୍ତି । ଆକାଶକୁ ଚାହିଁଲା,ଚାରିଆଡ ଖାଲି ଲାଗୁଛି ।


ଏ ନିଃସଙ୍ଗତା ତାର ଆଜିକାଲିର ନୁହେଁ, ସ୍ବାମୀ ଅଜୟ ତା ଠାରୁ ଦୂରରେ ରହିବାଦିନଠୁ ମନକଥା ଖୋଲି କାହାକୁ କହିପାରିନି । ମନପଡିଲା ସବୁକଥା । ତା'ପ୍ରତି ଅଜୟଙ୍କର କେତେ ନିଷ୍ଠୁରତା ଓ କଠୋରତା । ମାତ୍ର କୋଡ଼ିଏ ବର୍ଷ ବୟସରେ ଏ ଘରକୁ ବୋହୁ ହୋଇ ଆସିଥିଲେ । ବି. ଏ ପରିକ୍ଷା ଶେଷ ହେବା ପରଦିନ ହିଁ ତାଙ୍କର ବିବାହ ହୋଇଥିଲା । ଚାରି ଭଉଣୀ ହେତୁ ସବା ବଡ଼ଝିଅ ହିସାବରେ ତାର ବାହାଘର ଶିଘ୍ର କରିଥିଲେ ବାପା । ଅଜୟ ନୁଆ ଅଧ୍ୟାପକ ଭାବେ ସରକାରୀ କଲେଜରେ ଥାନ୍ତି । ଅଜୟଙ୍କ ନିଜ ଘର କେଉଁଝର । ଶାଶୁ ଶଶୁର ଓ ଦିଅର ଅମୀୟ ଙ୍କୁ ନେଇ ଶାଶୁଘରେ ହସଖୁସିରେ ସମୟ କଟିଥିଲା ସୁଜାତାଙ୍କର । ଅଜୟ ମାସକୁ ଦୁଇ ତିନି ଥର କେଉଁଝରକୁ ଆସନ୍ତି । ଶଶୁରଙ୍କର ଏହି ଅଂଚଳରେ ଭାରି ନାଁ । ପୁରୁଣା ଜମିଦାରୀ । ସେସବୁ ଏକା ନିଜେ ବୁଝନ୍ତି ।


ସମୟ କ୍ରମେ ସୁଜାତାର କୋଳକୁ ଆସନ୍ତି ପୁଅ ଲିମନ ଓ ଝିଅ ଲିଜା । ଅଜୟ ମା'କୁ କେତେଥର ଅନୁରୋଧ କରିଛନ୍ତି, ସୁଜାତା ଓ ପିଲାମାନଙ୍କୁ ତାଙ୍କ ପାଖରେ ଭୁବନେଶ୍ୱର ରେ ରଖିବାପାଇଁ । ମା'ଙ୍କ ର ପୁରୁଣା କାଳିଆ ମନୋବୃତି ର ଚିନ୍ତାଧାରା ତାହା ସମ୍ଭବ କରାଇଦିଏନି । ମା'କହନ୍ତି, ବୋହୁକୁ ତୋ ପାଖକୁ ନେଲେ ଆମେ ଚଳିବୁ କେମିତି?ବୁଢ଼ା ବୁଢ଼ୀ ହେଲୁଣି କେତେବେଳେ କେଉଁ କଥା । ତା'ଛଡା ତୋ ପିଲାମାନଙ୍କର ଏଠି କିଛି ଅସୁବିଧା ହେଉନି । ପାଠପଢିବା ପାଇଁ ସବୁ ସୁବିଧା ଅଛ,କାହିଁକି ତାଙ୍କୁ ଆମପାଖରୁ ଛଡାଇ ନେବୁ?ଆଉ କିଛି ଦିନ ଯାଉ ପାଖକୁ ନେବୁ । ସୁଜାତା ,ଅଜୟ ମା'ର ଏ କଥାରେ କିଛି କହିପାରନ୍ତି ନାହିଁ, ମୁହଁ ତଳକୁ କରନ୍ତି ।


କିଛି ବର୍ଷ ଭିତରେ ଦିଅର ଅମୀୟ ବ୍ୟାଙ୍କରେ ଚାକିରୀ କରି କଟକ ରେ ରହୁଛନ୍ତି । ସ୍ବାମୀ ଅଜୟ ଙ୍କୁ ବିଶ୍ବ ବିଦ୍ୟାଳୟ ରେ ପି.ଏଚ.ଡି କରିବାର ସୁଯୋଗ ମିଳିଛି । ଏମାନଙ୍କ ପାଇଁ ଖୁସି ରେ ସୁଜାତା ର ମନ କୁଣ୍ଢେମୋଟ । ଅଜୟ ଙ୍କୁ ଫୋନ ରେ କହିଛି ଥେସିସ୍ କାମରେ ସେ ଯେପରି କୌଣସି ଅବହେଳା ନକରି ମନଧ୍ୟାନ ଦେଇ ପି .ଏଚ.ଡି ଡିଗ୍ରୀ ଟି ହାସଲକରିବାକୁ ପଡିବ । ତାଙ୍କ ପିଲାଙ୍କ ଦାୟିତ୍ୱ ଓ ଘରେ ବାପା ମା'ଙ୍କ ସବୁ କଥା ସେ ବୁଝିବେ ।

ଅଜୟ ମଧ୍ୟ ସବୁଦିନ ରାତିରେ ଫୋନ କରି ସୁଜାତାଙ୍କ ଠାରୁ ଘରର ଭଲମନ୍ଦ ବୁଝନ୍ତି । ଫୋନ ରଖିବା ବେଳେ କହନ୍ତି ଯେ ଆଗାମୀ ଶିକ୍ଷା ବର୍ଷ ଆରମ୍ଭରେ ସେ ସୁଜାତା ଓ ପିଲାମାନଙ୍କୁ ତାଙ୍କ ପାଖକୁ ନେଇଯିବେ । ସୁଜାତା ଖୁସିହୁଏ । ଅଜୟଙ୍କ ସ୍ଥୁଳ ଉପସ୍ଥିତି ତା'ପାଖରେ ନଥିଲେ ମଧ୍ୟ ଖୁବ୍ ନିକଟରେ ତାଙ୍କୁ ଅନୁଭବ କରେ ।

କିଛିଦିନ ପରେ ସୁଜାତା ଅନୁଭବ କରେ,ପ୍ରତିଦିନ ତା'ପାଖକୁ ଫୋନ କରୁଥିବା ସ୍ବାମୀ ଅଜୟ ଏବେ ଦଶ,ପନ୍ଦର ଦିନରେ ଥରେ କଥା ହେଉଛନ୍ତି୍ । ସେ ଆଗ୍ରହରେ ପଚାରିଲେ କିଛି କଥା,ସେପଟୁ ଅଜୟଙ୍କ ଉତ୍ତର କେବଳ ହଁ,ନା ରେ ସିମୀତ ରହିଲା । ସୁଜାତା ଭାବେ ବୋଧେ ଏହା ତାଙ୍କର ପଢାପଢି ଓ ଥେସିସ୍ ପ୍ରସ୍ତୁତିର ବ୍ୟସ୍ତତା । ତାପରେ ସୁଜାତା ଲକ୍ଷ୍ୟ କଲା ଅଜୟ ପ୍ରାୟ ମାସେ ,ଦୁଇ ମାସରେ ଥରେ ଫୋନ କରୁଛନ୍ତି । ତାଙ୍କ କଥାରେ ତା'ପ୍ରତି କୌଣସି ଆଗ୍ରହ ନଥିବା ସେ ଅନୁଭବ କରିପଚାରିଲେ ଅଜୟ ପିଲାମାନଙ୍କ ଯତ୍ନ ନେବାକୁ କହି ବାଁ 'ରେଇ ଦିଅନ୍ତି । ସନ୍ଦେହ ଆସେ ସୁଜାତା ମନରେ । କାରଣ ଖୋଜେ ସ୍ବାମୀଙ୍କର ତା ପ୍ରତି ଉଦାସ ଭାବର । ନା'ଏମିତି ସନ୍ଦେହ ଅପେକ୍ଷା ପ୍ରକୃତ ସତ୍ୟ ଟି ଜାଣିବା ଦରକାର, ଭାବିଲା ସୁଜାତା । ପିଲାଙ୍କର ଖରାଛୁଟି ସମୟ୍ । ଦିଅର ଅମୀୟ ଙ୍କୁ ପଠାଇଲା ଅଜୟ ଙ୍କ ପାଖକୁ । ଆଗରୁ କେତେ ଥର ଅମୀୟ ଅଜୁଭାଇ ଘରକୁ ଯାଇଛନ୍ତି । ଅଜୟ ଦୁଇ ବଖରିଆ ଭଡ଼ା ଘରଟିରେ ରୁହନ୍ତି । ଗୋଟିଏ ରୁମ୍ ରେ ଛୋଟ ଖଟ ଟି ସହ ଦୁଇ ତିନୋଟି ଚଉକି ଓ ଟେବୁଲଟେ୍ । ଅନ୍ୟ ରୁମ ରେ ବହି ପତ୍ର ଓ ଅସଜଡା ଜିନିଷ ପତ୍ର । ପରଦିନ ମଧ୍ୟାହ୍ନରେ ଅମୀୟ ,ଅଜୁଭାଇ ଦୁଆରେ ପହଞ୍ଚି କଲିଂଵେଲ ବଜାଇଲେ । ଅଜୁଭାଇ ନାଁଁ ଟି ନେମପ୍ଲେଟ ରୁ ପଢିନେଲେ । ହଠାତ୍ କବାଟ ଫିଟାଇ ଜଣେ ମ

ହିଳା ତାଙ୍କୁଭିତରକୁ ଆସି ସୋଫାରେ ବସିବା ପାଇଁ କହିଲେ । ବେଶଭୂଷା ରୁ ଉଚ୍ଚ ଶିକ୍ଷିତା ଓ ଅତ୍ୟାଧୁନିକା ମନେ ହେଉଥିଲେ । ଅମୀୟ କିଛି କହିବା ପୂର୍ବରୁ ସେ କହିଲେ:ଅଜୟ ଏବେ କଲେଜରେ ।


-ଆଉ ଆପଣ,ପଚାରିଲେ ଅମୀୟ ।

-ମୁଁ ତାଙ୍କ ସ୍ତ୍ରୀ । ଆମେ ଦୁହେଁ ଏକାଠି ପି.ଏଚ.ଡି କରୁଛୁ । ଆମର ପ୍ରେମ ବିବାହ ଏଇ ମାତ୍ର ପନ୍ଦର ଦିନ ତଳେ ଏକ ମନ୍ଦିର ରେ ଅନୁଷ୍ଠିତ ହୋଇଛି । ଆମର ଗାଇଡ ସାର୍ ଓ ସାଙ୍ଗ ମାନେ ଅଳ୍ପ କେତେଜଣ ସେଠାରେ ଉପସ୍ଥିତ ଥିଲେ । ମୋର ବାପା କିଛି ଦିନ ପରେ ଏକ ଭୋଜିର ଆୟୋଜନ କରିଛନ୍ତି ଏହି ବାହାଘରର । ଆଉ ଅଧିକ କିଛି ଶୁଣିବାର ଧୈର୍ଯ୍ୟ ନଥିଲା ଅମୀୟଙ୍କର । ଆକାଶ ଛିଣ୍ଡି ପଡିଲା ପରି ଲାଗିଲା ତାଙ୍କୁ । କଣ କହିବ ତାର ସେହି ଦେବୀପ୍ରତିମା ପରି ଭାଉଜଙ୍କୁ । ଛି,ଅଜୁଭାଇ ଏମିତି ବଦଳି ଗଲା ରୂପ ଓ ଧନ ମୋହରେ!!ନିଜ ପରିବାର ,ବାପା,ମା'ସବୁକିଛି ଭୁଲିଗଲା ଏଇ ଦିନ କେଇଟାରେ । ଚୁପଚାପ କୋହ ଓ ବାଷ୍ପ ରୁଦ୍ଧ ହୃଦୟରେ ସେଠାରୁ ଚାଲିଆସିଲା । ଘରେ ପହଞ୍ଚି ମା'ଙ୍କ ପାଖରେ ସବୁକଥା କହିଗଲେ ଅମୀୟ । ଭାଉଜଙ୍କୁ ସାମ୍ନା କରିବାକୁ ସାହସ ନାହିଁ ତାଙ୍କର ।


ଶାଶୁ ନେତ୍ରମଣି କାନ୍ଦି କାନ୍ଦି ସାନପୁଅ ଙ୍କୁ କହିଲେ-ଏସବୁ ବୋଧେ ମୋ ପାଇଁ ହେଲା,ମୁଁ କାହିଁକି ବୋହୁ ଓ ପିଲାମାନଙ୍କୁ ଅଜୁ ପାଖକୁ ଛାଡିଲିନି?

ତା'ପରଦିନ ଏସମସ୍ତ କଥା ସୁଜାତା କାନରେ ପଡିଲା । ଜୀବନର ଏ ଘଡ଼ିସନ୍ଧି ମୁହୁର୍ତ୍ତକୁ ଅତି ବିଚକ୍ଷଣରେ ସମ୍ଭାଳି ନେଇଛି ସେ । ନିଜ ବାପା, ମା ବହୁବାର ତାକୁ ପ୍ରବର୍ତ୍ତାଇଛନ୍ତି ସେମାନଙ୍କ ପାଖରେ ରହିବାକୁ । କିନ୍ତୁ ବାପା ଙ୍କ ଘରେ ରହିବାକୁ ଆଦୌ ମନ ବଳାଇନି ସେ । ବରଂ ଶାଶୁ ଶଶୁରଙ୍କ ସବୁ ଦେଖାଶୁଣା କରି ଅଜୟଙ୍କର ମଙ୍ଗଳ କାମନା କରିଛିସବୁବେଳେ । ପିଲାଙ୍କୁ ମଣିଷ କରିବାର ଶପଥ କରିଛି । ଜୀବନ ପ୍ରତି ତାର ବିଚାର ଧାରାରେ ପରିବର୍ତ୍ତନ କରିଛି । ପିଲାମାନେ ଅଜୟଙ୍କ ଉପରେ ଅଭିମାନ କଲେ ତାଙ୍କୁ ବୁଝାଇଛି । ଜୀବନ ଏମିତି ଗଡ଼ି ଚାଲିଛି ସୁଜାତାର ।


ରାତି ଦଶଟା । ପିଲାମାନେ ଶୋଇପଡିଲେଣି । ସକାଳୁ ଶିଘ୍ର ଉଠିଲେ ଟ୍ୟୁସନ ଯିବେ । ଶାଶୁ ଶଶୁର ସେମାନଙ୍କ ରୁମରେ ଟିଭି ଦେଖୂଛନ୍ତି । କଲିଂଵେଲ ବାଜିଉଠିଲା । ସୁଜାତା ଆଶଙ୍କା କଲା,ଏତେବେଳେ ପ୍ରାୟ ଘରକୁ କେହି ଆସନ୍ତି ନାହିଁ,କିଏ ଆସିଲା ବୋଲି ଚାହିଁଲା । ଶଶୁର ଯାଇ କବାଟ ଖୋଲିଲେଣି । ଦିଅର ଅମୀୟ ଆସିଛନ୍ତି । ସେ ମା 'ଙ୍କ ପାଖକୁ ଦଉଡ଼ି ଯାଇ କହୁଥିଲେ:ଭାଉଜ, ବାପା ସମସ୍ତେ ଶୁଣ,ଅଜୁ ଭାଇ ଆଜି ମତେ ଫୋନ କରିଥିଲା । ବହୁତ ବଡ଼ ଦୁର୍ଘଟଣା ଘଟିଛି ତା'ଜୀବନରେ । ଯେଉଁ ମହିଳା କୁ ସେ ମନ୍ଦିର ରେ ବିବାହ କରିଥିଲା ସେ ପି.ଏଚ.ଡି କଲାପରେ ରାଜ୍ୟ ବାହାରେ ପ୍ରଫେସର ଚାକିରୀ ରେ ଯୋଗଦେଲା । ଅଜୁଭାଇ ସହ ଆଦୌ ଆଉ ସଂପର୍କ ରଖିଲାନାହିଁ । ଅଜୁଭାଇର ହୃଦୟରେ ଭାଉଜଙ୍କ ପ୍ରତିଥିବା ବିଶ୍ୱାସଘାତକତା ଓ ସେ ମହିଳାର ଛଳନାପୂର୍ଣ୍ଣ ପ୍ରେମର ଦ୍ଵନ୍ଦ ତାକୁ ଏକ ହୃଦ ରୋଗୀରେ ପରିଣତ କରିଛି । ବର୍ତ୍ତମାନ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାରତ । ତା'ପାଖରେ ଟଙ୍କାର ମଧ୍ୟ ଅଭାବ । ଆମେ ସକାଳୁ ସମସ୍ତେ ଯାଇ ତାକୁ ଦେଖିବା ।

ସ୍ତବୁ ହୋଇ କାଠ ପଥର ପାଲଟିଯାଇଥିଲା ସୁଜାତା । ମା'କାନ୍ଦି କହୁଥିଲେ, ମୋ ପୁଅ ଜୀବନ ଆଗରେ ଏ ଘରଦ୍ୱାର ,ଟଙ୍କା କିଛି ବଡ଼ ନୁହେଁ । ବାପା କହିଲେ:ଯାହା ଟଙ୍କା ଲାଗୁ ମୋ ପୁଅକୁ ଭଲକରି ମୁଁ ଘରକୁ ଫେରାଇଆଣିବି ।


ସୁଜାତା ଦଉଡି ଗଲା,ଠାକୁର ଘରକୁ । ରାଧାକୃଷ୍ଣ ଙ୍କ ଫଟୋ ଟି ତଳେ ମୁଣ୍ଡ ରଖି କାନ୍ଦି କାନ୍ଦି ସ୍ବାମୀ ଅଜୟ ଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କଲା । ଭୋରରୁ ସମସ୍ତେ ଅଜୟ ଙ୍କ ପାଖକୁ ବାହାରିବାବେଳେ ସୁଜାତା ଶାଶୁ ଙ୍କୁ କହିଲେ, ମା,ମୁଁ ତାଙ୍କ ପାଖକୁ ଯିବିନି । କେଉଁ ମୁହଁ ନେଇ ଯିବି?ନେତ୍ରମଣି ଜାଣିଲେ ସୁଜାତା ଅଭିମାନରେ ଏମିତି କହୁଛି । ତେଣୁ ତାକୁ ବୁଝାଇ କହିଲେ;ମା'ତୁ ପରା ଅଜୟର ସ୍ତ୍ରୀ । ତୋରି ପଣତ ତଳେ ତା'ଜୀବନ ରେଖା । ସେ ଅବାଟରେ ଥିଲାବେଳେ ତୁ ଠାକୁରଙ୍କ ପାଖେ କେତେ ପ୍ରାର୍ଥନା କରିଛୁ । ଆଉ ଆଜି ତାର ଏ ହାର୍ଟ ରୋଗ ରେ ତୁ ସମ୍ଭାଳି ବୁନି ତା'ଅବସ୍ଥା, ତ ଆଉ କିଏ ବୁଝିବ?ସ୍ତ୍ରୀ ହିଁ ସର୍ବଦା ସବୁ ପରିସ୍ଥିତି ରେ ସ୍ବାମୀ ର ମଙ୍ଗଳ ଓ ସୁରକ୍ଷା ଚାହିଥାଏ । ପଛକଥା ସବୁ ଭୁଲି ଯା' । ତୋ ଆଗରେ ଏବେ ଏକ ନୁଆ ସକାଳ । ଆମର ଆଶୀର୍ବାଦ ଅଛି ତୋ ଉପରେ । ମୋ ପୁଅ ନିଶ୍ଚୟ ଭଲ ହୋଇ ତୋ ପାଖକୁ ଫେରିଆସିବ ।

ଏସବୁଶୁଣି ସୁଜାତା ହଠାତ୍ ଠାକୁର ଘରକୁ ଯାଇ ଠାକୁରଙ୍କ ଫୁଲ ଓ ତୁଳସୀ ଆଣି ପର୍ସରେ ରଖିଲା । ସେସବୁ ନେଇ ଅଜୟଙ୍କ ମୁଣ୍ଡରେ ଲଗାଇବ । ଉତ୍କଣ୍ଠା ରେ ଗାଡ଼ିର ସମସ୍ତ ଙ୍କ ସହ ବସିଲା ସୁଜାତା । ସେ ଯାଉଛି ତା ପ୍ରିୟ ଅଜୟ ଙ୍କ ପାଖକୁ,ତାଙ୍କର ପ୍ରିୟତମା ସ୍ତ୍ରୀ ରୂପେ ।


Rate this content
Log in

Similar oriya story from Romance