ସୁଦଶା
ସୁଦଶା
ଘରେ ଲୋକ ଗହଳି ଜମି ଆସୁଥିଲା । ସାଇ ପଡିଶା ଲୋକେ ଓ ବନ୍ଧୁ ବାନ୍ଧବ ସମସ୍ତେ ସ୍ୱାତୀକୁ ସାନ୍ତ୍ବନା ଦେବାରେ ଲାଗିଛନ୍ତି । ମାଆର ଜଡ଼ଶରୀର ପାଖରେ ବସିରହିଛି ସ୍ୱାତୀ । ଆଖିରୁ ଧାର ଧାର ଲୁହ ଶବ ଉପରେ ଟୋପା ଟୋପା ପଡିଯାଉଛି । ବାପା ସେମିତି ନିର୍ବିକାର ଚିତ୍ତରେ କିଛି ଦୂରରେ ଚୌକି ଉପରେ ବସିରହିଛନ୍ତି । ମାଆର ମୃତ୍ୟୁ ଖବର ଏଇ ସହରରେ ପୃଥକ ପୃଥକ ଭାବେ ରହୁଥିବା ବଡ଼ଦୁଇପୁଅଙ୍କୁ ଫୋନରେ ଜଣାଇ ଦେଇଛନ୍ତି ଯେ ସେମାନଙ୍କ ମାଆ ଆଜି ଭୋରରୁ ହୃଦ୍ ରୋଗର ଶୀକାର ହୋଇ ଏ ଦୁନିଆଁରୁ ବିଦାୟ ନେଇଛନ୍ତି । ବୋହୁମାନଙ୍କୁ ଧରି ଆସି ଶେଷଥର ପାଇଁ ଅନ୍ତତଃ ମାଆର ଶେଷକୃତ୍ୟ ସଂପନ୍ନ କରିବାକୁ ଅନୁରୋଧ କରିଛନ୍ତି । ସ୍ୱାତୀ ଭାବୁଥିଲା, ବହୁତ ଅଦ୍ଭୁତ ମଣିଷ ତା' ବାପା । ଯେତେ ବଡ଼ ଦୁଃଖ ଦୁର୍ଦ୍ଦିନରେ ବି ଟିକିଏ କେଉଁଠି ହତାଶାରେ ନଇଁ ଯିବେନି । ପୂର୍ବରୁ ମାଆ ଦୁଇଥର ହୃଦ୍ ରୋଗର ଶୀକାର ହୋଇସାରିଥିଲା । ତେଣୁ ଆଜି ତାର ଏ ଆକସ୍ମିକ ମୃତ୍ୟୁରେ ହତାଶ ନହୋଇ ତାକୁ ସାନ୍ତ୍ୱନା ଦେଇ କହିଲେ : ମାଆ ସ୍ୱାତୀ, ଜନ୍ମ ପରି ମୃତ୍ୟୁ ବି ସତ୍ୟ ଆମେ ସଭିଏଁ ଜାଣିଛେ । ଏ ପୃଥିବୀକୁ ଦିନେ ଆସିଛେ ମାନେ ଦିନେ ଫେରିବାକୁ ପଡିବ । ଆଉ ତୋ ମାଆ କିଛି ରୋଗ ଯନ୍ତ୍ରଣା ନ ଭୋଗି ଶୋଇବା ଅବସ୍ଥାରେ ମୃତ୍ୟୁବରଣ କଲା,ଆହା...ଏଇତ ଟିକେ ସୁଖ ମରଣ, ଯାହା ସେ ଚାହୁଁଥିଲା ! ବାପାଙ୍କ କଥାରେ ସ୍ୱାତୀ ଭୋ ଭୋ ହୋଇ କାନ୍ଦି ଉଠିଲା । ମାଆର ଶବ ଉପରେ ହାତ ବୁଲାଇ ଆଣି କହିଲା : ତତେ ଓ ବାପାଙ୍କୁ ଗାଆଁରୁ ଡାକି ଆଣିଥିଲି ଭଲରେ ମୋ ପାଖେ ରଖିବା ପାଇଁ ଅଥଚ ତୁ ଆମ ଦୁଇ ଜଣକୁ ଏମିତି ଏକା କରି କୁଆଡ଼େ ଚାଲିଗଲୁ, ଆମ କଥା ଟିକେ ଭାବିଲୁନି ।
ଏହି ସମୟରେ ସେଠାରେ ସ୍ୱାତୀ ପଛପଟେ ଠିଆ ହୋଇଥିବା ରୀନା ଖୁଡି କାହାକୁ କହୁଥିବାର ସ୍ୱାତୀ ଶୁଣିପାରିଲା -"ଆହା, ଦୁଇ ପୁଅ ଓ ବୋହୁ ଏଇ ଭୁବନେଶ୍ୱରରେ ଚାକିରୀ କରି ଭଲରେ ଥିଲେ ସୁଦ୍ଧା ବାପା ମାଆଙ୍କୁ ଟିକିଏ ବି ପଚାରୁନଥିଲେ । କେତେବେଳେ କେମିତି ବୁଢ଼ାବୁଢ଼ୀ ସେମାନଙ୍କ ପାଖକୁ ଗଲେ ପୁଅବୋହୁମାନେ ଭାରି ଅଣଦେଖା କରନ୍ତି । ମୋ ସଦାଭାଇ ଓ ସୁନିନାନୀଙ୍କ ପରି ଲୋକ ଏ ସଂସାରରେ ବିରଳ । ସୁନିନାନୀ ରନରମ ହୃଦୟ କେମିତି ବୋହୁ ଦୁହିଁଙ୍କର ରୁକ୍ଷ ବ୍ୟବହାର ସହିଥାନ୍ତା ! ନିରାମିଶାଷୀ ସୁନିନାନୀ ବୋହୁମାନଙ୍କ ପାଖକୁ ଗଲେ ଭାରି ଅସୁବିଧା ଭୋଗେ । ଓଷା ବ୍ରତରେ ତ ପୁରା ନିର୍ଜଳା ରହେ । ସଦାଭାଇ ତ ସବୁବେଳେ ସ୍ଥିର ଧିର । ଥରେ ପରା ସୁଦଶା ବ୍ରତ ଗୁରୁବାର ଦିନ ସେ ଦୁହିଁଙ୍କୁ ସାନବୋହୁ ଆଇଁଷ ଖାଇବାକୁ ବାଧ୍ୟ କରିବାରୁ ଦୁହେଁ ସେଦିନ ସନ୍ଧ୍ୟା ବେଳକୁ ଗାଆଁ କୁ ଫେରି ଆସିଲେ । ସଦାଭାଇ ଏଇ ଭୁବନେଶ୍ୱର ସେକ୍ରେଟାରୀଏଟରେ ଚାକିରୀ କରି ପିଲା ତିନୋଟିଙ୍କୁ ମଣିଷ କଲେ । ଏବେ ଚାକିରୀ ସରିବା ପରେ ଗାଆଁ ପ୍ରତି ମୋହ ଥିବାରୁ ସେଠାରେ ରହୁଥିଲେ । ଏଇ କେତେ ମାସ ହେବ ସ୍ୱାତୀ ଏଠା କଲେଜକୁ ବଦଳି ହୋଇ ଆସିବାରୁ ଗାଆଁରୁ ସେମାନଙ୍କୁ ଆଣି ପାଖରେ ରଖିଛି । ଭଲରେ ତିନିଜଣଯାକ ଚଳୁଥିଲେ । ସ୍ୱାତୀ ବାହାଘର ପାଇଁ ବହୁତ ଚିନ୍ତା କରୁଥିଲେ ସଦାଭାଇ ଓ ସୁନିନାନୀ । ଭଲ ପ୍ରସ୍ତାବ ସବୁ ଆସୁଛି । ହେଲେ କଣ ହେବ ଦଇବ ତ ଅସମୟରେ ଏମିତି ଧକ୍କା ଦେଲା କଥାରେ ଅଛି "ଦୁଃଖୀଲୋ ତୋର ମରଣ ନାହିଁ, ସୁଖୀଲୋ ତୋର ଆୟୁଷ ନାହିଁ " । ଝିଅ ପାଖରେ ରହିବେ କଣ, ଟିକେ ଖୁସିରେ ରହିବା ବେଳକୁ ଭାଗ୍ୟ ସହିଲା ନାହିଁ ।
ରୀନା ଖୁଡିଙ୍କ କଥାରେ ସ୍ୱାତୀ ବ୍ୟଥିତ ମନରେ ଠିଆ ହୋଇ ତା' ଚାରିପାଖ ଲୋକମାନଙ
୍କୁ ବିକଳ ହୋଇ ଚାହିଁଲା । ସେତେବେଳକୁ ତାର ବଡ଼ ଦୁଇ ଭାଉଜ ଓ ଦୁଇ ଭାଇ ସେଠାରେ ଉପସ୍ଥିତ ଥିଲେ । ଭାଉଜମାନେ ମାଆ ଶବ ନିକଟରେ ବସିପଡି ତାର ଡାହାଣ ହାତଟିକୁ ଆଉଁସିବାକୁ ଲାଗିଥିଲେ । ସ୍ୱାତୀ ଲକ୍ଷ୍ୟ କରୁଥିଲା, ସେ ଦୁହିଁଙ୍କ ମୁହଁରେ ମାଆ ମୃତ୍ୟୁର କୌଣସି ଶୋକ ବା ଦୁଃଖର ଲକ୍ଷଣ ନଥିଲା । ବରଂ କିଛି ଗୋଟାଏ ଜିନିଷ ଖୋଜିବା ପରି ଦୁହେଁ ମନେ ହେଉଥିଲେ । ଭାଇମାନେ ବାପାଙ୍କ ସହ କଣ କଥା ହେଉଥିଲେ । ରୀନା ଖୁଡି ଭାଉଜମାନଙ୍କ ମୁହଁକୁ ଚାହିଁ କହିଲେ, "ଏଥର ମାଆଙ୍କୁ ଛାଡ଼ । ଆମେ ତାଙ୍କୁ ଅହ୍ୟ ସୁଲକ୍ଷଣୀ ବେଶ କରି ଶ୍ମଶାନକୁ ଛାଡିବୁ । ବଡ଼ ଭାଗ୍ୟ କରିଥିଲା ସୁନିନାନୀ ତା'ପାଇଁ ଆଜି ଅହ୍ୟ ଡେଙ୍ଗୁରା ପିଟାହେବ,ଏ କଣ କମ ଭାଗ୍ୟ ! "ସ୍ୱାତୀ ଭାବୁଥିଲା, ଏସବୁ କଥାର ମୂଲ୍ୟ କିଛି ନାହିଁ ତା' ପାଖରେ । ସବୁକଥା ମନଖୋଲି ଯାହା ପାଖରେ କହି ହୁଏ ସିଏ ତ ଆଜି ଚିରଦିନ ନିରବ, ଅଶୁଣା ହୋଇଗଲା । ଆଉ କିଛି ଘଣ୍ଟା ପରେ ଏ ପାର୍ଥିବ ଶରୀର ତାର ମାଟିରେ ମିଶିଯିବ । ସଧବା ସ୍ତ୍ରୀ ଲୋକମାନେ ମାଆର ଶବକୁ ରୀତିନୀତି ଅନୁସାରେ କାର୍ଯ୍ୟ କରିବା ପାଇଁ ଯିବାବେଳେ ଭାଉଜ ଦିଜଣ ମାଆର ଡାହାଣ ହାତ କାନ୍ଧରୁ କଣ ଖୋଜିଲାବେଳକୁ ସାନଭାଉଜ କହିଲେ,ନା ମୁଁ ସେଇଟା ନେବି । ମୋ ମାଆ କହିବାରୁ ମୁଁ କେବଳ ସେହି ଜିନିଷଟି ପାଇଁ ଏଠାକୁ ଆସିଛି ,ନହେଲେ ଏ ବୁଢ଼ା ବୁଢ଼ୀଙ୍କ କୌଣସି ଖବର ରଖିବାକୁ ମୋ ପାଖରେ ସମୟ ନାହିଁ । ଏ କଥାରେ ବଡ଼ଭାଉଜ ରାଗିଯାଇ କହିଲେ,"ଘରର ବଡ଼ ବୋହୁ ହିସାବରେ ତାହା ମୋର ପ୍ରାପ୍ୟ । ଘରର ସୌଭାଗ୍ୟ ବଢ଼ିବ, ସୁଦଶା ଆସିବ । " ଏ ଦୁଇବୋହୁଙ୍କ କଥାରୁ କେହି କିଛି ବୁଝୁନଥାନ୍ତି । ଚଉକି ଉପରେ ସ୍ଥାଣୁ ହୋଇ ବସିଥିବା ବାପା ନିରବତା ଭଙ୍ଗ କରି କହିଲେ,"ତୁମେ ଦୁଇ ଜଣ ମାଆ ଡାହାଣ ହାତ ଡେଣାରୁ କଣ ଖୋଜୁଛ?ପୁଣି ଏ ସମୟରେ କଳି କରୁଛ??" ବଡ଼ ଭାଉଜ ବାପାଙ୍କୁ କହିଲେ "ବାପା ଘରର ବଡ଼ବୋହୁ ହିସାବରେ ଶାଶୁଙ୍କ ଅହ୍ୟ ସୁଦଶାବ୍ରତ ମୋର ପ୍ରାପ୍ୟ । ଏହାକୁ ପୂଜା କଲେ ଘରେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏକଥାରେ ସାନଭାଉଜ ପ୍ରତିକ୍ରିୟା ରଖି କହିଲେ "ନା,ମୁଁ ଏସବୁ କିଛି ଜାଣିନି ମୁଁ ମୋ ମାଆ କଥା ମାନି ଏଠାକୁ ଆସିଛି ଶାଶୁଙ୍କ ବ୍ରତ ନେବାପାଇଁ । ନହେଲେ ମୁଁ ତ ମୋ ଶାଶୁଘର ସହ ସବୁ ସମ୍ପର୍କ ଅନେକ ଦିନରୁ କାଟି ସାରିଛି । ସମସ୍ତେ ସ୍ତବ୍ଧ ହୋଇଗଲେ ଦୁଇ ବୋହୁଙ୍କ କଥାରେ । ସ୍ଥିତପ୍ରଜ୍ଞ ବାପା ହଠାତ୍ କାନ୍ଦି ପକାଇ କହିଲେ "ପୁଅବୋହୁମାନଙ୍କର ଅଣଦେଖା ଓ ଖରାପ ବ୍ୟବହାରରେ ଆମେ ଦୁହେଁ ଏତେ ଅସନ୍ତୁଷ୍ଟ ହୋଇଥିଲୁ ଯେ ମୁଁ ସୁନିକୁ ବୁଝାଇଦେଇଥିଲି ଏସବୁ ବ୍ରତ,ଉପବାସ ଉପରେ ଭରସା ନକରି ମଣିଷ ତା'ର ଆଚରଣ ପ୍ରଥମେ ଶୁଦ୍ଧ କରିବା ଉଚିତ । ସମସ୍ତଙ୍କୁ ଭଲ ପାଇବାକୁ ପଡିବ । ଧିରେ ଧିରେ ସୁନି ମୋ କଥାର ଗୁରୁତ୍ୱ ଉପଲବ୍ଧି କରି ବ୍ରତ ଉପବାସ ପାଳନ କରିବା ଛାଡି ଦେଇଥିଲେ । ନିଜର ସୁଦଶାବ୍ରତକୁ ଉଜାଇଁ ଦେଇ ଠାକୁରଙ୍କ ନାଁରେ ବିସର୍ଜନ କରିଦେଇଥିଲେ । ପ୍ରକୃତରେ କଣ ମାଆଲକ୍ଷ୍ମୀ ଏହି ଖଣ୍ଡେ ସୂତାରେ ଦଶଟି ଗଣ୍ଠି ପକାଇପିନ୍ଧିଲେ ଘରକୁ ସୌଭାଗ୍ୟ ଦିଅନ୍ତି! କଥାଟି ସେମିତି ନୁହେଁ, ଘରର ପିତାମାତା, ଗୁରୁଜନମାନେ କୌଣସି ପରିସ୍ଥିତିରେ ଅବହେଳିତ ହେବା ଉଚିତ ନୁହେଁ । "
ମାଆର ଶବକୁ ଉଠାଇ ନିଆଯାଇ କୋକେଇ ଉପରେ ଶୁଆଇ ଦିଆଯାଇଥିଲା । ଦୁଇ ଭାଉଜ ସେମିତି ଚାହିଁ ରହିଥିଲେ ଶ୍ୱଶୁର ଙ୍କ କଥାକୁ । ସ୍ୱାତୀର ହୃଦୟ ଦୁଃଖରେ କୋରି ହୋଇଯାଉଥିଲା । ସେ ହିଁ ବୁଝୁଥିଲା ବାପାଙ୍କ କଥାର ଗଭୀରତା ଓ ଗମ୍ଭୀରତା ।