Manorama Hati

Romance Tragedy

3  

Manorama Hati

Romance Tragedy

ତମେ ଫେରିଆସ

ତମେ ଫେରିଆସ

15 mins
607



ଅନେକ ସମୟ ଅପେକ୍ଷା କରିବା ପରେ ତମେ ଆସିଥିଲ। ତମେ ଆସିବା ପୂର୍ବରୁ ଭାବୁଥିଲି କେତେ ରୋମାଞ୍ଚକର ହୃଦୟ ନେଇ। ମନରେ ଅନେକ ସ୍ୱପ୍ନର ଫୁଲକୁ ତୋଳି ତା'ର ପାଖୁଡାକୁ ଚିରି ଚିରି ବିଛଉଥିଲି ମୋ ଜୀବନ ଗାଲିଚାକୁ। କାହିଁକି ସେଦିନ ଏତେ ଖୁସି ଥିଲି? ମନେପଡିଗଲା ପିଲାଦିନ ବେଳର ଗୋଟେ କଥା ।ଯୋଉ ଦିନ ବେଶୀ ଖୁସି ରହୁଥିଲି ସେହିଦିନ ହିଁ ବେଶି ଆଖିରୁ ଲୁହ ଝରୁଥିଲା। କଣ ଆଜି ବି ସେମିତି ଲୁହ ଝରିବ? କାଇଁ ସେସବୁର ଟିକେ ଆଭାସ ତ ନ ଥିଲା। ଏମିତି ରେ ବି ତୁମକୁ ନେଇ ମୋ ଜୀବନରେ ଖାଲି ଖୁସି ହିଁ ଖୁସି ଥିଲା। ତୁମ ସାଥେ ଲୁହ ବି ଅକୁହା କୋହ ଠାରୁ ମୂଲ୍ୟ ହୀନ ଥିଲା। ତାହେଲେ କାହିଁକି ଏମିତି ଏକ ଆଶଙ୍କାରେ ମନ ଥରି ଉଠୁଥିଲା? କାଳେ କିଛି ଅଘଟଣ ଘଟିବ ବୋଲି! ସେମିତି କିଛିର ଭାବନା ଆଡେଇ ହେଇ ଚାଲିଗଲା ଅନେକ ଦୂରକୁ। ଏକ ଅପନ୍ତରା ରାଇଜକୁ। ଏବେ ସାମନାରେ ଥିଲ ଖାଲି ତମେ ଆଉ ତମେ। 


ତମକୁ ଦେଖିବା ପରେ କଣ ହୁଏ କେଜାଣି? ସବୁକିଛି ସ୍ଥିର ଥିବା ପରି ଲାଗେ। ଉଦାସ ପାଲଟିଯାଏ ହସର ଗୋଲାପ। ଝାଉଁଳା ମୁହଁ ଖିଲି ଖିଲି ହୋଇ ଉଠେ। ପୁଣି ସେ ଆରମ୍ଭ କରେ ରହି ରହି କଥା କହିବା। ଆରମ୍ଭ କରେ ତମ ହାତ ଧରି ବାଟ ଚାଲିବା। ସେ କିଛି ନ ବୁଝିବା ପରି ଅବୁଝା ହୁଏ। ସେ ଆନମନା ହୁଏ ଚାରିପାଖର ଦୃଶ୍ୟରେ ।ପୁଣି ସେ କେବେ ତୁମଠାରୁ ଚାହେଁ ଅନାବିଳ ସ୍ନେହ ଆଦର। ସେଦିନ ବି ଏମିତି ଚାହିଁ ଥିଲି। ଆହୁରି ଅନେକ କିଛିର ଅପେକ୍ଷା କରିଥିଲି।


ହେଲେ ହଠାତ୍ ତମେ ତମ ନିରବତା ଭାଙ୍ଗି କହିଲ -ଆଉ କେବେ ଦେଖା ହେବନି ତମ ସହ। ଆଉ କେବେ ମୋ ହାତ ତୁମ ହାତ ଧରିବନି। ଆଉ କେବେ ସୁନ୍ଦର ଦେଖାଯାଉଥିଲେ ମୋ ହାତ ତମ ଗାଲ ଛୁଇଁବନି। ଆଉ କେବେ ସଜାଡି ଦେବନି ମୋ ହାତ ପବନର ସିରି ସିରି ରେ ଅସଜଡା ହୋଇଥିବା ତମ ସୁନେଲି କେଶ। ଆଉ କେବେ ଭିଡି ଆଣିବନି ମୋ ହାତ ତମକୁ ଚାଲୁ ଚାଲୁ ଅବାଟରେ ଚାଲିଗଲେ। ଆଉ କେବେ ଏ ନଈ କୂଳର ଧାରେ ଧାରେ ତମ ହାତରେ ହାତ ରଖି ବୁଲୁଥିବାର କେହି ଦେଖି ନେବାର ଭୟ ତମକୁ ଗ୍ରାସ କରିବନି। ମୁଁ ଆଜି ଚାଲି ଯାଉଛି ତମ ଠାରୁ ଦୂରକୁ ବହୁ ଦୂରକୁ। ତମ ସହ ମୋର ଏଇ ଶେଷ ଦେଖା। ତମ ସହ ମୋର ଏଇ ଶେଷ ପଦ ଆମ ଭଲପାଇବା କାହାଣୀର। 


ତମେ ମୋ ଆଖି ଆଗରୁ ଧୀରେ ଧୀରେ ଉଭାନ ହେଉଥିଲ। ହେଲେ ମୋତେ ଲାଗିଲା ଯେମିତି ତମେ ନୁହଁ ମୁଁ ଚାଲି ଯାଉଛି ଦୂରକୁ ।ଖାଲି ତମ ଠାରୁ ନୁହେଁ ଏ ପୃଥିବୀ ଠାରୁ ବିଚ୍ଛିନ୍ନ ହୋଇ ଆଉ ଏକ ଅଲଗା ଗ୍ରହକୁ। ଯୋଉଠି ମୋର ଆସ୍ଥା ଅସ୍ତିତ୍ୱ ନାହିଁ। ବଞ୍ଚିବାର କୌଣସି ଉପାଦାନ ନାହିଁ। ଆଶା ଭରସା ବିଶ୍ଵାସ ତ ଯିବା ବାଟରେ ସବୁ କାଚଘର ପରି ଚୁନା ହୋଇ ଯାଇଥିଲେ। ସେଠି ମୁଁ ପ୍ରାୟ ମୃତ ଅବସ୍ଥା। ଛାଡି ଯାଇଥିବା ଦୁନିଆ ଆପଣାର ଲୋକ କେହି ବି ଦେଖା ଯାଉ ନ ଥିଲେ ଅଥଚ ସେପରି ମୁହୂର୍ତ୍ତରେ ତମେ ଦେଖା ଯାଉଥିଲ। 


ତମକୁ ସବୁଦିନ ପାଇଁ ହରେଇ ଦେବାର ଦୁଃଖରେ ମୋ ଆଖି ଭିଜୁଥିଲା। ଏମିତି ଅନୁଭବ କରୁଥିଲି ଯେମିତି ମାନସିକ ସ୍ଥିତି ହରେଇ ମୁଁ ବିକୃତ ଅବସ୍ଥା କୁ ଆସିଯିବି। ମୁଁ ମରିଯିବି ତମ ବିନା। ତମ ବିନା ଗୋଟେ ମୁହୂର୍ତ୍ତ ବଞ୍ଚି ପାରିବିନି। ଆଉ ତମେ! ଏକା ଏକା ଏତେ ବଡ ନିଷ୍ପତ୍ତି ମୋ ସମ୍ମୁଖରେ ଉପସ୍ଥାପିତ କଲ। ତମ ସାହସକୁ ମୁଁ ପ୍ରଶଂସା କରିବାର ସମୟ ନ ଥିଲା। ମୋତେ ତମ ଉପରେ ଘୃଣା ଆସୁଥିଲା। ପୁଣି ଏସବୁ ରୁ ଫେରି ଇଚ୍ଛା ହେଉଥିଲା ତୁମ ପାଦ ତଳେ ଲୋଟି ପଡ଼ିବି। ତମକୁ ଅନୁରୋଧ କରିବି। ଏତେ ଅସହ୍ୟ ଭରା ଶୁଣାଣିର କାଗଜକୁ ଏଇଠି ଚିରି ଦିଅ। 


ପୁଣି ଥରେ ହସିବା। ହସି ହସି ବଞ୍ଚିବା। ତମେ ନୁହେଁ ମୁଁ ନୁହେଁ "ଆମେ" ସାଜି ଆମ ଦୁନିଆକୁ ଗଢିବା। ଆମ ଭଲପାଇବାର ରାସ୍ତାରେ ଆସୁଥିବା ସବୁ ବାଧା ବିଘ୍ନକୁ ସାଥି ହେଇ ସାମ୍ନା କରିବା। ହେଲେ ସେମିତି କିଛି ବି ହେଲାନି। ତମେ ଚାଲିଗଲ। ମୁଁ ସେଇଠି ଠିଆ ହୋଇ ରହିଲି। ଆହୁରି ଜୋରରେ ନିଜକୁ ଦୃଢ କରି। ଯେମିତି ବାକି ଜୀବନର ରାସ୍ତାକୁ ଆଉ କାହା ସାଥିରେ ନୁହେଁ ଏକା ଏକା ଚାଲିବି। ଏକା ଏକା ଅତିକ୍ରମ କରିବି ସେ ନିର୍ଜନତାର ଗର୍ଜନକୁ। କାହିଁକି ହାରିବି ତାକୁ ତମର ସାମାନ୍ୟ ପ୍ରତାରଣାରେ, ବିଶ୍ୱାସଘାତକତାରେ। ଏତେ ବି ତ ପାପ କରିନି ତମକୁ ଭଲପାଇ। ଏତେ ବି ତ କଳଙ୍କିତ ହେଇନି ତମ ସାଥେ ରହି। ପୁଣି ମୁଁ ଆଗକୁ ଯିବି। ପୁଣି ମୁଁ ସ୍ୱପ୍ନ ଦେଖିବି। ସବୁକିଛି ହେଲା। କେବଳ ଏଇ ଶେଷ ପଦ ମୋ ଦ୍ୱାରା ଆଉ କେବେ ସମ୍ଭବ ହେଇନି। ଯାହା ତମେ ଥିବା ବେଳେ ଆଖି ଖୋଲି ଦେଖି ପାରୁଥିଲି। ଆଜି ଆଖି ବନ୍ଦ କଲାପରେ ବି ଡର ଲାଗେ ଦେଖିବାକୁ।


ଏ ସ୍ୱପ୍ନ ବଡ ଭୟଙ୍କର। କେତେବେଳେ ଆତଙ୍କବାଦୀ ସାଜି ହତ୍ୟା କରେ ଆଉ କେବେ ଉଗ୍ରବାଦୀ ସାଜି ଧ୍ୱଂସ କରେ ମନ ପ୍ରାଣ ହୃଦୟକୁ। ଏତିକି ତମେ ଯିବା ପରେ ପରେ ବୁଝି ଯାଇଥିଲି। ଆହୁରି ଅନେକ କିଛି ବୁଝି ଯାଇଥିଲା ଏ ମନ ଆପେ ଆପେ। 


ଏ ଦୁନିଆ ଏତେ ସରଳ ନୁହେଁ। ଏତେ ସହଜ ନୁହେଁ ଏଠି ହସି ହସି ବଞ୍ଚିବା। ପୁଣିଥରେ ଏ ଦୁନିଆକୁ ସାମନା କରିବା ପାଇଁ ନିଜକୁ ପ୍ରସ୍ତୁତ କଲି। ପାଠ ପଢିଲି। ଜବ୍ ମିଳିଲା। ସଫ୍ଟୱେୟାର ଇଞ୍ଜିନିୟରର ଆଇଡେନଟିଟି ରେ ପରିଚିତ ହେଲି। ହେଲେ ମନ ତଳ ଆଉ ଗୋଟେ ପରିଚିତ ଠିକଣାରେ ଆବଦ୍ଧ ହୋଇ ରହିଥିଲା। ସେଥିରୁ ଅନେକଥର ମୁକୁଳିବାକୁ ଚେଷ୍ଟା କଲି। ସେ ଆବଦ୍ଧକୁ ଭାଙ୍ଗିବାକୁ ଚାହିଁଲି।କିଛି ଲାଭ ହେଲାନି। ସେ ପରିଚୟଟା ଖାଲି ମନରେ ନୁହେଁ। ମୋ ଶରୀରର ପ୍ରତିଟି ରକ୍ତ ବିନ୍ଦୁରେ ନଦୀପରି ପ୍ରବାହିତ ହେଉଥିଲା। ସେଇଟା ଥିଲା"ତୁମ ପ୍ରତାରିତ ପ୍ରେମିକା ।ତମ ସହ ଲେଖିଥିବା ଅଧା ପ୍ରେମ କାହାଣୀର ଲେଖିକା"।


ସେତିକି ନ ହେଲା ନାହିଁ। ତମକୁ ଅନ୍ତତଃ ଭୁଲି ତ ପାରିବି। ସେତିକି ବି ମୋ ଦ୍ଵାରା ସମ୍ଭବ ହୋଇନି। ଏମିତି ଗୋଟେ ଦିନ ନାହିଁ ମୁହୂର୍ତ୍ତ ନାହିଁ, ଯୋଉଦିନ ତମେ ମୋର ମନେପଡିନ। ଯୋଉଦିନ ମନେ ପଡିନି ତମ ସହ ସେଇ ଶେଷ ଦେଖା। ଯୋଉଦିନ ପ୍ରତିଧ୍ୱନିତ ହୋଇନି ତମର ସେଇ ଶେଷ କେଇପଦ। 


ଏମିତି ତମ ସ୍ମୃତି ସହ ବଞ୍ଚିବାର ପାଞ୍ଚ ବର୍ଷ ବିତି ଯାଇଥିଲା। ୟା ଭିତରେ ଆଖି କେବେ ଆଉ କାହାକୁ ଖୋଜିନି। ଆଉ କେବେ କାହାକୁ ଦେଖି ବାକୁ ଚାହିଁନି କି ଆଉ କାହାକୁ ଭରସା କରିବାର ସ୍ୱପ୍ନ ବି ଦେଖିନି। କାହିଁକି ନା ଆଜି ବି ତମେ ଆଖିରେ ରହିଥିଲ ।ଆଜି ବି ମୋର ଚାରି ପାଖରେ ତମର ଦୃଢ ବଳୟକୁ ମୋ ଆଖି ଆବିଷ୍କାର କରୁଥିଲା। ଆଜି ବି ପାଦ ଝୁଣ୍ଟି ଗଲେ ତମ କଥା ମନେ ପଡୁଥିଲା। ଆଜି ବି ଆଇନା ଦେଖିଲେ ତମେ ପଛରୁ ଠିଆ ହୋଇ ହସୁଥିବାର ଲାଗୁଥିଲା। ଆଜି ବି ମାଗାଜିନ୍ ପଢୁ ପଢୁ ଆଖି ଲାଖିଗଲେ ତମେ ମୋ ରୁମ୍ ର ଲାଇଟ୍ ଅଫ୍ କରିବା ପରି ତମର ଉପସ୍ଥିତି କୁ ଅନୁଭବ କରେ। ଖାଲି ଯାହା ଘାରି ବସେ ତମେ ନାହଁ ପାଖରେ ତମେ ନାହଁ ସାଥିରେ। ତମେ ଖାଲି ରହି ଯାଇଛ ଚିରସବୁଜ ସାଜି ମୋ ସ୍ମୃତି ର ପାଖୁଡାରେ। ମୋ ଅତୀତର ଝରକାରେ। ମୋ ଯୌବନର ଆଦ୍ୟ ପାହାଚରେ। ମୋ ଜୀବନର ପ୍ରତି ଟି କୋଣ ଅନୁକୋଣରେ। 


ଯୋଉଦିନ ତମେ ଛାଡି ଚାଲିଗଲ ସେଇ ଦିନ ହିଁ ତମ ନମ୍ବର, ତମ ପୁରୁଣା ମେସେଜ୍ ସବୁ ଡିଲେଟ୍ କରି ଦେଇଥିଲି। ଏମିତି ମୋ ନମ୍ବର ବି ବଦଳାଇ ଦେଲି। କେବେ ତମ ସହ ଆଉ ଥରେ ପଦେ କଥା ହେବା ପାଇଁ ସାହସ କରି ପାରିନି। ସାହସ କରିନି ତମ ନମ୍ବର ଡାଏଲ କରିବା ପାଇଁ। ହେଲେ ମୋବାଇଲର ସ୍କ୍ରିନ୍ ଦେଖିଲେ ତମ ନମ୍ବର ଧପ୍ ଧପ୍ ହେବାର ଦେଖାଯାଏ ।ମେସେଜ ର ଆଲାରମ୍ ବାଜିଲେ ଲାଗେ ତମେ କାଳେ କରିଥିବ! ଏଇଆ ଭାବି ଇନ୍ ବକ୍ସ ଦେଖେ। ହେଲେ ସବୁଠି ତୁମ ପାଇଁ ବିସ୍ମୟକର ସୂଚକ। ଏତେ ସବୁ ପରେ ତମ ମୋବାଇଲର ତାର ମୋ ମୋବାଇଲ ସହ ସଂଯୋଗ ହେବ ଏ କଥା ଭାବିବା ମୋର ଅବାନ୍ତର। 


ତମେ ଦେଇଥିବା ଚିଠିକୁ ଜାଳିଦେଲି। ତମେ ଦେଇଥିବା ପ୍ରତ୍ୟେକ ଜିନିଷକୁ ଭାଙ୍ଗିଲି। ହେଲେ ତମେ ଛାଡ଼ି ଯାଇଥିବା ସ୍ମୃତି ଟିକକକୁ ଶତ ଚେଷ୍ଟା ପରେ ବି ଜାଳି ପାରୁନଥିଲି କାହିଁକି? କାହାର ସ୍ମୃତିକୁ ସାଇତି ରଖିବା ଯେତିକି କଷ୍ଟ କାହାର ସ୍ମୃତିକୁ ଜାଳିବା ତା ଠାରୁ ଆହୁରି ଅନେକ କଷ୍ଟ। ପ୍ରଥମଥର ସେଦିନ ଜାଣିଲି। 


ଏତେ ବର୍ଷ ପରେ ବି ମୁଁ ତମକୁ ଆଉ କାହା ସହ ଦେଖି ପାରୁନଥିଲି। ଆଉ କାହା ନାଁ ସହ ତମ ନାଁ ଯୋଡା ହେଇଥିବ ଏ କଥା ବି ଭାବି ପାରୁନଥିଲି। ପାହାଡଧାରର ନଦୀକୂଳରେ ଥିବା ଯେଉଁ ଏକା ଏକା ଶିମିଳି ଗଛ ପରି ତମର ସେମିତି ଏକାକୀ ପ୍ରତିଛବି ମୋ ସାମନାରେ ଥିଲା। ଖାଲି ଏତିକି କଳନା କରି ପାରୁନଥିଲି ତମେ ମୋ ବିନା ଖୁସି ଥିଲ କି ଉଦାସ ଥିଲ। ତମେ ମୋ ପରି ଆମ ପ୍ରେମର ସ୍ମୃତିକୁ ସାଇତି ରଖିଛ ନା କାଢି ଫିଙ୍ଗି ଦେଇଛ ହୃଦୟରୁ ଗୁଡାଏ ଆବର୍ଜନା ପରି। 


ଏତେ ବଡ ଦୁନିଆରେ ଥରେ ରାସ୍ତା ଅଲଗା ହେବା ପରେ ଆଉଥରେ ପରସ୍ପରର ସାମନା ସାମନି ହେବା ଅସମ୍ଭବ ନ ହୋଇପାରେ। କିନ୍ତୁ ଆମ ଭାଗ୍ୟରେ ସମ୍ଭବ ହେଇନି। ପରସ୍ପରକୁ ଖୋଜିବାର ପ୍ରୟାସ କେହିବି କରିନେ। କରିଥିଲେ ହୁଏତ କେବେ କେମିତି ଅକସ୍ମାତେ ନହେଲେ ଅଜାଣତେ ଭେଟ ହେଇ ପାରିଥାନ୍ତା। 


ଆଜି ଏତେ ଦିନ ପରେ ପୁଣି କାହିଁକି ଇଚ୍ଛା ହେଉଛି ତମକୁ ଥରେ ଖୋଜିବାକୁ। ତମକୁ ପୁଣି ଥରେ ଭଲପାଇବାକୁ। ଭରସା କରି ବାକି ଜୀବନ ବଞ୍ଚିବାକୁ। ପୁଣି ଥରେ ତମ ନାଁ ପାଖରେ ମୋ ନାଁ ର ଅକ୍ଷର ଗୁଡାକୁ ସଜାଡି ଦେବାକୁ। ଇଏକି ଅଦ୍ଭୁତ ଅଭୀପ୍ସା ଆଜି ମନରେ। ବୁଝିବା ନ ବୁଝିବାର ବାହାରେ। 


ମୋବାଇଲରେ ହଠାତ୍ ତମ ନମ୍ବର ଡାଏଲ କଲି। ଥରେ ନୁହେଁ ଦି ଥର ନୁହେଁ ଚାରି ପାଞ୍ଚ ଦିନ ଯାଏଁ ଗୋଟେ ମିନିଟରେ ଥରେ ଡାଏଲ କଲି। ସବୁଥର ଆଉଟ୍ ଅଫ୍ ରେଞ୍ଜ ଦେଖେଇଲା। ବୁଝିବାକୁ ବାକି ରହିଲାନି ତମେ ନମ୍ବର ଚେଞ୍ଜ୍ କରି ଦେଇଛ। ତଥାପି ସେଇ ବଦଳିବା ନମ୍ବରରେ କେତେଟା ବ୍ଲାଙ୍କ୍ ମେସେଜ କଲି। ରିପ୍ଲାଏ ଆସିବାର ବାହାନାରେ। କିଛି ଲାଭ ହେଲାନି। ମୋର ସବୁ ଆଶାରେ ପୂର୍ଣ୍ଣଚ୍ଛେଦ ପଡିଗଲା। ନା ତମର ରିପ୍ଲାଏ ଆସିଲା ନା କଲ୍ ନା ମିସ୍ କଲ୍। ତଥାପି ମୋବାଇଲ କୁ କାନ ପାଖେ ରଖିଲେ ତମ ସ୍ୱର ଶୁଣାଯାଉଥିଲା। ସେଦିନ ପରି ସରଳ ସେଇ ମିଠା ମିଠା ସ୍ବର। ପ୍ରତିଟି ଦେଖାରେ ସେଇ ସାଧାରଣ ବାକ୍ୟ"ହଁ ମୁଁ ତମକୁ ଭଲପାଏ "।


ଏତିକିରେ ବି ଶେଷ ହେଲାନି ମୋ ଖୋଜିବା। ପୁଣି ଥରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲି ସେଇ ପାହାଡର ନଦୀ ଧାରେ। ପୁଣିଥରେ ତମ ପାଇଁ କଫି ଅର୍ଡର କରି ବସିଲି ଆମର ସେଇ ପ୍ରିୟ ରେଷ୍ଟୁରାଣ୍ଟ ରେ। ଅନେକ ରାତି ଯାଏଁ ବସିଲି ଆଇ. ଜି ପାର୍କର ସେଇ ଶେଷ କୋଣରେ। ସେଇ ଦିଗହରା ପଥକଡେ ଥିବା କରିଡର ତଳେ ଆଇସ୍କ୍ରିମ୍ ଖାଇବାକୁ ଲାଗିଲି। କାଳେ ଏଇସବୁ ଜାଗାରେ ପୁଣିଥରେ ତମ ସହ ଦେଖା ହୋଇଯିବ!


ପୁଣିଥରେ ମାଗାଜିନ୍ ସପ୍ ର ଭିଡରେ ନିଜ କୁ ଆବିଷ୍କାର କଲି। କାଳେ କେତେବେଳେ ମାଗାଜିନ୍ ର ପରଦା ଓଲଟାଉ ଓଲଟାଉ ଅଜାଣତେ ତମ ହାତ ମୋ ହାତ ଉପରେ ପଡିଯିବ। ଗୋଲାପର ଫୁଲତୋଡା କିଣିବାକୁ ଲାଗିଲି। କାଳେ କେବେ ଫୁଲର ପାଖୁଡ଼ା ତୋଳୁ ତୋଳୁ କଣ୍ଟାରେ ହାତ ବାଜି ଆଃ.... ପରି ଯନ୍ତ୍ରଣାର ଶବ୍ଦ କଲେ ତମେ ପଛରୁ ଚାଲି ଆସିବ। ସବୁ ଚେଷ୍ଟା ମୋର ବିଫଳ ହେଲା। ଆଉ ତମକୁ ଖୋଜିବା ମୋ ଦ୍ଵାରା ସମ୍ଭବ ହେଲାନି। ପୁଣି ମୁଁ ଫେରିଆସିଲି ମୋ ଦୁନିଆକୁ। 


ମୋ ଦୁନିଆ କହିଲେ ଘରୁ ଅଫିସ୍ ଆଉ ଅଫିସ୍ ରୁ ଘରକୁ ଆସିବା ପରେ ପୁରୁଣା ଗୀତ ର ସ୍ୱରରେ ନିଜକୁ ହଜେଇ ଶୋଇଯିବାର ସହଜ ଉପାୟ। ଏବେ ତମକୁ ଖୋଜିବାର ଶେଷ ଠିକଣା ଟି ମୋ ପାଖରେ ଥିଲା। ଯୋଉ ଠିକଣାଟା ତମେ ଯିବା ପରେ ପରେ ହଜେଇ ଦେଇଥିଲି। ପୁଣି ଥରେ ସେଠିକି ଫେରିଲି। ଅଥଚ ସେ ରାସ୍ତା ଟି ଅମଡା ପଥ ପାଲଟି ଯାଇଥିଲା ଅନେକ ଦିନ ଚଳପ୍ରଚଳ କରି ନ ଥିବାରୁ।


ଭାବି ପାରୁଛ ସେ ରାସ୍ତାଟି କଣ ହେଇଥିବ? ଏଇ ଅତ୍ୟାଧୁନିକ ଯୁଗରେ ଚିହ୍ନା ଅଚିହ୍ନାଙ୍କୁ ଖୋଜିବାର ସେ ସହଜ ମାଧ୍ୟମ। ଯୋଉ ମାଧ୍ୟମ ରେ ଦିନେ ଆମ ଭଲପାଇବାକୁ ଟିକେ ଆଗକୁ ନେଇ ଯାଇଥିଲେ। ସେଇ ଫେସବୁକ୍ ର ଆକାଉଣ୍ଟ ରେ ଯେଉଁ ଥିରେ ପରିଚୟ ମିଳିଯାଏ ସଟ୍ କଟ୍ ରେ। ପୁଣି ଥରେ ନୂଆ କରି ଖୋଲିଲି ଏକ ଅଜଣା ନାମରେ। ନାମଟି ଥିଲା ତିନିଟି ଅକ୍ଷରେ ବର୍ଷା ବଦଳେ ଶ୍ରାବଣୀ। ପୁଣି ତମ ନାଁ ଲେଖି ଖୋଜିବା ଆରମ୍ଭ କଲି। ଏ କି ଆଶ୍ଚର୍ଯ୍ୟ! 


ବିଶ୍ୱାସ ହେଉ ନ ଥିଲା। ଆକାଶ ରାୟର ବାହାରିଥିବା ଲିଷ୍ଟର ପ୍ରଥମ ଫଟୋ ଟି ତମର ହିଁ ହେଇଥିବ। ଅନେକ ଦିନ ହେଲା ତମ ଚେହେରା ଦେଖି ନଥିଲି। ଲାଗୁଛି ଯେମିତି ୟା ଭିତରେ ତମକୁ ପାଇବା ପାଇଁ ଅନେକ ଜନ୍ମ ନେଇ ସାରିଲାଣି। ତମ ଚେହେରା ଦେଖୁ ଦେଖୁ କେତେବେଳେ ତିନିଘଣ୍ଟା ବିତି ଯାଇଥିଲା ଜାଣି ହିଁ ପାରିଲିନି। ଯେମିତି ତମେ ଫେସବୁକରେ ନୁହେଁ ମୋ ଆଖି ସାମନାରେ ଥିଲ। ପୁଣିଥରେ ଭାବନାରୁ ଫେରି ଆସିଲି। ତମ ବିଷୟରେ ଅଧିକ ଜାଣିବାର ପ୍ରୟାସରେ ଦେଖିଲି ସବୁ ଡାଟା ଠିକ୍ ଥିଲା। ହେଲେ ଗୋଟିଏ ତଥ୍ୟ ଠିକ୍ ଥାଇ ବି ମୋତେ ଭୁଲ୍ ପରି ଲାଗୁଥିଲା। ତମ ମ୍ୟାରେଜ ତାରିଖଟା ଥିଲା ଦୁଇ ହଜାର ବାର ଡିସେମ୍ବର ବାର। ଆମ ଶେଷ ଦେଖା ର ଠିକ୍ ବାର ଦିନ ପରେ। 


ତମେ ଛାଡି ଚାଲିଯିବା ପରେ ଅନେକ କାନ୍ଦିବାକୁ ଚେଷ୍ଟା କଲି। କାନ୍ଦି ପାରି ନଥିଲି। ଆଜି କିନ୍ତୁ ମା କୋଳରୁ ସଦ୍ୟ ଜନ୍ମ ନେଇ ଥିବା କଅଁଳ କୁନି ଛୁଆଟେ ପରି କଇଁ କଇଁ କାନ୍ଦି ଉଠିଲି ରାହା ଧରି ।"ଆକାଶ୍! ତମେ ଆଉ କାହା ନାଁ ସହ ତମ ନାଁ କୁ.......... "।ଆଉ କିଛି କହି ପାରିଲିନି। ଆଉ କିଛି ଭାବି ପାରିଲିନି। ସେଦିନ ଅନେକ ସମୟ ଯାଏ ସେଇଠି ବସି ରହିଲି। କେତେବେଳେ ଦିନ ଯାଇ ସନ୍ଧ୍ୟା ହେଲା ସନ୍ଧ୍ୟା ଫେରି ରାତି ଆଉ ପରଦିନ ସକାଳ ତାର ସୁନାଝରା ଓଢଣା ଖୋଲି ସାରିଥିଲା ଜାଣି ହିଁ ପାରିଲିନି।


ଆଖିର ଲୁହଦାଗକୁ ଲିଭେଇ ନିଷ୍ପତ୍ତି ନେଲି ଥରଟେ ତମକୁ ଦେଖା କରିବି। ଏଥିପାଇଁ ନୁହେଁ ତମେ ଆଉ କାହା ସହ ଦୁନିଆ ଘଟିଥିବାରୁ। ଏକଥା ବି ପଚାରିବାକୁ ବି ଚାହିଁବିନି ସେଦିନ କାହିଁକି ଏତେ ବଡ ନିଷ୍ପତ୍ତି ନେଲ। ଥରେ ବି ପଚାରିବିନି ମୋ ସ୍ମୃତି ଆଜି ତମ ହୃଦୟ ତଳେ ସାଇତା ହୋଇ ରହିଛି କି ନାହିଁ। ଥରେ ବି ଜାଣିବାକୁ ଚାହିଁବନି ମୋ ବିରହରେ କେବେ ତମ ଆଖି ଲୁହରେ ଭିଜିଛି କି ନାହିଁ। ଖାଲି ତମକୁ ଥରେ ଦେଖିବି ସେଇ ନଜରରେ ଯୋଉ ନଜରରେ ପ୍ରଥମଥର ତମକୁ ଦେଖି ହସିଥିଲି ଆଉ ଭଲପାଇଥିଲି। ସେମିତି ଥରେ ତମକୁ ଦେଖି ହସିବି ଆଉ ପୁଣି ଥରେ ଭଲପାଇବି। ସବୁ ବିଶ୍ୱାସଘାତକତା ଆଉ ପ୍ରତାରଣାକୁ ଭୁଲି। ପୁଣି ଥରେ ତମ ଉପରେ ଭରସା କରି ବାକି ଜୀବନକୁ ଜୀଇଁଯିବି। ଅନ୍ତତଃ ଏତିକି ଚାହିଁଛି ମୋ ଭଲପାଇବା କାହାଣୀର ସୁଖାଦନ୍ତ ହେଉ। 


କହିବି, ତମକୁ ଅନୁରୋଧ କରିବି। ତମ ପାଦତଳେ ଲୋଟିପଡି ନହେଲେ ତମ ହାତ ଧରି। ଯାହା ମୋତେ ଅନେକ ଆଗରୁ କରିବାର ଥିଲା। ଏଇ ଜନ୍ମରେ ନହେଲା ନାହିଁ।ଆରଜନ୍ମକୁ ତମ ପାଇଁ ଅପେକ୍ଷା କରିବି ସେଇ ପାହାଡ଼ର ନଦୀ ଧାରେ। ଆଉ କେବେ ମୋ ହାତ ଛାଡି ଯିବନି। ଆଉ କେବେ ମୋତେ ଭଲପାଇ ଭୁଲିଯିବାକୁ କହିବନି। 


ତମକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠେଇଲି। ତମ ପ୍ରତ୍ୟୁତ୍ତରକୁ ଅପେକ୍ଷା କରି ଅନେକ ଦିନ ବିତିଗଲା। ଠିକଣାରେ ଥିଲା ଖାଲି ଜାଗାର ନାଁ,ବି.ବି.ଏସ୍.ଆର୍।ମାନେ ମୋ ସହରରେ। ଅଥଚ ସେଇ ସେଇ ପରିଚିତ ଜାଗା ମାନଙ୍କରେ ଥରଟେ ତୁମ ସହ ଦେଖା ହେଲାନି। ଦିନେ ମୋର ସବୁ ବିସ୍ମୟକୁ ପରାହତ କରି ତମେ ମୋ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ଆକସେପଟ କଲ।


ମେସେଜ କଲ ହାଏ। ଖୁସିର ସୀମା ରହିଲାନି। ତଥାପି ସେ ଖୁସି ସାଙ୍ଗେ ସାଙ୍ଗେ ମଉଳି ଯାଇଥିଲା। କାହିଁକି ନା ତମକୁ ଆଉ ମୋର କହି ପାରିବାର ଅଧିକାର ନ ଥିଲା। ତମେ କେବଳ ପ୍ରତିଛବି ହୋଇ ରହି ଯାଇଥିଲ ମୋ ହୃଦୟ କୋଣରେ। ସେହି ଛବି ସହ ମୋ ବାସ୍ତବତା ଯୋଡି ହେଉଥିଲା ସବୁଦିନ। ସାଙ୍ଗେ ସାଙ୍ଗେ ରିପ୍ଲାଏ ଦେଲି "କେମିତି ଅଛ"? ତମେ ଲେଖିଲ"ଭଲ ଅଛି "।ପୁଣି ତମେ ପ୍ରଶ୍ନ କଲ"ତମେ ମୋତେ ଜାଣ"?


ମୁଁ ମନାକଲି। ତମକୁ ଦେଖା କରିବାକୁ ଚାହେଁ। ତୁମ ଠିକଣା ଟା ଦେବା ପାଇଁ ଅନୁରୋଧ କଲି। ଅନେକ ସମୟ ଚାହିଁ ରହିଲି ମୋବାଇଲ ର ସ୍କ୍ରିନ୍ କୁ। ବୋଧେ! ତମେ ଆଶ୍ଚର୍ଯ୍ୟ ହେଉଥିଲ। ରାଉରକେଲାରୁ ଭୁବନେଶ୍ବର ଆସିବା ଗୋଟେ ଝିଅ ପୁଅ ପାଖକୁ ପୁଣି ଫେସବୁକରେ ଦେଖି ସେଥିପାଇଁ ଠିକଣାଟା ବୋଧେ ଡେରିରେ ପଠେଇଲ। ଯାହା ହେଉ ଦେଲ ତ। ସେଥିପାଇଁ ଧନ୍ୟବାଦ ଲେଖି ଜଣେଇବା ପୂର୍ବରୁ ତମେ ତମ ମୋବାଇଲ ନମ୍ବର ଦେଲ। ୟା ପୂର୍ବରୁ ତମେ ଯେତିକି ଆଶ୍ଚର୍ଯ୍ୟ ହେଇ ନ ଥିବ ମୋତେ ତାଠୁ ବେଶୀ ଆଶ୍ଚର୍ଯ୍ୟ ଲାଗିଲା। ଏମିତି ଅଜଣା ଅଚିହ୍ନା ଝିଅକୁ ସେ ବି ବିବାହିତ ପରେ କାହାକୁ ଫୋନ ନମ୍ବର ଦେବା ଖରାପ ଲାଗିଲା ଭଳି କଥା ହେଇଥିଲେ ବି ମୁଁ ତମକୁ ଧନ୍ୟବାଦ ଲେଖି ଜଣେଇଲି। 


ଫେସବୁକ ଅଫ୍ କରି ତମ ନମ୍ବର ଡାଏଲ କଲି। ଟିକେ ବି ପରିବର୍ତ୍ତନ ହେଇ ନାହିଁ ସେଇ ସ୍ବରର। ଯାହାକୁ ଶୁଣି ଆସୁଥିଲି ଅନେକ ଦିନରୁ। ତମର ସେଇ ଧୀର ଧୀର ସ୍ୱରରେ ହାଲୋରେ ଚମକି ପଡିଲି। ଶିହରି ଉଠିଲା ମନ ପ୍ରାଣ। ଫୋନ କାଟିଦେଲି। ୟାପରେ ତମେ କଲ୍ ବ୍ୟାକ୍ କଲନି। ମୁଁ ବି ଆଉ ଥରେ କରିବାକୁ ଚାହିଁନି। ତମ ଜୀବନରେ ଏମିତି ଆଉଥରେ ଅପ୍ରତ୍ୟାଶିତ ଭାବରେ ସାମିଲ ହେବାର ମୋର କୌଣସି ଅଧିକାର ନାହିଁ। 


ସାରା ରାତି ତୁମରି ଭାବନାରେ ହିଁ ବିତିଲା। ତମ ସହ ଜୀଇଁଥିବା ପ୍ରତ୍ୟେକଟି ମୁହୂର୍ତ୍ତ ଆଜି ପୁଣି ଥରେ ଜୀବନ୍ତ ହେଇ ଗଲେ ।ତମକୁ ଦେଖା କରିବା ପୂର୍ବରୁ ଥରେ ନା କଲ୍ କଲି ନା ମେସେଜ୍। ଆଜି ସବୁକିଛିରୁ ମୁକ୍ତ ହୋଇ ତୁମରି ସନ୍ଧାନରେ ବାହାରିଗଲି। 


ଆଜି ପୁଣି ଥରେ ନୂଆ ଲାଗୁଥିଲା ମୋ ମଥା ଉପରର ଆକାଶ। ମୋ ପାଦ ତଳର ଭୂମି। ମୋ ଚାରି ପାଖର ସବୁଜିମା ।ପୁଣି ଥରେ ନବବଧୂ ବେଶରେ ସଜେଇ ହେଇଯାଇଥିଲା ମୋ ପୃଥିବୀ। ମୁଁ ଏବେ ସେଇ ରାସ୍ତାରେ ଚାଲି ବାକୁ ଆରମ୍ଭ କଲି ଯୋଉଠି ବାଟବଣା ହେବାର ସମ୍ଭାବନା ନ ଥିଲା। 


ମୁଁ ଏବେ ପହଞ୍ଚି ସାରିଥିଲି ତମ ଘରର ଦରଜା ପାଖରେ। ମନପ୍ରାଣରେ ଆଜି ଗଭୀର ଉତ୍ସାଦନା। ଯେମିତି ଜୀବନର ଶେଷ ପାହାଚରେ ଅପେକ୍ଷା କରିଥିବା ପ୍ରତୀକ୍ଷିତ ପ୍ରିୟ ମଣିଷଟିକୁ ଦେଖିଲେ ଉନ୍ମାଦନା ସୃଷ୍ଟି ହୁଏ। ସେମିତି ସବୁର ଅନୁଭବ ନେଇ ମୁଁ ମାରିଲି ତମ ଘରର କଲିଂ ବେଲ୍। ସେପଟୁ କୌଣସି ଉତ୍ତର ଆସିଲାନି। ତମ ଘରର ଦରଜା ଖୋଲା ଥିଲା। ମୁଁ ଚାଲିଗଲି ଭିତରକୁ ଯେମିତି କୁମାରୀତ୍ୱକୁ ହଜେଇ ବଧୂବେଶ ସାଜି ଆସିଥିବା ଝିଅଟି ପ୍ରବେଶ କରେ ଧୀରେ ଧୀରେ କଳସକୁ ଆଡେଇ। ସାମନାରେ ତମକୁ ଦେଖିବା ଆଗରୁ ଦେଖିଲି ତମ ଆଇନା ପାଖରେ ରଖାଯାଇଥିଲା କଣ୍ଟାହୀନ ଗୋଲାପ ତୋଡାଟି। ସେଥିରେ ଲେଖାଥିଲା ଜଷ୍ଟ ଫର୍ ୟୁ। 


ମନେ ପଡ଼ିଲା, ଯେବେ ବି ମୁଁ ବେଶୀ ଖୁସି ହେଉଥିଲି ସେଦିନ ଏମିତି କଣ୍ଟା ହୀନ ଗୋଲାପ ତୋଡା ଟେ ନେଇ ଆସୁଥିଲ ମୋ ପାଇଁ, ମୋ ଖୁସିକୁ ଦ୍ୱିଗୁଣିତ କରିବା ଲାଗି। ମୁଁ କିନ୍ତୁ ଖୁବ୍ ରାଗୁଥିଲି। 


କାହିଁକି ନା ମୋତେ କଣ୍ଟା ଭରା ଗୋଲାପ ଭଲ ଲାଗେ। ଗୋଲାପରୁ କଣ୍ଟାକୁ ଅଲଗା କରି ଦେଲେ ଏ ଦୁନିଆ କେମିତି ଜାଣିବ ପରସ୍ପରର ବିପରୀତ ଗୁଣ ଧର୍ମ ବର୍ଣ୍ଣ ଥିବା ସତ୍ତ୍ବେ ବି ସେମାନେ ପରସ୍ପରର ପ୍ରେମ ପରି ଏକ ପବିତ୍ର ବନ୍ଧନରେ ଆବଦ୍ଧ ହୋଇ ରହିପାରିବେ। ପରସ୍ପରର ନାଁ ସହ ନିଜ ନାଁ କୁ ଯୋଡି ପାରିବେ ଏ ଦୁନିଆ ଥିବା ଯାଏ। ଭଲପାଇବାରେ ଖାଲି ଫୁଲର ପାଖୁଡ଼ା ନ ଥାଏ। ଏ କଣ୍ଟାର ଆଘାତ ପରି ଥାଏ ଗୁଡାଏ ଯନ୍ତ୍ରଣା ଗୁଡାଏ ହନ୍ତସନ୍ତ, ଦହଗଞ୍ଜ। କେବେ ବିରହରେ ଜଳିବାକୁ ହୁଏ। କେବେ ସ୍ମୃତିରେ ବଞ୍ଚିବାକୁ ହୁଏ। କେବେ ନିଜେ ଭାଙ୍ଗି ଯାଇ ଏଇ ଗୋଲାପ ପରି ଆଉ କାହାର ହୃଦୟ ଯୋଡିବାକୁ ହୁଏ। ତମେ ଏତେ ସବୁ କଥା ଶୁଣି ଖାଲି ହସ,ଆଉ କୁହ"ତଥାପି ମୁଁ ତମ ପାଇଁ ସବୁ ବେଳେ ଏମିତି ହିଁ ଆଣିବି। କାଳେ କେବେ ମୋ ହାତ ଅଜାଣତେ ସେଇ କଣ୍ଟାର ପରଶରେ କଷ୍ଟ ସହିବ। ସତରେ! ତମେ ମୋତେ ଏତେ ଭଲପାଉଥିବ! 


ତାହେଲେ ସେଦିନ ମୋତେ ତୁମ ଜୀବନ ପରିସୀମାରୁ ଅଲଗା କରି କି ସୁଖ ଅଜାଡି ଦେଇଥିଲ ହାତ ଆଞ୍ଜୁଳାରେ ମୋର। ଯୋଉଥିରେ କେବେ ଶିମିଳି ଗଛ ର କୃଷ୍ଣ ଆଉ ହଳଦୀ ରଙ୍ଗର ମେଞ୍ଚା ମେଞ୍ଚା ଫୁଲ ଭରି ଦେଉଥିଲ ଅତି ଯତନରେ। 


ମୋ ଭାବନାର ଅନ୍ତ ଘଟାଇ ତମେ ହାତରେ କଫି ନେଇ ଆସିଲ। ମୁଁ ତମକୁ ଏତେ ଦିନ ପରେ ଦେଖିଲି। ଲାଗୁଥିଲା ଅନେକ ଅପେକ୍ଷାରତ ଯୁଗ ବିତି ଯାଇଛି ତମକୁ ଏମିତି ଥରେ ପାଖାପାଖି ପାଇବା ପାଇଁ। ତମେ ଥିଲ ସେଇ ଆକାଶ ରଙ୍ଗର ଟି -ସାର୍ଟ ରେ। ଯେଉଁଟା ମୁଁ ତମ ଜନ୍ମଦିନରେ ଉପହାର ଦେଇଥିଲି। ଅଥଚ ତମେ ପିନ୍ଧି ନଥିଲ ଅଭିମାନରେ। ତମେ ଦେଇଥିବା ମୋ ଜନ୍ମଦିନରେ ମୋତେ ଭଲ ଲାଗୁ ନଥିବା ଫିକା ସବୁଜର ଶାଢୀଟି ପିନ୍ଧି ନଥିବାରୁ। ମୁଁ ସିନା ତମକୁ ଭଲପାଉଛି ବୋଲି ଆଜି ସେଇ ଶାଢୀରେ ଥିଲି ଆଉ ତମେ? ତମେ କଣ ଆଜି ବି ମୋତେ ଭଲପାଉଛି? ତମେ ନଥିବା ବେଳେ ମନରେ କେତେ ପ୍ରଶ୍ନ କେତେ ଆବେଗ। ଆଜି କିନ୍ତୁ ତମେ ସାମନାରେ ଅଥଚ କୌଣସି କ୍ରିୟା ନାହିଁ ପ୍ରତିକ୍ରିୟା ନାହିଁ। ଖାଲି ନିରବ ଭରା ଚାହାଣୀ। ନିରବତାରେ ସାରା ଘର ଆଚ୍ଛନ୍ନ। ଆଖିରେ  ଝିଲମିଲ୍ କେଇ ଟୋପା ଲୁହର ଧାର। 


ଏମିତି ପରିସ୍ଥିତିରେ କିଛି ନ କହି ଫେରିବାକୁ ବାହାରିଲି। ତମେ ପଛରୁ ଆୱାଜ୍ ଦେଲ-ବର୍ଷା! 


-ଏମିତି ଚାଲିଯିବ ପଦେ କଥା ନ କହି। ପଚାରିବନି ସେଦିନ ଅଧା ରାସ୍ତାରେ ତମ ହାତ କାହିଁକି ଛାଡି ଚାଲି ଆସିଲି? ଥରେ ଜାଣିବାକୁ ଚାହିଁବନି ତମ ବିନା କେମିତି ବଞ୍ଚିଛି ମୁଁ? 


ମୁଁ ସାମନା ସାମନି ନ ହେଇ ସେମିତି ଉତ୍ତର ଦେଲି। 

-ଆଜି କାହିଁକି ସେ ସବୁ ପ୍ରଶ୍ନମାଳାର ସମାଧାନ କରିବାକୁ ଚାହୁଁଛ ? ସେ ପ୍ରଶ୍ନ ଭରା ବହିର ଲେଖା ଅନେକ ଦିନୁ ଲିଭି ସାରିଲାଣି। ତା'ର ଉତ୍ତର ଆଜି ଏମିତି ଖୋଜି ବସିବାର ମାନେ କିଛି ନାହିଁ। 


ତମର ଭିଜା ଭିଜା ସ୍ୱରରେ। 

କଣ କହିଲ ତମେ! ସେସବୁ ର ମାନେ କିଛି ନାହିଁ?


ତାହେଲେ ଏତେ ଦିନ ଧରି କାହଁକି ମୋତେ ଖୋଜି ଚାଲିଛ? କାହିଁକି ମୋ ସ୍ମୃତିକୁ ଏମିତି ଜାବୁଡି ଧରିଛ? ମୁଁ କିନ୍ତୁ ଏସବୁ ପ୍ରଶ୍ନର ଉତ୍ତର ଚାହେଁ। 


-ତମେ ସବୁବେଳେ ମୋର ଭଲ ଚାହୁଁ ଥିଲ। ସେଥିପାଇଁ ସେଦିନ ଏତେ ବଡ ନିଷ୍ପତ୍ତି ପଛରେ ମୋର ଭଲ ହିଁ ଚାହିଁ ଥିବ। ଏଇଆ ଭାବି ହସି ହସି ଗ୍ରହଣ କରି ନେଇଥିଲି ସେ ଦାରୁଣ ସମୟକୁ। ତମର ଏତେ ସବୁ ପ୍ରଶ୍ନର ଉତ୍ତର ମୋ ପାଖରେ କେବଳ ଗୋଟିଏ ପଦ ଥିଲା। "ହଁ, ମୁଁ ତମକୁ ଆଜି ବି ଭଲପାଏ"। କିନ୍ତୁ କହି ପାରିଲିନି। ତମେ ବି ବାଧ୍ୟ କଲନି କହିବା ପାଇଁ। କାହିଁକି ନା ତମକୁ ବି ଭଲଭାବେ ଜଣାଥିଲା। 


ସେଥିପାଇଁ ତମେ କହିବା ଆରମ୍ଭ କଲ। ମାଙ୍କର ପସନ୍ଦିତ ଝିଅ ର ହାତ ଧରିଲେ ମା ଦୁନିଆ ର ସବୁ ଖୁସି ପାଇଯିବେ କହିବା ପରେ ମୁଁ ଆଉ କଣ କରିଥାନ୍ତି କୁହ? ଯିଏ ମୋ ପାଇଁ ସାରା ଦୁନିଆଯାକର ଲୁହ ପିଇ ଯାଇଛି ତା ଖୁସି ପାଇଁ ଏତିକି କରି ପାରିବିନି। ତମେ ହିଁ ତ ଦିନେ ପାଖରେ ବସି କହିଥିଲ "ଭଲପାଇବା ନୁହେଁ ଫୁଲର ଗାଲିଚା। ସେଥିରେ ବୁଢିଆଣୀ ଜାଲ ପରି ଥାଏ ଅନେକ ଅଡୁଆ ସୂତା। ସବୁଠୁ ଅସହ୍ୟ କଥା ଟା ଥିଲା ନିଜେ ଭାଙ୍ଗି ଅନ୍ୟର ହୃଦୟକୁ ଯୋଡିବା"। ସେଇଆ ହିଁ ତ କରି ଥିଲି। ଏତେ ବି ତ ପାପ କରିନି। ମୋତେ ସାରା ଜୀବନ ତମେ ବିଶ୍ବାସଘାତକତାର ଆଖ୍ୟା ଦେଇ ପ୍ରତାରଣାର ପରଦା ତଳେ ଲୁଚେଇ ରଖି ଦେବ। ଆଉ ମୁଁ ବି ତ ଏତେ ବଡ କଳଙ୍କ ନେଇ ସାରା ଜୀବନ ବଞ୍ଚି ପାରିବିନି। 


ତମକୁ ମନା କରିବା ପରେ ପରେ ମାଙ୍କର ଅକସ୍ମାତ୍ ହୃଦଘାତ ରେ ବିୟୋଗ ମୋ ଜୀବନରେ ଅଜାଡି ଦେଇଥିଲା ଆହୁରି ଶୂନ୍ୟ ସ୍ଥାନ।ସେଇ ଶୂନ୍ୟ ସ୍ଥାନରେ ତମେ ହିଁ ତ ଭଲପାଇବାର ଶବ୍ଦ ବସେଇ ପୂରଣ କରିଥାନ୍ତ। ମୋର ଦୁର୍ଭାଗ୍ୟ! ତମକୁ ହିଁ ମାଙ୍କ ଆଗରୁ ଛାଡି ଚାଲି ଆସିଥିଲି ।ଆଉ କାହା ନାଁ ସହ ମୋ ନାଁ ଯୋଡି ପାରିନି। ସ୍ୱାଭାବିକ ଅବସ୍ଥାକୁ ଆସିବା ପାଇଁ ମୋତେ ଅନେକ ଦିନ ଲାଗିଗଲା। ତାପରେ ତମକୁ ପାଗଳଙ୍କ ପରି ଖୋଜି ବୁଲିଛି ତମ ଘର, ତମ ସହରର ପ୍ରତିଟି ପ୍ରତିଟି ଗଳି ରାସ୍ତାରେ। ଶେଷରେ ଜାଣିଲି ତମେ କୁଆଡ଼େ ସହର ଛାଡି ଚାଲି ଯାଇଛ ରାଜଧାନୀ ନୂଆଦିଲ୍ଲୀକୁ। 


ଏତିକିରେ ରହି ଯାଇ ନଥିଲି। ତମକୁ ଖୋଜିବା ଆଳରେ ଅନେକ ଥର ଦିଲ୍ଲୀ ଯାଇଛି। କାଳେ କେବେ ଦେଖା ହେଇଯିବ,ହେଇ ପାରିଲାନି। ଆଉ ତମ ପାଇଁ ମୁଁ ସବୁଦିନ ତ ସେଇଠି ରହି ପାରିବିନି। ଜୀବନ ଖାଲି ଭାବନା ଆଉ କଳ୍ପନାର ନୁହେଁ। ଜୀବନର ଅଧା ଅଂଶ ବାସ୍ତବତାର ଆୟତ୍ତରେ। ସେଇ ବାସ୍ତବତାର ବାଧ୍ୟକରେ ମୁଁ ମୋ କାମ ପାଇଁ ଫେରି ଆସିଲି ମୋ ସହରକୁ, ତମ ସହରକୁ। ଯେଉଁ ସହରର ପ୍ରତିଟି କୋଣରେ ତୁମସ୍ମୃତି ଭରି ରହିଛି। ସେଇ ସବୁକୁ ନିଜର କରି ଜୀଇଁଯିବି ଏମିତିରେ ଭାବିଥିଲି। ହେଲେ ଜୀଉଁଥିଲି ଅଳପ ମରୁଥିଲି ବେଶୀ। ଲୁହ ଥିଲା କମ୍ କୋହ ଉଠିଲା ଅଧିକ। ତଥାପି ବଞ୍ଚିଲି ତୁମ ବିନା, ତମେ ଫେରିବାର ଏକ ଆଶା ନେଇ। 


ଆଜିବି ଏଠି ତମର ପ୍ରତିଟି ସ୍ମୃତି ଶୋଭା ପାଉଛି। ସବୁ ଯେମିତି ମୋ ପାଇଁ ମୋ ଜୀବନ ଠାରୁ ମୂଲ୍ୟବାନ। ତମ ହାତ ଲେଖା ଚିଠି, ତମ ପ୍ରିୟ ମାଗାଜିନ୍, ତମ ପ୍ରିୟ ଗୋଲାପ। ଏମିତି ଆହୁରି ଅନେକ। ଆଉ ଏ ଟି-ସାର୍ଟ କଥା ତମର ମନେ ଅଛି ନା ଭୁଲି ଯାଇଛ? ତମର ଏଇ ଶେଷ ସ୍ମୃତି ଟିକୁ ସାରା ଜୀବନ ସାଇତି ରଖିବି ବୋଲି ଭାବିଥିଲି। ହେଲେ ଆଜି ତମେ ଆସୁଛ ବୋଲି ପିନ୍ଧିଦେଲି ତମ ଖୁସି ପାଇଁ। ତମେ କିଛି କହିଲନି ଯେ? କେମିତି ଲାଗୁଛି ବୋଲି? 


ମୁଁ ଆଶ୍ଚର୍ଯ୍ୟରେ ଚାହିଁ ପଦେ କଥା କହିଲି -ତମେ ତାହେଲେ ଜାଣିଥିଲ ମୁଁ ଆସୁଛି ବୋଲି! 

ତମେ ଟିକେ ହସିଲ ଆଉ କହିଲ-ଆଜି ବି ଅବୁଝାଙ୍କ ପରି ହେଉଛ? ଫେସବୁକରେ ଗୋଟେ ପୁଅର ଫଟୋ ଦେଖି ସେ ବିବାହିତ ଜାଣିବା ପରେ ଯିଏ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠେଇବ ସିଏତ କେବଳ ତମେ ହିଁ ହେଇଥିବ। ଏକ ଅତୁଟ ସଂପର୍କର ଭାବନା ନେଇ ପଚାରିବ କେମିତି ଅଛ ଆଉ ପ୍ରଥମ ଦିନରେ ଦେଖା କରିବ ବୋଲି କହିବ ସେ ତ କେବଳ ତମେ ହିଁ ହେଇଥିବ। ରାଉରକେଲାରୁ ଭୁବନେଶ୍ବର ଏକ ସୁଦୀର୍ଘ ପଥ ଅତିକ୍ରମ କରି ଗୋଟେ ଅଜଣା ଅଚିହ୍ନା ପୁଅର ଅଜଣା ସହରକୁ ଆସିବା ପରି ଏକ ଦୁଃସାହସର କାମ ଯିଏ କରି ପାରିବ ସେ ତ କେବଳ ମୋ ବର୍ଷା ହିଁ ହେଇଥିବ। ମୋର ଏତେ ବଡ ମିଛ ହୁଏତ ସେଦିନ ତମକୁ ଅନେକ କଷ୍ଟ ଦେଇଥିବ ଜାଣିବା ପରେ। ହେଲେ ତମଠୁ ଦୂରରେ ରହି ମୁଁ ଯୋଉ କଷ୍ଟ ପାଉଛି ସାହିତ୍ୟର କୋଉ ଭାଷାରେ ବର୍ଣ୍ଣନା କରିବି? ମୁହଁରେ କେଉଁ ଭାବପ୍ରବଣତା ନେଇ ପ୍ରକାଶ କରିବି ତୁମ ଆଗରେ? ଆଜି ବୁଝି ପାରୁଛି ସେଦିନ ମାଗାଜିନ୍ ରେ ଲେଖାଥିବା ଶ୍ରାବଣୀ ରାୟର ସେଇ କବିତାରେ ମୋ ଆଖି କାହିଁ ଭିଜି ଯାଇଥିଲା? କାହିଁକି ସେ କବିତାର ପ୍ରତିଟି ଭାଷା ମନକୁ ଛୁଇଁ ଥିଲା? କାହିଁକି ସେ ଆପଣାର ସ୍ମୃତି ପରି ଲାଗିଥିଲା? ଏମିତି ଗୋଟେ ଦିନ ନାହିଁ ଯୋଉ ଦିନ ସେ କବିତାର ପଙ୍କ୍ତି ଗୁଡିକ ମୋ ଓଠରେ ଗୁଣୁଗୁଣୁ ହୋଇ ନାହାଁନ୍ତି।


 ମୁଁ ନ ଜାଣିଲା ପରି ପଚାରିଲି -କୋଉ କବିତା? ତମେ ଆରମ୍ଭ କଲ ଏକ ମହାନ କବି ପରି ଅନେକ ଉଦବେଗରେ କବିତାର ଧାଡି ଗୁଡିକ।ଗୋଟିଏ ବି ଶବ୍ଦ ଭୁଲି ନ ଥିଲ? କେବେ ଭାବି ନ ଥିଲି ତମ ସହ ଅଜାଣତରେ ପୁଣି ମିଳନର ରେଖା ଟାଣି ହେଇ ଯାଇଥିବ! 


ଏତେ ସବୁ ପରେ ମୋତେ ଚାହିଁ କହିଲ -କାହିଁକି ଏମିତି ଚୁପଚାପ ରହି ମୋ ହୃଦୟ ସ୍ପନ୍ଦନର ଗତିବେଗ ବଢଉଛ?ଭାଗ୍ୟ ଥରେ ଆମକୁ ଅଲଗା କରି ଥିଲା। ଆଜି ଯେତେବେଳେ ଭାଗ୍ୟ ଆମକୁ ଗୋଟିଏ ସରଳରେଖାରେ ଠିଆ କରେଇଛି ପୁଣି କାହିଁକି ଅଲଗା ହେବାକୁ ଚାହୁଁଛ?ପୁଣି କାହିଁକି ରାସ୍ତା ଭାଙ୍ଗି ଅଜଣା ମୋଡଟେ ତିଆରି କରିବାକୁ ଚାହୁଁଛ? ତମ ବିନା ମୁଁ କେତେ ଅସହାୟ ଏତିକି ଶବ୍ଦ କଣ ତମ ପାଇଁ ବୁଝିବାକୁ ଯଥେଷ୍ଟ ହେଇନି। ତମେ ଫେରିଆସ ବର୍ଷା ହେଇ ନ ହେଲେ ଶ୍ରାବଣୀ ହେଇ। ସେଥିରେ ମୋର ଆପତ୍ତି ନାହିଁ। ଖାଲି ଏତିକି ଅନୁରୋଧ, ତମେ ଫେରିଆସ ପୁଣି ଥରେ ମୋ ଦୁନିଆକୁ, ମୋ ପୃଥିବୀକୁ, ମୋ ହୃଦୟ ପରିଧିକୁ। ଆଉଥରେ ନୂଆ କରି ଆଙ୍କି ଦିଅ ମୋ ଜୀବନର କାନଭାସ ଚିତ୍ରକୁ। ଯାହା ତୁମ ବିନା ଫିକା ପଡି ଯାଇଛି। 


ମୁଁ ଏଥର ଢଳି ଯାଇଥିଲି ତୁମ କାନ୍ଧରେ। ଏତେ ଦିନର ଅଭିମାନରେ ସାଇତି ରଖି ଥିବା ଲୁହ ସବୁ ଆଜି ଅମାନିଆ ସ୍ରୋତ ଧାର ପରି ବହିଗଲେ। ଅଜାଡି ହେଇଗଲେ ଶ୍ରାବଣର ବର୍ଷା ପରି ତମ ସାର୍ଟ ଉପରେ। ମୁଁ କହିଲି-ହଁ, ମୁଁ ତମ ପାଖକୁ ଫେରି ଆସିଛି। ଅଧା ରହିଯାଇଥିବା ସେଦିନର ଭଲପାଇବା କାହାଣୀକୁ ଲେଖିବା ପାଇଁ। ଆଉ ତମ ଜୀବନର ନୁହେଁ କି ମୋ ଜୀବନର ନୁହେଁ, ଆମ ଜୀବନର କାନଭାସକୁ ତୂଳୀରେ ରଙ୍ଗ ଭରି ପୁଣି ଥରେ ରଙ୍ଗୀନ କରିବାକୁ ।ହଁ ମୁଁ ଫେରି ଆସିଛି ସବୁଦିନ ପାଇଁ ତମ ପାଖକୁ......। 


Rate this content
Log in

Similar oriya story from Romance